spot_img
Home Blog Page 2204

ଇସ୍ରାଏଲ-ହମାସ ଯୁଦ୍ଧ: ୫୦ ଦିନର ବନ୍ଦୀ ଜୀବନ ପରେ ମୁକ୍ତିର ଆନନ୍ଦ

ନୂଆଦିଲ୍ଲୀ: ବନ୍ଦୀ ଜୀବନରୁ ମୁକ୍ତିର ଆନନ୍ଦ । ଦୀର୍ଘ ୫୦ ଦିନ ଧରି ବନ୍ଦୀ ଭାବେ ଜୀବନ କାଟିବା ପରେ ଖୋଲା ଆକାଶରେ ବିଚରଣ କରିଛନ୍ତି ଇସ୍ରାଏଲ ପଣବନ୍ଦୀ । ମୁକ୍ତ ହୋଇଥିବା ପଣବନ୍ଦୀ ସେମାନଙ୍କ ପରିବାର ଲୋକଙ୍କୁ ଯାଇ ଭେଟିଛନ୍ତି । ପୁଅ ବାପାକୁ ଭେଟି କୋଳେଇ ପକାଉଛି । ନିଜ ପରିବାର ଲୋକଙ୍କୁ ଭେଟିଛନ୍ତି ଅନେକ ପଣବନ୍ଦୀ । ନିଜ ପରିବାର ଲୋକଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ମୁକ୍ତ ହୋଇଥିବା ଅନେକ ପଣବନ୍ଦୀ ।

ହମାସ-ଇସ୍ରାଏଲ ଯୁଦ୍ଧ ବିରାମର ଆଜି ତୃତୀୟ ଦିନ । ଆଜି ଛାଡିବାକୁ ଥିବା ପଣବନ୍ଦୀଙ୍କ ତାଲିକା ଇସ୍ରାଏଲକୁ ଦେଇଛି ହମାସ । ଗତକାଲି ଦ୍ବିତୀୟ ପର୍ଯ୍ୟାୟରେ ୧୭ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା ହମାସ । ମୁକ୍ତ ହୋଇଥିବା ପଣବନ୍ଦୀଙ୍କ ମଧ୍ୟରେ ଇସ୍ରାଏଲର ୧୩ ଏବଂ ଥାଇଲାଣ୍ଡର ୪ ପଣବନ୍ଦୀ ରହିଛନ୍ତି । ଅନ୍ତର୍ଜାତୀୟ ରେଡକ୍ରସ ସଂସ୍ଥାକୁ ଏହି ପଣବନ୍ଦୀଙ୍କୁ ହସ୍ତାନ୍ତର କରିଛି ହମାସ । ଏହାପରେ ସମସ୍ତେ ଇସ୍ରାଏଲକୁ ଫେରିଛନ୍ତି । ଇଜିପ୍ଟର କରିମ ସାଲମ କ୍ରସିଂ ଦେଇ ସମସ୍ତେ ମୁକ୍ତ ହୋଇଛନ୍ତି ।

ସେପଟେ ହମାସ ଦେଇଥିବା ତାଲିକାକୁ ଯାଞ୍ଚ କରୁଛି ଇସ୍ରାଏଲ । କତାର ମଧ୍ୟସ୍ଥତାରେ ସମସ୍ତ ପଣବନ୍ଦୀଙ୍କୁ ଛାଡୁଛନ୍ତି ହମାସ ଆତଙ୍କବାଦୀ । ମାତ୍ର ୪ ଦିନ ଯୁଦ୍ଧ ବିରତି ପାଇଁ ନିଷ୍ପତ୍ତି ହୋଇଥିବାବେଳେ ହମାସ ୫୦ ପଣବନ୍ଦୀଙ୍କୁ ଛାଡିବ । ପ୍ରତିବଦଳରେ ଇସ୍ରାଏଲ ୧୫୦ ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡିବ । ୪ ଦିନ ପରେ ଆଗକୁ ମଧ୍ୟ ଯୁଦ୍ଧ ବିରତି ଜାରି ରଖିବାକୁ ଉଦ୍ୟମ କରୁଛି କତାର । ହମାସ ରଖିଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ କତାର ପ୍ରୟାସ ଜାରି ରଖିଛି । ଶରଣାର୍ଥୀ ମୁକ୍ତ ପାଇବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କତାରର ପ୍ରିନ୍ସ ଏମିର ଶେଖ ତମିମ ଏବଂ ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନଙ୍କ ସହ କଥା ହୋଇଥିଲେ ।

ସେପଟେ ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଇସ୍ରାଏଲକୁ ସୂଚନା ଦେଉଥିବା ଅଭିଯୋଗରେ ୨ ଇନଫର୍ମରଙ୍କୁ ହମାସ ହତ୍ୟା କରିଥିବା ଜଣାପଡିଛି । ତୁଲକରିମ ଶରଣାର୍ଥୀ ଶିବିରରେ ଏହି ଦୁଇ ଜଣଙ୍କୁ ପାଲେଷ୍ଟାଇନ ଆତଙ୍କବାଦୀ ହତ୍ୟା କରିଛନ୍ତି ।

ମୁଖ୍ୟ କୋଚ୍ ପଦରୁ ଯିବେ ରାହୁଲ ଦ୍ରାବିଡ଼, କିଏ ହେବେ ଟିମ୍ ଇଣ୍ଡିଆର ନୂଆ କୋଚ୍ ?

ମୁମ୍ବାଇ: ଦିନିକିଆ ବିଶ୍ବକପ୍ ଶେଷ ହେବା ସହ ଶେଷ ହୋଇଛି ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କଣ୍ଟ୍ରାକ୍ଟ । ଏବେ ସମସ୍ତଙ୍କ ନଜର, ବିସିସିଆ ଦ୍ରାବିଡ଼ଙ୍କୁ କୋଚ ଭାବେ ଆଗକୁ ନେଉଛି ନା ତାଙ୍କ ସ୍ଥାନରେ ଆଉ କାହାକୁ ମୁଖ୍ୟ କୋଚ୍ ପଦରେ ବସାଇବ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦ୍ରାବିଡ଼, ମୁଖ୍ୟ କୋଚ୍ ପଦକୁ ବାଏ ବାଏ କରିପାରନ୍ତି । ଯଦି ଏମିତି ହୁଏ, ତେବେ କିଏ ହେବ ଭାରତୀୟ କ୍ରିକେଟ୍ ଟିମର ପରବର୍ତ୍ତୀ ମୁଖ୍ୟ କୋଚ୍ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସେପଟେ ବିସିସିଆଇ ୨୦୨୪ ଟି-୨୦ ବିଶ୍ବକପକୁ ନଜରରେ ରଖି ଏନସିଏ ଚିଫ୍ ଭିଭିଏସ ଲକ୍ଷ୍ମଣଙ୍କୁ ଏହି ଦାୟିତ୍ବ ଦେଇପାରନ୍ତି । ବିସିସିଆଇ ଅଧିକାରୀ ଓ ରାହୁଲ ଦ୍ରାବିଡ଼ଙ୍କ ମଧ୍ୟରେ ମୁଖ୍ୟ କୋଚକୁ ନେଇ ବିଚାର କରାଯାଇଛି । ସୂଚନାଯୋଗ୍ୟ, ଦ୍ରାବିଡ଼ ଯେବେ କୋଚିଂରୁ ବ୍ରେକ୍ ନେଉଥିଲେ, ଲକ୍ଷ୍ମଣଙ୍କୁ ତାଙ୍କ ଭୂମିକାରେ ଦେଖିବାକୁ ମିଳୁଥିଲା । ୪୯ ବର୍ଷିୟ ଲକ୍ଷ୍ମଣ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ଖେଳୁଥିବା ଭାରତୀୟ ଦଳର ମୁଖ୍ୟ କୋଚ୍ ଅଛନ୍ତି ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ରାହୁଲ ଓ ବିସିସିଆଇ ବର୍ତ୍ତମାନର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ । ସମସ୍ତଙ୍କୁ ଲାଗୁଛି ଟି୨୦ ବିଶ୍ବକପକୁ ଆଉ ମାତ୍ର ୭ରୁ ୮ ମାସ ଥିବାରୁ ନୂଆ କୋଚ ଆସି ଟିମ ବନାଇବା ଓ ତାଙ୍କ ରଣନୀତି କାମରେ ଲଗାଇବାକୁ ସମୟ ଲାଗିବ । ଅନ୍ୟପକ୍ଷରେ ଦ୍ରାବିଡ଼ ବିଶ୍ବକପ ପର୍ଯ୍ୟନ୍ତ କୋଚ ରହିଲେ, ଏମିତି ସ୍ଥିତି ଉପୁଜିବନି ।’

ଏହି ଦୁଇ ବର୍ଷ ମୁଖ୍ୟ କୋଚ୍ ଭାବେ ଦ୍ରାବିଡ଼ ଯେଉଁ କାମ କରିଛନ୍ତି, ସେଥିରେ ବିସିସିଆଇ ସନ୍ତୁଷ୍ଟ ଅଛି । ଯଦିଓ ଭାରତ ଏହାରି ଭିତରେ କୌଣସି ଆଇସିସି ଟ୍ରଫି ଜିତିନାହିଁ, ତେବେ ଭାରତ ଭଲ ପ୍ରଦର୍ଶନ କରି ଆସିଛି । କ୍ରିକେଟର ତିନୋଟି ଫର୍ମାଟ୍ ଟେଷ୍ଟ, ଦିନିକିଆ ଓ ଟି୨୦ରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି ।

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି୨୦: ପୁଣି ରନ୍ ବର୍ଷା କରିବେ ଭାରତୀୟ ବ୍ୟାଟ୍ସମ୍ୟାନ୍ !

ଥିରୁଅନନ୍ତପୁରମ୍: ଭାରତ ଓ ଆଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ଆଜି ଦ୍ବିତୀୟ ମ୍ୟାଚ୍ । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ଦୁଇ ଓ୍ବେକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୧-୦ରେ ସିରିଜ ଆଗୁଆ ରହିଛି । ଏହି ମ୍ୟାଚ ଜିତି ୨-୦ରେ ସିରିଜ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ । ସନ୍ଧ୍ୟା ୭ଟାରେ ଥିରୁଅନନ୍ତପୁରମ୍ ଗ୍ରୀନଫିଲ୍ଡ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ କରିବେ ରନ୍ ବର୍ଷା !

ପ୍ରଥମ ମ୍ୟାଚରେ ରନ୍ ବର୍ଷା ହୋଇଥିଲା । ଖାସ କରି ଭାରତୀୟ ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର, ଇଶାନ କିସାନ, ରିଙ୍କୁ ସିଂ ଏବଂ ୟଶସ୍ବୀ ଜାୟସଓ୍ବାଲ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଆଜିର ମ୍ୟାଚରେ ବି ଏହି ଚାରି ଖେଳାଳିଙ୍କ ଭଲ ପ୍ରଦର୍ଶନ ଚାହିଁବ ଦଳ । ପ୍ରଥମ ମ୍ୟାଚରେ ରନ ଆଉଟ ହୋଇଥିବା ଋତୁରାଜ ଗାୟକଓ୍ବାଡ ଏବଂ ତିଲକ ବର୍ମା ଭଲ ଖେଳିବାକୁ ଚେଷ୍ଟା କରିବେ । ଆଜିର ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି ଅନୁମାନ କରାଯାଉଛି ।

ଓ୍ବାସିଂଟନ ସୁନ୍ଦରଙ୍କୁ ମିଳିବ କି ସୁଯୋଗ ?

ରବି ବିଷ୍ଣୋଇ ଏବଂ ଅକ୍ଷର ପଟେଲ ପ୍ରଥମ ମ୍ୟାଚରେ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଏମିତି ସ୍ଥିତିରେ ଭାରତ ସ୍ପିନ ବୋଲିଂ ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦରଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ଦେଇପାରେ । ଏହାସହ ଭାରତ ପାଖରେ ଆଓ୍ବେଶ ଖାନ, ଜିତେଶ ଶର୍ମା ଏବଂ ଶିବମ୍ ଦୁବେ ବି ବିକଳ୍ପ ଅଛନ୍ତି । ହେଲେ ଗୋଟିଏ ମ୍ୟାଚ ପରେ ପ୍ଲେଇଂ-୧୧ରେ ଅଦଳବଦଳ କରିବା ଠିକ ହେବନି ।

ଦୁର୍ଘଟଣାଗସ୍ତ ଗାଡ଼ିରୁ ଆହତଙ୍କୁ ବାହାର କରି ଜୀବନ ବଞ୍ଚାଇଲେ ସାମି

ନେନିତାଲ: କ୍ରିକେଟ ଫିଲ୍ଡରେ ପ୍ରତିପକ୍ଷ ଟିମ ପାଇଁ କାଳ ମହମ୍ମଦ ସାମିଙ୍କ ମହାନତା । ଦୁର୍ଘଟଣାଗସ୍ତ ଗାଡ଼ିରୁ ଉଦ୍ଧାର କରି ବଞ୍ଚାଇଲେ ଜଣଙ୍କ ଜୀବନ । ଏହାର ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, କାହାର ଜୀବନ ବଞ୍ଚାଇ ବହୁତ ଖୁସି ଲାଗୁଛି ।

ଆଗକୁ ସେ ଲେଖିଛନ୍ତି, ସେ ବହୁତ ଭାଗ୍ୟବାନ, ଭଗବାନ ତାଙ୍କୁ ଦ୍ବିତୀୟ ଜୀବନ ଦେଇଛନ୍ତି । ତାଙ୍କ କାର, ମୋ ଗାଡ଼ି ଆଗରେ ନେନିତାଳ ପାଖ ପାହାଡ଼ି ରାସ୍ତାରେ ତଳକୁ ଖସି ପଡ଼ିଲା । ଆମେ ତାଙ୍କୁ ସୁରକ୍ଷିତ ବାହାରକୁ ଆଣିଥିଲୁ ।

ଆହତଙ୍କ ହାତରେ ପଟ୍ଟି ବାନ୍ଧିଲେ

ଡିଭିଓରେ ଦେଖିବାକୁ ମିଳୁଛି, ସାମି ଆହତ ବ୍ୟକ୍ତିଙ୍କ ହାତରେ ପଟ୍ଟି ବାନ୍ଧୁଛନ୍ତି । ସାମି ଧଳା ଡ୍ରେସ ସହ ଲାଲ ରଙ୍ଗର ଏକ ଟୋପି ପିନ୍ଧିଛନ୍ତି । ସେଠାରେ ବହୁତ ଲୋକ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । କାରଟି ଏକ ଗଛରେ ପିଟି ହୋଇଛି ।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ବକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ପାଖରୁ ପରାସ୍ତ ହୋଇଥିଲା । ହେଲେ ବିଶ୍ବକପରେ ସାମିଙ୍କ ଦବଦବା ଦେଖିବାକୁ ମିଳିଥିଲା । ପ୍ରଥମ ୪ଟି ମ୍ୟାଚ୍ ଖେଳି ନଥିଲେ ବି ସାମି ବିଶ୍ବକପରେ ସର୍ବାଧିକ ଓ୍ବେକେଟ ହାସଲ କରିଥିଲେ । ତାଙ୍କ ଅଗ୍ନିବର୍ଷା ବୋଲିଂ ପ୍ରତିପକ୍ଷ ଦଳଙ୍କୁ ଧରାଶାୟୀ କରିଦେଇଥିଲା ।

୧୦ ଆତଙ୍କବାଦୀ, ୬୦ ଘଣ୍ଟାର ଆତଙ୍କ: ଆଖିବୁଜା ଗୁଳିମାଡ଼, ୨୬/୧୧ରେ ଯେବେ ଦୋହଲି ଯାଇଥିଲା ମାୟାନଗରୀ ମୁମ୍ବାଇ

ମୁମ୍ବାଇ: ୨୦୦୮ ନଭେମ୍ବର ୨୬ । ଭାରତ ଇତିହାସର ଏମିତି ଏକ ତାରିଖ । ନା ଭୁଲି ହେବ, ନା ଭୁଲିବାକୁ ଚାହିଁବେ କୌଣସି ଭାରତୀୟ । ନଭେମ୍ବର ୨୬ ଆସିଲେ ପୁଣି ତାଜା ହୋଇଯାଏ, ପାକିସ୍ତାନୀ ଆତଙ୍କବାଦୀ କେମିତି ଭାରତୀୟଙ୍କ ରକ୍ତରେ ଖେଳିଥିଲେ ମୃତ୍ୟୁର ଖେଳ । ୧୫ ବର୍ଷ ପୂର୍ବେ ଆଜିର ଦିନରେ ଭାରତ ଦେଖିଥିଲା ଆତଙ୍କବାଦୀଙ୍କ କ୍ରୁରତା ।

ସମୁଦ୍ର ପଥରେ ପଶିଥିଲେ ନର ରାକ୍ଷସ

ପାକିସ୍ତାନରେ ପ୍ରଶିକ୍ଷଣ ନେଇ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଲଶ୍କର-ଏ-ତୋଏବାର ୧୦ ଆତଙ୍କବାଦୀ ଏକ ଡଙ୍ଗାରେ ସମୁଦ୍ର ରାସ୍ତାରେ ମୁମ୍ବାଇରେ କରିଥିଲେ ପ୍ରବେଶ । ଆଉ ଏକାଧିକ ସ୍ଥାନରେ ଆତଙ୍କ ମଚାଇବା ସହ ରକ୍ତର ହୋଲି ଖେଳିଥିଲେ । ଏମାନଙ୍କ ଟାର୍ଗେଟରେ ଥିଲା ଜନଗହଳି ପୂର୍ଣ୍ଣ ସ୍ଥାନ ଓ ପ୍ରତିଷ୍ଠାତ ବିଲ୍ଡିଂ । ସେମାନଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣରେ ସେମାନଙ୍କୁ ନିପତ କରିବାକୁ ଭାରତୀୟ ସେନାକୁ ଲାଗିଥିଲା ୪ ଦିନ ।

୨୬/୧୧ ରାତିରେ ମୁମ୍ବାଇରେ ହୋଇଥିଲା କ’ଣ ?

ଏହି ଆକ୍ରମଣରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଶହରୁ ଅଧିକ ଲୋକ ଆହତ ହୋଇଥିଲେ । ୨୦୦୮ ନଭେମ୍ବର ୨୬ ରାତି ସବୁଦିନ ପରି ମୁମ୍ବାଇ ଥିଲା ସାମାନ୍ୟ । ହଠାତ ପୂରା ସହରରେ ଧାଁଦୌଡ଼ ଓ ଭୟର ବାତାବରଣ ଖେଳିଗଲା । ଆରମ୍ଭରୁ କେହି ଜାଣି ପାରିନଥିଲେ ମୁମ୍ବାଇରେ ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇସାରିଛି । ରାତି ୧୦ଟାରେ ଖବର ଆସିଲା ବୋରିବନ୍ଦରରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ ଘଟି ଡ୍ରାଇଭର ଓ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଏହାର ୨୦ ମିନିଟ ପରେ ଭିଲେ ପାରଲେ ଅଞ୍ଚଳରେ ଆଉ ଏକ ଟ୍ୟାକ୍ସିକୁ ବିସ୍ଫୋରଣରେ ଉଡ଼ାଇ ଦିଆଯିବାର ଖବର ଆସିଥିଲା । ଯେଉଁଥିରେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁଇ ଆକ୍ରମଣରେ ପ୍ରାୟ ୧୫ ଜଣ ଆହତ ହୋଇଥିଲେ । ପରେ ମୁମ୍ବାଇର ଏକାଧିକ ସ୍ଥାନରେ ଗୁଳିମାଡ଼ର ଖବର ଆସିଥିଲା । ଏହାପରେ ଯାଇ ମୁମ୍ବାଇ ପୋଲିସ ଓ ଇଣ୍ଟେଲିଜେନ୍ସ ଜାଣିବାକୁ ପାଇଥିଲା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି ।

ଆତଙ୍କବାଦୀମାନେ ମୁମ୍ବାଇର ଦୁଇ ପଞ୍ଚ ତାରକା ହୋଟେଲ ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଛତ୍ରପତି ଶିବାଜୀ ଟର୍ମିନସ୍, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହୋଇଥିଲା ଆକ୍ରମଣ ।

ତାଜ ଓ ଓବରଏରେ ପଶିଲେ ଆତଙ୍କବାଦୀ

ଆତଙ୍କବାଦୀ ହୋଟେଲରେ ପଶିବା ବେଳକୁ ତାଜରେ ୪୫୦ ଓ ଓବରଏରେ ୩୮୦ ଲୋକ ଥିଲେ । ତାଜ ହୋଟେଲର ଗମ୍ବୁଜରୁ ବାହାରୁଥିବା ଧୁଆଁ ଆତଙ୍କବାଦୀ ଆକ୍ରମଣର ଏକ ସିମ୍ବଲ ବନିଗଲା । ଲିଓପାର୍ଡ କାଫେରେ ଆତଙ୍କବାଦୀ ଅନ୍ଧାଧୁନ ଗୁଳି ଚଲାଇଥିଲେ । ଯେଉଁଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ୧୮୮୭ରେ ପ୍ରତିଷ୍ଠିତ ଏହି କାଫେର ଅଧିକାଂଶ ଅତିଥି ବିଦେଶୀ ହୋଇଥାନ୍ତି । ସିଏସଏମଟି ଷ୍ଟେସନ ଗୁଳି ମାଡ଼ରେ ଅଜମଲ ଆମିର କସାବ ଓ ଇସ୍ମାଇଲ ଖାନ୍ ସମ୍ପୃକ୍ତ ଥିଲେ ଓ ଏମାନେ ୫୮ ଜଣଙ୍କୁ ହତ୍ୟା କରିଥିଲେ ।

ଏହା ଭିତରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଖବର ସାରା ଦେଶ ଜାଣି ସାରିଥିଲା । ପୋଲିସ ଓ ଇଣ୍ଟେଲିଜେନ୍ସ ସେମାନଙ୍କ କାମ ଆରମ୍ଭ କରି ଦେଇଥିଲେ । ଏହାରି ଭିତରେ ୪ ଜଣ ଆତଙ୍କବାଦୀ ଏକ ପୋଲିସ ଭ୍ୟାନରେ କାମା ହସ୍ପିଟାଲରେ ପଶି ଯାଇଥିଲେ । ହସ୍ପିଟାଲ ବାହାରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ ମୁମ୍ବାଇ ଏଟିଏସ ଚିଫ ହେମନ୍ତ କରକରେ, ମୁମ୍ବାଇ ପୋଲିସର ଅଶୋକ କାମଟେ ଏବଂ ବିଜୟ ସାଲସକର ସହିଦ ହୋଇଥିଲେ । ଏହି ରାତିରେ ଏକ ସ୍କୋଡ଼ା କାରରେ ଖସି ପଳାଉଥିବା ବେଳେ ସବ ଇନ୍ସପେକ୍ଟର ତୁକାରାମ ଓମ୍ବେଲ କସବକୁ ଜୀବନ୍ତ ଧରିଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀକୁ ମାରି ଦିଆଯାଇଥିଲା । ହେଲେ ଧଡ଼ପକଡ଼ ବେଳେ କସବ ଗୁଳିରେ ତୁକାରାମଙ୍କ ମୃତ୍ୟୁ ଘଟିଥିଲା ।

୪ ଦିନର ଅପରେସନ୍

ସବୁଠାରୁ ଅଧିକ ଜଟିଳ ଥିଲା ତାଜ ଓ ଓବରଏରେ ଆତଙ୍କବାଦୀ ବନ୍ଧକ କରି ରଖିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା । ଏଥିପାଇଁ ଏନଏସଜି କମାଣ୍ଡୋମାନେ ମୋର୍ଚ୍ଚା ସମ୍ଭାଳି ଥିଲେ । ଓବରଏରେ ଏନଏସଜି ଦୁଇ ଆତଙ୍କବାଦୀଙ୍କୁ ମାରି ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଉଦ୍ଧାର କରି ନେଇଥିଲେ । ହେଲେ ତାଜରେ ଅପରେସନ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିଲା । ତାଜରେ ୪ ଜଣ ଆତଙ୍କବାଦୀ ଥିଲେ ଓ ଏମାନେ ୩୧ ଲୋକଙ୍କୁ ଗୁଳି ମାରି ସାରିଥିଲେ । ହୋଟେଲର ଏକ ସ୍ଥାନରେ ବହୁ ଅତିଥିଙ୍କୁ ବନ୍ଧକ କରି ରଖିଥିଲେ । ଏହି ଅପରେସନରେ ମେଜର ସନ୍ଦୀପ ଉନ୍ନକ୍ରିଷ୍ଣନ୍ ସହିଦ ହୋଇଥିଲେ । ୨୯ ନଭେମ୍ବର ସକାଳ ସୁଦ୍ଧା ଏନଏସଜି ସମସ୍ତ ୪ ଆତଙ୍କବାଦୀଙ୍କୁ ମାରିବାକୁ ସକ୍ଷମ ହୋଇଥିଲେ ।

ଏବେ ବି ବଞ୍ଚିଛନ୍ତି ମାଷ୍ଟର ମାଇଣ୍ଡ

ଏହି ଆକ୍ରମଣରେ ସମସ୍ତ ୯ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ କସବକୁ ଜୀବନ୍ତ ଧରାଯାଇଥିଲା । ଏହାପରେ କସବ ବିରୋଧରେ ମାମଲା ଚାଲିଲା ଓ କୋର୍ଟ ତାକୁ ଫସି ଦଣ୍ଡାଦେଶ ଶୁଣାଇଲେ । ୨୦୧୨ ନଭାମ୍ବର ୨୧ ତାରିଖରେ ପୁଣେର ୟେରଓ୍ବାଡା ଜେଲରେ ସକାଳ ସାଢ଼େ ୭ଟାରେ କସବକୁ ଫାସି ଦିଆଯାଇଥିଲା । ହେଲେ ଏହି ଆକ୍ରମଣରେ କେବଳ ଏହି ୧୦ ଆତଙ୍କବାଦୀ ସମ୍ପୃକ୍ତ ନଥିଲେ । ଏମାନଙ୍କ ରିଙ୍ଗ ମାଷ୍ଟର ପାକିସ୍ତାନରେ ବସିଥିଲେ । ହାଫିଜ ସଇଦ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା । ଜେବୁଦ୍ଧିନ ଅନସାରୀ ଓରଫ ଅବୁ ଜୁନ୍ଦାଲ ପାକିସ୍ତାନରେ ବସି ମୁମ୍ବାଇ ଆସିଥିବା ୧୦ ଆତଙ୍କବାଦୀଙ୍କୁ କମାଣ୍ଡ ଦେଉଥିଲା । ତହବ୍ବୁର ରାଣା ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଥିଲା । ଏମାନେ ଏବେ ବି ଜୀବିତ ଅଛନ୍ତି । ରାଣା ଏବେ ଆମେରିକା ଜେଳରେ ବନ୍ଦ ଥିବା ବେଳେ ଭାରତକୁ ହସ୍ତାନ୍ତର କରାଯିବାକୁ ପ୍ରକ୍ରିୟା ଚାଲିଛି ।

ବାବା ଧବଳେଶ୍ବରଙ୍କୁ ଲାଗି ହେଲା ଗଜ ଭୋଗ

ଆଠଗଡ଼: ବାବା ଧବଳେଶ୍ବରଙ୍କ ପୀଠରେ ଚାଲିଛି ପଞ୍ଚୁକ ବ୍ରତ । ବାବାଙ୍କ ପାଖରେ ଲାଗି ହୋଇଛି ପ୍ରସିଦ୍ଧ ଗଜ ଭୋଗ । ରାତି ଗୋଟାଏରୁ ନୀତିକାନ୍ତି ଆରମ୍ଭ ହୋଇ ମଙ୍ଗଳ ଆଳତୀ କରାଯାଇଥିଲା । ପରେ ୧୦୮ ସୁବାସିତ ଜଳ ଆଣି ସ୍ନାନ କରାଯାଇ ଖେଚୁଡି ଭୋଗ ଓ ଘର୍ଷଣ ପରେ ମହାସ୍ନାନ କରାଯାଇ ବଡସିଂହାର ବେଶରେ ସୁସଜ୍ଜିତ କରାଯାଇଥିଲା । ଏହାପରେ ଗଜଭୋଗ ଲାଗି କରା ଯାଇଥିଲା। ପୂଜକଙ୍କ ପରିବାର ପକ୍ଷରୁ ଚାଉଳ, ମୁଗ, ଗୁଡ, ନଡିଆ ସହ ବିଭିନ୍ନ ଦ୍ରବ୍ୟର ମିଶ୍ରଣର ଏହି ଗଜଭୋଗ ପ୍ରସ୍ତୁତି କରାଯାଇଥାଏ । ଏହି ଗଜ ଭୋଗକୁ ପାଇବା ପାଇଁ ଭକ୍ତ ବର୍ଷ ତମାମ ଅପେକ୍ଷା କରି ରହିଥାଏ ।

ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ: ଆଜି ପଞ୍ଚୁକର କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀ । ଏହାକୁ ମହାକାର୍ତ୍ତିକ ମାସର ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି ମଧ୍ୟ କୁହାଯାଏ । ଏହି ଅବସରରେ ଶ୍ରୀବିଗ୍ରହଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯିବ । ଶ୍ରୀମନ୍ଦିର ଦ୍ୱାର ଫିଟା ପରେ ବିଭିନ୍ନ ନୀତିକାନ୍ତି ବଢ଼ି ଶ୍ରୀଜୀଉମାନଙ୍କ ଅବକାଶ ନୀତି ପରେ ଆଣମ୍ଭ ହେବ ଲକ୍ଷ୍ମୀନୃସିଂହ ବେଶ ।

ବିଭିନ୍ନ ପ୍ରକାରର ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉମାନେ ବିଭୂଷିତ ହୋଇ ରତ୍ନସିଂହାସନରେ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ତେଣୁ ଏହାକୁ ଡାଳିକିଆ ବେଶ କୁହାଯାଏ ।

ସେପଟେ ପଞ୍ଚୁକକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ବିଭିନ୍ନ ଅଞ୍ଚଳରୁ ଛୁଟି ଆସିଛନ୍ତି ହଜାର ହଜାର ହବିଷ୍ୟାଳି । ହବିଷ୍ୟାଳିଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି ।

୨୬/୧୧ ମୁମ୍ବାଇ ଆକ୍ରମଣ: ମନେ ପଡ଼ିଲେ ଆଜି ବି ଶିହରୀ ଉଠେ ଛାତି

ଭୁବନେଶ୍ବର: ୨୬/୧୧ ଟେରର ଆଟାକ୍ । ୧୫ ବର୍ଷ ତଳେ ଆଜିର ଦିନରେ ମୁମ୍ବାଇରେ ଆତଙ୍କବାଦୀ ରଚିଥିଲେ ତାଣ୍ଡବ । ମୁମ୍ବାଇର ଛାତି ଥରାଇ ଦେଇଥିଲେ ୧୦ ଆତଙ୍କବାଦୀ । ସମୁଦ୍ର ପଥ ଦେଇ ପାକିସ୍ତାନରୁ ପଶି ଆସିଥିଲେ ଲସ୍କର-ଏ-ତୋଏବାର ଏହି ସଦସ୍ୟ । ନଭେମ୍ବର ୨୬ରୁ ୨୯ ମଧ୍ୟରେ ମୁମ୍ବାଇର ୧୨ଟି ଜାଗାରେ ବମିଂ ଓ ଗୁଳିମାଡ଼ ହୋଇଥିଲା । ଶତ୍ରୁଦେଶର ଯୋଜନା ସମ୍ପର୍କରେ ସାମାନ୍ୟ ସୁରାକ ପାଇପାରି ନଥିଲା ଭାରତୀୟ ଗୁଇନ୍ଦା ।

୪ ଦିନ ଧରି ରକ୍ତର ଖେଳ, ଗୁଳିଗୋଳା ମାଡ, ବୋମା ବିସ୍ଫୋରଣରେ ଥରି ଉଠିଥିଲା ମାୟାନଗରୀ । ସାଉଥ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍, ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହୋଇଥିଲା ଆକ୍ରମଣ । ମୁମ୍ବାଇ ପୋର୍ଟ ଏରିଆରେ ଓ ଭାଇଲ ପାରଲେଠାରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ ।

ଏହି ଆକ୍ରମଣରେ ପ୍ରାୟ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୩ ଶହରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ୯ ଆତଙ୍କବାଦୀ ବି ନିହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୨୧ ବର୍ଷୀୟ ପାକିସ୍ତାନୀ ଆତଙ୍କବାଦୀ ଅଜମଲ ଅମୀର କସବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଟେରର ଆଟାକ ବେଳେ ୮୦ ଲୋକଙ୍କୁ କସାବ ହତ୍ୟା କରିଥିବା ପ୍ରମାଣିତ ହେବା ପରେ ତାକୁ ଫାଶି ଦଣ୍ଡ ଶୁଣାଇଥିଲେ ବମ୍ବେ ହାଇକୋର୍ଟ । ୨୧ ନଭେମ୍ବର ୨୦୧୨ରେ କସାବକୁ ୟେରଓ୍ବାଡା ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା ।

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ପୁଣି ଏକ ବାତ୍ୟା, କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏହା ନେଇପାରେ ବାତ୍ୟାର ରୂପ । ଯଦି ଲଘୁଚାପଟି ବାତ୍ୟାର ରୂପ ନିଏ ତେବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ତାକୁ ନେଇ ବିଭିନ୍ନ ମଡେଲ ଆକଳନ କରିବା ଆରମ୍ଭ କରିଛନ୍ତି ।

କିଛି ମଡେଲ ବାତ୍ୟାଟି ବାଂଲାଦେଶରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରୁଥିବା ବେଳେ କିଛି ମଡେଲ ଆନ୍ଧ୍ର ଉପକୂଳ ଆଡକୁ ଇଙ୍ଗିତ କରୁଛି । ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସ ବାତ୍ୟାର ଲ୍ୟାଣ୍ଡଫଲ ନେଇ ଆକଳନ କରି ନଥିଲେ ମଧ୍ୟ ବାତ୍ୟାର ପ୍ରଭାବ ଭାରତ କିମ୍ବା ବାଂଲାଦେଶରେ ପଡ଼ିପାରେ  ବୋଲି ଆକଳନ କରିଛନ୍ତି ।

ବାତ୍ୟା ନେଇ ଆଇଏମଡି ପକ୍ଷରୁ କୌଣସି ଆକଳନ କରାଯାଇ ନଥିବା ବେଳେ କେବଳ ଅବପାତ ହେବ ବୋଲି ସୂଚନା ଦିଆଯାଇଛି । ଆଜି ସୁଦ୍ଧା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପ ରୂପ ନେବ । ଦକ୍ଷିଣ ଆଣ୍ଡାମାନ୍ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରେ ଲଘୁଚାପଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୯ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ତେବେ ଅବପାତ ପ୍ରଭାବରେ କେଉଁଠି ବର୍ଷା ହେବ ସେ ନେଇ କୌଣସି ଆକଳନ ହୋଇନି । ଲଘୁଚାପ ସୃଷ୍ଟି ହେବାପରେ ତା’ର ଗତି କେଉଁଆଡେ ରହୁଛି ଓ କେଉଁ ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ ସେ ନେଇ ସ୍ପଷ୍ଟ ସୂଚନା ମିଳିବ ।

କେରଳରେ ମ୍ୟୁଜିକ୍ କନସର୍ଟ ବେଳେ ଦଳାଚକଟା, ୪ ଛାତ୍ରଙ୍କ ମୃତ୍ୟୁ

କୋଚି: କେରଳର କୋଚିରେ ବଡ଼ ଧରଣର ଅଘଟଣ । କୋଚିନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଆୟୋଜିତ ମ୍ୟୁଜିକ୍ କନସର୍ଟରେ ଦଳାଚକଟା । ଦଳାଚକଟାରେ ୪ ଛାତ୍ରଙ୍କ ମୃତ୍ୟୁ । ଏକାଧିକ ଛାତ୍ରଛାତ୍ରୀ ଆହତ ।

ଘଟଣା ସମ୍ପର୍କରେ ସୂଚନା ଦେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ନିଖିତା ଗାନ୍ଧୀଙ୍କ ସଂଗୀତ ସମାରୋହ ସମୟରେ ଏହି ଅଘଟଣ ଘଟିଛି । ବିଶ୍ୱବିଦ୍ୟାଳୟ ପରିସରରେ ଖୋଲା ଆକାଶ ଅଡିଟୋରିୟମରେ ସଂଗୀତ କନସର୍ଟ ଆୟୋଜିତ ହୋଇଥିଲା । ଆହତଙ୍କ ଚିକିତ୍ସା ପାଇଁ କଲାମାସେରି ମେଡିକାଲ କଲେଜରେ ବ୍ୟବସ୍ଥା କରାଯାଇଛି । ନିଖିତା ଗାନ୍ଧୀଙ୍କ ସଂଗୀତ ସମାରୋହ ଚାଲିଥିବା ବେଳେ ଯେଉଁ ଛାତ୍ରମାନେ ପଛରେ ଛିଡ଼ା ହୋଇ ମ୍ୟୁଜିକ ଶୁଣୁଥିଲେ ହଠାତ୍ ବର୍ଷା ହେବାରୁ ସେମାନେ ସବୁ ଷ୍ଟେଜ୍ ଫ୍ରଣ୍ଟକୁ ଦଉଡିବାକୁ ଲାଗିଲେ । ଏଥିପାଇଁ ଦଳଚକଟା ହୋଇଥିବା ସୂଚନା ମିଳିଛି ।