spot_img
Home Blog Page 2200

ଜାଲ ସାର୍ଟିଫିକେଟରେ ଚାକିରି କରିଥିବା ୪ ନକଲି ଶିକ୍ଷକ ଗିରଫ

ରାୟଗଡ଼ା: ଧରାପଡିଲେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବା ୪ ନକଲି ଶିକ୍ଷକ । ସମସ୍ତ ଶିକ୍ଷକ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅଞ୍ଚଳର । ଏନେଇ ଥାନାରେ ଦିଆଯାଇଛି ଏତଲା ।

ସୂଚନାଯୋଗ୍ୟ, ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ୪ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪ ନକଲି ଶିକ୍ଷକ ହେଲେ କାଶୀପୁର ବ୍ଲକ ବାହାରପଦା ସ୍କୁଲର ଲୋକନାଥ ମହାପାତ୍ର, ପାଇକସୁପେଲ ସ୍କୁଲର ରଘୁନାଥ ବିଡ଼ିକା, ଡୁମୁରିଯୋଡ଼ି ସ୍କୁଲର ଶମ୍ଭୁ କହଁର ଏବଂ ଗୁମୁଡ଼ିମାଣ୍ଡି ସ୍କୁଲର ପାଞ୍ଜିବ ମାଝି । କାଶୀପୁର ଥାନାରେ ଲୋକନାଥ ମହାପାତ୍ର ଏବଂ ରଘୁନାଥ ବିଡ଼ିକାଙ୍କ ନାମରେ ଏତଲା ଦିଆଯାଇଥିବା ବେଳେ ଶମ୍ଭୁ ଓ ପାଞ୍ଜିବଙ୍କ ନାମରେ ଟିକିରି ଥାନାରେ ଏତଲା ଦିଆଯାଇଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଦୀପ୍ତିମୟୀ ସିଂ ସୂଚନା ଦେଇଛନ୍ତି । ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ହାଉଥି ସାମରିକ ସ୍ଥଳ ଉପରେ ଆମେରିକା ଓ ବ୍ରିଟେନର ଏୟାର ଷ୍ଟ୍ରାଇକ୍

ୟେମେନ: ବଢ଼ିଲା ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା । ୟେମେନର ହାଉଥି ମୁଭମେଣ୍ଟର ବିଭିନ୍ନ ସାମରିକ ସ୍ଥଳୀ ଉପରେ ଆମେରିକା ଓ ବ୍ରିଟେନର ବଡ଼ ଧରଣର ଏୟାରଷ୍ଟ୍ରାଇକ । ବିମାନ, ଜାହାଜ ଓ ବୁଡାଜାହାଜରୁ ହୋଇଛି ଆକ୍ରମଣ । ହାଉଥି ସଂଗଠନ ସମ୍ପର୍କିତ ୧୨ରୁ ଅଧିକ ସାମରିକ ସ୍ଥଳ ଉପରେ ଆମେରିକା ଓ ବ୍ରିଟେନ କରିଛନ୍ତି ଚଢ଼ାଉ ।

ଲୋହିତ ସାଗରରେ ଆନ୍ତର୍ଜାତିକ ଜାହାଜ ଚଳାଚଳ ଉପରେ ଇରାନ ସମର୍ଥିତ ହାଉଥି ସଂଗଠନର ଆକ୍ରମଣ ପରେ ଉତକ୍ଷିପ୍ତ ହୋଇଛନ୍ତି ଦୁଇ ସୁପରପାଓ୍ବାର ଆମେରିକା ଓ ବ୍ରିଟେନ । ଆବଶ୍ୟକ ସ୍ଥଳେ ଅଧିକ ଆକ୍ରମଣ କରିବା ଲାଗି ଆମେରିକା ପଛାଇବ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ଓ ବ୍ରିଟେନର ହମଲା ପରେ ୟେମନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଆମେରିକା ଓ ମିତ୍ରରାଷ୍ଟ୍ର ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ଏବଂ ନୌଚଳାଚଳ କ୍ଷେତ୍ରରେ ସ୍ବାଧୀନତା ଲାଗି ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ବାଇଡେନ ।

ଲୋହିତ ସାଗରରେ ବାରମ୍ବାର ହାଉଥି ସଂଗଠନ ଆକ୍ରମଣ ଜାରି ରଖିଥିବାରୁ ଏହି ହମଲା କରାଗଲା ବୋଲି କହିଛି ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ । ୟେମେନ ରାଜଧାନୀ ସାନା, ଧାମର, ହୋଦିଦା ଆଦି ସହରରେ ଏୟାର ଷ୍ଟ୍ରାଇକ ହୋଇଥିବା କହିଛି ହାଉଥି ସଂଗଠନ ।

ଗତବର୍ଷ ଅକ୍ଟୋବରରେ ହମାସ ଓ ଇସ୍ରାଏଲ ମଧ୍ଯରେ ଯୁଦ୍ଧ ପରଠାରୁ ମଧ୍ଯପ୍ରାଚ୍ୟରେ ଅଶାନ୍ତି ବାତାବରଣ ଲାଗି ରହିଛି । ୟେମେନର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ହାଉଥି ସଂଗଠନ ହାତରେ ରହିଛି । ଲୋହିତ ସାଗରର ବିଭିନ୍ନ ଜାହାଜ ଚଳାଚଳ ପଥରେ ମିସାଇଲ ଓ ଡ୍ରୋନ ଆକ୍ରମଣ ନ କରିବା ଲାଗି ଜାତିସଂଘ ଓ ଅନ୍ଯାନ୍ୟ ଆନ୍ତର୍ଜାତିକ ସଂଗଠନର ଚେତାବନୀ ସତ୍ତ୍ବେ ଏହାକୁ ଅବମାନନା କରିଆସିଛି ହାଉଥି ସଂଗଠନ । ହାଉଥି କହିଛି ଲୋହିତ ସାଗରରେ କରାଯାଉଥିବା ଆକ୍ରମଣ ହମାସକୁ ସମର୍ଥନ ଲାଗି ଉଦ୍ଦିଷ୍ଟ । ବର୍ତ୍ତମାନ ସୁଦ୍ଧା ଲୋହିତ ସାଗରରେ ହାଉଥି ସଂଗଠନ ୨୭ରୁ ଅଧିକ ଜାହାଜ ଉପରେ ଆକ୍ରମଣ କରିଛି ।

ଅତୀତରେ ଘଟିଥିବା ଗୃହଯୁଦ୍ଧ ପରଠାରୁ ୟେମେନର ଅଧିକାଂଶ ଅଞ୍ଚଳ ହାଉଥି ସଂଗଠନ କବଜାରେ ରହିଛି । ଲୋହିତ ସାଗରରେ ସୁରକ୍ଷା ଲାଗି ଗତ ଡିସେମ୍ବରରେ ଆମେରିକା ନେତୃତ୍ବାଧୀନ ଅପରେସନ ପ୍ରସପରିଟି ଗାର୍ଡିଆନରେ ୨୦ରୁ ଅଧିକ ରାଷ୍ଟ୍ର ସାମିଲ ହୋଇଥିଲେ ।

ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

ଟିଟିଲାଗଡ଼: ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ । ମନ୍ତ୍ରୀଙ୍କ ଗାଡିକୁ ପିଟିଲା ପିକଅପ୍ ଭ୍ୟାନ । ଦୁର୍ଘଟଣାରେ ମନ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଗାଡିର ବ୍ୟାପକ କ୍ଷତି ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ମନ୍ତ୍ରୀ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ ରେଳ ବିଭାଗରେ ନିୟୋଜିତ ଅଛି । ତେବେ ପିକଅପ୍ ଭ୍ୟାନ ଡ୍ରାଇଭର ପ୍ରବଳ ମଦ୍ୟପାନ କରି ଗାଡି ଚଲାଉଥିବା ବେଳେ ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ସଇଁତଳା ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।

ବିଜେପି କର୍ପୋରେଟରଙ୍କ ଗୁଣ୍ଡାଗର୍ଦ୍ଦି: କାର୍ଯ୍ୟରତ ମହିଳା ଏଏସଆଇଙ୍କୁ ଆକ୍ରମଣ ଅଭିଯୋଗରେ ଅଟକ

ଭୁବନେଶ୍ବର: ପୁଣି ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି । ରାଜଧାନୀରେ କାର୍ଯ୍ୟରତ ମହିଳା ଏଏସଆଇଙ୍କୁ ଆକ୍ରମଣ ଅଭିଯୋଗ । ମଞ୍ଚେଶ୍ବର ଥାନାରେ ଅଭିଯୁକ୍ତ ବିଜେପି କର୍ପୋରେଟର ଜୀବନ ରାଉତ ଅଟକ ।

ଅଭିଯୋଗ ଅନୁସାରେ ୨୯ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର ଜୀବନ ମଞ୍ଚେଶ୍ବର ଥାନାର ମହିଳା ଏଏସଆଇ ଅଞ୍ଜନା ବରାଳଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ସହ ଆୁ ଜଣେ କର୍ପୋରେଟର ଆକ୍ରମଣରେ ସାମିଲ ଥିଲେ । ଜୀବନଙ୍କୁ ପୋଲିସ ମଞ୍ଚେଶ୍ବର ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଚନ୍ତି ।

ମଞ୍ଚେଶ୍ବର ଅଞ୍ଚଳରେ ଏକ ରାସ୍ତା କାମକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଜୀବନଙ୍କ ବିରୋଧରେ ପୂର୍ବରୁ ସହିଦନଗର ଥାନାରେ ରହିଛି ସଙ୍ଗୀନ ମାମଲା । ତେବେ କାହା ଛତ୍ରଛାୟାରେ ଗୁଣ୍ଡାଗର୍ଦ୍ଦି ଚଳାଇଛନ୍ତି ବିଜେପି କର୍ପୋରେଟର ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପି ନେତା ଜନତାଙ୍କ ସେବା ଛାଡି ଅସନ୍ତୋଷ ସୃଷ୍ଟି କରୁଥିବା ବେଳେ ପୋଲିସକୁ ବି ଆକ୍ରମଣ କରିବାକୁ ପଛାଉ ନାହାନ୍ତି ।

ସୂଚନାଯୋଗ୍ୟ, ବିଜେପିର ବଡ଼ବଡ଼ ନେତାଙ୍କ ସହ ଜୀବନଙ୍କ ଘନିଷ୍ଠ ସମ୍ପର୍କ ରହିଛି । ଏପରକି ସେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଖାସ୍ ଭାବେ ଜଣାଶୁଣା । ଦଳର ବରିଷ୍ଠ ନେତାଙ୍କ ଅଭୟ ହାତ ତାଙ୍କ ମୁଣ୍ଡରେ ଥିବା ଚର୍ଚ୍ଚା ହେଉଛି ।

ପରିକ୍ରମା ଲୋକାର୍ପଣ, ଆଜିଠୁ ପ୍ରକ୍ରିୟା ଆରମ୍ଭ

ପୁରୀ: ଆଜିଠୁ ଆରମ୍ଭ ହେଉଛି ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ପ୍ରକ୍ରିୟା । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାରା ରାଜ୍ୟରୁ ଆସୁଛି ଅର୍ପଣ । ଗାଁରୁ ଗାଁ ବୁଲି ଘରୁ ଘରୁ ଭକ୍ତଙ୍କ ଅର୍ଘ୍ୟ ସଂଗ୍ରହ କରୁଛି ଜଗନ୍ନାଥ ରଥ । ଗାଁରୁ ସହର, ସାରା ରାଜ୍ୟରେ ଏବେ ଭକ୍ତିମୟ ପରିବେଶ । ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ । ଦୁଆର ମୁହଁରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ଦେଇ ଜଗନ୍ନାଥ ରଥକୁ ବନ୍ଦାପନା କରି ସ୍ବାଗତ କରୁଛନ୍ତି ରାଜ୍ୟବାସୀ ।

ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ । ଏଥିପାଇଁ ଆଜି କରାଯିବ ଅଙ୍କୁରାରୋପଣ । ଗଜପତି ମହାରାଜା ଯଜ୍ଞ ପାଇଁ ଆଚାର୍ଯ୍ୟ ବରଣ କରିବେ । ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା ମଧ୍ୟରେ ଅଙ୍କୁରାରୋପଣ କରାଯିବ । ୧୩ ତାରିଖ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଙ୍କୁରପୂଜନ ହେବ । ୧୪ ତାରିଖ ଦିନ ୧୦ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ବଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ । ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ । ଅପରାହ୍ନ ୩ଟାରୁ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ କରାଯିବ । ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କରାଯିବ । ୧୭ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ । ପରେ ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରାଯିବ ।

ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ । ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଓ ସାଉଣ୍ଡ ଶୋ’ର ବ୍ୟବସ୍ଥା କରାଯାଇଛି ।

ଏପଟେ ପୁରୀରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଉତ୍ସବରେ ଯୋଗ ଦେବାକୁ ଆସିଥିବା ଅତିଥି କିଭଳି ସୁନ୍ଦର ଅନୁଭୂତି ନେଇ ଫେରିବେ ସେଥିପ୍ରତି ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଉଛି । ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବର ଓ କଟକରୁ ଅଧିକ ଶ୍ରଦ୍ଧାଳୁ ଆସିବାର ସମ୍ଭାବନା ରହିଛି । ସମସ୍ତ ଭିଆଇପି ଓ ନିମନ୍ତ୍ରିତ ଅତିଥି ଶ୍ରୀଜଗନ୍ନାଥ ବଲ୍ଲଭ ମଠରୁ ଶ୍ରୀମାର୍ଗ ଦେଇ ଯଜ୍ଞ ସ୍ଥଳ ଓ ବସିବା ସ୍ଥାନକୁ ଆସିବେ । ବାଟରେ ଯୋଡ଼ି ଶଙ୍ଖ, ଲଉଡି ଖେଳ ପ୍ରଦର୍ଶନ କରାଯାଇ ଅତିଥିଙ୍କୁ ସ୍ବାଗତ କରାଯିବ । ପରିକ୍ରମା ମାର୍ଗର ଲ୍ୟାଣ୍ଡସ୍କେପ୍ ଓ ବଫର ଜୋନ କାର୍ଯ୍ୟ ଶେଷ ହୋଇଛି ।

ଅଗ୍ନିଶମ ବିଭାଗ ଓ ପୁରୀ ପୌରପାଳିକା ପକ୍ଷରୁ ପାଣି ସିଞ୍ଚନ କରି ପରିକ୍ରମା ମାର୍ଗ ସଫେଇ କରାଯାଉଛି । ନିମନ୍ତ୍ରିତ ଅତିଥିଙ୍କ ରହଣି, ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ପ୍ରାୟ ୯୦୦ ଅତିଥିଙ୍କ ବସିବା ପାଇଁ ୩ଟି ଜୋନ କରାଯାଇଛି । ନେପାଳ ରାଜାଙ୍କ ସହ ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟଙ୍କୁ ଦୁଇ ଥର ନିମନ୍ତ୍ରଣ କରାଯାଇଛି । ଏମାର ମଠ ଓ ମା’ କାକୁଡିଖାଇଙ୍କ ମନ୍ଦିର ମଧ୍ୟସ୍ଥଳରେ ହେବ ଲେଜର ଶୋ’ । ସେହିପରି ମାର୍କେଟ ଛକ ମାର୍କେଟ କମ୍ପ୍ଲେକ୍ସ ଓ ବ୍ରିଟିଶ ଅମଳର ପାଣିଟାଙ୍କିରେ କାଞ୍ଚି ଅଭିଯାନ ଲେଜର ଶୋ’ କରାଯିବ । ଏହାସହ ପରିକ୍ରମା ମାର୍ଗର ଛୋଟ ଛୋଟ ମଣ୍ଡପ ସମ୍ମୁଖରେ ସଙ୍କୀର୍ତ୍ତନ ସହ ଓଡ଼ିଶୀ, ମାହାରୀ, ସମ୍ବଲପୁରୀ, ପାଇକ, ବନାଟି ଆଦି ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ଆଜିଠାରୁ ଭାରତୀୟ ବାୟୁ ସେନାର ପାଓ୍ବାର ଶୋ’

ମୁମ୍ବାଇ: ନୀଳ ଆକାଶରେ ଜଲଓ୍ବା ଦେଖାଇବ ଭାରତୀୟ ବାୟୁ ସେନା । ଏସୟୁ ୩୦ ଏମକେଆଇ, ସି-୧୩୦ ଏୟାରକ୍ରାଫ୍ଟ ଦେଖାଇବେ ବୀରତ୍ବ । ମୁମ୍ବାଇରେ ଆଜିଠାରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି ଭାରତୀୟ ବାୟୁ ସେନାର ପାଓ୍ବାର ଶୋ’ । ଆସନ୍ତା ୧୪ ତାରିଖ ଯାଏଁ ହେବ ଏହି ଏୟାର ଶୋ’ ।

ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଏହି ଶୋ’ ଉଦ୍ଦିଷ୍ଟ । ବାୟୁସେନାର ଦକ୍ଷତା, ସାମର୍ଥ୍ୟ ଓ ବୃତ୍ତିଗତ ପାରଦର୍ଶିତା ପ୍ରଦର୍ଶନ କରିବା ଲାଗି ଏହି ଏୟାର ଶୋ‘ କରାଯାଉଛି । ମହାରାଷ୍ଟ୍ର ସରକାରଙ୍କ ସହଭାଗିତାରେ ମୁମ୍ବାଇ ମେରିନ ଡ୍ରାଇଭରେ ଏୟାର ଶୋ’ ଆୟୋଜିତ ହେବ । ଶୋ’ରେ ସୂର୍ଯ୍ୟକିରଣ ଏରୋବିକ ଡିସପ୍ଲେ ଟିମ ବା ଏସକେଏଟି ଭାଗ ନେବ । ଏହାସହ ସାରଙ୍ଗ ହେଲିକପ୍ଟର ଡିସପ୍ଲେ ଟିମ୍ ବି ହେବେ ସାମିଲ । ଏଥିରେ ଏସୟୁ ୩୦ ଏମକେଆଇ, ସି-୧୩୦ ଏୟାରକ୍ରାଫ୍ଟ ଭାଗ ନେବ । ଏହାସହ ଅକ୍ଷରଗଙ୍ଗା ଟିମ ଦ୍ବାରା ପ୍ରଦର୍ଶିତ ହେବ ଫ୍ରିଫଲ ଓ ପାରାଚ୍ୟୁଟ ଡିସପ୍ଲେ ।

ଆଜିଠୁ ‘କୃଷି ଓଡ଼ିଶା-୨୦୨୪’: ସାମିଲ ହେବେ ୫ ହଜାର ମହିଳା ଚାଷୀ

ଭୁବନେଶ୍ବର: ଭୁବନେଶ୍ବରରେ ହେବ ମହିଳାଙ୍କ ବିଶାଳ ସମାବେଶ । କାରର ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ‘କୃଷି ଓଡ଼ିଶା-୨୦୨୪’ । ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମାବେଶକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମିଲ ହେବେ ୫ ହଜାର ମହିଳା ଚାଷୀ, ୨ ହଜାର ଏସଏଚଜି ମହିଳା ଓ କୃଷି ଉଦ୍ୟୋଗୀ । ଚଳିତବର୍ଷର ବିଷୟ ବସ୍ତୁ ରହିଛି ‘କୃଷି ପ୍ରଗତିରେ ମହିଳା’ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ବର ଜନତା ମଇଦାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଠାରେ ସଫଳ ମହିଳା କୃଷକ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ । କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ଆଇସିଏଆର ପ୍ରତିଷ୍ଠାନ, ସିଜିଆଇଏଆର ପ୍ରତିଷ୍ଠାନ, ବେସରକାରୀ ସଙ୍ଗଠନମାନେ ସାମିଲ ହେବେ ।

ଜ୍ୟୋତିଷ ବେଶରେ ଯୌନ ରାକ୍ଷସ: ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ବାବା ବେଶରେ ଯୌନ ରାକ୍ଷସ । ନିସନ୍ତାଙ୍କୁ ସନ୍ତା ପ୍ରାପ୍ତିର ଆଶା ଦେଖାଇ ମହିଳାଙ୍କୁ କରୁଥିଲା ଯୌନ ଶୋଷଣ । ଅଭିଯୋଗ ପରେ ଭଦ୍ରକରୁ ଉଠାଇ ଆଣିଲା କମିଶନରେଟ୍ ପୋଲିସ ।

ଅଭିଯୋଗ ଅନୁଯାୟୀ, ଠକ ଜଣଙ୍କ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରି ନିଜକୁ ଜ୍ୟୋତିଷ ବୋଲି ପରିଚୟ ଦେଇଥିଲା । ନିସନ୍ତାନ ସନ୍ତାନ ପ୍ରାପ୍ତି, ଗରିବ ଧନୀ ହେବା ପରି ପ୍ରଲୋଭନ ଦେଖାଇ ମହିଳାଙ୍କୁ ନିଜ ଜାଲରେ ଫସାଉଥିଲା । ବିଶେଷ କରି ସାଂସାରୀକ ଜଞ୍ଜାଳରେ ଥିବା ମହିଳାମାନେ ଠକ ଜାଲରେ ଫସି ଯାଇଥିଲେ । ଆଉ ଏହାର ସୁଯୋଗ ନେଇ ଠକ ଜଣଙ୍କ ମହିଳାଙ୍କ ସହ ଯୌନ ନିର୍ଯାତନା ଦେଉଥିଲେ । ଏପରି ଏକ ଅଭିଯୋଗ କମିଶନରେଟରେ ପୋଲିସ ପାଖରେ ହୋଇଥିଲା । ମହିଳାଙ୍କ ଅଭିଯୋଗ ଅନୁସାରେ, ଠକ ଜଣଙ୍କ ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଆଶା ଦେଖାଇଥିଲେ । ଏହାପରେ ଏକ ଘରକୁ ନେଇ କବାଟ ବନ୍ଦ କରିବା ପରେ ଏକ ଲବଙ୍ଗ ପାଟିରେ ଜାକିବାକୁ କହି ଦୁଷ୍କର୍ମ କରିଥିଲେ । ଅଭିଯୋଗ ପାଇବା ପରେ କମିଶନରେଟ ପୋଲିସ ଠକ ଜ୍ୟୋତିଷକୁ ଭଦ୍ରକରୁ ଉଠାଇ ଉଠାଇ ଆଣିଛି ।

ଠକ ଜଣଙ୍କ ଶତାଧିକ ମହିଳାଙ୍କୁ ଚୂନ ଲଗାଇବା ସହ ଏକାଧିକଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା କମିଶନରେଟ ପୋଲିସ ଜାଣିବାକୁ ପାଇଛି । ଯଦି କୌଣସି ମହିଳା ଏଭଳି ଠକେଇର ଶିକାର ହୋଇଥିବେ ତେବେ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ କମିଶନରେଟ୍ ପୋଲିସ ସୂଚନା ଦେଇଛି ।

୨୦୨୪ରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ବିଜେଡି

ଭୁବନେଶ୍ବର: ୨୦୨୪ରେ ବିଜେଡି ଶ୍ରେଷ୍ଠ ପ୍ରଦର୍ଶନ କରିବ । ୨୦୧୯ ଅପେକ୍ଷା  ଅଧିକ ଆସନ ସହ ଭୋଟ୍‌ ହାରରେ ବି ରେକର୍ଡ କରିବ ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ରାଜ୍ୟବାସୀ ଏପରି ସଙ୍କେତ ଦେଲେଣି । ବିକଶିତ ଓଡ଼ିଶା ଗଠନ ପ୍ରକ୍ରିୟାକୁ ସଫଳ କରିବା ପାଇଁ ପ୍ରତ୍ୟେକ ଓଡ଼ିଆ ସଂକଳ୍ପ ନେଇଛନ୍ତି । ଯାହା ୨୪ ଭୋଟରେ ପ୍ରତିଫଳିତ ହେବ ବୋଲି ବିଜେଡି ଦାବି କରିଛି ।

ବିଜେଡିର ୨୪ ଆକଳନ । ବହୁ ଗୁଣିତ ହେବ ସଫଳତା । ଆସନ ସଂଖ୍ୟା ବୃଦ୍ଧି ସହ ବଢ଼ିବ ଭୋଟ୍‌ ହାର ।  ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳୁଛି ଆଶୀର୍ବାଦ  । ଗଠନ ହେଉଛି ବିକଶିତ ଓଡ଼ିଶା । ରୂପାନ୍ତରଣ ପଥରେ ଆଗକୁ ଚାଲିଛି ରାଜ୍ୟ । ୨୦୧୯ ନିର୍ବାଚନ ପ୍ରତିଶ୍ରୁତିକୁ ଶତ ପ୍ରତିଶତ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲାକୁ ଜିଲ୍ଲା ତୋଫାନୀ ଗସ୍ତ କରି ବିକାଶମୂଳକ କାର୍ଯ୍ୟକୁ ଆଗକୁ ନେଉଛନ୍ତି । ବଡ଼ବଡ଼ ପ୍ରକଳ୍ପ ଆରମ୍ଭ ସହ ଅନେକ ପ୍ରକଳ୍ପର ଲୋକାପର୍ଣ କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ଏଥି ପାଇଁ ୨୦୨୪ରେ ଓଡ଼ିଶାବାସୀ ବିଜେଡିକୁ ପୁଣି ଆଶୀର୍ବାଦ ଦେବେ । ଓଡ଼ିଶା ନିର୍ବାଚନ ରାଜନୀତିରେ ୨୪ରେ ବିଜେଡି ସବୁ ରେକର୍ଡକୁ ଭାଙ୍ଗି ଷଷ୍ଠଥର ଶାସନ ଭାର ଗ୍ରହଣ କରିବ । ଲଗାତାର ଲମ୍ବା ସମୟ ପାଇଁ ମୁଖ୍ୟମନ୍ତ୍ରୀ ରହି ନବୀନ ପଟ୍ଟନାୟକ ଦେଶରେ ରେକର୍ଡ କରିବେ । ଏଥିପାଇଁ ଓଡ଼ିଶାବାସୀ ମନସ୍ଥ କରିଛନ୍ତି ବୋଲି ଶାସକ ଦଳ କହିଛି । ୨୪ରେ ବିଜେଡିର ଆସନ ସଂଖ୍ୟା ସହ ଭୋଟ୍‌ ହାର ବୃଦ୍ଧି ପାଇବ ବୋଲି ଦଳର ବିଧାୟକମାନେ ଆକଳନ କରିଛନ୍ତି ।

ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ରୂପାନ୍ତରଣ ବିଜେଡିକୁ ୨୪ରେ ବଡ଼ ବିଜୟ ଦେବ ।  ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଶିଳ୍ପ, ପର୍ଯ୍ୟଟନ, ପରିବହନ, ପର୍ଯ୍ୟଟନଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ ଓ କଳା, ସାହିତ୍ୟ, ଏୗତିହ୍ୟ ଓ ସଂସ୍କୃତି କ୍ଷେତ୍ରରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି  । ଯେଉଁଥିରେ ଓଡ଼ିଶାବାସୀ ବେଶ୍‌ ଖୁସି । ଏସବୁକୁ ଅଧାର କରି ବିଜେଡି ମିଶନ ୧୩୦ ଓ ଦେଢ଼ କୋଟି ଭୋଟ୍ ପାଇଁ ଲକ୍ଷ୍ୟ ରଖିଛି । ୨୦୧୪ ନିର୍ବାଚନରେ ବିଜେଡି ୧୧୭ ବିଧାନସଭା ଆସନ ପାଇଥିଲା । ଭୋଟ୍‌ ହାର ଥିଲା ୪୩ ଦଶମିକ ୩୫ ପ୍ରତିଶତ ଥିଲା । ଦଳ ୯୩ ଲକ୍ଷ ୩୫ ହଜାର ୧୫୯ ଭୋଟ୍‌ ପାଇଥିଲା ।  ୨୦୧୯ରେ ବିଜେଡି  ୧ କୋଟି ୪ ଲକ୍ଷ ୮ ହଜାର ୨୩୮ଭୋଟ୍‌ ପାଇଥିବା ବେଳେ ଭୋଟ୍‌ ହାର ବଢ଼ି ୪୪ ଦଶମିକ ୬ ପ୍ରତିଶତରେ ପହଞ୍ଚିଥିଲା । ବିଧାନସଭା ଆସନ ସଂଖ୍ୟା ଥିଲା ୧୧୨ । ୨୪ରେ ବିଜେଡିର ଭୋଟ୍‌ ହାର ବୃଦ୍ଧି ସହ ଆସନ ସଂଖ୍ୟା ବୃଦ୍ଧି ପାଇବ ବୋଲି ଦଳ କହିଛି  ।

କାହିଁକି ଅଧିକ ସମୟ ବିଶ୍ରାମ ନେବେ ମହିଳା ?

ନନ୍ଦିଘୋଷ ବ୍ୟୁରୋ: ବ୍ୟସ୍ତବହୁଳ ଜୀବନରେ ସବୁ ବର୍ଗର ଲୋକ ନିଦ୍ରାହୀନତା ସମସ୍ୟାର ଶିକାର ହେଉଛନ୍ତି। ଅର୍ଥାତ୍ ସୁନିଦ୍ରାର ଅଭାବ। ସାଧାରଣତଃ ଷ୍ଟ୍ରେସ୍, ଶାରୀରିକ ଅସୁସ୍ଥତା କିମ୍ବା ମେଡିସିନ ଖାଇଥିଲେ ସଠିକ୍ ନିଦ୍ରା ହୁଏ ନାହିଁ । ତେବେ ଭଲନିଦ କେବଳ ଶରୀରକୁ ସୁସ୍ଥ ରଖେ ତା ନୁହେଁ । ବରଂ ମାନସିକ ସ୍ତରକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହୁଏ । ଜଣେ ସୁସ୍ଥ ରହିବା ପାଇଁ ପ୍ରତ୍ୟହ ୭-୮ ଘଣ୍ଟା ଶୋଇବା ଜରୁରୀ । କିନ୍ତୁ ପୁରୁଷଙ୍କ ତୁଳନାରେ ମହିଳା ମାନେ ଅଧିକ ବିଶ୍ରାମ ନେବା ଜରୁରୀ ।

କାହିଁକି ଅଧିକ ସମୟ ବିଶ୍ରାମ ନେବେ ମହିଳା ?

କେବଳ ବୟସ ନୁହେଁ ବରଂ ବିଶ୍ରାମ ପାଇଁ ଲିଙ୍ଗକୁ ମଧ୍ୟ ଗୁରୁତ୍ବ ଦିଆଯାଏ । ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଅର୍ଥାତ୍ ପୁରୁଷ ଅପେକ୍ଷା ମହିଳା ମାନେ ଅଧିକ ସମୟ ବିଶ୍ରାମ ନେବା ଉଚିତ୍। କାରଣ ମହିଳାଙ୍କ ମସ୍ତିଷ୍କ ପୁରୁଷଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଥାଏ । ଯେଉଁଥିପାଇଁ ସେମାନେ ସୁସ୍ଥ ହେବା ପାଇଁ ରାତିରେ ଅଧିକ ଶୋଇବା ଆବଶ୍ୟକ କରିଥାନ୍ତି । ଏତତ୍ ବ୍ୟତୀତ ପୁରୁଷମାନଙ୍କ ଅପେକ୍ଷା ମହିଳାଙ୍କ ଠାରେ ହରମୋନାଲ ପରିବର୍ତ୍ତନ ଅଧିକ ଦେଖାଯାଏ । ଯେଉଁ କାରଣରୁ ସେମାନଙ୍କ ଶରୀର ଅଧିକ ଥକିପଡେ । ତେଣୁ ପୁରଷମାନଙ୍କ ଅପେକ୍ଷା ସେମାନଙ୍କୁ ଅଧିକ ବିଶ୍ରାମ ଆବଶ୍ୟକ ହୋଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜଣେ ପୁରୁଷ ଅପେକ୍ଷା ଜଣେ ମହିଳା ୧୧ ମିନିଟ ଅଧିକ ଶୋଇବା ଉଚିତ୍। ଏହି ୧୧ ମିନିଟ୍ ହିଁ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଯଦି ଜଣେ ପୁରୁଷ ୭ ରୁ ୮ ଘଣ୍ଟା ଶୋଇଥାଏ । ତାହାଲେ ମହିଳା ୭ ଘଣ୍ଟା ୧୧ ମିନିଟ୍ କିମ୍ବା ୮ ଘଣ୍ଟା ୧୧ ମିନିଟ ଅଧିକ ଶୋଇବା ଆବଶ୍ୟକ । ୧୯ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଅତିକମ୍ରେ ୭ ଘଣ୍ଟା ଶୋଇବା ଆବଶ୍ୟକ । ୧୩ ରୁ ୧୮ ବର୍ଷ ବୟସ  ୮ ରୁ ୧୦ ଘଣ୍ଟା ଶୋଇବା ଆବଶ୍ୟକ । ଏତତ୍ ବ୍ୟତୀତ ୬ ରୁ ୧୨ ବର୍ଷ ବୟସର ପିଲାମାନେ ୯ ରୁ ୧୨ ଘଣ୍ଟା ଶୋଇବା ଉଚିତ୍ ।