spot_img
Home Blog Page 2191

ବଦଳିବ ପାଗ, ପଶ୍ଚିମା ଝଡ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ପାରଦ । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପ୍ରଭାବରେ ରାଜ୍ୟରେ ତାତି ବଢିଛି । ରାଜ୍ଯରେ ଅଧାରୁ ଅଧିକ ସହର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳ ଓଡିଶାରେ ସ୍ବାଭାବିକ ଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଫେବୃୟାରୀରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଏବଂ ବାୟୁ ଚଳାଚଳରେ ପରିବର୍ତ୍ତନ ପାଇଁ ଏଭଳି ଖରା  ବୃଦ୍ଧି ପାଇଛି । କ୍ରମାଗତ ଭାବେ ବଢୁଥିବା ତାତିକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ଏସଆରସି । ଗ୍ରୀଷ୍ମ ପ୍ରବାହଜନିତ ରୋଗ ଓ କ୍ଷୟକ୍ଷତି ରୋକିବାକୁ ଜନ ସଚେତନତା ଅଭିଯାନ ସହ ଅଂଶୁଘାତରେ ଯେପରି କାହାର ମୃତ୍ୟୁ ନ ହୁଏ ସେଥିପ୍ରତି ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।  ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବେ। ବିଶୁଦ୍ଧ ପାନୀୟ ଜଳ ଓ ଓଆର୍ଏସ୍ ବ୍ୟବସ୍ଥା ହେବ। ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରାଯିବ।

ବିଦ୍ୟାଳୟ ପରିସରରେ ଥିବା ନଳକୂପ ମରାମତି, ସ୍କୁଲ ଓ କଲେଜରେ ପର୍ଯ୍ୟାପ୍ତ ଓଆରଏସ୍ ମହଜୁଦ, ଆଉଟଡୋର୍ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ। ପିଲାମାନେ ସ୍କୁଲ, କଲେଜ ଯିବା ସମୟରେ ସାଙ୍ଗରେ ପାଣି ବୋତଲ ନେଇ ଯିବାକୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସଚେତନ କରାଇବେ। ଅଙ୍ଗନବାଡ଼ି କେନ୍ଦ୍ର କେବଳ ସକାଳ ସମୟରେ ଖୋଲା ରହିବ ଓ ପାଣିର ଉପଲବ୍ଧତା ଯାଞ୍ଚ ଓ ସୁନିଶ୍ଚିତ କରାଯିବ ଏବଂ ପର୍ଯ୍ୟାପ୍ତ ଓଆରଏସ୍ ପ୍ୟାକେଟ୍ ମଧ୍ୟ ଉପଲବ୍ଧ ହେବ।  ନିରବଚ୍ଛିନ୍ନ ବିଜୁଳି ଯୋଗାଣ ବଜାୟ ରଖିବାକୁ ଶକ୍ତି ବିଭାଗ ପକ୍ଷରୁ ବିତରଣ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଜାରି କରିବ ବୋଲି ଏସଆରସି ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଶୁକ୍ରବାରଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ପଶ୍ଚିମା ଝଡ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ୨୬ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ । ୨୪ ତାରିଖରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

IPL ୨୦୨୪: ଉଦଘାଟନୀ ମ୍ୟାଚରେ ଧୋନୀ-କୋହଲି ଟକ୍କର!

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪କୁ କ୍ରିଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଆରମ୍ଭ ହେଲାଣି । ତେବେ ଚଳିତ ସିଜିନର ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇପାରେ । ମିଳିଥିବା ସୂଚନା ଅନୁସାରେ ଉଦଘାଟନୀ ମ୍ୟାଚରେ ଧୋନୀ ଏବଂ କୋହଲିଙ୍କ ମଧ୍ୟରେ ଟକ୍କର ହୋଇପାରେ । ଗୁରୁବାର ସଂନ୍ଧ୍ୟାରେ ଆଇପିଏଲ ମ୍ୟାଚ ସୂଚୀ ଆସିପାରେ ବୋଲି ଖବର ମିଳିଛି । ତେବେ ନିର୍ବାଚନ ରହିଥିବାବେଳେ ପ୍ରଥମ ୧୫ ଦିନ ପାଇଁ ସୂଚୀ ଆସିପାରେ । ନିର୍ବାଚନକୁ ଦୃଷ୍ଟିରେ ରଖି ଆଇପିଏଲ ଖେଳାଯିବ ବୋଲି କୁହାଯାଉଛି । ସେପଟେ ଉଦଘାଟନୀ ମ୍ୟାଚ ଏମ.ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ମାର୍ଚ୍ଚ ୨୨ରୁ ଆଇପିଏଲ ସଂସ୍କରଣ ଆରମ୍ଭ ହେବାକୁ ଥିବାବେଳେ ମେ ୨୬ରେ ଫାଇନାଲ ତାରିଖ ଘୋଷଣା କରାଯାଇଛି । ଆଇପିଏଲ ଅଧ୍ୟକ୍ଷ ଅରୁଣ ଘୁମଲା କହିଛନ୍ତି କି, ଆମେ ସରକାରଙ୍କ ସହ ଆଲୋଚନା କରୁଛୁ ନିର୍ବାଚନ ତାରିଖକୁ ଦୃଷ୍ଟିରେ ରଖି ସୂଚୀ ଘୋଷଣା ହେବ । ଚଳିତ ସିଜିନରେ ୭୪ଟି ମ୍ୟାଚ ଖେଳାଯିବ । ଆଇପିଏଲ ପରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁଥିବାବେଳେ ଖେଳାଳିଙ୍କ ପ୍ରଦର୍ଶନ ବେଶ ଗୁରୁତ୍ବ ବହନ କରେ ।

ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଖେଳାଳିମାନେ 5T ଅଧ୍ଯକ୍ଷଙ୍କୁ ସ୍ବାଗତ କରି ଛାତ୍ରାବାସ ପରିସରକୁ ପାଛୋଟି ନେଇଥିଲେ । ପରେ ଛାତ୍ରାବାସର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ଯାନ କରିଥିଲେ 5T ଅଧ୍ଯକ୍ଷ । ଖେଳାଳି ରହୁଥିବା ରୁମ, ଟ୍ରେନିଂ ରୁମ୍, କ୍ଯାଣ୍ଟିନ ଆଦି ବୁଲି ଦେଖିବା ସହ ସମସ୍ତ ପ୍ରକାରର ଉନ୍ନତ ଭିତ୍ତିଭୂମି ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।  ପ୍ରତିଭାବାନ ହକି ଖେଳାଳିଙ୍କୁ ଭେଟି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ 5T ଅଧ୍ଯକ୍ଷ । ଏହି ଅବସରରେ ସେ ଖେଳାଳିଙ୍କ ସହ ମିଶି ଜଳଖିଆ କରିଛନ୍ତି । ଛାତ୍ରାବାସରେ ଖେଳାଳିଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏଠାରୁ ତାଲିମ ନେଇ ୬୦ରୁ ଅଧିକ ଖେଲାଳି ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ଦେଶ ଓ ରାଜ୍ଯ ପାଇଁ ଗୌରବ ଆଣିଛନ୍ତି ।  ରାଜ୍ୟ ସରକାର ଖେଳାଳିଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ସୁବିଧାରେ ତାଲିମ ନେବାକୁ ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦିଆଯାଉଛି । କ୍ରୀଡ଼ାର ବିକାଶ ପାଇଁ ରାଜ୍ଯ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ଫାଇଭ-ଟି ଅଧ୍ଯକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ଖେଳାଳି।

ଯୌତୁକରେ ସୁନା,ରୂପା, ଟଙ୍କା ,ଗାଡି କିମ୍ବା ଅନ୍ୟ କିଛି ଦାମୀ ଉପହାର ନୁହେଁ ଦିଆଯାଏ ସାପ

ନନ୍ଦିଘୋଷ ବ୍ୟୁରୋ: ଯୌତୁକରେ ସୁନା,ରୂପା, ଟଙ୍କା ,ଗାଡି କିମ୍ବା ଅନ୍ୟ କିଛି ଦାମୀ ଉପହାର ଦିଆଯାଏ । କିନ୍ତୁ ଏମିତି ଏକ ଗାଁ ଅଛି ଯେଉଁଠି ଯୌତୁକରେ ଦିଆଯାଏ ସାପ । ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜିନିଷ ନୁହେଁ ଝିଅ ସାଙ୍ଗରେ ଶାଶୁ ଘରକୁ ନିଏ ସାପ । କନ୍ୟା ପିତା-ମାତା ଏକାଥରକେ ୨୧ଟି ସାପ ଉପହାର ସଦୃଶ ଦିଅନ୍ତି । ଏଭଳି ଅଜବ ଗଜବ ପରମ୍ପରା ଦେଖିବାକୁ ମିଳେ ଛତିଶଗଡ଼ରେ । ମହାସମୁନ୍ଦ ଜିଲ୍ଲା ଜାଗିନଗର ଗାଁର ଗୌରିଆ ସମାଜ ଏଭଳି ପ୍ରଥା ସହ ବନ୍ଧା ହୋଇଛି । କାହିଁ କେଉଁ କାଳରୁ ଏଭଳି ପରମ୍ପରା ଚାଲିଆସୁଛି ଗୌରିଆ ସମାଜରେ । ଯଦି ଝିଅର ବିବାହରେ ବିଷାକ୍ତ ସାପ ଦିଆନଯାଏ । ତେବେ ବିବାହ ଭାଂଗି ଯାଇଥାଏ ବୋଲି ଲୋକଙ୍କର ବିଶ୍ବାସ ରହିଛି । ଏହାକୁ ଅଶୁଭ ବୋଲି ମନେ କରାଯାଏ ।

ତେବେ ଗୌରିଆ ସମାଜ ପେଶାରେ କେଳା ଅଟନ୍ତି । ଏମାନେ ସାପ ଧରିବା ଏବଂ ଖେଳ ଦେଖାଇ ରୋଜଗାର କରନ୍ତି । କିନ୍ତୁ ଝିଅର ବିବାହ ସ୍ଥିର ହେଲା ମାତ୍ରେ ଉପହାରରେ ସାପ ଦେବା ପାଇଁ ଆରମ୍ଭ ହୋଇଯାଏ ପ୍ରସ୍ତୁତି । ଝିଅର ପିତା ସାପ ଧରିବାରେ ଲାଗିପଡ଼ନ୍ତି । ଯଦି ଝିଅର ବାପା ସାପ ଦେଇ ନପାରନ୍ତି ତେବେ ବସ୍ତିର ଅନ୍ୟ କେଳାଙ୍କ ଠାରୁ ସାପ ଅଣାଯାଏ  ଏବଂ ଯୌତୁକରେ ଦିଆଯାଏ ।କନ୍ୟାର ଲାଳନ ପାଳନ ପରି ସାପର ମଧ୍ୟ ସେବା କରାଯାଏ । କୌଣସି କାରଣରୁ ସାପର ମୃତ୍ୟୁ ହେଲେ ପାଳକ ନିଶ, ଦାଢି କାଟନ୍ତି । ସମଗ୍ର ଗୌରିଆ ସମାଜ ବା ଜ୍ଞାତି କୁଟୁମ୍ବକୁ ମଧ୍ୟ ଖାଇବାକୁ ଦିଆଯାଏ । ଏଭଳି ପରମ୍ପରା ବିପଦ ଓ ଘାତକଯୁକ୍ତ ହୋଇଥାଏ । ତଥାପି ଛତିଶଗଡ଼ର ଗୌରିକ ସମାଜ ଏହି ପରମ୍ପରାକୁ ବଜାୟ ରଖିଛି ।

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

ସୁବର୍ଣ୍ଣପୁର: ଇଛାଶକ୍ତି ଥିଲେ ବୟସ ବାଧକ ସାଜେ ନାହିଁ, କିଛି ବି କରିବା ଅସମ୍ଭବ ନୁହେଁ । ପ୍ରତିକୁଳ ପରିସ୍ଥିତିରେ ବି ଏମିତି କିଛି କରି ଦେଖାଇଛନ୍ତି ଜଣେ ବୟସ୍କ ଚାଷି । ଜୈବିକ ପ୍ରଣାଳୀରେ ଚାଷ କରି ଲୋକଙ୍କୁ ଦେଉଛନ୍ତି ସଚେତନତା ବାର୍ତ୍ତା। ଚାଷ କରି ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା ରକ୍ସା ଗ୍ରାମର ଶରତ କୁମାର ପୁରୋହିତ।

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ପରିଶ୍ରମ ବଳରେ  ଜମିରେ ଫଳିଛି ଲଙ୍କା ମରିଚ, ବାଇଗଣ, ପିଆଜ, କୋବି ଭଳି ଅନେକ ପନ ପରିବା  । ଜମିରେ ନିଜ ଝାଳ ବୁହାଉଛନ୍ତି ଜଣେ ବୟସ୍କ । ଏକଡରୁ ସେକଡକୁ ଧାଇଁ ପଡୁଛନ୍ତି ।  ହାତରେ କୋଦାଳ ଧରି ମାଟି କୋଡି ଦେଉଛନ୍ତି ।କେତେବେଳେ ଜାର ଧରି ଗଛ ମୁଳରେ ପାଣି ଦେଉଛନ୍ତି । ପାଖରେ ଥିବା ଲୋକଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାକୁ ବି ପ୍ରବର୍ତାଉଛନ୍ତି ।  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରକ୍ସା ଗାଁର ଶରତ କୁମାର ପୁରୋହିତ ଏଭଳି ପରିଶ୍ରମ ଦେଖି ସମସ୍ତେ ତାଜୁବ ହେଉଛନ୍ତି । ବୟସ ୬୪ ହେଲେ ବି  ସେ ଥକି ପଡୁ ନାହାଁନ୍ତି । ନିଆରା ଢଙ୍ଗରେ ବିଭିନ୍ନ ପ୍ରକାର ସମନ୍ୱିତ ଚାଷ କରି ଚର୍ଚ୍ଚାରେ ରହିଛନ୍ତି ଶରତ ମଉସା ।

ପ୍ରତିକୂଳ ପରିବେଶରେ କିଛି ଅପନ୍ତରା ଜମିରେ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି ଶରତ । ଜୈବିକ ପ୍ରଣାଳୀରେ ସବୁଜ ପନିପରିବା ଚାଷ କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ନିଜେ ଶ୍ରମଦାନ କରିବା ସହିତ କିଛି ଶ୍ରମିକଙ୍କ ସାହାଯ୍ୟରେ ଗୋଟିଏ ଋତୁରେ ପ୍ରାୟ ଅଢେଇରୁ ତିନି ଲକ୍ଷ ଟଙ୍କାର ଲାଭ କରୁଛନ୍ତି ଶରତ ମଉସା ।

ଆଜିଠୁ ଆରମ୍ଭ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା

ନନ୍ଦିଘୋଷ ବ୍ୟୁରୋ: ଗୁରୁବାରଠାରୁ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ଯାତ୍ରା । ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ମହିମା ପୀଠ । ସାଧୁସନ୍ଥ ଓ ଭକ୍ତ ମାନଙ୍କ ମୁହଁରୁ ନିସୃତ ଶୂନ୍ୟ ବ୍ରହ୍ମ ମହିମା ଅଲେଖ ବାଣୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ମାଘ ଚତୁର୍ଦଶୀ ଅଲେଖ ଗୋସେଇଁଙ୍କ ଇହଲୀଳା ସମ୍ବରଣ ଦିବସଟି ମହିମା ଧର୍ମଲମ୍ବୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ । ଯାହାକୁ ଦୀର୍ଘ୧୫୧ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ମହାସମାରୋହରେ ପାଳନ କରାଯାଉଛି । ମେଳା ପାଇଁ ମହିମା ପୀଠରେ ଜମିଛି ସାଧସନ୍ଥଙ୍କ ଭିଡ । ମହିମା ମେଳାର ମୁଖ୍ୟ ଆକର୍ଷଣ ହେଉଛି ଝାଡବତୀରେ ମହଣ ମହଣ ଦେଶୀ ଘିଅ ଆହୁତି । ଯାହାକୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗୁଛି । ମହିମାପୀଠର ଉନ୍ନତିକରଣ ପାଇଁ ରାଜ୍ଯ ସରକାର ୧୬୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଫଳରେ ମହିମା ସାଧୁଙ୍କ ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି । ଲକ୍ଷାଧିକ ସଂଖ୍ଯାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ୍ଯରେ ରଖି ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

ଚାଷୀ ଆନ୍ଦୋଳନ ୨ ଦିନ ସ୍ଥଗିତ

ନନ୍ଦିଘୋଷ ବ୍ୟୁରୋ: ଚାଷୀ ଆନ୍ଦୋଳନ ୨ ଦିନ ସ୍ଥଗିତ। ହରିୟାଣା ଖନୌରୀ ବର୍ଡରରେ ଚାଷୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଚାଷୀଙ୍କ ମୃତ୍ଯୁ ଘଟିଛି। ଗୁଳିରେ ଯାଇଛି ଚାଷୀଙ୍କ ଜୀବନ। ଗୁରୁତର ଅବସ୍ଥାରେ ପଟିଆଲା ହସ୍ପିଟାଲରେ ଚାଷୀଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଚାଷୀଙ୍କୁ ମଧ୍ଯ ଆହତ ଅବସ୍ଥାରେ ଅଣାଯାଇଥିଲା। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଏମଏସପି ଗାରେଣ୍ଟି ନେଇ ଦିଲ୍ଲୀ ଚଲୋ ନାରା ଦେଇ ଆନ୍ଦୋଳନ କରୁଥିଲେ ଚାଷୀ। କୃଷକଙ୍କୁ ଅଟକାଇବାକୁ ପୋଲିସ ଲୁହବୁହା ଗ୍ଯାସର ପ୍ରୟୋଗ କରିଥିଲା। ପୋଲିସ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଚାଷୀଙ୍କ ମୃତ୍ଯୁ ହୋଇଛି। ତେବେ ପୋଲିସ ଗୁଳିରେ ମୃତ୍ଯୁ ହୋଇଥିବା ନେଇ ଘଟଣାକୁ ଅସ୍ଵୀକାର କରିଛି ହରିୟାଣା ପୋଲିସ। ଜଣେ ଚାଷୀଙ୍କ ମୃତ୍ଯୁ ପରେ ୨ ଦିନ ଦିଲ୍ଲୀ ଚଲୋ ନାରା ବନ୍ଦ ରହିଛି।

ତେବେ ଏହି ସମୟରେ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଚାଷୀ ସଂଗଠନ। ଦିଲ୍ଲୀ ସିଂଘୁ ସୀମାରେ ପୋଲିସର କଡ଼ା ପହରା ଥିବାରୁ ଚାଷୀ ଖନୌରୀ ସୀମା ଦେଇ ଦିଲ୍ଲୀ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହାପରେ ସ୍ଥିତି ବିଗିଡି ଯାଇଥିଲା। ଚାଷୀଙ୍କୁ ଘଉଡ଼ାଇବାକୁ ପୋଲିସ ଏକାଧିକ ରାଉଣ୍ଡ ଟିୟର ଗ୍ଯାସ ସହ ରବର ଗୁଳି ମାଡ଼ କରିଥିଲା। ଏହି ସବୁ ମଧ୍ଯରେ ପୁଣିଥରେ ଚାଷୀଙ୍କ ସହ ଆଲୋଚନା ଲାଗି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା।.. ଦିଲ୍ଲୀରେ ପ୍ରବେଶ ଲାଗି ୧୪ ହଜାରରୁ ଅଧିକ କୃଷକ ସିଂଘୁ ସୀମାରେ ଅଟକି ଅଛନ୍ତି। ରାଲିରେ ସାମିଲ ହୋଇଛନ୍ତି ୧୨ଶହରୁ ଅଧିକ ଟ୍ରାକ୍ଟର। ଚାଷୀଙ୍କ ବିଶାଳ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀ ରହିଛି ହାଇଆଲର୍ଟରେ। ସମସ୍ତ ପ୍ରବେଶ ପଥରେ ନାହିଁ ନଥିବା ସୁରକ୍ଷା ବ୍ୟବସ୍ଥା କରାଯାଇଛି। .. ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ ଲାଗି ଆଇନଗତ ଗ୍ଯାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବି ନେଇ ଚାଲିଛି ଆନ୍ଦୋଳନ।

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ୨୩ ତାରିଖରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରାଯିବ । ଏଥିପାଇଁ ରାତି ୨ଟାରେ ଦ୍ବାରଫିଟା ନୀତି ସମ୍ପନ୍ନ କରାଯିବ । ସେହିଭଳି ଭିତର ଶୋଧ ସାଢେ ଦୁଇଟା, ୩ଟାରେ ମଙ୍ଗଳଆଳତୀ, ୩ଟା ୧୦ରୁ ୩ଟା ୩୦ ମଧ୍ଯରେ ମଇଲମ ତଡ଼ପ ଲାଗି ନୀତି ଅନୁଷ୍ଠିତ ହେବ । ଅନ୍ଯାନ୍ଯ ନୀତି ପରେ ସକାଳ ୬ଟା ୩୦ରୁ ୮ଟା ମଧ୍ଯରେ ସକାଳଧୂପ କରାଯାଇ ୯ଟା ମଧ୍ଯରେ ମଇଲମ ବେଶ ନୀତି ସମ୍ପନ୍ନ ହେବ । ୧୦ଟାରୁ ୧୧ଟା ୩୦ ମଧ୍ଯରେ ମଧ୍ଯାହ୍ନ ଧୂପ, ୧୦ଟା ୩୦ରୁ ଅପରାହ୍ନ ଗୋଟାଏ ମଧ୍ଯରେ ଦ୍ବିତୀୟ ଭୋଗମଣ୍ଡପ ନୀତି କରିଯିବ । ସନ୍ଧ୍ଯା ସାଢେ ୬ଟାରେ ସନ୍ଧ୍ଯା ଆଳତି, ୭ଟାରୁ ରାତି ସାଢେ ୮ଟା ମଧ୍ଯରେ ସନ୍ଧ୍ଯା ଧୂପ, ରାତି ୧୦ଟାରେ ବଡସିଂହାର ବେଶ, ୧୦ଟା ୩୦ରେ ବଡସିଂହାର ଭୋଗ ନୀତି ସମ୍ପନ୍ନ କରାଯିବା ପରେ ରାତି ୧୧ଟାରେ ରାତ୍ର ପହୁଡ଼ ପଡ଼ିବ । ମରାମତି କାର୍ଯ୍ୟ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ଯ ରଖାଯାଇଛି । ମରାମତି କାର୍ଯ୍ୟ ପ୍ରତିଦିନ ମଧ୍ୟାହ୍ନ ଗୋଟାଏରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ । ମରାମତି ସମୟରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଦର୍ଶନକୁ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।

ହକି ଷ୍ଟାଡିୟମରେ ବସି ଖେଳ ଦେଖିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ରାଉରକେଲା: ରାଉରକେଲା ସ୍ଥିତ ବିଶ୍ଵର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିଲା ଇଣ୍ଡିଆ-ନେଦରଲ୍ୟାଣ୍ଡସ ମ୍ୟାଚ୍। ରାଉରକେଲାରେ ଥିବା ବିଶ୍ଵର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ବସି ଖେଳ ଦେଖିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦର୍ଶକଙ୍କ ବସି ଖେଳ ଦେଖିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହି ଅବସରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପାଖରେ ପାଇ ଦର୍ଶକ ଵେଶ ଉତ୍ସାହିତ ଥିଲେ। 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ସେଲଫି ନେଇଥିଲେ ଅନେକ ଦର୍ଶକ। ମ୍ୟାଚର ହାଫ୍ ଟାଇମରେ ଦର୍ଶକଙ୍କୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସୁନ୍ଦରଗଡ଼ରେ ହକିର ଲୋକପ୍ରିୟତା ଥିବାରୁ ଏଠାରେ ବିଶ୍ଵର ସର୍ବବୃହତ ହକି ଷ୍ଟାଡିୟମ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ହକିକୁ ବିଶ୍ଵସ୍ତରରେ ପହଞ୍ଚାଇବା ସହ ଭଲ ପାଉଥିବା ସୁନ୍ଦରଗଡ଼ର ଖେଳାଳୀ ଏବଂ ଜନତାଙ୍କ ଲାଗି ଏହି ଷ୍ଟାଡିୟମ ଏକ ଶ୍ରଦ୍ଧାଞ୍ଜଳି ସଦୃଶ ବୋଲି କହିଥିଲେ 5T ଅଧ୍ୟକ୍ଷ। ଆଜିର ମ୍ୟାଚରେ ପ୍ରଥମେ ନିର୍ଦ୍ଧାରିତ ସମୟରେ ପରସ୍ପରକୁ ଗୋଟିଏ ଲେଖାଏଂ ଗୋଲ ଦେଇଥିଲେ ଭାରତ ଓ ନେଦରଲ୍ଯାଣ୍ଡସ। ପରେ ପେନାଲଟି ସୁଟ ଆଉଟରେ ଭାରତକୁ ୪-୨ ଗୋଲରେ ପରାସ୍ତ କରି ନେଦରଲାଣ୍ଡ ଵିଜୟୀ ହୋଇଛି। ଏହି ଅବସରରେ ହକି ପ୍ରୋଲିଗରେ ଅଂଶଗ୍ରହଣ କରିଥଇବା ସମସ୍ତ ଦଳଙ୍କୁ ଶୁଭକାମନା ଜଣାଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଭାରତୀୟ ହକି ଖେଳାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଆୟୋଜନ ଲାଗି ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟର ଦ୍ରୁତ ଅଭିବୃଦ୍ଧି, ନିବେଶ ସମ୍ଭାବନା, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ଉପରେ ବିସ୍ତୃତ ଆଲୋଚନା

ଭୁବନେଶ୍ବର: ବିକାଶ ପଥରେ ପଡ଼ିଶା । ବିଭିନ୍ନ କ୍ଷେତ୍ରରେ ଲଗାତାର ଅଭିବୃଦ୍ଧି ହେଉଛି। ଓଡ଼ିଶାରେ ଆଜି ରୂପାନ୍ତରଣର ନୂଆ ଚିତ୍ର ସୃଷ୍ଟି ହୋଇଛି । ରାଜ୍ୟରେ ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଆଗଧାଡ଼ିର ରାଜ୍ୟ ଭାବେ ପରିଚୟ ପାଇଛି। ଏହି ଅଭିବୃଦ୍ଧି ହାରକୁ ଦୀର୍ଘସ୍ଥାୟୀ କରିବା ସହ ଯୁବପିଢ଼ିଙ୍କୁ ସୁଦକ୍ଷ କରି ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ଲାଗି ପ୍ରସ୍ତୁତ କରିବାକୁ ଭୁବନେଶ୍ୱରରେ ଚାଲିଥିବା ପ୍ରଥମ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ରେ ବ୍ୟାପକ ମାନସମନ୍ଥନ ହୋଇଛି।

ଏହି ଦୁଇଦିନିଆ ସମ୍ମିଳନୀ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ଶିଳ୍ପ ନେତୃତ୍ୱ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ତଥା ନିଯୁକ୍ତି ଓ ମାନବ ସମ୍ବଳ ବିକାଶ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ସେମାନଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ବିଶେଷକରି ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ପ୍ରଶାସକ ଓ ପ୍ରଶିକ୍ଷକମାନେ ବିଭିନ୍ନ ଅଧିବେଶନରେ ଯୋଡ଼ି ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ୧୬ଟି ବିଶେଷ ଅଧିବେଶନ ଜରିଆରେ ସେମାନେ  ଭବିଷ୍ୟତର ଶିଳ୍ପ ପାଇଁ ଓଡ଼ିଶାରେ ରହିଥିବା ସମ୍ଭାବନା ତଥା ଭବିଷ୍ୟତ ଲାଗି ମାନବ ସମ୍ବଳ ପ୍ରସ୍ତୁତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରମୁଖ ବ୍ୟକ୍ତିତ୍ୱ ଓ ବିଶେଷଜ୍ଞମାନେ ସେମାନଙ୍କ ମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ।

ମଙ୍ଗଳବାର ଦିନ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିଭାଗର ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ ଯୋଗଦେଇ କହିଥିଲେ ଯେ, ‘‘ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପ ନୀତି ଆଜି ଦେଶ ବିଦେଶର ନିବେଶକମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରୁଛି। ପାରମ୍ପରିକ ଶିଳ୍ପ ସହ ଆଇଟି ଏବଂ ଆଇଟିଇଏସ୍, ମାନୁଫାକଚରିଂ, ଲଜିଷ୍ଟିକ୍ ଓ ସପ୍ଲାଏ ଚେନ୍ ତଥା ବିଭିନ୍ନ ସେବା କ୍ଷେତ୍ର ଲାଗି ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି। ଏହାଛଡ଼ା ଆଗାମୀ କାଲିର ଶିଳ୍ପ ଓ ବିଭିନ୍ନ କ୍ଷେତ୍ରର ଯେଉଁ ମାନବ ସମ୍ବଳର ଆବଶ୍ୟକତା ରହିଛି ତାହା ଆଜିଠାରୁ ପ୍ରସ୍ତୁତ କରିବା ପାଇଁ ଆମ ରାଜ୍ୟ ପ୍ରସ୍ତୁତ ହେଉଛି। ଏହି ଦୁଇଦିନିଆ ସମ୍ମିଳନୀରେ ଏହିସବୁ ବିଷୟରେ ଯେଉଁ ବ୍ୟାପକ ଆଲୋଚନା ହେଲା ତାହା ଆମକୁ ଏକ ନୂଆ ମାର୍ଗଦର୍ଶନ ଦେବାରେ ସହାୟକ ହେବ।’’

ସୋମବାର ଦିନ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ପରିପ୍ରେକ୍ଷୀରେ ନୂଆ ବାଟ ଦେଖାଇବ। ସେହିପରି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଯୋଗଦେଇ ଓଡ଼ିଶାର ରୂପାନ୍ତରଣର ନୂଆ ଯୁଗ ସମ୍ପର୍କରେ ଉପସ୍ଥାପନା କରିଥିଲେ।

ସମ୍ମିଳନୀର ପ୍ରଥମ ଦିନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ‘‘ସ୍କିଲ୍ଡ ଇନ୍ ଓଡ଼ିଶା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ହୋଇଥିବା ବେଳେ ଓଡ଼ିଶା ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଗଣିତ ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ସମ୍ମିଳନୀ ପ୍ରମୁଖ ନିଯୁକ୍ତିଦାତା ଏବଂ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ।’’

ସମ୍ମିଳନୀର ଦ୍ୱିତୀୟ ଦିନରେ ‘ମିଶନ ଶକ୍ତି ଓଡ଼ିଶା’ ଶୀର୍ଷକରେ ଏକ ବିଶେଷ ଅଧିବେଶନ ହୋଇଥିଲା। ଏଥିରେ ମିଶନ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍ ଯୋଗଦେଇ ରାଜ୍ୟରେ ମହିଳା ସଶକ୍ତିକରଣର ସୁଦୂରପ୍ରସାରୀ ସୁଫଳ ସମ୍ପର୍କରେ କହିଥିଲେ। ରାଜ୍ୟର ଦ୍ରୁତ ଅଭିବୃଦ୍ଧି ପଛରେ ୭୦ ଲକ୍ଷରୁ ଅଧିକ ମହିଳା ଶକ୍ତିଙ୍କର ହାତ ରହିଛି ବୋଲି ସେ ବର୍ଣ୍ଣନା କରିଥିଲେ।

ଏହାସହ ମଙ୍ଗଳବାର ଦିନ ବିଭିନ୍ନ ବିଷୟରେ ହୋଇଥିବା ବୈଷୟିକ ଅଧିବେଶନରେ ପୂର୍ବତନ ଶିଳ୍ପ ନେତୃତ୍ୱ ତଥା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଏବଂ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

ଉଦଯାପନୀ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଏବଂ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ରେଘୁ ଜି ଯୋଗ ଦେଇଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ଶିଳ୍ପ ବ୍ୟକ୍ତିତ୍ୱ ଓ ମାନବ ସମ୍ବଳ ଓ ଦକ୍ଷତା ବିକାଶ ବିଶେଷଜ୍ଞମାନଙ୍କ ସକ୍ରିୟ ଯୋଗଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା।