ମୁମ୍ବାଇ: ଆପଣ ନିଶ୍ଚୟ ସୋସିଆଲ ମିଡିଆରେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ଫଲୋ କରୁଥିବେ । ଅମିତାଭଙ୍କର ଫ୍ୟାନ୍ ସବୁ ଯାଗାରେ ଅଛନ୍ତି । ବହୁ ବଡ଼ ବଡ଼ ଷ୍ଟାରଙ୍କୁ ଆପଣ ଫଲୋ କଲାବେଳେ ଦେଖୁଥିବେ ଯେ, ଷ୍ଟାର ମାନେ କାହାକୁ ଫଲୋ କରନ୍ତି ନାହିଁ । ତାଙ୍କ ଫଲୋ ଲିଷ୍ଟ ଜିରୋ ଥାଏ । କିନ୍ତୁ ଅମିତାଭ ଏମିତି ଜଣେ ଷ୍ଟାର ସେ ସବୁବେଳେ ଦର୍ଶକଙ୍କ ମନ ଜିଣିଥାନ୍ତି । ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ପ୍ରବଳ । ସେ କିନ୍ତୁ ଜଣଙ୍କୁ ଫଲୋ କରନ୍ତି । ତାଙ୍କ ସୋସିଆଲ ମିଡିଆ ଦେଖିଲେ କେବଳ ଜଣେ ଫଲୋ ହିଁ ଦେଖାଇବ । ସେହି ବ୍ୟକ୍ତି ଜଣଙ୍କ ତାଙ୍କର ବନ୍ଧୁ ବାନ୍ଧବ କି ଫିଲ୍ମ ଦୁନିଆର ନୁହଁନ୍ତି । ତାଙ୍କ ନାଁ ହେଉଛି ଅବନୀ ରାଠି । ଅବନୀ ଦୃଷ୍ଟି ବାଧିତ । ଅମିତାଭ ବଚ୍ଚନଙ୍କ ସହ ରିଆଲିଟି ଶୋ’ କନ୍ ବନେଗା କରୋଡପତିର ୧୪ ତମ ସିଜିନରେ ହୋଇଥିଲା । ଅବନୀ ଜଣେ ଲେଖକ, ଗୀତିକାର ମଧ୍ୟ । ଅମିତାଭ କୁହନ୍ତି ୨୦୧୯ ମସିହାରେ ତାଙ୍କ ଜନ୍ମଦିନ ଅବସରରେ ଅବନୀ ତାଙ୍କୁ ଚିଠି ଲେଖିଥିଲେ । ସେ ସୋସିଆଲ ମିଡିଆରେ ମୋତେ ଫଲୋ କରନ୍ତି ବୋଲି କହିଥିଲେ । ଏଥିପାଇଁ ମୁଁ ବି ତାଙ୍କୁ ଫଲୋ କରୁଛି । ଏହା ପରଠାରୁ ଅଭିତାଭ ଅବନୀଙ୍କୁ ଫଲୋ କରୁଛନ୍ତି ।
ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ
ଭୁବନେଶ୍ବର: ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଫେବୃଆରୀ ୨୮ ତାରିଖରେ ସେ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ । ଏହାସହ ରାଜ୍ଯରେ ଯେଉଁ କୃଷି ବିକାଶ ହୋଇଛି ତାକୁ ଅନୁଧ୍ଯାନ କରିବେ । ବିଶେଷକରି କିପରି କୃଷି ବିଭାଗ ଯୋଜନା ସବୁ ଲାଗୁ କରୁଛି ତାକୁ ଅନୁଧ୍ଯାନ କରିବେ ବିଲ ଗେଟସ । କାଳିଆ, ମିଶନ ଶକ୍ତି, ମୁଖ୍ୟମନ୍ତ୍ରୀ କୃଷି ଯୋଜନା, କୃଷି ବିବିଧକରଣ, ମାଟିର ଆର୍ଦ୍ରତାକୁ ନେଇ ଚାଷ, ୧୮୦ ବ୍ଲକରେ ମିଲେଟ ମିଶନ, ମହିଳା ଚାଷୀଙ୍କ ଆତ୍ମନିଯୁକ୍ତି, ମାଣ୍ଡିଆର ଅନ୍ତର୍ଜାତୀୟସ୍ତରୀୟ ପ୍ରସାରର ସଫଳ ରୂପାୟନକୁ ଅନୁଧ୍ୟାନ କରିବା ପାଇଁ ବିଲ ଗେଟ୍ସ ଆସୁଛନ୍ତି ।
ଏତେ କମ ସମୟ ଭିତରେ ଏତେ କୃଷି ଯୋଜନାକୁ ତୃଣମୂଳସ୍ତରରୁ ଅନ୍ତର୍ଜାତୀୟସ୍ତର ଯାଏ କିପରି ନିଆଗଲା, ତାକୁ ସେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି କୃଷି ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା । ୨୦୧୭ରେ ବିଲ ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା। ଯାହା ଜରିଆରେ ବୈଷୟିକ ପ୍ରଣାଳୀରେ କ୍ଷୁଦ୍ରଚାଷୀଙ୍କ ଆୟ ବୃଦ୍ଧି କରାଯିବା ନେଇ ଯୋଜନା ହୋଇଥିଲା । ବିଲ ଗେଟ୍ସ ଫାଉଣ୍ଡେସନ ଏଥିପାଇଁ ବୈଷୟିକ ସହାୟତା ଯୋଗାଉଛି ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସର କଡା ସୁରକ୍ଷା, ଦାୟିତ୍ୱରେ ରହିବେ ୮୫ ଅଫିସର
ଭୁବନେଶ୍ବର: ଆସନ୍ତା ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସର କଡା ସୁରକ୍ଷା। ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ରହିବେ ୩୦ ପ୍ଲାଟୁନ ଫୋର୍ସ। ନିରୀକ୍ଷଣ ଦାୟିତ୍ୱରେ ରହିବେ ୮୫ ଜଣ ଅଫିସର। ୩ଟି କ୍ୱିକ ରେସ୍ପନ୍ସ ଟିମ, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ ସୁରକ୍ଷା ଦାୟିତ୍ୱରେ ରହିବେ। ୧୨ ଅତିରିକ୍ତ ଡିସିପି, ୨୫ ଏସିପି, ୪୦ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ। ୧୬୦ ଟ୍ରାଫିକ ଓ ୧୫୦ ହୋମଗାର୍ଡ ନିୟୋଜିତ ହେବେ। ବ୍ଲୁ ବୁକ ଗାଇଡ଼ଲାଇନ ମୁତାବକ ପୁରା ସହର ହେବ ପୋଲିସ ଛାଉଣୀ। ସଭାସ୍ଥଳରେ ପ୍ରୋଟକଲ ମୁତାବକ ନିମନ୍ତ୍ରିତ ଅତିଥୀଙ୍କ ତଥ୍ୟ ରହିବ। ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ, ସମ୍ବଲପୁର ଗସ୍ତ କରିବେ ରାଷ୍ଟ୍ରପତି। କାରକେଡ଼ ଯିବାବେଳେ ସାଧାରଣ ଲୋକଙ୍କ ଟ୍ରାଫିକ ସମସ୍ୟା ନହେବାକୁ ଧ୍ୟାନ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ।
ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ
କେନ୍ଦୁଝର: କେନ୍ଦୁଝରରେ ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ। ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋସିଆଲ ମିଡିଆରେ ଘୁରିବୁଲୁଛି ପ୍ରଶ୍ନ ପତ୍ର ଓ ଏହାର ଉତ୍ତର। ତେବେ ପରୀକ୍ଷା ଶେଷ ପରେ ଏହାର ସତ୍ୟାସତ୍ୟ ଜଣାପଡ଼ିବ। ତେବେ ଏହି ପ୍ରଶ୍ନପତ୍ର ଚଳିତ ବର୍ଷର ନା ପୂର୍ବ ବର୍ଷର ତାହାର ସତ୍ୟାସତ୍ୟ ଜଣାପଡିନାହିଁ। ପୂର୍ବରୁ କେନ୍ଦୁଝରରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଥିଲା। ଖଣ୍ଡନ କରିଥିଲେ ବୋର୍ଡ କର୍ତ୍ତୃପକ୍ଷ।
ଏକାଥର ଦୁଇଟା ଗାଡ଼ିକୁ ଧକ୍କା ଦେଲା ସ୍କର୍ପିଓ, ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ
ପାଟନା: ବିହାର କୈମୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଛି । ଗତାକାଲି ରାତିରେ NH 2 ରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିବା ଜଣା ପଡ଼ିଛି । ୩ଟି ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲେ ।
ସୂଚନା ଅନୁସାରେ, ଏକ ସ୍କର୍ପିଓରେ ମୋଟ ୮ ଜଣ ଲୋକ ସାସରାମ ନାମକ ସ୍ଥାନରୁ ବାରଣାସୀ ଅଭିମୁଖେ ଯାଉଥିଲେ । NH 2 ରେ ମୋହାନିଆ ପୋଲିସ୍ ଷ୍ଟେସନ ନିକଟରେ ସ୍କର୍ପିଓ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କର୍ପିଓଟି ଡିଭାଇଡର ପାର୍ କରି ଆରପଟ ରାସ୍ତାକୁ ଚାଲି ଯାଇଥିଲା । ଅନ୍ୟ ପଟ ରାସ୍ତାରେ ଆସୁଥିବା ଟ୍ରକ ସହ ସ୍କର୍ପିଓର ପୁଣି ଧକ୍କା ହୋଇଥିଲା ।
ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣାରେ ସ୍କର୍ପିଓଟି ଭାଙ୍ଗି ଚୁରମାର୍ ହୋଇଯାଇଛି । ମୋହନିଆ ପୋଲିସ ଏବଂ NHAI ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍କର୍ପିଓ ଭିତରେ ଥିବା ମୃତଦେହ ଉଦ୍ଧାର କରିଥିଲେ । ମୃତକଙ୍କ ଚିହ୍ନଟ ହୋଇପାରିନାହିଁ । ସମସ୍ତ ଶବ ଜବତ କରି ପୋଲିସ ପୋଷ୍ଟମର୍ଟମ କରିବାକୁ ପଠାଇଛି ।
ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । କ୍ଷତିଗ୍ରସ୍ତ ଗାଡ଼ିକୁ ପୋଲିସ୍ ଘଟଣାସ୍ଥଳରୁ ହଟାଇଲା ପରେ ଯାତାୟତ ହୋଇଥିଲା ।
ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ, ୩ ମୃତ, ୪ ଗୁରୁତର
କେନ୍ଦ୍ରାପଡ଼ା: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବୋଲେରୋରେ ୫ ଜଣ ଡ୍ରାମା କଳାକାର ଥିଲେ ।
ସୂଚନା ଅନୁସାରେ, ଗତକାଲି ରାତିରେ ନରଣପୁର ଗ୍ରାମରୁ ଡ୍ରାମା ସାରି ୫ ଜଣ କଳାକାରଙ୍କ ସମେତ ୭ ଜଣ ଉକ୍ତ ବୋଲେରୋ ଯୋଗେ ନିଜ ଘରକୁ ଫେରୁଥିଲେ । ଭୋରରେ ଭାରସାମ୍ୟ ହରାଇ ଓସ୍ତପୁର ପେଟ୍ରୋଲ ପମ୍ପ ନିକଟ ଗଛରେ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣାରେ ବୋଲେରୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହେବା ସହ ଆଉ ୪ ଜଣ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା ଏବେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟ, ଆଜି ହେବ ନିର୍ଣ୍ଣାୟକ ଲଢ଼େଇ
ରାଞ୍ଚି: ରୋମାଞ୍ଚକର ସ୍ଥିତିରେ ଭାରତ ଇଂଲଣ୍ଡ ରାଂଚି ଟେଷ୍ଟ। ଆଜି ଚତୁର୍ଥ ଦିନ ଭାରତ ପାଇଁ ହେବ ନିର୍ଣ୍ଣାୟକ । ୨-୧ରେ ସିରିଜ୍ ଆଗୁଆ ଥିବା ଭାରତ ପାଇଁ ସିରିଜ ବିଜୟର ରହିଛି ସୁଯୋଗ । ଭାରତ ଆଗରେ ୧୯୨ ରନର ଟାର୍ଗେଟ ରହିଛି । ଭାରତ ଦ୍ବିତୀୟ ଇଂନିସ ବ୍ୟାଟିଂ ଜାରି ରଖିଥିବାବେଳେ ଗତକାଲି ଖେଳ ଶେଷ ପର୍ଯ୍ୟନ୍ତ କୌଣସି ୱିକେଟ ନହରାଇ ୪୦ ରନ କରିଥିଲା ।
ଅଧିନାୟକ ରୋହିତ ଶର୍ମା ୨୪ ଏବଂ ଯଶସ୍ଵୀ ଜୟଓ୍ବାଲ ୧୬ ରନ କରି କ୍ରିଜରେ ଅଛନ୍ତି। ଭାରତକୁ ଏହି ଟେଷ୍ଟ ଜିତିବାକୁ ହେଲେ ଆଉ ୧୫୨ ରନ କରିବାକୁ ପଡିବ। ଆଜିର ମ୍ଯାଚ ଜିତିଲେ ୫ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ବିଜୟୀ ହେବ ଟିମ ଇଣ୍ଡିଆ। ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ଏବଂ ଦ୍ଵିତୀୟ ଇନିଂସରେ ୧୪୫ ରନ କରିଥିଲା। ଟିମ ଇଣ୍ଡିଆ ସ୍ପିନର ଆର ଅଶ୍ଵୀନଙ୍କ ବୋଲିଂରେ ଧରାଶାୟୀ ହୋଇଯାଇଥିଲେ ବ୍ରିଟିଶ ଦଳ। ୫୧ ରନ ଦେଇ ୫ଟି ୱିକେଟ ନେଇଥିଲେ ଅଶ୍ଵୀନ। ସେହିପରି କୁଳଦୀପ ଯାଦବ ୨୨ ରନ ଦେଇ ୪ଟି ୱିକେଟ ନେଇଥିଲେ। ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ୱିକେଟ ମିଳିଥିଲା। ଭାରତ ପ୍ରଥମ ଇଂନିସରେ ୩୦୭ ରନ କରିଥିଲା। ଧ୍ରୁବ ଜୁରେଲ ୯୦ ରନ କରିଥିବାବେଳେ ଯଶସ୍ଵୀ ଜୟସ୍ଵାଲ ଦ୍ବିତୀୟ ସର୍ବାଧିକ ୭୩ ରନ କରିଥିଲେ। ଶୁବମନ ଗିଲ ୩୮ ଏବଂ କୁଲଦୀପ ଯାଦବ ୨୮ ରନ କରିଥିଲେ। ପ୍ରଥମ ଇଂନିସରେ ଇଂଲଣ୍ଡର ଶୋଏବ ବଶୀରଙ୍କୁ ସର୍ବାଧିକ ୫ ୱିକେଟ ମିଳିଥିଲା ।
ରାଜ୍ୟରେ କୋହଲା ପାଗ ଜାରି, ୨୯ ଯାଏ ରହିବ ଏମିତି ପାଗ
ଭୁବନେଶ୍ବର: ସାରା ରାଜ୍ୟରେ ଲାଗିରହିଛି କୋହଲା ପାଗ । କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା । ଓଡ଼ିଶାର ସବୁଠି ଏଭଳି ପାଗ ଜାରି ରହିଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏକ ନିମ୍ନଚାପରେଖା ଛତିଶଗଡରୁ ବାହାରି କର୍ଣ୍ଣାଟକ ପର୍ଯ୍ୟନ୍ତ ଲମ୍ବିଛି । ଏହାସହ ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା ବାୟୁ ପ୍ରବାହ ସାଙ୍ଗକୁ ନିମ୍ନ ଚାପରେଖା ସକ୍ରିୟ ରହିଛି । ଦୁଇଟି ନିମ୍ନଚାପରେଖା ପ୍ରଭାବରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆଜି ଆଭ୍ୟନ୍ତରୀଣ ଓଡ଼ିଶା ଏବଂ କାଲି ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ବର୍ଷା ପ୍ରଭାବରେ ତାତିରେ ବ୍ରେକ୍ ଲାଗିବା ସହ ସ୍ବାଭାବିକ ଠାରୁ ୭ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ୨୯ ତାରିଖ ପରେ ପାଗରେ ପରିବର୍ତ୍ତନ ହୋଇପାରେ ।
ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ଯମନ୍ତ୍ରୀ
ଭୁବନେଶ୍ବର: ସୁବର୍ଣ୍ଣପୁରର ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ଯମନ୍ତ୍ରୀ । ବୀରମହାରାଜାପୁରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ନେଇ ଘୋଷଣା କରିଥିଲେ। ବୀରମହାରାଜପୁର ଏଥିରେ ସାମିଲ ହେବାଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ବୀରମହାରାଜପୁର ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ସବଡିଭିଜନ ମୁଖ୍ୟାଳୟ।
ରାଜ୍ଯରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ
ଭୁବନେଶ୍ବର: ରାଜ୍ଯରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ । ହେଲଥ ସିଷ୍ଟମ ଟ୍ରାନ୍ସଫର୍ମେସନ୍ ପ୍ଲାଟଫର୍ମ ବା ଏଚଏସଟିପି ସହ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ଯୋଜନା ହାତକୁ ନେଇଛନ୍ତି । ବିଦେଶକୁ ଷ୍ଟେଟ୍ ହେଲଥ ଆସ୍ୟୁରାନସ୍ ସୋସାଇଟି ପ୍ରତିନିଧିଙ୍କ ଏକ୍ସପୋଜର ଭିଜିଟ୍ ସହ କମ୍ପ୍ରେହେନସିଭ୍ ପ୍ରାଇମେରୀ ହେଲଥ କେୟାରକୁ ନୂଆରୂପ ଦିଆଯିବ।
ଷ୍ଟେଟ୍ ହେଲଥ ଆସ୍ୟୁରାନସ୍ ସୋସାଇଟି ପ୍ରତିନଧି ଥାଇଲାଣ୍ଡ ଯିବେ । ସ୍ବାସ୍ଥ୍ୟ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ୍ସପୋଜର ଭିଜିଟରେ ପଠାଯିବ । ସେଠାରେ ଆୟୋଜନ ହେବ ପିଏମଏସି -୨୦୨୪ । ପ୍ରତିନିଧିମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲିଙ୍ଗଗତ ସମାନତା ସମ୍ପର୍କରେ ପୋଷ୍ଟର ପ୍ରଦର୍ଶନ କରିବେ। ଯାହାର ଉପସ୍ଥାନ ଓ ଅନ୍ୟାନ୍ୟ ନେଟଓ୍ବର୍କିଂର ସୁବିଧା ଯୋଗାଇବ ହେଲଥ ସିଷ୍ଟମ ଟ୍ରାନସଫର୍ମେସନ୍ ପ୍ଲାଟଫର୍ମ ବା ଏଚଏସଟିପି। ସ୍ବାସ୍ଥ୍ୟ ବିଭାଗ ଓ ଏଚଏସଟିପି ମିଶି ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏଚଏସଟିପି ସହାୟତାରେ ସ୍ବାସ୍ଥ୍ୟ ବିଭାଗର ଅନ୍ୟ କାର୍ଯ୍ୟକ୍ରମକୁ ମଧ୍ୟ ଆହୁରି ସୁଦୃଢ଼ କରାଯିବ। ଚିହ୍ନଟ ଜିଲ୍ଳାରେ ଜୁରୁରିକାଳୀନ ଓ ଟ୍ରମା କେୟାର ସେବା ବ୍ଯାପକ ହେବ। ଯାହାକୁ ଅତିରିକ୍ତ ଡିଏମଇଟି ନିର୍ଦ୍ଦେଶକ ମନିଟର କରିବେ। ଏଚଏସଟିପି ଓ ଅତିରିକ୍ତ ଡିଏମଇଟି ନିର୍ଦ୍ଦେଶକ ମିଳିତ ଭାବେ ଆବଶ୍ୟକତା ପୂରଣ କରିବେ। ଭେକ୍ଟର ବର୍ଣ୍ଣ ରୋଗର ଶୀଘ୍ର ସର୍ଭେଲାନସ୍, ଚିହ୍ନଟ ଓ ଚିକତ୍ସାକୁ ସୁଦୃଢ଼ କରାଯିବ। ଏଚଏସଟିପିର ବୈଷୟିକ ସହାୟତାରେ ଏ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମୁଖ୍ୟତଃ ବିନା ପ୍ରେସକ୍ରିପସନରେ ଔଷଧ ନଦେବା ନିୟମକୁ ତୃଣମୂଳ ସ୍ତରରେ କଡ଼ାକଡ଼ି କରାଯିବ ।
ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରି କମ୍ପ୍ରେହେନସିଭ୍ ପ୍ରାଇମେରୀ ହେଲଥ କେୟାରକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନିଆଯିବ। କମ୍ପ୍ରେହେନସିଭ୍ ପ୍ରାଇମେରୀ ହେଲଥ କେୟାର ସୁଦୃଢ଼ ହେଲେ ସେକେଣ୍ଡାରୀ ଓ ଟର୍ସିଆରି ସ୍ତର ଉପରେ ଚାପ କମିବ। ଲୋକଙ୍କ ପାଖରେ ସହଜରେ ପହଞ୍ଚିବ ଚିକିତ୍ସା ସୁବିଧା ।

