ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ

1 min read

ଭୁବନେଶ୍ବର: ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଫେବୃଆରୀ ୨୮ ତାରିଖରେ ସେ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ । ଏହାସହ ରାଜ୍ଯରେ ଯେଉଁ କୃଷି ବିକାଶ ହୋଇଛି ତାକୁ ଅନୁଧ୍ଯାନ କରିବେ । ବିଶେଷକରି କିପରି କୃଷି ବିଭାଗ ଯୋଜନା ସବୁ ଲାଗୁ କରୁଛି ତାକୁ ଅନୁଧ୍ଯାନ କରିବେ ବିଲ ଗେଟସ । କାଳିଆ, ମିଶନ ଶକ୍ତି, ମୁଖ୍ୟମନ୍ତ୍ରୀ କୃଷି ଯୋଜନା, କୃଷି ବିବିଧକରଣ, ମାଟିର ଆର୍ଦ୍ରତାକୁ ନେଇ ଚାଷ, ୧୮୦ ବ୍ଲକରେ ମିଲେଟ ମିଶନ, ମହିଳା ଚାଷୀଙ୍କ ଆତ୍ମନିଯୁକ୍ତି, ମାଣ୍ଡିଆର ଅନ୍ତର୍ଜାତୀୟସ୍ତରୀୟ ପ୍ରସାରର ସଫଳ ରୂପାୟନକୁ ଅନୁଧ୍ୟାନ କରିବା ପାଇଁ ବିଲ ଗେଟ୍ସ ଆସୁଛନ୍ତି ।

ଏତେ କମ ସମୟ ଭିତରେ ଏତେ କୃଷି ଯୋଜନାକୁ ତୃଣମୂଳସ୍ତରରୁ ଅନ୍ତର୍ଜାତୀୟସ୍ତର ଯାଏ କିପରି ନିଆଗଲା, ତାକୁ ସେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି କୃଷି ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା । ୨୦୧୭ରେ ବିଲ ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା। ଯାହା ଜରିଆରେ ବୈଷୟିକ ପ୍ରଣାଳୀରେ କ୍ଷୁଦ୍ରଚାଷୀଙ୍କ ଆୟ ବୃଦ୍ଧି କରାଯିବା ନେଇ ଯୋଜନା ହୋଇଥିଲା । ବିଲ ଗେଟ୍ସ ଫାଉଣ୍ଡେସନ ଏଥିପାଇଁ ବୈଷୟିକ ସହାୟତା ଯୋଗାଉଛି ।