spot_img
Home Blog Page 2176

ଏଣିକି କଟକ SCB ମେଡିକାଲରେ କରାଯିବ ଲିଭର ପ୍ରତିରୋପଣ

କଟକ: କଟକ SCB ମେଡିକାଲରେ ଏଣିକି କରାଯିବ ଲିଭର ପ୍ରତିରୋପଣ । ଏଥିପାଇଁ ହାଇଦ୍ରାବାଦ ସ୍ଥିତ ଏସିଆ ଇନଷ୍ଟିଚ୍ୟୁଟ୍ ଅଫ ଲିଭର ଟ୍ରାନ୍ସପ୍ଲାଣ୍ଟ ସହ ହୋଇଛି ବୁଝାମଣା । ଏହା ସମ୍ଭବ ହେଲେ ରୋଗୀ ତାଙ୍କ ସମ୍ପର୍କୀୟଙ୍କୁ ଆଉ ବାହାର ରାଜ୍ୟର ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସମ୍ପୂର୍ଣ୍ଣ ମାଗଣାରେ ଏଠାରେ ହେବ ବ୍ୟୟବହୁଳ ଲିଭର ପ୍ରତିରୋପଣ । ୫ ତାରିଖରେ ହାଇଦ୍ରାବାଦରୁ ବିଶେଷଜ୍ଞ ଟିମ ଆସି ଭିତ୍ତିଭୂମିର ସମୀକ୍ଷା କରିବେ ।

ଆହୁରି ଆଗକୁ ବଢୁଛି କଟକ SCB ବଡମେଡିକାଲ । ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ସୃଷ୍ଟି କରୁଛି ନୂଆ ମାଇଲଷ୍ଟୋନ । କିଡନୀ ପରେ ଏଣିକି କରାଯିବ ଲିଭର ପ୍ରତିରୋପଣ । ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ବ୍ୟବହୁଳ ଚିକିତ୍ସା । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୨୦୨୩ରୁ ଏହି ପକ୍ରିୟା ଆରମ୍ଭ କରାଯାଇଛି । ଏଥିପାଇଁ ହାଇଦ୍ରାବାଦ ସ୍ଥିତ ଏସିଆ ଇନଷ୍ଟିଚ୍ୟୁଟ ଅଫ ଲିଭର ଟ୍ରାନ୍ସପ୍ଲାଣ୍ଟ ସହିତ ଅନୁବନ୍ଧିତ ହୋଇଛି ଏସସିବି । ଏକ ଡାକ୍ତରୀ ଟିମ ହାଇଦ୍ରାବାଦ ଯାଇ ପ୍ରତିରୋପଣ ବ୍ୟବସ୍ଥାର ସମସ୍ତ ସୋପାନକୁ ଅନୁଶୀଳନ କରିଛନ୍ତି । ସେହି ଅନୁଯାୟୀ ଏସସିବିରେ ପ୍ରତିରୋପଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ୫ ତାରିଖ ଦିନ ହାଇଦ୍ରାବାଦରୁ ଏକ୍ସପର୍ଟ ଟିମ ଆସି ଏସସିବିର ଭିତ୍ତିଭୂମି ଯାଞ୍ଚ କରିବା ପରେ ଆରମ୍ଭ ହେବ ପ୍ରକ୍ରିୟା ।

ଏସସିବି ମେଡିକାଲ ରେଫରାଲ ହସ୍ପିଟାଲ ହେବା ସାଙ୍ଗକୁ ଏଠାରେ ଚିକିତ୍ସା ସେବା ସମ୍ପୂର୍ଣ ମାଗଣା ହୋଇଥିବାରୁ କେବଳ ଓଡିଶା ନୁହେଁ ପଡୋଶୀ ରାଜ୍ୟର ରୋଗୀ ମଧ୍ୟ ନିର୍ଭର କରୁଛନ୍ତି । ପ୍ରତି ମାସରେ ୧୫ ଶହରୁ ୨ ହଜାର ଲିଭର ରୋଗୀ ଏସସିବି ଆସୁଛନ୍ତି । ୬୦ ପ୍ରତିଶତ ରୋଗୀ ନିଶା ପାନୀୟ ପାଇଁ ରୋଗର ଶିକାର ହୋଇଥିବା ଜଣାପଡୁଛି । ସେମାନଙ୍କ ମଧ୍ୟରୁ ବି କାଟାଗୋରୀ ଅର୍ଥାତ ପ୍ରତିରୋପଣ ସମ୍ଭବ ଥିବା ରୋଗୀଙ୍କ ସଂଖ୍ୟା ୧୦ ରୁ ୧୨ ପ୍ରତିଶତ । ତେବେ ଏହି ପକ୍ରିୟା ଉଭୟ ଲିଭର ଦାନ କରୁଥିବା ଓ ପ୍ରତିରୋପଣ ହେଉଥିବା ବ୍ୟକ୍ତିଙ୍କ ପାଇଁ ବେଶ ଜଟିଳ ଓ ବିପଦପୂର୍ଣ୍ଣ । ତେଣୁ ସ୍ଥିତିକୁ ଦେଖି ଏସସିବିରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ ପରେ ଯାଇ ଏହାକୁ ଆରମ୍ଭ କରାଯିବ ବୋଲି କହିଛନ୍ତି ଡାକ୍ତର ।

କେ.ଜେ.ଏସ୍. ଆଲ୍ଲୁଓ୍ବାଲିଆ ପ୍ଲାଣ୍ଟରେ ବିସ୍ଫୋରଣ

କେନ୍ଦୁଝର: କେନ୍ଦୁଝର ବରପଦା ଠାରେ ଥିବା କେ.ଜେ.ଏସ୍. ଆଲ୍ଲୁଓ୍ବାଲିଆ ପ୍ଲାଣ୍ଟରେ ବିସ୍ଫୋରଣ । ମଧ୍ୟାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ୍ ଫର୍ନେସରେ  ଏହି  ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ୍ ଫର୍ନେସରୁ ତରଳ ଧାତୁ ଛିଟିକି ପାଖରେ ଥିବା ଏକ ହାଇୱା ଉପରେ ପଡିଥିଲା । ଫଳରେ ହାଇୱାର ପଛଭାଗ ଜଳି ଯାଇଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ପୋଲିସ କହିଛି । ଦୁର୍ଘଟଣା ସମୟରେ ପାଖରେ କେହି ଶ୍ରମିକ ନଥିବାରୁ ବଡ ଅଘଟଣ ଟଳିଛି ।

ବରଗଡ଼ ଧନୁଯାତ୍ରା ପାଇଁ ଜୋରଦାର ଚାଲିଛି ଆଖଡ଼ା

ବରଗଡ:  ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ । ଆରମ୍ଭ ହେଲାଣି ଅଭ୍ୟାସ । ୪ ଦିନ ଧରି ଆଖଡ଼ାଶାଳରେ କୁନି କୁନି କଳାକାର ନିଜ ନିଜର ଚମତ୍କାର ଅଭିନୟ ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ଅଭିଜ୍ଞ ବ୍ୟକ୍ତିବିଶେଷ ମାନଙ୍କ ଦ୍ଵାରା ଏହି କୁନି କୁନି କଳାକାରଙ୍କୁ ଶ୍ଳୋକ, ଗୀତ ଓ ଅଭିନୟ ପାଇଁ ପ୍ରସ୍ତୁତ କରାଯାଉଛି ।

ବରଗଡରେ ଧନୁଯାତ୍ରା ପାଇଁ ଆରମ୍ଭ ହେଲାଣି ଅଭ୍ୟାସ । ୪ଦିନ ଧରି ଆଖଡ଼ାଶାଳରେ କୁନି କୁନି କଳାକାର ନିଜ ନିଜର ଚମତ୍କାର ଅଭିନୟ ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ଗୋପପୁରରେ କୃଷ୍ଣ ଭୂମିକାରେ ଅଭିନୟ କରୁଥିବା ସମ୍ରାଟ ମହାପାତ୍ର, ରାଧା ଭୂମିକା ପାଇଁ ବୈଷ୍ଣବୀ ବିର୍ତିଆ ଓ ବଳରାମ ଭୂମିକା ପାଇଁ କିଶନ କୁମାର ବିର୍ତିଆ ସହ ଗୋପୀ, ଗୋପାଳ ଚରିତ୍ରରେ ଅଭିନୟ କରୁଥିବା କୁନି କଳାକାର ମାନେ ନିଜ ନିଜ ମଧ୍ୟରେ ଅଭିନୟର ମଧୁର ସମନ୍ଵୟ ପାଇଁ ଚେଷ୍ଟା କରୁଛନ୍ତି ।

ଅଭିଜ୍ଞ ବ୍ୟକ୍ତିବିଶେଷ ମାନଙ୍କ ଦ୍ଵାରା ଏହି କୁନି କୁନି କଳାକାରଙ୍କୁ ଶ୍ଳୋକ, ଗୀତ ଓ ଅଭିନୟ ପାଇଁ ପ୍ରସ୍ତୁତ କରାଯାଉଛି । ତେବେ ଗତବର୍ଷ କୃଷ୍ଣ, ବଳରାମ ଓ ରାଧା ଭୂମିକାରେ ଅଭିନୟ କରିଥିବା କଳାକାରଙ୍କୁ ପରିବର୍ତ୍ତନ ନକରାଯାଇ ସେହି କଳାକାର ମାନେ ଏ ବର୍ଷର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ପୁନର୍ବାର ଅଭିନୟ କରିବେ । ତେବେ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ନିଜ ନିଜର ଉତ୍କୃଷ୍ଟ କଳା ପ୍ରଦର୍ଶନ ପାଇଁ ଗୋପପୁରର କୁନି ଅଭିନେତା ମାନେ ଅଣ୍ଟା ଭିଡି ସାରିଛନ୍ତି । ଗୋପପୁରର ଗୋପୀ ଗୋପାଳ, କୃଷ୍ଣ ବଳରାମ ଓ ରାଧା ଆଦି କଳାକାରଙ୍କ ଆଖଡ଼ାଶାଳରେ କଠିନ ପରିଶ୍ରମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବ।

 

ଗେମ୍ ଖେଳୁଥିବା ବେଳେ ଭର୍ଚୁଆଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ମେଟାଭର୍ସରେ ୧୬ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ। ଗେମ୍ ଖେଳୁଥିବା ବେଳେ ଭର୍ଚୁଆଲରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ବ୍ରିଟେନରେ ଏଭଳି ପ୍ରଥମ ମାମଲା ସାମନାକୁ ଆସିଛି। ନାବାଳିକା ଜଣକ ଭର୍ଚୁଆଲ୍ ରିୟଲିଟି ବା ଭିଆର ହେଡସେଟ୍ ପିନ୍ଧି ଗେମ୍ ଖେଳୁଥିବା ବେଳେ ତାଙ୍କ ଡିଜିଟାଲ୍ ଅବତାର ସହ କିଛି ଅଜଣା ଲୋକ ଗ୍ୟାଙ୍ଗରେପ୍ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କର ଶାରୀରିକ ଭାବେ କୌଣସି କ୍ଷତି ହୋଇନି। ହେଲେ ମାନସିକ ସ୍ତରରେ ସେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଜଣେ ଦୁଷ୍କର୍ମ ପୀଡ଼ିତା ଯେଉଁଭଳି ମାନସିକ ଭାବେ କ୍ଷତ ବିକ୍ଷତ ଅନୁଭବ କରନ୍ତି, ସେହିପରି ଭର୍ଚୁଆଲ ଗ୍ୟାଙ୍ଗରେପରେ ପୀଡ଼ିତା ଜଣକ ସମାନ ଅବସ୍ଥା ଅନୁଭବ କରିଛନ୍ତି ବୋଲି କହିଛନ୍ତି । ପୂର୍ବରୁ ମଧ୍ୟ ମେଟାଭର୍ସରେ ଏଭଳି ଅତ୍ୟାଚାର ମାମଲା ସାମନାକୁ ଆସିଛି । ହେଲେ ଗଣଦୁଷ୍କର୍ମର ଏହା ପ୍ରଥମ ମାମଲା ।

ନୀଳଗିରି ଉପଖଣ୍ଡ ଟଣକା ଗାଁରେ ଭାଲୁ ଆତଙ୍କ

ନୀଳଗିରି: ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ଭାଲୁ । ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତ ଟଣକା ଗାଁରେ ଭାଲୁ ଆତଙ୍କ। ବାଡ଼ିରେ କାମ କରୁଥିବାବେଳେ ଯୁବକଙ୍କୁ ଏକ ଭାଲୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛି । ଜୀବନ ବଞ୍ଚାଇବାକୁ ଯୁବକ ଦୌଡ଼ିଥିବାବେଳେ ଭାଲୁ ପିଛା ଛାଡ଼ିନଥିଲା । ପରିବାର ଲୋକ ଯୁବକ ଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସ୍ଥାନୀୟ ଲୋକମାନେ ଭାଲୁଟିକୁ ଘଉଡ଼ାଇବା ସମୟରେ ଭାଲୁଟି ଅନ୍ୟ ଜଣେ ଯୁବକଙ୍କୁ ବି ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣର ଶିକାର ହୋଇଥିବା ଦୁଇ ଯୁବକ ହେଲେ ଲକ୍ଷ୍ମୀଧର ନାୟକ ଏବଂ ଶିବ ଶଙ୍କର ସିଂ। ଉଭୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଇଡି ସମନର ଜବାବ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଇଡିରେ ହାଜର ହେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମନ ହୋଇଛି । ୩ ଥର ସମନ ହୋଇଥିଲେ ସୁଦ୍ଧା ହାଜର ହୋଇ ନାହାନ୍ତି କେଜ୍ରିଓ୍ବାଲ । ସେ କହିଛନ୍ତି କି, ଉଦ୍ଦେଶ୍ୟମୂଳକ ଭାବେ ଏଭଳି ସମନ କରାଯାଇଛି । ଏହାଦ୍ବାରା ମୋର ପ୍ରତିଷ୍ଠା କ୍ଷୁର୍ଣ୍ଣ ହେଉଛି । ଆସନ୍ତା ୧୯ ତାରିଖରେ ରାଜ୍ୟସଭା ନିର୍ବାଚନ ରହିଥିବାବେଳେ ଜାନୁୟାରୀ ୨୬ ପାଇଁ ମୁଁ ବ୍ୟସ୍ତ ରହିଛି । ଏଣୁ ଯାହା ପ୍ରଶ୍ନ କରିବାର ଅଛି ଲେଖିକି ପଠାନ୍ତୁ । ମୁଁ ଲେଖା ମାଧ୍ୟମରେ ଉତ୍ତର ପଠାଇବି । ମୁଁ ଆଶ୍ଚର୍ଯ୍ୟ ହୋଇଛି ଯେ ମୋ ଦ୍ବାରା ଉଠାଯାଇଥିବା ଆପତ୍ତି ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ପୁଣିଥରେ ସମନ ପଠାଯାଇଛି । ମୋତେ ଲାଗୁଛି ଏହି ସମନର କୌଣସି କାରଣ ନାହିଁ । ଇଡିର ବ୍ୟବହାର ଉଦ୍ଦେଶ୍ୟମୂଳକ ବୋଲି ମନେ ହେଉଛି । ଏହାସହ କେଜ୍ରିଓ୍ବାଲ କହିଛନ୍ତି କି, ମୁଁ ପୂର୍ବଭଳି ଆଇନକୁ ସମ୍ମାନ କରେ ଏବଂ ତଦନ୍ତରେ ସହଯୋଗ କରୁଛି । ମୁଁ ପଚାରିଥିବା ପ୍ରଶ୍ନର ଉତ୍ତର ମୋତୋ ମିଳୁନାହିଁ ବୋଲି କହିଛନ୍ତି କେଜ୍ରିଓ୍ବାଲ ।

ତିନ୍ ପାହାଡି ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ ପୋଲିସ

କମିଶନରେଟ ପୋଲିସ ହାତରେ ତିନ୍ ପାହାଡି ଗ୍ୟାଙ୍ଗ । ୮ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ସବୁ ଡକାୟତ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ମୋ ବସ ଓ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଦୀର୍ଘ ଦିନ ଧରି କରୁଥିଲେ ଲୁଟପାଟ । କଟକ ପୁରୀରୁ ହୋଇଥିବା ଶତାଧିକ ମୋବାଇଲ ଲୁଟରେ ଏମାନେ ସାମିଲ ବୋଲି ଜଣାପଡିଛି । ଭିନ୍ନ ଭିନ୍ନ କୌଶଳରେ ଟଙ୍କା ଓ ମୋବାଇଲ ଲୁଟିନେଉଥିଲେ । ଏମାନଙ୍କଠାରୁ ୨୨ଟି ଫୋନ ସହ ଏକ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି । ଲୋକଙ୍କୁ ଲୁଟିବା ପାଇଁ ଝାଡ଼ଖଣ୍ଡରୁ ଭୁବନେଶ୍ୱର ଆସିଥିଲେ । ଏମାନଙ୍କ ନାଁ ରେ ରାଜ୍ୟ ଓ ରାଜ୍ୟ ବାହାରେ ପୁଳା ପୁଳା ମାମଲା ରହିଛି । ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୋଲିସର ଛାନଭିନ ଜାରି ରହିଛି ।

କିରେଇରେ ବିକାଶର ସମୀକ୍ଷା କଲେ 5T ଅଧ୍ୟକ୍ଷ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର କିରେଇ ଠାରେ ଜନସଭାକୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ । ଆପଣ ମାନେ କେନ୍ତା ଅଛନ କହି ଲୋକଙ୍କୁ ନୂଆ ବର୍ଷର ଶୁଭକାମନା ଜଣାଇଥିଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ମାର୍ଚ୍ଚ ୧୨ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ସେ ଆସିଥିଲେ। ଗସ୍ତକୁ ୮ ମାସରୁ ଅଧିକ ସମୟ ବିତିଥିବାବେଳେ ୧୬୦ଟି ଦରଖାସ୍ତ ମିଳିଛି। ୧୬୦ ଦରଖାସ୍ତରୁ ୧୪୦ଟିର ସମାଧାନ ହୋଇଛି। ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଅର୍ଥ ଅନୁମୋଦନ କରାଯାଇଛି ।

ବିକାଶମୂଳକ କାମରେ ଲୋକଙ୍କ ସେ  ସହଯୋଗ ଲୋଡ଼ିଛନ୍ତି । ସହଯୋଗ କଲେ କାମ ସ୍ବଚ୍ଛତାରେ ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ହେମଗିରି ବ୍ଲକରେ ଥିବା ହାୟର ସେକଣ୍ଡାରୀ ସ୍କୁଲରେ ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମ୍ ଖୋଲିବା ଦାବିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ବୋଲି ସେ କହିଛନ୍ତି। ଏଇ ବର୍ଷ କଲେଜରେ ଦୁଇ ଷ୍ଟ୍ରିମ ଖୋଲାଯିବ । ଇବ୍ ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ୍ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିଲାଗି ୨୬୦ କୋଟି ଟଙ୍କା ମଂଜୁର କରିଛନ୍ତି । ଟାଙ୍ଗରପାଲି ପାଇଁ ୧ କୋଟି ୭୦ ଲକ୍ଷ, ସମଲେଇ ମନ୍ଦିର ପାଇଁ ୧ କୋଟି ୪୦ ଲକ୍ଷ, ସୁନ୍ଦରଗଡ଼ରେ ଅଘରିଆ ଭବନ ପାଇଁ ୧ କୋଟି, ଏହାସହ ହେମହିରି ଉଚ୍ଚ ମାଧ୍ୟମିକ ସ୍କୁଲର ରୂପାନ୍ତର ପାଇଁ କୋଟିଏ ଟଙ୍କା ଅନୁମୋଦନ କାରାଯାଇଛି ।

ବିଗତ ୮ ମାସ ମଧ୍ୟରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀ ପାଇଁ ୩୫୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । କିରେଇରେ ନଗର ବନ ପ୍ରକଳ୍ପ ପାଇଁ ୩ କୋଟିରୁ ଅଧିକ ଟଙ୍କା ମଂଜୁର କରାଯାଇଛି । ଜନତା ଦେଇଥିବା ଗୋଟିଏ ଦରଖାସ୍ତ ବି ଛାଡିକି ଯିବିନାହିଁ ବୋଲି କହିଛନ୍ତି । ମନ୍ଦିର, ମସଜିଦ, ଚର୍ଚ୍ଚ, ଓ କମ୍ୟୁନିଟ ସେଣ୍ଟର ପାଇଁ ଦେଇଥିବା ଆବେଦନର ୧୦ ଦିନରେ ଖୁସି ଖବର ପାଇବେ ଲୋକେ । ଅନ୍ୟ ବିଷୟକୁ ନେଇ ହୋଇଥିବା ଆବେଦନର ମାସେ ଭିତରେ ଜିଲ୍ଲାପାଳଙ୍କଠାରୁ ଉତ୍ତର ପାଇବେ । ପ୍ରତି ଦରଖାସ୍ତରେ ଜିଲ୍ଲାପାଳଙ୍କ ଠାରୁ ଉତ୍ତର ପାଇବେ ଲୋକେ । ଆଗକୁ ପ୍ରତି ପଞ୍ଚାୟତରେ ମିଳିବି ବ୍ୟାଙ୍କ ସୁବିଧା । ୨ ମାସ ମଧ୍ୟରେ ମିଳିବ ଏହି ବ୍ୟାଙ୍କ ସୁବିଧା । ମିଶନ ଶକ୍ତି ମା ଓ ଭତ୍ତା ପାଉଥିବା ହିତାଧିକାରୀ ଉପକୃତ ହେବେ ।

ଫେବ୍ରୁଆରୀ ମାସରେ ସୁନ୍ଦରଗଡ଼ରେ ଆରମ୍ଭ ହେବ ଲକ୍ଷ୍ମୀ ଯୋଜନା । ଆସନ୍ତା ୬ ତାରିଖରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଆବେଦନ ଆରମ୍ଭ ହେଉଛି । ଗ୍ରାମାଞ୍ଚଳରେ ଯେଉଁମାନେ ବିଏସକେୱାଇ ଯୋଜନାରୁ ବଂଚିତ ହେଉଛନ୍ତି ସେମାନେ ଆବେଦନ କରିପାରିବେ । ସୁନ୍ଦରଗଡ଼ରେ ହକିର ବିକାଶ ଲାଗି ଅନେକ କାର୍ଯ୍ୟ କରାଯାଇଛି । ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମରେ ଉରକେଲାରେ କରାଯାଇଛି । ପ୍ରତି ବ୍ଲକରେ ଆଷ୍ଟ୍ରୋଟର୍ଫ ଷ୍ଡାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ଫାଇଭ ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଟିମ ଇଣ୍ଡିଆର ଘାତକ ବୋଲିଂ, ୫୫ ରନରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ଘାତକ ବୋଲିଂ । ଦ୍ବିତୀୟ ଟେଷ୍ଟର ପ୍ରଥମ ପାଳିରେ ମାତ୍ର ୫୫ ରନରେ ଅଲଆଉଟ ହେଲା ଘରୋଇ ଦଳ । ଭାରତୀୟ ବୋଲର ମହମ୍ମଦ ସିରାଜ ୬ଟି ଓ୍ବିକେଟ ନେଇଥିବାବେଳେ ବୁମରା ଏବଂ ମୁକେଶ କୁମାର ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଦକ୍ଷିଣ ଆଫ୍ରିକାର ମାତ୍ର ୨ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁଛନ୍ତି । ୯ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁନାହାନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ କେବଳ ୪ ଜଣ ବୋଲିଂ କରିଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣ ଓ୍ବିକେଟ ଅକ୍ତିଆର କରିନାହାନ୍ତି । କେବଳ ପେସରମାନେ ବୋଲିଂ କରିଥିବାବେଳେ ସ୍ପିନର ସୁଯୋଗ ପାଇନାହାନ୍ତି । ଜାଡେଜା ଦଳରେ ସ୍ଥାନ ପାଇଥିଲେ ସୁଦ୍ଧା ବୋଲିଂ କରିନାହାନ୍ତି । ସିରାଜ ୯ ଓଭର ବୋଲିଂ କରି ୧୫ ବ୍ୟୟ କରିଥିବାବେଳେ ୬ଟି ଓ୍ବିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । ଏଥି ମଧ୍ୟରେ ୩ ଓଭର ମେଡେନ ରହିଛି ।

ଭାରତ ପ୍ରଥମ ଟେଷ୍ଟରେ ପରାଜୟ ବରଣ କରିଥିବାବେଳେ ଦ୍ବିତୀୟ ଟେଷ୍ଟରେ ବଦଲା ନେବାର ସୁଯୋଗ ରହିଛି । ଯଦି ରୋହିତଙ୍କ ଅଧିନାୟକତ୍ବରେ ଏହି ମ୍ୟାଚ ଡ୍ର ହୁଏ ତାହେଲେ ୧୩ ବର୍ଷର ରେକର୍ଡ ଭାଙ୍ଗିବେ ରୋହିତ । ଧୋଧୀଙ୍କ ପରେ ଦ୍ବିତୀୟ ଅଧିନାୟକ ଯିଏକି ଦକ୍ଷିଣ ଆଫ୍ରିକାରେ ଘରୋଇ ଦଳ ସହ ସିରିଜ ଡ୍ର କରିବେ । ୨୦୧୩ ମସିହାରେ ଧୋନୀଙ୍କ ଅଧିନାୟକତ୍ବରେ ଖେଳିଥିବା ଭାରତୀୟ ଦଳ ଟେଷ୍ଟ ସିରିଜ ଡ୍ର କରିଥିଲା ।

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପଣ ବେଳେ ବିରୋଧୀଙ୍କୁ ସିଧା ଟାର୍ଗେଟ୍

ବଲାଙ୍ଗୀର: ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପଣ ବେଳେ ବିରୋଧୀଙ୍କୁ ସିଧା ଟାର୍ଗେଟ୍ । ଡ୍ୟାମରେ ପାଣି ଆସୁନଥିବା କହୁଥିବା ନେତାଙ୍କୁମଞ୍ଚରୁ ହିଁ ଜବାବ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ଡ୍ଯାମରେ ପାଣି ଚାଲୁଥିବା ସେ ନିଜେ ଦେଖିଥିବା କହିଛନ୍ତି । ଛଳଛଳ ହୋଇ ପାଣି ବୋହିଯାଉଥିବା ସେ ଦେଖିଥିବା କହିଛନ୍ତି । ଏପରିକି ଯେ କେହି ଯାଇ ଦେଖିବାକୁ ସେ ଚ୍ୟାଲେଞ୍ଜ ଦେଇଛନ୍ତି । କେନାଲର ଟେଣ୍ଡର ହୋଇଛି, ପାଇପ୍ ପଡିଲାଣି, କାମ ଚାଲିଛି ବୋଲି ନିରଞ୍ଜନ କହିଛନ୍ତି। ଅଭିବ୍ୟକ୍ତ ବଲାଙ୍ଗୀର ଜିଲ୍ଲାବାସୀଙ୍କ ବିକାଶର ସ୍ବପ୍ନ ସାକାର ହୋଇଛି । ବଲାଙ୍ଗୀର ସହ ସୋନପୁର ବି ପାଣି ପାଇବ। ଦୁଇ ଗୁଣା ହେବ ଚାଷୀଙ୍କ ଫସଲ । ଏଥିପାଇଁ ଦିନରାତି ପରିଶ୍ରମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିରଞ୍ଜନ ପୂଜାରୀ। ବିକାଶକୁ ସବୁବେଳେ ସ୍ବାଗତ କରିବା ଅଭ୍ୟାସ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି ।