ନୂଆରୂପରେ ଉଭା ହେଉଛି ଅନ୍ତଃରାଜ୍ୟ ବରମୁଣ୍ଡା ବସ୍ ଟର୍ମିନାଲ୍, ବିମାନ ବନ୍ଦର ଭଳି ଦେବ ଅନୁଭୂତି

1 min read

ଭୁବନେଶ୍ବର: ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲରେ ଯାତ୍ରୀଙ୍କୁ ମିଳିବ ବିମାନ ବନ୍ଦର ଭଳି ଅନୁଭୂତି । ପ୍ରବେଶରୁ ପ୍ରସ୍ଥାନ, ବସ-ବେ ରୁ ଆହାର କେନ୍ଦ୍ର । ସବୁ ଆଡେ ଚକାଚକ୍ । ଖୁବଶୀଘ୍ର ରାଜ୍ୟବାସୀଙ୍କ ପାଇଁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ନବୀନ ଓଡ଼ିଶାର ନୂଆରୂପ ଭାବେ ଉଭା ହେଉଛି ଅନ୍ତଃରାଜ୍ୟ ବରମୁଣ୍ଡା ବସ୍ ଟର୍ମିନାଲ୍ । ସବୁଠି ହାଇଟେକ୍ ବ୍ୟବସ୍ଥା । ଫୁଡ କୋର୍ଟ ସହ ବୈଦ୍ୟୁତିକ ସିଡ଼ି, ଲିଫ୍ଟ କାମ ଶେଷ ହୋଇ ଡ୍ରାଏରନ୍ ସରିଛି । ହଳଦିଆ କଲର ବସ ଚିହ୍ନ ଥାଇ ଲେଖା ହୋଇଛି ଭୁବନେଶ୍ବର । ଆଖି ସାମ୍ନାରେ ଅତ୍ୟାଧୁନିକ ଏଲ୍ଇଡି ସ୍କ୍ରିନରେ ମିଳିବ ବସ୍ ସମ୍ପର୍କିତ ସବିଶେଷ ତଥ୍ୟ । ଗାଁଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ୍ ଓ ସଦର ମହକୁମାକୁ ଯିବା ପାଇଁ ବସର ସମସ୍ତ ବିବରଣୀ ସ୍କ୍ରିନରେ ଡିସପ୍ଲେ ହେବ । ଲିଫ୍ଟ, ଏସ୍କାଲେଟର୍ ରେ ଗୋଟିଏ ମହଲାରୁ ଅନ୍ୟ ମହଲାକୁ ସହଜରେ ଯାଆସ କରିହେବ । ଶୀତତାପ ନିୟନ୍ତ୍ରିତ କୋଠରିରେ ମିଳିବ ଆରାମ । ଏଣିକି ରାଜ୍ୟବାସୀ ବରମୁଣ୍ଡା ବସଷ୍ଟାଣ୍ଡରେ ପାଇବେ ଏପରି ସୁବିଧା ।

ଏଠାରେ ପ୍ରଣ୍ଟ ଅଫିସରୁ ଆରମ୍ଭ କରି ମେଡାକିଲା. ଏଟିଏମ ଭଳି ସେବା ମିଳିବ । ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତିଆରି ହୋଇଛି ଆହାର ପ୍ଲସ୍ କେନ୍ଦ୍ର । ସାଧାରଣ ଆହାର କେନ୍ଦ୍ର ତୁଳନାରେ ଏହା ଯଥେଷ୍ଟ ଉନ୍ନତମାନର । ଏସି ରୁମରେ ଷ୍ଟାର୍ ହୋଟେଲ୍ ଭଳି ମିଳିବ ସୁବିଧା । ମିଶନଶକ୍ତି କାଫେ, ଓରମାସ ଓ ମିଲେଟ କାଫେରେ ମିଳିବ ମାଆ ହାତ ତିଆରି ଖାଦ୍ଯ । ଏହାସହ ଅପେକ୍ଷାରତ ଶିଶୁ ମାନଙ୍କ ପାଇଁ ରହିଛି କ୍ରୀଡାଙ୍ଗନ । ଦେଖିବାକୁ ମିଳିବ ବାବାସାହେବ ଭାମ ରାଓ ଆମ୍ବେଦକରଙ୍କ ଖୋଦେଇ । କାନ୍ଥ ବାଡରେ କଳା ସସ୍କୃତିର ଝଲକ । ଯାତ୍ରୀଙ୍କ ସୁରକ୍ଷା ପାଇଁ ତିଆରି ହୋଇଛି ପୋଲିସ ଫାଣ୍ଡି । ବେସ୍ମେଣ୍ଟରେ ୧୧୫ଟି କାର୍ ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି । ଟର୍ମିନାଲରେ ୫୦ଟି ବସ୍ ବେ ସହ ୨୦୦ଟି ବସ୍ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି । ସିଟିବସ୍ ପାଇଁ ୫ଟି ସ୍ଥାନ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ହୋଇଛି । ଦୁଇଚକିଆ ଯାନ ରଖିବା ପାଇଁ ମଧ୍ୟ ରହିଛି ଆବଶ୍ୟକ ସ୍ଥାନ । ସ୍ୱତନ୍ତ୍ର ରାସ୍ତା ସହ ବସ୍ ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ଅଲଗା ଅଲଗା କରାଯାଇଛି ।