spot_img
Home Blog Page 2128

ପିଲାଙ୍କ ଜନ୍ମ ତାରିଖ ଭାରତୀୟ ବ୍ୟକ୍ତିଙ୍କୁ କଲା କୋଟିପତି, ଲଟେରୀରେ ଜିତିଲେ ୩୩ କୋଟି

ବ୍ୟୁରୋ ରିପୋର୍ଟ: ଟିକେଟ ନମ୍ବର 037130 କରିଦେଲା କୋଟିପତି। କୋଟିଏ ନୁହେଁ କି ଦି କୋଟି ନୁହେଁ ଏକାଥରକେ ୩୩ କୋଟି। କଥାଟି ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ମାତ୍ର ଏହା ସତ। ଦୁଇ ସନ୍ତାନଙ୍କ ଜନ୍ମ ଦିବସ ବାସ୍ତବରେ ବାପାଙ୍କୁ କରାଇଦେଲା କୋଟିପତି।

ଭାରତୀୟ ରାଜୀବ ଅରିକଟ୍ଟ ଜଣେ ବ୍ୟକ୍ତି ୟୁଏଇର ଅଲ୍ ଲାଇନରେ କାମ କରନ୍ତି । ଏକ ସ୍ଥାପତ୍ଯ ଫାର୍ମରେ କାମ କରନ୍ତି। ସେ ଦୀର୍ଘ ୩ ବର୍ଷ ଧରି ଲଟେରୀ ଟିକେଟ କିଣିଆସୁଥିଲେ। ସବୁଥର ସେ କିନ୍ତୁ ଟଙ୍କା ହରାଇଥାନ୍ତି। ତଥାପି ସେ ଏଥିରୁ ନିବୃତ୍ତ ହୋଇ ନଥିଲେ। ସେ କିଛିଦିନ ତଳେ 037130 ନମ୍ବର ଥିବା ଟିକେଟ କିଣିଥିଲେ। ତେବେ ଟିକେଟର ବିଶେଷତ୍ବ ଥିଲା ଏହା ଯେ ତାଙ୍କର ଦୁଇପୁଅଙ୍କ ଜନ୍ମ ତାରିଖ ୭ ଓ ୧୩କୁ ଆଧାର କରି ସେ ଟିକେଟ କ୍ରୟ କରିଥିଲେ। ଦୁଇ ସନ୍ତାନଙ୍କର ବୟସ ଥିଲା ୫ ଓ ୮ ବର୍ଷ। ଏହି ଟିକେଟର ବିଜେତା ହୋଇଥିବାରୁ ତାଙ୍କୁ ମିଳିଛି ୧୫ ନିୟୁତ ଦିରହାମ ଯାହାର ପରିମାଣ ଭାରତୀୟ ଟଙ୍କାରେ ପ୍ରାୟ ୩୩ କୋଟି ଟଙ୍କା। ପ୍ରାୟ ୨ ମାସ ତଳେ ସେ ଏହି ନମ୍ବରର ଥିବା ଟିକେଟ କିଣିଥିଲେ।

ହରିୟାଣରେ କୃଷକ ଆନ୍ଦୋଳନ; ଆସନ୍ତା ୧୩ରେ ଦିଲ୍ଲୀ ଚଲୋ ଡାକରାରେ ସାମିଲ ହେବେ ଚାଷୀ

ବ୍ୟୁରୋ ରିପୋର୍ଟ: ହରିୟାଣାରେ ଚାଷୀ ଆନ୍ଦୋଳନ। ଆସନ୍ତା ୧୩ ତାରିଖରେ ହରିୟାଣାର ଚାଷୀ ‘ଦିଲ୍ଲୀ ଚଲୋ’ ନାରା ଦେଇଛନ୍ତି। ଚାଷୀଙ୍କ ଅମଳ ଫସଲର ସର୍ବନିମ୍ନ ମୂଲ୍ୟ ପ୍ରଦାନ ନେଇ ନୀତି ପ୍ରଣୟନ ଦାବି କରି ଚାଷୀ ଏହି ଶୋଭାଯାତ୍ରା କରିବେ ହଜାର ହଜାର ସଂଖ୍ୟାରେ ଚାଷୀ। ଏହି ଆନ୍ଦୋଳନରେ ୨ ଶହରୁ ଅଧିକ କୃଷକ ସଂଗଠନର ସମର୍ଥନରେ ଦିଲ୍ଲୀ ଚଲୋ ଶୋଭାଯାତ୍ରା ଘୋଷଣା କରିଛନ୍ତି। ଏହାକୁ ନେଇ ହରିୟାଣାରେ ପୋଲିସର କଡ଼ା ପହରା। ୭ ଜିଲ୍ଲାରେ ମୋବାଇଲ ଫୋନ ସହ ଇଣ୍ଟରନେଟ ସେବା ବନ୍ଦ କରିଛି ପ୍ରଶାସନ।

ଆଜି ସକାଳ ୬ଟାରୁ ଆସନ୍ତା ୧୩ ତାରିଖ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ଅମ୍ଵାଲା, କୁରୁକ୍ଷେତ୍ର, କୈଥଲ, ଜୀନ୍ଦ, ହିସାର, ଫତେହାବାଦ ଏବଂ ସିରସା ଜିଲ୍ଲାରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ମୋବାଇଲରେ ଏକାଧିକ ଏସଏମଏସ ପଠାଇବା ଉପରେ ମଧ୍ୟ ରୋକ ଲାଗିଛି। ରାସ୍ତା ଉପରେ ସିମେଣ୍ଟ ବାରିକେଡ ସହ ଲୁହାକଣ୍ଟା ସବୁ ପୋତାଯାଇଛି। ବହୁତ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଚାଷୀଙ୍କ ଆନ୍ଦୋଳନ ରୋକିବାକୁ ହରିୟାଣା ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଏଭଳି କଡ଼ା ନିଷ୍ପତ୍ତି ନିଆଯାଇଛି। ଚାଷୀ ଆନ୍ଦୋଳନ ରୋକିବାକୁ ପ୍ରଶାସନ ପକ୍ଷରୁ ରୁଟ୍ ପରିବର୍ତ୍ତନ ଏବଂ ସାତ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଞ୍ଜାବ ଏବଂ ହରିୟାଣା ସୀମା ସଂଲଗ୍ନ ସମସ୍ତ ଅଂଚଳକୁ ସିମେଣ୍ଟ ବାରିକେଡ ସହ କଣ୍ଟାଯୁକ୍ତ ତାର ବିଛାଇ ସିଲ୍ କରିଦିଆଯାଇଛି। ହରିୟାଣାର ଅନେକ ଜିଲ୍ଲାରେ ଧାରା ୧୪୪ ଲଗାଯାଇଛି। ରାଜ୍ୟ ପୋଲିସ ସହ ସିଆରପିଏଫ ଏବଂ ଅନ୍ୟ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି।

ଅପରପଟେ ଆନ୍ଦୋଳନ ପୂର୍ବରୁ ଚାଷୀ ନେତା ସରବନ ସିଂ ପାନ୍ଧେରଙ୍କୁ ଆସନ୍ତା କାଲି ଆଲୋଚନା ନେଇ ୩ କେନ୍ଦ୍ରମନ୍ତ୍ରୀ ଡାକିଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଅର୍ଜୁନ ମୁଣ୍ଡା ଏବଂ ନିତ୍ୟାନନ୍ଦ ରାୟ ଆସନ୍ତାକାଲି ଏହି ଆଲୋଚନା ପାଇଁ ଚଣ୍ଡୀଗଡ଼ରେ ପହଞ୍ଚିବେ। ୭ ଜିଲ୍ଲାରେ ମୋବାଇଲ ଫୋନ ଓ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଚାଷୀ ନେତା।

ମଦ ନିଶାରେ ୫ ମାସର ପୁଅକୁ କଚାଡ଼ି ମାରିଦେଲା ବାପା

ବରଗଡ଼: ବାପା ସାଜିଲା କଂସେଇ। ମଦ ନିଶାରେ ପାଞ୍ଚ ମାସର ପୁଅକୁ କଚାଡ଼ି ମାରିଲା ବାପା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମଦନିଶାରେ ନିଜ ପୁଅକୁ ବାପା ତଳେ କଚାଡ଼ି ମାରିଦେଇଛି ।

ସୂଚନା ଅନୁଯାୟୀ, ପାଇକମାଳ ଥାନା ଚେରେଙ୍ଗା ଝାଞ୍ଜ ଗାଁର ହେମନ୍ତ ଭୁଏ ଗତ ରାତିରେ ମଦ ନିଶାରେ ଘରକୁ ଯାଇ ପାଟିତୁଣ୍ଡ କରିଥିଲା। ମଦ ନିଶାରେ ନିଜ ପାଞ୍ଚ ମାସର ଶିଶୁପୁତ୍ରକୁ ତଳେ କଚାଡି ଦେଇଥିଲା ହେମନ୍ତ । ଘଟଣାସ୍ଥଳରେ ହିଁ ଶିଶୁପୁତ୍ରର ମୁତ୍ୟୁ ହୋଇଛି। ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଶିଶୁ ଯୌନ ଉତ୍ପୀଡନକାରୀଙ୍କୁ ରାଜକ୍ଷମା ପ୍ରସଙ୍ଗ: ଇସ୍ତଫା ଦେଲେ ହଙ୍ଗେରୀ ରାଷ୍ଟ୍ରପତି

ବ୍ୟୁରୋ ରିପୋର୍ଟ: ଜଣେ ଶିଶୁ ଯୌନ ଉତ୍ପୀଡନକାରୀଙ୍କୁ ରାଜକ୍ଷମା ଦେଇ ହରଡଘଣାରେ ହଙ୍ଗେରୀ ରାଷ୍ଟ୍ରପତି। କେବଳ ଏତିକି ନୁହେଁ ସାରା ଦେଶରେ ଏହାକୁ ନେଇ ତାଙ୍କୁ ସମାଲୋଚନା କରାଯିବା ପରେ ଇସ୍ତଫା ଦେଇଛନ୍ତି କାଟାଲିନ ନୋଭାକ। ଏକ ଟେଲିଭିଜନ ବାର୍ତ୍ତାରେ ସେ ନିଜର ଇସ୍ତଫା ଘୋଷଣା କରିଛନ୍ତି। ଗତ ୨୦୨୨ରେ ସେ ଦେଶର ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିଥିଲେ। ଏକ ସରକାରୀ ଶିଶୁଗୃହରେ ଜଣେ ବ୍ୟକ୍ତି ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ବି ଗତ ଏପ୍ରିଲ ୨୦୨୩ରେ ତାଙ୍କୁ ରାଜକ୍ଷମା ପ୍ରଦାନ କରିଥିଲେ ରାଷ୍ଟ୍ରପତି ନୋଭାକ।

ନିଜ ବିବୃତିରେ ନୋଭାକ କହିଛନ୍ତି- ସେ ଏକ ତ୍ରୁଟି କରିଦେଇଛନ୍ତି। ଅଭିଯୁକ୍ତଙ୍କୁ ରାଜକ୍ଷମା ପ୍ରଦାନ ପ୍ରସଙ୍ଗକୁ ନେଇ ଅନେକଙ୍କ ମନରେ ଆଘାତ ସୃଷ୍ଟି ହୋଇଛି। ଏହାକୁ କେନ୍ଦ୍ର କରି ସେ ଇସ୍ତଫା ଦେଉଛନ୍ତି। କେବଳ ସେତିକି ନୁହେଁ, ଏହି ରାଜକ୍ଷମା ପ୍ରସଙ୍ଗରେ ସହାୟତା ପ୍ରଦାନ କରିଥିବା ପୂର୍ବତନ ନ୍ୟାୟ ମନ୍ତ୍ରୀ ଜୁଡିତ ଭର୍ଗା ବି ସାଧାରଣ ଜୀବନରୁ ଦୂରେଇ ରହିବାକୁ ଘୋଷଣା କରିଛନ୍ତି।

ବିଗତ ୨୦୧୦ରୁ ହଙ୍ଗେରୀରେ ଶାସନ କରୁଛି ଫିଦେସ ପାର୍ଟି । ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ନେତୃତ୍ବରେ ଦଳ ଦୀର୍ଘ ଦିନ ଧରି ଶାସନ କରୁଛି । ତେବେ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡିକୁ ସରକାର ନଷ୍ଟ କରୁଥିବା ସହ ଅନ୍ୟାନ୍ୟ ଅଭିଯୋଗ ଦଳ ନାମରେ ରହିଛି । ପାରମ୍ପରିକ ପରିବାରର ମୂଲ୍ୟବୋଧ ଓ ଶିଶୁ ସୁରକ୍ଷା ନେଇ ସର୍ବଦା ସ୍ବର ଉତ୍ତୋଳନ କରୁଥିବା ନୋଭାକଙ୍କ ରାଜକ୍ଷମା ପ୍ରସଙ୍ଗ ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଥିଲା। ସେ ଥିଲେ ହଙ୍ଗେରୀର ପ୍ରଥମ ମହିଳା ରାଷ୍ଟ୍ରପତି ଏବଂ ସେ ସର୍ବକନିଷ୍ଠ ରାଷ୍ଟ୍ରପତି। ୨୦୦୪ରୁ ୨୦୧୬ ମଧ୍ୟରେ ଏକ ପ୍ରତିଷ୍ଠାନରେ ପ୍ରାୟ ୧୦ ଜଣ ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଆସୁଥିଲେ ପ୍ରତିଷ୍ଠାନର ନିର୍ଦ୍ଦେଶକ । ଏହି ମାମଲାରେ ତାଙ୍କୁ ୮ ବର୍ଷ ଜେଲଦଣ୍ଡ ମିଳିଥିଲା । ତେବେ ନିର୍ଦ୍ଦେଶକଙ୍କ ନାମରେ କରାଯାଇଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ଲାଗି ଅନ୍ୟ ଜଣେ ବ୍ୟକ୍ତି ପିଲାଙ୍କ ଉପରେ ଚାପ ପକାଉଥିଲେ। ଏହି ଅଭିଯୋଗ କ୍ରମେ ତାଙ୍କୁ ୩ ବର୍ଷ ସଜା ମିଳିଥିଲା। ସେହି ବ୍ୟକ୍ତିଙ୍କୁ ରାଜକ୍ଷମା ପ୍ରଦାନ କରି ବିବାଦୀୟ ହୋଇପଡିଥିଲେ ନୋଭାକ। ହଙ୍ଗେରୀର ପ୍ରଭାବଶାଳୀ ମହିଳା ଭାବେ ଫର୍ବସ ତାଲିକାରେ ୨୦୨୩ରେ ସ୍ଥାନ ପାଇଥିଲେ ନୋଭାକ।

 

ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ, ୪ ମୃତ

ଝାରସୁଗୁଡ଼ା: ଯାତ୍ରୀବାହୀ ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ ୪ ମୃତ, ୯ ଜଣ ଗୁରୁତର। ଝାରସୁଗୁଡ଼ା ଲଖନପୁର ଜୁନିଏନ ଗାଁ ନିକଟରେ ଦୁର୍ଘଟଣା। ଜାତୀୟ ରାଜପଥ ୪୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୧୦ ଟା ୩୦ ମିନିଟରେ ଲଖନପୁର ବେହେରାଗୁଡ଼ା ପଟରୁ ଆସୁଥିବା ଏକ ଯାତ୍ରୀବାହୀ ପିକଅପ୍ ଭ୍ୟାନ ଗାଡ଼ିକୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ଲଖନପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ମଧ୍ଯରେ ୨ ଜଣ ପୁୁରୁଷ ଏବଂ ୨ ଜଣ ମହିଳା ଅଛନ୍ତି।

ସମ୍ବଲପୁରରେ ବିକାଶର ସମୀକ୍ଷା କଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ

ସମ୍ବଲପୁର: ସମ୍ବଲପୁରରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ। ସମଲେଇ ପ୍ରକଳ୍ପ ବୁଲିବା ସହିତ କିଭଳି ସମଲେଇ ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଏଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମନ୍ଦିର ଟ୍ରଷ୍ଟବୋର୍ଡ ସହ ଆଲୋଚନା କରିଛନ୍ତି। ସମଲେଇ ପ୍ରକଳ୍ପ ବୁଲିବା ପରେ ମା’ ସମଲେଶ୍ବରୀଙ୍କ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ମନ୍ଦିର ପରିସରରେ ଟ୍ରଷ୍ଟବୋର୍ଡ ଓ ମନ୍ଦିର ପୂଜକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ତାଙ୍କ ନିକଟରୁ ଦାବି ପତ୍ର ଗ୍ରହଣ କରିଥିଲେ କାର୍ତ୍ତିକ ପାଣ୍ଡିଆନ୍।

ଏହାପରେ ସମ୍ୱଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ପହଞ୍ଚି ଆଥଲେଟିକ ଏସୋସିଏସନ କର୍ମକର୍ତ୍ତା ଓ ଖେଳାଳିଙ୍କ ସହ ଆଲୋଚନା କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ୱଲପୁର ଆଥଲେଟିକ ଆସୋସିଏସନ ପକ୍ଷରୁ 5T ଅଧ୍ୟକ୍ଷଙ୍କୁ ସ୍ବାଗତ କରାଯାଇଥିଲା। ଷ୍ଟାଡିୟମରେ କ୍ରିକେଟ ଖେଳାଳିଙ୍କ ସହ 5T ଅଧ୍ୟକ୍ଷ କ୍ରିକେଟ ଖେଳିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବଲପୁରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବା ସହ  ସମ୍ବଲପୁରରେ ବହୁତ ବଡ କ୍ରିକେଟ ଷ୍ଟାଡିୟମ ଓ ଫୁଟବଲ ଷ୍ଟାଡିୟମ କରିବା ପାଇଁ ଜାଗା ଚିହ୍ନଟ କରାଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଖେଳାଳି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆସୋସିଏସନ କର୍ମକର୍ତ୍ତା ଓ ଖେଳାଳି। ଫୁଟବଲ ଓ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ୩୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଷ୍ଟାଡିୟମ ନିର୍ମାଣ ପରେ କ୍ରୀଡ଼ାବିତଙ୍କୁ ଏହା ବଡ ବୁଷ୍ଟ ହେବ ବୋଲି କୁହାଯାଉଛି।

ଏହି ଅବସରରେ ଭୀମସାର ମେଡିକାଲ କଲେଜ ଯାଇ ସ୍ବାସ୍ଥ୍ୟସେବାର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ। ହସ୍ପିଟାଲ ନିର୍ଦ୍ଦେଶକ ଓ ବରିଷ୍ଠ ଡାକ୍ତରଙ୍କ ସହ ସ୍ବାସ୍ଥ୍ୟସେବା ବାବଦରେ ଆଲୋଚନା କରିଥିଲେ। ଏଠାରେ ପ୍ରଥମ ପର୍ଯ୍ୟାୟରେ ୭୦୦ ବେଡ୍ ବିଶିଷ୍ଟ ମାତୃ ଓ ଶିଶୁ ଓ୍ବାର୍ଡର ସୁବିଧା ମିଳିବ। ମେଡିକାଲ ହଷ୍ଟେଲ କ୍ୟାମ୍ପସର ଉନ୍ନତିକରଣ ସହ ସ୍ପୋର୍ଟସ କକ୍ଲେକ୍ସ କରାଯିବ। ଏହାସହ କର୍ମଚାରୀଙ୍କ ପାଇଁ କ୍ବାର୍ଟର ସହ ଅନ୍ୟ ସୁବିଧା ଯୋଗାଇ ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ହଜାରେ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଯୋଜନା ହୋଇଛି। ଏଥିପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ ।

ଏହାପରେ ସମ୍ୱଲପୁରରେ ମହାନଦୀ ହାଫ୍ ମାରାଥନ ଅନୁଷ୍ଠିତ ହୋଇଥିଲା। ସେଠାରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ପହଞ୍ଚି ପତାକା ଦେଖାଇ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି, ବୁର୍ଲାରେ ମୁଖ୍ୟମନ୍ତ୍ରୀ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କରିଛନ୍ତି। ଷ୍ଟାଡିୟମରେ ଭଲ ସୁବିଧା ରହିଛି। ମଣ୍ଡଳିଆ ପଡ଼ିଆରେ ସମ୍ବଲପୁର ଫୁଟବଲ ଏକାଡେମୀ କରାଯାଉଛି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବହୁତ ବଡ କ୍ରୀଡା ଭିତ୍ତିଭୂମିର ବିକାଶ କରାଯାଉଛି। ସମ୍ବଲପୁରରେ ବଡ କ୍ରିକେଟ ଷ୍ଟାଡିୟମ କରିବା ପାଇଁ ଜାଗା ଚିହ୍ନଟ କରାଯାଉଛି। ଏହାସହ ଭଲ ଫୁଟବଲ ଷ୍ଟାଡିୟମ ତିଆରି କରିବା ପାଇଁ ଜାଗା ଚିହ୍ନଟ କରାଯାଉଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ।

ସାରା ଦେଶରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ

ବ୍ୟୁରୋ ରିପୋର୍ଟ: ପୁଣି ଥରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସାରା ଦେଶରେ ଏକ୍ ନମ୍ବରରେ ଅଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ମୁଡ ଅଫ୍ ଦି ନେସନ ଓପିନିଅନ୍ ପୋଲ ସର୍ଭେରେ ନବୀନ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ସବୁଠୁ ଆଗରେ ଅଛନ୍ତି ।

ସେହିପରି ନବୀନଙ୍କ ପଛକୁ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ସର୍ଭେ ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ରାଜ୍ୟରେ ୫୨.୭ ପ୍ରତିଶତ ଲୋକେ ପସନ୍ଦ କରୁଥିବା ବେଳେ, ଯୋଗୀ ଆଦିତ୍ୟ ନାଥଙ୍କୁ ଉତ୍ତର ପ୍ରଦେଶରେ ୫୧.୩ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ସେହିପରି ୩ ନମ୍ବରରେରେ ଆସାମ, ଚତୁର୍ଥରେ ଗୁଜରାଟ ଓ ପଞ୍ଚମରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଅଛନ୍ତି।

ପାକିସ୍ତାନରେ ବଢ଼ିଲା ଅସ୍ଥିରତା, ସାରା ଦେଶରେ ତେହରିକ-ଇ-ଇନସାଫ କର୍ମୀଙ୍କ ବିକ୍ଷୋଭ

ବ୍ୟୁରୋ ରିପୋର୍ଟ: ପାକିସ୍ତାନରେ ବଢ଼ିଲା ଅସ୍ଥିରତା । ସାରା ଦେଶରେ ପାକିସ୍ତାନ ତେହରିକ-ଇ-ଇନସାଫ କର୍ମୀଙ୍କ ବିକ୍ଷୋଭ। ସାଧାରଣ ନିର୍ବାଚନରେ ବ୍ୟାପକ ଭୋଟ ରିଗିଂ କରାଯାଇଥିବା ଅଭିଯୋଗ କ୍ରମେ ଏହି ବିକ୍ଷୋଭ ହୋଇଛି । ଏହା ସହ ଗଣତି ପ୍ରକ୍ରିୟା ବିଳମ୍ବ ହେବା ଏବଂ ସ୍ପଷ୍ଟ ଫଳାଫଳ ପ୍ରକାଶ କରିବାରେ ବିଫଳତାକୁ କେନ୍ଦ୍ର କରି ତାତିଛନ୍ତି ଇମ୍ରାନ ଖାଁଙ୍କ ସମର୍ଥକ ।

ଗତ ଫେବ୍ରୁଆରୀ ୮ ତାରିଖରେ ନିର୍ବାଚନ ସରିଥିଲେ ବି ବର୍ତ୍ତମାନ ସୁଦ୍ଧା ରାଜନୈତିକ ସ୍ଥିତି ସୁଧୁରିପାରିନାହିଁ । ଇମ୍ରାନଙ୍କ ସମର୍ଥକ ଦେଶର ବିଭିନ୍ନ ରିଟର୍ଣ୍ଣିଂ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ପାକିସ୍ତାନ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ପିଟିଆଇ ୧୦୨ ଆସନ ହାସଲ କରିଥିବାବେଳେ ପିଏମଏଲ-ଏନ ୭୩ ଓ ପିପିପି ୫୪ ଆସନ ହାସଲ କରିଛି । ଅନ୍ୟାନ୍ୟ ଦଳ ୨୭ ଆସନରେ ବିଜୟୀ ହୋଇଛନ୍ତି।

ସେପଟେ ଭୋଟ ରିଗିଂ ଅଭିଯୋଗ ନେଇ ପିପିପି, ପିଟିଆଇ ଓ ପିଏମଏଲ-ଏନ ବିଭିନ୍ନ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସେମାନଙ୍କ ମତରେ ପ୍ରଥମେ ବିଜୟୀ ଘୋଷଣା କରାଯାଇଥିବା ଅନେକ ପ୍ରାର୍ଥୀଙ୍କୁ ପରେ ପରାସ୍ତ ଘୋଷଣା କରାଯାଇଛି। ଭୋଟ ରିଗିଂ ଓ ଜାଲିଆତି ନେଇ ଉଦବେଗ ପ୍ରକାଶ କରିଛନ୍ତି ଆମେରିକା, ବ୍ରିଟେନ ଓ ୟୁରୋପୀୟ ୟୁନିଅନ ।

ମଦ ପିଇ ଗାଡି ଚଲାଉଥିବା ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମଦୁଆ ଗାଡି ଚାଳକଙ୍କୁ ନିସ୍ତାର ନାହିଁ। ଶନିବାର ରାତିରେ ମଦ ପିଇ ଗାଡି ଚଲାଉଥିବା ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ। ଗାଡିକୁ ଜବତ କରିବା ସହ ଗାଡି ଚଲାଉଥିବା ଡ୍ରାଇଭରଙ୍କ ବିରୋଧରେ କେସ ରୁଜୁ କରାଯାଇଛି। ଭରତପୁର ଥାନା ପକ୍ଷରୁ ୨ ଟି କେସରେ ୨ ଗାଡି ଜବତ ସହ ୨ ଗାଡି ଚାଳକଙ୍କ ବିରୋଧରେ କେସ ରୁଜୁ ହୋଇଛି।

ସେହିପରି ବଡ଼ଗଡ଼ ଥାନାରେ ୨ ଟି କେସ, ଲକ୍ଷ୍ମୀସାଗରରେ ୨ ଟି କେସ, ଜଟଣୀ ଥାନା ୫ ଟି କେସ, ଖଣ୍ଡଗିରି ୨ଟି କେସ, ଖାରବେଳ ନଗର ଗୋଟିଏ କେସ ରୁଜୁ କରିଛି। ମୋଟ ୨୧ ଟି କେସ ଅଧୀନରେ ୨୧ ଜଣଙ୍କ ବିରୋଧରେ କେସ ରୁଜୁ କରାଯାଇଛି। ଆଗାମୀ ଦିନରେ ‘ସେଫ ସିଟି ଡ୍ରାଇଭ’ ଅଧୀନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

 

ଆଜି ଅଣ୍ଡର-୧୯ ଦିନିକିଆ ବିଶ୍ବକପ ଫାଇନାଲ ମ୍ଯାଚ, ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ବ୍ୟୁରୋ ରିପୋର୍ଟ: ପୁଣି ସେହି ଅଷ୍ଟ୍ରେଲିଆ, ପୁଣି ସେହି ବିଶ୍ବକପ୍। ଏଥର କିନ୍ତୁ ଜୁନିଅର ଟିମ୍। ଆଜି ଅଣ୍ଡର-୧୯ ଦିନିକିଆ ବିଶ୍ବକପ ଫାଇନାଲ ମ୍ଯାଚ୍। ସିନିୟରଙ୍କ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଅଛନ୍ତି ଟିମ୍ ଜୁନିଅର। ପୁଣିଥରେ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ- ଅଷ୍ଟ୍ରେଲିଆ। ସାଉଥ ଆଫ୍ରିକାର ବେନୋନି ଓ୍ବିଲୋମୋରେ ପାର୍କରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଭାରତୀୟ ସମୟ ଅନୁସାରେ ୧ ଟା ୩୦ରୁ ଖେଳାଯିବ ମ୍ୟାଚ୍। ଉଭୟ ଦଳ ତୃତୀୟ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବେ।

ଏହା ପୂର୍ବରୁ ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୨ ଥର ପରାଜିତ କରିଛି। ଆଜି ଭାରତ ଫାଇନାଲରେ ବିଜୟୀ ହେବାକୁ ଲକ୍ଷ୍ଯ ରଖିଛି। ଭାରତ ଏଯାଏଁ ୮ଥର ଫାଇନାଲ ଖେଳିଥିବା ବେଳେ ୫ଥର ଚାମ୍ପିୟନ ହୋଇଛି। ଦଳକୁ ୩ଥର ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ସେହିପରି ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିଶ୍ୱକପରେ ତିନି ଥର ବିଜୟ ହୋଇଥିବା ବେଳେ ୨ଥର ଫାଇନାଲରେ ହାରିବାକୁ ପଡ଼ିଛି। ତେବେ ଆଜି ହେବାକୁ ଥିବା ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ୨୦୨୩ ବିଶ୍ବକପର ବଦଲା ନେବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ। ଦେଖିବାକୁ ବାକି ରହିଲା ସିନିୟରଙ୍କ ବଦଲା ଜୁନିୟର ନେଇପାରିବେ ନା ପୁଣି ଥରେ ଭାରତୀୟ ପ୍ରଶଂସକ ନିରାଶ ହେବେ ।