spot_img
Home Blog Page 2121

ରାଜ୍ୟ କ୍ୟାବିନେଟରେ ୧୪ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୪ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ସୂଚନା ଅନୁଯାୟୀ,  ଓଡ଼ିଶାରେ ଜେଏସଡବ୍ଲ୍ୟୁ କରିବ ବିଦ୍ୟୁତ ଯାନ ନିର୍ମାଣ। ଉଭୟ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ସିଙ୍ଗଲ ଲୋକେସନରେ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ ଜେଏସଡବ୍ଲୁ । କଟକ ନରାଜରେ ପ୍ରତିଷ୍ଠା ହେବ ଏହି ପ୍ରକଳ୍ପ ।

କ୍ୟାବିନେଟ ନିଷ୍ପତ୍ତି ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି- ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବା ସହ ଇଲେକ୍ଟ୍ରିକ ଭେହିକଲ କମ୍ପୋନେଣ୍ଟ ତିଆରି କରିବ ଜେଏସଡବ୍ଲୁ । ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ ପ୍ରସ୍ତୁତ ହେବ । ପ୍ରକଳ୍ପ ଲାଗି ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏଥିରେ ୧୧ରୁ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଗ୍ରୀନ ହାଉସ ଗ୍ୟାସ ଏମିସନ ହ୍ରାସ ଲାଗି ପଦକ୍ଷେପ ନିଆଯାଉଛି । ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ ରାଜ୍ୟରେ ଇଭି ଲାଗି ପ୍ରକ୍ରିୟା ଚାଲିଛି । ଏନେଇ ଶିଳ୍ପ ବିଭାଗ, ଇପିକଲ ତରଫରୁ ମାନୁଫାକଚରରଙ୍କ ସହ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସେହିପରି ରାଜ୍ୟରେ କଫି ଚାଷ ବୃଦ୍ଧି ନେଇ ପ୍ରସ୍ତାବକୁ ମିଳିଛି ମଂଜୁରୀ । ୬ଜିଲ୍ଲାରେ ୧ଲକ୍ଷ ଏକର ଜମିରେ କଫି ଚାଷ କରିବା ଲକ୍ଷ୍ୟ । MSME ବିଭାଗର ଏକ ପ୍ରସ୍ତାବକୁ ମଧ୍ୟ ମିଳିଛି ମଂଜୁରୀ । ଲିଜ ଜମିକୁ ସ୍ଥିତିବାନ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥିପାଇଁ କନଭର୍ସନ ଫି ୧୦ରୁ ୩ପ୍ରତିଶତକୁ ହ୍ରାସ । ଓଡ଼ିଶା ବାୟୋଟେକ୍ନୋଲୋଜି ପଲିସି-୨୦୨୪କୁ ମଂଜୁରୀ । ବାୟୋଟେକ୍ନୋଲୋଜି ଷ୍ଟାର୍ଟ-ଅପକୁ ମିଳିବ ଆର୍ଥିକ ସୁବିଧା । ଗଠନ ହେବ ଓଡ଼ିଶା ବାୟୋଟେକ୍ନୋଲୋଜି ଭିଜନ ଗ୍ରୁପ ।

ରାଜ୍ୟରେ ଜାରି ରହିଛି ଝିପିଝିପି ବର୍ଷା, ୨୬ରୁ ବଦଳିବ ପାଗ

ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ସହ ଜାରି ରହିଛି ଝିପିଝିପି ବର୍ଷା। ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ଗତକାଲିଠାରୁ ଲାଗିରହିଛି ବର୍ଷା। ଆଗାମୀ ୨୫ ତାରିଖ ଯାଏଁ ଏପରି ସ୍ଥିତି ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ଅପରପକ୍ଷେ ୨୬ରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ କୋହଲା ପାଗ ସହ ଲାଗି ରହିଛି ଝିପିଝିପି ବର୍ଷା। ଯାହା ଜନଜୀବନକୁ କିଛି ମାତ୍ରାରେ ପ୍ରଭାବିତ କରିଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ଘନ କୁହୁଡ଼ିର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏ ନେଇ ସତର୍କ ସୂଚନା ଜାରି କରାଯାଇଛି।

ଅଧିକ ପଢନ୍ତୁ:- ସାରା ରାଜ୍ୟରେ କୋହଲା ପାଗ, ଘନ କୁହୁଡି ପାଇଁ ୧୨ ଜିଲ୍ଲାକୁ ସତର୍କତା ଜାରି

ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁରକୁ ଘନ କୁହୁଡି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜନ୍ମ ହେଲେ ଅନେକ ଶିଶୁ, ଜାଣନ୍ତୁ କ’ଣ କହୁଛନ୍ତି ପରିବାର

ଗାଜିଆବାଦ: ଅଯୋଧ୍ୟାରେ ସୋମବାର ଦିନ ପ୍ରଭୁ ରାମଲଲାଙ୍କ ଭବ୍ୟ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ଏହି ଐତିହାସିକ ଦିନକୁ ନେଇ ସାରା ଦେଶରେ ଖୁସି ଏବଂ ଉତ୍ସାହର ମାହୋଲ ଦେଖାଦେଇଛି । କେତେକ ସ୍ଥାନରେ ଶୋଭା ଯାତ୍ରା ବାହାରିଥିବା ବେଳେ ଆଉ କିଛି ସ୍ଥାନରେ କଳଶ ଯାତ୍ରା କରାଯାଇଛି ।

ଏହି ଅବସରରେ ଗାଜିଆବାଦ ଜିଲ୍ଲା ମହିଳା ହସ୍ପିଟାଲରେ ଅନେକ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ମହିଳାମାନେ ନିଜ ଜନ୍ମିତ ସନ୍ତାନକୁ ଭାଗ୍ୟବାନ ପୋଲି ବିବେଚନା କରିଛନ୍ତି ।

ପ୍ରାଣ ପ୍ରତିଷ୍ଠା ଦିନ ସନ୍ତାନ ପ୍ରସବ କରିଥିବା ମା’ ମାନେ କହିଛନ୍ତି, ଆମେ ଖୁବ୍ ସୌଭାଗ୍ୟଶାଳୀ । କାରଣ ଭଗବାନ ରାମ ମାନବ ବେଶରେ ଆମ କୋଳରେ ଜନ୍ମ ଗ୍ରହଣ କରିଛନ୍ତି । ସେହିପରି ଅନ୍ୟ ଜଣେ ମହିଳା କହିଛନ୍ତି ଯେ ମୋ ପୁଅ ଆଜି ଜନ୍ମ ହୋଇଛି। ମୁଁ ତାଙ୍କ ନାମ ଲବକୁଶ ରଖିବି।  ଅନ୍ୟ ଜଣେ ମହିଳା କହିଛନ୍ତି ଯେ ମୁଁ ମୋ ପୁଅର ନାମ ରାମ ରଖିବି।  ଅପରପକ୍ଷେ ଯେଉଁ ମାନଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଛି, ସେମାନେ ନିଜ ଝିଅର ନାମ ସୀତା ରଖିବେ ବୋଲି ଚର୍ଚ୍ଚା ହେଉଛି ।

ଷ୍ଟେଜରୁ ପଡ଼ି କମ୍ପାନୀ ସିଇଓଙ୍କ ମୃତ୍ୟୁ; ରାମୋଜୀ ଫିଲ୍ମ ସିଟି ନାଁରେ ମାମଲା ରୁଜୁ

ହାଇଦ୍ରାବାଦ: ଷ୍ଟେଜରୁ ପଡ଼ି କମ୍ପାନୀ ସିଇଓଙ୍କ ମୃତ୍ୟୁ। କମ୍ପାନୀର ଏକ ଏରିଏଲ୍ ଷ୍ଟେଜ୍ କାର୍ଯ୍ୟକ୍ରମବେଳେ ଉପରୁ ଖସି ସିଇଓଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦ ସ୍ଥିତ ଭିସଟେକ୍ସ ଏସିଆ ନାମକ କମ୍ପାନୀ ସିଇଓ ସଂଜୟ ଶାହାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କମ୍ପାନୀର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସିଇଓ ସଂଜୟ ଶାହା ।

ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ ଚାଲିଥିଲା ଏହି କାର୍ଯ୍ୟକ୍ରମ। ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ ହେବାର ଥିଲା । ଏହି ଅଘଟଣ ସମୟରେ ପାଖାପାଖି ୭ଶହ କର୍ମଚାରୀ ବସିଥିଲେ। ଏରିଏଲ ଷ୍ଟେଜ ସୋ ଦେଖିବାକୁ ଲୋକେ ଏକାଠି ହୋଇଥିଲେ। ଏଥିଲାଗି ଏକ ସ୍ବତନ୍ତ୍ର ଷ୍ଟେଜ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଯାହାକୁ ୨୦ ଫୁଟ୍ ଉଚ୍ଚକୁ କ୍ରେନ ଜରିଆରେ ଉଠାଯାଇଥିଲା। ଏଥିଲାଗି ୬ ମିଲିମିଟର ଲୁହାର ତାର ବ୍ୟବହାର ହୋଇଥିଲା। ତେବେ ଦୁର୍ଭାଗ୍ୟବଶତଃ ଷ୍ଟେଜର ଗୋଟିଏ ପଟ ଲୁହା ତାର ଛିଡି ଯିବାରୁ ଷ୍ଟେଜରୁ ତଳକୁ ଖସି ପଡିଥିଲେ ସିଇଓ ସଂଜୟ ଶାହ । ତାଙ୍କ ସହ ଥିବା ଅନ୍ୟଜଣେ ବ୍ୟକ୍ତି ମଧ୍ୟ ତଳେ ପଡିଯାଇଥିଲେ।

ଏଥିରେ ଉଭୟ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସଂଜୟଙ୍କ ମୃତ୍ୟୁ ଘଟିଛି। ପୋଲିସ ଏହି ଘଟଣାକୁ ନେଇ କମ୍ପାନୀ ପରିଚାଳନା କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଛି।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ; କାହିଁକି ସାମିଲ ହେଲେନି ବଲିଉଡର ଏହି ସେଲିବ୍ରିଟି

ଅଯୋଧ୍ୟା: ବଲିଉଡର ଅନେକ ସେଲିବ୍ରିଟି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଛନ୍ତି । ଏହି ସମାରୋହରେ ଅଂଶଗ୍ରହଣ କରିବାକୁ ଅକ୍ଷୟ କୁମାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାର କିନ୍ତୁ ଏହି ଶୁଭ ଦିନରେ ଅଂଶ ଗ୍ରହଣ କରିପାରିବେ ନାହିଁ। ତେବେ କାହିଁକି ଏବଂ କେଉଁ କାରଣରୁ ଅଭିନେତା ଅଯୋଧ୍ୟାରେ ପହଞ୍ଚି ପାରିଲେ ନାହିଁ । ନିକଟରେ ସେ ଏକ ଭିଡିଓ ସେୟାର କରି ଏହାର କାରଣ ଦର୍ଶାଇଛନ୍ତି। ଭିଡିଓରେ ଟାଇଗର ଶ୍ରଫ ମଧ୍ୟ ତାଙ୍କ ସହ ଅଛନ୍ତି।

ଆକ୍ସନ ହି୍ରୋ ଅକ୍ଷୟ କୁମାର ନିକଟରେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଟାଇଗର ଶ୍ରଫ ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ଇ ଟାଇମ୍ସର ରିପୋର୍ଟ ଅନୁଯାୟୀ ଅକ୍ଷୟ ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବଡେ ମିୟାଁ ଛୋଟେ ମିୟାଁ’ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ସେ ଜୋର୍ଡାନରେ ଅଛନ୍ତି । ସେ ସେୟାର କରିଥିବା ଭିଡିଓ ମଧ୍ୟ ସେଠାରୁ କରାଯାଇଥିଲା।

ଅକ୍ଷୟ କୁମାର ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘ଶ୍ରୀ ରାମଙ୍କ ଶୁଭ ଦିନରେ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା। ଜୟ ଶ୍ରୀ ରାମ । ଏହା ପରେ ସେ ଲେଖିଛନ୍ତି, ‘ ମୁଁ ଅକ୍ଷୟ କୁମାର ଏବଂ ମୋର ବନ୍ଧୁ ଟାଇଗର ଶ୍ରଫ ମୋ ସହ ଅଛନ୍ତି। ଆମ ଦୁହିଁଙ୍କ ଠାରୁ ଜୟ ଶ୍ରୀ ରାମ ତୁମ ସମସ୍ତଙ୍କୁ । ସାରା ବିଶ୍ୱରେ ରାମ ଭକ୍ତଙ୍କ ପାଇଁ ଆଜି ବହୁତ ବଡ ଦିନ । ଅନେକ ଶହ ବର୍ଷ ଅପେକ୍ଷା କରିବା ପରେ ଏହି ଦିନ ଆସିଛି ଯେ ରାମ ଲାଲା ଅଯୋଧ୍ୟାରେ ଥିବା ତାଙ୍କ ମହାନ ମନ୍ଦିରକୁ ଆସୁଛନ୍ତି। ଅକ୍ଷୟଙ୍କ ପୋଷ୍ଟକୁ ରାମ ଭକ୍ତ ଏବଂ ସେମାନଙ୍କ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ‘ବଡେ ମିୟାଁ ଛୋଟେ ମିୟାଁ’ ରିଲିଜ ହେବାକୁ ଯାଉଛି । କିଛି ଦିନ ପୂର୍ବରୁ ଫିଲ୍ମର ପୋଷ୍ଟର ଦର୍ଶକଙ୍କ ମଧ୍ୟରେ ଏକ ସମ୍ବେଦନଶୀଳତା ସୃଷ୍ଟି କରିଥିଲା। ଅକ୍ଷୟ ଏବଂ ଟାଇଗରଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ମାନୁଶି ଚିଲାର, ପ୍ରୀତିରାଜ ସୁକୁମାରନ୍, ଆଲାୟା ଫର୍ନିଚର୍ୱାଲା, ଜୁଗଲ୍ ହଂସରାଜ ଏବଂ ଅନିଲ ଧାୱନଙ୍କ ସମେତ ଅନେକ କଳାକାର ନଜର ଆସିବେ।

ବିଲକିସ ବାନୋ ଗଣଦୁଷ୍କର୍ମ ଘଟଣା: ଅଦାଲତରେ ଆତ୍ମ ସମର୍ପଣ କଲେ ସମସ୍ତ ୧୧ ଦୋଷୀ

ଗୁଜୁରାଟ: ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କଲେ ବିଲକିସ ବାନୋ ଗଣଦୁଷ୍କର୍ମ ଦୋଷୀ। ସମସ୍ତ ୧୧ ଦୋଷୀ ଗୁଜରାଟ ଗୋଧ୍ରାର ଉପକାରାଗାରରେ ଆତ୍ମସମର୍ପଣ କରିଛନ୍ତି। ଗତକାଲି ରାତି ସାଢେ ୧୧ଟା ସମୟରେ ସମସ୍ତ ୧୧ ଦୋଷୀ ଗୁଜରାଟ ପଞ୍ଚମହଲ ଜିଲ୍ଲାର ଗୋଧ୍ରା ସବଜେଲରେ ସରେଣ୍ଡର କରିଛନ୍ତି। ସମସ୍ତ ଦୋଷୀଙ୍କୁ ୨୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଦୁଇଟି ଘରୋଇ ଗାଡିରେ ଆସି ସମସ୍ତ ଦୋଷୀ ଜେଲରେ ଆତ୍ମସମର୍ପଣ କରିଛନ୍ତି।

ସମସ୍ତ ଦୋଷୀ ୨୦୦୨ ମସିହାର ବହୁଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ସହ ତାଙ୍କ ପରିବାର ଲୋକଙ୍କୁ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଚଳିତ ମାସ ୮ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ସମସ୍ତ ଦୋଷୀଙ୍କ ରାଜକ୍ଷମାକୁ ଖାରଜ କରି ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରେଣ୍ଡର ସମୟ ସୀମା ବୃଦ୍ଧି କରିବା ଲାଗି ଅଭିଯୁକ୍ତମାନେ ଯେଉଁ ଆବେଦନ କରିଥିଲେ ତାହାକୁ ଖାରଜ କରିଥିଲେ ସର୍ବୋଚ୍ଚ ଅଦାଲତ।

୨୧ ତାରିଖରେ ସରେଣ୍ଡର କରିବା ପରେ ଅଭିଯୁକ୍ତମାନେ ରିଭ୍ୟୁପିଟିସନ ଦାଖଲ କରିବାର ସୁଯୋଗ ରହିଛି। ସେମାନେ ମହାରାଷ୍ଟ୍ର ସରକାର ନିକଟରେ ପୁନର୍ବାର ସମୀକ୍ଷା ପିଟିସନ ଦାଖଲ କରିବାର ବି ବିକଳ୍ପ ରହିଛି। ୨୦୦୨ ଦଙ୍ଗା ସମୟରେ ୨୧ ବର୍ଷ ବୟସ୍କା ତଥା ୫ ମାସର ଗର୍ଭବତୀ ବିଲକିସଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କର ୩ ବର୍ଷ ବୟସ୍କା ଝିଅ ସମେତ ୭ ଜଣଙ୍କୁ ହତ୍ୟା କରିଥିଲେ ଦୋଷୀ।

ଆସନ୍ତାକାଲିଠାରୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା, ମାର୍ଚ୍ଚ ୫ ତାରିଖ ଯାଏଁ ଚାଲିବ ଅଭିଯାନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା। ଜାନୁଆରୀ ୨୩ ତାରିଖ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀଠାରୁ ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏଁ ବିଜେଡିର ପରିବାର ସମ୍ପର୍କ ଯାତ୍ରା ଚାଲିବ। ପ୍ରତି ଘରକୁ ଯିବେ ଦଳର ନେତା ଓ କର୍ମୀ । ପ୍ରତି ପରିବାର ସହ ସମ୍ପର୍କ ଯୋଡ଼ିବେ। ରାଜ୍ୟ ସରକାରଙ୍କ ସଫଳତା ଅବଗତ କରାଇବେ। ଲୋକଙ୍କ ଭଲମନ୍ଦ ବୁଝି ସ‌ହ‌ଯୋଗ କରିବେ। ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ଘୋଷଣା ହୋଇପାରେ। ଏହା ପୂର୍ବରୁ ବିଜେଡି ରାଜ୍ୟବ୍ୟାପୀ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ।

ବିଜେଡି ପ୍ରତିଷ୍ଠା ଦିବସରେ ଜନସମ୍ପର୍କ ଅଭିଯାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ତୃଣମୂଳ ସ୍ତରରେ ବିଧାୟକ, ସ୍ଥାନୀୟ ନେତା, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଏବଂ ଛାମୁଆ ସଂଗଠନ ନେତାମାନଙ୍କୁ ଦାୟିତ୍ଵ ଦିଆଯାଇଛି। ଏହି ଅଭିଯାନ ଜରିଆରେ ଦଳ ନିଜର ସ୍ଥିତି ପରଖିବା ସହ ସବୁ ଅଞ୍ଚଳରୁ ଜନତାଙ୍କ ମତାମତ ପାଇପାରିବ। ତୃଣମୂଳ ସ୍ତରରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ସହ ନିର୍ବାଚନ ପୂର୍ବରୁ ସଂଗଠନ ଆହୁରି ସକ୍ରିୟ ହେବ । ସ୍ଥାନୀୟ ପ୍ରସଙ୍ଗକୁ ଦଳ ଏହି ବିଶେଷ ଗୁରୁତ୍ୱ ଦେବ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତିବର୍ଷ ପରି ଗତବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏ ପଦଯାତ୍ରା କରାଯାଇଥିଲା। ତା’ପରେ ପ୍ରତି ନିର୍ବାଚନମଣ୍ଡଳୀର ୨ଶହ ପ୍ରତିନିଧିଙ୍କୁ ଶଙ୍ଖ ଭବନରେ ବିଭିନ୍ନ ପ୍ରସଙ୍ଗରେ ଟ୍ରେନିଂ ଦିଆଯାଇଥିଲା। ଡିସେମ୍ବର ୨୫ ତାରିଖ ସୁଦ୍ଧା ଜୋନ ସ୍ତରୀୟ ଟ୍ରେନିଂ ସମ୍ପୂର୍ଣ୍ଣ ହୋଇଛି। ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଜନସେବା ସହ ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମ ଜାରି ରହିଛି ।

ମନ୍ଦିରକୁ ପ୍ରବେଶ ବେଳେ ରାହୁଲ ଗାନ୍ଧୀଙ୍କୁ ଅଟକାଇଲା ପୋଲିସ, ଧାରଣାରେ ବସିଲେ ରାହୁଲ

ବ୍ୟୁରୋ ରିପୋର୍ଟ : ରାହୁଲ ଗାନ୍ଧୀଙ୍କୁ ମନ୍ଦିର ପ୍ରବେଶ କରିବାକୁ ଅଟକାଇଲା ଆସାମ ପୋଲିସ। ଆସାମର ନୂଆଗାଁଓ ଜିଲ୍ଲାରେ ବୈଷ୍ଣବ ସନ୍ଥ ଶଙ୍କରଦେବ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରିଛି ପୋଲିସ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା କ୍ରମରେ ଆସାମରେ ଚାଲିଛି  ପଦଯାତ୍ରା। ରାହୁଲଙ୍କ ଟିମକୁ ଏହି ମନ୍ଦିର ଦର୍ଶନ ଲାଗି ପୂର୍ବରୁ ପ୍ରଶାସନ ଅନୁମତି ଦେଇଥିଲା। ତେବେ କାହିଁକି ତାଙ୍କୁ ଅଟକା ଗଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରତିବାଦ କରି ପୋଲିସ ଅଟକାଇଥିବା ସ୍ଥାନରେ ସେ ଧାରଣା ଦେଇଥିଲେ । ରାହୁଲଙ୍କୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମନ୍ଦିରକୁ ଯିବାକୁ ଅନୁମତି ନାହିଁ ବୋଲି ପୋଲିସ କର୍ତ୍ତୃପକ୍ଷ କହିଥିଲେ। ପୋଲିସ ଅଟକାଇବାକୁ ନେଇ ପ୍ରତିବାଦ କରି ମୋର କ’ଣ ଦୋଷ ରହିଛି ବୋଲି ପଚାରିଥିଲେ ରାହୁଲ ।

ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଆସାମ ଦେଇ ଯାଉଥିବାବେଳେ ଏହା ଉପରେ ପୁନଃବିଚାର କରିବାକୁ କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଥିବାରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଉପରେ ପୁନଃବିଚାର କରିବାକୁ କେନ୍ଦ୍ରକୁ ନିବେଦନ କରିଥିଲେ। ଆସାମରେ କିଛି ସ୍ଥାନରେ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ ହୋଇଥିବା ମଧ୍ୟ କଂଗ୍ରେସ କହିଛି । ଏହାର ପ୍ରତିବାଦ କରି ଦେଶବ୍ୟାପୀ ଆଜି ଅପରାହ୍ନରେ ପ୍ରଦର୍ଶନ କରିବାକୁ କହିଥିଲା କଂଗ୍ରେସ । ଦେଶରେ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ଲାଗି ରାହୁଲ ଗାନ୍ଧିଙ୍କ ଏହି ଭାରତ ନ୍ୟାୟ ଯାତ୍ରା ବୋଲି କହିଛି କଂଗ୍ରେସ ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ

ଭୁବନେଶ୍ୱର :  ଅଯୋଧ୍ୟା ଦିବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ସମାରୋହର ସିଧା ପ୍ରସାରଣ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦିବ୍ୟ ଦୁର୍ଲ୍ଲଭ ମୁହୂର୍ତ୍ତକୁ ଦର୍ଶନ କଲାବେଳେ ହାତଯୋଡି ପ୍ରାର୍ଥନା କରିଛନ୍ତି ନବୀନ । ଏହି ସମୟରେ ସେଠାରେ ଉପସ୍ଥିତ ଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ସାରା ଦେଶ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ବିଭୋର। ଦେଶବାସୀ ଏହି ମୁହୂର୍ତ୍ତକୁ ଚାହିଁ ରହିଥିବାବେଳେ ଆଜି ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି । କାଲିଠୁ ସର୍ବସାଧାରଣ ଦର୍ଶନ ।

ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଲୋକାର୍ପିତ, ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମ

ଅଯୋଧ୍ୟା: ରାମମୟ ସାରା ଜଗତ। ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ପ୍ରତିମାର ପ୍ରଥମ ଫଟୋ। ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଲୋକାର୍ପିତ ହୋଇଛି । ମନ୍ଦିରରେ ବିରାଜମାନ ପରେ ଶ୍ରୀରାମଙ୍କ ଠାରେ ପ୍ରାଣ ପ୍ରତିଷ୍ଠା ବିଧି ସମ୍ପନ୍ନ ହୋଇଛି । ଧାର୍ଯ୍ୟ ସମୟ ମୁତାବକ ଶୁଭ ମୁହୂର୍ତ୍ତ ୮୪ ସେକେଣ୍ଡର ରହିଥିଲା । ଏହି ଶୁଭବେଳାରେହିଁ ରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ମଧ୍ୟାହ୍ନ ୧୨ଟା ୨୯ ମିନିଟ ୨ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଏହି ଶୁଭ ମୁହୂର୍ତ୍ତ ଥିଲା । ସମସ୍ତ ରୀତିନୀତି ଅନୁଯାଇ ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । ଶ୍ରୀରାମଙ୍କ ମନ୍ଦିର ଗର୍ଭଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରିଥିଲେ । ମନ୍ତ୍ରୋଚ୍ଚାରଣ ସହ ଅନ୍ୟ ବିଧିବିଧାନ ମୁତାବକ ଏହି ନୀତି ସମ୍ପନ୍ନ ହୋଇଛି ।

ମନ୍ଦିରରେ ବିରାଜମାନ ପ୍ରଭୁ ଶ୍ରୀରାମଙ୍କ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୁଷିତ ପ୍ରତିମାର ପ୍ରଥମ ଫଟୋ ସାମନାକୁ ଆସିଛି । ଏହି ଅବସରରେ ଦୁଲୁକୁଛି ରାମଙ୍କ ନଗରୀ ଅଯୋଧ୍ୟା। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଚାରିଆଡେ ଶୁଭୁଛି ରାମନାମର ସ୍ବର। ପୂରା ଜଗତ ରାମମୟ ହୋଇପଡିଛି। ସାରା ଦେଶରୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଛି । ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ, ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଅଭିନେତା ଚିରଂଜିବୀ, ବିକି କୌଶଲ,ଅଭିନେତ୍ରୀ କାଟ୍ରିନା କୈଫ, ଅନୁପମ ଖେରଙ୍କ ସହ ସିନେମା ଓ କ୍ରୀଡା ଜଗତର ଅନେକ ବିଶିଷ୍ଟ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଛନ୍ତି। ପ୍ରାୟ ୭ ହଜାର ସାଧୁସନ୍ଥ, ପ୍ରତିଷ୍ଠିତ ବ୍ୟକ୍ତି ଓ ଶ୍ରଦ୍ଧାଳୁଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ପୂରା ଅଯୋଧ୍ୟାରେ ଦୀପାବଳୀ ଆୟୋଜନ ହେଉଛି। ୧୦ ଲକ୍ଷ ଦୀପରେ ଝଲସିବ ଅଯୋଧ୍ୟା ନଗରୀ।