spot_img
Home Blog Page 211

ଇଣ୍ଡିଗୋ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ : ଦେଶବ୍ୟାପୀ ସେବା ବିପର୍ଯ୍ୟସ୍ତ ହେବା ପରେ ଇଣ୍ଡିଗୋ ବିରୋଧରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ। ଇଣ୍ଡିଗୋ ଲାଗି ରହିଥିବା ୱିଣ୍ଟର ଫ୍ଲାଇଟ ସିଡ୍ୟୁଲକୁ ୫ ପ୍ରତିଶତ ହ୍ରାସ କରାଯାଇଛି। ଏହି ସ୍ଲଟଗୁଡିକୁ ଅନ୍ୟାନ୍ୟ ଏୟାରଲାଇନ୍ସକୁ ଦିଆଯାଇଛି। ସେପଟେ ରୋଷ୍ଟର ରୋଲରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମ ମୋହନ ନାଇଡୁ। ଆଜି ଲକ୍ଷ୍ମୌରୁ ଆସିବାକୁ ଓ ଲକ୍ଷ୍ମୌକୁ ଯିବାକୁ ଥିବା ୨୬ଟି ଇଣ୍ଡିଗୋ ବିମାନକୁ ବାତିଲ କରାଯାଇଛି। ସେହିପରି ବେଙ୍ଗାଳୁରୁରେ ୧୨୧, ଚେନ୍ନାଇରେ ୮୧, ହାଇଦ୍ରାବାଦରେ ୫୮, ମୁମ୍ବାଇରେ ୫୧ ଓ ଅହମ୍ମଦାବାଦରେ ୧୬ଟି ବିମାନକୁ ବାତିଲ କରାଯାଇଛି। ତେବେ ଦିଲ୍ଲୀ ବିମାନ ବନ୍ଦରରେ ଆଜି କୌଣସି ଇଣ୍ଡିଗୋ ଫ୍ଲାଇଟକୁ ବାତିଲ କରାଯାଇନାହିଁ। ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏୟାରଲାଇନ ଅପରେଟରଙ୍କ ସହ ବୈଠକ ରହିଛି। ଭବିଷ୍ୟତରେ ଯେପରି ପୁଣି ଥରେ ଏହି ସମସ୍ଯା ଉପୁଜିବ ନାହିଁ ସେଥିପ୍ରତି ଗୁରୁତ୍ବ ଦେଇଛି ମନ୍ତ୍ରାଳୟ। ଗତକାଲି ସୁଦ୍ଧା କ୍ଷତିଗ୍ରସ୍ତ ଯାତ୍ରୀଙ୍କୁ ଇଣ୍ଡିଗୋ ୮୨୭ କୋଟି ଟଙ୍କା ଫେରସ୍ତ କରିଥିବା ସୂଚନା ମିଳିଛି। ଡିସେମ୍ବର ୧୫ ସୁଦ୍ଧା ହୋଇଥିବା ଟିକେଟ ବାବଦ ଦେୟ ଫେରସ୍ତ ହୋଇଛି। ୪୫୦ ବିମାନକୁ ବାତିଲ କରାଯାଇଥିବାବେଳେ ୧୮୦୦ରୁ ଅଧିକ ବିମାନର ଚଳାଚଳ ସ୍ବାଭାବିକ ହୋଇଛି। ଅର୍ଥାତ ମୋଟ ଅପରେଟିଂ ହାରର ୯୮ ପ୍ରତିଶତ ସ୍ବାଭାବିକ ସ୍ଥିତିକୁ ଆସିଥିବା କୁହାଯାଇଛି। ଆସନ୍ତାକାଲି ବସିବ ଉଚ୍ଚସ୍ତରୀୟ ୪ ଜଣିଆ କମିଟିର ବୈଠକ। ଡିଜିସିଏର ଉଚ୍ଚସ୍ତରୀୟ କମିଟି ବୈଠକରେ ଯୋଗ ଦେବାକୁ ଇଣ୍ଡିଗୋର ସିଇଓ ପିଟିର ଏଲବର୍ସଙ୍କ ସମେତ କିଛି ଅଧିକାରୀ ଏହି ବୈଠକରେ ସାମିଲ ହେବେ। ଗତ ଡିସେମ୍ବର ୧ରୁ ୭ ଯାଏ ୫ ଲକ୍ଷ ୮୬ ହଜାର ୭୯୫ ପିଏନଆର ବାତିଲ କରାଯାଇଛି। ସେହିପରି ନଭେମ୍ବର ୨୧ରୁ ଡିସେମ୍ବର ୭ ଯାଏ ମୋଟ ୯ ଲକ୍ଷ ୫୫ ହଜାର ୫୯୧ ପିଏନଆର ବାତିଲ ହୋଇଛି।

ମାଆର ଜାତି ଆଧାରରେ ଝିଅର ଏସସି ପ୍ରମାଣପତ୍ରକୁ ଅନୁମୋଦନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ :  ଜାତି ପ୍ରମାଣପତ୍ର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ଜଣେ ଝିଅକୁ ତାଙ୍କ ମାଆଙ୍କ ଜାତି ଆଧାରରେ ଅନୁସୂଚିତ ଜାତି ପ୍ରମାଣପତ୍ର ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି। ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ପିତାଙ୍କ ଜାତି ଦ୍ୱାରା ଶିଶୁର ଜାତି ନିର୍ଣ୍ଣୟ କରାଯିବା ପାରମ୍ପରିକ ନିୟମକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ଆବେଦନ ପୂର୍ବରୁ ବିଚାରାଧୀନ ଅଛି।

ଏହି ମାମଲାଟି ପୁଡୁଚେରୀର ଜଣେ ଝିଅ ପାଇଁ ଏକ ପ୍ରମାଣପତ୍ର ସହିତ ଜଡିତ। ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ପୁଡୁଚେରୀର ଝିଅକୁ ଅନୁସୂଚିତ ଜାତି ପ୍ରମାଣପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବାକୁ ମନା କରିଦେଇଥିଲେ । ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଝିଅଟି ସମୟ ମଧ୍ୟରେ ତାଙ୍କର ଜାତି ପ୍ରମାଣପତ୍ର ନ ପାଏ, ତେବେ ତାଙ୍କ ଭବିଷ୍ୟତ ପ୍ରଭାବିତ ହୋଇପାରେ।

ଯଦିଓ,ସୁପ୍ରିମକୋର୍ଟଖଣ୍ଡପୀଠ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାରେ ପ୍ରମୁଖ ଆଇନଗତ ପ୍ରଶ୍ନକୁ ଖୋଲା ରଖାଯାଇଛି। ଏହି ସମୟରେ, CJI ସୂର୍ଯ୍ୟକାନ୍ତଙ୍କ ଏକ ମନ୍ତବ୍ୟ ଏକ ନୂତନ ବିତର୍କ ସୃଷ୍ଟି କରିଛି। ସେ କହିଛନ୍ତି, “ଯେତେବେଳେ ସମୟ ସହିତ ପରିସ୍ଥିତି ବଦଳୁଛି, ସେତେବେଳେ ମା’ଙ୍କ ଜାତି ଆଧାରରେ ଜାତି ପ୍ରମାଣପତ୍ର କାହିଁକି ପ୍ରଦାନ କରାଯାଇପାରିବ ନାହିଁ?” ଏହି ମନ୍ତବ୍ୟକୁ ଏକ ପ୍ରମୁଖ ସାମାଜିକ ଏବଂ ଆଇନଗତ ସଙ୍କେତ ଭାବରେ ବିବେଚନା କରାଯାଉଛି।

ଯଦି ଭବିଷ୍ୟତରେ ଏହି ନୀତି ପ୍ରତିଷ୍ଠିତ ହୁଏ, ତେବେ ଏହାର ଅର୍ଥ ହେବ ଯେ ଜଣେ ଅନୁସୂଚିତ ଜାତିର ମହିଳା ଏବଂ ଜଣେ ଉଚ୍ଚ ଜାତିର ପୁରୁଷଙ୍କ ପିଲାମାନେ, ଯଦିଓ ସେମାନେ ଉଚ୍ଚ ଜାତିର ସାମାଜିକ ପରିବେଶରେ ପାଳିତ ହୋଇଥାନ୍ତି, ତଥାପି ସେମାନେ ଏକ ଅନୁସୂଚିତ ଜାତି ପ୍ରମାଣପତ୍ର ପାଇବାର ହକଦାର ହୋଇପାରିବେ।

ଏକ ରିପୋର୍ଟ ଅନୁଯାୟୀ, ମା’ ତାଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅଙ୍କୁ ତାଙ୍କ ଜାତି ପ୍ରମାଣପତ୍ର ଆଧାରରେ ଅନୁସୂଚିତ ଜାତି ପ୍ରମାଣପତ୍ର ପ୍ରଦାନ କରିବାକୁ ତହସିଲଦାରଙ୍କୁ ଅନୁରୋଧ କରିଥିଲେ । କାରଣ ତାଙ୍କ ସ୍ୱାମୀ ବିବାହ ପରଠାରୁ ତାଙ୍କ ଶ୍ୱଶୁର ଘରେ ରହୁଥିଲେ। ତାଙ୍କ ଆବେଦନରେ ମହିଳା ଯୁକ୍ତି ଦର୍ଶାଇଥିଲେ ଯେ ତାଙ୍କ ପିତାମାତା ଏବଂ ଜେଜେମାଆ ହିନ୍ଦୁ ଆଦି ଦ୍ରାବିଡ଼ ସମ୍ପ୍ରଦାୟର ଥିଲେ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ସହିତ ପଢ଼ାଯାଇଥିବା ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ଅନୁଯାୟୀ, ୫ ମାର୍ଚ୍ଚ, ୧୯୬୪ ଏବଂ ୧୭ ଫେବୃଆରୀ, ୨୦୦୨ ରେ କୁହାଯାଇଛି ଯେ ଜଣେ ବ୍ୟକ୍ତିଙ୍କ ଜାତି ପ୍ରମାଣପତ୍ର ପାଇବାର ଯୋଗ୍ୟତା ମୁଖ୍ୟତଃ ତାଙ୍କ ପିତାଙ୍କ ଜାତି ଏବଂ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର କ୍ଷେତ୍ରାଧିକାର ମଧ୍ୟରେ ତାଙ୍କ ଆବାସିକ ସ୍ଥିତି ଉପରେ ଆଧାରିତ।

୨୦୦୩ ମସିହାରେ ପୁନିତ ରାୟ ବନାମ ଦିନେଶ ଚୌଧୁରୀ ମାମଲାରେ, ସୁପ୍ରିମକୋର୍ଟ କହିଥିଲେ ଯେ ପାରମ୍ପରିକ ହିନ୍ଦୁ ଆଇନ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ଜାତି ନିର୍ଣ୍ଣୟ ପାଇଁ ନିର୍ଣ୍ଣାୟକ କାରକ ହେବ ପିତାଙ୍କ ଜାତି ଏବଂ ବୈଧାନିକ ଆଇନର ଅନୁପସ୍ଥିତିରେ, ସେମାନେ ମାତାଙ୍କଠାରୁ ନୁହେଁ ବରଂ ପିତାଙ୍କଠାରୁ ସେମାନଙ୍କର ଜାତି ଉତ୍ତରାଧିକାରୀ ଭାବରେ ପାଇବେ।

ତା’ପରେ, ୨୦୧୨ ମସିହାରେ ରମେଶଭାଇ ଦାଭାଇ ନାଇକା ବନାମ ଗୁଜରାଟ ନିଷ୍ପତ୍ତିରେ, ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ, “ଆନ୍ତଃଜାତି ବିବାହ କିମ୍ବା ଆଦିବାସୀ ଏବଂ ଅଣ-ଜାତି ମଧ୍ୟରେ ବିବାହରୁ ଜନ୍ମିତ ବ୍ୟକ୍ତିଙ୍କ ଜାତି ନିର୍ଣ୍ଣୟ କରିବାରେ, ପ୍ରାସଙ୍ଗିକ ତଥ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇପାରିବ ନାହିଁ।” ଖଣ୍ଡପୀଠ ଆହୁରି କହିଛନ୍ତି, “ଆନ୍ତଃଜାତି ବିବାହ କିମ୍ବା ଆଦିବାସୀ ଏବଂ ଅଣ-ଜାତି ମଧ୍ୟରେ ବିବାହରେ, ଏହା ଅନୁମାନ କରାଯାଇପାରେ ଯେ ପିଲାର ଜାତି ପିତାଙ୍କ ଜାତି ସହିତ ଜଡିତ ହେବ। ଏହି ଧାରଣା ଏପରି କ୍ଷେତ୍ରରେ ଅଧିକ ଦୃଢ଼ ହୋଇପାରେ ଯେଉଁଠାରେ, ଆନ୍ତଃଜାତି ବିବାହ କିମ୍ବା ଆଦିବାସୀ ଏବଂ ଅଣ-ଜାତି ମଧ୍ୟରେ ବିବାହରେ, ସ୍ୱାମୀ ଉଚ୍ଚ ଜାତିର ହୋଇଥାନ୍ତି।”

କୋର୍ଟ ଆହୁରି କହିଛନ୍ତି, “ଏପରି ବିବାହରୁ ଜନ୍ମିତ ପିଲାମାନେ ପ୍ରମାଣ ଦେଇପାରିବେ ଯେ ସେମାନଙ୍କୁ SC/ST ସମ୍ପ୍ରଦାୟର ଜଣେ ମାଆଙ୍କ ଦ୍ୱାରା ପାଳିତ କରାଯାଇଥିଲା। ଉଚ୍ଚ ଜାତିର ପିତାଙ୍କ ପୁଅ ହେବା ଦ୍ୱାରା ସେମାନଙ୍କୁ ସେମାନଙ୍କ ପ୍ରାରମ୍ଭିକ ଜୀବନରେ କୌଣସି ସୁବିଧା ମିଳିନଥିଲା; ବରଂ, ସେମାନେ ସେମାନଙ୍କ ମାଆ ଯେଉଁ ସମ୍ପ୍ରଦାୟର ଥିଲେ ସେହି ସମ୍ପ୍ରଦାୟର ଅନ୍ୟ ସଦସ୍ୟଙ୍କ ପରି ବଞ୍ଚିତ, ଅପମାନ, ଅବମାନନା ଏବଂ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲେ।”

ଏବେ, ସୁପ୍ରିମକୋର୍ଟ ତାଙ୍କର ସଦ୍ୟତମ ନିଷ୍ପତ୍ତିରେ, କନ୍ୟା ସନ୍ତାନର ସ୍ୱାର୍ଥକୁ ସର୍ବୋପରି ବିବେଚନା କରି, ମା’ର ଜାତି ଆଧାରରେ ଏସସି ପ୍ରମାଣପତ୍ର ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି, କିନ୍ତୁ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଜାତି ନିର୍ଣ୍ଣୟ ସହିତ ଜଡିତ ପ୍ରମୁଖ ଆଇନଗତ ପ୍ରଶ୍ନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ନିଆଯିବ।

ଏହି ନିଷ୍ପତ୍ତି ଜାତି ପ୍ରମାଣପତ୍ର, ସଂରକ୍ଷଣ ଏବଂ ଆନ୍ତଃଜାତି ବିବାହ ସମ୍ବନ୍ଧୀୟ ଅଧିକାର ସମ୍ପର୍କରେ ସାରା ଦେଶରେ ଏକ ନୂତନ ବିତର୍କ ସୃଷ୍ଟି କରିବାର ସମ୍ଭାବନା ରହିଛି। ଆଇନ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି କୋର୍ଟ ଭବିଷ୍ୟତରେ ମା’ଙ୍କ ଜାତିକୁ ଏକ ନିର୍ଣ୍ଣାୟକ କାରଣ ଭାବରେ ବିବେଚନା କରିବାକୁ ପଦକ୍ଷେପ ନିଅନ୍ତି, ତେବେ ଏହା ସାମାଜିକ ନ୍ୟାୟ ଦିଗରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ।

ବେଆଇନ ବାଲି ଘାଟରୁ ୭ ଟ୍ରାକ୍ଟର ଜବତ

କଣ୍ଟାମାଳ : ବେଆଇନ ବାଲି ଘାଟରୁ ୭ ଟ୍ରାକ୍ଟର ଜବତ କଲା ପୋଲିସ । ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଡମ୍ବରଗଡ ମହାନଦୀ ବାଲି ଘାଟରୁ ବେଆଇନ ବାଲି ଚାଲାଣ । ଏନେଇ ପୋଲିସ ସୂଚନା ପାଇଥିବା ବେଳେ ଏସପି ରାହୁଲ ଗୋଏଲଙ୍କ ନିର୍ଦ୍ଦେଶ କ୍ରମେ ବାଉଁଶୁଣି ପୋଲିସର ଏକ ଟିମ୍ ସେଠାରେ ଚଢାଉ କରିଥିଲା । ଚଢାଉରେ ୭ ଟି ବାଲି ବୋଝେଇ ହୋଇଥିବା ଟ୍ରାକ୍ଟରକୁ ଜବତ କରିଥିବା ସୂଚନା ମିଳିଛି । ଏଥି ସହିତ ଡ୍ରାଇଭର ମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ଏମାନେ ନିଜେ ବାଲି ଚୋରା ଚାଲାଣ କରୁଥିଲେ ନା ଏହି ବାଲି ଘରକୁ କେଉଁ ମାଫିଆ ଚଳାଇଥିଲେ ସେନେଇ ପୋଲିସ ତଦନ୍ତ କରୁଛି ।

ଜଳୁଛି ମାଲକାନଗିରି : ମୁହାଁମୁହିଁ ଦୁଇ ଗାଁ ଲୋକେ, ମୁଣ୍ଡ ଖୋଜୁଛି ପ୍ରଶାସନ…

ମାଲକାନଗିରି : ମହିଳାଙ୍କ ହତ୍ୟାକୁ ନେଇ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ଦୁଇଟି ଗାଁ ଅଶାନ୍ତ। ରାଖାଲଗୁଡ଼ା ଓ ଏମଭି ୨୬ ଗାଁ ମଧ୍ୟରେ ସଂଘର୍ଷ ପରେ ସେହି ଅଞ୍ଚଳରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ କରାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନି ଦିନ ହେଲାଣି ପୁରା ଅଞ୍ଚଳରେ ଲାଗି ରହିଛି ପ୍ରବଳ ଉତ୍ତେଜନା। ଏଯାଏ ମହିଳାଙ୍କ ମୁଣ୍ଡ ମିଳି ନାହିଁ କିମ୍ଵା ଘଟଣାସ୍ଥଳରୁ ମହିଳାଙ୍କ ମୃତଦେହ ଉଠି ନାହିଁ। ମୁଣ୍ଡ ଖୋଜୁଛି ପ୍ରଶାସନ। ନଦୀ ପାଣି ଅଟକାଇ ମୁଣ୍ଡ ଖୋଜାଯାଉଛି। ଗତକାଲି ଧନୁତୀର, ଫାର୍ସା ଓ ପାରମ୍ପରିକ ଅସ୍ତ୍ରଶନ୍ତ୍ର ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆଦିବାସୀ। ମୁହାଁମୁହିଁ ସ୍ଥିତିରେ ଉଭୟ ଗାଁ ଲୋକେ। ଘର, ଗାଡ଼ି ସମେତ ଦୋକାନ ବଜାର ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଘଟଣାକୁ ୪ ଦିନ ବିତିଥିଲେ ମଧ୍ଯ ପରିସ୍ଥିତିରେ ଆସୁନି ସୁଧାର । ନାକେଦମ ହେଲେଣି ସ୍ଥାନୀୟ ପ୍ରଶାସନ ଓ ପୋଲିସ । ସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ସହିତ ଗାଡ଼ି ମୋଟର ଯାଞ୍ଚ କରାଯାଉଛି। ଘଟଣାର ସମୀକ୍ଷା କରିଛନ୍ତି କୋରାପୁଟ ଆଇଜି ।

ଶିକାରୀ ଫାସରେ ପଡିଲା କଲରାପତରିଆ ବାଘ

ଶିକାରୀ ଫାସରେ ପଡିଲା କଲରାପତରିଆ ବାଘ । ଅନୁଗୋଳ ରେଞ୍ଜ କରତପଟା ସେକ୍ସନର ଜଙ୍ଗଲରେ ଫାସରେ ପଡିଲା କଲରାପତରିଆ ବାଘ । ଗତକାଲି ରାତିରେ ବାଘ ଶିକାରୀ ଫାସରେ ପଡ଼ିଥିବା ବେଳେ ଆଜି ସକାଳେ ଘଟଣା ସମ୍ପର୍କରେ ଜଣା ପଡିଥିଲା । ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି । ଗତକାଲି ରାତିରେ ଡିମିରିପାଳ ଗାଁ ନିକଟ ଏକ ଛଣମଳିଆ ନାଳ ନିକଟରେ ଏକ କଲରାପତରିଆ ବାଘ ଫାସରେ ପଡିଥିଲା । ଆଜି ବାଘର ଗର୍ଜନ ଶୁଣି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କର୍ମଚାରୀ ଡ୍ରୋନ କ୍ୟାମେରା ସାହାଯ୍ୟରେ ଦେଖିବାକୁ ପାଇଥିଲେ । ତେବେ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କଲରାପତରିଆ ବାଘକୁ ଟ୍ରାଙ୍କୁଲାଇଜ୍ କରି ଉଦ୍ଧାର କରିଛନ୍ତି । ପରେ କୁଲାସିଙ୍ଗା ନର୍ସରୀକୁ ଅଣା ଯାଇ ଚିକିତ୍ସା କରାଯାଉଛି । ସେପଟେ ଫାଶ କିଏ ପକାଇଥିଲା ସେ ନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି ।

ଭୂମିକମ୍ପରେ ଥରିଲା ଜାପାନ, ଭୟଙ୍କର ରୂପ ନେଲା ସୁନାମି…

ନନ୍ଦିଘୋଷ ବ୍ୟୁରୋ : ସୋମବାର ବିଳମ୍ବିତ ରାତିରେ ଥାରିଲା ଜାପାନ । ଉତ୍ତର ଜାପାନର ଉପକୂଳରେ ୭.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଅଧିକାରୀମାନଙ୍କ ଅନୁସାରେ, ଭୂମିକମ୍ପରେ ୨୩ ଜଣଙ୍କୁ ମୃତ୍ୟୁ ହୋଇଛି । ପ୍ରଶାନ୍ତ ମହାସାଗରୀୟ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ଆସିଛି। ଏହି ବିନାଶକାରୀ ଭୂମିକମ୍ପ ପରେ ପରବର୍ତ୍ତୀ ଝଟକା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଜାପାନ ସରକାର ଏପର୍ଯ୍ୟନ୍ତ ସୁନାମି ଏବଂ ବିଳମ୍ବିତ ରାତିରେ ହୋଇଥିବା ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରୁଛନ୍ତି।

ଭୂମିକମ୍ପ ଯୋଗୁଁ ଅଧିକାଂଶ ଜିନିଷ ପଡ଼ିଯିବାରୁ ଲୋକ ଆହତ ହୋଇଥିଲେ। ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ଭୂମିକମ୍ପ ରାତି ୧୧:୧୫ ରେ ଆଓମୋରି ଅଞ୍ଚଳର ଉପକୂଳରୁ ପ୍ରାୟ ୮୦ କିଲୋମିଟର ଦୂରରେ ୫୦ କିଲୋମିଟର ଗଭୀରତାରେ ହୋଇଥିଲା। ସୁନାମି ସତର୍କତା ଜାରି କରାଯାଇଥିଲା। ୭୦ ସେମି ଉଚ୍ଚତା ପର୍ଯ୍ୟନ୍ତ ଲହରି ପରିଲକ୍ଷିତ ହୋଇଥିଲା।

କିଛି ଟ୍ରେନକୁ ବାତିଲ କରାଯାଇଛି । ମୁଖ୍ୟ କ୍ୟାବିନେଟ୍ ସଚିବ ମିନୋ କିହାରା ଅନୁସାରେ, ୮ଶହ ଘରରୁ ବିଦ୍ୟୁତ କଟିଯାଇଛି । ଆଗାମୀ ଦିନରେ ଆହୁରି ଶକ୍ତିଶାଳୀ ଭୂମିକମ୍ପ ଆସିପାରେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଏବଂ ଅତି କମରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସତର୍କ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ପୂର୍ବରୁ ୨୦୧୧ ମସିହାରେ ଜାପାନର ଉତ୍ତର ଉପକୂଳରେ ୯.୦ ତୀବ୍ରତାର ଭୂମିକମ୍ପ ଏବଂ ସୁନାମି ଆସି ପ୍ରାୟ ୨୦,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ଫୁକୁସିମା ଦାଇଚି ପରମାଣୁ ଶକ୍ତି କେନ୍ଦ୍ର ଧ୍ୱଂସ ପାଇଯାଇଥିଲା।

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାହାରିବ କି ବାଲି ? ଦୀର୍ଘଦିନର ଅପେକ୍ଷାରେ ପଡିବ କି ପୂର୍ଣ୍ଣଛେଦ ?

ନନ୍ଦିଘୋଷ ବ୍ୟୁରୋ : କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାହାରିବ କି ବାଲି ?  ଦୀର୍ଘଦିନର ଅପେକ୍ଷାରେ ପଡିବ କି ପୂର୍ଣ୍ଣଛେଦ ।  ଲକ୍ଷ୍ୟରେ ସଫଳ ହେବକି ପତ୍ନତତ୍ବ ବିଭାଗ । ମନ୍ଦିରରୁ ବାଲି କାଢିବାକୁ ପ୍ରାୟ ୮୦ଫୁଟ ଉଚ୍ଚତାରେ ପଶ୍ଚିମ ପାର୍ଶ୍ଵ ୱାଲରେ ଏକ ୧୬ ସେଣ୍ଟିମିଟର ଟନେଲ ନିର୍ମାଣ କରାଯାଇଛି । ଟନେଲ ଖୋଳା କାର୍ଯ୍ୟ ସରିବା ପରେ ଗର୍ଭଗୃହ ମଧ୍ୟରେ ଥିବା ବାଲିର ସ୍ଥିତି ଓ ଭିତରର ପଥର ଅବସ୍ଥା ଓ ଏହାର ଓସାରକୁ ନଜରରେ ରଖି ବାଲି ପର୍ଯ୍ୟାୟ କ୍ରମେ କଢ଼ାଯିବ । ଏଏସଆଇ ବିଭାଗ ପକ୍ଷରୁ ସମସ୍ତ ମେକାନିକାଲ ପ୍ଲାଟଫର୍ମର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇ ପ୍ରସ୍ତୁତ ହୋଇ ରହିଥିବା କହିଛନ୍ତି ଏଏସଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡି.ବି ଗଡନାୟକ । ସେପଟେ ଏଏସଆଇ ବିଭାଗର  ଆଞ୍ଚଳିକ ନିର୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସଆଇର ପୂର୍ବତନ ଡାଇରେକ୍ଟର ଜେନେରାଲ ଅଫ କଞ୍ଜରଭେସନ ଏକେ.ବାସାଙ୍କ ସମେତ ଏକ ୧୦ ଜଣିଆ ଇଂଜିନିଅର ଟେକିନିକାଲ କୋର କମିଟି କୋଣାର୍କ ସୂର୍ଯ୍ୟମନ୍ଦିରର ବାଲିକଢା କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ପ୍ରସ୍ତୁତହୋଇ ରହିଥିବା ଟ୍ରେସ ମ୍ୟାପକୁ ଟିକିନିଖି ଦେଖିଥିଲେ କିମିଟି । ପରେ ସମସ୍ତ ଅଧିକାରୀ ସୂର୍ଯ୍ୟମନ୍ଦିର ଉପରକୁ ଚଢ଼ି ମନ୍ଦିରର ଶୀର୍ଷରେ ଥିବା ଗର୍ଭଗୃହର ସ୍ଥିତି ଅନୁଧ୍ୟାନ କରି ଦେଖିଥିଲେ । ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବଟିକ କ୍ୟାମେରା ମାଧ୍ୟମରେ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ଏବେ ପୁଣି ଗର୍ଭ ଗୃହ ମଧ୍ୟରେ ଥିବା ପ୍ରକୃତ ସ୍ଥିତିକୁ ଆକଳନ କରି ଜାଣିବା ପାଇଁ ତଳୁ ମନ୍ଦିରର ପ୍ରାୟ ୮୦ଫୁଟ ଉଚ୍ଚତାରେ ପଶ୍ଚିମ ପାର୍ଶ୍ଵ ୱାଲରେ ଏକ ୧୬ ସେଣ୍ଟିମିଟରର ଟନେଲ ନିର୍ମାଣ କରାଯାଇଛି । ୧୯୦୩ ମସିହାରେ ସୂର୍ଯ୍ୟମନ୍ଦିର ଏବଂ  ଜଗମୋହନର ସୁରକ୍ଷାକୁ ନେଇ ଇଂରେଜ ସରକାର ବାଲି ଭର୍ତ୍ତି କରିଥିଲେ । ୨୦୨୨ ମସିହାରେ ମନ୍ଦିରରେ  ପୂଜାର୍ଚ୍ଚନା କରିବା ସହ ବାଲି କଢାଯିବା ପାଇଁ ନିଷ୍ପତ୍ତି ନେଇଥିଲା ଏଏସଆଇ ।

ଶାନ୍ତ ହୋଇନି ମାଲକାନଗିରି ଉତ୍ତେଜନା ; ଗତକାଲି ସଂଧ୍ୟାରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିଛି

ନନ୍ଦିଘୋଷ ବ୍ୟୁରୋ : ମୁଣ୍ଡ ବିହୀନ ଶବକୁ ନେଇ ଅଶାନ୍ତ ମାଲକାନଗିରି  । ନିଆଁରେ ଦଗ୍ଧ ହେଉଛି ଘର ଓ ଗାଡ଼ି। ତିନି ଦିନ ହେଲାଣି  ଦୁଇଗୋଷ୍ଠୀ ମୁହାଁମୁହିଁ। ନିୟନ୍ତ୍ରଣକୁ ଆସୁନି ରାଖାଲଗୁଡା ଓ ଏମଭି ୨୬ ଗାଁ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା। ପ୍ରାଣ ହରାଇଥିବା ମହିଳା ଲାକେ ପଡ଼ିଆମିଙ୍କ କଟାମୁଣ୍ଡ କୁଆଡ଼େ ଗଲା? ଧନୁତୀର, ଫାର୍ସା ଓ ପାରମ୍ପରିକ ଅସ୍ତ୍ରସନ୍ତ୍ର ଧରି ରକ୍ତମୁଖା ଆଦିବାସୀ। ମୁହାଁମୁହିଁ ସ୍ଥିତିରେ ଉଭୟ ଗାଁ ଲୋକେ। ଦେଖିବାକୁ ମିଳିଥିଲା ହିଂସାକାଣ୍ଡର ଜଘନ୍ଯ ଦୃଶ୍ଯ। ପୋଲିସ ଉପସ୍ଥିତିରେ ଜଳିଲା ଘର, ଗାଡ଼ି ସମେତ ଦୋକାନ ବଜାର। ଘଟଣାକୁ ୪ ଦିନ ବିତିଥିଲେ ମଧ୍ଯ ପରିସ୍ଥିତିରେ ଆସୁନି ସୁଧାର । ନାକେଦମ ହେଲେଣି ସ୍ଥାନୀୟ ପ୍ରଶାସନ ଓ ପୋଲିସ । ଉତ୍ତ୍ୟକ୍ତ ଲୋକଙ୍କୁ ହଟାଇବା ପାଇଁ ଟିଅର ଗ୍ୟାସ ପ୍ରୟୋଗ କରାଯାଇଥିଲା । ମାଲକାନଗିରି ଜିଲ୍ଲାରେ ଗତକାଲି ସଂଧ୍ୟାରୁ ୨୪ ଘଣ୍ଟା ପାଇଁ  ଇଣ୍ଟରନେଟ ସେବା ବନ୍ଦ ରହିଛି  । ଲୋକଙ୍କ ଗତିବିଧି ଉପରେ ନଜର ରଖିବା ସହ ଗାଡ଼ି ମୋଟର ଯାଞ୍ଚ କରାଯାଉଛି। ଘଟଣାର ସମୀକ୍ଷା କରିଛନ୍ତି କୋରାପୁଟ ଆଇଜି । ପୋଟେରୁ ନଦୀର ଜଳ ନିଷ୍କାସନ ବନ୍ଦ କରି ମୃତ ମହିଳାଙ୍କ ମୁଣ୍ଡ ଖୋଜୁଛି ଓଡ୍ରାଫ ଟିମ ।ଗତକାଲି ୬ରୁ ୭ ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ର ଧରି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବାକୁ ବି ପଛାଇନାହାନ୍ତି। ସେପଟେ  ବିଧାନସଭାରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ । ଘଟଣାକୁ ବିତିଲାଣି ୪ ଦିନ । ହେଲେ ରାଜ୍ୟ ସରକାରଙ୍କ ପାଖରେ ଏନେଇ ଖବର ନାହିଁ । ଏଭଳି ଅଭିଯୋଗ ଆଣି ବିଧାନସଭା ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସର ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଗୃହରେ ସେ ଅଭିଯୋଗ କରିଥିଲେ । କଂଗ୍ରେସ ବିଧାୟକଙ୍କୁ ସମର୍ଥନ କରି ବିଜେଡି ବିଧାୟକ ପ୍ରତାପ ଦେବ କହିଥିଲେ, ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ମାଲକାନଗିରି ଅଘଟଣ ବିଷୟରେ ଗୃହ ବିଭାଗ ଜାଣି ନପାରିବା ଦୁର୍ଭାଗ୍ୟଜନକ  ବୋଲି ପ୍ରତାପ ଦେବ ଅଭିଯୋଗ କରିଥିଲେ। ସେପଟେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଘଟଣାସ୍ଥଳକୁ ଯାଇ ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଏହି ସ୍ଥିତି ପାଇଁ ସରକାର  ଓ ପ୍ରଶାସନର ଅପାରଗତା ଦାୟୀ କରିଥିଲେ । ୪ ଦିନ ଆଗରୁ ଗାଁର ଜଣେ ମହିଳାଙ୍କର ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ନେଇ ସୃଷ୍ଟି ହୋଇଥିଲା ଲଙ୍କାକାଣ୍ଡ। ଏଯାଏ ମୁଣ୍ଡ ମିଳିନି। ମୃତକ ଜଣକ ହେଲେ ରାଖାଲଗୁଡ଼ା ଗାଁର ଲାକେ ପଡ଼ିଆମି । ଘଟଣାକୁ ନେଇ ଦୁଇ ଗାଁ ମୁହାଁମୁହିଁ ହୋଇଛନ୍ତି ।

ଯାଜପୁର ଟାଉନ ଥାନାରେ ଭିଜିଲାନ୍ସ ବିଭାଗର ଚଢ଼ାଉ ; ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନବାବୁ

ନନ୍ଦିଘୋଷ ବ୍ୟୁରୋ : ଯାଜପୁର ଟାଉନ ଥାନାରେ ଭିଜିଲାନ୍ସ ବିଭାଗର ଚଢ଼ାଉ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନବାବୁ । ଜମିଜମା ବିବାଦର ସମାଧାନ ପାଇଁ ଲାଞ୍ଚ ନେବା ବେଳେ ଯାଜପୁର ଟାଉନ ଥାନାର ଏଏସଆଇ ନନ୍ଦ କିଶୋର ଦାସ ଗିରଫ । ଯାଜପୁର ବଡ଼ବଜାର ନିବାସୀ ଦୋଳଗୋବିନ୍ଦ ସାହୁଙ୍କ ଏକ ଜମିଜମା ବିବାଦ ଲାଗି ରହିଥିଲା । ଏହାକୁ ନେଇ ହୋଇଥିବା ବିବାଦକୁ ରଫାଦଫା କରିବା ପାଇଁ ଏଏସଆଇ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଦୋଳଗୋବିନ୍ଦ ଭିଜିଲାନ୍ସ ବିଭାଗର ସହାୟତା ଲୋଡ଼ିଥିଲେ । ଯାଜପୁର ଭିଜିଲାନ୍ସ ଡିଏସପି ଶୁଶୀଲ ଇକାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଯାଜପୁର ଥାନାରେ ଚଢ଼ାଉ କରି ଏଏସଆଇଙ୍କୁ ଟଙ୍କା ନେଉଥିବା ସମୟରେ ଗିରଫ କରିଛି ।

ବିଧାନସଭାରେ ଆଜି ଆସିବ ବହୁ ପ୍ରତିକ୍ଷୀତ ବିଧାୟକ, ବାଚସ୍ପତି ଓ ମନ୍ତ୍ରୀଙ୍କ ଦରମା ସଂଶୋଧନ ବିଲ୍

ନନ୍ଦିଘୋଷ ବ୍ୟୁରୋ : ସଂସଦରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମର ଦେଢ ଶହ ପୂର୍ତ୍ତି ଉପଲକ୍ଷେ ସ୍ବତନ୍ତ୍ର ଆଲୋଚନା ହୋଇଛି। ସେପଟେ ଆଜି ବିଧାନସଭାରେ ମଧ୍ୟ ବନ୍ଦେ ମାତରମ ଗୀତ ରାଷ୍ଟ୍ରୀୟତାର ଅଭିବ୍ୟକ୍ତି ନେଇ ଗୃହରେ ରାଜ୍ୟ ସରକାର ଆଣିବେ ସଂକଳ୍ପ । ଏନେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଗତ କରିବେ ସଂକଳ୍ପ । ଏହି ଗୀତର ସ୍ରଷ୍ଟା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କର ଓଡ଼ିଶା ସହିତ ସମ୍ପର୍କ ରହିଛି।  ଓଡ଼ିଶାରେ ଏହି ମହା ପୁରୁଷଙ୍କର ସାରସ୍ବତ ସାଧାନା ଗତିଶୀଳ ହୋଇଥିଲା । ୧୮୭୫ ମସିହାରେ ଲିଖିତ ଏହି ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ କରି ରାଜ୍ୟବ୍ୟାପି  ଦେଢ ଶହ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ସରକାରଙ୍କୁ ସୁପାରିଶ କରାଯିବ । ଏହା ସହିତ ବିଧାନସଭାରେ ଆଗତ ହେବ ୪ଟି ବିଲ । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାୟକ ମାନଙ୍କ ଦରମା , ଭତ୍ତା, ପେନସନ ସଂଶୋଧନ ବିଲ୍ ୨୦୨୫ ଗୃହରେ ଆଗତ କରିବେ । ଏହାସହିତ ଗୃହରେ ଆଗତ ହେବ ବିଧାନସଭା ବାଚସ୍ପତିଙ୍କ ଦରମା ଓ ଭତ୍ତା ସଂଶୋଧନ ବିଲ ୨୦୨୫, ଉପବାଚସ୍ପତି ଦରମା ଓ ଭତ୍ତା ସଂଶୋଧନ ବିଲ ଏବଂ ମନ୍ତ୍ରୀଙ୍କ ଦରମା ଓ ସଂଶୋଧନ ବିଲ୍ ୨୦୨୫ । ସେପଟେ ଆଜି ଗୃହରେ ଆସିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସିଏଜି ଅଡିଟ୍ ରିପୋର୍ଟ । ଆଜି ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ବାଣ୍ଟି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ବିଧାନସଭା ସଦସ୍ୟମାନଙ୍କ ପାଇଁ ଅପରାହ୍ନ ଅଧିବେଶନକୁ କାଣ୍ଟଛାଣ୍ଟ କରି ଗୃହକୁ ମୁଲତବୀ ରଖାଯାଇପାରେ ।