spot_img
Home Blog Page 2080

ଦିଲ୍ଲୀରେ ଚାଷୀ ଆନ୍ଦୋଳନ; ଓଡ଼ିଶାରେ ପ୍ରଭାବ

ନୂଆଦିଲ୍ଲୀ: ଦିଲ୍ଲୀ ଚାଷୀ ଆନ୍ଦୋଳନର ଓଡ଼ିଶାରେ ପ୍ରଭାବ । ଗୁଣପୁରରେ  ବନ୍ଦ ପାଳନ କରାଯାଇଛି । ଫଳରେ ସହରରେ ଦୋକାନ, ବଜାର, ଗାଡି ଚଳାଚଳ  ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସଂଯୁକ୍ତ କିଷାନ ମୋର୍ଚା ଓ ମିଳିତ ଶ୍ରମିକ ସଂଗଠନ ତରଫରୁ ଦେଶ ବ୍ୟାପୀ ଧର୍ମଘଟ ଓ ହଡତାଲ ଡାକରାକୁ ସମର୍ଥନ କରିଛି ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ । ଏନେଇ ସଂଘ ତରଫରୁ  ଭାରତ ବନ୍ଦ ପାଳନ କରାଯିବା ନେଇ ଡାକରା ଦିଆଯାଇଛି ।

ଗୁଣୁପୁର ବାଇପାସ୍ ଛକ ଉପରେ ଟାୟାର ଜାଳି ପ୍ରତିବାଦ କରୁଥିବା ନଜର ରହିଛି। କେନ୍ଦ୍ର ସରକାର ଶ୍ରମିକ ଓ କୃଷକ ବିରୋଧି ନୀତି ବିରୁଧରେ ଗୁଣୁପୁର କିଷାନ ମୋର୍ଚା ବନ୍ଦ ପାଳନ କରିଛି। ରାମନାଗୁଡା, ପଦ୍ମପୁର, ଗୁଡାରି, ପଦ୍ମପୁର ବ୍ଲକ୍ ଅଞ୍ଚଳରେ ମଧ୍ୟ ବନ୍ଦ ପାଳନର ପ୍ରଭାବ ପଡିଛି। କେନ୍ଦ୍ର ବିରୋଧି ସ୍ଲୋଗାନ ଦେଇ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରାଯାଇଛି।

ସେହିପରି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ ଦଳ ଏହାକୁ ସମର୍ଥନ କରିଛି। କେନ୍ଦ୍ର ସରକାରଙ୍କର ଚାଷୀ ମରଣ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ। ଏମ୍ଏସପି ବୃଦ୍ଧି ସହ ଚାଷୀଙ୍କ ସୁରକ୍ଷା ଓ ସାମଗ୍ରିକ ବିକାଶ ଦାବି କରିଛି ଦଳ। ଆଜିର ବନ୍ଦରେ ସ୍କୁଲ, କଲେଜ, ଅଫିସ, ବ୍ୟାଙ୍କ୍ ସବୁ ବନ୍ଦ କରିବାକୁ ଆହ୍ବାନ ଦିଆଯାଇଛି। ସେପଟେ ଜରୁରୀକାଳୀନ ସେବା ଓ ବସ ଚଳାଚଳକୁ ବନ୍ଦରୁ ବାଦ ଦିଆଯାଇଛି।

ଆଜି ପବିତ୍ର ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ: ଆଜି ପବିତ୍ର ମାଘ ମାସ ଶୁକ୍ଲ ପକ୍ଷ ସପ୍ତମୀ ତିଥିରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି। ବିଶ୍ଵ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରି ନବଗ୍ରହ ପୀଠରେ ପୂଜାର୍ଚ୍ଚନା କରିଛନ୍ତି। କୁହୁଡିଆ ପାଗ ଯୋଗୁଁ ସୂର୍ଯ୍ୟ ଦର୍ଶନରେ ବିଳମ୍ବ ପାଇଁ ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ପ୍ରତ୍ୟୁଷରେ ପାରମ୍ପରିକ ରୀତିନୀତିରେ ତିନି ଠାକୁରଙ୍କ ମହାସ୍ନାନ ପରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ ପକାଇଥିଲେ।

ବୁଡ ସାରି ଶ୍ରଦ୍ଧାଳୁ ମାନେ ବିଶ୍ଵ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରି ନବଗ୍ରହ ପୀଠରେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରିଥିଲେ। ପୌରାଣିକ ମତ ଅନୁସାରେ ମାଘ ଶୁକ୍ଲ ପକ୍ଷ ସପ୍ତମୀ ତିଥରେ କାଶ୍ୟପ ଋଷି ଓ ଆଦିତିଙ୍କ ଗର୍ଭରୁ ମିତ୍ରାଦିତ ବା ସୂର୍ଯ୍ୟ ଭଗବାନଙ୍କ ଜନ୍ମ ହୋଇଥିଲା। ଅର୍କକ୍ଷେତ୍ରରେ ଶାମ୍ବ ଉପାସନା କରି ବ୍ୟାଧି ମୁକ୍ତ ହୋଇ ଶାମ୍ବ ଦଶମୀ ଦିନ ଚନ୍ଦ୍ରଭାଗା ନଦୀରୁ ପ୍ରାପ୍ତ ହୋଇଥିବା ମିତ୍ରାଦିତ୍ୟଙ୍କ ମଣି ବିଗ୍ରହକୁ ଏହି ଦିନରେ ସ୍ଥାପନା କରିଥିଲେ ଓ ଏହି ଦିନ ଲାଙ୍ଗୁଳା ନରସିଂହ ଦେବ କୋଣାର୍କରେ ରଥାକୃତି ସୂର୍ଯ୍ୟ ମନ୍ଦିର ସ୍ଥାପନା କରିଥିଲେ।

ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ଯା ଅଭିଯୋଗ

ଆଲାବାମା: ଆମେରିକା ଆଲାବାମାରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ଯା। ଘର ଭଡ଼ାକୁ କେନ୍ଦ୍ର କରି ଜଣେ ୭୬ ବର୍ଷ ବୟସ୍କ ଭାରତୀୟଙ୍କୁ ହତ୍ଯା କରାଯାଇଛି। ଆଲାବାମାର ହିଲକ୍ରେଷ୍ଟ ମୋଟେଲର ମାଲିକ ପ୍ରବୀଣ ରାଓଜିଭାଇ ପଟେଲଙ୍କୁ ଦୁର୍ବୃତ୍ତ ହତ୍ଯା କରିଥିବା ଅଭିଯୋଗ ହୋଇଛି।

ଘର ଭଡ଼ା ବିବାଦକୁ କେନ୍ଦ୍ର କରି ପଟେଲଙ୍କୁ ୩୪ ବର୍ଷ ବୟସ୍କ ୱିଲିୟମ ଜେରେମି ମୋରେ ଗୁଳି କରି ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ମୋଟେଲର ଏକ ରୁମ ଭଡ଼ା ନେତା ଲାଗି ମୋରେ ଚାହିଁଥିଲା। ମାତ୍ର ରୁମ ଦେବାକୁ ମନା କରିବାରୁ ମୋରେ ନିଜ ବନ୍ଧୁକରୁ ଗୁଳି ଚଳାଇ ପଟେଲଙ୍କୁ ହତ୍ଯା କରିଥିଲା। ଗୁଳିକାଣ୍ଡ ପରେ ମୋରେକୁ ଗିରଫ କରିଛି ପୋଲିସ।

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ରଙ୍ଗ କାରଖାନା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ବଡ଼ ଧରଣର ଅଗ୍ନିକାଣ୍ଡ। ଦୟାଲପୁର ମାର୍କେଟରେ ଏକ ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ ଘଟି ପ୍ରାଣ ହରାଇଛନ୍ତି ୧୧ ଜଣ। ରେସ୍କ୍ଯୁ ଅପରେସନର ଆହତ ହୋଇଛନ୍ତି ଜଣେ ପୋଲିସ କର୍ମଚାରୀ। ଗତକାଲି ସନ୍ଧ୍ୟାରେ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ପାଇ ୨୨ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ।

ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ। ଅଗ୍ନିକାଣ୍ଡ ସହ ବିସ୍ଫୋରଣ ଯୋଗୁ କେତେକ ଘର ଓ ଦୋକାନରେ ନିଆଁ ଲାଗିଯାଇଥିଲା। ଗତ ଜାନୁଆରୀ ୨୬ରେ ଦିଲ୍ଲୀର ସାହଦରାରେ ଏକ ବହୁତଳ ପ୍ରାସାଦରେ ଅଗ୍ନିକାଣ୍ଡ ଘଟି ଜଣେ ବାଳିକା ସମେତ ୪ଜଣ ପ୍ରାଣ ହରାଇଥିଲେ।

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା, ଅଧଘଣ୍ଟା ଆଗରୁ କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ପ୍ଲସ ଟୁ ଏକଜାମ। ଫୁଲ ଜୋସରେ ସାଇନ୍ସ ଷ୍ଟୁଡେଣ୍ଟ। ବିଜ୍ଞାନରେ ପରୀକ୍ଷା ଦେବେ ୧ଲକ୍ଷ ୧୬ ହଜାର ୪୪୭ ଜଣ ଛାତ୍ରଛାତ୍ରୀ। ପ୍ରଥମେ ମାତୃଭାଷା ପେପର ଦେବେ ପରୀକ୍ଷାର୍ଥୀ। କିଭଳି ଦେବେ ପରୀକ୍ଷା? ଏକଜାମ ପାଇଁ କଣ ରହିଛି ନିୟମ? ସେନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଯୁକ୍ତ ଦୁଇ ପରିଷଦ।

ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପହଞ୍ଚିବାକୁ ହେବ। ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଖାତା ମିଳିବ।  ୫ ମିନିଟ୍ ପୂର୍ବରୁ ଦିଆଯିବ ପ୍ରଶ୍ନପତ୍ର। ପେପର ପରୀକ୍ଷା ଦେବେ। ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପହଞ୍ଚିବାକୁ ପଡିବ ବୋଲି ପୂର୍ବରୁ ପରାମର୍ଶ ଦେଇଥିଲା ଯୁକ୍ତ ଦୁଇ ପରିଷଦ। ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଖାତା ମିଳିବ। ୫ ମିନିଟ୍ ପୂର୍ବରୁ ଦିଆଯିବ ପ୍ରଶ୍ନପତ୍ର। ଉତ୍ତର ଖାତାରେ ନିଜର ରୋଲ୍ ନମ୍ବର, ରେଜିଷ୍ଟ୍ରେସନ୍ ନମ୍ବର ଠିକ୍ ଭାବରେ ଠିକ୍ ଜାଗାରେ ଲେଖିବାକୁ ପଡ଼ିବ। ପ୍ରଶ୍ନ ପତ୍ରର ସେଟ୍ କୋଡକୁ ନିର୍ଭୁଲ ଭାବରେ ଲେଖିବା ସହ ଉପସ୍ଥାନ ଖାତାରେ ନିଜର ରୋଲ୍ ନମ୍ବର ଦେଖି ଉପସ୍ଥାନ ଦେବେ। ପରୀକ୍ଷା ହଲକୁ କଳା ବଲ୍ ପେନ୍ ଏବଂ ଆଡମିଟ୍ କାର୍ଡ ବ୍ଯତୀତ ଅନ୍ଯ ଜିନିଷ ନେବା ନିଷେଧ କରାଯାଇଛି ।

ଉତ୍ତର ଖାତାର ସିରିୟଲ୍ ନମ୍ବର ଏବଂ ପୃଷ୍ଠା ସଂଖ୍ଯା ଭଲଭାବରେ ଦେଖିବାକୁ ପଡ଼ିବ। ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ଯା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ କୌଣସି ଆଡିସନାଲ ସିଟ୍ ଦିଆଯିବ ନାହିଁ। ପ୍ରଶ୍ନ ପତ୍ରରେ ରୋଲ୍ ନମ୍ବର ଛଡା ଦାଗ ବି ଲଗାଇବାକୁ ହେବନି। ନହେଲେ ଛାତ୍ରଛାତ୍ରୀ ମାନେ ମାଲପ୍ରାକ୍ଟିସ ହେବେ ବୋଲି କହିଛି ଯୁକ୍ତ ଦୁଇ ପରିଷଦ।

ସେପଟେ ୧୭ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା। କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫ ଜଣ ଓ ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ଦେବେ ପରୀକ୍ଷା। ସେଥିପାଇଁ ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଛି। ପ୍ରତିଦିନ ଗୋଟିଏ ସିଟିଂ ଦିନ ୧୦ ଟା ରୁ ୧ଟା ହେବ ପରୀକ୍ଷା। ସେପଟେ ପରୀକ୍ଷା ପାଇଁ ସମସ୍ତେ ପ୍ରସ୍ତୁତ ଥିବା କହିଛନ୍ତି ଛାତ୍ରଛାତ୍ରୀ।

ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା କୃଷକ ସଙ୍ଗଠନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କାନରେ ପଡୁନି ଅନ୍ନଦାତାଙ୍କ ଚିତ୍କାର। ଚତୁର୍ଥ ଦିନରେ ଆନ୍ଦୋଳନ। ଏମଏସପି ସମେତ ବିଭିନ୍ନ ଦାବିରେ ଅଟଳ ଚାଷୀ ଆଜି ସାରା ଦେଶରେ କରିବେ ଆନ୍ଦୋଳନ। ଗତକାଲି ୩ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ନିତ୍ଯାନନ୍ଦ ରାୟ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ନେତାଙ୍କ ଆଲୋଚନା ପରେ ସମାଧାନର ସୂତ୍ର ବାହାରି ପାରିନଥିଲା।

ବିଭିନ୍ନ କୃଷିପ୍ରଧାନ ରାଜ୍ୟରେ ଆନ୍ଦୋଳନର ପ୍ରଭାବ ଜୋରଦାର ପଡିବା ଆଶଙ୍କା କରାଯାଉଛି। ଆନ୍ଦୋଳନରେ ୨୦୦ରୁ ଅଧିକ ସଂଗଠନ ସାମିଲ ଥିବାରୁ ଏହାର ସଫଳ ହେବା ଆଶା ରହିଛି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ପଞ୍ଜାବ ଓ ହରିଆଣା ଶମ୍ଭୁ ସୀମାରେ କଡା ନିରାପତ୍ତା ବ୍ଯବସ୍ଥା କରାଯାଇଛି। ଦିଲ୍ଲୀ ବି ରହିଛି ଆଲର୍ଟରେ।

ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ ଲାଗି ଆଇନଗତ ଗ୍ଯାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବିରେ ଜାରି ରହିଛି ଆନ୍ଦୋଳନ। ସଂଯୁକ୍ତ କିଷାନ ମୋର୍ଚ୍ଚା, କିଷାନ ମଜଦୁର ମୋର୍ଚ୍ଚା, କିଷାନ ମଜଦୁର ସଂଘର୍ଷ କମିଟି ସମେତ ୨୦୦ରୁ ଅଧିକ ସଂଗଠନ ଆନ୍ଦୋଳନରେ ସାମିଲ ଅଛନ୍ତି।

ପରକୀୟା ପ୍ରୀତି ଧରାପଡିବାରୁ ପ୍ରେମିକ ସହ ମିଶି ସ୍ବାମୀକୁ ମାରିଲା ସ୍ତ୍ରୀ

ଓଡଗାଁ: ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ପରକୀୟା ପ୍ରୀତି ଧରା ପଡିଯିବାରୁ ପ୍ରେମିକ ସହ ମିଶି ସ୍ବାମୀକୁ ମାରି ଘରେ ପୋତିଥିଲା ସ୍ତ୍ରୀ । ଘର ଭିତରୁ ମାଟି ଖୋଳି ଶବ ବାହାର କଲା ପୋଲିସ l ମୃତକ ହେଲେ ପ୍ରକାଶ ନାୟକ ।

ପ୍ରାୟ ୨୦ ଦିନ ହେବ ପ୍ରକାଶ ନିଖୋଜ ଥିଲେ । ସନ୍ଦେହ ହେବାରୁ ପ୍ରକାଶଙ୍କ ବାପା ଓଡଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ । ସ୍ଥାନୀୟ ଓଡଗାଁ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଡଗାଁ ପୋଲିସ ଶବ ବାହାର କରିଛି । ସ୍ତ୍ରୀ ଜ୍ୟୋସ୍ନାରାଣୀ ନାୟକ, ଶାଶୁ ଡମଣି ପ୍ରଧାନ, ପ୍ରେମିକ ସୋନୁ ବେହେରାକୁ ପୋଲିସ ଅଟକ ରଖି କ୍ରାଇମ ରିକ୍ରିଏସନ କରିଛି । ଗାଁରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି । ସାଇଣ୍ଟିଫିକ ଟିମ ସହ ତଦନ୍ତ କରୁଛି ପୋଲିସ l

ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରୁ ଏକ ନମ୍ବର ମୁଖ୍ୟମନ୍ତ୍ରୀ: ନବୀନ

ଭୁବନେଶ୍ବର: ଜଗନ୍ନାଥ ଓ ରାଜ୍ଯବାସୀଙ୍କ ଆଶୀର୍ବାଦ ଯୋଗୁଁ ଗତ ୨୪ ବର୍ଷ ହେଲା ମୁଖ୍ଯମନ୍ତ୍ରୀ ରହିବା ସହ ଦେଶରେ ଏକ ନମ୍ବର ମୁଖ୍ଯମନ୍ତ୍ରୀ ହୋଇପାରିଛି । ଏକ ହାଲୁକା ମୁହୂର୍ତ୍ତରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରି ସଫଳତା ବିରଳ । କାରଣ ନିକଟରେ ଇଣ୍ଡିଆ ଟୁଡେ ସର୍ଭେରେ ନବୀନଙ୍କୁ ପୁଣି ଏକ ନମ୍ବର ମୁଖ୍ଯମନ୍ତ୍ରୀ ଭାବେ ଉପସ୍ଥାପିତ କରିଛି ।

ସର୍ଭେର ଫଳାଫଳ ନେଇ 5T ଅଧ୍ଯକ୍ଷ ମୁଖ୍ଯମନ୍ତ୍ରୀଙ୍କୁ ଅବଗତ କରାଇବା ସମୟରେ ଗୋଟିଏ ଉଦାହରଣ ଦେଇଥିଲେ । ଜଣେ ପିଲା ଏକ ନମ୍ବର ହେବା ପାଇଁ କ୍ଲାସରେ ବହୁତ ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ ଆପଣ ଗତ ଦୀର୍ଘ ୨୪ ବର୍ଷ ଧରି ଭାରତ ବର୍ଷରେ ନମ୍ବର ୱାନ ମୁଖ୍ଯମନ୍ତ୍ରୀ ରହିବାର ରହସ୍ଯ କ’ଣ ବୋଲି ପଚାରିଥିଲେ 5T ଅଧ୍ଯକ୍ଷ । ଏହାର ଉତ୍ତରରେ ବେଶ ସାବଳୀଳ ଢଙ୍ଗରେ ନବୀନ କହିଥିଲେ ଯେ, ଜଗନ୍ନାଥ ଓ ରାଜ୍ଯବାସୀଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

ଆରମ୍ଭ ହେଲା ଖଣି ଓ ଭିତ୍ତିଭୂମି ଅନ୍ତର୍ଜାତୀୟ ଏକ୍ସପୋ-୨୦୨୪

ଭୁବନେଶ୍ବର: ପୁଞ୍ଜିନିବେଶର ପ୍ରଥମ ପସନ୍ଦ ଓଡ଼ିଶା । ଡିସେମ୍ବରରେ ମେକ୍-ଇନ୍-ଓଡ଼ିଶା ଚତୁର୍ଥ ସଂସ୍କରଣ । ଆଜି ଭୁବନେଶ୍ବରରେ ଉଦଘାଟିତ ହୋଇଛି ଖଣି ଓ ଭିତ୍ତିଭୂମି ଅନ୍ତର୍ଜାତୀୟ ଏକ୍ସପୋ-୨୦୨୪ । ସମ୍ମିଳନୀରେ ଜାପାନ, ୟୁରୋପ ଓ ସାର୍କ ଦେଶରୁ ପ୍ରତିନିଧି ଯୋଗ ଦେଇଛନ୍ତି । ଖଣିଜ ଉତ୍ତୋଳନରେ ବ୍ୟାଟେରୀ ଚାଳିତ ହେଭି ମେସିନ୍ ଶୋ କେସିଂ ସହ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରଦର୍ଶିତ ହୋଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ମହିଳା ଉଦ୍ୟୋଗୀ ସମ୍ବର୍ଦ୍ଧିତ ହୋଇଛନ୍ତି ।

ମେକ୍-ଇନ୍-ଓଡ଼ିଶାର ୩ଟି ସଂସ୍କରଣରେ ରାଜ୍ୟକୁ ୨୧ ଲକ୍ଷ ୪୮ ହଜାର କୋଟିର ପ୍ରସ୍ତାବ ଆସିଛି । ସେଥିରୁ ୧୦ ଲକ୍ଷ ୫୦ ହଜାର କୋଟିର ଗ୍ରାଉଣ୍ଡ ବ୍ରେକିଂ ହୋଇସାରିଛି । ଡିସେମ୍ବରରେ ହେବାକୁ ଥିବା ଚତୁର୍ଥ ସଂସ୍କରଣରେ ଆହୁରି ଅଧିକ ପୁଞ୍ଜି ରାଜ୍ୟକୁ ଆସିବ । ଆଜିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଖଣି ଓ ଭିତ୍ତିଭୂମି ଅନ୍ତର୍ଜାତୀୟ ଏକ୍ସପୋ-୨୦୨୪ ଉଦଘାଟନି ଅବସରରେ ଏହି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଖଣି ରାଜସ୍ବ ଦେବାରେ ଓଡ଼ିଶା ଦେଶରେ ଏକ ନମ୍ବର । ଭାରତର ମୋଟ ଖଣିଜ ଉତ୍ପାଦନର ପ୍ରାୟ ଅଧା ଅଂଶ ରାଜ୍ୟ ଦେଉଛି । ଭୁବନେଶ୍ବର ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହେଉଥିବା ୪ ଦିନିଆ ଏହି ବାଣିଜ୍ୟ ଶୋରେ ଅକ୍ଷୟ ଶକ୍ତି ଓ ବ୍ୟାଟେରୀ ବ୍ୟବହାର କରି ହେଭି ମେସିନର ଶୋ କେସିଂ କରାଯାଇଛି । ବିନା ଶୁଳ୍କରେ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଲୋକେ ଏହି ପ୍ରଦର୍ଶନୀ ଦେଖିପାରିବେ ।

ସବୁ କ୍ଷେତ୍ରରେ ମହିଳା କିପରି ସଶକ୍ତ ହେବେ ସେ ନେଇ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଇ ଆସିଛନ୍ତି । ଓଡ଼ିଆ ମହିଳା ଉଦ୍ୟୋଗୀ ଏବେ ଅନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିପାରିଛନ୍ତି । ପୂର୍ବରୁ ଖଣି ଶିଳ୍ପରେ ମହିଳାଙ୍କ ଭାଗିଦାରୀ ଦେଖିବାକୁ ମିଳୁ ନଥିଲା । ଓଡ଼ିଶାରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଛି । ମାଇନିଂ କ୍ଷେତ୍ରରେ ଓଡ଼ିଶାର ମହିଳା ହେଭି ମେସିନ୍ ଚଳାଇ ଦେଶରେ ଉଦାହରଣ ସୃଷ୍ଟି କରିପାରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଓଡ଼ିଶାର ମହିଳା ଏବେ ବହୁରାଷ୍ଟ୍ରୀୟ କମ୍ପାନୀରେ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ହୋଇପାରିଛନ୍ତି । ମହିଳାଙ୍କ ପ୍ରତିନିଧିତ୍ବ ନେଇ ଓଡ଼ିଶା ସରକାର ଯେତେ ଆନ୍ତରିକତା ଦେଖାଇଛନ୍ତି ତାହା ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳେନା ବୋଲି କହିଛନ୍ତି ମହିଳା ଏଣ୍ଟରପ୍ରିନ୍ଯୁୟୋର ।

କାଲି ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଲାଗିବ ଭିଡ଼

କୋଣାର୍କ: ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ ଚନ୍ଦ୍ରଭାଗା ପୀଠ । ପ୍ରତ୍ଯୁଷରୁ ହେବ ଚନ୍ଦ୍ରଭାଗା ବୁଡ । ୩ ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ଚନ୍ଦ୍ରଭାଗାରେ ବୁଡ ପକାଇବେ ସାଧୁସନ୍ଥ ଓ ଭକ୍ତ । ଆାଜିଠାରୁ କୋଣାର୍କରେ ଲାଗିଲାଣି ଲକ୍ଷାଧିକ ଭକ୍ତଙ୍କ ସମାଗମ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ବୁଡ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ଯାପକ ବ୍ଯବସ୍ଥା ।

ପରମ୍ପରା ଅନୁଯାୟୀ ମାଧିପୁରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଶ୍ରୀ ଶ୍ରୀ ଦକ୍ଷିନେଶ୍ବର ମହାଦେବ ୩ ଠାକୁରଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁସନ୍ଥ ଓ ଭକ୍ତ ବୁଡ ପକାଇବେ । ପୌରାଣିକ ମତାନୁସାରେ ମାଘ ସପ୍ତମୀ ଦିନ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ଶ୍ରଦ୍ଧାଳୁ ନିଜ ପରିବାରକୁ ରୋଗ ମୁକ୍ତ ରଖିବା ପାଇଁ ଏହି ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି ।

ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଡକୁ ଶୃଙ୍ଖଳିତ କରିବା ପାଇଁ ତୀର୍ଥ ପୁଷ୍କରଣୀ ଖନନ କରାଯାଇଛି । ଏଥିସହ କୋଣାର୍କ ଏନଏସି ପକ୍ଷରୁ ତୀର୍ଥ ଜଳର ବିଶୋଦ୍ଧନ ପାଇଁ ବ୍ଲିଚିଂ ମଧ୍ଯ ପକାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀର ଚତୁଃପାର୍ଶ୍ଵ ଏବଂ ପାର୍କିଂ ସ୍ଥାନରେ ବ୍ଯାରିକେଡ ନିର୍ମାଣ କରାଯାଇଛି । ପରିମଳ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ମେଳା ପଡିଆ ଓ କୋଣାର୍କ ବସ ଷ୍ଟାଣ୍ଡରେ ୧୦୦ରୁ ଊର୍ଦ୍ଧ୍ଵ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି । ନିରବିଚ୍ଛିନ୍ନ ବିଦ୍ଯୁତ ସରବରାହ ପାଇଁ ୩ଟି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଜେନେରେଟର ବ୍ୟବସ୍ଥା କରାଯାଇଛି । ମାଘ ବୁଡ଼ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ପୁରୀ ଜିଲ୍ଲାପାଳ ମେଳା ପଡ଼ିଆ ଓ ତୀର୍ଥ ପୁଷ୍କରଣୀର ସ୍ଥିତି ସମୀକ୍ଷା କରିଛନ୍ତି ।