spot_img
Home Blog Page 203

ଚିନ୍ତା ବଢ଼ାଉଛି ଦିଲ୍ଲୀ ପ୍ରଦୂଷଣ: ସଂସଦ ଅଧିବେଶନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଦାବି

ଆଖିରୁ ନିଦ ହଜାଉଛି ଦିଲ୍ଲୀ ପ୍ରଦୂଷଣ। ଦିନକୁ ଦିନ ବିଗିଡୁଛି ସ୍ଥିତି। ଏକ୍ୟୁଆଇ ରହୁଛି ୪୦୦ରୁ ୫୦୦। ଦିଲ୍ଲୀବାସୀ ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ। ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାଙ୍କ ସ୍ବାସ୍ଥ୍ୟ ସମସ୍ୟା ହେଉଛି ସାଂଘାତିକ। ସପ୍ତାହ ସପ୍ତାହ ଧରି ଲାଗି ରହିଛି ଅବସ୍ଥା। ସେପଟେ ପ୍ରଦୂଷଣ ଲାଗି ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ଏପରିକି ସଂସଦର ଶୀତ ଓ ବଜେଟ ଅଧିବେଶନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ସେ ଦାବି କରିଛନ୍ତି। ଓଡ଼ିଶା ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟରୁ ଆସିଥିବାରୁ ଦିଲ୍ଲୀ ପ୍ରଦୂଷଣର ଅବସ୍ଥାକୁ ବୁଝିପାରୁଛି ବୋଲି କହିଛନ୍ତି ସାଂସଦ । ପ୍ରତିବର୍ଷ ଏପରି ସ୍ଥିତି ସୃଷ୍ଟି ହେଉଥିବାବେଳେ ସେହି ସମୟରେ ସଂସଦର ଅଧିବେଶନ ଚାଲୁଥିବାରୁ ସାଂସଦ, ଅଫିସର, ଡ୍ରାଇଭର, ପରିମଳ କର୍ମଚାରୀଙ୍କୁ ପ୍ରଦୂଷଣ ସହ ଯୁଝିବାକୁ ପଡୁଛି । ଯେପର୍ଯ୍ୟନ୍ତ ଦିଲ୍ଲୀ ନିରାପଦ ସାବ୍ୟସ୍ତ ନହୋଇଛି ସେ ଯାଏଁ ଏହି ଦୁଇ ଅଧିବେଶନକୁ ଅନ୍ୟ ସହରକୁ ସ୍ଥାନାନ୍ତର ଲାଗି ସେ ପ୍ରସ୍ତାବ ଦେଇଛନ୍ତି। ଭୁବନେଶ୍ବର ହାଇଦ୍ରାବାଦ, ଗାନ୍ଧୀନଗର, ବେଙ୍ଗାଲୁରୁ, ଡେରାଡୁନ ପରି ସହରର ବି ଉଦାହରଣ ଦେଇଛନ୍ତି। ଏଥିରେ କୌଣିସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ସଂସଦ ନେତୃତ୍ବ ନେବା ଦରକାର ।

ଦିଲ୍ଲୀରେ ୧୦ ବର୍ଷ ଧରି ଏହି ଅବସ୍ଥା ଜାରି ରହିଛି। ଏଥିଲାଗି ଦିଲ୍ଲୀ ପ୍ରଶାସନ ସମେତ ବିଭିନ୍ନ ଆଇନ କାର୍ଯ୍ୟକାରୀ ସଂସ୍ଥାଙ୍କୁ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡିବ ବୋଲି କହିଛନ୍ତି ବିଶେଷଜ୍ଞ। ଦିଲ୍ଲୀରେ ପ୍ରଦୂଷଣ ଯୋଗୁ ଶ୍ବାସପ୍ରଶ୍ବାସ ଜନିତ ଅନେକ ରୋଗ ହେଉଛି। ଏଥିଲାଗି ଜରୁରୀ ପଦକ୍ଷେପ ନେବା ଦରକାର। ସ୍ବଚ୍ଛ ପରିବେଶ ବର୍ତ୍ତମାନ ଜରୁରୀ। ରାଜଧାନୀରେ ପ୍ରଦୂଷଣର ସ୍ଥାୟୀ ସମାଧାନ ଲାଗି ପ୍ରୟାସ କରାଯାଉନାହିଁ ବୋଲି କହିଛନ୍ତି ଆପ। ପ୍ରତିବର୍ଷ ବିଗିଡୁଛି ଦିଲ୍ଲୀ ସ୍ଥିତି। ଦୃଶ୍ୟମାନ ଦୂରତା ହ୍ରାସ ସହ ରୋଗରେ ସଢୁଛନ୍ତି ବାସିନ୍ଦା। ଜାତୀୟ ରାଜଧାନୀରେ ଜନଜୀବନର ସୁରକ୍ଷା ହେଉଛି ପ୍ରାଥମିକ କର୍ତ୍ତବ୍ୟ।

ସାପ କାମୁଡ଼ା ଜନିତ ମୃତ୍ୟୁ କ୍ଷତିପୂରଣ ରାଶି ୪ ଲକ୍ଷକୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ସାପ ଭୟ ବଢୁଥିବାବେଳେ ମୃତ୍ୟୁ ପରବର୍ତ୍ତୀ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ମିଳୁଥିବା ସହାୟତା ରାଶି ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ଏ ନେଇ ସମସ୍ତ ରାଜ୍ୟ କେନ୍ଦ୍ର ସରକାରଙ୍କୁ କ୍ଷତିପୂରଣ ରାଶିର ବର୍ଦ୍ଧିତ ପରିମାଣ ରିପୋର୍ଟ ପ୍ରଦାନ କରିବେ । ଏହା ପରେ ବର୍ଦ୍ଧିତ ରାଶି ସ୍ଥିର କରାଯିବ । ୨୦୨୧ରେ ୨୨୮୦ ସାପ କାମୁଡ଼ା ମାମଲା ରିପୋର୍ଟ ହୋଇଥିଲା । ଯାହା ୨୦୨୨ରେ ବଢି ୪ ହଜାର ୮୫୫ରେ ପହଞ୍ଚିଥିଲା । ୨୦୨୩ରେ ୯ହଜାର ୩୨୫ ଲୋକଙ୍କୁ ସାପ କାମୁଡ଼ି ଥିଲା । ହେଲେ ୨୦୨୪ ମସିହା କିନ୍ତୁ ଏହା ସବୁ ରେକର୍ଡ ଭାଙ୍ଗି ଦେଇଛି । ଏହି ଏକ ବର୍ଷରେ ସାପ କାମୁଡ଼ା ଅହେତୁକ ଭାବେ ବଢି ୧୬ ହଜାର ୬୮୨ରେ ପହଞ୍ଚିଥିଲା । ସାପ କାମୁଡ଼ା ମୃତ୍ୟୁ ବି ପିକରେ ରହୁଛି । ୨୦୨୧-୨୨ ରେ ୮୪୪ ଜଣ ଲୋକ ସାପ କାମୁଡାରେ ଜୀବନ ହାରିଥିଲେ । ୨୦୨୨-୨୩ ରେ ୧୦୦୧, ୨୦୨୩-୨୪ ରେ ୧୦୧୬ ଲୋକ ସାପ କାମୁଡାରେ ପ୍ରାଣ ହରାଇଥିଲେ ।

୨୦୨୪-୨୫ରେ ୯୨୧ ଜଣ ଲୋକଙ୍କ ସାପ କାମୁଡ଼ା ଯୋଗୁଁ ମୃତ୍ୟୁ ହୋଇଥିଲା । ଚଳିତ ବର୍ଷ ୧୫ ହଜାର ୪୬୯ ସାପ କାମୁଡ଼ା ମାମଲା ଆସିଛି । ଯାହା ଉଭୟ ବିଷାକ୍ତ ଓ ଅଣବିଷାକ୍ତ ସାପ କାମୁଡ଼ା ମାମଲା । ଗଞ୍ଜାମରେ ୧୫୪୫, ଜଗତସିଂହପୁରରେ ୧୫୨୩, କଟକ ୧୧୮୧, କେନ୍ଦୁଝର ୧୦୮୨, ନୂଆପଡା ୧୩୨, ଭଦ୍ରକ ୧୬୬, ମାଲକାନଗିରିରୁ ୮ଟି ମାମଲା ଆସିଛି । ତେବେ ୨୩ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟ ଆସିଛି । ଯାହା ତହସିଲଦାର ଓ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ରିପୋର୍ଟରୁ ସ୍ପଷ୍ଟ ହେବ । ତେବେ ଅଧିକାଂଶ ମାମଲା ସାପ କାମୁଡ଼ାଜନିତ ନୁହେଁ । କେଉଁଠି ସରପଞ୍ଚ ତ ଅନ୍ୟ କେଉଁଠି ଅନ୍ୟ ପଞ୍ଚାୟତ ପ୍ରତିନିଧି ସାପ କାମୁଡ଼ା ମୃତ୍ୟୁ ଉପରେ ମୋହର ମାରୁଛନ୍ତି । ପରବର୍ତ୍ତୀ ସମୟରେ ଏହା ମିଥ୍ୟା ବୋଲି ପ୍ରମାଣିତ ହେଉଛି । ଏପରି ସ୍ଥିତିରେ କ୍ଷତିପୂରଣ ଦେବା କାଠିକର ପାଠ ହେଉଛି । ଏପରି ସ୍ଥିତି ଯେପରି ନ ଉପୁଜେ, ସେଥି ପାଇଁ ଦୁଇ ଦିନିଆ ସାପ କାମୁଡ଼ା ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ ।

ଠିକ୍ ସମୟରେ ସାପ କାମୁଡ଼ା ରୋଗୀଙ୍କୁ ହସ୍ପିଟାଲ ନେବା, ଏକ ଘଣ୍ଟା ଭିତରେ ଆଣ୍ଟି ସ୍ନେକ ଭେନମ ଟିକା ଦେବା ଆବଶ୍ୟକ । ଏହି ଏକ ଘଣ୍ଟାକୁ ହିଁ ଗୋଲଡେନ ଆଓ୍ବାର କୁହାଯାଏ । ବିଭିନ୍ନ ସମୟରେ ଅନ୍ଧବିଶ୍ବାସ ଯୋଗୁ ସାପ କାମୁଡ଼ା ରୋଗୀଙ୍କୁ ପ୍ରଥମେ ଝଡ଼ାଫୁଙ୍କା କରିବା ସହ ଗୁଣିଗାରେଡ଼ି କରାଯାଇଥାଏ। ଯାହା ରୋଗୀଙ୍କୁ ଠିକ୍ ସମୟରେ ଉପଚାର ଯୋଗାଇବାରେ ବାଧା ସୃଷ୍ଟି କରେ। ବିଳମ୍ବରେ ହସ୍ପିଟାଲ ନେବାରୁ ରୋଗୀଙ୍କ ମୃତ୍ୟୁ ହୋଇଯାଇଥାଏ । ନାଗ ସାପ କାମୁଡ଼ିବାରେ ଏକ ଘଣ୍ଟା ଭିତରେ ଆଣ୍ଟି ସ୍ନେକ ଭେନମର ପ୍ରଥମ ଡୋଜର ୧୦ ଭାଏଲ ଦେଲେ କିଛି ସମୟ ଭିତରେ ରୋଗୀ ସୁସ୍ଥ ହୋଇଯିବ । ଚନ୍ଦନବୋଡ଼ା କାମୁଡ଼ା ଦ୍ବାରା ବୃକକ ସଂକ୍ରମିତ ହୋଇଥାଏ । ସେହିଭଳି ରୋଗୀ ଆଣ୍ଟି ସ୍ନେକ ଭେନମ ଦେବାର ୪ ଦିନ ପରେ ସ୍ବାଭାବିକ ଅବସ୍ଥାକୁ ଫେରିବ ।

ବିଭାଜନ ଆଡ଼କୁ ଯାଉଛି କି କଂଗ୍ରେସ ? ମୁହାଁମୁହିଁ ଭକ୍ତ ଓ ମୋକିମ

ବିଭାଜନ ଆଡ଼କୁ ଯାଉଛି କି କଂଗ୍ରେସ ? ମୁହାଁମୁହିଁ ଭକ୍ତ ଓ ମୋକିମ  । ଓଡ଼ିଶା କଳି ଦିଲ୍ଲୀ ଦରବାରରେ  । ବରିଷ୍ଠ କହିଲେ ସଭାପତି ଡାକନ୍ତୁ ବୈଠକ । କଂଗ୍ରେସ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ବିଭାଜନ ଆଡ଼କୁ ମୁହାଁଇଲାଣି ଦଳ। ଉଗ୍ରରୂପ ନେଇଛି ପିସିସି ଓ ନେତାଙ୍କ କଳି । ଚିଠି ଓ ଥାନାରେ ଏତଲା ଦେଇ ମୁହାଁମୁହିଁ ଭକ୍ତ ଦାସ ଓ ମୋକିମ ଗୋଷ୍ଠୀ । ରାଜ୍ୟ ମୁଖିଆଙ୍କ ବିରୋଧରେ ହାଇକମାଣ୍ଡଙ୍କ ପାଖରେ ବରିଷ୍ଠ ନେତା ଫେରାଦ ହେଉଥିବା ବେଳେ ବିଧାୟକଙ୍କ ବିରୋଧରେ ପିସିସି କୋଷାଧ୍ୟକ୍ଷ ଥାନାରେ ମାମଲା ରୁଜୁ କରୁଛନ୍ତି। ଏହାକୁ ନେଇ କଂଗ୍ରେସ ରାଜନୀତି ହଲଚଲ। ପିସିସି ସଭାପତି ଭକ୍ତ ଦାସଙ୍କୁ ହଟାଇବା ପାଇଁ  ଖୋଲାଖୋଲି ବିଦ୍ରୋହ କରିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ସୋନିଆ ଗାନ୍ଧିକୁ ଚିଠି ଲେଖି ମୋକିମ ଅଭିଯୋଗ କରିଛନ୍ତି, ଭକ୍ତ ଦାସ କଂଗ୍ରେସ ବିଚାରଧାରାର ନୁହନ୍ତି। ନିଜ ନିର୍ବାଚନୀ ମଣ୍ଡଳୀରେ ବି ସେ ଲୋକଙ୍କ ବିଶ୍ବାସ ଜିଣି ପାରୁନାହାନ୍ତି । ତେଣୁ ରାଜ୍ୟ କଂଗ୍ରେସର ନେତୃତ୍ବ ନୂଆ ହାତରେ ଦିଆଯାଉ। ଭକ୍ତ ଦାସ ଓ ମୋକିମ କଳିକୁ ନେଇ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଏହି ଗଣ୍ଡଗୋଳ ଯୋଗୁଁ ଦଳର କ୍ଷତି ହେଉଛି। ପିସିସି ସଭାପତି ତୁରନ୍ତ ପିଏସି ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରନ୍ତୁ। ଘରର କଳି ଘର ଭିତରେ ସମାଧାନ କରନ୍ତୁ। ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ମଧ୍ୟ ଏହି ବିବାଦକୁ ନେଇ ସମାଲୋଚନା କରିଛନ୍ତି।

ସେପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଭକ୍ତ ଦାସ  ଓ ମୋକିମ କଳିର ଘର ଭିତରେ ସମାଧାନ କରାଯିବ। ସୋନିଆ ଗାନ୍ଧିକୁ ମୋକିମ ଚିଠି ଲେଖିବା ଓ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା କଥାକୁ ସେ ନାପସନ୍ଦ କରିଛନ୍ତି। ମୋକିମ ଅସନ୍ତୋଷ ପ୍ରକାଶ କରିବାର ତରିକା ଭୁଲ ବୋଲି କହିଛନ୍ତି ଜୟଦେବ। ସେପଟେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ  କହିଛନ୍ତି ମୋକିମ ଯାହା କହିବା କଥା ହାଇକମାଣ୍ଡଙ୍କୁ କୁହନ୍ତୁ। ମତେ ଧୋକା ଦିଆଯାଇଥିଲେ ମଧ୍ୟ ମୁଁ କଂଗ୍ରେସର କିଛି କ୍ଷତି କରିନି। ତେଣୁ ଉଭୟ ନେତା ଆଉ ବ୍ୟକ୍ତିଗତ ଲଢେଇ କରନ୍ତୁ ନାହିଁ, କଂଗ୍ରେସର କ୍ଷତି କରନ୍ତୁ ନାହିଁ।

ପିସିସି ସଭାପତି ଭକ୍ତ ଦାସଙ୍କ କାର୍ଯ୍ୟଶୈଳୀ ଉପରେ ଦଳର ଗୋଟିଏ ଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରି ପ୍ରଶ୍ନ ଉଠାଉଛନ୍ତି। ତେବେ ମୋକିମ ଚିଠି ଦେବା ତରିକାକୁ ବିରୋଧ କରାଯାଇଛି। ହାଇକମାଣ୍ଡ କିପରି ମୋକିମ ଓ ଭକ୍ତଙ୍କ କଳିର ସମାଧାନ କରୁଛନ୍ତି, ତା ଉପରେ କଂଗ୍ରେସ ନେତାଙ୍କ ନଜର ।

ଶୀତ ରାତିରେ ଶିକ୍ଷକଙ୍କ ଅନ୍ଦୋଳନ: ସବୁ କଷ୍ଟକୁ ତିଳେମାତ୍ର ନାହିଁ ଖାତିର

ଶୀତ ରାତିର ଥଣ୍ଡା ପବନ । ରାଜଧାନୀର କିଟିମିଟ୍ ଅନ୍ଧାର ।  ସବୁ କଷ୍ଟକୁ ତିଳେମାତ୍ର ଖାତିର କରିନାହାନ୍ତି ଶିକ୍ଷକ । ନିଜ ହକ ପାଇଁ କରୁଛନ୍ତି ଆନ୍ଦୋଳନ । ପିଏମଜିର କଳା ମଚମଚ ରାସ୍ତାରେ ଶୋଇ ପ୍ରତିବାଦ ଜାରି ରଖିଛନ୍ତି ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ। ୧୯୪  ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ମିଳୁନି ଅନୁଦାନ । ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବିନା ବେତନରେ କାର୍ଯ୍ୟ କରୁଛନ୍ତି ସ୍କୁଲ କଲେଜ ଶିକ୍ଷକ ଓ ଅଧ୍ୟାପକ।  ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କୁ ଅବସରରେ ମିଳୁନି ପେନସନ୍ ଓ ମିଳୁନି ଅବସରକାଳୀନ ସୁବିଧା। ଏହି ୩ଟି ଦାବି ଶୁଣୁ ନାହାଁନ୍ତି ରାଜ୍ୟ ସରକାର। ରାସ୍ତାରେ ବସି ରାତ୍ରୀ ଭୋଜନ କରିବା ସହ ରାସ୍ତାରେ ଶୋଇ ପ୍ରତିବାଦ କରିଛନ୍ତି ଶିକ୍ଷକ। ତୁରନ୍ତ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରର କରିବାକୁ ଚେତାବନୀ ଦେଇଛନ୍ତି ।

ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ ଡବଲ୍ ଇଞ୍ଜିନି ସରକାର। ୩୦ ବର୍ଷ ତଳେ ଗାଁ ଗଣ୍ଡାରେ ତିଆରି ହୋଇଥିବା ବିଦ୍ୟାଳୟ ଶିକ୍ଷକ ଅଭାବରୁ ବନ୍ଦ ହେବ । ଗାଁ ଲୋକଙ୍କ ସ୍ବପ୍ନ ଭାଙ୍ଗିଚୁରମା ହେବ । ତେଣୁ ଗାଁ ଲୋକଙ୍କର ସ୍ବପ୍ନକୁ ସାକାର କରିବାକୁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଶିକ୍ଷକ । ଓଡ଼ିଶାର  ଅନୁଦାନ ପାଉନଥିବା ୧୯୪ ବିଦ୍ୟାଳୟରେ ଜଣେ ବା ଦୁଇ ଜଣ ଶିକ୍ଷକଙ୍କ ଦ୍ବାରା ଚାଲିଛି ପାଠପଢା । ପିଲାଙ୍କ ପାଇଁ ନାହିଁ ଖେଳ ପଡିଆ, ନାହିଁ ଭଲ ଶ୍ରେଣୀ ଗୃହ, ପିଲାଙ୍କୁ ବହି ବି ମିଳୁନି । ସରକାର ତୁରନ୍ତ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ଓ ଶିକ୍ଷକମାନଙ୍କୁ ପେନସନ୍ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଶିକ୍ଷକ । ଶିକ୍ଷକଙ୍କ ମୁହଁରେ କେବେ ଫୁଟିବ ହସ, କେବେ ରାଜ୍ୟରେ ସଠିକ ଢଙ୍ଗରେ ଚାଲିବ ଶିକ୍ଷାଦାନ । କେବେ ସ୍କୁଲ ଗୁଳିକରେ ପୂରଣ ହେବ ଶିକ୍ଷକ ପଦ, ତାକୁ ହିଁ ଅପେକ୍ଷା ।

ନୂଆ ସରକାରରେ ସ୍ବୟଂସହାୟକ ଗୋଷ୍ଠୀଙ୍କୁ କରାଯାଉଛି ଅବହେଳା

ନୂଆ ସରକାରରେ ସ୍ବୟଂସହାୟକ ଗୋଷ୍ଠୀଙ୍କୁ କରାଯାଉଛି ଅବହେଳା । ଯୋଗାଇ ଦିଆଯାଉନି ସରକାରୀ ସୁବିଧା । ପୂର୍ବ ସରକାରଙ୍କ ସମୟରୁ ମଣ୍ଡିରେ ଧାନ କ୍ରୟ ପ୍ରକ୍ରିୟାରେ ସାମିଲ ଥିବା ଏସଏଚଜି ଗୃପକୁ ବାଦ ଦେବାକୁ ଚାଲିଛି ମସୁଧା । ଚଳିତ ବର୍ଷ  କୋରାପୁଟ ଜିଲ୍ଲାରେ ରବି ଧାନ ମଣ୍ଡିରେ ସରକାରଙ୍କ ପକ୍ଷରୁ ଲ୍ୟାମ୍ପ, ପାଣିପଞ୍ଚାୟତ ଏବଂ ମହିଳା ସ୍ବୟଂସହାୟକଙ୍କ  ଜରିଆରେ ଧାନ କ୍ରୟ କରାଯିବା ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ମଣ୍ଡି ଶୁଭାରମ୍ଭ ପୂର୍ବରୁ ଏସଏଚଜି ଗ୍ରୁପ ମାନଙ୍କୁ ହଠାତ୍  ନୂତନ ଗାଇଡଲାଇନ ନାମରେ ଧାନ କ୍ରୟରେ ସାମିଲ ପ୍ରକ୍ରିୟାରୁ ବାଦ ଦେବାକୁ ହୋଇଛି ଷଡ଼ଯନ୍ତ୍ର । ଜିଲ୍ଲାର ସମସ୍ତ ୨୪ଟି ଏସଏଚଜି  ଧାନ କ୍ରୟ କାର୍ଯ୍ୟରେ ସାମିଲ ଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୂତନ ଗାଇଡଲାଇନ ଅନୁଯାୟୀ ତଦନ୍ତ କରି ମହିଳା ଏସଏଚଜି ମାନଙ୍କୁ ଏକ ପ୍ରକାର ହତାଶ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଏସଏଚଜି ମହିଳା ମହାସଂଘ ପକ୍ଷରୁ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ନୂତନ ଭାବେ ପ୍ରସ୍ତୁତ ଗାଇଡଲାଇନକୁ ରଦ୍ଦ କରିବା ସହ ଏସଏଚଜିକୁ ଧାନକ୍ରୟ ମଣ୍ଡିରେ ସୁଯୋଗ ପ୍ରଦାନ କରିବାକୁ ଦାବି ହୋଇଛି ।

ଗତ ୨୦୧୯ ମସିହା ଠାରୁ ପୂର୍ବ ସରକାରଙ୍କ ମହିଳା ସଶକ୍ତିକରଣ ଏବଂ ଆତ୍ମନିର୍ଭରଶୀଳ ମାଧ୍ୟମରେ ଆୟ କରିବା ନେଇ ରାଜ୍ୟରେ ଧାନକ୍ରୟ ପ୍ରକ୍ରିୟାରେ ଏଏଚଜିକୁ ସାମିଲ କରାଯାଇଥିଲା । ଏହିପରି ସମୁଦାୟ କ୍ରୟ ଟଙ୍କାର ୧ ପ୍ରତିଶତ ଟଙ୍କା ଏସଏଚଜିଙ୍କୁ ପାରିଶ୍ରମିକ ବାବଦକୁ ମିଳୁଥିଲା । ବର୍ତ୍ତମାନ ନୂତନ ଗାଇଡ ଲାଇନ ଅନୁଯାୟୀ କୋରାପୁଟ ଜିଲ୍ଲାରେ ମହିଳା ଏସଏଚଜି ମାନେ ମଣ୍ଡିରେ ଧାନ କ୍ରୟ କରିବାକୁ ହେଲେ ମଣ୍ଡିର ଆନୁସଙ୍ଗିକ ଭିତ୍ତିଭୂମି ଏବଂ ପାରିପାର୍ଶ୍ବିକ ଉନ୍ନତୀକରଣ ପାଇଁ ଏସଏଚଜି ଦ୍ବାରା ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ହୋଇଛି । ହେଲେ ଧାନ ମଣ୍ଡିରେ ଲ୍ୟାମ୍ପ ଏବଂ ପାଣି ପଞ୍ଚାୟତ ପକ୍ଷରୁ ଧାନ କ୍ରୟ କରାଯାଉଥିବା ବେଳେ ସେମାନଙ୍କୁ ଏହି ନିୟମ ଲାଗୁ କରାଯାଉନଥିବା ଅଭିଯୋଗ ହୋଇଛି । ସେପଟେ ଧାନ ମଣ୍ଡିରେ ମହିଳା ଏସଏଚଜି ମାନଙ୍କ ସଂପୃକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ ବିଜେପିର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ତୁରନ୍ତ ସମସ୍ୟାର ସମାଧାନ କରାଯାଇ ମହିଳା ଏସଏଚଜିଙ୍କୁ ମଣ୍ଡିରେ ଧାନକ୍ରୟ ପ୍ରକ୍ରିୟାରେ ସାମିଲ କରିବାକୁ ଦାବି ହୋଇଛି ।

ବଢି ଚାଲିଛି ପଥର ମାଫିଆଙ୍କ ଦୌରାତ୍ମ୍ୟ: ଦିନ ଦ୍ବିପ୍ରହରେ ଲୁଟି ଚାଲିଛନ୍ତି ପାହାଡ଼

ବଢି ଚାଲିଛି ପଥରମାଫିଆଙ୍କ ଦୌରାତ୍ମ୍ୟ । ଦିନ ଦ୍ବିପ୍ରହରେ ଲୁଟି ଚାଲିଛନ୍ତି ପାହାଡ । ବିଭିନ୍ନ ଅଞ୍ଚଳକୁ ବେଆଇନ ଭାବେ କରୁଛନ୍ତି ଚାଲାଣ । ଗଞ୍ଜାମ ଜିଲ୍ଲାର ଗାଁରୁ ସହର ପର୍ଯ୍ୟନ୍ତ ପଥର ମାଫିଆମାନେ ଯେଉଁଠି ଚାହିଁବେ ସେଠାରେ ପଥର ଲୁଟ କରୁଥିବା ଦେଖୁବାକୁ ମିଳିଛି । ଜିଲ୍ଲାର ଅଧିକାଂଶ ପାହାଡ଼ ଏବେ ପଥର ମାଫିଆମାନଙ୍କ ଯୋଗୁଁ ଲଣ୍ଡା ହୋଇଗଲାଣି। ଯେଉଁ ଯେଉଁ ସ୍ଥାନରେ କ୍ରସର ୟୁନିଟ ଅଛି, ସେ ନିକଟରେ ଥିବା ପାହାଡ଼ରୁ ବେଆଇନ ଭାବେ ପଥର ମାଫିଆମାନେ ପାହାଡ଼ ଫୁଟାଇ ପଥର ଲୁଟ କରି କ୍ରସରମାନଙ୍କୁ ଯୋଗାଉଥିବାର ନଜିର ରହିଛି। ଖଣି ବିଭାଗ କାଁ ଭାଁ କିଛି ପାହାଡ଼ ଦୀର୍ଘ ବର୍ଷ ପାଇଁ ସ୍ଵଳ୍ପ ମୂଲ୍ୟରେ ଲିଜ୍ ଦେଇଛନ୍ତି। ଏହାର ସୁଯୋଗ ନେଇ ପଥର ମାଫିଆମାନେ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ପାହାଡ଼ ଫୁଟାଇ ପଥର ଲୁଟୁଛନ୍ତି। ଖଣି ବିଭାଗ ଅଧିକାରୀମାନେ ବଟି ନେଇ ଏଭଳି ବେଆଇନ ଲୁଟକୁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି । ପାହାଡ଼ ଫୁଟାଇବା ପଥର ନେବା ଦ୍ଵାରା ନିକଟରେ ଥିବା ଜନବସତି ଚାଷ ଜମି ସମ୍ପୂର୍ଣ ନଷ୍ଟ ହେଉଥିବବାର ଅଭିଯୋଗ ହୋଇଆସୁଛି।

ଦିନ ହେଉକି ରାତି ପଥର ଅବାଧରେ ଫୁଟାଇଲେ ମଧ୍ଯ ମାଫିଆମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଜିଲ୍ଲାରେ ବିଭାଗୀୟ ମନ୍ତ୍ରୀ ଥାଇ ବି ଏଭଳି ଖଣିଜ ଦ୍ରବ୍ଯ ଲୁଟ ହୋଇଚାଲିଛି । ଜିଲ୍ଲାରେ ଛତୁ ଫୁଟିବା ଭଳି କ୍ରସର ୟୁନିଟ ଖୋଲା ଯାଇଛି । ଯାହାକି ସରକାରୀ ନିୟମର ଖୋଲାମ ଖୋଲି ଉଲଘଂନ । ଆଗରୁ ପୋଲିସ ହେଉ କି ତହସିଲ ଚଢ଼ାଉ କରୁଥିଲେ କିନ୍ତୁ ବର୍ତମାନ ଖଣି ବିଭାଗ ହସ୍ତାନ୍ତର ହେବା ଦିନ ଠାରୁ ପଥର ମାଫିଆମାନେ ଆଉ କାହାରିକୁ ଭୟ କରୁ ନାହାନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ କେତୋଟି କ୍ରସର ୟୁନିଟ୍ ଅଛି, ଏହାର ହିସାବ କାହା ପାଖରେ ନାହିଁ। ଆଉ କିଛି ଦିନ ପରେ ଜିଲ୍ଲାରେ ଥିବା ଅନେକ ପାହାଡ଼ ବିଲୁପ୍ତ ହୋଇଯିବ ବୋଲି ପରିବେଶ ପ୍ରେମୀମାନେ ମତ ପ୍ରକାଶ କଲେଣି।

ପ୍ରହସନ ପାଲଟିଛି ସାଂସଦ ଖେଳ ମହୋତ୍ସବ: ବିକାଶ କଥା ଭୁଲି ଗଲେଣି ସରକାର

ପ୍ରହସନ ପାଲଟିଛି ସାଂସଦ ଖେଳ ମହୋତ୍ସବ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିଛି ସାଂସଦ ଖେଳ ମହୋତ୍ସବ । ଯୁବ ଶକ୍ତିଙ୍କୁ ମିଳୁଛି ମଞ୍ଚ । ବିକଶିତ ଓଡିଶାରେ କ୍ରୀଡାକୁ ଦିଆଯାଉଛି ପ୍ରାଧାନ୍ୟ । ହେଲେ ତୃଣମୂଳ ସ୍ତରରେ ଖେଳାଳି ସୃଷ୍ଟି କରିବା ପାଇଁ ଯେଉଁ ଖେଳ ପଡିଆର ଆବଶ୍ୟକତା ରହିଛି ତାହାର ବିକାଶ କଥା ଭୁଲି ଯାଇଛନ୍ତି ସରକାର । ରକ୍ଷଣାବେକ୍ଷଣ ଅଭାବରୁ ଗଛଲତାରେ ଭର୍ତ୍ତି ହେଲାଣି ଖେଳପଡିଆ । ଆଜିବି ବିଭିନ୍ନ ଗାଁରେ ଖେଳ ପଡିଆଟିଏ ନାହିଁ । ପିଲାମାନେ ରାସ୍ତା ଉପରେ, ପଡିଆ ଜମିରେ ଖେଳୁଛନ୍ତି । ଏପରିକି ଅନେକ ସ୍କୁଲରେ ପ୍ଲେ ଗ୍ରାଉଣ୍ଡଟିଏ ବି ନାହିଁ । ଫଳରେ ଖେଳ ପ୍ରତି ରୁଚି ରଖିଥିବା ପିଲା ନିଜର ଅନ୍ତନିର୍ହିତ ଗୁଣ ଦେଖାଇ ପାରୁନାହାନ୍ତି । ଆଉ ଯେଉଁ ଯୁବକ ଯୁବତୀ ଖେଳ ପ୍ରତି ରୁଚି ରଖୁଛନ୍ତି ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସରକାର ଏବେ ବ୍ଲକ ସ୍ତରରୁ ପ୍ରତିଭାବାନ ଖେଳାଳି ବାଛିବା ପାଇଁ ସାଂସଦ ଖେଳ ମହୋତ୍ସବ ଆୟୋଜନ କରୁଛନ୍ତି । ଆଉ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଗାଁ ଗହଳିରୁ ହଜି ଯାଉଥିବା କବାଡି, ଖୋ ଖୋ, କ୍ରିକେଟ, ଫୁଟବଲ ପରି ଅନେକ ଖେଳର ପ୍ରତିଯୋଗିତା କରି ଖେଳାଳିଙ୍କ ମନୋବଳ ବଢାଇବାକୁ ଉଦ୍ୟମ କରୁଛନ୍ତି । ହେଲେ ସ୍କୁଲ କି ଗାଁ ଗହଳିରେ ଖେଳ ପଡିଆ ବ୍ୟବସ୍ଥା ନକରି କେବଳ ବ୍ଲକ ସ୍ତରରେ ସାଂସଦ ଖେଳ ମହୋତ୍ସବ କଲେ କିଛି ଲାଭ ନାହିଁ ବୋଲି ସାଧାରଣରେ ମତ ପାଇଛି ।

ମାନ୍ୟତା ପାଇଛି ମାତ୍ର ବିକାଶ ନାହିଁ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି କେଶରୀ କୁଣ୍ଡ

୧୬ ବର୍ଷ ତଳୁ ମିଳିଛି ମାନ୍ୟତା । ଶୁଭ ଦେଇ ଶୋଇପଡିଛି ପ୍ରଶାସନ । ବିକାଶ କେବଳ ସୂଚନା ଫଳକରେ ସୀମିତ ରହିଥିବା ବେଳେ ଗୁମୁରି କାନ୍ଦୁଛି କେଶରୀକୁଣ୍ଡ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସରେଇ ଗାଁର ବୈତରଣୀ ନଦୀକୂଳରେ ରହିଛି କେଶରୀକୁଣ୍ଡ । ବୈତରଣୀ ନଦୀ ପଠାରେ ଥିବା ବିରାଟ ପଥର ଶଯ୍ୟା ଉପରେ ନଦୀ ଶଯ୍ୟାକୁ ଲାଗି ରହିଛି ତିନୋଟି ବିରଳ ପଥର କୁଣ୍ଡ । ମକର ସଂକ୍ରାନ୍ତିରେ ଏହି କୁଣ୍ଡରେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତ ହୁଏ ବୋଲି ଭକ୍ତଙ୍କ ରହିଛି ଅତୁଟ ବିଶ୍ଵାସ । ଯାହାକୁ ନେଇ ବର୍ଷ ସାରା ଏଠାକୁ ଲେlକଙ୍କ ଆଗମନ ହୋଇଥାଏ ।

୨୦୦୯ ମସିହାରୁ କେଶରୀ କୁଣ୍ଡକୁ ରାଜ୍ୟ ପର୍ଯ୍ୟଟନସ୍ଥଳରୀ ମାନ୍ୟତା ଦିଆଯାଇଛି । ହେଲେ ତାହା କେବଳ ସୂଚନା ଫଳକରେ ସୀମିତ ରହିଛି । ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ କେଶରୀକୁଣ୍ଡର ବିକାଶ ହୋଇପାରୁନି । ଫଳରେ ଏହି ପର୍ଯ୍ୟଟନସ୍ଥଳୀରୁ ମୁହଁ ଫେରାଉଛନ୍ତି ଲୋକେ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଖୁବଶୀଘ୍ର କେଶରୀ କୁଣ୍ଡର ବିକାଶ ପାଇଁ କାମ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧିକାରୀ । ଶୀଘ୍ର ଏହି ପର୍ଯ୍ୟଟନସ୍ଥଳୀର ବିକାଶ କରିବାକୁ ସାଧାରଣରେ ଦାବି ହୋଇଛି ।

ବିକାଶଠୁ ବହୁ ଦୂରରେ ଉପାନ୍ତବାସୀ: ମୌଳିକ ସୁବିଧା ସୁଯୋଗ ପାଇଁ ଅହରହ କରୁଛନ୍ତି ସଂଗ୍ରାମ

ବିଜୁଳିବତୀ, ଘରକୁ କରେ ଉଜ୍ଜ୍ବଳ ଅତି । ହେଲେ ଏଠି ସଞ୍ଜ ନଇଁଲେ ଗାଁ ଦାଣ୍ଡ ଶୂନଶାନ । ଡରାଉଛି କିଟିମିଟି ଅନ୍ଧାର । କ୍ୟାଣ୍ଡେଲ ଜଳାଇ ପାଠ ପଢୁଛନ୍ତି ପିଲା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସରାମୂଳି ପଞ୍ଚାୟତ ଗାନ୍ଦୁରି ଗାଁକୁ ଆଜି ଯାଏଁ ପହଞ୍ଚିନି ବିଦ୍ୟୁତ । ଗାଁରେ ଦୀର୍ଘ ବର୍ଷ ଧରି ୨୦ ରୁ ଉର୍ଦ୍ଧ୍ଵ ପରିବାର ବସବାସ କରିଆସୁଛନ୍ତି । ହେଲେ ଦୁଃଖର କଥା ସେମାନଙ୍କ ପାଖେ ସରକାରୀ ଯୋଜନା ପହଞ୍ଚିପାରିନାହିଁ । ବିଦ୍ୟୁତ ନଥିବାରୁ କ୍ୟାଣ୍ଡେଲ ଜାଳି ରାତି ବିତାଉଛନ୍ତି ଲୋକେ । ଖାଲି ବିଦ୍ୟୁତ କାହିଁକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ଘର ଖଣ୍ଡେ ବି ମିଳିନି । ଫଳରେ ଖରା ବର୍ଷାକୁ ଖାତିର ନକରି ଝାଟିମାଟି ଘରେ ଦୟନୀୟ ଭାବେ ଜୀବନ ବିତାଉଛନ୍ତି ଲୋକେ ।

ଅନ୍ୟପଟେ ଗାଁରେ ଅଙ୍ଗନବାଡି କେନ୍ଦ୍ରଟିଏ ନାହିଁ । ଅଙ୍ଗନବାଡି କେନ୍ଦ୍ର ନଥିବାରୁ ୪ କିଲୋମିଟର ଦୂରକୁ ପିଲାଙ୍କୁ ଯିବାକୁ ପଡୁଛି । ଅନେକ ପିଲା ପ୍ରାକ ଶିକ୍ଷାରୁ ବଞ୍ଚିତ ହେବା ସହ ସେମାନଙ୍କୁ ଅଣ୍ଡା ଛତୁଆ ମିଳୁନଥିବା ଅଭିଯୋଗ ହୋଇଛି । ସମସ୍ୟା ସଂପର୍କରେ ଗ୍ରାମବାସୀ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କୁ ଜଣାଇ ସାରିଲେଣି । ହେଲେ ଫଳ ଶୂନ । ଗାନ୍ଦୁରି ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କେବେ ? ସରକାର ସେମାନଙ୍କୁ କେବେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବେ ? ତାକୁ ହିଁ ଅପେକ୍ଷା ।

ମାଲକାନଗିରିରେ ଶାନ୍ତି ଫେରାଇବା ପାଇଁ ଦୁଇ ଗୋଷ୍ଠୀର ନେତାଙ୍କ ସହ ଆଲୋଚନା କଲେ ଉପ- ମୁଖ୍ୟମନ୍ତ୍ରୀ

ଦୁଇ ଗୋଷ୍ଠୀର ନେତାଙ୍କ ସହ ଆଲୋଚନା କଲେ ଉପ- ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମାଲକାନଗିରିରେ ଶାନ୍ତି ଫେରାଇବା ପାଇଁ ଦୁଇ ପକ୍ଷର ନେତା ମାନଙ୍କୁ ନେଇ, ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ବୈଠକ କରିଛନ୍ତି । ଏହି ବୈଠକରେ ଦୁଇ ପକ୍ଷର ବିଭିନ୍ନ ଅଭିଯୋଗ ଓ ଦାବି ଗୁଡ଼ିକ ଶୁଣି ଅଭିଯୋଗ ଓ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କେଭି ସଂଦେଓ ଆଶ୍ଵାସନା ଦେଇଛନ୍ତି । ଏଥିରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି,ଏ ଡି ଜି ସଞ୍ଜିବ ପଣ୍ଡା, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ ଯୋଗ ଦେଇଥିଲେ । ସେପଟେ ସମ୍ପୂର୍ଣ୍ଣ ଜିଲାରେ ପୁଣି ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା । ଆଜି ମଧ୍ୟରାତ୍ରୀ ୧୨ଟା ପର୍ଯ୍ୟନ୍ତ ରହିବ ଇଣ୍ଟରନେଟ କଟକଣା । ଗତକାଲି ମହିଳାଙ୍କ କଟାମୁଣ୍ଡ  ମିଳିଥିଲା । କଟା ମୁଣ୍ଡ ମିଳିବା ପରେ ଅନ୍ତିମ ସଂସ୍କାର ହୋଇଥିବା ଶବ ନିକଟରେ ମୁଣ୍ଡକୁ ପୋତାଯାଇଛି ।  ମୁଣ୍ଡ ବିହୀନ ଶବ ଉଦ୍ଧାର ପରେ ଆରମ୍ଭ ହୋଇଥିଲା ହିଂସାକାଣ୍ଡ । ଏମଭି ୨୬ ଓ ରାଖେଲଗୁଡା ଗାଁ ମଧ୍ୟରେ ଆରମ୍ଭ ହୋଇଥିଲା ସଂଘର୍ଷ । ହେଲେ ଶାନ୍ତି କମିଟିର ବୁଝାମଣା ପରେ ଏବେ ଧିରେ  ପରିସ୍ଥିତିରେ ଆସୁଛି ସୁଧାର । ତେବେ ଘଟଣା ସ୍ଥଳରେ ଏବେ ବି ମୁତୟନ ରହିଛନ୍ତି ୧୫ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ, ୨୦ ପ୍ଲାଟୁନ ପୋଲିସ । ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ।  କ୍ଷତିଗ୍ରସ୍ଥ ଲୋକଙ୍କୁ ଖାଦ୍ୟ ଓ କମ୍ବଳ ଯୋଗାଇଛି ପ୍ରଶାସନ । ସେପଟେ  ମହିଳାଙ୍କୁ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ହେଲା ଏମଭି ୨୬ର ସୁଖରଞ୍ଜନ ମଣ୍ଡଳ।