spot_img
Home Blog Page 2023

ମହିଳା ଦିବସ ଅବସରରେ ଜାତୀୟ କ୍ରିଏଟର୍ସ ଆୱାର୍ଡରେ ସମ୍ମାନିତ ହେଲେ କାମିଆ ଜାନି

ନନ୍ଦିଘୋଷ ବ୍ୟୁରା : ସୋସିଆଲ ମିଡିଆ ଇନଫ୍ଲୁଏନସର ତଥା ପ୍ରସିଦ୍ଧ ଟ୍ରାଭେଲ ଆଣ୍ଡ ଫୁଡ ବ୍ଲଗର ଏବଂ କର୍ଲି ଟେଲସ ୟୁଟ୍ଯୁବ ଚାନେଲର ପ୍ରତିଷ୍ଠାତା କାମିଆ ଜାନି ସମ୍ମାନିତ । ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜାତୀୟ କ୍ରିଏଟର୍ସ ଆୱାର୍ଡରେ ସମ୍ମାନିତ କରିଛନ୍ତି । ତାଙ୍କୁ ସର୍ବଶ୍ରେଷ୍ଠ ଟ୍ରାଭେଲ କ୍ରିଏଟର ଭାବେ ସମ୍ମାନ ମିଳିଛି ।

ନିକଟରେ ସେ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଯାହାକି ଖୁବ ପ୍ରଶଂସା ସାଉଁଟିଥିଲା । ସାରାଦେଶ ବୁଲି ସେ ବିଭିନ୍ନ ମନ୍ଦିରର କାହାଣୀ କହିବା ସହ ଦେଶର ବିଭିନ୍ନ ମନ୍ଦିରର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ଯବାଦ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିଲ୍ଲୀର ଭାରତ ମଣ୍ଡପରେ ସର୍ବପ୍ରଥମ ନ୍ୟାସନାଲ କ୍ରିଏଟିଭ୍ ଆୱାର୍ଡ ପ୍ରଦାନ କରିଛନ୍ତି। ଶୁକ୍ରବାର ଦିନ ରଣଭୀର ଆଲ୍ଲାବାଦିଆ, କାମିଆ ଜାନି, ଶ୍ରଦ୍ଧା ଜୈନ , ଆରଜେ ରାଉନାକ, ଅଙ୍କିତ ବାୟାନପୁରିଆଙ୍କ ସମେତ କେତେକ ଲୋକପ୍ରିୟ ଡିଜିଟାଲ ନିର୍ମାତାଙ୍କୁ ପୁରସ୍କୃତ କରାଯାଇଛି । ଏହି ସବୁ ଆୱାର୍ଡ ପାଇଁ ଦେଢ ଲକ୍ଷରୁ ଅଧିକ ନାମାଙ୍କନ ହୋଇଥିଲା ଏବଂ ୧୦ ଲକ୍ଷ ଭୋଟ ପଡିଥିଲା ।

ଶିବରାତ୍ରିରେ ଚମତ୍କାର; ଶହେରୁ ଅଧିକ ତମ୍ବା ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ବୃଷଭ ମୂର୍ତ୍ତି ଉଦ୍ଧାର

କଟକ : ଶହେରୁ ଅଧିକ ତମ୍ବା ଓ ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ବୃଷଭ ମୂର୍ତ୍ତି ଉଦ୍ଧାର । କଟକ ଜିଲ୍ଲା ବାଙ୍କୀ ନିକଟ ମହାନଦୀର ସୁବର୍ଣ୍ଣପୁର ଘାଟରୁ ଶହେରୁ ଅଧିକ ତମ୍ବା ଓ ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ଦୁଇଟି ବୃଷଭ ମୂର୍ତ୍ତି ଉଦ୍ଧାର କରାଯାଇଛି। ବାଙ୍କୀ ମହାନଦୀ ପଠାର ସୁବର୍ଣ୍ଣପୁର ଘାଟରେ କିଛି ପିଲା ଗାଧୋଉଥିବା ବେଳେ ପାଣିରେ ମୂର୍ତ୍ତି ପଡ଼ିଥିବା ଜାଣିବାକୁ ପାଇଥିଲେ। ପରେ ମତ୍ସ୍ୟଜୀବୀଙ୍କ ସହାୟତାରେ ଏହି ନାଗମୂର୍ତ୍ତି ଗୁଡିକ ଉଦ୍ଧାର କରାଯାଇଥିଲା। ଏସବୁ ପ୍ରାଚୀନ ମୂର୍ତ୍ତି ହୋଇଥିବା ଅନୁମାନ କରାଯାଉଛି ।

ଉଦ୍ଧାର ପରେମୂର୍ତ୍ତିଗୁଡିକୁ ସ୍ଥାନୀୟ ପଞ୍ଚାୟତ ଅଫିସରେ ରଖାଯାଇଛି। ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଆଜି ପବିତ୍ର ଜାଗର ଅବସରରେ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ଦୁଇଟି ବୃଷଭ ମୂର୍ତ୍ତି ମିଳିଥିବାରୁ ଦେଖିବାକୁ ମହାନଦୀ ପଠାରେ ଲୋକମାନେ ଭିଡ଼ ଲଗାଇଛନ୍ତି । ଲୋକମାନେ କ୍ଷୀର ଢାଳି ପୂଜା ଆରମ୍ଭ କରିଦେଇଛନ୍ତି। ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୋଲିସ ପହଞ୍ଚିଥିବା ବେଳେ ଗାଁରେ ଥିବା ମଠରେ ମୂର୍ତ୍ତିସବୁ ରଖିବାକୁ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି । ଏସବୁ ମୂର୍ତ୍ତି କେଉଁଠାରୁ ଆସିଲା ତାହା ଜଣାପଡ଼ିନାହିଁ ।

ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ରାଜ୍ୟସଭା ପାଇଁ ମନୋନିତ, ପ୍ରଧାନମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ : ଇନଫୋସିସି ଫାଉଣ୍ଡେସନ ଅଧ୍ୟକ୍ଷ ତଥା ସହ ପ୍ରତିଷ୍ଠାତା ସୁଧା ମୂର୍ତ୍ତି ରାଜ୍ୟସଭାକୁ ମନୋନୀତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୂଧାମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ଏହି ସୂଚନା ଦେଇଛନ୍ତି। ରାଜ୍ୟସଭାକୁ ମନୋନୀତ ହେବା ପରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହା ଏକ ବହୁତ ବଡ଼ ଉପହାର ବୋଲି ଖୁସି ପ୍ରକାଶ କରି ପ୍ରତିକ୍ରିୟା ରଖିଛନ୍ତି ସୁଧାମୂର୍ତ୍ତି।

ଦେଶ ପାଇଁ କାମ କରିବାକୁ ଏକ ନୂଆ ଦାୟିତ୍ଵ ମିଳିଛି। ଏଥିଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ସୁଧା ମୂର୍ତ୍ତି। ସମାଜସେବା ସହ ଶିକ୍ଷାର ଉନ୍ନତି କ୍ଷେତ୍ରରେ ସୁଧାମୂର୍ତ୍ତିଙ୍କ ଅତୁଳନୀୟ ଏବଂ ପ୍ରେରଣାଦାୟୀ ଅବଦାନ ରହିଛି। ରାଜ୍ୟସଭାରେ ସୁଧାମୂର୍ତ୍ତିଙ୍କ ଉପସ୍ଥିତି ନାରୀଶକ୍ତିର ଏକ ଶକ୍ତିଶାଳୀ ପ୍ରମାଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶରେ ମହିଳାଙ୍କୁ ସଶକ୍ତ ଏବଂ କ୍ଷମତା ପ୍ରଦାନ କରିବାରେ ସେ ଉଦାହରଣ ସାଜିଛନ୍ତି।

ଇନଫୋସିସ ଫାଉଣ୍ଡେସନ ଅଧ୍ୟକ୍ଷ ପଦରେ ରହିବା ସହ ସୁଧାମୂର୍ତ୍ତି ଶିଶୁ ଏବଂ ମହିଳାଙ୍କ ଲାଗି ଲଗାତାର କାମ କରି ଆସୁଛନ୍ତି। ସେ ଜଣେ ସୁଦକ୍ଷ ଲେଖିକା। ଅନେକ ପ୍ରେରଣାଦାୟୀ ପୁସ୍ତକ ଲେଖିଛନ୍ତି। ୧୯୮୧ ମସିହାରେ ଇନଫୋସିସ କମ୍ପାନୀ ପ୍ରତିଷ୍ଠା ସମୟରେ ପତି ନାରାୟଣ ସ୍ଵାମୀଙ୍କୁ ସେ ୧୦ ହଜାର ଟଙ୍କା ଋଣ ଦେଇଥିଲେ। ସେହି ସମୟରେ ଉଭୟ ଏକ ଭଡ଼ା ଘରେ ରହୁଥିଲେ ଏବଂ ଅଭାବ ଅନଟନରେ ଦିନ କାଟୁଥିଲେ। ସୁଧାମୂର୍ତ୍ତିଙ୍କ ଦୁଇ ସନ୍ତାନ ରହିଛନ୍ତି। ଝିଅ ଅକ୍ଷତା ମୂର୍ତ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନଙ୍କ ପତ୍ନୀ। ଅକ୍ଷତା ମଧ୍ୟ ଜଣେ ଫ୍ଯାସନ ଡିଜାଇନର। ପୁଅ ରୋହନ ମୂର୍ତ୍ତି ଆମେରିକାରେ ଏକ ସଫ୍ଟୱେଆର ଫାର୍ମର ପ୍ରତିଷ୍ଠାତ।

ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଡକ୍ଟର ଅଗ୍ରୱାଲ୍ସ ଆଇ ହସପିଟାଲ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ସାରା ବିଶ୍ୱରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଭାରତର ସର୍ବବୃହତ ଚକ୍ଷୁ ଚିକିତ୍ସାଳୟ ଡକ୍ଟର ଅଗ୍ରୱାଲ୍ସ ଆଇ ହସ୍ପିଟାଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରାଯାଇଛି । ଯାହା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଶାଖାରେ ସମସ୍ତ ବୟସବର୍ଗର ମହିଳାଙ୍କ ପାଇଁ ଉପଲବ୍ଧ ହେବ।

ଗର୍ଭାବସ୍ଥା ଜନିତ ଉଚ୍ଚ ରକ୍ତଚାପ, ମେନୋପୋଜ୍ ଏବଂ ପେରିମେନୋପୋଜ ଜନିତ ଦୃଷ୍ଟି ସମସ୍ୟା ତଥା ଅନ୍ୟ ସାଧାରଣ ଚକ୍ଷୁ ରୋଗ ଏବଂ ଆଇ ସ୍କ୍ରିନିଂ ପାଇଁ ଡାକ୍ତରଖାନା ପକ୍ଷରୁ ସ୍ୱତନ୍ତ୍ରବ୍ୟବସ୍ଥା କରାଯାଇଛି । ମାଗଣା ଚକ୍ଷୁ ପରୀକ୍ଷା ପାଇଁ ମହିଳା ମାନେ ୯୫୯୪୯୨୪୧୦୨ ନଂରେ ଆଗୁଆ ପଞ୍ଜୀକରଣ ମଧ୍ୟ କରିପାରିବେ ।

ପୁରୁଷ ଏବଂ ମହିଳାଙ୍କ ଆଖିରେ ଗଠନ ଠାରୁ ଆରମ୍ଭ କରି ଜିନ୍ ଅଭିବ୍ୟକ୍ତି ଏବଂ ଅନ୍ୟାନ୍ୟ ଅଭିପ୍ରାୟରେ ପାର୍ଥକ୍ୟ ଥାଏ ।ବାୟୋଲୋଜି, ହରମୋନ୍ ଏବଂ ଜୀବନର ପର୍ଯ୍ୟାୟ ବା ଘଟଣା ଭଳି ବିଭିନ୍ନ କାରଣ ପ୍ରଭାବିତ କରିପାରେ ଏବଂ କେତେକ କ୍ଷେତ୍ରରେ ମହିଳାମାନେ କେତେକ ଦୃଷ୍ଟି ସମସ୍ୟା ପାଇଁ ଅଧିକ ସମ୍ବେଦନଶୀଳ ହୋଇପାରନ୍ତି । ଉଦାହରଣସ୍ୱରୁପ, କେତେକ କ୍ଷେତ୍ରରେ, ଗର୍ଭାବସ୍ଥା ଜନିତ ଉଚ୍ଚ ରକ୍ତଚାପରେ ପୀଡ଼ିତ ମହିଳାମାନଙ୍କର ଦୃଷ୍ଟି ଶକ୍ତି ଅସ୍ପଷ୍ଟ ହେବା, କ୍ରମାଗତ ଦୃଷ୍ଟି ଶକ୍ତି ହ୍ରାସ, ଡବଲ ଭିଜନ୍, ଆଂଶିକ ଦୃଷ୍ଟି ଶକ୍ତି ହ୍ରାସ ଏବଂ ଅନ୍ୟକୌଣସି ସାଧାରଣ ଦୃଶ୍ୟ କ୍ଷେତ୍ରରେ ବ୍ଲାଇଣ୍ଡ ସ୍ପଟ୍ ସମସ୍ୟା ଦେଖା ଦେଖାଦେଇଥାଏ ।

ଡକ୍ଟର ଅଗ୍ରୱାଲ୍ସ ଆଇ ହସ୍ପିଟାଲ୍ ପକ୍ଷରୁ ଏହି ଶିବିରରେ ଚକ୍ଷୁ ରୋଗର ବିପଦକୁ କମ୍ କରିବା ପାଇଁ ମହିଳାମାନେ କ’ଣ ପଦକ୍ଷେପ ନେଇପାରିବେ ସେ ସମ୍ପର୍କରେ ଅଧିକ ସଚେତନତା କରାଯିବ । ସମଗ୍ର ଓଡ଼ିଶାରେ ଏହି ହସ୍ପିଟାଲର ମାଗଣା ଚକ୍ଷୁ ପରୀକ୍ଷା ଏବଂ ସଚେତନତା ଅଭିଯାନ ମହିଳାମାନଙ୍କୁ ବିପଦ ବିଷୟରେ ସଚେତନ କରାଇବ ସହ ଶୀଘ୍ର ରୋଗ ନିରୂପଣ ଏବଂ ଏହାର ପ୍ରତିକାର ସମ୍ପର୍କରେ ଲୋକଙ୍କୁ ବୁଝାଯିବ ।

ମହିଳା ସଶକ୍ତ ହେଲେ ଦେଶ ଆଗେଇବ : 5T ଅଧ୍ୟକ୍ଷ

ଭୁବନେଶ୍ୱର : ମହିଳା ସଶକ୍ତ ହେଲେ ଦେଶ ଆଗେଇବ । ଅଧା ମହିଳା ସଶକ୍ତ ହେଲେ ଦେଶ ହେବ ସଶକ୍ତ  । ବିଜେଡିର ମହିଳା ଦିବସ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି 5Tଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । କହିଛନ୍ତି, ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି । ମହିଳାଙ୍କ ଉନ୍ନତି ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ମା’ମାନଙ୍କୁ କ୍ଷମତା ଦେଲେ ସେମାନେ ଭଲ ଭାବେ ତୁଲାଇବେ ବୋଲି ବୁଝିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜନସଂଖ୍ୟାର ୫୦ପ୍ରତିଶତ ହେଉଛନ୍ତି ମହିଳା । ୫୦ ପ୍ରତିଶତ ମହିଳା ସଶକ୍ତ ହେଲେ ରାଜ୍ଯ ଓ ଦେଶକୁ ଆହୁରି ଆଗକୁ ନେବେ ବୋଲି କହିଛନ୍ତି 5Tଅଧ୍ଯକ୍ଷ । ୨୦୨୦ର ଓଡ଼ିଶା ଓ ଆଜିର ଓଡ଼ିଶାରେ ବହୁ ଫରକ । ମହିଳାମାନେ ହେଉଛନ୍ତି ନୂଆ ଓଡ଼ିଶାର ପରିଚୟ । ଲୋକସଭା ନିର୍ବାଚନରେ ଏଥର ବି ଅଧିକ ମହିଳାଙ୍କୁ ଟିକେଟ ମିଳିବ ।

ବିଜୁ ବାବଙ୍କ ସ୍ବପ୍ନ ପୂରଣ କରିଛନ୍ତି ମୁଖ୍ଯମନ୍ତ୍ରୀ । ୩୩ ପ୍ରତିଶତରୁ ପଞ୍ଚାୟତରେ ୫୦ ପ୍ରତିଶତ ସଂରକ୍ଷଣ ସହ ଜିଲ୍ଲା ପରିଷଦରେ ୭୦ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ସେହିପରି SHG ଜରିଆରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଓଡ଼ିଶା ଯୋଜନାକୁ ଦେଖି କେନ୍ଦ୍ର କରୁଛି ଯୋଜନା । ଓଡ଼ିଶା ଯାହା କରୁଛି ତାକୁ ଅନ୍ୟ ରାଜ୍ୟମାନେ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ମାନ-ସମ୍ମାନ ଆଗରେ ତୁଚ୍ଛ ହେଲା ସମ୍ପର୍କ; ଝିଅକୁ ମାରି ପୋଡି ଦେଲା ବାପା

ନନ୍ଦିଘୋଷ ବ୍ୟୁରୋ : ସମ୍ମାନ ପାଇଁ ନୃଶଂସ ବାପାର ଉନ୍ମତ୍ତକାଣ୍ଡ । ଝିଅକୁ ମାରି ଶବ ଜାଳିଦେଲା ବାପା । ୩୩ ଦିନ ପରେ ସାମ୍ନାକୁ ଆସିଲା ଘଟଣା ।ହରିୟାଣାର ଗୁରୁଗ୍ରାମରେ ଘଟିଛି ଏପରି ଅନର କିଲିଙ୍ଗ । ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଗୁରୁଗ୍ରାମର ସୋହନା ଗାଁରେ ଘଟିଛି ଏହି ଘଟଣା । ମିଛ ଗାରିମା ପାଇଁ ନିଜର ୧୮ ବର୍ଷିୟା ଝିଅକୁ ମାରି ପୋଡିଛି ବାପା । ଘଟଣାରେ ମାନସୀର ବାପା,ଭାଇ ଏବଂ ବଡ଼ବାପାଙ୍କୁ ଗିରଫ କରିଛି ପୋଲିସ । ଆହୁରି ୨ ଅଭିଯୁକ୍ତ ଏବେ ଯାଏଁ ଫେରାର ଅଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ଜାନୁଆରୀ ୩୧ରେ ମାନସୀ କମ୍ପ୍ୟୁଟର କ୍ଲାସ ପାଇଁ ଘରୁ ଯାଇଥିଲେ ଏବଂ ଆଉ ଫେରିନଥିଲେ  । ଯାହା ପରେ ମାନସୀ ନିଖୋଜ ଥିବା ନେଇ ଅଭିଯୋଗ ଆଣିଥିଲେ ପରିବାର ଲୋକ  । କିନ୍ତୁ ୩୩ ଦିନ ପରେ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିଛି । ତଦନ୍ତରୁ ଜଣାପଡିଛି ଯେ, ମାନସୀ ଜାନୁଆରୀ ୩୧ରେ ନିଜ ପୁରୁଷ ବନ୍ଧୁଙ୍କ ସହ କେଉଁଆଡେ ପଳାଇଥିଲେ । ଫେବୃଆରୀ ୨ରେ ଯୁବକଙ୍କ ପରିବାର ଲୋକ ଦୁହଁଙ୍କୁ ବୁଝାସୁଝା କରି ଫେରାଇଆଣିଥିଲେ ଏବଂ ମାନସୀକୁ ତା ଘରକୁ ପଠାଇ ଦେଇଥିଲେ । କିନ୍ତୁ ମାନସୀ ଏପରି କରି ପରିବାରର ସମ୍ମାନ, ଇଜ୍ଜତ ମାଟିରେ ମିଶେଇ ଦେଇଥିବା ଭାବି ତାକୁ ବାପା, ଭାଇ ଏବଂ ବଡ଼ବାପା ମିଶି ହତ୍ୟା କରିଥିଲେ ବୋଲି ପୋଲିସ କହିଛି ।

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ; ଭାଇ ଆଖି ଆଗରେ ଭାଇକୁ ଝାମ୍ପି ନେଲା

କେନ୍ଦ୍ରାପଡ଼ା : ଭାଇ ଆଖି ଆଗରେ ଭାଇକୁ ଝାମ୍ପି ନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ବ୍ରାହ୍ମଣୀ ନଦୀରେ ଏହି ଅଘଟଣ ଘଟିଛି। ଦକ୍ଷିଣଭେଡ଼ା ଗାଁର ବାଇଧର ମଲ୍ଲିକ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଛି । ଗ୍ରାମବାସୀମାନେ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ବାଇଧରଙ୍କର କୌଣସି ପତ୍ତା ମିଳିନାହିଁ। ଗ୍ରାମବାସୀମାନେ ଭୟଭୀତ ହୋଇପଡିଛନ୍ତି । ଗତବର୍ଷ କୁମ୍ଭୀର ଆକ୍ରମଣରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଚଳିତବର୍ଷ ଏହା ପ୍ରଥମ ଘଟଣା ।

ଠକେଇ ଅଭିଯୋଗରେ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣା ଗିରଫ

ପିପିଲି : ପିପିଲି ଦାଣ୍ଡମୁକୁନ୍ଦପୁର IDBI ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ। ୩ କୋଟି ୭୦ ଲକ୍ଷ ଠକେଇ ମାମଲାରେ ଗିରଫ ହୋଇଛନ୍ତି ଆସିଷ୍ଟାଣ୍ଟ ମ୍ୟାନେଜର। ଛତିଶଗଡ଼ର ରାଇପୁରରୁ ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣାଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା EOW ।

ଠକେଇ ଘଟଣାରେ ପିପିଲି ଆଇଡିବିଆଇ ବ୍ୟାଙ୍କ୍‌ର ପୂର୍ବତନ ଆସେଟ୍ ଅଫିସର ତଥା ବର୍ତ୍ତମାନର ଆସିଷ୍ଟାଣ୍ଟ ବ୍ୟାଙ୍କ୍ ମ୍ୟାନେଜର ଅଛନ୍ତି ତନ୍ମୟ କୁମାର ମହାରଣା। ଇଓଡବ୍ଲ୍ୟୁର ଏକ ଟିମ୍ ଛତିଶଗଡ଼ର ରାୟପୁରରୁ ତାଙ୍କୁ ଗିରଫ କରି ଭୁବନେଶ୍ଵର ଆଣିଛି। ପିପିଲି ବ୍ଲକ କାର୍ଯ୍ୟାଳୟର ୨ଟି ଆକାଉଣ୍ଟ ସେହି ବ୍ରାଞ୍ଚରେ ଥିଲା।

୨୦୧୮ ମସିହାରେ ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ୩ କୋଟି ୭୦ ଲକ୍ଷ ଟଙ୍କା ମୂଲ୍ୟର ୭ଟି ଚେକ୍ ବ୍ୟାଙ୍କ୍‌କୁ ଦିଆଯାଇଥିଲା। ୨୦୨୨ ମସିହାରେ ଟଙ୍କା ଉଠାଇବା ସମୟରେ ଏଫ୍ଏଫ୍‌ଡି ନଥିବା କଥା ନଜରକୁ ଆସିଥିଲା। ଏନେଇ ଆଇଡିବିଆଇ ବ୍ୟାଙ୍କ୍ ଜିଏମଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ। ବ୍ୟାଙ୍କ୍ ପକ୍ଷରୁ ତଦନ୍ତ ବେଳେ ତନ୍ମୟ ଓ ତାର ସହଯୋଗୀଙ୍କ ମହାଘୋଟାଲା ପଦାକୁ ଆସିଥିଲା।

ତେବେ ଏନେଇ ଜିଏମ୍ ଗତ ଫେବ୍ରୁଆରୀ ୨୯ ତାରିଖରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଛତିଶଗଡ଼ର ରାୟପୁରରୁ ତନ୍ମୟଙ୍କୁ ଗିରଫ କରିଛି । ତେବେ ଏଥିରେ ବ୍ୟାଙ୍କର ଅନ୍ୟ କିଛି କର୍ମଚାରୀଙ୍କ ସମ୍ପୃକ୍ତି ରହିଛି ନା ନାହିଁ ତାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ।

ଆବୁଧାବିରେ ନିଯୁକ୍ତି ଦେବାକୁ କହି ୪୦ ଲକ୍ଷରୁ ଅଧିକ ଟଙ୍କା ଠକେଇ

ଭୁବନେଶ୍ୱର : ବିଦେଶରେ ଚାକିରୀ ନାଁ ରେ ଚୁନ। ନିରୀହ ଯୁବକଙ୍କ ଜୀବନ ସହ ଖେଳିଲା ଠକ ସଂସ୍ଥା । ଆବୁଧାବିରେ ଚାକିରୀ ଦେବାକୁ କହି ୭୮ ଓଡ଼ିଆ ପିଲାଙ୍କ ଠାରୁ ପାଖାପାଖି ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇର ଆସିଛି ସଙ୍ଗୀନ ଅଭିଯୋଗ। ଆନ୍ଧ୍ରପ୍ରଦେଶ ବିଜୟନଗରମ ସ୍ଥିତ ଲାଇଫ ଲାଇନ ଟ୍ରାଭେଲ ନାମକ ସଂସ୍ଥା ଆବୁଧାବିରେ ଚାକିରୀ ଦେବାକୁ କହି ବାଲୁଗାଁ ଓ ବାଣପୁର ଅଞ୍ଚଳର ୭୮ ଜଣ ଯୁବକଙ୍କ ଠାରୁ ମୁଣ୍ଡପିଛା ୬୦ ହଜାର ଟଙ୍କା ଲେଖାଏଁ ନେଇଥିଲା।

ଚେନ୍ନାଇରୁ ଆବୁଧାବି ଯିବା ପାଈଁ ସମସ୍ତ ଲୋକଙ୍କ ପାଖରୁ ବିମାନ ଟିକେଟ ଓ ଭିସା ଆସିଥିଲା। ଗତ ମାସ ୫ ତାରିଖରେ ସମସ୍ତ ଲୋକଙ୍କୁ ବିଜୟନଗରମରେ ପହଞ୍ଚିବାକୁ କୁହାଯାଇଥିଲା। ସେହି ଅନୁଯାୟୀ ସମସ୍ତେ ୫ ତାରିଖ ସକାଳୁ ନିଜର ସାର୍ଟିଫିକେଟ ଓ ଲଗେଜ୍ ଧରି ପହଞ୍ଚିଥିଲେ। ଫୋନ ଯୋଗେ ସୋସିଆଲ ମିଡିଆରେ ତାଙ୍କର ମୋଟିଭେସନାଲ କ୍ଳାସ ହେବ ବୋଲି କୁହାଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ନିର୍ଦ୍ଦିଷ୍ଟ ଠିକଣାରୁ ଉଭାନ ହୋଇଯାଇଥିଲା ସଂସ୍ଥା। ଯୋଗାଯୋଗ କରିବା ବେଳକୁ ସଂସ୍ଥା ପରିଚାଳକଙ୍କ ଫୋନ ସୁଇଚ ଅଫ ହୋଇଯାଇଥିଲା।

ସେପଟେ ଏୟାରପୋର୍ଟରେ ଖବର ନେବା ବେଳକୁ ଫ୍ଲାଇଟ ଟିକେଟ ମଧ୍ୟ କ୍ୟାନସଲ ହୋଇଯାଇଥିଲା। ଝାଳ ବୁହା ଟଙ୍କା ନେଇ ଛୁ ମାରିଥିଲା ଠକ ସଂସ୍ଥା । ଏ ନେଇ ଯୁବକମାନେ ବିଜୟନଗରମ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି । ସ୍ଥାନୀୟ ଏସପି ଘଟଣା ବିଷୟରେ ଜାଣିବା ପରେ ଟ୍ରାଭେଲ ଅଫିସକୁ ପୋଲିସ ପଠାଇ ଠକାମୀର ଶିକାର ଯୁବକ ମାନଙ୍କର ପାସପୋର୍ଟ ଓ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଲେଟରପ୍ୟାଡ଼, ଷ୍ଟାମ୍ପ ଆଦି ଜବତ କରିଛନ୍ତି। କିଛିଦିନ ମଧ୍ୟରେ ଠକକୁ ଗିରଫ କରାଯିବ ଓ ଠକେଇ ଟଙ୍କା ଫେରିପାଇବା ଆଶାରେ ଯୁବକ ମାନେ ବିଜୟନଗରମ ଷ୍ଟେସନ ନିକଟରେ ଏକ ହୋଟେଲ ରେ ରହି ନ୍ୟାୟ ଭିକ୍ଷା କରିଛନ୍ତି।

ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି; ହରହର ମହାଦେବ ଧ୍ଵନିରେ କମ୍ପୁଛି ପୀଠ

ନୂଆଦିଲ୍ଲୀ : ନେପାଳ ପଶୁପତିନାଥ ମନ୍ଦିରରେ ଆରମ୍ଭ ହୋଇଛି ଶିବରାତ୍ରି ତଥା ଜାଗର ଯତ୍ରା । ଚଳଚଞ୍ଚଳ ପୁରା ନେପାଲର ରାଜଧାନୀ କାଠମାଣ୍ଡୁ । ହର ହର ମହାଦେବ ଧ୍ବନୀରେ କମ୍ପୁଛି ପୀଠ ପରିସର । ସକାଳ ୩ଟା ୧୫ ମିନିଟ ସମୟରୁ ଆରମ୍ଭ ହୋଇଚି ପଶୁପତିନାଥଙ୍କ ପ୍ରଥମ ପୂଜା। ୩ ଜଣ ପଣ୍ଡିତଙ୍କ ଦ୍ବାରା ପୂଜା ସମ୍ପନ୍ନ କରାଯାଉଛି ।

ଓଡ଼ିଆ ଧର୍ମ ପରି ଷୋଳ ପୂଜା, ଅଧିବାସ, ରୁଦ୍ରାଭିସେକ୍, ହରହରି ଭେଟ ଓ ଷୋଡ଼ଶ ଉପଚାର ସହିତ ସ୍ଵତନ୍ତ୍ର ଆଳତୀ କରାଯାଉଛି ।ପୂରୁଣା ପରମ୍ପୀପରା ଅନୁଯାଇ ଏଠାରେ ପ୍ରଭୁ ଶିବଙ୍କ ଠାରେ ଫୁଲ ଅପେକ୍ଷା ବେଶୀ ଲାଗି ହେଉଛି ରୁଦ୍ରାକ୍ଷ । ବିଶେଷ କରି ୬୦୦୦ ସାଧୁ, ନାଗା ବାବା ଏହି ପର୍ବରେ ଯୋଗ ଦେଇଛନ୍ତି । ଗତକାଲି ୨ ଲକ୍ଷ ଲୋକ ଭକ୍ତଙ୍କ ସମାଗମ ମନ୍ଦିରରେ ଦେଖିବାକୁ ମିଳିଥିଲା।

ଆଜି ୧୫ ଲକ୍ଷ ଭକ୍ତ ,ସାଧୁ ଏକତ୍ରିତ ହେବେ ବୋଲି ସୂଚନା ଦେଇଛନ୍ତି ମନ୍ଦିର କମିଟି । ସନ୍ଧ୍ୟା ୫ଘଟିକା ୪୫ ମିନିଟ ସମୟରେ ମନ୍ଦିର ବେଢ଼ାରେ ଥିବା ବାଗମତି ନଦୀ କୂଳରେ ସ୍ଵତନ୍ତ୍ର ଆରତୀ କରାଯିବ।ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିରର ସମ୍ମୁଖ ଦ୍ଵାରଟି ଖୋଲା ଯାଇଛି । ଭିଡକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ,ସ୍ଵତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ପର୍ଯ୍ୟଟକ ମାନକୁ କିପରି କୌଣସି ଅସୁବିଧା ହେବ ନାହିଁ ତା ଉପରେ ଗୁରୁତ୍ବ ଦେଇଛି ସ୍ଥାନୀୟ ପ୍ରଶାସନ ଓ ମନ୍ଦିର କମିଟି।