ସମ୍ବଲପୁର: ମାନବିକତା ଦେଖାଇଲେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ l ଦେବଗଡ଼ ଜିଲ୍ଲା ରିଆମାଲରେ ବିଜେଡିର ବୁଥସ୍ତରୀୟ ପ୍ରଶିକ୍ଷଣ ଶିବିର ଚାଲିଥିବା ପ୍ରବଳ ଭିଡ଼ ହେବାରୁ କିଛି ମହିଳା ତଳେ ବସିଥିଲେ । ଏହା ଦେଖି ଚଉକିରୁ ଉଠିଆସି ତଳେ ବସି ପଡ଼ିଥିଲେ ପ୍ରଣବ l କର୍ମୀମାନେ କହିଥିଲେ ଯେ, ଆମେ ମହିଳାମାନଙ୍କ ପାଇଁ ବ୍ୟବସ୍ଥା କରୁଛୁ। କିନ୍ତୁ ବିଳମ୍ବ ହେବାରୁ ନିଜେ ଚଉକିରୁ ଓହ୍ଲାଇ ତଳେ ବସିପଡ଼ିଥିଲେ ପ୍ରଣବ ପ୍ରକାଶ ଦାସ। ଏଥିପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।
ଟିଟିଲାଗଡ଼ ସହରରେ ଟୁକୁନି ସାହୁଙ୍କ ପ୍ରଚାର
ଟିଟିଲାଗଡ଼: ନିର୍ବାଚନ ତାରିଖ ଯେତେ ପାଖଉଛି, ପ୍ରଚାର ସେତେ ସରଗରମ ହେଉଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଟୁକୁନି ସାହୁ ସହରର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପ୍ରଚାର ଚଲାଇଛନ୍ତି । ସମର୍ଥକ ମାନେ ଏକ ବାଇକ ରାଲିରେ ଟୁକୁନିଙ୍କୁ ପାଛୋଟି ନେଇଥିଲେ ।
ଏହାପରେ ୧ ନମ୍ବର ୱାର୍ଡରୁ ପ୍ରଚାର ଆରମ୍ଭ କରିଛନ୍ତି ଟୁକୁନି ସାହୁ । ଗତକାଲି ମ୍ୟୁନିସିପାଲଟିର ୧, ୨ ଓ ୩ ନମ୍ବର ୱାର୍ଡରେ ଘରକୁ ଘର ଓ ଛକ ଛକରେ ବୁଲି ଲୋକଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ବିଜେଡିକୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ଟୁକୁନି ।
ସେ କହିଛନ୍ତି, ‘ଲୋକଙ୍କ ପାଇଁ ବିଜେଡି ସବୁ ବେଳେ ଅଛି ଓ ରହିବ। ଟିଟିଲାଗଡ ସହର ଓ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାମ କରାଯାଉଛି । ସରକାରଙ୍କ ତରଫରୁ ଲୋକଙ୍କ ସହାୟତା ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରାଯାଇଛି । BSKY କାର୍ଡ ଲୋକଙ୍କ ପାଇଁ ବରଦାନ ସାଜିଛି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ହେଉଥିବା ବିକାଶ କାର୍ଯ୍ୟ କହୁଛି ଲୋକେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରରେ ଭୋଟ ଦେଇ ଜୟଯୁକ୍ତ କରାଇବେ ।’
ସମ୍ବଲପୁରରେ ପ୍ରଣବଙ୍କ ଜୋରଦାର ପ୍ରଚାର
ସମ୍ବଲପୁର: ସକାଳୁ ସକାଳୁ ପ୍ରଚାରକୁ ଜୋରଦାର କରିଛନ୍ତି ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ପ୍ରଥମେ ସିଭିଲ ସୋସାଇଟିର ସଦସ୍ୟଙ୍କୁ ଭେଟି ଆଲୋଚନା କରିବା ସହ ବିଜେଡି ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥିଲେ । ସଦସ୍ୟମାନେ ପ୍ରଣବଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସମର୍ଥନ ଘୋଷଣା କରିଛନ୍ତି ।
ପରେ ବ୍ରହ୍ମକୁମାରୀ ଭଉଣୀମାନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ପ୍ରଣବ । ପ୍ରଣବ ପହଞ୍ଚିବା ପରେ ବ୍ରହ୍ମକୁମାରୀମାନେ ତାଙ୍କୁ ସ୍ବାଗତ କରି ପ୍ରାର୍ଥନା ଗୃହକୁ ନେଇଥିଲେ । ସେଠାରେ ପ୍ରାର୍ଥନା ପରେ ସମସ୍ତ ଭଉଣୀ ଏବଂ ଭାଇମାନେ ପ୍ରଣବଙ୍କୁ ଆଶୀର୍ବାଦ ଦେଇଥିଲେ । ଏହାସହ ସମ୍ବଲପୁରର ସାମଗ୍ରିକ ବିକାଶ ପାଇଁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା ।
ପରେ ରାଧେ ଗୋବିନ୍ଦ ଧାମରେ ପହଞ୍ଚିଥିଲେ ବିଜେଡି ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ରାଧେଗୋବିନ୍ଦ ଧାମର ସଦସ୍ୟମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ପ୍ରଣବ । ଏହି ଅବସରରେ ପ୍ରଣବ କହିଥିଲେ, ‘ସମ୍ବଲପୁରବାସୀଙ୍କ ଅକୁଣ୍ଠ ସମର୍ଥନ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଧର୍ମ ଓ ସବୁବର୍ଗର ଲୋକଙ୍କୁ ଭଲପାଆନ୍ତି । ତେଣୁ ସମ୍ବଲପୁରରେ ବିଜେଡି ସାଂସଦ ଆସନ ସହିତ ସମସ୍ତ ବିଧାନସଭା ଆସନରେ ବିଜୟୀ ହେବ ।’
ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ: ଡିଜିପି ଅରୁଣ ଷଡ଼ଙ୍ଗୀ
ଭୁବନେଶ୍ବର: ଓଡ଼ିଶାରେ ନିର୍ବାଚନ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।
ସେ କହିଛନ୍ତି, ‘ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଭୋଟ ଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ଭୋଟ ହେବ । ୯ ଜିଲ୍ଲାରେ ଥିବା ୭ ହଜାର ୨୯୮ ପୋଲିଂ ବୁଥରେ ମତଦାନ ହେବ । ୫୩୭ ମାଓବାଦୀ ଅଧ୍ୟୁଷିତ ଇଲାକା ଭିତରେ ସମ୍ବେଦନଶୀଳ ବୁଥ ରହିଛି । ୧୭ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହୋଇଛନ୍ତି । ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି । ୯ ଜିଲ୍ଲାରେ ୬ ଶହ ମୋବାଇଲ ପାଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମକୁ ମନିଟର କରିବ ପାଟ୍ରୋଲିଂ ପାର୍ଟି ।’
ଆଗକୁ ସେ କହିଛନ୍ତି, ‘ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୯ ଜିଲ୍ଲାରେ ୫୧ ଚେକପୋଷ୍ଟରେ ଯାଞ୍ଚ କଡାକଡି ଚାଲିଛି । ସୀମାବର୍ତ୍ତି ଚେକ ପୋଷ୍ଟରେ ସମସ୍ତ ଯାନବାହନକୁ ଯାଞ୍ଚ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୧୦ଟି ଫ୍ଲାଇଁ ସ୍କ୍ୱାଡ୍ ମୁତୟନ ହୋଇଛନ୍ତି । ଏହାବାଦ ୧୫୫ ଷ୍ଟାଟିକ ସର୍ଭେଲାନ୍ସ ଟିମ ରହିଛନ୍ତି । ଏହି ୯ ଜିଲ୍ଲାରେ ୧୫ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସ୍ଵତନ୍ତ୍ର ଅଭିଯାନ ଚଳାଯାଉଛି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପୋଲିସ ସହ ଓଡିଶା ପୋଲିସ ଆଲୋଚନା କରିଛି । ଅତିରିକ୍ତ ଡିଜି-ଅପରେଶନ ଦେବଦତ୍ତ ସିଂ ଏ ସବୁକୁ ମନିଟର କରୁଛନ୍ତି । ଏକ ଏୟାର ଆମ୍ବୁଲାନ୍ସ ଓ ହେଲିକ୍ୟାପ୍ଟର ପ୍ରସ୍ତୁତ ରହିଛି । ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୩୩ ହଜାର ଗିରଫ ପରୱାନା ଜାରି କରାକରାଯାଇଛି ।

