spot_img
Home Blog Page 1952

ସୋର ବିଧାନସଭା ନିର୍ବାଚନମଣ୍ଡଳିରେ ବିଜେପିର ଅସଲି ବିଧାୟକ ପ୍ରାର୍ଥୀ କିଏ ?

ସୋର : ସୋର ବିଧାନସଭା ନିର୍ବାଚନମଣ୍ଡଳିରେ ବିଜେପିର ଅସଲି ବିଧାୟକ ପ୍ରାର୍ଥୀ କିଏ ବୋଲି ଉଠିଲା ପ୍ରଶ୍ନ। କାରଣ ଏହି ଆସନ ପାଇଁ ବିଜେପି ୩ ଜଣଙ୍କୁ ଗ୍ରୀନ୍ ସିଗନାଲ ଦେଇଥିବା ଆଲୋଚନା ହେଉଛି। ଏପରିକି ୩ ଜଣ ଯାକ ପ୍ରାର୍ଥୀ ଏବେ ଦଳୀୟ ବିଜ୍ଞପ୍ତି ଦେଖାଇଛନ୍ତି। ସୂଚନା ଅନୁଯାୟୀ, ଗତ ଉପନିର୍ବାଚନରେ ଭଦ୍ରକର ଧାମନଗରରୁ ପ୍ରାର୍ଥୀ ହୋଇଥିବା ରାଜକିଶୋର ଦାସ ଓରଫ ରାଜୁ ଦାସ ଇତି ମଧ୍ୟରେ ବିଜେପିରେ ଯୋଗ ଦେଇଥିଲେ। ଧାମନଗରରୁ ଟିକେଟ୍ ଦିଆନଯାଇ ତାଙ୍କୁ ବାଲେଶ୍ବର ସୋରରୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ୍ ଦିଆଯାଇଥିଲା। କିନ୍ତୁ ସୋର ବିଜେପିରୁ ରାଜୁ ଦାସଙ୍କୁ ଜମାରୁ ଗ୍ରହଣ କଲାନାହିଁ। ଫଳରେ ଦଳ ପାଇଁ ଅବାନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏପଟେ ସୋରରେ ଥିବା ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଜେଡି ଟିକେଟ ଦେଇନଥିବାରୁ ସେ ବିଜେପିରେ ସାମିଲ ହୋଇଥିଲେ। ପର୍ଶୁରାମଙ୍କ ଲୋକପ୍ରିୟତା ହ୍ରାସ ପାଇଥିବାରୁ ତାଙ୍କୁ ବିଜେଡି ଟିକେଟ୍ ଦେଇନଥିବା ଚର୍ଚ୍ଚା ହୋଇଥିଲା। ବିଜେପି କିନ୍ତୁ ରାଜୁ ଦାସଙ୍କୁ ଟିକେଟ୍ ଦେଇ ହରଡ ଘଣାରେ ପଡ଼ିବା ପରେ ପୁଣି ପର୍ଶୁରାମ ଧଡ଼ାଙ୍କୁ ମଧ୍ୟ ନୋମିନେସନ ଫାଇଲ କରିବାକୁ ଗ୍ରୀନ୍ ସିଗନାଲ ଦେଇଥିବା କୁହାଯାଉଛି।

ଆଜି ବାଲେଶ୍ବରରେ ପ୍ରଇମେ ରାଜୁ ଦାସ ବିଜେପିରୁ ସୋର ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପରେ ପରେ ପର୍ଶୁରାମ ଧଡ଼ା ମଧ୍ୟ ସୋର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନୋମିନେସନ ଫାଇଲ ପାଇଁ ପହଞ୍ଚିଛନ୍ତି। କେବଳ ସେତିକି ନୁହେଁ, ସୋରର ବିଜେପି ନେତା ରାକେଶ ମଲ୍ଲିକ ମଧ୍ୟ ସୋର ବିଧାୟକ ପ୍ରାର୍ଥୀ ଭାବେ ନୋମିନେସନ ଫାଇଲ କରିବାକୁ ପହଞ୍ଚିଛନ୍ତି। ତାଙ୍କୁ ମଧ୍ୟ ଦଳ ନାମାଙ୍କନ ଦାଖଲ ପାଇଁ ଗ୍ରୀନ ସିଗନାଲ ଦେଇଥିବା ସେ କହୁଛନ୍ତି। ଏବେ ପ୍ରଶ୍ନ ଉଠୁଛି, ପ୍ରକୃତରେ ସୋର ଆସନରୁ ବିଜେପିର ଅସଲ ପ୍ରାର୍ଥୀ କିଏ ? ସୂଚନା ଯୋଗ ଯେ, ସୋର ପାଇଁ ବିଜେଡି ମାଧବ ଧଡ଼ାଙ୍କୁ ପ୍ରାର୍ଥୀ କରିଛି।

ସାବଧାନ ! ଭୋଟିଂ କାର୍ଡ ଅପଡେଟ୍ ନାଁରେ ହେଉଛି ସାଇବର ଠକେଇ

ଭୁବନେଶ୍ୱର : ରାଜ୍ଯରେ ଏବେ ନିର୍ବାଚନୀ ସମୟ। ଏହାରି ମଧ୍ୟରେ ମାତିଛନ୍ତି ସାଇବର ଲୁଟେରା। ସୋମବାର ଦେଶରେ ଚତୁର୍ଥ ତଥା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଆହୁରି ୩ଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି।

ଏହାରି ମଧ୍ୟରେ ସାଇବର ଅପରାଧୀମାନେ ଲୋକଙ୍କୁ ଲୁଟ ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ଭୋଟିଂ କାର୍ଡ ଅପଡେଟ ହୋଇନାହିଁ । ଆପଣ ଭୋଟ ଦେଇ ପାରିବେ ନାହିଁ। ଯଦି ଆପଣ ଭୋଟିଂ କାର୍ଡକୁ ଅପଡେଟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ କହୁଛନ୍ତି। ଅନଲାଇନରେ ଭୋଟିଂ କାର୍ଡ ଅପଡେଟ ପାଇଁ ଏକ ଫି’ ପ୍ରଦାନ କରିବାକୁ ପଡ଼ିବ କହି ଲୁଟ କରୁଛନ୍ତି। ଯଦି ଆନଲାଇନ ଅପଡେଟ କରିବାକୁ ଚାହୁଁଛନ୍ତି ତେବେ ଅଫିସିଆଲ ସାଇଟ https://voters.eci.gov.in/ ( NVSP) କୁ ଯାଇ ଅପଡେଟ କରାନ୍ତୁ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି।

ଏହାସହ ଆଉ ଏକ ତରିକା ଆପଣାଇଛନ୍ତି ସାଇବର ଲୁଟେରା। କୌଣସି ପଲିଟିକାଲ ପାର୍ଟି ଆପଣଙ୍କ ମୋବାଇଲ ନମ୍ବରରେ ମାଗଣାରେ ରିଚାର୍ଜ କରୁଛନ୍ତି। ଉକ୍ତ ଲିଙ୍କରେ କ୍ଲିକ କରି ରିଚାର୍ଜ କରିବାକୁ କହୁଛନ୍ତି। ଯଦି ଏଭଳି ଲିଙ୍କ ପାଉଛନ୍ତି ତେବେ www.sancharsaathi.gov.in ରେ ଚକ୍ଷୁ ପୋର୍ଟାଲରେ ପଞ୍ଜୀକରଣ କରି ଖବର ଦେବାକୁ ଅପିଲ କରିଛନ୍ତି ଡିସିପି। ଯଦି ଆପଣମାନଙ୍କ ସାଙ୍ଗରେ ଫ୍ରଡ ହୋଇଛି ୧୯୩୦ରେ କଲ କରନ୍ତୁ। ଅଜଣା ଲିଙ୍କ ଓ କଲ ଉପରେ ଭରଷା କରନ୍ତୁ ନାହିଁ। ସଚେତନ ରୁହନ୍ତୁ ଓ ସରୁକ୍ଷିତ ରୁହନ୍ତୁ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି।

ବଡ଼ ବଡ଼ ପ୍ରତିଶୃତି ଦେବେ, ନିର୍ବାଚନ ପରେ ଆଉ ଦେଖାଦେବେନି ବିଜେପି ନେତା : କାର୍ତ୍ତିକ ପାଣ୍ଡିଆନ

ବାଙ୍କୀ : ବାଙ୍କୀ ସମାବେଶରେ ବିରୋଧୀଙ୍କୁ ପୁଣି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କହିଛନ୍ତି,
ବିଜେପି ନେତାମାନେ ନିର୍ବାଚନ ଆସିଲେ ପର୍ଯ୍ୟଟକଙ୍କ ପରି ଆସିବେ । ବଡ ବଡ ପ୍ରତିଶୃତି ଦେବେ, ନିର୍ବାଚନ ପରେ ଆଉ ଦେଖାଦେବେନି । କିନ୍ତୁ ବାଙ୍କୀ ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ଓ କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଲୋକଙ୍କ ସହ ରହିବେ ଓ ବାଙ୍କୀର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡିଶାରେ ବାଙ୍କୀ ବହୁତ ବଡ ପରିଚୟ ପାଇବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଜୁନ ୯ରେ ଷଷ୍ଠ ଥର ପାଇଁ ଓଡିଶା ଦାୟିତ୍ବ ନେବା ପରେ ପ୍ରଥମେ ମାଗଣା ବିଜୁଳି ସମ୍ପର୍କିତ ନିଷ୍ପତ୍ତି ଘୋଷଣା କରିବେ । ବିଜେଡିର ଏହି ପ୍ରତିଶୃତିରେ ବିଜେପି ଡରିଯାଇଛି। ସେମାନେ ବି ସୋଲାର ପ୍ୟାନେଲ ଜରିଆରେ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ବିଜେପିର ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ରାଜ୍ୟବାସୀଙ୍କୁ ବିଜେପି ଦିନରେ ଲଣ୍ଠନ ଦେଖାଇ ଭୁଆଁ ବୁଲାଉଛି। କେନ୍ଦ୍ର ସରକାର ୨୦୧୪ ଓ ୨୦୧୯ରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର କମାଇବେ ବୋଲି ପ୍ରତିଶୃତି ଦେଇଥିଲେ। ଏଯାଏଁ ପୂରଣ କରିନାହାଁନ୍ତି । ଭୋଟରେ ଏହାର ଜବାବ ଦେବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

୪ ହସ୍ପିଟାଲକୁ ବମ୍ ବ୍ଲାଷ୍ଟର ଧମକ , ହାଇ ଆଲର୍ଟରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ :  କିଛିଦିନ ପୂର୍ବରୁ ସ୍କୁଲ ଗୁଡିକୁ ବମରେ ଉଡେଇ ଦେବା ଧମକ ପରେ ପରେ ଏବେ ପୁଣି ଦିଲ୍ଲୀରେ ଆତଙ୍କର ମାହୋଲ । ମଙ୍ଗଳବାର ପୁଣି ଦିଲ୍ଲୀର ୪ ବଡ଼ ହସ୍ପିଟାଲକୁ ବମରେ ଉଡାଇଦେବାକୁ ଆସିଛି ଧମକ ପୂର୍ଣ୍ଣ କଲ୍ । ଏହି ଘଟଣାକୁ ନେଇ ଦିଲ୍ଲୀ ପୋଲିସରେ ଏଫଆଇଆର୍ ଦିଆଯାଇଛି ।

ସୂଚନା ଅନୁଯାୟୀ, ପ୍ରଥମେ ସକାଳ ସମୟରେ ଦିଲ୍ଲୀର ଅଶୋକ ବିହାରର ଦୀପଚାନ୍ଦ ଡାକ୍ତରଖାନାକୁ ଅଜ୍ଞାନ ନମ୍ୱରରେ ବମ୍ ଆଟାକର ଧମକି ପୂର୍ଣ୍ଣ କଲ୍ ଆସିଥିଲା । ଏହା ପରେ ଦାଦା ଦେବ ହସ୍ପିଟାଲ , ଦିଲ୍ଲୀ କ୍ୟାନ୍ସର ଇଷ୍ଟିଟ୍ୟୁଟ୍  ଏବଂ ଜିଟିବି ହସ୍ପିଟାଲକୁ ଏପରି କଲ୍ ମଧ୍ୟ ଆସିଥିବା ଅଭିଯୋଗ ହୋଇଛି ।

ଏପରି ଧମକପୂର୍ଣ୍ଣ କଲ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି । ଦିଲ୍ଲୀ ପୋଲିସ ସହ ଅଗ୍ନିଶମ ବିଭାଗ ଟିମ୍ ଆଲର୍ଟ ହେବା ସହ ସର୍ଚ୍ଚ ଅପରେସନ ଜାରି କରିଛି । ପୂର୍ବରୁ ମେ’ ୧୨ରେ ମଧ୍ୟ ୮ ସିଟି ହସ୍ପିଟାଲ  ଏବଂ ଇନ୍ଦିରାଗାନ୍ଧି ଅନ୍ତରାଷ୍ଟ୍ରୀୟ ଏୟାରେପୋର୍ଟରେ ମଧ୍ୟ ଏପରି ଧମକପୂର୍ଣ୍ଣ କଲ୍ ଆସିଥିଲା  । କିନ୍ତୁ କଲ୍ ଯାଞ୍ଚ ହେବା ପରେ ଏସବୁ ନକଲି ବା ଫେକ୍ କଲ୍  ବୋଲି ଜଣାପଡିଥିଲା ।

ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ

ଭୁବନେଶ୍ୱର : ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ। ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ। ଜୁନ ପହିଲାରେ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ୬ ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ। ଏହାସହ ଏହି ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ୍ ୧ ତାରିଖରେ ମତଦାନ ହେବ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରାଯିବ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୭୩.୯୭ ପ୍ରତିଶତ ମତଦାନ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ସରିବା ପରେ ଏବେ ଷ୍ଟ୍ରଙ୍ଗରୁମରେ ଇଭିଏମ୍। ମତଦାନ କେନ୍ଦ୍ରରୁ ଇଭିଏମ ଗୁଡ଼ିକୁ ଅଣାଯାଇ କଡ଼ା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଲଢ଼ୁଥିବା ୨୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ରହିଛି। ୭୩.୯୭ ପ୍ରତିଶତ ରହିଛି ଭୋଟହାର।

ନବରଙ୍ଗପୁରରେ ସର୍ବାଧିକ ୮୦.୨୨ ପ୍ରତିଶତ ଭୋଟ ହୋଇଛି। କୋରାପୁଟରେ ୭୬.୯୮ପ୍ରତିଶତ, କଳାହାଣ୍ଡିରେ ୭୫.୭୧ ପ୍ରତିଶତ ଓ ବ୍ରହ୍ମପୁରରେ ୬୩.୩୪ ପ୍ରତିଶତ ମତଦାନ ହୋଇଛି। ନୂଆପଡ଼ାରେ ୭୩.୮୭ ପ୍ରତିଶତ, ଭବାନୀପାଟଣାରେ ୭୩.୮୦ ପ୍ରତିଶତ, ବିଷମକଟକରେ ୭୭.୯୩ ପ୍ରତିଶତ ଭୋଟ ହୋଇଛି। ସେହିଭଳି ଛତ୍ରପୁରରେ ୬୩.୨୦ ପ୍ରତିଶତ, ଚିକିଟିରେ ୬୩.୨୧ ପ୍ରତିଶତ, ଚିତ୍ରକୋଣ୍ଡାରେ ୭୪.୦୮ ପ୍ରତିଶତ ଭୋଟିଂ ହୋଇଛି। ଡାବୁଗାଁରେ ୮୫.୨୦ ପ୍ରତିଶତ, ଧର୍ମଗଡ଼ରେ ୭୮.୮୫ ପ୍ରତିଶତ, ଦିଗପହଣ୍ଡିରେ ୬୨.୭୩ ପ୍ରତିଶତ, ଗୋପାଳପୁରରେ ୬୦.୪୧ପ୍ରତିଶତ ମତଦାନ ରହିଛି। ଗୁଣପୁରରେ ୭୨.୫୩ ପ୍ରତିଶତ, ଜୟପୁରରେ ୭୭.୪୮ ପ୍ରତିଶତ, ଝରିଗାଁରେ ୮୪.୨୨ ପ୍ରତିଶତ , ଜୁନାଗଡ଼ରେ ୭୮.୯୦ ପ୍ରତିଶତ ଭୋଟ ସଂଗ୍ରହ କରାଯାଇଛି। ସେହିଭଳି ଖରିଆରରେ ୭୬ ପ୍ରତିଶତ, କୋରାପୁଟରେ ୭୬.୨୮ ପ୍ରତିଶତ ମତଦାନ ହୋଇଛି। କୋଟପାଡ଼ରେ ୮୩.୯୨ ପ୍ରତିଶତ, ଲକ୍ଷ୍ମୀପୁରରେ ୮୧.୭୧ ପ୍ରତିଶତ, ମାଲକାନଗିରିରେ ୬୬.୬୦ ପ୍ରତିଶତ ଭୋଟିଂ ହୋଇଛି।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୭ ହଜାର ପୋଲିସ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ଓ ୬୬ ପ୍ଲାଟୁନ ଆର୍ମଡ ପୋଲିସ ମୁତୟନ କରାଯାଇଥିଲା। ଜୁନ ୪ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। ୭ ହଜାର ୩୦୩ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରରେ ମତଦାନ ସାବ୍ଯସ୍ତ କରିଥିଲେ ଜନତା। ଭୋଟିଂ ପାଇଁ ମହିଳା, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା ଗ୍ରହଣ କରାଯାଇଥିଲା । ୭୧୫ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଏକ ହଜାର ୨୭୬ ଆଦର୍ଶ ବୁଥରେ ଭୋଟ ଦେଇ ଉତ୍ସାହିତ ଥିଲେ ଭୋଟର। ଜନତାଙ୍କ ସହ ଲାଇନରେ ରହି ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଥିଲେ ପ୍ରାର୍ଥୀ ଓ ନେତା । ନିଜ ନିଜ ନିର୍ବାଚନମଣ୍ଡଳିରେ ପରିବାର ସହ ଭୋଟ ଦେଇ ମତାଧିକାର ସାବ୍ଯସ୍ତ କରିଛନ୍ତି। ଏହି ପର୍ଯ୍ଯାୟରେ ଲୋକସଭା ଆସନ ପାଇଁ କୋରାପୁଟରୁ ୧୧ ଜଣ, ନବରଙ୍ଗପୁରରୁ ୪, କଳାହାଣ୍ଡିରୁ ୧୧, ବ୍ରହ୍ମପୁରରୁ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ଯ ଇଭିଏମରେ ସିଲ୍ ହୋଇଛି ।

୨୦୧୯ରେ ଧର୍ମେନ୍ଦ୍ର ମିଛୁଆ ଥିଲେ,ଏଥର ତାଙ୍କର ପଦୋନ୍ନତି ହୋଇ ସୁପର ମିଛୁଆ ହୋଇଛନ୍ତି : ବିଜେଡି

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଟାର୍ଗେଟ କଲା ବିଜେଡି । ୨୦୧୯ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଛୁଆ ଭାବେ ଜାଣୁଥିଲେ । ଏଥର ତାଙ୍କର ପଦୋନ୍ନତି ହୋଇ ସୁପର ମିଛୁଆ ହୋଇଛି । ତିନି ଦିନ ତଳେ ସେ ଏକ ପ୍ରେସ ମିଟ କରି କହିଥିଲେ ଯେ ନବକଳେବର କାମ ପାଇଁ କେନ୍ଦ୍ର ସରକାର ୫୦ କୋଟି ଟଙ୍କା ଦେଇଥିଲେ । କିନ୍ତୁ ଏହା ମିଛ ବୋଲି କହିଛି ବିଜେଡି ।

ଏକ ପ୍ରେସମିଟରେ ବିଜେଡି କହିଛି, ITDC ମାଧ୍ୟମରେ ୧୦ କୋଟି ଟଙ୍କା ଦେଇଥିଲେ । ଏଥିରୁ ମାତ୍ର ୬.୫୦ କୋଟି ଖର୍ଚ୍ଚ କରାଯାଇଥିଲା । ହେଲେ କେନ୍ଦ୍ରମନ୍ତ୍ରୀ ଯେଉଁ ସହଯୋଗ କଥା କହୁଛନ୍ତି, ତାହା ମିଛ ଓ ଭ୍ରମାତ୍ମକ । ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଜଗନ୍ନାଥଙ୍କୁ କେତେ ମିଛ କହିବେ ? ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜଗନ୍ନାଥ, ସଂସ୍କୃତି କଥା କହୁଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଥିଲେ ସେମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରନ୍ତି । ପରେ କହିଲେ ସମର୍ଥନ କରୁଛନ୍ତି । ଏହି ଦୋମୁହାଁ ନୀତି ଉପରେ ରାଜ୍ୟବାସୀ ହସୁଛନ୍ତି । ଏହି ପ୍ରକଳ୍ପର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଫେରିବା ବେଳେ କେନ୍ଦ୍ର ମନ୍ତ୍ରୀ ଅଣ୍ଡା ମାଡ଼ କରାଇଲେ । ଧର୍ମେନ୍ଦ୍ର କଣ କରୁଛନ୍ତି କଣ କହୁଛନ୍ତି ଜାଣି ପାରୁ ନାହାନ୍ତି । ଶ୍ରୀଜଗନ୍ନାଥ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛି ବିଜେଡି ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ମିଥ୍ୟା ଅପପ୍ରଚାର ଛାଡନ୍ତୁ ବୈଜୟନ୍ତ : କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ବିରୋଧୀଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗରେ 5T  ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ୍। ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କହିଛନ୍ତି, କିଛି ଦିନତଳେ ବିଜେପି ନେତା ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାରା ଓଡ଼ିଶାବାସୀ ଅନେଇକି ବସିଥିଲେ କିଛି ଗୋଟେ ଘୋଷଣା ହେବ। ଏମାନେ ଆସିକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ ସେ ଖବର  ଥିଲା। ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଶୁଣିବାକୁ ମିଳୁଥିଲା। ଆମ ସମସଙ୍କୁ ବହୁତ ଖୁସି ଲାଗୁଥିଲା। ହେଲେ ସେମାନେ ଆସି ପ୍ରମାଣ ଦେଲେ ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାଇକମାଣ୍ଡ ନିଷ୍ପତ୍ତି କରିବେ।

କଂଗ୍ରେସ ନେତୃତ୍ଵ ଭଳି ହାଇକମାଣ୍ଡ ନିଷ୍ପତ୍ତି ନେବ। ସେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବେ, ସେ ଓଡ଼ିଶାବାସୀଙ୍କ ପାଇଁ ଉତ୍ତରଦାୟୀ ରହିବେ ନାହିଁ। ହାଇକମାଣ୍ଡ ପାଖରେ ଉତ୍ତରଦାୟୀ ରହିବେ। ସେ ଓଡ଼ିଶାର ହକ ପାଇ  ଲଢି ପାରିବେନି ରାଜନୀତି କରିବେ। ଯଦି ଦମ ଅଛି ତେବେ ବିରୋଧୀ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରୁନ୍ତି। ମହାପ୍ରଭୁଙ୍କର କାମରୁ ଆରମ୍ଭ କରି ଅନେକ ବଡ଼ ପ୍ରସଙ୍ଗରେ ଅପପ୍ରଚାର କରିବା ଠିକ ନୁହଁ।

ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି, କେନ୍ଦ୍ରାପଡ଼ା ପାର୍ଲାମେଣ୍ଟ ପ୍ରାର୍ଥୀ ଅଶାଳୀନ, ଅଭଦ୍ର ଭାଷା ବ୍ୟବହାର କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ ନେଇ ଗୁଜବ କରି ଆସୁଛନ୍ତି। ତାଙ୍କର ରାଜନୀତି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଉପରେ ଗୁଜବ କରିବା। ୨୦୧୪ରୁ କହି ଆସୁଛନ୍ତି, କେନ୍ଦ୍ରାପଡ଼ାବାସୀ ଆପଣଙ୍କୁ ଭଲ ଭାବେ ଚିହ୍ନିଛନ୍ତି। ଗତ ଥର ଯେତିକି ଭୋଟରେ ଆପଣଙ୍କୁ କେନ୍ଦ୍ରାପଡ଼ାବାସୀ ପରାସ୍ତ  କରିଥିଲେ ଏଥର ଆହୁରି ଅଧିକ ଭୋଟରେ ପରାସ୍ତ କରିବେ। ମହାପ୍ରଭୁ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଉପରେ ଗୁଜବ କରିବା ଛାଡନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ।

ଜଣେ ରାଜନେତା ଭାବେ ରାଜ୍ୟର ଉନ୍ନତି, ଶିଳ୍ପ, ଭିତ୍ତିଭୂମି, ଯୁବଶକ୍ତି, ମହିଳା ସଶକ୍ତୀକରଣ ଉପରେ ଆଲୋଚନା କରିବା କଥା। ଏକଦା ଆପଣ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର ଥିଲେ। ଏପରି ଗୁଜବ ଆପଣ କିପରି କରି ପାରୁଛନ୍ତି। ମୁଖ୍ୟମନ୍ତ୍ରୀ ଜାତୀୟ ଗଣମାଧ୍ୟମକୁ ସ୍ପଷ୍ଟ କରି କହିଛନ୍ତି ବୈଜୟନ୍ତ ପଣ୍ଡା ତାଙ୍କର ସ୍ଵାସ୍ଥ୍ୟ ନେଇ ଗୁଜବ ପ୍ରଚାର କରୁଛନ୍ତି। ଏଥିରୁ ଲଜ୍ଜାଜନକ ସାର୍ଟିଫିକେଟ ଆପଣଙ୍କ ଲାଗି କଣ ହୋଇପାରେ। ରାଜନୀତିରେ କଣ କହିବାର ଅଛି କହନ୍ତୁ, ବ୍ୟକ୍ତିଗତ ସ୍ତରକୁ ଯାଆନ୍ତୁ ନାହିଁ। ଆପଣଙ୍କ ପାଇଁ ଭଲ ନାହିଁ। ମହାନାୟକଙ୍କ ସହ ଆପଣ ଯାହାବି ସମ୍ପର୍କ ରଖିଥିଲେ। ଆପଣଙ୍କୁ ବିନମ୍ରତା ସହ ଅନୁରୋଧ କରିବି ରାଜନୀତିରେ ଏଇଟା ଭଲନାହିଁ।

ଓଡ଼ିଶାରେ ନବୀନ ହାୱା ଚାଲିଛି, ପୁରା ଜୋଶରେ ନବୀନ ହାୱା ଚାଲିଛି। ପ୍ରଥମ ପର୍ଯ୍ୟାୟରେ ମହାପ୍ରଭୁଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଓଡ଼ିଶାବାସୀଙ୍କ ଭଲପାଇବା ନେଇ ବିଜେଡି ୨୮ ଆସନରୁ ୨୪ ଆସନରେ ବିଜୟୀ ହେବ ବୋଲି ପାଣ୍ଡିଆନ କହିଛନ୍ତି।

ପ୍ରେମ ପାଇଁ ରାଜନୀତି ଛାଡିଦେଇଥିଲେ ସୁଶୀଲ ମୋଦି

ନନ୍ଦିଘୋଷ ବ୍ୟୁରୋ : ବିହାର ରାଜନୀତିର ଜଣାଶୁଣା ଚେହରା ତଥା , ଜଣେ ବରିଷ୍ଠ ରାଜନେତା ସୁଶୀଲ ମୋଦି ଆଉ ନାହାନ୍ତି । ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ  ସୁଶୀଲ କୁମାରଙ୍କର ୭୨ ବର୍ଷ ବୟସରେ ବିୟୋଗ ହୋଇଛି । ତାଙ୍କର ଅନେକ ରାଜନୈତିକ କାର୍ଯ୍ୟ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହିଆସୁଥିଲେ । କିନ୍ତୁ ସେ କେବଳ ରାଜନୀତି ପାଇଁ ନୁହେଁ ବରଂ ତାଙ୍କ ଲଭ୍ ଷ୍ଟୋରୀ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହୁଥିଲେ ।

ବିହାରର ପୁଅ ଏବଂ ମୁମ୍ୱାଇର ଝିଅ । ଦୁହେଁ ମୁମ୍ୱାଇରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନରେ ଦେଖା ହୋଇଥିଲେ । କିନ୍ତୁ କାହାକୁ ବା ଜଣାଥିଲା ଏହି ଏହି ୧୪୦୦ କିମି ଦୂର ରାସ୍ତା ଦୁହିଁଙ୍କ ଜୀବନ ବଦଳାଇଦେବ । ଏହି କାହାଣୀ ଫିଲ୍ମ ପରି ଲାଗୁଥିଲେ ମଧ୍ୟ ଏହା ପ୍ରେମ କାହାଣୀ ସତ  ଏବଂ ଏହି କାହାଣୀ ସୁଶୀଲ କୁମାର ମୋଦି ଏବଂ ତାଙ୍କ ପତ୍ନୀ ଜେସୀ ଜୋର୍ଜଙ୍କର ।

କୁହାଯାଏ କି ଦୁହେଁ ଏହି ଟ୍ରେନରେ ଏକାଠି ଅନେକ ଦିନ ଧରି ଯିବା ଆସିବା କରିଥିଲେ ଏବଂ ସେହି ଠାରୁ ହିଁ ତାଙ୍କ ପ୍ରେମ ଆରମ୍ଭ ହୋଇଥିଲା  । ଏପରିକି  ଦୁହେଁ ଦୁହିଁଙ୍କୁ ପ୍ରେମ ପତ୍ର ଲେଖୁଥିଲେ । କିନ୍ତୁ ଦୁହେଁ ଅଲଗା ଅଲଗା ଧର୍ମର ହୋଇଥିବାରୁ ସେମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ।

ଘର ଲୋକଙ୍କ ବିରୋଧ ବ୍ୟତୀତ ସୁଶୀଲ ମୋଦି ଆରଏସଏସ  ସହ ଜଡିତ ଥିବାରୁ ତାଙ୍କ ପ୍ରେମରେ ବଡ଼ ବାଧା ସୃଷ୍ଟି ହୋଇଥିଲା  । କିନ୍ତୁ ସେ ଏଠାରେ ରାଜନୀତିକୁ ଛାଡି ପ୍ରେମକୁ ବାଛି ଥିଲେ । ସେ ଆରଏସଏସ  ଛାଡି ୧୯୮୬ ମସିହାରେ ପ୍ରେମ ବିବାହ କରିଥିଲେ  । ତାଙ୍କ ବିବାହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରି ବଡ଼ ନେତା ସାମିଲ ହୋଇଥିଲେ ।

ବିବାହ ପରେ ସେ ରାଜନୀତି ଠାରୁ କିଛି ଦିନ ଦୂରେଇ  ରହିଥିଲେ । ଏହା ପରେ ସେ ଏକ କମ୍ପ୍ୟୁଟର ଇନଷ୍ଟିଟ୍ୟୁଟ୍ ଖୋଲିଥିଲେ । କିନ୍ତୁ ଏଥିରେ ସେ ବେଶୀ ଦିନ ଧରି ରହିପାରି ନଥିଲେ। ଏହାପରେ ୧୯୯୦ ମସିହାରେ ସେ ବିଧାନସଭା ପହଞ୍ଚି ଯାଇଥିଲେ। ସୁଶୀଲ ମୋଦି ବିହାରର ଉପ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ପତ୍ନୀ ଏକ କଲେଜରେ ଅଧ୍ୟାପିକା ଥିଲେ ।

ପ୍ରଥମ ପର୍ଯ୍ୟାୟ ଭୋଟର ୨୮ ଆସନରୁ ୨୪ରେ ଜିତିବ ବିଜେଡି଼,କାର୍ତ୍ତିକ ପାଣ୍ଡିଆନଙ୍କ ଦୃଢୋକ୍ତି

ନନ୍ଦିଘୋଷ ବ୍ୟୁରୋ : ସୋମବାର ଦିନ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ୭୪ ପ୍ରତିଶତ ଭୋଟ୍ ହୋଇଥିବା ନିର୍ବାଚନ କମିଶନ ସୂତ୍ରରୁ ପ୍ରକାଶ । ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିବା ସହିତ ଆସିଛି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବୟାନ । ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ସବୁ ପର୍ଯ୍ୟୟରେ ବିଜେଡି ଆଗରେ ରହିବ । ବିଶେଷକରି ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜେଡି କ୍ଲିନ୍ ସ୍ୱିପ୍ କରିଛି ବୋଲି ସେ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ସ୍ୱିପ୍

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଯେଉଁ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିଛି,ସେଥିରୁ ବିଜେଡି ୨୪ ଆସନ ଜିତିବ ବୋଲି ଦମ୍ଭୋକ୍ତି ରଖିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ଯେ,ସବୁ ପର୍ଯ୍ୟାୟ ଭୋଟରେ ବିଜେଡି ଆଗୁଆ ରହିବ । ତେଣିକି ତାହା ପ୍ରଥମ, ଦ୍ୱିତୀୟ, ତୃତୀୟ କିମ୍ବା ଚତୁର୍ଥ ପର୍ଯ୍ୟାୟ ହେଉ । ତେବେ ପ୍ରଥମ ପର୍ଯ୍ୟାୟରେ ଯେଉଁ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ହୋଇଛି ସେଥିରୁ ୨୪ ଆସନ ବିଜେଡି ଜିତିବ ବୋଲି ସେ କହିଛନ୍ତି । । ଗତ ନିର୍ବାଚନରେ ଆମେ ଏହି ୨୮ ଆସନରୁ ୨୦ ଆସନ ଜିତିଥିଲୁ କିନ୍ତୁ ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲହରି ଅଛି, ତେଣୁ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଚୟନ କରିବେ । ଏଣୁ ଏଥର ୨୮ ଆସନରୁ ୨୪ରୁ ଅଧିକ ଆସନ ବିଜେଡି ଜିତିବ । ଲୋକସଭା ନିର୍ବାଚନରେ ଆମେ ଗତ ଥର ଅପେକ୍ଷା ବହୁ ଭଲ କରିବୁ ।
ଲୋକଙ୍କ ଭଲପାଇବା ହିଁ ଆମକୁ ଦୃଢ ବିଶ୍ୱାସ ଦେଉଛି । ଖରାରେ ଘଣ୍ଟା ଘଣ୍ଟା ଧରି ଲୋକେ ଆପେକ୍ଷା କରିଥାନ୍ତି , ଯାହା ଆମକୁ ଓଡ଼ିଶାବାସୀଙ୍କ ପାଇଁ ଲଢିବାକୁ ଶକ୍ତି ଦେଇଥାଏ ଏବଂ ଓଡ଼ିଶାର ବିକାଶ ଆଗକୁ ନେବାକୁ ପାଇଁ ସାହାସ ଦେଇଥାଏ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।