spot_img
Home Blog Page 1949

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଖରାରେ ଆସିଥିବାରୁ ଜନତାଙ୍କୁ ଜଣାଇଲେ ଧନ୍ୟବାଦ

ରାଉରକେଲା: ଜୁଲାଇ ମାସରୁ ଆଉ ବିଜୁଳି ବିଲ ଦେବାକୁ ପଡିବନି। ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କରିବା ସହ ବିରୋଧୀ ଦଳ ମିଛ କଥା କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ ପଟ୍ଟନାୟକ।

ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ ଯୋଜନା, 5T ସ୍କୁଲ, ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ, କାଳିଆ ଯୋଜନା, ଚାଉଳ କାର୍ଡ ଭଲ କି ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରି ଜନତାଙ୍କ ମତାମତ ନେଇଥିଲେ। ସୁନ୍ଦରଗଡରେ ବିକାଶର ଧାରାକୁ ଆହୁରି ଆଗେଇ ନେବାକୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି।

ସେହିଭଳି ଜୁନ ୯ ତାରିଖରେ ବିଜୁଳି ବିଲ ଛାଡ କରିବା ପରେ ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ ପାଇଥିବା ସବୁ ଲୋକଙ୍କୁ କାର୍ଡ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସରକାରୀ କର୍ମଚାରୀ, ଆଶା ଦିଦି, ଅଙ୍ଗନୱାଡି କର୍ମୀ ବି ବିଏସକେୱାଇ କାର୍ଡ ପାଇବେ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଲୋକ ଭାବୁଛନ୍ତି ବିଧାୟକରେ ଶଙ୍ଖ ଚିହ୍ନକୁ ଭୋଟ ଦେଇ ସାଂସଦ ପ୍ରାର୍ଥୀଙ୍କ କ୍ଷେତ୍ରରେ ଏପଟ ସେପଟ କରିବେ ବୋଲି । କିନ୍ତୁ ଏଭଳି ନକରି ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ। ଗତ ୨୦ ବର୍ଷ ଧରି ସୁନ୍ଦରଗଡବାସୀ ଜଣଙ୍କୁ ସାଂସଦ ଭାବେ ନିର୍ବାଚିତ କରୁଛନ୍ତି। ଖାଲି ଏତିକି ନୁହେଁ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଏହି ଅବସରରେ କହିଛନ୍ତି ଯେ,  ୨୦ ବର୍ଷ ଧରି ସୁନ୍ଦରଗଡ କି ରାଉରକେଲା ପାଇଁ ଆପଣ ଚୟନ କରିଥିବା ସାଂସଦ କଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଉରକେଲାକୁ ବିଶ୍ବ ଦରବାରରେ ଏକ ନୂଆ ପରିଚୟ ଦେଇଛନ୍ତି। ରାଉରକେଲାରେ ବିଶ୍ବକପ ଆୟୋଜନ ସ୍ବପ୍ନରେ ମଧ୍ୟ ଚିନ୍ତା କରାଯାଇନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଛି।

ବିରୋଧୀ ଦଳ କହୁଥିଲେ ତେଲ ଦର କମିବ, ପେଟ୍ରୋଲ-ଡିଜେଲ ଦର କମିବ, ରାଉରକେଲାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ହେବ। ବିରୋଧୀ ଦଳ ଯେଉଁ ଘୋଷଣା କରିଥିଲେ ତାହା ପୂରଣ କଲେ କି ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ କିନ୍ତୁ ସୁନ୍ଦରଗଡରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିଛନ୍ତି। ନିର୍ବାଚନ ଆସିଲେ ବିରୋଧୀ ବଡ ବଡ କଥା କୁହନ୍ତି, କାମ କରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି, ଅଧିକ କାମ କରନ୍ତି। ଏବେ ସମୟ ଆସିଛି ସୁନ୍ଦରଗଡରେ ବିକାଶ ଧାରା ଜାରି ରଖିବାକୁ ବିଜେଡିକୁ ଆଶୀର୍ବାଦ କରିବାର।

ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍

ନବରଙ୍ଗପୁର: ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ଗାଁର ଘଟଣା। ବ୍ୟବସାୟୀ ସୁନୀଲ ସାହୁଙ୍କ ଘରେ ଭଡାରେ ରହୁଥିବା ଶିକ୍ଷୟତ୍ରୀଙ୍କ ଘରୁ ଲୁଟ୍। ରାତିରେ ୮ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଘରେ ତାଲା ଭାଙ୍ଗି ପଶିଥିଲେ। ଘରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ, ତାଙ୍କ ସ୍ୱାମୀ ଏବଂ ଛୁଆଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଟଙ୍କା ଗହଣା ଲୁଟ୍ କରିଥିଲେ।

ଲୁଟ୍ ସୁନା, ଗହଣାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ। ଛଅ ଜଣଙ୍କ ହାତରେ ବନ୍ଧୁକ ଥିବା ବେଳେ ଦୁଇ ଜଣଙ୍କ ହାତରେ ଖଣ୍ଡାଥିବା କହିଛନ୍ତି ଶିକ୍ଷୟିତ୍ରୀଙ୍କ ସ୍ୱାମୀ। ଏନେଇ ଡଙ୍ଗରଭେଜା ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଚେନ୍ନାଇର CISF କ୍ୟାମ୍ପରେ ଏମ.ଏସ୍ ଧୋନୀ, ଯବାନଙ୍କ ସହ କଲେ ଆଲୋଚନା

ଚେନ୍ନାଇ:  ଚେନ୍ନାଇର CISF କ୍ୟାମ୍ପରେ ପହଞ୍ଚିଛନ୍ତି ଏମ.ଏସ୍ ଧୋନୀ। ପ୍ରାୟ ସମସ୍ତେ ଜାଣିଥିବେ ମାହିଙ୍କୁ କ୍ରିକେଟ୍ ଜର୍ସି ଏବଂ ସେନା ୟୁନିଫର୍ମ ବହୁତ ପସନ୍ଦ। ସେଥିପାଇଁ ତ ଟିକିଏ ଫୁରସତ୍ ମିଳିଲେ ଯବାନଙ୍କ ସହ ସମୟ ବିତାଇବାକୁ ଭୁଲନ୍ତି ନାହିଁ।

ଆଇପିଏଲ୍ ୨୦୨୪ ମଧ୍ୟରେ ସାମାନ୍ୟ ବିରତି ପାଇବା ମାତ୍ରେ ଧୋନି ଚେନ୍ନାଇର ସିଆଇଏସ୍ଏଫ୍ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ସେଠାରେ ସେ ଯବାନଙ୍କୁ ଭେଟି  ତାଙ୍କ ସହିତ ଭାବ ବିନିମୟ କରିଥିଲେ। ଯାହାର ଏକ ଫଟୋ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ଧୋନୀ ।

ଏମଏସ ଧୋନି ନିଜେ ମଧ୍ୟ ଟେରିଟୋରିଆଲ ଆର୍ମିରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ। ସେ ଅନେକ ଥର ଭାରତୀୟ ସେନା ସହିତ ଡ୍ରିଲ ଏବଂ ଟ୍ରେନିଂ ମଧ୍ୟ କରିଛନ୍ତି । ତେବେ ଉକ୍ତ ଫଟୋରେ ଧୋନିଙ୍କ ସହ କିଛି ଅଧିକାରୀ ମଧ୍ୟ ବସିଥିବାର ନଜର ଆସିଛି। ଯଦିଓ ଧୋନି ସେନା ୟୁନିଫର୍ମ ପିନ୍ଧିନଥିଲେ ତଥାପି ସେ ପିନ୍ଧିଥିବା ସାର୍ଟର ଚିତ୍ରକୁ ଦେଖିଲେ ସିଆଇଏସଏଫ୍ ଯବାନଙ୍କ ୟୁନିଫର୍ମ ଭଳି ମନେ ହେବ ।

ଆନ୍ଧ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୬ ଜୀବନ୍ତ ଦଗ୍ଧ

ପାଲନାଡୁ: ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାର ଚିନ୍ନାଗଞ୍ଜମରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବସ୍-ଲରି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବସ୍ ଓ ଲରିରେ ନିଆଁ ଲାଗିଯାଇଥିଲା । ଫଳରେ ୬ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଏହି ଦୁର୍ଘଟଣାରେ ୩୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଗୁଣ୍ଟୁର ନିଆଯାଇଛି । ଚିଲକାଲୁରିପେଟା ଗ୍ରାମୀଣ ପୋଲିସ ଦୁର୍ଘଟଣାର ଯାଞ୍ଚ କରୁଛି।

ପୋଲିସର ସୂଚନାନୁଯାୟୀ, ଚିନ୍ନାଗଞ୍ଜମରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବସ୍ ଚିଲକାଲୁରିପେଟରେ ଏକ ଲରି ସହିତ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବସ୍ ଓ ଲରିରେ ନିଆଁ ଲାଗିଯିବା ଫଳରେ ୬ଜଣଙ୍କର ମୃତ୍ୟୁ ଘଟିଛି। ତେବେ ମୃତକ ମାନେ ବାପଟଲା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ଅପରପକ୍ଷେ ମୃତକଙ୍କ ମଧ୍ୟରେ ଉଭୟ ବସ୍ ଏବଂ ଲରି ଡ୍ରାଇଭରଙ୍କ ସମେତ ଚାରି ଜଣ ଯାତ୍ରୀ ଅଛନ୍ତି।

ବିଜେପି ଜିଲ୍ଲା ସାଧାରଣ ସଂପାଦକଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ

ଟିଟିଲାଗଡ଼: ବିଜେପି ଜିଲ୍ଲା ସାଧାରଣ ସଂପାଦକଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି। ଟିଟିଲାଗଡ଼ ପୋଲିସ୍ ସହରରେ ବିଭିନ୍ନ ଗାଡି ଯାଞ୍ଚ କରୁଥିବା ସମୟରେ ବିଳମ୍ବିତ ରାତ୍ରିରେ ଏକ କାରକୁ ସନ୍ଦେହରେ ଅଟକାଇଥିଲା।

ଗାଡିଟି ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କର ଥିଲା। ଯାଞ୍ଚ ସମୟରେ ଶ୍ରୀବତ୍ସ ଏବଂ ଡ୍ରାଇଭର ସହଯୋଗ ନକରିବାରୁ ପୋଲିସ୍ ସ୍କ୍ବାଡକୁ ଡାକି ଯାଞ୍ଚ କରିଥିଲା। ଗାଡିରେ ଥିବା ଏକ ବ୍ୟାଗରୁ ୪ ଲକ୍ଷ ୪୮ ହଜାର ଟଙ୍କା ସହିତ ବିଜେପି କ୍ୟାପ୍ ଓ ଅନ୍ୟାନ୍ୟ ପୋଷ୍ଟର ସହିତ ଏକ ଡାଏରୀ ମିଳିଥିଲା।

ଟିଟିଲାଗଡ ସହରରେ ଥିବା ସନ ଭ୍ୟୁ ହୋଟେଲରେ ବିଜେପିର ଏକ ମିଟିଂ ଥିବାରୁ କାରଟି ସେହି ହୋଟେଲରୁ ବାହାରିଥିଲା। ପୋଲିସ୍ ହୋଟେଲରେ ପହଞ୍ଚି ଯାଞ୍ଚ କରିଛି। ଆସନ୍ତା ୨୦ ତାରିଖରେ ବଲାଙ୍ଗୀରରେ ନିର୍ବାଚନ ଥିବାରୁ ଭୋଟରଙ୍କୁ ପ୍ରଭାବିତ କରିବାକୁ ଟଙ୍କା ବାଣ୍ଟା ଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଭଉଣୀ ଘରୁ ଜମି କିଣିବା ପାଇଁ ଟଙ୍କା ନେଉଥିବା ବେଳେ ପୋଲିସ୍ ଯାଞ୍ଚରେ ଧରାପଡିଥିବା ଶ୍ରୀବତ୍ସ ବେହେରା କରିଛନ୍ତି।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି। ବୈଶାଖ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ବ୍ରହ୍ମାଙ୍କ ଦ୍ଵାରା ଶ୍ରୀମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ରତ୍ନ ସିଂହାସନରେ ଚତୁର୍ଦ୍ଧା ମୁର୍ତ୍ତୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ।

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ପ୍ରମୁଖ ଯାତ୍ରା ମଧ୍ୟରୁ ନିଳାଦ୍ରୀ ମହୋଦୟ ଅନ୍ୟତମ ପ୍ରମୁଖ ଯାତ୍ରା ହୋଇଥିବାରୁ ବିଶେଷ ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ପରେ ଆଲଟ ଲାଗି ନୀତି ଶେଷ କରାଯାଇ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ଜଳକୁ ରତ୍ନ ସିଂହାସନ ନିକଟକୁ ଅଣାଯିବ। ପୂଜାପଣ୍ଡା ସେବକ ମାନେ ଅଧିବାସ ଜଳକୁ ସଂସ୍କାର କରିବା ପରେ ମହାପ୍ରଭୁଙ୍କ ସମ୍ମୁଖରେ ଦର୍ପଣ ରଖାଯାଇ ମହାସ୍ନାନ ନୀତି କରାଯିବ।

ପରେ ନୂଆ ବସ୍ତ୍ର ଲାଗି ହେବାସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକଙ୍କ ଦ୍ୱାରା ବିଶେଷ ନୀତି କରାଯିବ। ସ୍କନ୍ଦ ପୁରାଣ ଅନୁସାରେ ନିଳାଦ୍ରୀ ମହୋଦୟ ଦିବସରେ ମହାପ୍ରଭୁଙ୍କୁ ସ୍ମରଣ ଓ ପୂଜା ପାଠ କଲେ ଅଶେଷ ପୂଣ୍ଯ ମିଳିବା ସହ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

୧୧ ଘଣ୍ଟା ପରେ ଖାଦାନରୁ ଉଦ୍ଧାର ହେଲେ ଫସି ରହିଥିବା ୧୪ ଅଧିକାରୀ, ଯାଞ୍ଚ କରିବାକୁ ଯାଇ ଫସିଥିଲେ…

ଝୁନଝୁନ: ରାଜସ୍ଥାନର ଝୁନଝୁନ ଜିଲ୍ଲାରେ ଥିବା ହିନ୍ଦୁସ୍ତାନ କପର ଲିମିଟେଡର କୋଲିହାନ ଖଣିରେ ଅଘଟଣ ଘଟିଛି। ଖଣି ମଧ୍ୟକୁ ଯାଞ୍ଚ ପାଇଁ ଯାଇଥିବା ଅଧିକାରୀ ମାନେ ଲିଫ୍ଟ ଭାଙ୍ଗିବା ପରେ ସେଠାରେ ଫସି ଯାଇଥିଲେ। କିନ୍ତୁ ଦୀର୍ଘ ୧୧ ଘଣ୍ଟାର କସରତ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ପରେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜୟପୁର ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ସେମାନଙ୍କ ମଧ୍ୟରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ତେବେ ଖଣି ଭିତରେ ଫସି ରହିଥିବା ଅଧିକାଂଶ ଲୋକ HCL ଅଧିକାରୀ ଥିଲେ।

ସୂଚନା ଅନୁଯାୟୀ, ଘଟଣା ସମ୍ପର୍କରେ ଖବର ପାଇ ଏସଡିଆରଏଫ ଟିମ୍ ମଙ୍ଗଳବାର ବିଳମ୍ବିତ ରାତିରେ ଖେତ୍ରି କୋଲିହାନ ଖଣିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଲିଫ୍ଟ ଭାଙ୍ଗିବା ଯୋଗୁଁ ହିନ୍ଦୁସ୍ତାନ କପର ଲିମିଟେଡର ୧୪ ଜଣ ଅଧିକାରୀ ୧୮୦୦ ଫୁଟରୁ ଅଧିକ ଗଭୀରରେ ଫସି ରହିଥିଲେ। ଲିଫ୍ଟକୁ ସପୋର୍ଟ କରୁଥିବା ରଶି ଛିଡିଯିବାରୁ ଏହି ଦୁର୍ଘଟଣା ଘଟିଛି। ଖଣି ଭିତରେ ଫସି ରହିଥିବା ଅଧିକାରୀଙ୍କ ମଧ୍ୟରେ କେସିସି ୟୁନିଟ୍ (ଖେତ୍ରି କପର କମ୍ପ୍ଲେକ୍ସ ୟୁନିଟ୍) ମୁଖ୍ୟ ଜିଡି ଗୁପ୍ତା, ଦିଲ୍ଲୀରୁ ଆସିଥିବା ଭିଜିଲାନ୍ସ ଅଧିକାରୀ ଉପେନ୍ଦ୍ର ପାଣ୍ଡେ, କୋଲିହାନ ଖଣିର ଡେପୁଟି ଜେନେରାଲ ମ୍ୟାନେଜର ଏ.କେ ଶର୍ମା ରହିଥିଲେ।

ଏହି ଖଣିରେ ଫସି ରହିଥିବା ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସାମ୍ବାଦିକ ବିକାଶ ପରେକ, ବିନୋଦ ସିଂ ଶେଖୱାଟ, ଏ.କେ ବାଇରା, ଅର୍ଣ୍ଣବ ଭଣ୍ଡାରୀ, ଯଶୋରଜ ମୀନା, ଭେନେନ୍ଦ୍ର ଭଣ୍ଡାରୀ, ନିରଂଜନ ସାହୁ, କରଣ ସିଂ ଗେହଲୋଟ, ପ୍ରୀତମ ସିଂ, ହର୍ଷୀରାମ ଏବଂ ଭାଗୀରଥ ଅଛନ୍ତି।

ସାମ୍ବାଦିକ ବିକାଶ ପରେକ ଫଟୋଗ୍ରାଫି ଦଳ ସହିତ ଖଣିରେ ପ୍ରବେଶ କରିଥିଲେ। କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ଟିମ୍ ଖଣି ଭିତରକୁ ଯାଞ୍ଚ ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ତେବେ ଲିଫ୍ଟର ଚେନ୍ ଛିଡିବା ଯୋଗୁଁ ଖଣି ଭିତରେ ଥିବା ଅଧିକାରୀମାନେ ୧୮୭୫ ଫୁଟ ଭିତରେ ଫସି ରହିଥିଲେ ।

ଆଗାମୀ ୨୪ ଘଣ୍ଟା ପରେ ବଢିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ଯକୁ ପୁଣି ଫେରିବ ତାତି। ଆସନ୍ତା ୨୪ ଘଣ୍ଟା ପରେ ବଢିବ ତାପମାତ୍ରା। ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଲିଠୁ ରାଜ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ଆକଳନ କରାଯାଇଛି। ତେବେ ଆଗାମୀ ୨ ଦିନ ବିକ୍ଷିପ୍ତ ବର୍ଷା ଦେଖିବାକୁ ମିଳିବ। ୩ ଦିନ ପରେ ବର୍ଷାର ପରିମାଣ କମି ପାଗ ଶୁଖିଲା ରହିବ। ତେବେ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ ଓ୍ଵେଭ ସ୍ଥିତି ନାହିଁ।

ସେହିପରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଦୁର୍ବଳ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ଵୀପପୁଞ୍ଜ ଛୁଇଁବ। ତେବେ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଯାଇ ଏହା ଓଡ଼ିଶାରେ କେବେ ପ୍ରବେଶ କରିବ ତାହା ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଜି ରାଉରକେଲା ଓ ଦେବଗଡ଼ରେ ପ୍ରଚାର କରିବେ ନବୀନ

ରାଉରକେଲା: ନବୀନଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ଆଜି ପଶ୍ଚିମ ଓଡ଼ିଶାର ଦୁଇ ଲୋକସଭା କ୍ଷେତ୍ରରେ ହାଇଭୋଲଟେଜ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ରାଉରକେଲା ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼ରେ କ୍ଯାମ୍ପେନ କରିବେ ନବୀନ।

ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିବେ ଆଶୀର୍ବାଦ। ଦିନ ୧୧ଟା ୨୫ରେ ମୁଖ୍ଯମନ୍ତ୍ରୀ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ଏୟାରପୋର୍ଟ ସାମ୍ନାରେ ଥିବା ପଡ଼ିଆରେ ବିଶାଳ ଜନସଭାକୁ ଉଦବୋଧନ ଦେବେ। ସେଠାରୁ ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଧାନପାଟ ଜଳପ୍ରପାତ ନିକଟରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗିବେ।

ଏହାପରେ ଛେଣ୍ଡିପଦା ଓ ଆଠମଲ୍ଲିକରେ ବି ପ୍ରଚାର କରିବେ ମୁଖ୍ଯମନ୍ତ୍ରୀ। ପ୍ରଚାର ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହ ସମସ୍ତ ପ୍ରାର୍ଥୀ ବି ଜନତାଙ୍କୁ ଆଶୀର୍ବାଦ ମାଗିବେ।

ବିଜେପି ପ୍ରାର୍ଥୀଙ୍କୁ ପ୍ରଶ୍ନ କଲେ ଲୋକ, ଆକ୍ରମଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଲେ କର୍ମୀ

ନନ୍ଦିଘୋଷ ବ୍ୟୁରୋ: ପରାଜୟ ଭୟରେ ରକ୍ତମୁଖା ପାଲଟୁଛି ବିଜେପି । ବିଜେପି ପ୍ରାର୍ଥୀଙ୍କୁ ପ୍ରଶ୍ନ କଲେ ଲୋକଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ବିଜେପି କର୍ମୀ ଧମକ ଦେଉଥିବା ଅଭିଯୋଗ ହୋଇଛି । ଆଠଗଡ ଅନନ୍ତପୁର ଗାଁରେ ଆଜି ବିଜେପି ପ୍ରାର୍ଥୀ ପ୍ରଚାର କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ବିରୋଧ କରିଥିଲେ । ନିର୍ବାଚନ ଆସିବାରୁ ବିଜେପି ପ୍ରାର୍ଥୀଙ୍କ ଦେଖାମିଳିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖବାକୁ ମିଳିଥିଲା । ଏନେଇ ରାଲିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ ଲୋକେ । ଫଳରେ ବିଜେପି ପ୍ରାର୍ଥୀ ଫେରିଯାଇ ଅନନ୍ତପୁର ଥାନରେ ଆକ୍ରମଣ ହୋଇଥିବା ମିଛ ଏଫଆଇ ଆର ଦେଇଥିବା ଅଭିଯୋଗ ହୋଇଥିଲା । ସେହି ସମୟରେ  ଗ୍ରାମବାସୀ ଏବଂ କିଛି ବିଜେଡି କର୍ମୀ ଥାନାରେ ପହଞ୍ଚି ପାଲଟା ଅଭିଯୋଗ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ବିଜେପି କର୍ମୀ କିଛି ସାଧାରଣ ଲୋକ ଏବଂ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ବିଜେପି କର୍ମୀଙ୍କ ଢେଲା ମାଡ଼ରେ ଦୁଇଜଣ ଆହତ ହୋଇଛନ୍ତି । ବିଜେପି କର୍ମୀ ମାନେ ବିଜେଡି କର୍ମୀଙ୍କ ଆଠରୁ ଅଧିକ ଗାଡି ଭାଙ୍ଗିଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ କଟକ ଜିଲ୍ଲା ଅତିରିକ୍ତ ଏସ୍ପି ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି । ଘଟଣାର ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । …