spot_img
Home Blog Page 1949

ଆସିଲା ବିଜେଡିର ଘୋଷଣା ପତ୍ର, ନବୀନ ଦେଲେ ଏହି ପ୍ରତିଶ୍ରୁତି…

ଭୁବନେଶ୍ୱର: ଆସିଲା ବିଜେଡିର ଘୋଷଣା ପତ୍ର। ୨୦୨୪ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆସନ୍ତୁ ଜାଣିବା ନବୀନଙ୍କ ଇସ୍ତାହାରରେ କ’ଣ ରହିଛି…

ଏଣିକି ‘ନୂଆ-ଓ’ ଛାତ୍ରବୃତ୍ତିରେ ପୁଅଙ୍କୁ ବାର୍ଷିକ ୧୨ ହଜାର, ଝିଅଙ୍କୁ ୧୪ ହଜାର ଟଙ୍କା ମିଳିବ । ଆସନ୍ତା ୫ ବର୍ଷ ମଧ୍ୟରେ ୨ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯିବ । ସ୍ୱୟଂ ଉଦ୍ୟୋଗୀ ଋଣର ପରିମାଣ ୨ ଲକ୍ଷକୁ ବୃଦ୍ଧି କରାଯିବ। କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ । ଷ୍ଟେଟ୍ ଇନଷ୍ଟିଚ୍ୟୁଟି ଅଫ୍ ଫ୍ୟାଶନ ଟେକ୍ନୋଲୋଜି ପ୍ରତିଷ୍ଠା ହେବ।  ଏଆଇ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ। ମାସକୁ ୧୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ମିଳିବ ମାଗଣା ବିଦ୍ୟୁତ୍। ୧୦୦ରୁ ୧୫୦ ୟୁନିଟ ପାଇଁ ୫୦ ପ୍ରତିଶତ ରିହାତି ମିଳିବ ।

ରାଜ୍ୟକୁ ଦେଶର ୩ଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଶତ କରାଯିବ । ସେମି କଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା (AI) ଉପରେ ବିଶେଷ ଧ୍ୟାନ ଦିଆଯିବାକୁ ଥିବା ବେଳେ ଓଡିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ । ସେହିପରି ୧୦୦ଟି ସ୍ଥାନରେ ଇକୋ-ଟୁରିଜିମ୍ ହେବ। ୪ଟି ମେଗା କ୍ଲଷ୍ଟର ଯୋଜନା। ୨୦ଟି ସହରକୁ ବିକଶିତ କରାଯିବ ପୁରୀକୁ ଆନ୍ତର୍ଜାତୀୟ ସହର କରାଯିବ । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକକୁ ମେଟ୍ରୋ ରେଳ ସେବା ମିଳିବ ।

ମଧ୍ୟବିତ୍ତଙ୍କୁ BSKY କଭରେଜ୍ କରାଯିବ । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ସବଭେନ୍ସନ । ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ । SHGଙ୍କୁ ୧ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ୍ ପ୍ରଦାନ କରାଯିବାକୁ ଥିବା ବେଳେ SHG ଗୁଡିକୁ ଆଗାମୀ ୧୦ ବର୍ଷରେ ୨୦ ହଜାର କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ । SHG ଗୁଡିକ ପାଇଁ ୧୦୦ କୋଟି ଟଙ୍କା କର୍ପସ ଫଣ୍ଡ ସହ ମିଶନ ଶକ୍ତି ମହିଳାଙ୍କୁ ମିଳିବ ପେନସନ । ତୃଣମୂଳ ସ୍ତରର ମହିଳା କର୍ମୀ, ଅଙ୍ଗନବାଡୀ କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଆଶା କର୍ମୀଙ୍କୁ ମିଳିବ BSKY କଭରେଜ୍ ସହ ସାମାଜିକ ସୁରକ୍ଷା ପେନସନ । ସେହିପରି BSKYରେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଓ ଚୁକ୍ତିଭିତ୍ତିକ ଶ୍ରମିକ ।

ST,SC, OBC ଯୁବକବର୍ଗଙ୍କୁ ସ୍ୱଂୟ ନିଯୁକ୍ତି ପାଇଁ ୧ଲକ୍ଷ ଟଙ୍କା ଅନୁଦାନ। ଏଥିପାଇଁ ୧୦ ବର୍ଷ ମଧ୍ୟରେ ୧ ହଜାର କୋଟି ପାଣ୍ଠି ପ୍ରଦାନ। ସେମାନଙ୍କୁ ୧୦ ଲକ୍ଷ ଯାଏଁ ସୁଧ ଛାଡ । ଗ୍ରାମୀଣ ଗୃହ ଯୋଜନାରେ ଯୋଗ୍ୟ ପରିବାରକୁ ୧୦ ଲକ୍ଷ ଘର ଯୋଗାଇ ଦିଆଯିବ । କୃଷି ପାଇଁ ମାଗଣା ବିଦ୍ୟୁତ, କୃଷକଙ୍କ ପିଲାଙ୍କ ଶିକ୍ଷା ଓ ବିବାହ ପାଇଁ ୨୫ ହଜାର ସହାୟତା ଯୋଗାଇ ଦିଆଯିବ। ୧.୫ ଲକ୍ଷ ଯାଏଁ ଫସଲ ଋଣରେ ସୁଧ ଛାଡ । ସେହିପରି ମତ୍ସଜୀବୀ ସମ୍ପ୍ରଦାୟକୁ ବାର୍ଷୀକ ୧୫ ହଜାର ଟଙ୍କାର ସହାୟତା ମିଳିବ ।

ଆହୁରି ମଧ୍ୟ ଐତିହ୍ୟ ବିକାଶ ପାଇଁ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ । ଓଡ଼ିଆ ଭାଷାର ବିକାଶ ଓ ପ୍ରୋତ୍ସାହନ ପାଇଁ ହଜାରେ କୋଟି । ପଶ୍ଚିମ ଓଡ଼ିଶାର ଭାଷାର ବିକାଶ ପାଇଁ ୨୫ କୋଟି ଟଙ୍କା କର୍ପସ ଫଣ୍ଡ । ୧୦୦ଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବେ ଘୋଷଣା କରାଯିବ । ପଦ୍ମ ପୁରସ୍କାର ପରି କଳିଙ୍ଗଶ୍ରୀ ଓ କଳିଙ୍ଗ ଭୂଷଣ ପୁରସ୍କାର ଦିଆଯିବ । ସେହିପରି ସମସ୍ତ ଭାଗବତ ଟୁଙ୍ଗିର ସଂରକ୍ଷଣ ମଧ୍ୟ କରାଯିବ ।

 

ତାମିଲନାଡୁର ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ

ଚେନ୍ନାଇ: ତାମିଲନାଡୁର ଶିବକାଶୀରେ ବାଣ କାରଖାନାରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଭାରତର ବାଣ ହବ୍ ଭାବରେ ଜଣାଶୁଣା ଶିବକାଶୀ ସହରରେ ଏହି ଅଘଟଣ ଘଟିଛି। ବିରୁଧୁନଗର ଜିଲ୍ଲାର ଶିବକାଶୀ ନିକଟ ସେଙ୍ଗମାଲାପାଟ୍ଟିରେ ଅବସ୍ଥିତ ଏକ ଘରୋଇ ବାଣ ତିଆରି କାରଖାନା ୟୁନିଟରେ ବିସ୍ଫୋରଣ ଘଟିଛି।

ପୋଲିସ ଏବଂ ଅଗ୍ନିଶମ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ବିସ୍ଫୋରଣର କାରଣ ଏଯାଏଁ ଜଣାପଡିନାହିଁ । ବିସ୍ଫୋରଣ ସମୟରେ ୟୁନିଟରେ ପ୍ରାୟ ଦଶ ଜଣ କର୍ମଚାରୀ ଥିଲେ। ଏହି ଘଟଣାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମୃତ ଶ୍ରମିକଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହ ନିର୍ବାଚନ ଆୟୋଗଙ୍କ ଅନୁମୋଦନ କ୍ରମେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ସେ X ରେ ପୋଷ୍ଟ କରି କହିଛନ୍ତି, “ମୁଁ ତୁରନ୍ତ ବିରୁଧୁନଗର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ଏବଂ ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ନିମନ୍ତେ ନିର୍ଦ୍ଦେଶ ମଧ୍ୟ ଦେଇଛି।”

ନିର୍ବାଚନ ସମୟରେ ଜୋରଦାର ଚେକିଂ, ମିଳିଲା ପୁଳାପୁଳା ଟଙ୍କା

ହାଇଦ୍ରାବାଦ: ଦେଶରେ ନିର୍ବାଚନ ଜାରି ରହିଥିବା ବେଳେ ନିର୍ବାଚନ ଆୟୋଗ ପକ୍ଷରୁ ଚେକିଂ ପାଇଁ ସ୍କ୍ବାଡ ପ୍ରସ୍ତୁତ । ଯେଉଁମାନେ ବିଭିନ୍ନ  ସ୍ଥାନରେ ଚେକିଂ ଚଳାଇଛନ୍ତି । ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶର ଏକ ଚେକପୋଷ୍ଟ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି ।

ଚେକପୋଷ୍ଟରେ ପିଭିସି ପାଇପ୍ ନେଇ ଯାଉଥିବା ଏକ ଟ୍ରକକୁ ଯାଞ୍ଚ ୮.୩୬ କୋଟି ନଗଦ ଟଙ୍କା ଜବତ ହୋଇଥିଲା। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଆନ୍ତ-ରାଜ୍ୟ ଗରିକପଡୁ ଚେକ୍ ପୋଷ୍ଟରେ ପୋଲିସ ଏହି ଟଙ୍କା ଜବତ କରିଛି।

ହାଇଦ୍ରାବାଦରୁ ଗୁଣ୍ଟୁରକୁ ଯାଉଥିବା ଟ୍ରକର ଡ୍ରାଇଭର ସିଟ୍ ପଛରେ ଥିବା ଏକ କ୍ୟାବିନରୁ ଏହି ଟଙ୍କା ଜବତ ହୋଇଛି। ଏହି ଟ୍ରକଟି ଚିତ୍ତୋର ଜିଲ୍ଲାର ଶେଖ ଅଜିଜ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜିକୃତ ରହିଛି। ଏହି ଘଟଣାରେ ଅଧିକ ସୂଚନା ପାଇଁ ପୋଲିସ ଟ୍ରକ ଡ୍ରାଇଭର ଓ କ୍ଲିନରକୁ ଅଟକ ରଖି ଜେରା କରୁଛି । ଅପରପକ୍ଷେ ଟ୍ରେଜେରୀ ବିଭାଗରେ ନଗଦ ଜମା କରିବା ପରେ ପୋଲିସ CrPC ର ଧାରା 41 ଏବଂ 102 ଅନୁଯାୟୀ ଏକ ମାମଲା ମଧ୍ୟ ରୁଜୁ କରିଛି।

ଆସନ୍ତା ୫ ଦିନ ଯାଏଁ କାଳବୈଶାଖୀ ବର୍ଷା, ଏହି ଜିଲ୍ଲାକୁ ୱାର୍ଣ୍ଣିଂ…

ବଦଳୁଛି ପାଣିପାଗର ମିଜାଜ । ସକାଳେ ଖରା ଅପରାହ୍ଣରେ କାଳବୈଶାଖୀ। ଆସନ୍ତା ୫ ଦିନ ପଯ୍ୟନ୍ତ ରାଜ୍ୟରେ ଲାଗି ରହିବ ଏପରି ପାଗ। ବିଶେଷ କରି ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ପ୍ରବଳ ବର୍ଷା, ପବନ ଓ ବଜ୍ରପାତ ନେଇ ୪ଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲା ମୟୁରଭଞ୍ଜ, ଭଦ୍ରକ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲ୍ଲା ଗୁଡ଼ିକରେ ବିଜୁଳି ଘଡଘଡି ସହିତ ବର୍ଷା ହେବା ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ତେବେ ସମୁଦ୍ରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ସ୍ଥଳଭାଗକୁ ଆସୁଥିବା ଯୋଗୁଁ ବର୍ଷା ହେଉଥିବା କହିଛି ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତାକାଲି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୯, ୧୦, ୧୧ ତାରିଖ ପାଇଁ ୟେଲୋ ୱାର୍ଣିଂ ଜାରି କରାଯାଇଛି। କାଲି ଟୁଇନ ସିଟିରେ ବର୍ଷା ହେବାର ସମ୍ଭାବନା ରହିଛି।

ସାଂସଦ ଅପରାଜିତା ଚାହିଁଥିଲେ ବେଗୁନିଆରେ ଶହେରୁ ଅଧିକ ଶିଳ୍ପ ହୋଇଥାନ୍ତା: କାର୍ତ୍ତିକ ପାଣ୍ଡିଆନ

ବେଗୁନିଆ: ଖୋର୍ଦ୍ଧା ବେଗୁନିଆରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଫଳତାର ଲମ୍ବା ଚିଠା ଦେଲେ ବିଜେଡିର ବରିଷ୍ଠ ନେତା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସାଧାରଣ ଲୋକଙ୍କ ଭୋଟରେ ସାଂସଦ ହୋଇ ମଧ୍ୟ ନିଜ ଦାୟିତ୍ବ ଭୁଲିଗଲେ। ଡରରେ ବୋଲଗଡ ବେଗୁନିଆ ଆସିଲେ ନାହିଁ । ଅପରାଜିତା ଷଡ଼ଙ୍ଗୀ ଜଣେ ସର୍ବଭାରତୀୟ ସ୍ତରର ଅଫିସର ଥିଲେ। ସେ ଚାହିଁଥିଲେ ବୋଲଗଡ ଓ ବେଗୁନିଆକୁ ଅନେକ କେନ୍ଦ୍ରୀୟ ଯୋଜନା ଆଣି ପାରିଥାନ୍ତେ। ସେ ଚାହିଁଥିଲେ ବେଗୁନିଆରେ ଶହେରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ହୋଇଥାନ୍ତା। ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇଥାନ୍ତେ ।

କୋଭିଡ ସମୟରେ ସବୁ ଲୋକ ନିୟମ ମାନିଲେ। କିନ୍ତୁ ସେ ଅମାନିଆ ହେଲେ। ବୋଧହୁଏ ଦେଶରେ ସେ ଏକମାତ୍ର ଜନପ୍ରତିନିଧି, ଯିଏ କୋଭିଡ ନିୟମ ଭଙ୍ଗିବାରୁ ତାଙ୍କ ଉପରେ ଫାଇନ ଲାଗୁ ହୋଇଛି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ। ସେହିପରି ବୀର ପାଇକଙ୍କ ରକ୍ତ ଓ ତ୍ୟାଗକୁ ସମ୍ମାନ ଦେବାକୁ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚାରି ଥର ଚିଠି ଲେଖିଛନ୍ତି।

କିନ୍ତୁ ସାଂସଦ ମହୋଦୟା ଥରେ ହେଲେ କେନ୍ଦ୍ରରେ ଦାବି କରିନାହାଁନ୍ତି କି ସଂସଦରେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ସବୁ କାମର ହିସାବ ଲୋକଙ୍କୁ  ଦେଉଛନ୍ତି। ସାଂସଦ ଅପରାଜିତା କିନ୍ତୁ ଲୋକଙ୍କୁ ହିସାବ ଦେଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଦିନ ରାତି ଲୋକଙ୍କ ପାଇଁ କାମ କରୁଛନ୍ତି। ପାଞ୍ଚ ବର୍ଷ ପରେ ପୁଣି ଥରେ ସୁଯୋଗ ଆସିଛି। ତେଣୁ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଜିତାଇବାକୁ ଅପିଲ କଲେ କାର୍ତ୍ତିକ ପାଣ୍ଡିଆନ।

ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଅପରାଜିତା: ବିଜେଡି ମୁଖପାତ୍ର ଇପସିତା ସାହୁ

ଭୁବନେଶ୍ୱର: ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ୫ଟି ପ୍ରଶ୍ନ ପଚାରିଲା ବିଜେଡି । ଅପରାଜିତାଙ୍କ ୫ ବର୍ଷର ବିଫଳତାକୁ ବି ବିଜେଡିକ ସାମ୍ନାକୁ ଆଣିଛି । ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି, ବିଜେପିର ନାରା ହେଉଛି ନା କାମ କରିବ ନା କରିବାକୁ ଦେବ । ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଅପରାଜିତା।

ବିଗତ ୫ବର୍ଷରେ ୫ଟି ବି ପ୍ରତିଶୃତି ପୂରା କରିନାହାନ୍ତି। ଇସ୍କନ ପାଣି ସମସ୍ଯାର ସମାଧାନ ହୋଇନଥିବାବେଳେ କ୍ଯାପିଟାଲ ରିଂ ରୋଡ୍, ହଂସପାଳ ଫ୍ଲାଏଓଭର ହୋଇପାରିଲାନି । ଜଗନ୍ନାଥ ସଡ଼କ କାମ ବି ହେଲାନି। ଭୁବେନେଶ୍ୱରରେ ବିଶ୍ୱସ୍ତରୀୟ ରେଲୱେ ଷ୍ଟେସନର ଅବସ୍ଥା କଣ ତାହା ସମସ୍ତେ ଜାଣିଛନ୍ତି ବୋଲି ଇପସିତା କହିଛନ୍ତି । ଏହାଛଡ଼ା ରାଜ୍ୟ ସରକାରଙ୍କ ବିକାଶ କାମକୁ ଅଟକାଇବାକୁ ଅପରାଜିତା ଷଡଯନ୍ତ୍ର କରୁଥିବା ଇପସିତା କହିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର ପ୍ରକଳ୍ପ, ମେଟ୍ରୋ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଦିଲ୍ଲୀରେ ଷଡଯନ୍ତ୍ର କରିବାରେ ମୁଖ୍ୟ ଭୂମିକା ନେଇଥିଲେ ଅପରାଜିତା । ଡବଲ ଇଞ୍ଜିନ ସରକାର ପ୍ରସଙ୍ଗରେ ସମାଲୋଚନା କରି ଇପସିତା କହିଛନ୍ତି ଯେ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ କାହିଁକି ଦାଦନ ଶ୍ରମିକ ଅଧିକ। ଭୁବେନେଶ୍ୱରବାସୀ ଅପରାଜିତା ଷଡ଼ଙ୍ଗୀଙ୍କ ବିଫଳତାର କଳା ଚିଠା ଧରି ବସିଛନ୍ତି। ବିକାଶକୁ କାହିଁକି ବିରୋଧ କରୁଛ ବୋଲି ଲୋକ ପ୍ରଶ୍ନ କରୁଛନ୍ତି । ତାଙ୍କୁ ଜନସାଧାରଣ ଉଚିତ ଜବାବ ଦେବେ ବୋଲି ଇପସିତା କହିଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଥିବା ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଭାଗ ଅଧୀନରେ ଥିବା ‘ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ ଏବଂ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନ’ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ୨୦୨୩-୨୪ ଛାତ୍ରଛାତ୍ରୀଙ୍କୁ ମଙ୍ଗଳବାର ଦିନ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ସମାବର୍ତ୍ତନ ଉତ୍ସବରେ ପ୍ରତ୍ୟେକ ବିଭାଗରୁ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ୍ ପଦକ ପ୍ରଦାନ କରାଯାଇଛି।

“ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା ବିଭାଗର ଛାତ୍ରୀ ଅଞ୍ଜୁମ ଆର୍ ପରୱିନ ସ୍ୱର୍ଣ୍ଣ ପାଇଥିବା ବେଳେ ସୁସ୍ମିତା ନାଥ ରୌପ୍ୟ ଏବଂ ଏସ୍ ଗୌତମୀ ରାଓଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି। ସେହିପରି “ହେୟାର ଫ୍ୟାସନ ଆଣ୍ଡ ଡିଜାଇନ ବିଭାଗର ଅମ୍ରିତା ବିଶ୍ୱାଳଙ୍କୁ ସ୍ୱର୍ଣ୍ଣ, ସି ଏଚ୍ କୀର୍ତ୍ତାନିଆଙ୍କୁ ରୌପ୍ୟ ଏବଂ ବନଜ୍ୟୋତ୍ସ୍ନା ଆଇଚଙ୍କୁ ବ୍ରୋଞ୍ଜ ପଦକ ଦିଆଯାଇଛି। ସେହିପରି ଡମ୍ବରୁଧର ବାରିକଙ୍କୁ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗରେ ବେଷ୍ଟ ଟ୍ରେନି ଭାବେ ସମ୍ମାନିତ କରାଯାଇଛି। ପଦକ ବିଜେତା ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସମାବର୍ତ୍ତନ ଉତ୍ସବରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି ଥମ୍ବିରାଜା ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ ଅଫ୍ ସର୍ଭିସେସ୍‌ର ନିର୍ଦ୍ଦେଶକ ଲିମ୍ ଲାଇ ସୁନ୍‌, ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକ ପିଚାଇନ୍ ଆନ୍ଥୋନିସାମି ପ୍ରମୁଖ ଯୋଗ ଦେଇଥିଲେ।

୩୦ରୁ ଅଧିକ କ୍ରୁ ମେମ୍ବରଙ୍କୁ ବାହାର କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ପ୍ରାୟ ୩୦୦ କର୍ମଚାରୀ ଅସୁସ୍ଥତା ଦର୍ଶାଇ ଛୁଟି ନେବା ଏବଂ ଫୋନ୍ ସ୍ୱିଚ୍ ଅଫ୍ କରିବା ଘଟଣାର ଦିନକ ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଅତି କମରେ ୩୦ କ୍ୟାବିନ କ୍ରୁଙ୍କୁ ବହିଷ୍କୃତ କରିଛି । ଏଥିସହିତ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ମଧ୍ୟ କର୍ମଚାରୀମାନଙ୍କୁ ଏକ ଅଲ୍ଟିମାଟମ୍ ଦିଆଯାଇଥିବା ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ଟାଟା ଗ୍ରୁପ୍‌ର ମାଲିକାନାରେ ଥିବା ଏୟାର ଇଣ୍ଡିଆର ଏକ ସହାୟକ କମ୍ପାନୀ ପକ୍ଷରୁ ଆଜି ମୋଟ୍ ୮୫  ବିମାନକୁ ବାତିଲ କରିଦିଆଯାଇଛି। କର୍ମଚାରୀ ସଂଘ, ଶ୍ରମ କମିଶନର ଏବଂ ମ୍ୟାନେଜମେଣ୍ଟ ମଧ୍ୟରେ ବୈଠକ ଜାରି ରହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି ସୂତ୍ରରୁ ପ୍ରକାଶ।

ସମୂହ ଛୁଟି ଯୋଗୁ ଏୟାର ଇଣ୍ଡିଆରେ ଅଚଳାବସ୍ଥା ଦେଖାଦେଇଥିବା ବେଳେ ବହୁ ଉଡାଣ ବାତିଲ ମଧ୍ୟ ହୋଇଛି । ଯାହା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଉଡ଼ାଣ ବାତିଲ ହୋଇଥିବା ଫ୍ଲାଇଟର ଯାତ୍ରୀମାନଙ୍କ ଅସୁବିଧା ଦୂର କରିବା ତଥା ସେମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ଫେରସ୍ତ କରାଯିବା ନେଇ କମ୍ପାନୀ ସୁତ୍ରରୁ ପ୍ରକାଶ।

 

 

ସାନଖେମୁଣ୍ଡି ବିଜେଡି ବିଧାୟିକା ପ୍ରାର୍ଥିନୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କ ପାଇଁ ପ୍ରଚାର କଲେ ମାଆ ଏବଂ ଭଉଣୀ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ସବୁଠାରୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ l ଯେଉଁ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀ ହୋଇଛନ୍ତି ଧରାକୋଟ ଗଡ଼ର ରାଜା ସାହିବା ତଥା ଧରାକୋଟ ବ୍ଲକ ଅଧ୍ୟକ୍ଷ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଗୀତାଞ୍ଜଳିଙ୍କ ପାଇଁ ପ୍ରଚାର କରୁଛନ୍ତି ନିଜ ମାଆ ତଥା ପୂର୍ବତନ ବିଧାୟିକା ନନ୍ଦିନୀ ଦେବି ଏବଂ ସାଥିରେ ଅଛନ୍ତି ସାନ ଭଉଣୀ  ଶାନ୍ତିପ୍ରିୟା ଗୀତାଞ୍ଜଳି l ଲୋକଙ୍କ ପାଖକୁ ଯାଇ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଧରାକୋଟ ବ୍ଲକର ପଞ୍ଚାୟତକୁ ପଞ୍ଚାୟତ ବୁଲି ଗାଁ ଗାଁ ବୁଲି ଭୋଟ ଭିକ୍ଷା କରିଛନ୍ତି ।

ଆଜି ସଂଧ୍ୟାରେ ବିଜେଡି ଘୋଷଣା କରିବ ନିର୍ବାଚନୀ ଇସ୍ତାହାର

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ଆସିବ ବିଜେଡି ନିର୍ବାଚନୀ ଇସ୍ତାହାର। ଆଜି ସଂଧ୍ୟାରେ ବିଜେଡି ଘୋଷଣା କରିବ ନିର୍ବାଚନ ମାନିଫେଷ୍ଟୋ। ବିଜେଡିର ମାନିଫେଷ୍ଟୋ ଘୋଷଣା ନେଇ କହିବା ଅବସରରେ ବିରୋଧୀଙ୍କ ମାନିଫେଷ୍ଟାକୁ ଟାର୍ଗେଟ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ୨୦୧୪ରେ ବିରୋଧୀ ବିଜେପି ମାନିଫେଷ୍ଟୋ ଆଣିଥିଲା। ୨ କୋଟି ରୋଜଗାର ଦେବୁ ବୋଲି କହିଥିଲେ । ଦରଦାମ କମାଇବାକୁ କହିଥିଲେ । ହେଲେ ଓଡ଼ିଶାରେ ନିର୍ବାଚନରେ ୨୦ରୁ କମ ସିଟ୍ ପାଇଲେ। ୨୦୧୯ରେ ମାନିଫେଷ୍ଟୋ ଆଣିଥିଲେ ବିରୋଧୀ। ଅପପ୍ରଚାର କଲେ, ଓଡ଼ିଶାବାସୀଙ୍କୁ ମିଛ ପ୍ରତିଶୃତି ଦେଲେ। ବିରୋଧୀ ମାନିଫେଷ୍ଟୋରେ ଯାହା କୁହନ୍ତି, କିଛି କରନ୍ତିନି। ବିଜେପି ୨୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛନ୍ତି। ୨୪ ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି। ଭୟଭୀତ ଅଛନ୍ତି ବିରୋଧୀ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ୧୦ରୁ କମ ସିଟ୍ ପାଇବେ। ସେଥିଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁନାହାନ୍ତି। ଏଥର ବିଜେପି ଦଳର ନେତା ମିଛ ମାନିଫେଷ୍ଟୋ ପ୍ରସ୍ତୁତି କରିଛନ୍ତି। ପୁଣି ମିଛ କହିଛନ୍ତି।  ହେଲେ ମୁଖ୍ୟମନ୍ତ୍ରୀ ନବୀନ କଥା କମ କାମ ବେଶି କରନ୍ତି। ମାନିଫେଷ୍ଟୋରେ ଯାହା ବି କହନ୍ତି, ତାଠାରୁ ଅଧିକ କରନ୍ତି। ସେଥିଲାଗି ପ୍ରତି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଓଡ଼଼ିଶାବାସୀ ବାରମ୍ବାର ଜିତାଉଛନ୍ତି। ଏଥର ମଧ୍ୟ ସାରା ଓଡ଼ିଶାର ଲୋକେ ମାନିଫେଷ୍ଟୋକୁ ନେଇ ଖୁସି ହେବେ। ବିଜେଡି ମାନିଫେଷ୍ଟୋରେ ଯାହା ବି ହେବ ସାରା ଓଡ଼ିଶାବାସୀ ଖୁସି ହେବେ। ଓଡ଼ିଶାକୁ ଆଗେଇ ନେବା ଓଡ଼ିଶାକୁ ସଶକ୍ତ କରିବା ରାଜ୍ୟବାସୀଙ୍କ ଉଜ୍ଜଳ ଭବିଷ୍ୟତ ହେବ ମାନିଫେଷ୍ଟୋ କଲେଜର ପିଲାଙ୍କୁ ବହୁତ ବଡ଼ ଖୁସି ଖବର ମିଳିବ। ମାମାନଙ୍କ ସହ ଛାତ୍ର ଓ ମଧ୍ୟମ ଶ୍ରେଣୀର ଲୋକେ ସମସ୍ତେ ଖୁସି ହେବେ। ମୁଖ୍ୟମନ୍ତ୍ରୀ ଯାହା ବି ଘୋଷଣା କରିବେ ଘରେ ଘରେ ପହଞ୍ଚାଇବେ ବୋଲି ଜନତାଙ୍କୁ ଆହ୍ଵାନ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବେ ବୋଲି ଉପସ୍ଥିତ ଜନତାଙ୍କୁ ଅପିଲ କରିଛନ୍ତି ।