spot_img
Home Blog Page 1936

ଦିଲ୍ଲୀରେ ଅସହ୍ୟ ଗରମ, ୨ ଦିନରେ ୭ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଜୁନ ମାସରେ ଅସହ୍ୟ ହେଉଛି ଖରାର ପ୍ରଭାବ । ରାଜଧାନୀ ଦିଲ୍ଲୀରେ ବଢ଼ିବାରେ ଲାଗିଛି ଉତ୍ତାପ । ୨ ଦିନରେ ଅଂଶୁଘାତରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ବହୁ ଲୋକ ମେଡିକାଲରେ ଭର୍ତ୍ତି ହୋଇଥିବା ମଧ୍ୟ କୁହାଯାଇଛି । ୟୁପି ଏବଂ ରାଜସ୍ଥାନ ପରେ ଏବେ ରାଜଧାନୀ ଦିଲ୍ଲୀରୁ ସାମନାକୁ ଆସିଛି ଅଂଶୁଘାତ ଜନିତ ମୃତ୍ୟୁ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀରେ ଜଳ ସଙ୍କଟ ଲାଗି ରହିଥିବାବେଳେ ଏବେ ପୁଣିଥରେ ଖରାର ପ୍ରଭାବ ବଢ଼ିଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ରାମ ମନୋହର ଲୋହିଆ ହସ୍ପିଟାଲରେ ୨ ଦିନ ମଧ୍ୟରେ ୨୩ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି । ତେବେ ଖରାର ପ୍ରକୋପ କମିବାର ନାଁ ନେଉନାହିଁ ।

ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ

ନନ୍ଦିଘୋଷ ବ୍ୟୁରୋ:  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଆଜି ଜନ୍ମଦିନ। ୫୪ ବର୍ଷ ବୟସରେ ପାଦ ଥାପିଛନ୍ତି ରାହୁଲ। ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ଯ କାର୍ଯ୍ୟାଳୟରେ କର୍ମୀଙ୍କ ସହ ରାହୁଲ ଜନ୍ମଦିନ ପାଳନ କରିଛନ୍ତି। ୧୯୭୦ ଜୁନ ୧୯ରେ ରାଜୀବ ଗାନ୍ଧୀ ଓ ସୋନିଆଙ୍କ କୋଳକୁ ଆସିଥିଲେ ରାହୁଲ।  ଗାନ୍ଧି -ନେହେରୁ ପରିବାରର ରାହୁଲ ହେଉଛନ୍ତି ପଞ୍ଚମ ପିଢ଼ିର ରାଜନେତା। ରାହୁଲ ଦିଲ୍ଲୀର ସେଣ୍ଟ  କଲମ୍ଵସ୍ ଓ ଡେରାଡୁନର ଡୂନ୍ ସ୍କୁଲରେ ଶିକ୍ଷାଲାଭ କରିଥିଲେ। ୧୯୮୯ରେ ସେ ସେଣ୍ଟ ଷ୍ଟିଫେନ୍ସ କଲେଜରେ ନାମ ଲେଖାଇଥିଲେ। ଇତିହାସରେ ସ୍ନାତକ ଶିକ୍ଷା ଲାଭ କରିବା ପରେ ରାହୁଲ ହାଭାର୍ଡ଼ ବିଶ୍ଵ ବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ପାଇଁ ଯାଇଥିଲେ। ରାଜୀବ ଗାନ୍ଧୀଙ୍କ ନିଧନ ପରେ ସେ ଭାରତକୁ ଫେରି ଆସିଲେ। ଟ୍ରିନିଟି କଲେଜରୁ ରାହୁଲ ଏମ.ଫିଲ୍ କରିଛନ୍ତି।

ପରିଚାଳନା କମିଟି ବୈଠକ ଶେଷ, ସ୍ନାନ ଯାତ୍ରା ନୀତି ନିର୍ଘଣ୍ଟ ମୋହର ମାରିଲା ପରିଚାଳନା କମିଟି 

ପୁରୀ: ପରିଚାଳନା କମିଟି ବୈଠକ ଶେଷ  । ଆଗାମୀ ସ୍ନାନ ଯାତ୍ରା ନୀତି ନିର୍ଘଣ୍ଟ ମୋହର ମାରିଲା ପରିଚାଳନା କମିଟି  । ଚଳିତ ବର୍ଷ ରଥଯାତ୍ରା ଦିନ ନେତ୍ର ଉତ୍ସବ ପଡୁଥିବା ହେତୁ ସ୍ୱତ୍ରନ୍ତ ନୀତି କାନ୍ତି ନେଇ ନିଆଯିବ ନିଷ୍ପତି । ଏ ନେଇ ଆଗାମୀ ୨୫ରେ  ପୁନର୍ବାର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ  । ସେହିପରି ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତି ସରକାରଙ୍କ ଦ୍ୱାରା କରାଯାଇଥିବା ସ୍ୱତରନ୍ତ କମିଟି ର ସୁପାରିଶ ଅନୁସାରେ ବ୍ୟବସ୍ଥା ଗ୍ରହଣ କରାଯିବ  ।

ରତ୍ନ ଭଣ୍ଡାର ଖୋଲାଯିବା ନେଇ ସ୍ୱତନ୍ତ୍ର କମିଟି ବୈଠକ ଆଗାମୀ ଦିନରେ ବସିବା ପରେ କମିଟି ଅଧ୍ୟକ୍ଷ ଅଜିତ ପଶାୟତ ମତାମତ ଅନୁସାରେ ରତ୍ନ ଭଣ୍ଡାର କିପରି ଖୋଲାଯିବ ତା ଉପରେ ସବିଶେଷ ସୂଚନା ମିଳିପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମତ ରଖିଛନ୍ତି  । ଅନ୍ୟ ପକ୍ଷରେ ଜୁଲାଇ 8 ତାରିଖ ଦିନ ରତ୍ନ ଭଣ୍ଡାର ଖୋଳା ଗଲେ asi ପକ୍ଷରୁ ଭଣ୍ଡାର ଘରର ନିରୀକ୍ଷଣ ପାଇଁ ପ୍ରସ୍ତୁତ ରହିଥିବା asi ର ଓଡିଶା ମୁଖ୍ୟ ସୂଚନା ଦେଇଛନ୍ତି  ।

ସେହିପରି ରତ୍ନ ଭଣ୍ଡାର ସ୍ଥିତିକୁ ନଜରରେ ରଖି ଯେତେ ଶୀଘ୍ର ଖୋଲାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବାକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସରକାରଙ୍କୁ ନିବେଦନ କରିଛନ୍ତି ।

ନିୟନ୍ତ୍ରଣରେ ଡିପଥେରିଆ ସ୍ଥିତି, ନୂଆ ମାମଲା ସାମନାକୁ ଆସିନି

ଭୁବନେଶ୍ବର: ଡିପଥେରିଆ ସ୍ଥିତି ନିୟନ୍ତ୍ରଣରେ ଅଛି । ଆଉ ନୂଆ କେସ ଆସିନି । ସେହି ୨୧ ମାମଲାରେ ସ୍ଥିର ଅଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ଯ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଆଉ ରାୟଗଡା ହସ୍ପିଟାଲରେ କୌଣସି ରୋଗୀ ନାହାନ୍ତି । ସମସ୍ତ ରୋଗୀ ଘରକୁ ଫେରିଗଲେଣି । ଭବାନୀପାଟଣାରେ ଯେଉଁ ପାଞ୍ଚ ରୋଗୀ ଚି଼ହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ଜଣ ଡିପଥେରିଆ ରୋଗୀ । ବାକି ସମସ୍ତଙ୍କୁ ଥଣ୍ଡା ଜ୍ୱର ବୋଲି ଜଣାପଡିଛି ।

ସେହି ପାଞ୍ଚ ଭିତରୁ ଜଣେ କାଶୀପୁର ପଳେଇ ଯାଇଛନ୍ତି । ତାଙ୍କୁ ଖୋଜିବାକୁ ସ୍ୱାସ୍ଥ୍ୟ ବିଭାଗ ଷ୍ଟାଫ ଯାଇଛନ୍ତି । ତାଙ୍କର ଟେଷ୍ଟ ହେବ। ଆବଶ୍ୟକ ପଡିଲେ, ହସ୍ପିଟାଲରେ ଭର୍ତ୍ତି କରାଯିବ । ଆଖପାଖ ଜିଲ୍ଲାରେ ଥଣ୍ଡା, ଜ୍ୱର ନେଇ ସର୍ଭେଲାନ୍ସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଣ୍ଟିବଡି ଟେଷ୍ଟ ପାଇଁ ପଠାଯାଇଛି । ତାପରେ ଟିକାର ପ୍ରଭାବ ଜଣା ପଡିବ । ତେବେ ଟିକାର ପ୍ରଭାବ କମିବାନେଇ କାରଣ ଖୋଜୁଛି ସ୍ବାସ୍ଥ୍ଯ ବିଭାଗ ।

ଷ୍ଟ୍ରେନ ବଦଳିଥିବା ଯୋଗୁଁ ଟିକାର ପ୍ରଭାବ କମିଥାଇପାରେ । ତେଣୁ ଜେନମ ସିକୁଏନସିଂ ପାଇଁ ILS କି RMRC କୁ କୁହାଯିବ । ସେମାନଙ୍କ ପାଖରେ ନମୁନା ପୂର୍ବରୁ ଅଛି । କୋରାପୁଟ ବନ୍ଧୁଗାଁର ଜଣେ ରୋଗୀ ନିମୋନିଆରେ ପୀଡିତ । ସେ MKCG ମେଡିକାଲରେ ଭେଣ୍ଟିଲେଟରରେ ଅଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ଯ ନିର୍ଦ୍ଦେଶକ ।

ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସୁରମା ପାଢୀ

ଭୁବନେଶ୍ବର: ବିଜେପିର ବାଚସ୍ପତି ପ୍ରାର୍ଥୀ ହେଲେ ରଣପୁର ବିଧାୟିକା ସୁରମା ପାଢୀ । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁରମା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ ଓ ବିଜେପିର ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁରମା ପାଢୀ ।

ଆଜି ବାଚସ୍ପତି ପ୍ରାର୍ଥୀ ପାଇଁ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ ଦୀର୍ଘ ସମୟ ଧରି ମାନସମନ୍ଥନ ଚାଲିଥିଲା । ଏହି ବୈଠକରେ ସର୍ବସମ୍ମତି କ୍ରମେ ସୁରମା ପାଢୀଙ୍କ ନାଁରେ ମୋହର ବାଜିଛି । ବିଧାୟକ ଦଳ ବୈଠକ ପରେ ସୁରମା ପାଢୀଙ୍କ ନାଁ ଘୋଷଣା ହୋଇଥିଲା ।

ଶ୍ରମିକଙ୍କ ଉପରେ BMW ଚଢାଇ ଦେଲେ ସାଂସଦଙ୍କ ଝିଅ, ଦିନକ ପରେ ମିଳିଲା ଜାମିନ

ଚେନ୍ନାଇ: ଚେନ୍ନାଇରେ ହିଟ୍ ଓ ରନ୍ ମାମଲା ସାମ୍ନାକୁ ଆସିଛି। YSR କଂଗ୍ରେସ ରାଜ୍ୟସଭା ସାଂସଦ ବିଦା ମସ୍ତାନ ରାଓଙ୍କ ଝିଅ ମାଧୁରୀ ନିଜ ବିଳାସପୂର୍ଣ୍ଣ କାର ଫୁଟପାଥରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢାଇ ଦେଇଛନ୍ତି । ଏହି ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସିସିଟିଭି ଫୁଟେଜ ସାହାଯ୍ୟରେ ପୋଲିସ ଅଭିଯୁକ୍ତ ସାଂସଦଙ୍କ ଝିଅକୁ ଗିରଫ କରିଥିଲା। କିନ୍ତୁ ଅଭିଯୁକ୍ତଙ୍କୁ ଗୋଟିଏ ଦିନ ପରେ ଜାମିନ ପ୍ରଦାନ କରିଛି ପୋଲିସ।

 

ରାସ୍ତାରେ ଶୋଇଥିବା ଶ୍ରମିକ ପେସାରେ ଜଣେ ଚିତ୍ରକର ଥିଲେ  । ପୋଲିସ କହିଛି ଯେ ସେ ମଦ୍ୟପାନ କରି ଫୁଟପାଥରେ ଶୋଇଥିଲେ। ଘଟଣା ପରେ ମୃତକଙ୍କ ସମ୍ପର୍କୀୟ ଏବଂ ପରିବାର ବର୍ଗ ପୋଲିସ ଷ୍ଟେସନରେ ପହଞ୍ଚି ନ୍ୟାୟ ଦାବି କରିଥିଲେ। ଏହା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ସୋମବାର ସନ୍ଧ୍ୟାରେ ବେସାନ୍ତ ନାଗର-ଚେନ୍ନାଇରେ ଏହି ଘଟଣା ଘଟିଛି।

 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୪ ବର୍ଷୀୟ ସୂର୍ଯ୍ୟ ବେସାଣ୍ଟ ନାଗର ଫୁଟପାଥରେ ଶୋଇଥିଲେ। ଦ୍ରୁତଗତିରେ  ଏକ ବିଏମଡବ୍ଲୁ କାର ଆସି ତାଙ୍କ ଉପରେ ମାଡି ଯାଇଥିଲା  । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ସୂର୍ଯ୍ୟ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଦୁର୍ଘଟଣା ପରେ କାର ଚଳାଉଥିବା ଝିଅ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଗାଡି ନମ୍ବର ଯାଞ୍ଚ କରିବା ପରେ ଏହା YSR କଂଗ୍ରେସ ରାଜ୍ୟସଭା ସାଂସଦ ବିଦା ମସ୍ତାନ ରାଓଙ୍କର ବୋଲି ଜଣାପଡିଥିଲା।

 

ସାଂସଦଙ୍କ ଝିଅ ମାଧୁରୀ କାର ଚଳାଉଥିଲେ। ଶାସ୍ତ୍ରୀ ନାଗର ପୋଲିସ ଷ୍ଟେସନ (ବେସାନ୍ତ ନାଗର) ପୋଲିସ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। ପରଦିନ ମାଧୁରୀଙ୍କୁ ପୋଲିସ ଜାମିନ ପ୍ରଦାନ କରିଥିଲା। ମୃତକଙ୍କ ସମ୍ପର୍କୀୟମାନେ କହିଥିଲେ ଯେ ସୂର୍ଯ୍ୟ ଆଠ ମାସ ପୂର୍ବରୁ ବିବାହ କରିଥିଲେ। ସେ ଜଣେ ଚିତ୍ରକାର ଥିଲେ ଏବଂ ଶ୍ରମିକ ଭାବରେ କାମ କରି ଘରର ଖର୍ଚ୍ଚ ଉଠାଉଥିଲେ  । ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।

୪ ଘଣ୍ଟା ପରେ ମହାପ୍ରଭୁଙ୍କର ହେଲା ମଙ୍ଗଳ ଆଳତି

ପୁରୀ: ୪ ଘଣ୍ଟା ପରେ ସ୍ବାଭାବିକ୍ ହେଲା ନୀତିକାନ୍ତି। ମହାପ୍ରଭୁଙ୍କର କରାଗଲା ମଙ୍ଗଳ ଆଳତି। ପୂଜାପଣ୍ଡା ଓ ସିଂହାରୀଙ୍କ ମଧ୍ୟରେ ବିବାଦରୁ ନୀତି ବିଳମ୍ବ ହୋଇଥିଲା। ଫଳରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ନୀତିରେ ବିଳମ୍ବ ହୋଇଥିଲା। ନୀତି ବିଳମ୍ବରୁ ମଙ୍ଗଳ ଆଳତି ନୀତି ବାଧାପ୍ରାପ୍ତ ହୋଇଥିଲା। ଆଜି ଚମ୍ପକ ଦ୍ଵାଦଶୀ ନୀତି ଅଛି।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ନୀତିରେ ବିଳମ୍ବ। ୪ଘଣ୍ଟାରୁ ଅଧିକ ସମୟ ନୀତିରେ ବିଳମ୍ବ ହୋଇଥିବା ବେଳେ, ଭୋର ୫ଟା ୫୬ରେ ଶେଷ ହୋଇଛି ବିବାହ ନୀତି। ପୂଜାପଣ୍ଡା ଓ ସିଂହାରୀଙ୍କ ମଧ୍ୟରେ ବିବାଦରୁ ନୀତି ବିଳମ୍ବ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇନାହିଁ।

ସାଧାରଣ ଭକ୍ତଙ୍କ ଦର୍ଶନ ଜାରି ରହିଛି। ଆଜି ଚମ୍ପକ ଦ୍ଵାଦଶୀ ନୀତି ଅଛି। ତେବେ ନୀତି ଶୃଙ୍ଖଳିତ କରାନଗଲେ ଆଗାମୀ ଦିନରେ ଦେବସ୍ନାନ ପୂର୍ଣ୍ଣମୀ ନୀତି ବିଳମ୍ବ ହେବା ନେଇ ଆଶଙ୍କା ରହିଛି।

ଆସନ୍ତା ୭ ଦିନ ମଧ୍ୟରେ ଭୁବନେଶ୍ବରର ସବୁ ଡ୍ରେନରେ ସ୍ଲାବ ପଡିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମସଜିଦ କଲୋନୀରେ ଡ୍ରେନରେ ଭାସି ନାବାଳକଙ୍କ ମୃତ୍ୟୁ ଘଟଣା। ଘଟଣାସ୍ଥଳରେ ଅନୁଧ୍ୟାନ କଲେ ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମୃତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ମନ୍ତ୍ରୀ। ଏହାସହ ସନ୍ଧ୍ୟା ସୁଦ୍ଧା ବିଏମସିକୁ ରିପୋର୍ଟ ମାଗିଛନ୍ତି ମନ୍ତ୍ରୀ। କାହିଁକି ଡ୍ରେନ ମୁକୁଳା ପଡିଥିଲା ସେନେଇ ରିପୋର୍ଟ ମଗାଯାଇଛି।

ସେହିପରି ଭୁବନେଶ୍ୱରରେ କେତେଟି ଡ୍ରେନ ମୁକୁଳା ଅଛି ଓ କେତୋଟି ଡ୍ରେନରେ ସ୍ଲାବ ନାହିଁ ସେନେଇ ମଧ୍ୟ ରିପୋର୍ଟ ମାଗିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।
ମୁକୁଳା ଡ୍ରେନରେ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ସେହିପରି ଆସନ୍ତା ୭ ଦିନ ମଧ୍ୟରେ ସବୁ ଡ୍ରେନରେ ସ୍ଲାବ ପଡିବା ନେଇ ନିର୍ଦ୍ଦେଶ ଦିଆଯାଇଛି  ।

ଗତକାଲି ଡ୍ରେନରେ ଭାସିଯାଇ ୟୁନିଟ-୩ ଅଞ୍ଚଳର ୮ ବର୍ଷୀୟ ଆବୁବକରଙ୍କ ମୃତ୍ଯୁ ହୋଇଥିଲା। ମୃତକ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ । ଗତକାଲି ଅପରାହ୍ମରେ ରାଜଧାନୀରେ ପ୍ରବଳ ବର୍ଷା ହେଉଥିବା ବେଳେ ୟୁନିଟ-୩ ମସଜିଦ କଲୋନୀ ପାଖରେ ଘଟିଥିଲା ବଡ଼ ଅଘଟଣ । ବର୍ଷାରେ ଏକ ବେଲୁନ ଭାସୁଥିବା ବେଳେ ଏହାକୁ ଧରିବାକୁ ଯାଇଥିଲା ଆବୁବକର। ବେଲୁନକୁ ଧରିବାକୁ ଯାଇ ମୁକୁଳା ଡ୍ରେନରେ ଖସିପଡ଼ିଥିଲା ଆବୁବକର । ପ୍ରବଳ ବର୍ଷାରେ ପାଣିର ପ୍ରଖର ସ୍ରୋତରେ କୁନି ପୁଅଟି ଭାସିଯାଇଥିଲା । ପାଖାପାଖି ୨ ଘଣ୍ଟା ପରେ ଲକ୍ଷ୍ମୀସାଗର ଅଞ୍ଚଳକୁ ଗୁରୁତର ଅବସ୍ଥାରେ ଆବୁବକରଙ୍କୁ ଉଦ୍ଧାର କରି କ୍ଯାପିଟାଲ ହସପିଟାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖାଁ ଖାଁ ବାଲେଶ୍ବର, ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କର୍ଫ୍ୟୁ କୋହଳ

ବାଲେଶ୍ବର:  ପୌରାଞ୍ଚଳ ସମେତ ସହରକୁ ସଂଯୋଗ କରୁଥିବା ଉଭୟ ପାର୍ଶ୍ବ ରାସ୍ତାରେ ବଳବତ୍ତର ରହିଛି କର୍ଫ୍ୟୁ । ଆସନ୍ତାକାଲି ପର୍ଯ୍ୟନ୍ତ ସହରରେ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ସହରର ସମସ୍ତ ଦୋକାନ, ବଜାର ବନ୍ଦ ଥିବା ବେଳେ ପ୍ରବେଶ ପଥକୁ ସିଲ୍ କରିଛି ପୋଲିସ । କର୍ଫ୍ୟୁ ସମୟରେ କୌଣସି ଲୋକ ଘରୁ ବାହାରିପାରିବେ ନାହିଁ। ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାରେ ଚାଲି ଚାଲି ଯିବା କିମ୍ବା ଯାନ ବାହନରେ ବୁଲିବା, ଠିଆହେବା ଉପରେ କଟକଣା ଲାଗିଛି ।

ପରୀକ୍ଷା ପାଇଁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କର୍ଫ୍ୟୁ କୋହଳ ହୋଇଛି। ଗଣ୍ଡଗୋଳ ମାମଲାରେ ଉଭୟ ପକ୍ଷର ୩୫ରୁ ଅଧିକଙ୍କୁ ଅଟକ ରଖିଛି ପୋଲିସ । ସାରା ସହରରେ ପୋଲିସ ପଇଁତରା ମାରୁଛି । ଏସପି ଓ ଜିଲ୍ଲାପାଳ ସ୍ଥିତି ସମୀକ୍ଷା କରୁଛନ୍ତି । ପୋଲିସ ସହରରେ ଫ୍ଲାଗମାର୍ଚ୍ଚ କରୁଛି । ଏଡିଜି ସଞ୍ଜୟ କୁମାର ବାଲେଶ୍ବର ଯାଇ ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି ।

ଗଣ୍ଡଗୋଳ ଘଟଣାରେ ମୋଟ ୭ଟି ମାମଲା ରୁଜୁ କରାଯାଇଛି । ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ୬ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ସହିତ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଆଜିଠୁ ୨୦ ଯାଏଁ ପ୍ରବଳ ବର୍ଷା, ୨୩ ସୁଦ୍ଧା ପହଞ୍ଚିବ ମୌସୁମୀ

ଭୁବନେଶ୍ବର: ରାଜ୍ଯରେ ଆଜିଠୁ କମିବ ତାପମାତ୍ରା । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ବର୍ଷାର ପରିମାଣ ବଢିବା ସହ ୨୦ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହ ଅଗ୍ରସର ହେବ । ୨୩ ତାରିଖ ସୁଦ୍ଧା ସଂପୂର୍ଣ୍ଣ ଓଡ଼ିଶାକୁ ମୌସୁମୀ ଛୁଇଁବାକୁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି  ।

ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗିରହିବ । ଆଜି ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡିଶାର ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୨୬ଟି ଜିଲ୍ଲାରେ ଉତ୍କଟ ସ୍ଥିତି ଦେଖା ଦେଇଛି । ବଡ ବର୍ଷା ହେଲେ ଏହା ଭରଣା ହେବ ବୋଲି ଆଇଏମଡି ଆଶା ରଖିଛି ।