spot_img
Home Blog Page 1909

ନାମାଙ୍କନ ଦାଖଲ ପୂର୍ବରୁ ବିଜେପି ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିପାରିବ ତ: ବିଜେଡି

ଭୁବନେଶ୍ବର: ଓଡ଼ିଶା ପାଇଁ ବିଜେପିର ବଳକା ପ୍ରାର୍ଥୀ ତାଲିକା ଆଜି ଆସିବ, କାଲି ଆସିବ । ଏମିତି ଶୁଣିବାକୁ ମିଳୁଛି । ଦିନ ଗଡୁଛି, ନାମାଙ୍କନ ଦାଖଲ ତାରିଖ ପାଖଉଛି, ହେଲେ ନା ଆସୁଛି ବିଜେପିର ପ୍ରାର୍ଥୀ ତାଲିକା ନା ହଟୁଛି ସସପେନ୍ସ । ସରୁନି ଓଡ଼ିଶା ବିଜେପିର ପ୍ରାର୍ଥୀ ଖୋଜା ଅଭିଯାନ । ଏମିତି କଟାକ୍ଷ କରି ରାଜ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଇପସିତା ସାହୁ ।

ବିଜେପି ପକ୍ଷରୁ କେବେ କୁହାଯାଉଛି ଟିକେଟ ଆଜି ଆସିବ ଆଉ କେବେ କହୁଛନ୍ତି ଦୁଇରୁ ତିନି ଦିନ ଭିତରେ ଆସିବ । ଗତ ୧୦ ତାରିଖରୁ ପ୍ରାର୍ଥୀ ତାଲିକା ଆସିବା ନେଇ ଏଇଭଳି ସଫେଇ ଦେଉଛନ୍ତି ବିଜେପି ନେତା । ହେଲେ ଓଡିଶା ବିଜେପିର ପ୍ରାର୍ଥୀ ଖୋଜା ଅଭିଯାନ ସରୁନି କି ତାଲିକା ଆସୁନାହିଁ ।

ବିଜେଡି ମୁଖପାତ୍ର ଇପସିତା ସାହୁ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଓଡ଼ିଶା ବିଜେପିର ବରିଷ୍ଠ ନେତାଙ୍କ ପ୍ରାର୍ଥୀ ଖୋଜା ଅଭିଯାନ ଚାଲିଛି ଯେ ଚାଲିଛି, ସରିବାର ନାଁ ନେଉନି । ଲାଗୁଛି ଓଡିଶା ବିଜେପିର ପ୍ରାର୍ଥୀ ଖୋଜା ଅଭିଯାନ ସରିନି । ଯାହାକୁ ଯେଉଁଠୁ ପାରିଲେ ତୁରନ୍ତ ଆଣି ଦଳରେ ସିନା ମିଶାଇ ଦେଲେ, ହେଲେ ସେମାନେ ପ୍ରାର୍ଥୀ ହେବାକୁ ରାଜି ନାହାନ୍ତି । ରାଜ୍ୟ ବିଜେପିର ସ୍ଥିତି ଦେଖି ପରାଜୟ ଭୟରେ ବିଜେଡି ପ୍ରାର୍ଥୀଙ୍କୁ ସାମ୍ନା କରିବାକୁ ବିଜେପି ନେତା ଅସମର୍ଥ । ଯାହାକି ସେମାନେ ଦଳୀୟ ନେତୃତ୍ୱଙ୍କୁ ଜଣାଇ ସାରିଲେଣି । ନାମାଙ୍କନ ଦାଖଲ ଆଗରୁ କମସେ କମ ଓଡିଶା ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଦେବ ବୋଲି ଆଶା କରୁଛୁ କହି କଟାକ୍ଷ କରିଛନ୍ତି ଇପସିତା ।

ବଡ଼ମ୍ବା ବିଜେପି ଦୁଇ ଫାଳ: ବିଜୟ ସମର୍ଥକଙ୍କ ବିଦ୍ରୋହ ସାଂସଦ ପ୍ରାର୍ଥୀଙ୍କୁ କାଳ

ବଡ଼ମ୍ବା: ବଡମ୍ବା ବିଜେପି ପ୍ରାର୍ଥୀଙ୍କୁ ନେଇ ବିଧାନସଭା କ୍ଷେତ୍ରରେ ବିଜେପି ସଂଗଠନ ଦୁଇ ଫାଳ । ସିଂହ ଭାଗ ଆଶାୟୀ ପ୍ରାର୍ଥୀ ବିଜୟ ଦଳବେହେରାଙ୍କ ସହ ଥିବା ବେଳେ ଏହି ଆସନ ପାଇଁ ପ୍ରାର୍ଥୀ ହୋଇଥିବା ସମ୍ବିତ ତ୍ରିପାଠୀ ହାଇକମାଣ୍ଡଙ୍କୁ ଧରି ପ୍ୟାଚ ପକାଇବାକୁ କରୁଛନ୍ତି ଚେଷ୍ଟା । ଦଳ ମଧ୍ୟରେ କନ୍ଦଳ ଏତେ ତୀବ୍ର ହୋଇଛି ଯେ, କଟକ ସାଂସଦ ପ୍ରାର୍ଥୀଙ୍କୁ ବି ପ୍ରଚାରକୁ ଯିବା ସମୟରେ ହଟହଟା ହେବାକୁ ପଡିଥିଲା ।

ବଡମ୍ବା ପାଇଁ ବିଜେପି ଦଳ ବାଛିଥିବା ପ୍ରାର୍ଥୀଙ୍କୁ ବିରୋଧ କେବଳ ବଡମ୍ବା ଭିତରେ ସୀମିତ ନାହିଁ । ଅସନ୍ତୁଷ୍ଟ ନେତା ଓ କର୍ମୀ ରାଜ୍ୟ ବିଜେପି ମୁଖ୍ୟାଳୟରେ ବି ବିରୋଧ କରୁଛନ୍ତି । ରାଜ୍ୟ ସଭାପତିଙ୍କୁ ସ୍ମାରକପତ୍ର ଦେଇ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି । ବର୍ଷ ବର୍ଷ ଧରି ବଡମ୍ବାରେ ବିଜେପି ସଂଗଠନକୁ ମଜବୁତ କରିବାକୁ କାମ କରୁଥିବା ବିଜୟ ଦଳବେହେରାଙ୍କୁ ଅଣଦେଖା କରି ନବାଗତ ସମ୍ବିତ ତ୍ରିପାଠୀଙ୍କୁ ପ୍ରାର୍ଥୀ କରାଯାଇଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ନେତା ଓ କର୍ମୀ । ସମ୍ବିତ ତ୍ରିପାଠୀଙ୍କ ଘର ଯଦିଓ ବଡମ୍ବାରେ ସେ ଆଜି ପର୍ଯ୍ୟନ୍ତ କେବେ ବି ଦଳ ପାଇଁ କାମ କରିନାହାଁନ୍ତି । ବରଂ ବିଜୟ ଦଳବେହେରା ପାରମ୍ପରିକ ରାଜନୈତିକ ପ୍ରତିଦ୍ବନ୍ଦ୍ବି ଦେବୀ ମିଶ୍ରଙ୍କୁ ବରାବର ଟକ୍କର ଦେଇ ଆସୁଥିଲେ । ହେଲେ ଦଳ ବିଜୟଙ୍କୁ ଅଣଦେଖା କରି ସମ୍ବିତଙ୍କୁ ପ୍ରାର୍ଥୀ କରିବାକୁ ଗ୍ରହଣ କରିପାରୁନାହାଁନ୍ତି କର୍ମୀ ।

ବଡମ୍ବା ବିଜେପି ସଂଗଠନରେ ଅସନ୍ତୋଷ ଏତେ ଉଗ୍ର ରୂପ ନେଇଛି ଯେ, ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ ହଟହଟା ହେବାକୁ ପଡିଥିଲା । ନିକଟରେ ସେ ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କ ସହ ପ୍ରଚାର କରିବାକୁ ଯିବା ସମୟରେ ଜୋରଦାର ବିରୋଧର ସମ୍ମୁଖୀ ହୋଇଥିଲେ । ହେଲେ ସାଂସଦ ପ୍ରାର୍ଥୀ ଆଶାୟୀ କି ଅସନ୍ତୁଷ୍ଟଙ୍କ ଆପତ୍ତି ଶୁଣି ନଥିଲେ । ଯାହାକୁ ନେଇ କର୍ମୀମାନେ କ୍ଷୁବ୍ଧ ହୋଇପଡିଛନ୍ତି ।

୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ବିଜୟ ଦଳବେହେରା । ସେ ବିଜେଡି ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ରଙ୍କ ଠାରୁ ୧୮ ହଜାର ଭୋଟରେ ହାରିଥିଲେ । ବିଜୟଙ୍କୁ ଗତ ନିର୍ବାଚନରେ ୭୨ ହଜାର ୫୪୫ ଖଣ୍ଡ ଭୋଟ ମିଳିଥିଲା । ଏଥର ଯଦି ଦଳ ପ୍ରାର୍ଥୀ ପରିବର୍ତ୍ତନ ନକରେ ତେବେ ବିଜୟ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ଚିନ୍ତା କରୁଛନ୍ତି । ଏଭଳି ସ୍ଥଳେ ବିଜେପିର ଭୋଟ ବିଭାଜିତ ହେବା ସାଙ୍ଗକୁ ବଡ ଭୋଟ ବ୍ୟବଧାନରେ ଦେବୀ ମିଶ୍ରଙ୍କ ବିଜୟ ସମ୍ଭାବନାକୁ ସୁନିଶ୍ଚିତ କରିବ ।

ନନାଙ୍କୁ ଚେତାବନୀ: ବ୍ରଜଙ୍କ ଟିକେଟ ନକଟିଲେ, ତୁମକୁ ଜଳେଶ୍ବରରେ ପୂରାଇ ଦେବୁନି

ଜଳେଶ୍ବର: ଟିକେଟ ଘୋଷଣା ପରେ ବିଦ୍ରୋହର ନିଆଁରେ ଜଳୁଛି ରାଜ୍ୟ ବିଜେପି । ପଦାରେ ପଡିଛି ତୃଣମୂଳ ସ୍ତରରେ ଦଳ ପାଇଁ କାମ କରୁଥିବା କର୍ମୀଙ୍କ କୋହ । ଅସନ୍ତୋଷର ବହ୍ନିରେ ଜଳୁଛି ରାଜ୍ୟ ବିଜେପି । ଯାହାର ସଦ୍ୟ ଉଦାହରଣ ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଦେଖିବାକୁ ମିଳିଛି ।

ଜଳେଶ୍ବର ବିଧାୟକ ପ୍ରାର୍ଥୀଙ୍କୁ ନେଇ ବିଜେପିରେ ଦେଖା ଦେଇଛି ବିଦ୍ରୋହ । ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜ ପ୍ରଧାନଙ୍କୁ କର୍ମୀଙ୍କ ଜୋରଦାର ବିରୋଧ । ବିଜେପିର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କୁ ଘେରି ଅସନ୍ତୋଷ ଜଣାଇବା ସହ ଚେତାବନୀ ଦେଲେ କର୍ମୀ ।

ବିଜେପି କର୍ମୀଙ୍କ ଅଭିଯୋଗ, ୨ ଦିନ ତଳେ ଦଳରେ ମିଶିଥିବା ବ୍ରଜଙ୍କୁ ଦଳ ଟିକେଟ ଦେଇଛି । ଦଳରେ ଅନେକ ପୁରୁଖା ନେତା ଥିଲେ ମଧ୍ଯ ବ୍ରଜଙ୍କୁ କାହିଁକି ପ୍ରାର୍ଥୀ କରାଗଲା ବୋଲି କର୍ମୀ ପ୍ରଶ୍ନ କରିଛନ୍ତି । ଏପରିକି ଯଦି ପ୍ରାର୍ଥିତ୍ବ ନିଷ୍ପତ୍ତି ନବଦଳେ ତେବେ ପ୍ରତାପ ଷଡ଼ଙ୍ଗୀଙ୍କୁ ଜଳେଶ୍ବରରେ ପୂରାଇ ଦିଆଯିବନି ବୋଲି ନିଜ ଦଳର କର୍ମୀ ଦେଇଛନ୍ତି ଚେତାବନୀ ।

ପ୍ରାର୍ଥୀ ତାଲିକା ଘୋଷଣା ପରେ ରାଜ୍ୟ ବିଜେପିର ଅକଲ ଗୁଡମ ହୋଇଯାଇଛି । ସମସ୍ତ ଲୋକସଭା ଓ ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ବିଧାନସଭା ଆସନରେ କେଁ ଦେଖିବାକୁ ମିଳୁଛି । ଏମିତି କୌଣସି ନିର୍ବାଚନ କ୍ଷେତ୍ର ନାହିଁ, ଯେଉଁଠି ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ବର ଉଠିନି ।

ଇରାନ-ଇସ୍ରାଏଲ ଉତ୍ତେଜନା ହ୍ରାସ ଲାଗି ଭାରତର ଉଦ୍ୟମ

ନୂଆଦିଲ୍ଲୀ: ଇସ୍ରାଏଲ ଆକ୍ରମଣର ଜବାବ ଦେବାକୁ ଯାଇ ଇରାନ କରିଛି ପ୍ରତିଆକ୍ରମଣ । ୨ ଶହରୁ ଅଧିକ ଡ୍ରୋନ, ବାଲିଷ୍ଟିକ ମିସାଇଲ, କ୍ରୁଜ ମିଜାଇଲରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ । ଦୁଇ ଦେଶ ମଧ୍ୟରେ ସ୍ଥିତି ଜଟିଳରୁ ଜଟିଳ ହେବାକୁ ଲାଗିଛି । ଏମିତି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଭାରତ ପ୍ରୟାସ ଆରମ୍ଭ କରିଛି । ଏହାସହ ଭାରତ ତରଫରୁ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ସହ ନିୟମିତ ସମ୍ପର୍କ ରଖାଯାଇଛି । ନାଗରିକଙ୍କ ସୁରକ୍ଷା ଲାଗି ଭାରତ ତରଫରୁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି ।

ଇସ୍ରାଏଲରେ ରହୁଥିବା ଭାରତୀୟମାନେ ସତର୍କ ରହିବା ଲାଗି ପରାମର୍ଶ ଦେଇଛି ଭାରତୀୟ ଦୂତାବାସ । ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ଭାରତ ଚାହେଁ । ସଙ୍କଟର ତାଜା ସ୍ଥିତି ସମ୍ପର୍କରେ ଭାରତ ସତର୍କ ଦୃଷ୍ଟି ରଖିଛି ।

ଗୋଟିଏ ପଟେ ଚାଲିଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଅନ୍ଯ ପଟେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ । ସାରା ବିଶ୍ବରେ ଏହାର ଘନ ପ୍ରଭାବ ପଡିବାର ଆଶଙ୍କା ସୃଷ୍ଟି ହୋଇଛି ।  ୧୯୭୯ରେ ଇରାନ ଇସଲାମିକ ରିପବ୍ଲିକ ଗଠନ ପରଠାରୁ ଇସ୍ରାଏଲ ବିରୋଧରେ ଲଢିବା ଲାଗି ଚିନ୍ତା କରି ନଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଏହି କାର୍ଯ୍ୟ କରିବା ଲାଗି ଅବସ୍ଥା ସୃଷ୍ଟି ହୋଇଛି । ଇସ୍ରାଏଲ-ହମାସ ଯୁଦ୍ଧ ପରଠାରୁ ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । ପଣବନ୍ଦୀଙ୍କୁ ମୁକ୍ତ କରିବା ଓ ନେତାନ୍ୟାହୁଙ୍କୁ କ୍ଷମତାରୁ ଅନ୍ତର ଲାଗି ଦାବି ହେଉଛି । ବର୍ତ୍ତମାନ ଇସ୍ରାଏଲ-ଇରାନ ଟେନସନ ମଧ୍ଯରେ ଇସ୍ରାଏଲ ଓ ହମାସ ମଧ୍ଯରେ କଥାବାର୍ତ୍ତା ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି ।

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବଜରଙ୍ଗ ଦଳ ଓ ଭୀମ ଆର୍ମି ମୁହାଁମୁହିଁ

ସୋନପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ବଜରଙ୍ଗ ଦଳ ଓ ଭୀମ ଆର୍ମି ମୁହାଁମୁହିଁ । ସୋନପୁର ଆମ୍ବେଦକର ଛକରେ ଉଭୟ କର୍ମୀ ସାମ୍ନାସାମ୍ନି । ଉଭୟ ପକ୍ଷରୁ ଶୋଭାଯାତ୍ରା ଚାଲିଥିବା ବେଳେ ଦେଖା ଦେଇଥିଲା ଉତ୍ତେଜନା । ପୋଲିସ ଉପସ୍ଥିତିରେ ଘଟିଛି ଗଣ୍ଡଗୋଳ ।

ଜରଙ୍ଗ କର୍ମୀଙ୍କୁ ଭୀମ ଆର୍ମି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣପୁର ବଜରଙ୍ଗ ଦଳ ପକ୍ଷରୁ ହନୁମାନ ଜୟନ୍ତୀ ଅବସରରେ ରୟାଲ ପଡ଼ିଆ ସ୍ଥିତ ବାଲାଜୀ ମନ୍ଦିରରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ସେହି ସମୟରେ ଆମ୍ବେଦକର ଜୟନ୍ତୀ ଅବସରରେ ଭୀମ ଆର୍ମି ପକ୍ଷରୁ ମଧ୍ୟ ଶୋଭାଯାତ୍ରା ବାହାରିଥିଲା । ଆମ୍ବେଦକର ଛକରେ ଉଭୟ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ପୋଲିସ ଉପସ୍ଥିତରେ ଜଣେ ବଜରଙ୍ଗ କର୍ମୀଙ୍କୁ ଅତର୍କିତ ଆକ୍ରମଣ କରାଯାଇଥିବା ହୋଇଛି ଅଭିଯୋଗ । ଶାନ୍ତି ଶୃଙ୍ଖଳାରେ ଶୋଭାଯାତ୍ରା କରୁଥିବାବେଳେ ଭୀମ ଆର୍ମି ପକ୍ଷରୁ ବିଶୃଙ୍ଖଳା ସୃଷ୍ଟି କରାଯାଇଥିବା ହୋଇଛି ଅଭିଯୋଗ । ପୋଲିସ ପକ୍ଷରୁ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆସିଥିଲା ।

ବୋରଓ୍ବେଲ ଟ୍ରାଜେଡି: ଜୀବନ ଯୁଦ୍ଧରେ ହାରିଗଲା ୬ ବର୍ଷର ଶିଶୁ ମୟଙ୍କ

ରଓ୍ବା: ଦୀର୍ଘ ୪୫ ଘଣ୍ଟାର ଅପରେସନ । ହେଲେ ବଞ୍ଚାଇ ହେଲାନି ୬ ବର୍ଷା ଶିଶୁ ମୟଙ୍କଙ୍କ ଜୀବନ । ମୃତ ଅବସ୍ଥାରେ ବୋରଓ୍ବେଲରୁ ମୟଙ୍କଙ୍କୁ କରାଗଲା ଉଦ୍ଧାର । ମଧ୍ୟପ୍ରଦେଶ ରେୱା ଜିଲ୍ଲାର ମାନିକା ଗାଁରେ ଥିବା ଏକ ମୁକୁଳା ବୋରୱେଲକୁ ଖସି ପଡିଥିଲା ମୟଙ୍କ । ଗତ ଶୁକ୍ରବାର ଅପରାହ୍ନ ୩ଟା ସମୟରେ ଘଟିଥିଲା ଅଘଟଣ । ଖେଳିବା ବେଳେ ବୋରଓ୍ବେଲରେ ଖସି ପଡିଥିଲା ମୟଙ୍କ ।

ଏହାପରେ ମୟଙ୍କକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ । ଦୀର୍ଘ ୪୫ ଘଣ୍ଟା ଧରି ଚାଲିଥିଲା ଅପରେସନ । ଶେଷରେ ଜୀବନ ଯୁଦ୍ଧ ହାରିଯାଇଛି ମୟଙ୍କ । ୭୦ ଫୁଟ ଗଭୀର ବୋରୱେଲରୁ ମୟଙ୍କକୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଘଟଣା ସ୍ଥଳରେ ଉପସ୍ଥିତ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଶିଶୁକୁ ଉଦ୍ଧାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଇଥିଲା । ପିଲାକୁ ଉଦ୍ଧାର କରିବା ଲାଗି ସମାନ୍ତରାଳ ଭାବେ ଅନ୍ଯ ଏକ ଗର୍ତ୍ତ ଖୋଳାଯାଇଥିଲା । ୟୁପି ବାରାଣସୀରୁ ଏକ ରେସ୍କ୍ଯୁ ଟିମ ଆସି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ଶିଶୁର ଜୀବନ ବଞ୍ଚାଯାଇପାରିନାହିଁ । ଗତବର୍ଷ ଅଲିରାଜପୁର, ରାଜଗଡ, ବିଦିଶା ଓ ସିହୋର ଜିଲ୍ଲାରେ ବୋରୱେଲରେ ପଡି ୪ ଶିଶୁଙ୍କ ମୃତ୍ଯୁ ଘଟିଥିଲା ।

ଲାତ ମାରି ୮ ବର୍ଷର ପୁଅକୁ ମାରିଦେଲା ନିଶାଶକ୍ତ ମାଆ !

କାଲିମେଳା: ମଦ ନିଶା ଉଜାଡି ଦେଲା ସଂସାର । ମାତାଲ ଅବସ୍ଥାରେ ପୁଅକୁ ମାରି ଦେଲା ମାଆ । ଯେଉଁ ପୁଅକୁ ୯ ମାସ ଗର୍ଭରେ ଧରି ସବୁ କଷ୍ଟ ସହି ତାକୁ ଦୁନିଆ ଦେଇଥିଲା, ତାଲ ତାରି ସେହି ପୁଅକୁ ଜୀବନ ନେଇଗଲା । ମଦ ନିଶା ମାଆକୁ ବନାଇଲା ରାକ୍ଷସୀ । ଏମିତି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡ଼ା ଗାଁରୁ ।

ମୃତ ବାଳକ ରୋହିତ ପଡିଆମୀଙ୍କ ସମ୍ପର୍କରେ ବାପା ମୁକା ପଡିଆମୀ ଗାଁ ଲୋକଙ୍କୁ ଖବର ଦେବା ସହ ପୋଲିସକୁ ଜଣାଇଥିଲେ । ଏତଲା ମିଳିବା ପରେ ପୋଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ମୁକାଙ୍କ ପତ୍ନୀ ଓ୍ବାଗି ପଡିଆମୀ ପ୍ରତିଦିନ ମଦ ନିଶାରେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ । ଏପରିକି ୮ ବର୍ଷର ପୁଅ ରୋହିତଙ୍କୁ ପ୍ରତିଦିନ ମାରଧର କରୁଥିଲେ । ଶନିବାର ରାତି ପ୍ରାୟ ୧୧ଟା ସମୟରେ ମଦ ନିଶାରେ ରୋହିତଙ୍କୁ ଲାତ, ଗୋଇଠା ମାରିବା ସହ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ପିଲାଟିର ଜୀବନ ଚାଲି ଯାଇଥିଲା । ଘଟଣା ସମ୍ପର୍କରେ ରବିବାର ସକାଳେ ଗ୍ରାମବାସୀ ଜାଣିବା ପରେ ଓ୍ବାର୍ଡ ମେମ୍ବରଙ୍କୁ ଖବର ଦେଇଥିଲେ । ପରେ ସମସ୍ତେ ମିଶି ଏନେଇ ପୋଲିସକୁ ଖବର ଦେଇଥିଲେ ।

ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ପଣା ବାଣ୍ଟିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ପଣା ବାଣ୍ଟିଲେ ବିଧାୟକ ସୁର ରାଉତରାୟ। ଭୁବନେଶ୍ବର ଜୟଦେବ ଭବନ ଠାରେ ବେଲ ପଣା ବାଣ୍ଟିବା ସହ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଉପସ୍ଥିତ ଲୋକଙ୍କ ସହ ବାଟୋଇଙ୍କୁ ପଣା ବାଣ୍ଟି ଖୁସି ପ୍ରକାଶ କରିଛନ୍ତି ବିଧାୟକ ସୁର ରାଉତରାୟ । ଏହା ସହ ଆମ୍ବେଦକର ଜୟନ୍ତୀର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେପଟେ ସବୁବେଳେ ବିରୋଧୀଙ୍କୁ ଟାର୍ଗେଟ କରି କଟାକ୍ଷ ସୁର କିନ୍ତୁ କହିଛନ୍ତି କି, ଆଜି କୌଣସି ରାଜନୀତି କଥା କହିବିନାହିଁ । ଆଜି ହେଉଛି ଏକ ପବିତ୍ର ଦିନ ।

ପ୍ରଚାର ଆରମ୍ଭ କଲେ ଲେଖାଶ୍ରୀ ସାମନ୍ତସିଂହାର

ବାଲେଶ୍ବର: ବାଲେଶ୍ବରରେ ପ୍ରଚାର ଆରମ୍ଭ କଲେ ବିଜୁ ଜନତା ଦଳର ବାଲେଶ୍ବର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିରରେ ପହଞ୍ଚି ଲେଖାଶ୍ରୀ ପୂଜାର୍ଚ୍ଚନା କରିବା ସହିତ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି। କ୍ଷୀରଚୋରାଙ୍କ ଆଶୀର୍ବାଦ ନେଇ ଲେଖାଶ୍ରୀ ବିଦ୍ଧିବଦ୍ଧ ଭାବେ ଆଜିଠାରୁ ପ୍ରଚାର ଆରମ୍ଭ କରିଛନ୍ତି। ଶତାଧିକ କର୍ମୀମାନେ ପ୍ରଚାର ଅଭିଯାନରେ ଯୋଗ ଦେଇଥିଲେ ।

ଦୁର୍ଘଟଣାରେ ବାପା – ଝିଅ ମୃତ

ଭଦ୍ରକ: ଭାରସାମ୍ୟ ହରାଇ କଲଭର୍ଟକୁ ଧକ୍କା ଦେଲା କାର୍‌ । ଦୁର୍ଘଟଣାରେ ବାପା ଝିଅ ମୃତ। ଶାଶୁ ବୋହୂ ଗୁରୁତର । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଜସୋଟିକିରି ଠାରେ ଘଟିଛି ଏ ଦୁର୍ଘଟଣା।ଗୋଆରୁ ହାୱଡା ଯିବା ବେଳେ କଲଭର୍ଟକୁ ଧକ୍କା ଦେଇଛି କାର। ଗୋଆରୁ ହାୱଡା ଅଭିମୁଖେ କାରରେ ଆସୁଥିଲେ। ଦୁର୍ଘଟଣା ପରେ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଦୁର୍ଘଟଣାଗ୍ରସ୍ତ କାରରୁ ୫ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଭଣ୍ଡାରିପୋଖରୀରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ବାପାଝିଅଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଅନ୍ୟ ୩ ଜଣ ଗୁରୁତର ରହିଛନ୍ତି। ଗୁରୁତରଙ୍କ ମଧ୍ୟରେ ଶାଶୁବୋହୂ ଥିବା ଜଣାପଡିଛି।