ଇରାନ-ଇସ୍ରାଏଲ ଉତ୍ତେଜନା ହ୍ରାସ ଲାଗି ଭାରତର ଉଦ୍ୟମ

1 min read

ନୂଆଦିଲ୍ଲୀ: ଇସ୍ରାଏଲ ଆକ୍ରମଣର ଜବାବ ଦେବାକୁ ଯାଇ ଇରାନ କରିଛି ପ୍ରତିଆକ୍ରମଣ । ୨ ଶହରୁ ଅଧିକ ଡ୍ରୋନ, ବାଲିଷ୍ଟିକ ମିସାଇଲ, କ୍ରୁଜ ମିଜାଇଲରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ । ଦୁଇ ଦେଶ ମଧ୍ୟରେ ସ୍ଥିତି ଜଟିଳରୁ ଜଟିଳ ହେବାକୁ ଲାଗିଛି । ଏମିତି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଭାରତ ପ୍ରୟାସ ଆରମ୍ଭ କରିଛି । ଏହାସହ ଭାରତ ତରଫରୁ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ସହ ନିୟମିତ ସମ୍ପର୍କ ରଖାଯାଇଛି । ନାଗରିକଙ୍କ ସୁରକ୍ଷା ଲାଗି ଭାରତ ତରଫରୁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି ।

ଇସ୍ରାଏଲରେ ରହୁଥିବା ଭାରତୀୟମାନେ ସତର୍କ ରହିବା ଲାଗି ପରାମର୍ଶ ଦେଇଛି ଭାରତୀୟ ଦୂତାବାସ । ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ଭାରତ ଚାହେଁ । ସଙ୍କଟର ତାଜା ସ୍ଥିତି ସମ୍ପର୍କରେ ଭାରତ ସତର୍କ ଦୃଷ୍ଟି ରଖିଛି ।

ଗୋଟିଏ ପଟେ ଚାଲିଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଅନ୍ଯ ପଟେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ । ସାରା ବିଶ୍ବରେ ଏହାର ଘନ ପ୍ରଭାବ ପଡିବାର ଆଶଙ୍କା ସୃଷ୍ଟି ହୋଇଛି ।  ୧୯୭୯ରେ ଇରାନ ଇସଲାମିକ ରିପବ୍ଲିକ ଗଠନ ପରଠାରୁ ଇସ୍ରାଏଲ ବିରୋଧରେ ଲଢିବା ଲାଗି ଚିନ୍ତା କରି ନଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଏହି କାର୍ଯ୍ୟ କରିବା ଲାଗି ଅବସ୍ଥା ସୃଷ୍ଟି ହୋଇଛି । ଇସ୍ରାଏଲ-ହମାସ ଯୁଦ୍ଧ ପରଠାରୁ ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । ପଣବନ୍ଦୀଙ୍କୁ ମୁକ୍ତ କରିବା ଓ ନେତାନ୍ୟାହୁଙ୍କୁ କ୍ଷମତାରୁ ଅନ୍ତର ଲାଗି ଦାବି ହେଉଛି । ବର୍ତ୍ତମାନ ଇସ୍ରାଏଲ-ଇରାନ ଟେନସନ ମଧ୍ଯରେ ଇସ୍ରାଏଲ ଓ ହମାସ ମଧ୍ଯରେ କଥାବାର୍ତ୍ତା ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି ।