spot_img
Home Blog Page 1900

ଝାରପଡା ଜେଲରେ ପାଳିତ ହେଲା ଶ୍ରୀରାମ ନବମୀ

ଭୁବନେଶ୍ୱର : ଆଜି ଶ୍ରୀରାମ ନବମୀ । ସଜେଇ ହୋଇଛି ସାରା ଭୁବନେଶ୍ୱର । ସବୁଠି ରାମମୟ ପରିବେଶ । ବ୍ରାହ୍ମ ମୂହୂର୍ତ୍ତରେ ଚାରିଆଡେ ମନ୍ତ୍ର ଧ୍ୱନିର ସ୍ୱର ଶୁଣିବାକୁ ମିଳୁଥିବା ବେଳେ ଭୁବନେଶ୍ୱର ଝାରପଡା ସ୍ୱତନ୍ତ୍ର ଜେଲରେ ଦେଖିବାକୁ ମିଳିଛି ଭାବମୟ ପରିବେଶ। ଜେଲ କ୍ୟାମ୍ପସରେ ଥିବା ସ ହନୁମାନ ମନ୍ଦିର ପରିସରରେ ନିରାଡ଼ମ୍ବର ସହ ଅନୁଷ୍ଠିତ ହୋଇଛି ରାମ ନବମୀ । ଅନ୍ତେବାସୀଙ୍କ ସହ ଜେଲ କର୍ମଚାରୀଙ୍କ ପାଇଁ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଛି । ବାହାର ଲୋକଙ୍କ ପାଇଁ ଜଳଛତ୍ର ବ୍ୟବସ୍ଥା ହୋଇଛି। ଜେଲ ସୁପାରିନଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ ଓ ଜେଲର ପ୍ରସନ୍ନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରାମନବମୀ ଉତ୍ସବ ଅନୁଷ୍ଠିତ ହୋଇଛି।

 

ବିଜେଡିର ପଂଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ୬ ମହିଳା

ଭୁବନେଶ୍ୱର : କେବଳ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ନବୀନ ପଟ୍ଟନାୟକ । ବିଜେଡ଼ିର ପଂଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରୁ ଏହା ଜଣା ପଡୁଛି । ଦେଶର ବାକି ଦଳ ମହିଳାଙ୍କୁ ସୁଯୋଗ ଦେବାକୁ କେବଳ ପାଟିରେ କୁହନ୍ତି କିନ୍ତୁ ବିଜୁ ଜନତା ଦଳ ଏହା ବାସ୍ତବରେ କରୁଛି । ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବୁଧବାର ଦିନ ଦଳ ଜାରି କରିଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି । ଏହି ତାଲିକାରେ ୬ ଜଣ ମହିଳା ପ୍ରାର୍ଥୀଙ୍କ ନାମ ରହିଛି ।

ପଂଚମ ପର୍ଯ୍ୟାୟରେ ୬ ମହିଳା ପ୍ରାର୍ଥୀ

ବିଜେଡି଼ର ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ  ଯେଉଁ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ସେମାନେ ହେଲେ ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ,ପଦ୍ମପୁରରୁ ବର୍ଷା ସିଂ ବରିହା,ଦେଓଗଡରୁ ଅରୁନ୍ଧତୀ କୁମାରୀ ଦେବୀ,ଅନୁଗୁଳରୁ ସଞ୍ଜୁକ୍ତା ସିଂ,ସାନଖେମୁଣ୍ଡିରୁ ସୁଶ୍ରୀ ସୁଲକ୍ଷ୍ନା ଗୀତାଞ୍ଜଳୀ ଦେବୀ ଓ ଜୟପୁର ଡକ୍ଟର ଇନ୍ଦିରା ନନ୍ଦ

କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢିବେ । ବୁଧବାର ଜାରି ପ୍ରାର୍ଥୀ ତାଲିକାରୁ ସେ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ବୋଲି ଜଣା ପଡ଼ିଛି ।

ଆଧାର କାର୍ଡରୁ ଧରା ପଡ଼ିଲେ ସଲମାନଙ୍କ ଘର ଆଗରେ ଗୁଳି ଚଳାଇଥିବା ଅପରାଧି

ନନ୍ଦିଘୋଷ ବ୍ୟୁରୋ : ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ସମ୍ନାରେ ଗୁଳି ଚଳାଇଥିବା ଦୁଇ ଜଣ ସୁଟରଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏବେ ପ୍ରଶ୍ନ ଉଠୁଛି ଯେ ମୁମ୍ବାଇରୁ ପଳାଇ ଯାଇଥିବା ସୁଟରମାନଙ୍କୁ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ କିପରି ଗିରଫ କଲା ? ବାସ୍ତବରେ ସଲମାନ ଖାନଙ୍କ ଘର ସମ୍ନାରେ ଗୁଳି କଲାବେଳେ ବ୍ୟବହୃତ ବାଇକର ନମ୍ବର ଅନୁସନ୍ଧାନ କରୁଥିବାବେଳେ କ୍ରାଇମ ବ୍ରାଞ୍ଚ ଟିମ୍ ପାନଭେଲରେ ପହଞ୍ଚିଥିଲା। ସୁଟରମାନେ ପାନଭେଲରେ ଭଡା ଘରେ ରହୁଥିଲେ। ସୁଟରମାନଙ୍କର ଆଧାର କାର୍ଡ ପୋଲିସ ପାଇଁ ସୁରାକ ହୋଇଥିଲା ଏବଂ ପରେ କ୍ରାଇମ ବ୍ରାଞ୍ଚ ଟିମ୍ ତୁରନ୍ତ ଫ୍ଲାଟରେ ପହଞ୍ଚିଥିଲେ ଯେଉଁଠାରେ ଉଭୟ ସୁଟର ରହୁଥିଲେ ଏବଂ ଫ୍ଲାଟର ମାଲିକଙ୍କୁ ପଚରାଉଚରା କରିଥିଲେ। ପଚରାଉଚରା ବେଳେ କ୍ରାଇମ ବ୍ରାଞ୍ଚ ଫ୍ଲାଟ ମାଲିକଙ୍କଠାରୁ ଭଡା ଚୁକ୍ତିର ଏକ ନକଲ ମାଗିଥିଲା ​​ଯାହା ଫ୍ଲାଟ ମାଲିକ ପ୍ରଦାନ କରିଥିଲେ। ଭଡା ଚୁକ୍ତିନାମା ଅନୁସନ୍ଧାନ କରୁଥିବାବେଳେ କ୍ରାଇମବ୍ରାଞ୍ଚ ଏକ ସୂରାକ ପାଇଥିଲା ଏବଂ ସେହି ସୂରାକଟି ଉଭୟ ଶୁଟରଙ୍କ ମୂଳ ଆଧାର କାର୍ଡ ଥିଲା, ଯାହା ସେମାନେ ଭଡା ଚୁକ୍ତି କରିବା ସମୟରେ ଫ୍ଲାଟର ମାଲିକଙ୍କୁ ଦେଇଥିଲେ | ଉଭୟ ସୁଟରଙ୍କ ମୂଳ ଆଧାର କାର୍ଡ ସେମାନଙ୍କ ହାତରେ ଥିବାରୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିଥିଲା ​​ଏବଂ ଏହି ସମୟରେ ଆଧାର କାର୍ଡରେ ସଂଯୁକ୍ତ ମୋବାଇଲ ନମ୍ବର କ୍ରାଇମବ୍ରାଞ୍ଚ ହାତକୁ ଆସିଥିଲା। ମୋବାଇଲ୍ ନମ୍ବର ପାଇବା ମାତ୍ରେ ଯେତେବେଳେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଏହାର ଅନୁସନ୍ଧାନ କରିବା ଆରମ୍ଭ କରିଥିଲା, ଗୁଳି ବିନିମୟ ସମୟରେ ସଲମାନ ଖାନଙ୍କ ଘର ନିକଟରେ ସମାନ ମୋବାଇଲ୍ ନମ୍ବର ସକ୍ରିୟ ଥିବା ଜଣାପଡିଛି।

ଏହା ପରେ କ୍ରାଇମ ବ୍ରାଞ୍ଚ ସେହି ମୋବାଇଲ୍ ନମ୍ବରକୁ କ୍ରମାଗତ ଭାବରେ ଅନୁସନ୍ଧାନ କରିବାର ପ୍ରକ୍ରିୟା ଆରମ୍ଭ କଲା | ଏହି ଅନୁସନ୍ଧାନ ସମୟରେ, ଉଭୟ ସୁଟର କ୍ରମାଗତ ଭାବରେ ଏହି ମୋବାଇଲ୍ ନମ୍ବରରୁ କାହା ସହିତ କଥାବାର୍ତ୍ତା ହେଉଥିଲେ | କ୍ରମାଗତ ଭାବରେ ମୋବାଇଲ୍ ନମ୍ବରକୁ ଅନୁସନ୍ଧାନ କରିବା ଏବଂ ଏହାର ସମ୍ପୂର୍ଣ୍ଣ ବୈଷୟିକ ବିଶ୍ଳେଷଣ କରିବା ପରେ, ଯେତେବେଳେ କ୍ରାଇମ ବ୍ରାଞ୍ଚ ଟିମ୍ ନିଶ୍ଚିତ ହେଲା ଯେ ଉଭୟଙ୍କ ଲୋକେସନ ସ୍ଥାନ ଗୁଜୁରାଟର ଭୁଜ୍ ଅଞ୍ଚଳରେ ଅଛି, ତା’ପରେ ସେମାନେ ଗୁଜୁରାଟ ପୋଲିସ ସହିତ ଯୋଗାଯୋଗ କରି ଏ ବିଷୟରେ ସୂଚନା ଦେଇଥିଲେ।

ଏହା ପରେ କ୍ରାଇମ ବ୍ରାଞ୍ଚ ମୁମ୍ବାଇରୁ ଗୁଜୁରାଟକୁ ଦୁଇଟି ଟିମ୍ ପଠାଇବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ସେତେବେଳେ ମୁମ୍ବାଇରୁ ଭୁଜକୁ କୌଣସି ବିମାନ ଉପଲବ୍ଧ ନଥିଲା। ଏହା ପରେ ମୁମ୍ବାଇରୁ ଦୁଇଟି ଟିମ୍ ବିମାନ ମାଧ୍ୟମରେ ଅହମ୍ମଦାବାଦକୁ ପଠାଯାଇଥିଲା। ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଏହି ଦୁଇ ଦଳକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା ଯେ ଅହମ୍ମଦାବାଦରେ ପହଞ୍ଚିବା ପରେ ସେମାନଙ୍କୁ କୌଣସି ସ୍ଥାନରେ ନ ଅଟକାଇ ଯଥାଶୀଘ୍ର ଭୁଜରେ ପହଞ୍ଚିବାକୁ ପଡ଼ିବ। ଏହି ଉଭୟ ଟିମ୍ ଠିକ୍ ତାହା କରିଥିଲେ ଏବଂ ଅହମ୍ମଦାବାଦରୁ ଭୁଜରେ ପହଞ୍ଚିଥିଲେ। ଏହା ପରେ ଗୁଜୁରାଟ ପୋଲିସ ସହିତ କ୍ରାଇମ ବ୍ରାଞ୍ଚ ଟିମ୍ ଉଭୟ ଗୁଳି ଚଳାଇଥିବା ସ୍ଥାନରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲେ।

ବିଜେଡିରେ ମିଶିଲେ କଂଗ୍ରେସ ସଂପାଦକ କ୍ୟାପଟେନ ରାଜ ନାରାୟଣ

ଭୁବନେଶ୍ୱର : ବିଜେଡିରେ ମିଶିଲେ କଂଗ୍ରେସ ସଂପାଦକ ତଥା ବଡ଼ଚଣା ନିର୍ବାଚନ ମଣ୍ଡଳୀର କ୍ୟାପଟେନ ରାଜ ନାରାୟଣ ମହାପାତ୍ର । ତାଙ୍କ ସହ ଅନେକ ସ୍ଥାନୀୟ ନେତା ଓ ସମର୍ଥକ ବି ବିଜେଡିରେ ସାମିଲ ହୋଇଛନ୍ତି । ରାଜନାରାୟଣଙ୍କ ବାପା ସୀତାକାନ୍ତ ମହାପାତ୍ର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ରହିଥିଲେ । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଓ ସଂଗଠନ ସମ୍ପାଦକଙ୍କ ପକ୍ଷରୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର । ରାଜନାରାୟଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ବିଜେଡି ନେତା ଜନ୍ମେଜୟ ଲେଙ୍କା । ରାଜଙ୍କ ଯୋଗଦାନ ଫଳରେ ବଡ଼ଚଣାରେ ବିଜେଡି ଆହୁରି ସୁଦୃଢ ହେବ । ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ସେ ସାରା ବିଶ୍ୱରେ ପାଇଲଟ ଭାବେ ସେ ଖ୍ଯାତି ଅର୍ଜନ କରିଛନ୍ତି । ରାଜ ଶେଷ ପାଇଲଟ ଯିଏ ବିଜୁ ବାବୁଙ୍କ ଠାରୁ ସ୍କଲାରସିପ ପାଇ ଆମେରିକାରେ ପାଇଲଟ ହୋଇଥିଲେ । ତାଙ୍କ ସୁଯୋଗ୍ୟ ପୁତ୍ର ନବୀନ ପଟ୍ଟନାୟକଙ୍କ ଆଦର୍ଶରେ କଂଗ୍ରେସ ଛାଡି ବିଜେଡିରେ ମିଶିଲୁ ବୋଲି କହିଛନ୍ତି ରାଜ ।

ବଡ଼ଚଣାକୁ NAC ଘୋଷଣା କରିବା ନିଷ୍ପତ୍ତି ପରେ ସମସ୍ତେ ନବୀନଙ୍କ ବିକାଶ ଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ କାମ କରିବୁ ବୋଲି ସଙ୍କଳ୍ପ ନେବା ସହ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବାକୁ ଆହ୍ବାନ ଦେଇଛନ୍ତି ରାଜ ।

୭୭ ବର୍ଷରେ ଦୁଇଗୁଣ ହେବ ଭାରତର ଜନସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ : ଭାରତରେ ଶେଷଥର ଜନଗଣନା ୨୦୧୧ରେ ହୋଇଥିଲା | ସେତେବେଳେ ଚୀନ୍ ପରେ ଭାରତ ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ ଥିଲା ଏବଂ ଦେଶର ଜନସଂଖ୍ୟା ୧୨୧ କୋଟି ଥିଲା । ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA) ଭାରତର ସର୍ବଶେଷ ଜନସଂଖ୍ୟା ରିପୋର୍ଟ ପ୍ରକାଶ କରିଛି। ଯାହା ଅନୁଯାୟୀ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇପାରିଛି। ଭାରତର ଜନସଂଖ୍ୟା ୧୪୪ କୋଟିରେ ପହଞ୍ଚିଛି। ଏଥିରେ ୨୪ପ୍ରତିଶତ ଜନସଂଖ୍ୟା ଶୂନରୁ ରୁ ୧୪ ବର୍ଷ ତଳେ ରହିଛି | ଏହି ରିପୋର୍ଟରେ ମଧ୍ୟ ଆକଳନ କରାଯାଇଛି ଯେ ଆସନ୍ତା ୭୭ ବର୍ଷରେ ଭାରତର ଜନସଂଖ୍ୟା ଦ୍ୱିଗୁଣିତ ହେବ। ଜନସଂଖ୍ୟା ସହିତ ଏହି ରିପୋର୍ଟରେ ନବଜାତ ଶିଶୁର ମୃତ୍ୟୁ, ମହିଳାଙ୍କ ସ୍ଥିତି ଏବଂ LGBTQ ଇତ୍ୟାଦି ବିଷୟରେ ମଧ୍ୟ ତଥ୍ୟ ଦିଆଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତରେ ମାତୃ ମୃତ୍ୟୁହାର ବହୁତ କମ ରହିଛି ।

ତଥ୍ୟ ଅନୁସାରେ କେଉଁ ବୟସର କେତେ ଲୋକ ?

ଭାରତର ୧୪୪.୧୭ କୋଟି ଜନସଂଖ୍ୟା ମଧ୍ୟରୁ ୨୪ପ୍ରତିଶତ ଶୂନରୁ ୧୪ ବର୍ଷ ବୟସରେ ଥିବାବେଳେ ୧୭ ପ୍ରତିଶତ ୧୦ରୁ୧୯ ବର୍ଷ ବୟସରେ ଅଛନ୍ତି। କେବଳ ଏତିକି ନୁହେଁ, ୧୦ରୁ୨୪ ବର୍ଷ ବୟସ ବର୍ଗରେ ମଧ୍ୟ ଭାରତରେ ୨୬ ପ୍ରତିଶତ ଥିବାବେଳେ ୧୫ରୁ୬୪ ବର୍ଷ ବୟସରେ ସର୍ବାଧିକ ୬୮ ପ୍ରତିଶତ ରହିଛି। ଏହା ବ୍ୟତୀତ ଭାରତର ଜନସଂଖ୍ୟାର ୭ ପ୍ରତିଶତ ୬୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ, ଯେଉଁଥିରେ ପୁରୁଷଙ୍କ ଆୟୁ ୭୧ ବର୍ଷ ଏବଂ ମହିଳାଙ୍କ ବୟସ ୭୪ ବର୍ଷ ଅଟେ।

ମାତୃ ମୃତ୍ୟୁହାର ଭାରତରେ କମିଛି !

ରିପୋର୍ଟରେ କୁହାଯାଇଛି ଯେ ଭାରତରେ ମାତୃ ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି। ଯାହାକି ବିଶ୍ୱରେ ମାତ୍ର ୮ ପ୍ରତିଶତ ଅଟେ | ଭାରତରେ ଏହି ସଫଳତାର ଶ୍ରେୟ ଜନସାଧାରଣଙ୍କୁ ସୁଲଭ ତଥା ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ତଥା ଲିଙ୍ଗଗତ ଭେଦଭାବ ହ୍ରାସ କରିବା ପାଇଁ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି । ୟୁଏନଏଫପିଏ ​​ଗ୍ଲୋବାଲ ଜନସ୍ୱାସ୍ଥ୍ୟ ରିପୋର୍ଟକୁ ଦର୍ଶାଇ କହିଛି ଯେ ଏହି ସର୍ଭେରୁ ଜଣାପଡିଛି ଯେ ଭାରତର ୬୪୦ ଟି ଜିଲ୍ଲାର ଏକ ତୃତୀୟାଂଶ ମାତୃ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିଛନ୍ତି।

ମା’ଙ୍କ ସ୍ୱପ୍ନ ଥିଲା ଅନିମେଷଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ବ୍ୟୁରୋ ରିପୋର୍ଟ: ୨୦୨୩-୨୪ UPSC ରେଜଲ୍ଟରେ ଓଡ଼ିଆ ଛାତ୍ର ଅନିମେଷ ପ୍ରଧାନ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ସେ ପ୍ରଥମ ପ୍ରୟାସରେ ହିଁ UPSC ସିଭିଲ ସର୍ଭିସ ପରୀକ୍ଷାରେ ଉର୍ତ୍ତୀନ ହୋଇଛନ୍ତି । ଜୀବନରେ ସଫଳତା ପାଇବା ପଛରେ ଅନେକ ସଂଘର୍ଷ କରିଛନ୍ତି ଅନିମେଷ। ଅନିମେଷ ସ୍କୁଲରେ ପଢୁଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ମା’ଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଥିଲା। ଏଭଳି ପରିସ୍ଥିତିରେ UPSC ପରି ପରୀକ୍ଷାରେ ଟପ୍ କରିବା ତାଙ୍କ ପରିବାରର ଅଦମ୍ୟ ସାହସ ଏବଂ ସମର୍ଥନର ଫଳାଫଳ ବୋଲି କହିଛନ୍ତି ଅନିମେଷ ।

ଅନିମେଷ ପ୍ରଧାନ ରାଉରକେଲାର ଏନ୍‌ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ କରିଛନ୍ତି। ଏହାପରେ ସେ ଭାରତୀୟ ତୈଳ ନିଗମରେ କାମ କରିବା ଆରମ୍ଭ କରିଥିଲେ। ସେହି ସମୟରେ ସେ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ ।  ଅନିମେଷ କହିଛନ୍ତି ଯେ, ତାଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା । ତାଙ୍କ ବାପାଙ୍କର ଯେତେବେଳେ ମୃତ୍ୟୁ ହୋଇଥିଲା ସେତେବେଳେ ସେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାଠ ପଢୁଥିଲେ। ପରେ ମାଆ କର୍କଟ ରୋଗରେ ପୀଡିତ ଥିବା ଅନିମେଷ ଜାଣିବାକୁ ପାଇଥିଲେ । ତାଙ୍କର UPSC ପ୍ରସ୍ତୁତି ସମୟରେ ଏହି ସବୁ ଘଟିଥିଲା, କିନ୍ତୁ ଅନିମେଷ କେବେ ହାର ମାନିନଥିଲେ। ସେ ତାଙ୍କ ମା’ଙ୍କ ଚିକିତ୍ସା ସହିତ ଅଧ୍ୟୟନ ଜାରି ରଖିଥିଲେ।

ଅନିମେଷ କହିଛନ୍ତି, ସେ ତାଙ୍କ ମା’ଙ୍କ ସ୍ୱପ୍ନ ପୂରଣ କରିଛନ୍ତି । ତାଙ୍କ ମାଆଙ୍କର ଇଚ୍ଛା ଥିଲା ଯେ, ସେ ଜଣେ ଆଇଏଏସ୍ ଅଧିକାରୀ ହୁଅନ୍ତୁ । ତାଙ୍କ ମାଆଙ୍କ ମୃତ୍ୟୁ ପରେ ଅନିମେଷ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଅଧିକ ପରିଶ୍ରମ କରିଥିଲେ । ସେ କହିଥିଲେ ଯେ, ତାଙ୍କର ଏହି ପ୍ରୟାସ କେବଳ ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ମା’ଙ୍କ ତ୍ୟାଗ ପାଇଁ ।

ଅନିମେଷ ୟୁପିଏସସିର କଠିନ ପରୀକ୍ଷାକୁ ଅତିକ୍ରମ କରି ତାଙ୍କ ମାଆଙ୍କ ସ୍ୱପ୍ନକୁ ସାକାର କରିଛନ୍ତି । ଅନିମେଶଙ୍କ ଜୀବନ କାହାଣୀ ଅନ୍ୟଙ୍କୁ ପ୍ରେରଣା ଦେବା ସହ ଲକ୍ଷ୍ୟ ପଥରେ ଆଗକୁ ବଢିବାର ସାହାସ ଦେବ। ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ହେଲେ ଆଶା ଏବଂ ନିଷ୍ଠା ରହିବା ନିହାତି ଆବଶ୍ୟକ  ।

ମହିଳାଙ୍କ ଚରିତ୍ର ସଂହାର କରୁଛି ବିଜେପି; ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ତୃଣମୂଳ ସ୍ତରରେ ମହିଳାଙ୍କ ଚରିତ୍ର ସଂହାର କରୁଛି ବିଜେପି। ମୁଖ୍ଯ ନିର୍ବାଚନ କମିଶନଙ୍କ ନାଁ ନେଇ ଧମକ ଦେଉଛନ୍ତି। କଥା ନମାନିଲେ ପରିଣାମ ଭୋଗିବ ବୋଲି ନାଲି ଆଖି ଦେଖାଉଛନ୍ତି । ପ୍ରତ୍ୟେକ ନିର୍ବାଚନ ଓ ଉପନିର୍ବାଚନ ପୂର୍ବରୁ ମହିଳାଙ୍କୁ ଏଭଳି ଧମକାଉଛନ୍ତି ବିଜେପି ନେତା ଓ କର୍ମୀ। ଏନେଇ ଅଭିଯୋଗ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି। ରାଜ୍ଯର ମହିଳାମାନଙ୍କ ସ୍ୱାସ୍ଥ୍ୟରକ୍ଷା ଦିଗରେ ଆଶାକର୍ମୀମାନେ ତୃଣମୂଳସ୍ତରରେ କାମ କରୁଛନ୍ତି। ଛୁଆଙ୍କ ପୋଷଣ ପାଇଁ ଅଙ୍ଗନବାଡି କର୍ମୀମାନେ କାମ କରୁଛନ୍ତି।

ସେହିଭଳି ମହିଳା ସଶକ୍ତିକରଣ ଦିଗରେ କାମ କରୁଛନ୍ତି ମିଶନ ଶକ୍ତି ମହିଳା। ତେବେ ତୃଣମୂଳସ୍ତରରେ କାର୍ଯ୍ଯରତ ମହିଳାଙ୍କୁ କାହିଁକି ଇର୍ଷା କରୁଛି ବିଜେପି ବୋଲି ପ୍ରଶ୍ନ କରିଛି ବିଜେଡି। ବିଜେପିର ଏହି ଗୁଣ୍ଡାରାଜ ଉପରେ ଦୃଷ୍ଟି ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି ବିଜେଡି। ବିଜେଡିର ଏକ ଟିମ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

 

ବିଜେଡି ପ୍ରାର୍ଥୀ ତାଲିକାରେ ପୁଣି ମହିଳାଙ୍କୁ ଗୁରୁତ୍ବ

ଭୁବନେଶ୍ୱର: ବିଜେଡି ପ୍ରାର୍ଥୀ ତାଲିକାରେ ପୁଣି ମହିଳାଙ୍କୁ ଗୁରୁତ୍ବ। ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି ୬ ମହିଳା। ମୋଟ ୯ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ ମହିଳା ପ୍ରାର୍ଥୀ ଅଛନ୍ତି। ଘୋଷିତ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଚିତ୍ରକୋଣ୍ଡାରୁ ପ୍ରାର୍ଥୀ ହୋଇଛନ୍ତି ଲକ୍ଷ୍ମୀପ୍ରିୟା ନାୟକ। ସେହିପରି ପଦମପୁରରୁ ପ୍ରାର୍ଥୀ ହୋଇଛନ୍ତି ବର୍ଷା ସିଂ ବରିହା। ଦେବଗଡରୁ ଅରୁନ୍ଧତୀ କୁମାରୀ ଦେବୀ, ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପ୍ରାର୍ଥୀ ହୋଇଛନ୍ତି। ଅନୁଗୁଳରୁ  ସଂଯୁକ୍ତା ସିଂ ପ୍ରାର୍ଥୀ ହୋଇଥିବାବେଳେ ଜୟପୁରରୁ ପ୍ରାର୍ଥୀ ହୋଇଛନ୍ତି ଇନ୍ଦିରା ନନ୍ଦ।

ପୂର୍ବରୁ ବିଜେଡି ୨୧ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ଆଜି ଆଉ ୬ ଜଣଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବର୍ତ୍ତମାନ ଘୋଷଣା ହୋଇଥିବା ମୋଟ ୧୨୬ ଆସନ ମଧ୍ୟରୁ ମୋଟ ୨୭ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି।

୧୯ ଏପ୍ରିଲରେ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ

ଅରୁଣାଚଳପ୍ରଦେଶ: ଆସନ୍ତା ୧୯ ଏପ୍ରିଲରେ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ। ୬୦ ସଦସ୍ଯ ବିଶିଷ୍ଟ ନିର୍ବାଚନ ଲାଗି ପ୍ରଚାର ଶେଷ ହୋଇଛି। ଆସନ୍ତା ୨ ଜୁନରେ ଅଛି ଗଣତି। ଆସନ୍ତା ୨ ଜୁନରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଥିବା ଦୃଷ୍ଟିରୁ ଏହା ପୂର୍ବରୁ ସମସ୍ତ ପ୍ରକ୍ରିୟା ଶେଷ ହେବ। ୬୦ ଆସନ ମଧ୍ଯରୁ ବର୍ତ୍ତମାନ ସୁଦ୍ଧା ବିଜେପି ୧୦ ଆସନରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇସାରିଛନ୍ତି। ସେମାନଙ୍କ ମଧ୍ଯରେ ମୁଖ୍ଯମନ୍ତ୍ରୀ ପେମା ଖାଣ୍ଡୁ ଅଛନ୍ତି। କେତେକ ପ୍ରଥମ ଥର ଲାଗି ନିର୍ବାଚିତ ବିଧାୟକ ବି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ୫୦ ଆସନରେ ବିଜେପି ପ୍ରାର୍ଥୀ ଦେଇଥିବାବେଳେ ୧୯ ଆସନରେ ପ୍ରତିର୍ଦ୍ବନ୍ଦିତା କରୁଛି କଂଗ୍ରେସ। ଏନପିପି ୨୦ ଆସନରେ ପ୍ରାର୍ଥୀ ଦେଇଛି। ରାଜ୍ଯରେ ୨ ହଜାର ୨୨୬ ପୋଲିଂ ବୁଥ ହୋଇଥିବାବେଳେ ଭୋଟ ଦେବେ ୮ ଲକ୍ଷ ୮୬ ହଜାରରୁ ଅଧିକ ଭୋଟର।

ତେବେ କଂଗ୍ରେସ ନେତା ଅରୁଣାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବାମ ଟୁକି ଅରୁଣାଚଳ ୱେଷ୍ଟରୁ ଲୋକସଭା ନିର୍ବାଚନ ଲଢୁଛନ୍ତି। ୨୦୧୪ ନିର୍ବାଚନରେ କିରେନ ରିଜିଜୁ ଅରୁଣାଚଳ ପଶ୍ଚିମ ଆସନରୁ କଂଗ୍ରେସର ନବାମ ଟୁକିକୁ ପରାସ୍ତ କରି ବିଜୟୀ ହୋଇଥିଲେ। ୨୦୧୪ରୁ ସାଂସଦ ଅଛନ୍ତି କିରନ ରିଜିଜୁ। ସେହିପରି ବିଜେପିର ଅନ୍ୟତମ ଆଉ ଜଣେ ନେତା ହେଉଛନ୍ତି ତାପିର ଗାଓ। ସେ ବିଜେପିରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି। ତାପିର ଗାଓ ଅରୁଣାଚଳ ପୂର୍ବ ଆସନରୁ କଂଗ୍ରେସ ପ୍ରତିଦ୍ୱନ୍ଦି ଲୋୱାଙ୍ଗଚା ୱାଙ୍ଗଲାଟକୁ ବିପୁଳ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ।୨୦୧୯ରେ ସେ ଅରୁଣାଚଳ ପୂର୍ବ ଆସନରୁ ବିଜୟୀ ହୋଇଥିଲେ। ଅରୁଣାଚଳରେ କଂଗ୍ରେସର ଜଣେ ଅନ୍ୟତମ ନେତା ହେଉଛନ୍ତି ନବାମ ଟୁକି। ଅରୁଣାଚଳ ପଶ୍ଚିମ ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ରହି ସାରିଛନ୍ତି। ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ନବାମ ଟୁକି ଥିଲେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ।

ଶ୍ରୀରାମଙ୍କ ମସ୍ତକରେ ସୂର୍ଯ୍ୟ କିରଣ

ଅଯୋଧ୍ୟା: ଆଜି ପବିତ୍ର ରାମନବମୀ। ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଜନ୍ମୋତ୍ସବକୁ ଧୁମଧାମରେ ପାଳନ କରାଯାଉଛି। ଏହି ଅବସରରେ ଏକ ଅଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ରୀରାମଙ୍କ ମସ୍ତକରେ ପଡିଛି ସୂର୍ଯ୍ୟକିରଣ। ଅଯୋଧ୍ୟାରେ ବିରାଜମାନ ପ୍ରଭୁ ଶ୍ରୀରାମଙ୍କ ମସ୍ତକାଭିଷେକ କରିଛନ୍ତି ଏହି ସୂର୍ଯ୍ୟ କିରଣ । ରାମଲାଲାଙ୍କ ମସ୍ତକରେ ୫ ମିନିଟ ଯାଏଁ ସୂର୍ଯ୍ୟଙ୍କ କିରଣ ପଡିଛି। ଦିନ ୧୨ଟାରେ ଶ୍ରୀରାମଙ୍କ ଜନ୍ମ । ଠିକ୍ ସେହି ସମୟରେ ମର୍ଯ୍ୟାଦାପୁରୁଷଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯାଇଛି।

ସୂଚନା ଅନୁୟାୟୀ, ରାମ ମନ୍ଦିରର ତୃତୀୟ ମହଲାରେ ସ୍ଥାପିତ କରାଯାଇଛି ଆପ୍ଟୋ ମେକାନିକାଲ ସିଷ୍ଟମ । ଯେଉଁଠୁ ଦର୍ପଣ ଉପରେ ପଡୁଥିବା ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ଭର୍ଟିକାଲ ପାଇପ ଜରିଆରେ ଆସି ରାମଲାଲାଙ୍କ ମସ୍ତକରେ ପଡିଛି । ଏଥିପାଇଁ ସମସ୍ତ ବନ୍ଦୋବସ୍ତ ହୋଇଥିଲା । ତେବେ ରାମଲାଲାଙ୍କ ମସ୍ତକରେ ପାଖାପାଖି ୫ ମିନିଟ ଧରି ପଡ଼ିଛି ସୂର୍ଯ୍ୟକରଣ । ଏହି ଗୋଲାକାର ତିଲକର ଆକାର ୭୫ ମିଲିମିଟର ରହିବ । ରାମ ମନ୍ଦିର ଗର୍ଭଗୃହରେ ସୂର୍ଯ୍ୟ କିରଣ ପହଞ୍ଚାଇବା ନେଇ ଗତ ୧୫ ଦିନ ଧରି ଜୋରସୋରରେ ପ୍ରସ୍ତୁତି ଚାଲିଥିଲା । ଏଥିରେ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ରୁରକିର ବୈଜ୍ଞାନିକମାନେ ନିୟୋଜିତ ରହିଥିଲେ। ସୂର୍ଯ୍ୟକିରଣ ପାଇଁ ରିଫ୍ଲେକ୍ଟର, ଦୁଇଟି ଦର୍ପଣ, ତିନୋଟି ଲେନ୍ସ ଏବଂ ଭର୍ଟିକାଲ ପାଇପ ଯୋ ଗେ ମାର୍ଗ ପରିବର୍ତ୍ତନ ନେଇ ସଫଳ ପରୀକ୍ଷଣ କରାଯାଇଥିଲା । ପ୍ରଥମେ ତୃତୀୟ ମହଲାରେ ଏକ ରିଫ୍ଲେକ୍ଟର ବକ୍ସ ଲଗାଯାଇଛି। ଯାହା ମୁଖ୍ୟ ଲେନ୍ସ ଭାବେ କାମ କରିବ । ବିନା ବିଦ୍ୟୁତରେ ଏହା ୧୯ ଗିୟରରେ କାମ କରିବ ବୋଲି ସୂଚନା ଥିଲା ।