ଭୁବନେଶ୍ବର: ମହିଳାଙ୍କୁ ଦୁର୍ବ୍ୟବହାର ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼। ଏଭଳି ମେସେଜ ଦେଇ କମିଶନରେଟ ପୋଲିସ ଆରମ୍ଭ କରିଛି HER ବା High Efficiency Response । କୌଣସି କର୍ମଜୀବୀ ମହିଳାଙ୍କୁ ଦୁର୍ବ୍ୟବହାର ବା ମହିଳାଙ୍କୁ ନିର୍ଯ୍ୟାତନା ଘଟଣାରେ ଆକ୍ସନ ନେଉଛି ଏହି ଟିମ । କିଛିଦିନ ତଳେ ହାଇଟେକ ମେଡ଼ିକାଲ କଲେଜର ଜଣେ ନର୍ସଙ୍କୁ ଦୁର୍ବ୍ୟବହାର ଘଟଣାରେ ଆକ୍ସନ ନେଇଛି ପୋଲିସ । ସେହିଭଳି ଗତକାଲି ରାମ ନବମୀ ବେଳେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଟିମର ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ସୁରକ୍ଷା। ଏ ଟିମ ର ନେତୃତ୍ୱ ନେଉଛନ୍ତି ଏସିପି ଅଞ୍ଜନା ଟୁଡୁ । ମୋଟ ୧୪ ଜଣ ମହିଳା ପୋଲିସ ଅଫିସର ଏହି ଟିମ ର ମେମ୍ବର ରହିଛନ୍ତି । ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ନମ୍ବର ହେଉଛି ୬୩୭୨୫୦୦୪୦୦। ଯେଉଁମାନେ ଅସୁବିଧା ସମୟରେ ଏହି ନମ୍ବରକୁ କଲ କରିବେ ସେମାନଙ୍କ ନମ୍ବର ମଧ୍ୟ ଗୋପନ ରଖାଯିବ। ପୋଲିସ ମଧ୍ୟ ଅଧିକାଂଶ କେସରେ ନିଜ ତରଫରୁ କେସ ରୁଜୁ କରୁଛି। ପିସିଆର ନମ୍ବର ୧୧୨ କୁ କଲ କଲେ ମଧ୍ୟ ଏହି ନମ୍ବରକୁ ଡାଇଭର୍ଟ କରାଯାଉଛି। ଖଟି, ମାର୍କେଟ, ପାର୍କ ରେ ସାଦା ପୋଷାକରେ ପଇଁତରା ମାରୁଛନ୍ତି ଏହି ମହିଳା ସ୍କ୍ୱାର୍ଡ। ଆଗକୁ ଏହି ଟିମ ମହିଳାଙ୍କୁ ଦୁର୍ବ୍ୟବହାର ଓ ନିର୍ଯ୍ୟାତନା ଘଟଣାରେ ଅଭିଯୁକ୍ତଙ୍କୁ ଦୃଢ଼ ହସ୍ତରେ ଦମନ କରିବ ବୋଲି କହିଛନ୍ତି ଡିସିପି।
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
କଟକ: ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ। ୯୧ ବର୍ଷ ବୟସରେ ସଚ୍ଚି ଦାସଙ୍କ ଦେହାନ୍ତ ହୋଇଛି। କଟକ ତୁଳସୀପୁର ସ୍ଥିତ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଛି। ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଜଗତର ପ୍ରଖ୍ୟାତ ଅଭିନେତା ଓ ଯାତ୍ରା ଜଗତର କିମ୍ବଦନ୍ତୀ ନିର୍ଦ୍ଦେଶକ ଡ଼ଃ ସଚ୍ଚି ଦାସଙ୍କର ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଛି। ଏହି ଖବର ଜଣା ପଡିବା ପରେ ତାଙ୍କ ଜନ୍ମସ୍ଥାନ ବରୀ ସହିତ ସମଗ୍ର ରାଜ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଶେଷ କରି ରାଜ୍ୟର ସମସ୍ତ କଳାକାର ଓ ଅଗଣିତ ଦର୍ଶକଙ୍କୁ ଏହି ଖବର ବ୍ୟଥିତ କରିଛି। ଓଡ଼ିଶା ନାଟ୍ୟମଞ୍ଚର ଅପ୍ରତିଦ୍ୱନ୍ଦ୍ୱୀ ଅଭିନେତା ଓ ନିର୍ଦ୍ଦେଶକ ସଚ୍ଚି ଦାସ। କଟକରୁ ତାଙ୍କ ମର ଶରୀର ବରୀ ଆନନ୍ଦପୁର ସ୍ଥିତ ବାସ ଭବନକୁ ଅଣାଯାଇ ନିଜ ପୈତୃକ ଗାଁ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ।
ଯାଜପୁର ବରୀରେ ଏକ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ପିଲା ବେଳୁ କଳା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା । ବୟସ ବଢ଼ିବା ସହିତ ସେ କଳା ଜଗତରେ ନିଜକୁ ବେଶ ପ୍ରତିଷ୍ଠିତ କରିଥିଲେ। ସେ ବିଭିନ୍ନ ଚଳଚ୍ଚିତ୍ର, ମେଗା ଧାରାବାହିକରେ ଅଭିନୟ କରିବା ସହିତ ଜଣେ ନିର୍ଦ୍ଦେଶକ ଭାବେ ମଧ୍ୟ ବେଶ ସୁନାମ ଅର୍ଜନ କରିଥିଲେ। ବିଶେଷ କରି ଯାତ୍ରା ଜଗତରେ ଜଣେ ନିର୍ଦ୍ଦେଶକ ଭାବେ ସେ ବେଶ ସୁନାମ ଓ ଲୋକପ୍ରିୟତା ଅର୍ଜନ କରିଥିଲେ। ତାଙ୍କ ନିର୍ଦ୍ଦେଶନାରେ ଅନେକ ଯାତ୍ରା ବିଶେଷ ଲୋକପ୍ରିୟ ହୋଇ ପ୍ରଶଂସା ସାଉଁଟିଥିଲା ବେଳେ ତାଙ୍କ ନିର୍ଦ୍ଦେଶନାରେ ଶାଗୁଣା ବସିଛି ଡେଣା ମେଲାଇ ନାଟକ ବେଶ ସଫଳ ଓ ଲୋକପ୍ରିୟ ହୋଇଥିଲା। ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରା ନାଟକ ଏପର୍ଯ୍ୟନ୍ତ ସର୍ବମାନ୍ୟ ରେକର୍ଡ ଅର୍ଜନ କରିଛି। ଓଡ଼ିଆ ଚଳଚ୍ଚିତ୍ର ‘ତଅପୋଇ’, ‘ମେଘମୁକ୍ତି’, ‘ଅଗ୍ନି ପରୀକ୍ଷା’, ‘ଏ ନୁହେଁ କାହାଣୀ’ ର ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଅର୍ଦ୍ଧ ସହସ୍ର ମଞ୍ଚ ନାଟକ ଓ ଚାରିଶହରୁ ଅଧିକ ଯାତ୍ରା ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଆ ଯାତ୍ରା ଜଗତକୁ ନୂତନ ତଥା ଆଧୁନିକ ରୂପ ଦେବାରେ ତାଙ୍କର ଅଗ୍ରଣୀ ଭୂମିକା ରହିଛି।
ମଞ୍ଚ, ଯାତ୍ରା, ଧାରାବାହିକ ଓ ଚଳଚ୍ଚିତ୍ର ଜଗତ ପ୍ରତି ଅବଦାନ ନିମନ୍ତେ ୨୦୧୮ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପାଇଥିଲେ।। ୨୦୦୦-୨୦୦୧ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନାଟ୍ୟ ନିର୍ଦ୍ଦେଶନା ପୁରସ୍କାରରେ ସମ୍ମାନିତ ଏବଂ ୨୦୧୫-୧୬ରେ ନାଟ୍ୟକଳା କ୍ଷେତ୍ରରେ ଆଜୀବନ ସାଧନା ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନରେ ସମ୍ମାନୀତ ହୋଇଥିଲେ ସଚ୍ଚି ଦାସ।
ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ
ଅନୁଗୁଳ: ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ୧୦ ବର୍ଷ ଧରି କେନ୍ଦ୍ର ମନ୍ତ୍ରୀ ପଦରେ ରହି ଓଡ଼ିଶା ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ। ଅନୁଗୁଳ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ତୁରଙ୍ଗ ପଡିଆରେ ପହଞ୍ଚି ପ୍ରଣବ କର୍ମୀ ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ସେ ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କରିଛନ୍ତି। ଜାତୀୟ ରାଜପଥ ଦୁରାବସ୍ଥା ନେଇ ଘେରିଥିବାବେଳେ କେନ୍ଦ୍ର ସରକାର ୧୦ ବର୍ଷରେ ଓଡ଼ିଶାର ବିକାଶ ଦିଗରେ କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ।
ସୂଚନା ଅନୁଯାୟୀ, ଆୟୋଜିତ କର୍ମୀ ସମ୍ମିଳନୀରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବହୁ ନେତା ଓ କର୍ମୀ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ। ଏହି ଅବସରରେ ତାଙ୍କ ସହିତ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା ମଧ୍ୟ ଉପସ୍ଥିତ ରହିଥିଲେ।

