କାଲି ଦେଶରେ ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ୍

1 min read

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ-୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଶେଷ ହୋଇଛି। ଆସନ୍ତା ୧୯ ତାରିଖ ଦିନ ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ୧୦୨ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏଥର ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ଜୁନ୍ ୧ରେ ମତଦାନ ପ୍ରକ୍ରିୟା ଶେଷ ହେବ ଏବଂ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିବସରେ ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସ ପକ୍ଷରୁ ମାରାଥନ ପ୍ରଚାର ଦେଖିବାକୁ ମିଳିଛି। ଉଭୟ ଦଳର ବରିଷ୍ଠ ନେତାମାନେ ବିଭିନ୍ନ ରାଜ୍ୟରେ ରାଲି, ରୋଡ୍ ସୋ ଏବଂ ଘରକୁ ଘର ପ୍ରଚାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ଓ ତ୍ରିପୁରାରେ ୨ଟି ମେଗା ରାଲିରେ ଉଦ୍ବୋଧନ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କର୍ଣ୍ଣାଟକରେ ଦୁଇଟି ରାଲିରେ ଉଦ୍ବୋଧନ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେରଳରେ ୩ଟି ରାଲି କରିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଆଜି ଉତ୍ତରପ୍ରଦେଶର ଶାହରଣପୁରରେ ଏକାଧିକ ଜନସଭାରେ ଉଦ୍ବୋଧନ ଦେଇଛନ୍ତି।