spot_img
Home Blog Page 1895

ଶେଷ ହେଲା ୩୨ ଆସନ ବିଶିଷ୍ଟ ସିକ୍କିମରେ ବିଧାନସଭା ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ : ୩୨ ଆସନ ବିଶିଷ୍ଟ ସିକ୍କିମରେ ଗୋଟିଏ ପର୍ଯ୍ଯାୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଆସନ୍ତା ଜୁନ ୨ରେ ବିଧାନସଭା କାର୍ଯ୍ୟକାଳ ସରୁଥିବା ଦୃଷ୍ଟିରୁ ତା ପୂର୍ବରୁ ସରିବ ନିର୍ବାଚନ ପ୍ରକ୍ରିୟା । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ନେତା ପ୍ରେମ ସିଂ ତାମଙ୍ଗ ମୁଖ୍ଯମନ୍ତ୍ରୀ ଥିବାବେଳେ ପୁଣି ଥରେ ସେ କ୍ଷମତା ଦଖଲ କରିବାକୁ ଆଶାବାଦୀ । ୩୨ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏ ମେଣ୍ଟ ସଦସ୍ୟ ସଂଖ୍ଯା ରହିଛି ୩୦ । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ୧୯ ବିଧାୟକ ଥିବାବେଳେ ବିଜେପିର ଅଛନ୍ତି ୮ ବିଧାୟକ । ବିରୋଧୀ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟର ଜଣେ ଓ ସ୍ବାଧୀନ ବିଧାୟକ ଅଛନ୍ତି ୩ ଜଣ । ରାଜ୍ଯରେ ମୋଟ ଭୋଟର ସଂଖ୍ୟା ଅଛନ୍ତି  ଲକ୍ଷ ୬୬ହଜାର । ୩୨ ଆସନ ଲାଗି ମୋଟ ପ୍ରାର୍ଥୀ ସଂଖ୍ଯା ଅଛନ୍ତି ୧୪୭ । ମଇଦାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ ଓ ପାଞ୍ଚଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ ନେତା ପଓ୍ବନ କୁମାର ଚାମଲିଂ । ସୋରେଙ୍ଗ-ଚାକୁଙ୍ଗ ଓ ରେନୋକ ଅର୍ଥାତ ଦୁଇଟି ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ । ପୋକଲୋକ-କାମରଙ୍ଗ ଆସନରୁ ପବନ କୁମାର ଚାମଲିଂ ଲଢୁଥିବାବେଳେ ନାମଚିଂ-ସିଙ୍ଗଥାଙ୍କ ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କ୍ରିଷ୍ଣା କୁମାରୀ ରାୟ ।

ଚଳିତ ବର୍ଷ ପ୍ରଥମ ଥର ୪୪ ଡିଗ୍ରୀ ଡେଇଁଲା ତାତି

ଭୁବନେଶ୍ବର : ଜଳିଲା ଉପାନ୍ତରୁ ଉପକୂଳ । ସବୁଠି ଆକାଶରୁ ବର୍ଷୁଥିଲା ଦାଉ ଦାଉ  ନିଆଁ । ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳୁ ଅସ୍ତବ୍ୟସ୍ତ କରିଥିଲା ଜନଜୀବନ । ମଝିରେ ମଝିରେ ଜାଞ୍ଜି ପବନ ବିଚଳିତ କରିଥୁଲା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ଯ ଗୁଳୁଗୁଳି ଯୋଗୁଁ ଜୀବନ ଦୁର୍ବିସହ ହୋଇପଡିଛି । ଆଜି ୩୨ ସହରରେ ୪୦ ଡ଼ିଗ୍ରୀରୁ ଅଧିକ  ତାପମାତ୍ରା ରେକର୍ଡ ହୋଇଛି । ୧୦ ସହର ରେ  ୪୩ ଡ଼ିଗ୍ରୀ ଅଧିକ ରେକର୍ଡ ହେଲା ତାପମାତ୍ରା  । ୨୧ ଯାଏଁ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିବ  । ୪୪.୩ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ସେପଟେ ଗ୍ରୀଷ୍ମ ପ୍ରବାହ କରଣରୁ ଚଳିତ ବର୍ଷ ପ୍ରଥମ ଅଂଶୁଘାତରେ ମୃତ୍ୟୁ ଘଟଣା ବାଲେଶ୍ୱର ଭୋଗରାଇରୁ ସାମ୍ନକୁ ଆସିଛି । ଭୋଗରାଇ ମହେଶ୍ୱରପୁରର ୬୨ ବର୍ଷୀୟ ଲକ୍ଷ୍ମୀକାନ୍ତ ସାହୁଙ୍କର ମୃତ୍ୟୁ ହୋଇଥିବା ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଘରୋଇ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଲିଛି ଜଳଛତ୍ର ଓ ସେବା କେନ୍ଦ୍ର। ୧୧ଟା ପରେ ବେପାର ନଥିବାରୁ ଦୋକାନ ସବୁ ବନ୍ଦ ହୋଇଯାଉଛି। ତେବେ ଥଣ୍ଡା ପାନୀୟ ଦୋକାନରେ ଲାଗୁଛି ଭିଡ଼।

ଶେଷ ହେଲା ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ : ଲୋକସଭା  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସହ ଶେଷ ହୋଇଛି ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ। ୬୦ ସଦସ୍ଯ ବିଶିଷ୍ଟ ଅରୁଣାଚଳ ପ୍ରଦେଶରେ ୧୦ଟିରେ ବିଜେପି ପ୍ରାର୍ଥୀ ନିର୍ଦ୍ବେନ୍ଦ୍ବ ହୋଇଥିବାରୁ ଅବଶିଷ୍ଟ ୫୦ ଆସନରେ ହୋଇଛି ଭୋଟ।  ମୁଖ୍ଯମନ୍ତ୍ରୀ ପେମା ଖାଂଡୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ରାଜ୍ଯରେ ୨ ହଜାର ୨୨୬ ପୋଲିଂ ବୁଥ ହୋଇଥିବାବେଳେ ଭୋଟ ଦେଇଛନ୍ତି ୮ ଲକ୍ଷ ୮୬ ହଜାରରୁ ଅଧିକ ଭୋଟର। ତେବେ କଂଗ୍ରେସ ନେତା ଅରୁଣାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବାମ ଟୁକି ଅରୁଣାଚଳ ୱେଷ୍ଟରୁ ଲୋକସଭା ନିର୍ବାଚନ ଲଢୁଛନ୍ତି। ୨୦୧୪ ନିର୍ବାଚନରେ କିରେନ ରିଜିଜୁ ଅରୁଣାଚଳ ପଶ୍ଚିମ ଆସନରୁ କଂଗ୍ରେସର ନବାମ ଟୁକିକୁ ପରାସ୍ତ କରି ବିଜୟୀ ହୋଇଥିଲେ। ଅରୁଣାଚଳରେ କଂଗ୍ରେସର ଜଣେ ଅନ୍ୟତମ ନେତା ନବାମ ଟୁକି ଅରୁଣାଚଳ ପଶ୍ଚିମ ଆସନରୁ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି।

ଶଙ୍ଖ ଫୁଙ୍କିଲେ, ବିଜେପି ଉପରେ ବର୍ଷିଲେ

ଭୁବନେଶ୍ୱର : ଶକ୍ତିଶାଳୀ ହେଉଛି ବିଜୁ ଜନତା ଦଳ । ଲଗାତାର ଶଙ୍ଖଭବନରେ ଜାରି ରହିଛି ବିଜେଡିର ମିଶ୍ରଣ ପର୍ବ। ବିଜେପି ଓ କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ଯୋଗଦେଉଛନ୍ତି ଏକାଧିକ ନେତା ଓ ଶହ ଶହ କର୍ମୀ । ସେହି ପରିପ୍ରେକ୍ଷୀରେ ଆଠମଲ୍ଲିକ ନିର୍ବାଚନମଣ୍ଡଳିରେ ବିଜେଡି ଶକ୍ତି ବଢାଇଛି । କାରଣ ବିଜେଡିରେ ଯୋଗଦେଲେ ଭାଗୀରଥି ପ୍ରଧାନ । ବିଜେପି ଛାଡି ବିଜେଡିରେ ଯୋଗଦେଲେ ବିଜେପି ଉପରେ ବର୍ଷିଲେ । ଆଠମଲ୍ଲିକ ବିଜେପିର ବିଧାୟକ ପ୍ରାର୍ଥୀ ଥିଲେ ଭାଗୀରଥି । ୩ଥର ବିଧାୟକ ପ୍ରାର୍ଥୀ ହୋଇଥିଲେ ଭାଗୀରଥି । ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଲେ । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଥିଲା ।

ବିଜେଡିରେ ଯୋଗଦେବା ପରେ ଭାଗୀରଥି ପ୍ରଧାନ ପ୍ରତିକ୍ରିୟା ଦେଇ କହିଥିଲେ ଦଳରେ ସାମିଲ ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ, ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବି । ନବୀନ ପଟ୍ଟନାୟକଙ୍କର ବିକାଶ ମୂଳକ କାର୍ଯ୍ୟ ଭାଗୀରଥିଙ୍କୁ ପ୍ରଭାବିତ କରିଥିବା କହିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ତାଙ୍କୁ ସ୍ବାଗତ କରିଥିଲେ ସସ୍ମିତ ପାତ୍ର ।

ଇଭିଏମରେ ସିଲ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ

ନନ୍ଦିଘୋଷ ବ୍ୟୁରୋ : ସରିଲା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ଇଭିଏମରେ ସିଲ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ। ୯ କେନ୍ଦ୍ରମନ୍ତ୍ରୀ, ଦୁଇ ପୂର୍ବତନ ମୁଖ୍ଯମନ୍ତ୍ରୀ, ଜଣେ ପୂର୍ବତନ ରାଜ୍ଯପାଳ ଓ ଅନେକ ହେଭିୱେଟଙ୍କ ଭାଗ୍ଯ ନିର୍ଣ୍ଣୟ କରିଛନ୍ତି ଭୋଟର। କାଁ ଭାଁ ହିଂସା ବ୍ଯତୀତ ୨୧ ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ସରିଛି ମତଦାନ। ୧ ଲକ୍ଷ ୮୭ ହଜାର ପୋଲିଂ ଷ୍ଟେସନରେ ମତାଧିକାର ସାବ୍ଯସ୍ତ କରିଛନ୍ତି ୧୬ କୋଟି ୬୩ ଲକ୍ଷ ଭୋଟର। ତାମିଲନାଡୁର ସମସ୍ତ ୩୯ ଲୋକସଭାରେ ମତଦାନ ହୋଇଛି। ଯେଉଁ ୯ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ଯ ନିର୍ଦ୍ଧାରଣ ହୋଇଛି ସେମାନେ ହେଲେ ନୀତୀନ ଗଡକରୀ, କିରେଣ ରିଜିଜୁ, ସର୍ବାନନ୍ଦ ସୋନୱାଲ, ସଞ୍ଜୀବ ବାଲିଆନ, ଜିତେନ୍ଦ୍ର ସିଂ, ଭୂପେନ୍ଦ୍ର ଯାଦବ, ଅର୍ଜୁନ ରାମ ମେଘୱାଲ, ଏଲ. ମୁରୁଗାନ, ନୀତୀଶ ପ୍ରାମାଣିକ। ପୂର୍ବତନ ରାଜ୍ଯପାଳ ତାମିଲସାଇ ସୂନ୍ଦରରାଜନଙ୍କର ବି ହୋଇଛି ଭାଗ୍ଯ ପରୀକ୍ଷା। ପଶ୍ଚିମବଙ୍ଗ କୁଚବେହାରରେ ତୃଣମୂଳ କଗ୍ରେସ କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ଯରେ ସଂଘର୍ଷ ଘଟିଥିଲା। ଉତ୍ତରପ୍ରଦେଶ ମୁଜାଫର ନଗରରେ ବିଜେପି କର୍ମୀ ବୁଥ୍ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ମଣିପୁରର ଏକ ବୁଥରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ନିର୍ବାଚନରେ ସାରା ଦେଶରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ସାଧାରଣ ଜନତା, ନବଦମ୍ପତି, ବୃଦ୍ଧବୃଦ୍ଧା ପ୍ରମୁଖ ଭୋଟଦାନ କରିଛନ୍ତି। ଆସନ୍ତା ଏପ୍ରିଲ ୨୬ରେ ୧୨ ରାଜ୍ଯର ୮୮ ଆସନରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଜୁନ ୪ରେ ହେବ ଭୋଟ ଗଣନା।

ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ବରିଷ୍ଠ ନେତା ବିଜୟକେତନ ସ୍ବାଇଁ

ଭୁବନେଶ୍ୱର :ଶଙ୍ଖଭବନରେ ବିଜେଡିର ମିଶ୍ରଣ ପର୍ବ। ବିଜେପି ପରିତ୍ୟାଗ କରି ବିଜେଡିରେ ଯୋଗଦେଲେ ବରିଷ୍ଠ ନେତା ବିଜୟକେତନ ସ୍ବାଇଁ। ୨୦୦୯ରେ ସେ ରାଜନଗରରେ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ। ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ ୧୯୭୨ ମସିହାରୁ ଛାତ୍ର ଜୀବନରୁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ତାଙ୍କୁ ସ୍ବାଗତ କରିଥିଲେ ସସ୍ମିତ ପାତ୍ର । ବିଧାୟକ ପ୍ରତାପ ଜେନା, ଧୃବ ଚରଣ ସାହୁ,  ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବିଜୟକେତନ  ସ୍ବାଇଁଙ୍କ ସମେତ ଉମେଶ ଚନ୍ଦ୍ର ପରିଡ଼ା, ଦିବ୍ୟକାନ୍ତ ବିଶ୍ବାଳ ପ୍ରମୁଖ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ବିକାଶ ଧାରାରେ ଅନୁପ୍ରାଣିତ ହୋଇ  ବିଜେଡିରେ ମିଶିଛନ୍ତି । ଏହି ମିଶ୍ରଣ ଫଳରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇଛି।

ଡଙ୍ଗା ବୁଡ଼ି ଘଟଣାରେ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା :  ଝାରସୁଗୁଡା ଜିଲ୍ଲା ଲଖନପୁର ଶରଧାରେ ମହାନଦୀରେ ଡଙ୍ଗା ବୁଡ଼ି ଦୁର୍ଘଟଣାରେ  ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।  ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହିତ  ଉଦ୍ଧାର କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା  ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ  ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଘଟଣା ସ୍ଥଳରେ  RDC ଝାରସୁଗୁଡା ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଉଦ୍ଧାର କାର୍ଯ୍ୟ ରେ ତଦାରଖ କରିବାପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ SRC ଙ୍କୁ ନିର୍ଦେଶ ଦେଇଛନ୍ତି । ନିଖୋଜ ମାନଙ୍କୁ  ଉଦ୍ଧାର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ 5 ଜଣ ସ୍କ୍ରୁବା ଡ୍ରାଇଭର ଓ ୨ ଟି କ୍ୟାମେରା ବିମାନ ଯୋଗେ ଝାରସୁଗୁଡା ପଠାଯାଇଛି । ସୂଚନାଯୋଗ୍ୟ ଯେ ନୌକା ରେ ଥିବା ସମସ୍ତ ଯାତ୍ରୀ ଛତିଶଗଡ ଖରସେନି ଅଂଚଳର ଏବଂ ବୁଲିବା ପାଇଁ ବାଞ୍ଜିପାଲିର ପଥର ସେନିକୁ ଯାଉଥିଲେ ।

ଅପରାଜିତାଙ୍କ ବିରୋଧରେ CEO ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର : ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଅପରାଜିତା ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଶିଶୁଙ୍କୁ ବ୍ୟବହାର କରୁଛନ୍ତି । ନିର୍ଘାତ ଖରାରେ ତାଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇ ବୁଲାଉଛନ୍ତି । ବାରମ୍ବାର ସେ ଏଭଳି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ତେଣୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବି କରିଛି । ଅନ୍ୟପଟେ ପୂର୍ବରୁ ମଧ୍ୟ ଏଭଳି ଦୃଶ୍ୟ ବାରମ୍ବାର ଅପରାଜିତାଙ୍କ ରାଲି ରେ ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଛୋଟ ଛୋଟ ପିଲାଙ୍କୁ ରାଲି ରେ ବୁଲାଇବା ନିଶ୍ଚତ ଏହା ନିର୍ବାଚନ ଆଚରଣବିଧିର ଖୋଲାଖୋଲି ଉଲଂଘନ ।

‘ବିଜେପି ଓ କଂଗ୍ରେସରେ କୌଣସି ନୀତି, ଆଦର୍ଶ ନାହିଁ ‘

ମାହାଙ୍ଗା : ମାହାଙ୍ଗାରେ ବିଜେଡିରେ ମିଶିଲେ ୨୫ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ। ଫଳରେ ମାହାଙ୍ଗାରେ ବିଜେଡିର ଶକ୍ତି ଆହୁରି ବୃଦ୍ଧି ପାଇଛି । ଦଳୀୟ କର୍ମୀଙ୍କୁ ଉପେକ୍ଷା କରାଯାଉଥିବାରୁ  ବିଜେପି ଓ କଂଗ୍ରେସ କର୍ମୀ ଏବଂ ନେତା ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । କଟକ ଜିଲ୍ଲା ମାହାଙ୍ଗା  ନିର୍ବାଚନମଣ୍ଡଳୀ ମଧୁପୁର ପଞ୍ଚାୟତର ୨୫ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ମାହାଙ୍ଗା  ବିଧାୟକ ପ୍ରତାପ ଜେନାଙ୍କ ଅଳିଯୋଡ଼ାସ୍ଥିତ ବାସଭବନରେ ଆୟୋଜିତ ମିଶ୍ରଣ ପର୍ବରେ  ବିଜେଡିରେ ସାମିଲ ହୋଇଛନ୍ତି।  ସେମାନେ କହିଛନ୍ତି, ବିଜେପି  ଓ କଂଗ୍ରେସରେ କୌଣସି ନୀତି, ଆଦର୍ଶ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି, ବିକାଶ କାମ, ବିଧାୟକ ପ୍ରତାପ ଜେନା ଓ ତାଙ୍କ ପୁଅ ତଥା ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଆଗାମୀ ଦିନରେ ମଧୁପୁର ପଞ୍ଚାୟତରେ ବିଜେଡି ଶକ୍ତି ଆହୁରି ବୃଦ୍ଧି ସହ  ବିପୁଳ ଭୋଟରେ ଦଳ ବିଜୟୀ ହେବ ବୋଲି କହିଛନ୍ତି।

ଅପରାହ୍ନ ୪ଟା ସୁଦ୍ଧା କେତେ ପ୍ରତିଶତ ମତଦାନ ହୋଇଛି ଜାଣନ୍ତୁ ?

ନୂଆଦିଲ୍ଲୀ: ଆଜି ଗଣତନ୍ତ୍ରର ମହାନ ପର୍ବ । ସମସ୍ତେ ଉତ୍ସାହର ସହ ମତଦାନ କେନ୍ଦ୍ରକୁ ଯାଉଛନ୍ତି ନିଜର ମତାଧିକାର ସାବ୍ୟସ୍ତ କରିବାକୁ । ଏହି ପର୍ବ ସାତୋଟି ପର୍ଯ୍ୟାୟରେ ହେବାକୁ ଯାଉଛି, ଅାଜି ହେଉଛି ପ୍ରଥମ ପର୍ଯ୍ୟାୟ। ନୂଆ ସରକାର ବାଛୁଛନ୍ତି ଭାରତୀୟ ଭୋଟର । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଚାଲିଛି ମତଦାନ । ୨୧ଟି ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ ଲୋକସଭା ଆସନ ଲାଗି ହେଉଛି ମତଦାନ । ଏହା ସହିତ ଅରୁଣାଚଳ ପ୍ରଦେଶ ଓ ସିକ୍କିମର ବିଧାନସଭା ଲାଗି ପଡୁଛି ଭୋଟ୍ । ୧୬.୬୩ କୋଟିରୁ ଅଧିକ ଭୋଟର ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି  । ତାହେଲେ ଜାଣନ୍ତୁ ଅପରାହ୍ନ ୪ଟା ସୁଦ୍ଧା ଦେଶରେ କେତେ ପ୍ରତିଶତ ମତଦାନ ହୋଇଛି ।

ରାଜସ୍ଥାନ-୫୫.୬୩%                      ଆସାମ- ୬୦.୭%

ମଧ୍ଯପ୍ରଦେଶ-୪୪.୪୩%                    ବିହାର- ୪୪.୪୬%

ତ୍ରିପୁରା-୬୮.୩୫%                         ରାଜସ୍ଥାନ-୫୫.୬୩%

ମଣିପୁର-୪୬.୯୨%                         ଉତ୍ତରପ୍ରଦେଶ-୪୭.୪୪%

ମେଘାଳୟ-୪୮.୯୧%                       ମିଜୋରାମ-୩୭.୦୩%

ମହାରାଷ୍ଟ୍ର-୩୨.୩୬%                     ତାମିଲନାଡୁ-୩୯.୪୯%

ଅନ୍ୟପଟେ ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଥର ୩୫.୬୭ ଲକ୍ଷ ନୂଆ ଭୋଟର ମତଦାନ କରୁଛନ୍ତି  । ସକାଳ ୮ଟାରୁ ଚାଲିଛି ଭୋଟ  । ଆସନ୍ତା ଜୁନ ୪ରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ ।