spot_img
Home Blog Page 1879

ମାଆ ତାରିଣୀ ମନ୍ଦିରର ବିକାଶ ପାଇଁ ଖର୍ଚ୍ଚ ହେବ ଆଉ ୫୦ କୋଟି ଟଙ୍କା

କେନ୍ଦୁଝର : ଘଟଗାଁର ମାଆ ତାରିଣୀ ମନ୍ଦିରର ବିକାଶ ପାଇଁ ଖର୍ଚ୍ଚ ହେବ ଆଉ ୫୦ କୋଟି ଟଙ୍କା । ୫୦ କୋଟି ଟଙ୍କା ପୂର୍ବରୁ ଅନୁମୋଦନ ହୋଇ କାମ ରାଯାଉଥିବାବେଳେ ଏହାକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ଯତା ଦେବାକୁ ଆଉ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ପୂର୍ବରୁ ବିଜେଡି ସରକାର ସମୟରେ ମନ୍ଦିରର ରୂପାନ୍ତରଣ ପାଇଁ ୫୦ କୋଟି ଟଙ୍କା ଅନୁମୋଦନ ହୋଇଥିଲା । ତାହା ମିଶି ଏବେ ମୋଟ ୧୦୦ କୋଟି ଟଙ୍କାରେ ବିକାଶ କାମ କରାଯିବ ।

ମୁଖ୍ଯମନ୍ତ୍ରୀ ହେବାପରେ ଆଜି ପ୍ରଥମକରି କେନ୍ଦୁଝର ଗସ୍ତରେ ଯାଇଥିଲେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝରବାସୀ ମୁଖ୍ଯମନ୍ତ୍ରୀଙ୍କୁ ଉଚ୍ଛ୍ବସିତ ସମ୍ପର୍ଦ୍ଧନା କରିଥିଲେ । ରୋଡ ଶୋରେ ଯାଇ ମା’ ତାରିଣୀ ପୀଠରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପୂଜକଙ୍କ ସହ ଆଲୋଚନା କରିଥିଲେ ମୁଖ୍ଯମନ୍ତ୍ରୀ । ପୀଠ ଯେପରି ସାରା ଦେଶରେ ବ୍ୟାପକ ହୋଇପାରିବ, ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳୀର ମାନ୍ଯତା ପାଇବ ସେଥିପାଇଁ ରାଜ୍ଯ ସରକାର ପ୍ରତିଶୃତିବଦ୍ଧ । ଏହି ପୀଠ କିପରି ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ, ସେନେଇ କେନ୍ଦ୍ର ନିକଟରେ ଦାବି ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୭ଟି କେନ୍ଦ୍ରରେ ନିଟ୍ ୟୁଜି ପରୀକ୍ଷା ଦେଲେ ୧୫୬୩ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ନିଟ ୟୁଜି ରିଟେଷ୍ଟ। ଏନଟିଏ ପରିଚାଳିତ ନିଟ ୟୁଜିର ରିଟେଷ୍ଟ ହୋଇଛି। ୫ ମେରେ ହୋଇଥିବା ପରୀକ୍ଷାରେ ଲସ୍ ଅଫ ଟାଇମ କାରଣରୁ ଯେଉଁ ୧୫୬୩ ପରୀକ୍ଷାର୍ଥୀଙ୍କୁ ଗ୍ରେସମାର୍କ ଦିଆଯାଇଥିଲା ସେମାନେ ଏହି ପରୀକ୍ଷା ଦେଇଛନ୍ତି । ସେମାନେ ୬ଟି ନୂଆ କେନ୍ଦ୍ର ସମେତ ମୋଟ ୭ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ସେଥିରେ ହରିଆଣାର ଝାଜର କେନ୍ଦ୍ର ବି ରହିଛି। ଚଣ୍ଡୀଗଡର ଗୋଟିଏ କେନ୍ଦ୍ରରେ ମାତ୍ର ୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏସବୁ ପରୀକ୍ଷା କେନ୍ଦ୍ରରେ ନ୍ଯାସନାଲ ଟେଷ୍ଟିଂ ଏଜେନ୍ସି ଓ ଶିକ୍ଷା ମନ୍ତ୍ରାଳୟର ପଦାଧିକାରୀମାନେ ଉପସ୍ଥିତ ରହିଛନ୍ତି ।

ଗତ ଜୁନ ୧୩ ତାରିଖରେ ସୁପ୍ରିମକୋର୍ଟ ନିକଟରେ ଏନଟିଏ ଦର୍ଶାଇଥିଲା- ଲସ୍ ଅଫ ଟାଇମ କାରଣରୁ ଯେଉଁ ୧୫୬୩ ଛାତ୍ରଛାତ୍ରୀଙ୍କୁ ଗ୍ରେସମାର୍କ ଦିଆଯାଇଥିଲା ତାହାକୁ ପ୍ରତ୍ୟାହାର କରି ନିଆଯାଇଛି । ଗତ ମେ ୫ ତାରିଖରେ ହୋଇଥିବା ନିଟ-ୟୁଜିର ଫଳ ପ୍ରକାଶ ଲାଗି ଜୁନ ୧୪ ଧାର୍ଯ୍ୟ ହୋଇଥିଲା । ମାତ୍ର ଏହା ପୂର୍ବରୁ ଅର୍ଥାତ ଜୁନ ୪ରେ ଫଳ ଘୋଷିତ ହୋଇଥିଲା । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୭ଜଣ ୭୨୦ରୁ ୭୨୦ ରଖିଥିବାରୁ ଏହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଥିଲା । ସେପଟେ ନିଟ-ୟୁଜି ଅନିୟମିତତା ଘଟଣାର ତଦନ୍ତ ଭାର ସିବିଆଇ ହାତରେ ଅର୍ପଣ କରାଯାଇଛି । ସେପଟେ ନିଟ-ପିଜି ବାତିଲ ହେବା ପରେ ସାରା ଦେଶରେ ସୃଷ୍ଟିହୋଇଛି ଅସନ୍ତୋଷ।

ରାଜ୍ୟର ସବୁ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ଓଡ଼ିଶାର ସବୁ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍। ଏନେଇ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। । ସେ କହିଛନ୍ତି, କ୍ୟାବିନେଟ୍ ମୋହର ବାଜିବା ପରେ ସୁଭଦ୍ରା ଯୋଜନା ଡ୍ରାଫ୍ଟିଂ ଷ୍ଟେଜରେ ଅଛି । ଆସନ୍ତା ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲଞ୍ଚ ହେବ ।

ତେବେ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ମହିଳାଙ୍କୁ ମିଳିବ ଏହି ଯୋଜନାର ଲାଭ । ରାଜ୍ୟର ସବୁ ମହିଳାଙ୍କୁ ସୁଭଦ୍ରା ସ୍କିମର ଟଙ୍କା ମିଳିବ ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ସ୍କିମକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି । ଆଉ ସ୍କିମ ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି, ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ଜନ୍ମମାଟି କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର : ଜନ୍ମମାଟି କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରିଛନ୍ତି ସ୍ଥାନୀୟ ଜନତା। କେନ୍ଦୁଝରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଆସନ୍ତାକାଲି ନିଜ ଗାଁ ରାଇକଳା ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଘଟଗାଁ ହାଇସ୍କୁଲ ପଡ଼ିଆରେ ପହଞ୍ଚିବା ପରେ ରୋଡ ଶୋରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ରୋଡ୍ ସୋ’ କରି ମା’ ତାରିଣୀଙ୍କ ମନ୍ଦିର ଯାଇ ଦର୍ଶନ କରିଛନ୍ତି । ଅପରାହ୍ଣରେ ପୁରୁଣା ସହର ଶ୍ରୀବଳଦେବଜିଉ ମନ୍ଦିରରେ ପୂଜାର୍ଚ୍ଚନ କରିବେ । ପୁରୁଣା ବଜାରଠାରୁ ରୋଡ୍ ଶାେ’ରେ ଯାଇ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସକାଳେ ନିଜ ଗାଁ ରାଇକଳା ଯିବେ ମୁଖ୍ୟମନ୍ତ୍ରୀ । ରାଇକଳାରୁ ରୋଡ୍ ସୋ’ରେ ଝୁମ୍ପୁରା ପର୍ଯ୍ୟନ୍ତ ଯିବେ ମୋହନ ମାଝୀ । ଝୁମ୍ପୁରା ବ୍ଲକ ଦୁର୍ଗା ପଡ଼ିଆରେ ଜନସମାବେଶକୁ ସମ୍ବୋଧିତ କରିବେ ।

ସମ୍ବଲପୁରରେ ଜଣ୍ଡିସ ଭୟ ; ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ସମ୍ୱଲପୁର : ସମ୍ବଲପୁରକୁ ଘାରିଛି ଜଣ୍ଡିସ ଭୟ । ଦିନକୁ ଦିନ ସମ୍ବଲପୁର ସହରରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜଣ୍ଡିସର ସଂକ୍ରମଣକୁ ଦେଖି ସ୍ବାସ୍ଥ୍ୟ ବିଭାଗର ଟିମ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛି । ବିଶେଷକରି ସମ୍ବଲପୁର ସହରର ପେନସନ ପଡ଼ା , ଶାଳିଆ ବଗିଚା , କୁମ୍ଭାରପଡ଼ାରେ ୭୪ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଟେନସନରେ ସହରବାସୀ । ଡ୍ରେନ ଭିତରେ ପିଇବା ପାଇପ ଲାଇନ ଯାଇଥିବାରୁ ଜଣ୍ଡିସ ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ସେହି ପାଇପ ଲାଇନକୁ ଶୀଘ୍ର ପରିବର୍ତ୍ତନ କରାଯାଉ ବୋଲି ସହରବାସୀ ଦାବି କରିଛନ୍ତି ।

ମାଓବାଦୀଙ୍କ ଠାରୁ ମିଳିଲା ଟଙ୍କା ଛାପା ଉପକରଣ

ମାଲକାନଗିରି : ନକଲି ଟଙ୍କା ଛାପୁଛନ୍ତ ମଖ୍ୟମନ୍ତ୍ରୀ ! ଛତିଶଗଡ ସୁକମାରେ ନକ୍ସଲ ବିରୋଧୀ ଅଭିଯାନ ଭିତରେ ପ୍ରଥମ ଥର ପାଇଁ ମାଓବାଦୀଙ୍କ ଠାରୁ ମିଳିଲା ଟଙ୍କା ଛାପା ଉପକରଣ। ୫୦, ୧୦୦, ୨୦୦ ଓ ୫୦୦ ଟଙ୍କା ନକଲି ନୋଟର ନମୁନା ଜବତ ହୋଇଛି। ସୁକମା ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିଛି ।  ଟଙ୍କା ଅଭାବରେ ମାଓବାଦୀମାନେ ନକଲି ନୋଟ ବ୍ୟବହାର କରୁଥିବା ଜଣାପଡିଛି। କୋରାଜଗୁଡା ଜଙ୍ଗଲରୁ ବିପୁଳ ପରିମାଣର ନୋଟ ଜବତ ହୋଇଛି।

ଦିଲ୍ଲୀରେ ସୁଧୁରୁନି ଜଳ ସମସ୍ଯା, ତୃତୀୟ ଦିନରେ ଆପ୍ ନେତ୍ରୀ ଆତିଶିଙ୍କ ଅନଶନ

ନୂଆଦିଲ୍ଲୀ : ଦିଲ୍ଲୀରେ ସୁଧୁରୁନି ଜଳ ସମସ୍ଯା। ପ୍ରତିବାଦରେ ଆପ୍ ନେତ୍ରୀ ଆତିଶିଙ୍କ ଅନଶନ। ଗତ ଏକ ମାସ ଧରି ଦିଲ୍ଲୀରେ ପାନୀୟ ଜଳ ସମସ୍ଯା ଅତି ଉତ୍କଟ ଧାରଣ କରିଥିବାବେଳେ କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ଆତିଶି। ପ୍ରତିବାଦରେ ସେ ତିନି ଦିନ ଧରି ଅନଶନରେ ବସିଛନ୍ତି।

ଆତିଶି ଅଭିଯୋଗ କରିଛନ୍ତି ଆବଶ୍ଯକ ପରିମାଣ ଜଳ ହରିଆଣା ଛାଡୁ ନଥିବାରୁ ଦିଲ୍ଲୀରେ ପାନୀୟ ଜଳ ସଂକଟ ତୀବ୍ର ହୋଇଛି। କିଛିଦିନ ତଳେ ସ୍ଥିତିରେ ସୁଧାର ଆଣିବା ଦିଗରେ ପଦକ୍ଷେପ ନେବା ଲାଗି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ନିକଟରେ ଆପ୍ ପକ୍ଷରୁ ଦାବି କରାଯାଇଥିଲା।

କଂଗ୍ରେସ ପକ୍ଷରୁ ବି ଜଳାଭାବ ପ୍ରତିବାଦରେ ଆନ୍ଦୋଳନ କରାଯାଇଥିଲା। ପାଣି ସମସ୍ଯାର ସମାଧାନ ଲାଗି ତୁରନ୍ତ ପଦକ୍ଷେପ ନେବା ଦାବିରେ କଂଗ୍ରେସ ପକ୍ଷରୁ ମଟକା ଫୋଡ ଆନ୍ଦୋଳନ ହୋଇଥିଲା। ଦିଲ୍ଲୀର ସମସ୍ତ ୨୮୦ ବ୍ଲକରେ ଏହି ଆନ୍ଦୋଳନ ହୋଇଥିଲା। ସେପଟେ ଦିଲ୍ଲୀରେ ଏବେ ବି ଶହ ଶହ ଲୋକ ଟ୍ଯାଙ୍କର ନିକଟରେ ଭିଡ ଜମାଉଛନ୍ତି। ଦିଲ୍ଲୀରେ ପାଣି ଲାଗି କଟକଣା ବି ବଳବତ୍ତର ରହିଛି।

ଯୌନ ନିର୍ଯାତନା ମାମଲା : କର୍ଣ୍ଣାଟକ ଜେଡିଏସ ନେତା ସୂରଜ ରେବନ୍ନା ଗିରଫ

ନୂଆଦିଲ୍ଲୀ : ଯୌନ ନିର୍ଯାତନା ମାମଲା। କର୍ଣ୍ଣାଟକ ଜେଡିଏସ ନେତା ସୂରଜ ରେବନ୍ନା ଗିରଫ। ସୁରଜ ହେଉଛନ୍ତି ପୂର୍ବତନ ଜେଡିଏସ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ବଡ଼ ଭାଇ। ଜଣେ ପୁରୁଷଙ୍କ ସହ ଯୌନ କେଳଙ୍କାରୀ ଘଟଣାରେ ତାଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଜ୍ବଳ।

ଗତ ଜୁନ ୧୬ ତାରିଖରେ କର୍ଣ୍ଣାଟକ ହାସନ ଜିଲ୍ଲାର ଏକ ଫାର୍ମ ହାଉସରେ ସୂରଜ ଜଣେ ୧୭ ବର୍ଷ ବୟସ୍କ ପୁରୁଷ କର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ସେହି ବ୍ଯକ୍ତିଜଣକ ଅଭିଯୋଗ କରିଥିଲେ। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୂରଜ। ସେ କହିଛନ୍ତି ଅଭିଯୋଗକାରୀ ତାଙ୍କୁ ୫ କୋଟି ଟଙ୍କା ମାଗିଥିଲେ। ମାତ୍ର ସେ ଦେଇ ନଥିବାରୁ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ।

ସୂରଜଙ୍କ ବନ୍ଧୁ ଶିବକୁମାର ଗତ ୨୨ ତାରିଖରେ ସେହି କର୍ମୀଙ୍କ ବିରୋଧରେ କରିଥିଲେ ଅଭିଯୋଗ। ତାଙ୍କୁ କୁଆଡେ ସେହି କର୍ମୀଜଣଙ୍କ ୫ କୋଟି ଟଙ୍କା ଦାବି କରିଥିଲେ। ଯଦି ଏହି ଟଙ୍କା ନମିଳେ ତେବେ ସୂରଜଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଦାୟର କରିବେ ବୋଲି ଧମକ ଦେଇଥିଲେ। ଶିବକୁମାର କହିଛନ୍ତି, ସେହି ବ୍ଯକ୍ତିଜଣକ ତାଙ୍କୁ ପ୍ରଥମେ ଏକ ଚାକିରି ଲାଗି ଅନୁରୋଧ କରିବା ପରେ ସେ ସୂରଜଙ୍କ ଫୋନ ନମ୍ବର ଦେଇଥିଲେ। ପରେ ସେ ଉଭୟ ଶିବକୁମାର ଓ ସୂରଜଙ୍କୁ ବ୍ଲାକମେଲ କରୁଥିଲେ ବୋଲି ଶିବକୁମାର ଅଭିଯୋଗ କରିଛନ୍ତି।

ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପରେ ବଡ଼ ଓଲଟପାଲଟ। ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ । ୧୪୯ ରନର ଟାର୍ଗେଟକୁ ପିଛା କରି ୧୨୭ ରନରେ ଅଲଆଉଟ୍ ହୋଇଛି କଙ୍ଗାରୁ ଟିମ୍ । ଆଜି ଟି-୨୦ ବିଶ୍ୱକପର ସୁପର-୮ ପର୍ଯ୍ୟାୟରେ ମୁହାଁମୁହିଁ ହେଇଥିଲେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ଥାନ। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୪୮ ରନ୍ କରିଥିଲା।

ଓପନର ଗୁରବାଜ ୬୦ ଓ ଇବ୍ରାହିମ୍ ଜୋର୍ଡାନ ୫୧ ରନର ଇନିଂସ ଖେଳିଥିଲେ। ଜବାବରେ ୧୪୯ ରନର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ୧୨୭ ରନରେ ଅଲଆଉଟ ହୋଇଥିଲା। ମାକ୍ସୱେଲ ୫୯ ରନ୍ କରି ଆଉଟ୍ ହୋଇଥିଲେ । ଆଫଗାନିସ୍ତାର ତାର ପରବର୍ତ୍ତି ବାଂଲାଦେଶ ସହ ଖେଳିବ। ସେହିପରି ଆସନ୍ତାକାଲି ଭାରତକୁ ଭେଟିବ ଅଷ୍ଟ୍ରେଲିଆ ।

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ଖୋଳତାଡ଼ କରିବ ସିବିଆଇ

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ। ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ପରୀକ୍ଷା ବିଭ୍ରାନ୍ତ ମାମଲାରେ ତଦନ୍ତ କରିବ ସିବିଆଇ। ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଏପଟେ ଏନଟିଏ ଡିଜି ପଦରୁ ହଟିଛନ୍ତି ସୁବୋଧ କୁମାର ସିଂ। ତାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରଦୀପ ସିଂ ଖାରୋଲା।

ନିଟ ଓ ୟୁଜିସି ନେଟରେ ଅନିୟମିତତାକୁ ନେଇ ସରକାର ଏହି ପଦକ୍ଷେପ ନେଇଛନ୍ତି। ପ୍ରଦୀପ ସିଂ ହେଉଛନ୍ତି ଇଣ୍ଡିଆନ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନର ଅଧ୍ଯକ୍ଷ ତଥା ମ୍ଯାନେଜିଂ ଏଡିଟର। ତାଙ୍କୁ ଏନଟିଏର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଅନ୍ୟପଟେ ଆଜି ହେବାକୁ ଥିବା ନିଟ ପିଜି ପରୀକ୍ଷାକୁ ବାତିଲ କରାଯାଇଛି। ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଆଶଙ୍କାରେ ଏହି ନିଷ୍ପତ୍ତି ନିଆଯାଇଛି। ନିଟ ପିଜି ପରୀକ୍ଷାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଲାଗି ଏହି ପଦକ୍ଷେପ ନିଆଯାଇଥିବା କହିଛି ସ୍ବାସ୍ଥ୍ଯ ମନ୍ତ୍ରାଳୟ।

ଦେଶର ୩୦୦ ସହରର ୧ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯିବା ଲାଗି ଧାର୍ଯ୍ୟ ହୋଇଥିଲା। ଗତ କିଛି ଦିନ ଧରି ନିଟ ଓ ୟୁଜିସି ନେଟକୁ ନେଇ ସାରା ଦେଶରେ ପ୍ରତିବାଦ ଆନ୍ଦୋଳନ ହୋଇଥିଲା। ପ୍ରଶ୍ନପତ୍ର ଲିକଠାରୁ ଆରମ୍ଭ କରି ଲଜିଷ୍ଟିକ ଆଦି ସମସ୍ଯା ପ୍ରସଙ୍ଗରେ ବ୍ଯାପକ ଅସନ୍ତୋଷ ପ୍ରକାଶ ପାଇଥିଲା। ନିଟରେ ଅନିୟମିତତା ସହ ମାର୍କିଂରେ ତ୍ରୁଟି ଆଦି କାରଣରୁ ଏନଟିଏର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିଲା।