ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ବୁର୍ଡ଼ା ଗାଁରେ ଚାଞ୍ଚଲ୍ୟ I ମହିଳାଙ୍କୁ ହତ୍ୟା କରି ପୋଡ଼ି ଦେଉଥିବା ବେଳେ ଦରପୋଡା ଶବକୁ ଜବତ କଲା ପୋଲିସ । ଅଭିଯୋଗ ଅନୁସାରେ ଗତ ଗୁରୁବାର ବୁର୍ଡ଼ା ଗାଁର ସୁଦାମ ବଣିଆଙ୍କ ସ୍ତ୍ରୀ ନମିତା ବଣିଆଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା I ନମିତାଙ୍କ ବାପ ଘର ବରଗଡ଼ ଜିଲ୍ଲା ପାହାଡ଼ଶ୍ରୀଗିଡା ଗାଁକୁ ଖବର ଦେଇଥିଲେ ଶାଶୁଘର ଲୋକ I ବାପଘର ଲୋକ ପହଂଚିବା ଆଗରୁ ଶବକୁ ନେଇ ପୋଡିଦେଇଥିଲେ ଶାଶୂଘର। ଏପରିକି ବୋହୂଙ୍କ ମୃତ୍ଯୁର ସ୍ପଷ୍ଟ କାରଣ କହିନଥିଲେ । ରେଳ ଲାଇନରେ ବୋହୂ ଆତ୍ମହତ୍ଯା କରିଥିବା କହିଥିଲେ ମଧ୍ଯ କାହିଁକି ଜିଆରପିକୁ ସୂଚନା ଦିଆଗଲା ନାହିଁ ସେନେଇ କୌଣସି ଉତ୍ତର ଦେଇନଥିଲେ। ସ୍ଥାନୀୟ ପୋଲିସକୁ ମଧ୍ଯ କୌଣସି ସୂଚନା ଦେଇନଥିଲେ। ହତ୍ଯା ପରେ ଘଟଣାକୁ ଆତ୍ମହତ୍ଯା ରୂପ ଦିଆଯାଇଥିବା ନେଇ ମୃତକଙ୍କ ବାପଘର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଗାଁରେ ପହଞ୍ଚି ଦରପୋଡ଼ା ଶବକୁ ଜବତ କରି ତଦନ୍ତ କରୁଛି। ମାମଲାରେ ମୃତକଙ୍କ ସ୍ବାମୀ ଓ ପରିବାର ଲୋକଙ୍କୁ ଅଟକ ରଖି ତଦନ୍ତ କରୁଛି ।
ଭୁବନେଶ୍ବରରୁ ଅନ୍ତଃରାଜ୍ଯ ଚୋରା ଗଞ୍ଜେଇ ଚାଲାଣକାରୀ ଗିରଫ
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରୁ ଗିରଫ ହେଲା ଅନ୍ତଃରାଜ୍ଯ ଚୋରା ଗଞ୍ଜେଇ ଚାଲାଣକାରୀ । ଅଭିଯୁକ୍ତ ନିକଟରୁ ଏକ କୁଇଣ୍ଟାଲ ଗଞ୍ଜେଇ ସହ କାର ଜବତ କରିଛି ଭରତପୁର ଥାନା ପୋଲିସ । କନ୍ଧମାଳରୁ ଏକ କାରରେ ଏକ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଭୁବନେଶ୍ବର ଷ୍ଟୁଡିଓ ଛକରେ ଗାଡ଼ିକୁ ଧରି ତିନି ଅଭିଯୁକ୍ତଙ୍କୁ କାବୁ କରିଥିଲା ପୋଲିସ । ଅଭିଯୁକ୍ତଙ୍କ ମଧ୍ଯରୁ ଜଣେ ମୁର୍ସିଦାବାଦର ହୋଇଥିବାବେଳେ ଅନ୍ଯ ଦୁଇ ଜଣଙ୍କ ଘର ଅନୁଗୁଳରେ ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ୩୫ ହଜାର ଟଙ୍କା ଓ ୩ଟି ମୋବାଇଲ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।
ଶ୍ରୀମନ୍ଦିରରେ ପୁଣି ଲାଇଟ୍ ବ୍ୟବସ୍ଥା
ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିରକୁ ଆଲୋକିତ କରିବାକୁ ପୁଣି ଥରେ ଏହାର ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ସ୍ଥାୟୀ ଭାବେ ଆଲୋକୀକରଣର ବ୍ଯବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ରାତିରେ ଆଲୋକିତ କରି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଲାଇଟ୍ ଦୁଇ ଦିନ ତଳେ କଢ଼ା ଯାଇଥିଲା। ଫଳରେ ରାତିରେ ଦୂରରୁ ବଡ଼ ଦେଉଳକୁ ଦେଖି ହେଉନଥିଲା। ଭକ୍ତମାନେ ଏହାକୁ ନେଇ ଉଦବେଗ ପ୍ରକାଶ କରିବା ପରେ ପୁଣି ଥରେ ଲାଇଟ୍ ର ବ୍ଯବସ୍ଥା କରାଯାଇଛି। ଲାଇଟ୍ କାହିକି କଢ଼ା ଯାଇଥିଲା, ତାର ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯ ଶାସନ ସଚିବ। ଯିଏ ଲାଇଟ୍ କାଢ଼ିଥିଲା, ତା ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବାକୁ ମଧ୍ଯ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ଇଭେଣ୍ଟ କମ୍ପାନିର ୪ ଜଣଙ୍କୁ ଅଟକ ରଖାଯାଇଛି।
ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଛାତ୍ର ମୃତ
ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ବ୍ରାହ୍ମଣୀ ନଦୀରେ ଅଘଟଣ । ଗାଧୋଉଥିବାବେଳେ ବୁଡ଼ିଗଲେ ୬ ଛାତ୍ରଛାତ୍ରୀ । ୨ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଅନ୍ଯ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ପୁରୀ ଜିଲ୍ଲା ପିପିଲିର ସମୀର ଶିବକୁମାର ନାୟକ ଓ ଜଳେଶ୍ବରର ରଜତ ସାହୁ । ଗୁରୁତରମାନେ ହେଲେ ଆନନ୍ଦପୁରର ସମ୍ବୋଧନ ସାହୁ, ଭୁବନେଶ୍ବରର ଅଭିଲିପ୍ସା ପ୍ରଧାନ, ବୈଷ୍ଣୋଦେବୀ ଓ ତପନ କୁମାର ପ୍ରଧାନ । ଛାତ୍ରଛାତ୍ରୀମାନେ ଏନଆଇଟିରେ ସମର ଇଣ୍ଟନସିପ କରିବାକୁ ଆସିଥିଲେ । ଗାଧୋଉଥିବା ସମୟରେ ସମସ୍ତେ ନଦୀରେ ବୁଡ଼ିଯାଇଥିଲେ । ପୋଲିସ ଓ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ୨ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଅନ୍ଯ ୪ ଜଣଙ୍କର ଚିକିତ୍ସା ଜାରି ରହିଛି ।
ମାଟ୍ରିକ ଫେଲ୍ ଯୁବକର କଳା କାରନାମା, ଲୁଟିଛି ଶହେ କୋଟିରୁ ଅଧିକ ଟଙ୍କା
ଭୁବନେଶ୍ୱର : ଜଣେ ମାଟ୍ରିକ ଫେଲ୍ ର କଳା କାରନାମା। ମାଟ୍ରିକ ଫେଲ୍ ହୋଇଥିଲେ ସୁଦ୍ଧା ହଜାର ହଜାର ଲୋକଙ୍କୁ ଚୂନ ଲଗାଇ ଶହେ କୋଟିରୁ ଅଧିକ ଟଙ୍କା ହଡ଼ପ କରିଛି। ଚିଟଫଣ୍ଡ ସ୍କାମ ଓ ୧୨୩ କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ଓଡ଼ିଶାର EOW କୋଲକାତାରୁ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁରର ତୁଷାର ଭଞ୍ଜୋ। ତାକୁ ପ୍ରଥମେ ଅଲିପୁର କୋର୍ଟରେ ଗତ ୫ ତାରିଖରେ ହାଜର କରାଯାଇଥିଲା। ତାଙ୍କୁ ଟ୍ରାନଜିଟ ରିମାଣ୍ଡରେ ଭୁବନେଶ୍ବର ଅଣାଯାଉଛି। ଆଜି ତାଙ୍କୁ କଟକର ଏକ କୋର୍ଟରେ ହାଜର କରାଯିବ। ଅଭିଯୋଗ ଅନୁସାରେ ଅଧିକ ସୁଧର ଲୋଭ ଦେଖାଇ ତୁଷାର ନିଜ କମ୍ପାନି ହରିତ କୃଷି ନିଧି, ଟ୍ରାନସଭିଜନ ଡ୍ରିମ୍ ମଲଟି ଟ୍ରେଡ୍ ରେ ଟଙ୍କା ଲଗାଇବାକୁ କହିଥିଲେ। ଗ୍ରାହକ ଯୋଗାଡ଼ କରିବା ପାଇଁ ଅଧିକ କମିଶନ ଦେବାକୁ ମଧ୍ଯ କହିଥିଲେ। ଯେଉଁ ଏଜେଣ୍ଟ ୪ ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରିବ, ତାକୁ ଦରମା ଦେବାକୁ ମଧ୍ଯ ପ୍ରତିଶ୍ରୁତି ଦେଇଥିଲେ ।
ଏପରି ଭାବେ ସେ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ, ତ୍ରିପୁରା, ମହାରାଷ୍ଟ୍ର ଏପରିକି ବାଂଲାଦେଶରୁ ୧୨୩ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରି ଫେରାର ହୋଇ ଯାଇଥିଲେଏ। ଏହି ଟଙ୍କାକୁ ସେ ବାଂଲାଦେଶ, ଚୀନରେ ବିନିଯୋଗ କରିଥିବା ଜଣାପଡ଼ିଛି। ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଭୁବନେଶ୍ବର ଓ ରାଉରକେଲାରେ ତାଙ୍କର ଅଫିସ ଥିଲା। ପୋଲିସ ତଦନ୍ତରୁ ଜଣାପଡ଼ିଛି, ତୁଷାର ପାଠ ପଢ଼ିଛି ମାତ୍ର ମାଟ୍ରିକ। ତାହା ବି ପାସ୍ କରି ନାହିି। ଫେଲ୍ ହୋଇଛି। ତା ପାଖରୁ ବହୁ କାଗଜପତ୍ର ଜବତ କରିଛି EOW ।
ସୁରକ୍ଷିତ ଭାବେ ଘରକୁ ଫେରିଲେ କାଲିମେଳା ହସପିଟାଲର ଡାକ୍ତର
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ହସପିଟାଲର ଡାକ୍ତର ଅମ୍ଲାନ କୁମାର ଭୋଇ ସୁରକ୍ଷିତ ଭାବେ ଘରକୁ ଫେରିଥିବାରୁ ପରିବାର ଲୋକେ ବହୁତ ଖୁସି। ଅମ୍ଲାନଙ୍କୁ ପୋଲିସ କର୍ଣ୍ଣାଟକ ରାମନଗର ଜିଲ୍ଲାରୁ ଉଦ୍ଧାର କରି ସୁରକ୍ଷିତ ଭାବେ ଆଣିଥିବାରୁ ପୋଲିସକୁ ମଧ୍ଯ ପରିବାର ଲୋକେ ଧନ୍ଯବାଦ ଦେଇଛନ୍ତିି। ଏହା ସହିତ ସ୍ପଷ୍ଟ ହୋଇଛି ଯେ, ଅମ୍ଲାନଙ୍କ ନିଖୋଜ ପଛରେ ଅପହରଣ ନ ଥିଲା କିମ୍ବା ଏଥିରେ ନକ୍ସଲଙ୍କ କୌଣସି ସଂପୃକ୍ତି ନାହିଁ। ବ୍ଯକ୍ତିଗତ ସମସ୍ଯା ପାଇଁ ଅମ୍ଲାନ ନିଜେ ନିଜେ ପଳାଇଥିଲେ। ଗତ ୨ତାରିଖରେ ଅମ୍ଲାନ ନିଖୋଜ ହୋଇଥିଲେ। ତାଙ୍କ କ୍ବାଟରରୁ ମାଓବାଦୀଙ୍କ ନାଁରେ ଏକ ଚିଠି ମଧ୍ଯ ମିଳିଥିଲା। ଅଭିଯୋଗ ପରେ କାଲିମେଳା ଥାନାର ପୋଲିସ ଏକ ଟିମ୍ ଗଠନ କରି ଖୋଜାଖୋଜି କରିଥିଲା। କର୍ଣ୍ଣାଟକରୁ ପାଇବା ପରେ ଜୁନ ୭ ରେ ଅମ୍ଲାନଙ୍କୁ ମାଲକାନଗିରି ଅଣାଯାଇଥିଲା।
ନାବାଳିକାକୁ ମାରି ନଦୀରେ ଫିଙ୍ଗିଦେଲେ ଦୁର୍ବୁତ୍ତ
ମୟୂରଭଞ୍ଜ : ନାବାଳିକାକୁ ମାରି ନଦୀରେ ଫିଙ୍ଗିଦେଲେ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଘୋଡାପାଳ ଗାଁର ବୁଢାବଳଙ୍ଗ ନଦୀ ପଠାରୁ ମୃତଦେହ ଉଦ୍ଧାର। ସକାଳୁ ଜଣେ ନାବାଳିକାଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀମାନେ ପୋଲିସକୁ ଖବର ଦେବା ପରେ କୁଳିଅଣା ପୋଲିସ ନଦୀରୁ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ମୃତ ନାବାଳିକାର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ମୃତ ନାବାଳିକାର ବୟସ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ନାବାଳିକାର ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାକୁ କେହି ମାରି ନଦୀରେ ଫିଙ୍ଗି ଦେଇଥିବା ଅନୁମାନ କରା ଯାଉଛି । କୁଳିଅଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ବଡ଼ ବୟାନ ଦେଲେ ନବୀନ
ଭୁବନେଶ୍ୱର : ଓଡ଼ିଶାର ଜନତାଙ୍କୁ ସେମାନଙ୍କ ଆଶିର୍ବାଦ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ଆମ ସରକାରଙ୍କ ଉପଲବ୍ଧକୁ ନେଇ ଗର୍ବିତ । ଗଣତନ୍ତ୍ରରେ ବିଜୟ କିମ୍ବା ପରାଜୟ ହୋଇଥାଏ। ଓଡ଼ିଶାର ସାଢେ ୪ କୋଟି ଜନତା ମୋ ପରିବାର ଓ ମୁଁ ସେମାନଙ୍କ ସେବା ଜାରି ରଖିବି । ପରାଜୟକୁ ସାଦରତା ସହ ଗ୍ରହଣ କରୁଛୁ । ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବୋଲି ପୁଣି ସ୍ପଷ୍ଟ କଲେ ନବୀନ । କହିଲେ, ସେ ନିର୍ବାଚନ ଲଢ଼ି ନାହାନ୍ତି କି କୌଣସି ଦଳୀୟ ପଦବିରେ ନାହାନ୍ତି । ପାଣ୍ଡିଆନ ସ୍ବାସ୍ଥ୍ୟ, ଶିକ୍ଷା ଓ ମନ୍ଦିର ରୂପାନ୍ତରଣରେ ଭଲ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ବାତ୍ୟା ଓ କୋଭିଡ୍ କାଳରେ ପାଣ୍ଡିଆନ ବହୁତ ଭଲ କାମ କରିଥିବା କଥା ମଧ୍ୟ ଦୋହରାଇଛନ୍ତି ନବୀନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ବାସ୍ଥ୍ୟ ସଂପୂର୍ଣ୍ଣ ଭାବେ ଭଲ ଅଛି ।
ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମହାପ୍ରଭୁଙ୍କ ତିନି ରଥର ଚକ ନିର୍ମାଣ କାର୍ଯ୍ୟ
ପୁରୀ : ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର। ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥ ଚକ ନିର୍ମାଣ କାର୍ଯ୍ୟ l ଆଜି ୪୨ ଚକ ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ। ତିନି ରଥର ୩୯ ଗୋଟି ଚକ ନିର୍ମାଣ ସରିଛି। ବାକି ତିନି ଚକ ନିର୍ମାଣ ପାଇଁ ଯନ୍ତାଗାଡ଼ ଠାରେ ଚାଲିଛି ନିର୍ମାଣ କାର୍ଯ୍ୟ। ତିନି ତୁମ୍ବ ରେ ଅର ସଂଯୋଗ ହୋଇ କଣ୍ଟା ବାଡିଆ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ , ମୁହାଁଟ ବିନ୍ଧ ଏବଂ ତିନି ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ କରାଯାଉଛି। ଆଜି ତିନି ରଥର ବାକି ରହିଥିବା ଗୋଟିଏ ଗୋଟିଏ ଚକ ର ଅଖ ବିନ୍ଧ ତୁଲିଆ କାର୍ଯ୍ୟ ସହ ପଇ କଳସା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ତିନି ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଶେଷ ହେବା ପରେ ତିନି ରଥର ଗରଗରା ଏବଂ ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼
ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡ଼କରା । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚାଲିଛି ଆଲୋଚନା । ପହଞ୍ଚୁଛନ୍ତି ଜଣକ ପରେ ଜଣେ ବରିଷ୍ଠ ନେତା । ନବୀନ ନିବାସରେ ପହଞ୍ଚିଥିଲେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରତାପ ଦେବ, କଳିକେଶ ସିଂହଦେଓ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ଅନେକ ବରିଷ୍ଠ ନେତା । ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା କେମତି ବିଜୁ ଜନତା ଦଳ ଆଗକୁ ବଢିବ ପୁଣି ଶକ୍ତିଶାଳୀ ହେବ । ସମସ୍ତେ ଦଳ ସହିତ ରହିବେ ଏବଂ ଆଗକୁ ବଢିବେ ବୋଲି କହିଛନ୍ତି । ଦଳର ସଭାପତିଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳ ଆଗକୁ ବଢିବ । ମୁଖ୍ୟତଃ ଦଳର ସଂଗଠନକୁ ଆହୁରି ମଜବୁତ କରାଯିବ । ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କଳୀକେଶ ସିଂହଦେଓ କହିଥିଲେ ବିରୋଧୀ ଦଳର ନେତା କିଏ ହେବେ ସେ ନେଇ କୌଣସି ସୂଚନା ନ ଥିଲେବି ସମୟ ଅନୁସାରେ ଜଣାଇ ଦିଆଯିବ । ସେହିପରି ସଂଜୟ ଦାସବର୍ମା କହିଥିଲେ କିଭଳି ଆଗକୁ ସଂଗଠନକୁ ଶକ୍ତୀଶାଳି କରାଯିବ ସେନେଇ ଆଲୋଚନା ହୋଇଛି ।

