spot_img
Home Blog Page 1865

ଗାଜାର ରାଫା ସହରରେ ହେବ ଜୋରଦାର ହମଲା, ଇସ୍ରାଏଲର ରଣନୀତି ପ୍ରସ୍ତୁତ

ବ୍ୟୁରୋ ରିପୋର୍ଟ: ଗାଜା ଉପରେ ପୁଣି ଆକ୍ରମଣ ଜୋରଦାର କରିବାକୁ ଇସ୍ରାଏଲର ରଣନୀତି। ଗାଜାର ରାଫା ସହର ଉପରେ ହେବ ଜୋରଦାର ହମଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏହି ଚରଣବାଣୀ ଶୁଣାଇଛନ୍ତି। ଆତଙ୍କବାଦୀ ସଂଗଠନ ହମାସ ସହ ଆଲୋଚନା ବିଫଳ ପରେ ସମୂଳେ ନିପାତ କରିବାକୁ ଯୋଜନା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ଦକ୍ଷିଣ ଗାଜାର ରାଫା ସହରକୁ କବାଜ କରିବାକୁ ଯୋଜନା କରିଛି ଇସ୍ରାଏଲ। ଆତଙ୍କବାଦୀ ସଂଗଠନ ହମାସ ଯୁଦ୍ଧ ବିରତି ନେଇ ଆଲୋଚନା ବିଫଳ ହେବା ପରେ ଏହି ଚରମବାଣୀ ଶୁଣାଇଛନ୍ତି ନେତନ୍ୟାହୁ।

ରାଫାରେ ଏବେବି ସକ୍ରିୟ ଥିବା ହମାସ ଆତଙ୍କୀଙ୍କୁ ସମୂଳେ ନିପାତ କରିବାକୁ ଯୋଜନା କରିଛି ଇସ୍ରାଏଲ। ଯୁଦ୍ଧରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିବାକୁ ଏହି ଆକ୍ରମଣ କରିବାକୁ ଯୋଜନା କରିଛି ଇସ୍ରାଏଲ।

ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ, କାହିଁକି ପାଳନ କରାଯାଏ ଶ୍ରମିକ ଦିବସ ?

ବ୍ୟୁରୋ ରିପୋର୍ଟ: ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ। ମେ’ ୧ ତାରଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି। ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ପାଳନ କରାଯାଇଥାଏ। ଯାହାଦ୍ୱାରା ସମାଜରେ ଶ୍ରମିକମାନଙ୍କର ସ୍ଥିତି ମଜବୁତ ହୋଇପାରିବ। ସମାଜ ପ୍ରତି ଶ୍ରମିକମାନଙ୍କର ଅବଦାନ ଅତୁଳନୀୟ।

ପ୍ରତିବର୍ଷ ୧ ମଇରେ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ କରାଯାଏ। ପ୍ରଥମ ଥର ପାଇଁ ୧୮୮୯ରେ ଶ୍ରମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଦିନ ପାଳନ କରିବାର ଢାଞ୍ଚା ଆମେରିକାର ଚିକାଗୋ ସହରରୁ ଆରମ୍ଭ ହୋଇଥିଲା ଯେତେବେଳେ ଶ୍ରମିକମାନେ ଏକଜୁଟ ହୋଇ ରାସ୍ତାକୁ ବାହାରିଥିଲେ।

କାହିଁକି ପାଳନ କରାଯାଇଥାଏ ଶ୍ରମିକ ଦିବସ?
୧୮୮୬ ପୂର୍ବରୁ ଆମେରିକାରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନରେ ଆମେରିକାର ଶ୍ରମିକମାନେ ରାସ୍ତାକୁ ଚାଲିଆସି ଆନ୍ଦୋଳନ କରିଥିଲେ। ଶ୍ରମିକମାନେ ସେମାନଙ୍କର ଅଧିକାର ପାଇଁ ଧର୍ମଘଟରେ ବସିଥିଲେ। ଏହି ଆନ୍ଦୋଳନର କାରଣ ଥିଲା ଶ୍ରମିକମାନଙ୍କର କାର୍ଯ୍ୟ ସମୟ। ସେହି ସମୟ ମଧ୍ୟରେ ଶ୍ରମିକମାନେ ଦିନରେ ୧୫ରୁ ଅଧିକ ଘଣ୍ଟା ଧରି କାମ କରୁଥିଲେ। ଆନ୍ଦୋଳନ ସମୟରେ ପୋଲିସ କର୍ମଚାରୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏହି ସମୟରେ ଅନେକ ଶ୍ରମିକ ପ୍ରାଣ ହରାଇଥିଲେ। ଏଥିରେ ଶତାଧିକ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ  ।

ଏହି ଘଟଣାର ତିନି ବର୍ଷ ପରେ, ଆନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀ ୧୮୮୯ରେ ଭେଟିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପ୍ରତ୍ୟେକ ଶ୍ରମିକଙ୍କୁ ଦିନକୁ ମାତ୍ର ୮ ଘଣ୍ଟା କାମ କରିବାକୁ ପଡିବ। ଏଥି ସହିତ ସମ୍ମିଳନୀ ପରେ ୧ ମଇରେ ଶ୍ରମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା। ଏହି ଦିନ ଶ୍ରମିକମାନଙ୍କୁ ପ୍ରତିବର୍ଷ ଛୁଟି ଦେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ପରେ ଆମେରିକାର ଶ୍ରମିକମାନଙ୍କ ପରି ଅନ୍ୟ ଦେଶରେ ମଧ୍ୟ ୮ ଘଣ୍ଟା କାମ କରିବାର ନିୟମ ଲାଗୁ ହେଲା। ବର୍ତ୍ତମାନ ସମସ୍ତ ଦେଶ ଆଜିର ଦିନକୁ ଶ୍ରମିକ ଦିବସ ରୂପେ ପାଳନ କରିଆସୁଛନ୍ତି।

ବଦଳିଲା ରଜୌରୀ-ଅନନ୍ତନାଗ ଲୋକସଭା ଆସନ ପାଇଁ ଭୋଟଦାନ ତାରିଖ, ୨୫ରେ ହେବ ଭୋଟଗ୍ରହଣ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ରଜୌରୀ-ଅନନ୍ତନାଗ ଲୋକସଭା ଆସନରେ ବଦଳିଲା ଭୋଟଦାନ ତାରିଖ। ଆସନ୍ତା ମେ’ ୭ ତାରିଖ ପରିବର୍ତ୍ତେ ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା ପରେ ଭୋଟଗ୍ରହଣ ତାରିଖ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ଜାମ୍ମୁ କାଶ୍ମୀରରେ ଥିବା ୫ ଲୋକସଭା ଆସନ ମଧ୍ୟରୁ ଅନନ୍ତନାଗ-ରାଜୌରୀ ହେଉଛି ଗୋଟିଏ ଲୋକସଭା ଆସନ। ପୂର୍ବରୁ ଅନନ୍ତନାଗ-ରାଜୌରୀ ଆସନରେ ତୃତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ହେବାର ଥିଲା। ତେବେ ଆସନ୍ତା ୨୫ ତାରିଖ ଦିନ ଏଠାରେ ଭୋଟଗ୍ରହଣ ହେବ।

ତେବେ ଆଗାମୀ ୨୫ ତାରିଖରେ ନିର୍ବାଚନ ପ୍ରସ୍ତୁତି ନେଇ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଜାମ୍ମୁ କାଶ୍ମୀର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ଗମନାଗମନ ବ୍ୟବସ୍ଥା, ପାଣିପାଗ ଏବଂ ଯୋଗାଯୋଗକୁ ନେଇ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି। ଦକ୍ଷିଣ କାଶ୍ମୀର ସହ ପୁଞ୍ଚ, ରାଜୌରୀ ଏବଂ ଜାମ୍ମୁ ଅଂଚଳରେ ପ୍ରସ୍ତୁତି ନେଇ ରିପୋର୍ଟ ଦେବାକୁ କହିଛନ୍ତି। ତେବେ ନିର୍ବାଚନକୁ ନଘୁଞ୍ଚାଇବାକୁ ଭାରତୀୟ ନିର୍ବାଚନକୁ ଭେଟି ନିବେଦନ କରିଥିଲେ ନ୍ଯାସନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଏବଂ ପିଡିପି ନେତ୍ରୀ ମେହବୁବା ମୁଫତି।

 

ନଜର ପକାନ୍ତୁ ଏଯାବତ କେଉଁ ଦଳ କେତେ ଆସନ ପାଇଁ ଘୋଷଣା କଲେଣି ପ୍ରାର୍ଥୀ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ବଢୁଛି ତାତି । ସଭିଙ୍କ ନଜର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ । ଆସନ୍ତୁ ନଜର ପକାଇବା କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେଡି ୧୪୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ  । ଏବେ ଆଉ ୩ ଜଣ ପ୍ରାର୍ଥୀ ଘୋଷଣା ବାକି ରହିଛି । ସେହିପରି କଂଗ୍ରେସ ଏଯାଏଁ ୧୪୬ ଜଣଙ୍କ ନାଁ ଘୋଷଣା କଲାଣି । ବିଜେପି ଏଯାଏଁ ୧୪୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେପି ଆଉ ୭ଟି ଆସନରେ ଏବଂ କଂଗ୍ରେସ ୧ ଆସନରେ ପ୍ରାର୍ଥୀ ଦେବାକୁ ବାକି ଅଛି । ସେହିପରେ ଲୋକସଭାରେ ଉଭୟ ବିଜେଡି ଓ ବିଜେପି ସମସ୍ତ ୨୧ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କଂଗ୍ରେସ ୨୦ଟି ଆସନରେ ପ୍ରାର୍ଥୀ ଦେଇଛି । କେବଳ ମୟୂରଭଞ୍ଜ ଲୋକସଭା ଆସନ ପାଇଁ କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନି ।

ନିର୍ବାଚନ ପୂର୍ବରୁ କାହିଁକି ଜେଲ ଗଲେ କେଜ୍ରିଓ୍ବାଲ, ଇଡିକୁ ୫ ପ୍ରଶ୍ନ ପଚାରିଲେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀ ମାମଲାରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିବାବେଳେ ମଙ୍ଗଳବାର ଏହାର ଶୁଣାଣି କରାଯାଇଛି । ତେବେ ଇଡି କେଜ୍ରିଓ୍ବାଲଙ୍କୁ ଗିରଫ କରିଥିବାବେଳେ ଏହି ମାମଲାରେ ଇଡିକୁ ୫ ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ । ତେବେ ଶୁକ୍ରବାର ମଧ୍ୟରେ ଏହି ୫ ପ୍ରଶ୍ନର ଉତ୍ତର ରଖିବା ପାଇଁ ଶୁକ୍ରବାର ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

୧- ନିର୍ବାଚନ ପୂର୍ବରୁ କେଜ୍ରିଓ୍ବାଲଙ୍କୁ କାହିଁକି ଗିରଫ କଲ?

୨- କେଜ୍ରିଓ୍ବାଲଙ୍କୁ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ସଂଲଗ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଣୁ ସେ ଏହି ଘଟଣାରେ କିପରି ସେ କିପରି ଭାବେ ଜଡ଼ିତ ।

୩- ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇ କହିଛନ୍ତି ଯେ ମନୀଷ ସିସୋଡିଆ ସହ ଜଡିତ ମାମଲା ଯେତେ ଦୂର, ସେଠାରେ ମଧ୍ୟ ଏହାର ଅନୁସନ୍ଧାନ ରହିଛି, ତେବେ କେଜ୍ରିୱାଲ ମାମଲା କେଉଁଠାରେ ଅଛି ଆମକୁ କୁହନ୍ତୁ?

୪- ସୁପ୍ରିମକୋର୍ଟ କହିଛନ୍ତି, “ଏହି ଦୃଷ୍ଟିକୋଣରୁ ଧାରା ୧୯ର ସୀମା ଅଭିଯୁକ୍ତଙ୍କ ଉପରେ ନୁହେଁ ବରଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉପରେ ନିର୍ଭର କରେ। ତେଣୁ ନିୟମିତ ଜାମିନ ପାଇଁ କୌଣସି ଦାବି ନାହିଁ | କାରଣ ସେମାନେ ଧାରା ୪୫ର ସମ୍ମୁଖୀନ ହେଉଛନ୍ତି ଏବଂ ଦାୟିତ୍ବ ସେମାନଙ୍କ ଉପରେ ପଡିଛି, ତେବେ ଆମେ ଏହାକୁ କିପରି ବ୍ୟାଖ୍ୟା କରିବୁ | ଆମେ ଦଣ୍ଡକୁ ବହୁତ ଉଚ୍ଚ ସେଟ୍ କରିବା ଉଚିତ ଏବଂ ଦୋଷୀ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ମାନକ ସମାନ ବୋଲି ନିଶ୍ଚିତ କରିବା ଉଚିତ କି?

୫- କୋର୍ଟ କହିଛନ୍ତି ଯେ ପ୍ରକ୍ରିୟା ଆରମ୍ଭ ହେବା ଏବଂ ଗିରଫ ଇତ୍ୟାଦି ମଧ୍ୟରେ କାହିଁକି ସମୟ ବ୍ୟବଧାନ ରହିଛି?

 

 

 

କାକଟପୁରରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେଲେ ବିଶ୍ବ ଭୁଷଣ ଦାସ

ନନ୍ଦିଘୋଷ ବ୍ୟୁରୋ: କାକଟପୁରରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେଲେ ବିଶ୍ବ ଭୁଷଣ ଦାସ । ମଙ୍ଗଳବାର ଓଡ଼ିଶାର କାକଟପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏଆଇସିସି । ପୂର୍ବରୁ ଏଠାରେ ବିଜେଡି ପ୍ରାର୍ଥୀ ଘୋଷଣା କରି ନଥିବାବେଳେ ବିଜେପି ବାଇଧର ମଲ୍ଲିକଙ୍କ ପ୍ରାର୍ଥୀ କରିଛି ।

ସେବା ଓ ତିତୀକ୍ଷାର ନୂଆ ସୂର୍ଯ୍ଯୋଦୟ ଅପେକ୍ଷାରେ ହିଂଜିଳିରୁ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ସେହି ହିଞ୍ଜିଳି। ସେହି ଛତ୍ରପୁର। ସେହି ନେତା ଅପ୍ରତିଦ୍ବନ୍ଦ୍ବୀ ନବୀନ ପଟ୍ଟନାୟକ। ଏ ସଂପର୍କ ଦୀର୍ଘ ୨୪ ବର୍ଷର। ମଙ୍ଗଳବାର ପୁଣି ତାଜା ହୋଇଯାଇଥିଲା । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ଛତ୍ରପୁର ପହଞ୍ଚି ନାମାଙ୍କନ ଭରିଛନ୍ତି । ମୋଟ ୪ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିପାଇଁ ପ୍ରସ୍ତାବକ ଥିଲେ ଶରତ ପାତ୍ର ଓ ସୁରେନ୍ଦ୍ର ପ୍ରଧାନ । ଏହା ପୂର୍ବରୁ ଗଂଜାମର ଇଷ୍ଟଦେବୀ ମାଆ ତାରାତାରିଣୀଙ୍କ ପୀଠରେ ପହଞ୍ଚି ନେଇଥିଲେ ଆଶୀର୍ବାଦ । ସେଠାରୁ ବାହାରି ଦଳର ବରିଷ୍ଠ ନେତାଙ୍କ ସହ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଧାର୍ଯ୍ଯ ସମୟ ଅନୁସାରେ ଦାଖଲ କରିଥିଲେ ପ୍ରାର୍ଥିପତ୍ର ।

ଦୁଇ ହଜାର ମସିହାରୁ ଏହି ଅଭିଯାନ। ଏଥର ଷଷ୍ଠ ପାଳି ପାଇଁ ପଡିଲା ନିଅଁ। ରେକର୍ଡ ଅଭିମୁଖେ ନବୀନଙ୍କ ଯାତ୍ରା। ସେବା ଓ ତିତୀକ୍ଷାର ନୂଆ ସୂର୍ଯ୍ଯୋଦୟ ଅପେକ୍ଷାରେ ହିଂଜିଳିରୁ ଓଡ଼ିଶା। ରାସ୍ତାର ଦୁଇ କଡରେ ଜନତାଙ୍କ ଭିଡ଼। ୪୫ ଡିଗ୍ରୀ ଖରାକୁ ବି ନଥିଲା ଖାତିର। ନିଜ ନେତାର ଗୋଟିଏ ଝଲକ ଦେଖବାକୁ ଛୁଟି ଆସିଥିଲେ ଆବାଳବୃଦ୍ଧ ବନିତା । ଅବସର ଥିଲା ପାଞ୍ଚ ପାଞ୍ଚ ଥରର ମୁଖ୍ଯମନ୍ତ୍ରୀ ସାଢେ ଚାରି କୋଟି ଓଡିଆଙ୍କୁ ନିଜ ପରିବାର ଭାବୁଥିବା ମୁଖ୍ଯମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାମାଙ୍କନ ଦାଖଲର ଦିନ। ଦଳୀୟ ନେତାଙ୍କ ଗହଣରେ ନବୀନ ପହଞ୍ଚିଥିଲେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସରେ। ୪ ସେଟ ନାମାଙ୍କନପତ୍ର ଦାଖଲ କରିଥିଲେ। ଯେଉଁଥିରେ ପ୍ରସ୍ତାବକ ଥିଲେ ଶରତ ପାତ୍ର ଓ ସୁରେନ୍ଦ୍ର ପ୍ରଧାନ। ଆଇନଗତ କାମ ସୁରୁଖୁରୁରେ ଶେଷ କରିବା ପାଇଁ ସାଙ୍ଗରେ ଥିଲେ ଆଇନଜୀବୀ ବି. ଶ୍ରୀନିବାସ।

ସୁପ୍ରିମୋଙ୍କ ସାଥ ଦେବାକୁ ପାଖେ ପାଖେ ଥିଲେ ବିଜେଡିର ବରିଷ୍ଠ ନେତା ତଥା 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଉପସ୍ଥିତ ଥିଲେ ଗଂଜାମର ବହୁ ହେଭିୱେଟ । ଭଞ୍ଜନଗର ବିଧାନସଭା ପ୍ରାର୍ଥୀ ତଥା ବିକ୍ରମ ଆରୁଖ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ପୋଲସରା ବିଧାନସଭା ପ୍ରାର୍ଥୀ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ଯନଗର ବିଧାନସଭା ପ୍ରାର୍ଥୀ ଲତିକା ପ୍ରଧାନ, ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ସୋରଡ଼ା ପୂର୍ବତନ ବିଧାୟକ ପୂର୍ଣ୍ଣ ସ୍ବାଇଁ, ଖଲିକୋଟ ବିଧାନସଭା ପ୍ରାର୍ଥୀ ସୂର୍ଯ୍ଯମଣି ବୈଦ୍ଯ, ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ବେହେରା, ସାନଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶା ପାଇଁ ସମର୍ପିତ ମଣିଷ ମୁଖ୍ଯମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ନିଶ୍ଚୟ ପୂରଣ ହେବ । ଏଥର ଦଳର ବୃହତ ବିଜୟ ହେବ। ଓଡିଆ ଅସ୍ମିତାର ବିଜୟ ହେବ ବୋଲି କହିଛନ୍ତି ଦଳୀୟ ନେତା ।

ନବୀନଙ୍କୁ ପାଖରେ ପାଇ ପୂରା ଗଂଜାମ ଖୁସିରେ ଝୁମିଉଠିଥିଲା। ଗଂଜାମ ବିଜେଡିରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା। ନାମାଙ୍କନ ଭରିବା ପୂର୍ବରୁ ମାଆ ତାରାତାରିଣୀଙ୍କ ଦର୍ଶନ କରି ଆଶୀର୍ବାଦ ଲୋଡିଥିଲେ ପାଞ୍ଚ ପାଞ୍ଚ ଥର ମୁଖ୍ଯମନ୍ତ୍ରୀ ପଦ ଅଳଂକୃତ କରିଥିବା ନବୀନ। ୨୦୦୦ ମସିହାରୁ ଲଗାତାର ହିଞ୍ଜିଳି ଆସନରୁ ବିଜୟୀ ହୋଇ ଓଡିଶା ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛନ୍ତି। ୨୪ ବର୍ଷର ଶାସନରେ ଓଡ଼ିଶାକୁ ଆତ୍ମନିର୍ଭର, ଶିଳ୍ପ ସମୃଦ୍ଧ, ଆର୍ଥିକ ସ୍ବଚ୍ଛଳ ରାଜ୍ଯ ଭାବେ ଗଢିତୋଳିଛନ୍ତି ନବୀନ ।

କଟକ ଲୋକସଭା ଆସନରେ ହେବ କଡା ଟକ୍କର

ନନ୍ଦିଘୋଷ ବ୍ୟୁରୋ: କଟକ ଲୋକସଭା ଆସନରେ ହେବ ତ୍ରିମୁଖୀ ଲଢେଇ। ବିଜେଡିର ସତୃପ୍ତ ମିଶ୍ର ପ୍ରଚାରରେ ବେଶ ଆଗୁଆ ଥିବା ବେଳେ ନୂଆ ଦଳକୁ ନେଇ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ସେପଟେ ବିଳମ୍ବରେ କଂଗ୍ରେସ ସୁରେଶ ମହାପାତ୍ରଙ୍କ ନାମ ଘୋଷଣା କରିଥିବାବେଳେ ହାତରେ ଆଉ ସ୍ବଳ୍ପ ସମୟ ଥିବାରୁ ପ୍ରଚାରକୁ ଜୋରଦାର କରିବାକୁ ସେ ଅଣ୍ଟା ଭିଡିଛନ୍ତି।

କଟକ ଲୋକସଭା ପାଇଁ ମହା ଲଢେଇ। ଅଭିଜ୍ଞ ଓ ନବାଗତଙ୍କ ମଧ୍ଯରେ ହେବ ଟକ୍କର । ବିଳମ୍ବର ନିଜର ପ୍ରଚାର ଅଭିଯାନ ଆରମ୍ଭ କଲା କଂଗ୍ରେସ। କଟକ ଲୋକସଭା ନିର୍ବାଚନ ମଣ୍ଡଳିରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ। ବିଜେଡିର ସଂତୃପ୍ତ ମିଶ୍ର, ବିଜେପିର ଭର୍ତ୍ତୃହରି ଓ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କ ଭିତରେ ଟକ୍କର । ବିଜେଡି ସୁପ୍ରିମୋଙ୍କ ଆଶିର୍ବାଦ ନେଇ ପ୍ରଚାରକୁ ଜୋରଦାର କରିଛନ୍ତି ସଂତୃପ୍ତ ମିଶ୍ର। ଯୁଆଡେ ଯାଉଛନ୍ତି ବିକାଶ ପାଇଁ ମିଳୁଛି ବିପୁଳ ଆଶୀର୍ବାଦ। ସେପଟେ ବିଳମ୍ବରେ କଂଗ୍ରେସ ବରିଷ୍ଠ ସୁରେଶ ମହାପାତ୍ରଙ୍କୁ ନିଜର ପ୍ରାର୍ଥୀ କରିଛି। କଟକ ଚଣ୍ଡୀ ମାଆଙ୍କ ଆଶିର୍ବାଦ ନେଇ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ସୁରେଶ। ସମୟ କମ ଥିଲେ ସୁଦ୍ଧା ରାହୁଲ ଗାନ୍ଧୀଙ୍କ ସାଲେପୁର ଗସ୍ତ ପରେ ଦଳର ମନୋବଳ ବୃଦ୍ଧି ପାଇଛି।

ସେପଟେ ବିଜେଡି ପରିଚୟରେ ଲଗାତର ନିର୍ବାଚନ ବୈତରଣୀ ପାର ହୋଇ ଆସିଥିବା ଭର୍ତ୍ତୃହରିଙ୍କ ପାଇଁ କିନ୍ତୁ ନୂଆ ସମିକରଣ ଅଡୁଆ ସୃଷ୍ଟି କରିଛି। ଚଳିତ ବର୍ଷ ବିଜେଡି ଛାଡ଼ି ବିଜେପି ପ୍ରାର୍ଥୀ ହୋଇଛନ୍ତି ଭର୍ତ୍ତୃହରି । ପ୍ରଚାର ମୈଦାନରେ ସେତେଟା ଦମ୍ ନଥିଲେ ସୁଦ୍ଧା ଛୋଟ ଛୋଟ ୱାର୍ଡ ସ୍ତରୀୟ ମିଟିଂ ଓ ବୁଥ୍ ସ୍ତରୀୟ କର୍ମୀ ସମ୍ମିଳନୀ କରି ଭୋଟରଙ୍କ ମନ ଜିତିବାକୁ ପ୍ରୟାସ କରୁଛନ୍ତି । ନିର୍ବାଚନକୁ ଆଉ ୨୫ ଦିନ ବାକି ଥିବା ବେଳେ ଆସନ୍ତା ୩ ତାରିଖରେ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ଦାଖଲ କରିବେ। ଏହାପରେ ଦେଖିବାକୁ ମିଳିବ ଅସଲ ପ୍ରଚାର ଲଢେଇ ।

ହଂସପାଳ ଫ୍ଲାଏ ଓଭରବ୍ରିଜକୁ ନେଇ ଅପରାଜିତାଙ୍କୁ ମନ୍ମଥଙ୍କ ଟାର୍ଗେଟ

ଭୁବନେଶ୍ବର: ହଂସପାଳ ଫ୍ଲାଏ ଓଭରବ୍ରିଜକୁ ନେଇ ଅପରାଜିତାଙ୍କୁ କାଠଗଡ଼ାକୁ ଟାଣିଲେ ବିଜେଡି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ସାମ୍ବାଦିକ ସମ୍ମିଳନୀ କରି ମନ୍ମଥ ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ୱର ସାଂସଦ ନିଜ ରିପୋର୍ଟ କାର୍ଡରେ ଦର୍ଶାଇ ଥିଲେ ଯେ ମାର୍ଚ୍ଚ ୩୧ ସୁଦ୍ଧା ଓଭରବ୍ରିଜ କାମ ଶେଷ ହେବ । କିନ୍ତୁ ହଂସପାଳ ଫ୍ଲାଏ ଓଭରବ୍ରିଜ କାମ ଆଜି ପର୍ଯ୍ୟନ୍ତ ଶେଷ ହେଲା ନାହିଁ। ୨୦୧୯ରେ ସେ ହଂସପାଳ ଓଭରବ୍ରିଜ୍ ସଂକ୍ରାନ୍ତରେ ସଂସଦରେ ଆଲୋଚନା କରିଥିଲେ । ଭୁବନେଶ୍ୱର ସାଂସଦ ତାପରେ ଯେମିତି ଏହି କଥାକୁ ଭୁଲି ଯାଇଛନ୍ତି ।

କେବେ ଗୋଟିଏ ଥର ଏହି ଜାଗାକୁ ଆସି ଓଭରବ୍ରିଜ ନିର୍ମାଣ କାର୍ଯ୍ୟ କାହିଁକି ବିଳମ୍ବ ହେଉଛି ସେନେଇ ମଧ୍ୟ ଜାଣିବାକୁ ଚେଷ୍ଟା କରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ମନ୍ମଥ । ତାସହିତ ତାଙ୍କ ରିପୋର୍ଟ କାର୍ଡରେ ୧୦ଟି ଓଭରବ୍ରିଜ୍ ଓ ୪ଟି ଫୁଟ ଓଭରବ୍ରିଜ କାମ କରିଥିବା ଦର୍ଶାଇଛନ୍ତି ।  ତାହେଲେ ଏହି କାମ କାହିଁକି ବାକି ରହିଗଲା ? କାହିଁକି ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରି ପାରିଲେ ନାହିଁ ? ଏହି ଫ୍ଲାଏ ଓଭରବ୍ରିଜ କାମ ଶେଷ ନ ହେବାରୁ ଭୁବନେଶ୍ୱର ଲୋକ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ଟ୍ରାଫିକ ଜାମ୍ ହେଉଛି, ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଛି । ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେଉଛି । ରୋଗୀଙ୍କୁ ସଠିକ୍ ସମୟରେ ମେଡିକାଲ ନେଇ ଆମ୍ବୁଲାନ୍ସ ଯାଇପାରୁ ନାହିଁ ।

ଲୋକ ସଠିକ୍ ସମୟରେ ବିମାନବନ୍ଦରରେ ପହଞ୍ଚି ପାରୁନାହାଁନ୍ତି । ଭୁବନେଶ୍ୱର ଲୋକ ଏତେ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସାଂସଦ ମିଛ ରିପୋର୍ଟ କାର୍ଡ ପ୍ରକାଶ କରି ଭୋଟ ନେବାକୁ ଉଦ୍ୟମ କରୁଛନ୍ତି ଏହା ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ମନ୍ମଥ । ଆଜି ଭୁବନେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ୧୦ ମେ ସୁଦ୍ଧା ଗୋଟିଏ ପାର୍ଶ୍ଵ ଏବଂ ୩୦ ଜୁନ ସୁଦ୍ଧା ଉଭୟ ପାର୍ଶ୍ୱର କାମ ସଂପୂର୍ଣ୍ଣ ହେବ ବୋଲି ଦର୍ଶାଯାଇଛି । କାଳେ କେହି ପ୍ରଶ୍ନ କରିବେ ବୋଲି ଜାଣିକି ନିଜର ଭୁଲକୁ ଲୁଚାଇବା ପାଇଁ ଭୁବନେଶ୍ୱର ସାଂସଦ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି ମନ୍ମଥ।

ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ନେଇ ବଢୁଛି ଦଳୀୟ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ନେଇ ବଢୁଛି ଦଳୀୟ ଅସନ୍ତୋଷ। ୨୦୧୪ରେ ବ୍ରଜରାଜନଗର ବିଧାୟିକା ହେଇଥିବା ରାଧାରାଣୀ ପଣ୍ଡା ଦେଇଛନ୍ତି ବଡ଼ ବୟାନ। ସୁରେଶଙ୍କୁ ଦଳର ଟିକେଟ ଘୋଷଣା ପରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବ୍ରଜରାଜନଗର ବିଧାୟିକାଙ୍କୁ ପୂରା ଭୁଲିଯାଇଛନ୍ତି ସୁରେଶ ପୂଜାରୀ। କେବଳ ରାଧାରାଣୀ ପଣ୍ଡା ନୁହନ୍ତି, ବ୍ରଜରାଜନଗରର ଅନେକ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ସୁରେଶ ଅଣଦେଖା ଏବଂ ଅପମାନ କରୁଥିବା  ରାଧାରାଣୀ ପଣ୍ଡା କହିଛନ୍ତି। ଏପରି ଆଭିମୁଖ୍ୟ ଯୋଗୁ ଶୀଘ୍ର ରାଧାରାଣୀ ବିଜେପି ଛାଡ଼ିବେ ବୋଲି ଇସାରା ଦେଇଛନ୍ତି। ଏହାର ପ୍ରଭାବ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ଉପରେ ବୋଲି ଚର୍ଚ୍ଚା ଜୋର ହେଉଛି। ରାଧାରାଣୀ ପଣ୍ଡା ଓ ସୁରେଶ ପୂଜାରୀଙ୍କୁ ନେଇ ବ୍ରଜରାଜନଗର ବିଜେପିରେ ସୃଷ୍ଟି ହୋଇଛି ଝଡ଼ ।