spot_img
Home Blog Page 1858

ଆଜି ଦକ୍ଷିଣ ଓଡ଼ିଶାରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର

ଭୁବନେଶ୍ୱର : ବିଜେଡିର ମିଶନ ଦକ୍ଷିଣ ଓଡ଼ିଶା । ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା କ୍ଷେତ୍ର ମଧ୍ଯରୁ ୩ଟି ଲୋକସଭା କ୍ଷେତ୍ରରେ ନବୀନ ପ୍ରଚାର କରିବେ । କୋରାପୁଟ ଲୋକସଭା କ୍ଷେତ୍ରର କୋରାପୁଟ, ରାୟଗଡ଼ା ସହ ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ।

ପ୍ରଥମେ ସକାଳ ୧୦ଟାରେ କୋରାପୁଟରେ ପହଞ୍ଚି ବିଶାଳ ଜନସଭାକୁ ଉଦବୋଧନ ଦେବେ । ଏହାପରେ ୧୧ଟା ୪୦ରେ ନବରଙ୍ଗପୁରରେ ପହଞ୍ଚି ପ୍ରଚାର କରିବେ ନବୀନ । ସେଠାରୁ ରାୟଗଡ଼ା ଯାଇଁ ୩ଟା ୪୦ରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଶେଷରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ବିଶାଳ ଜନସଭାକୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ସହ 5T ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିବେ ।

ପାଟପୁରରେ ପୋଡା ଇଟା କାନ୍ଥ ଭୁଶୁଡି ଦୁଇ ମୃତ

ପାଟପୁର: ଇଟାଭାଟିରେ କାମ କରୁଥିବା ସମୟରେ ପୋଡା ଇଟା କାନ୍ଥ ଭୁଶୁଡି ଦୁଇ ଜଣଙ୍କର ମୃତ୍ୟୁ। ପାଟପୁର ଥାନା ଅନ୍ତର୍ଗତ ନୂଆଁଗଡ଼ ସ୍ଥିତ SBI ଚିମିଲିରେ ଘଟିଛି ଏପରି ଅଘଟଣ। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ଖୁଲୁଡ଼ି ଗ୍ରାମର ୬୦ ବର୍ଷୀୟ ବୃଦ୍ଧା ସୁଲଭ ଦୋରାଙ୍କ ମୃତ୍ୟୁ ହୋଇଥିବା ବେଳେ ବଳଧିଆ ଗ୍ରାମର ସରସ୍ପତି ନାମକ ମହିଳାଙ୍କର ବ୍ରହ୍ମପୁର MKCG ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଖବର ପାଇ ପାଟପୁର ପୋଲିସ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଇଟା ଭାଟିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ବିଦେଶରୁ ଫେରିଲେନି ଅଶ୍ଳୀଳ ଭିଡିଓ ମାମଲାର ଅଭିଯୁକ୍ତ ପ୍ରଜ୍ବଳ ରେବନ୍ନା

ନୂଆଦିଲ୍ଲୀ: ବିଦେଶରୁ ଫେରିଲେନି ଅଶ୍ଳୀଳ ଭିଡିଓ ମାମଲାର ଅଭିଯୁକ୍ତ ପ୍ରଜ୍ବଳ ରେବନ୍ନା। ଜର୍ମାନୀ ଫ୍ରାଙ୍କଫର୍ଟରୁ ବେଙ୍ଗାଳୁରୁ ଫେରିବାର କାର୍ଯ୍ୟକ୍ରମ ଥିବା ସତ୍ତ୍ବେ ସେ ଫେରିନାହାନ୍ତି। ସେ ଫ୍ରାଙ୍କଫର୍ଟରୁ ଦୁବାଇ ଚାଲିଯାଇଥିବା ସୂଚନା ମିଳିଛି। ସେପଟେ ଏହି ପ୍ରସଙ୍ଗକୁ ନେଇ ପୁଣି ବଢିଛି ରାଜନୀତି। ତେଣେ ମହୀଶୂରରେ ଜଣେ ମହିଳା ନିଖୋଜ ହୋଇଯିବା ପରେ ପ୍ରଜ୍ବଳଙ୍କ ବିରୋଧରେ ଦାୟର ହୋଇଛି ଏକ ଅପହରଣ ମାମଲା।

ଖାଲି ଏତିକି କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ପ୍ରଜ୍ବଳ ଯେଉଁଠି ଥିଲେ ବି ତାଙ୍କୁ ଧରାଯିବ। ସିଆରପିସିର ଧାରା ୪୧-ଏ ଅନୁସାରେ ଏସଆଇଟି ନୋଟିସର ୨୪ ଘଣ୍ଟା ମଧ୍ୟରେ ହାଜର ହେବାର ନିୟମ ରହିଛି । ସେପଟେ ଏହି ମାମଲାରେ ସିଦ୍ଦରମୈୟା ସରକାର କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଞ୍ଚା ଦେଉଛନ୍ତି ବୋଲି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ଯକୁ ସମାଲୋଚନା କରିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି. ପରମେଶ୍ବର । ଦୋଷୀକୁ ସୁରକ୍ଷା ଦେବାର କୌଣସି ଅଭିପ୍ରାୟ ନାହିଁ ବୋଲି ସେ କହିଥିଲେ ।

ଏହି ମାମଲାରେ କେବଳ ପ୍ରଜ୍ବଳ ନୁହନ୍ତି ତାଙ୍କ ବାପା ତଥା ଜେଡିଏସ ବିଧାୟକ ଏଚ.ଡି. ରେବନ୍ନାଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି । ଏହି ମାମଲାରେ ଉଭୟ ବାପା-ପୁଅଙ୍କ ବିରୋଧରେ ଆଇପିସିର ଧାରା ୩୫୪-ଏ, ୩୫୪-ଡି, ୫୦୬, ୬୦୯ ଅନୁସାରେ ମାମଲା ରୁଜୁ କରିଛି । ଏହି ବହୁଚର୍ଚ୍ଚିତ ମାମଲା ଲୋକଲୋଚନକୁ ଆସିବା ପୂର୍ବରୁ ଗତ ଏପ୍ରିଲ ୨୬ରେ ସରିଥିଲା ଲୋକସଭା ନିର୍ବାଚନ। ହାସନ ଆସନରୁ ପୁଣି ଥରେ ପ୍ରାର୍ଥୀ ଅଛନ୍ତି ଜେଡିଏସ-ବିଜେପି ମେଣ୍ଟର ପ୍ରଜ୍ବଳ ରେବନ୍ନା।

ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ଚାଲିଗଲା ଜଣେ କଳାକାରଙ୍କ ଜୀବନ

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ଚାଲିଗଲା ଜଣେ କଳାକାରଙ୍କ ଜୀବନ। ନାମାଙ୍କନ ରାଲିରେ ଅଂଶୁଘାତରେ ବାମରା ବ୍ଲକ ପିଣ୍ଡାପଥର ବାଘପଡାର କୁମାର ମାଝୀଙ୍କର ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ପାଇଁ ବିଶାଳ ରାଲିର ଆୟୋଜନ କରିଥିଲେ ଧର୍ମେନ୍ଦ୍ର।

ଖରାରେ ବଡ ରାଲି କରିଥିଲେ ବି ଲୋକଙ୍କ ପାଇଁ ସାମାନ୍ଯତମ ସୁବିଧା କରିନଥିଲେ। ପାଣି ଠୋପେ ଖୋଜିଲେ ବି ମିଳୁନଥିଲା। ଫଳରେ ଲୋକମାନେ ଖରାରେ ପାଣି ପାଇଁ ଡହଳବିକଳ ହେଉଥିଲେ। ପ୍ରଚଣ୍ଡ ଖରାରେ ଭିଡ଼ ଭିତରେ ଅଂଶୁଘାତର ଶିକାର ହୋଇଥିଲେ କୁମାର। ଘଟଣାସ୍ଥଳରେ ତାଙ୍କର ମୃତ୍ଯୁ ହୋଇଥିଲେ ବି ଧର୍ମେନ୍ଦ୍ର ପ୍ରଧାନ କିମ୍ବା ତାଙ୍କ ସମର୍ଥକ ଧ୍ଯାନ ଦେଇନଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ଯରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। କ୍ଷମତା ନିଶାରେ ଶକ୍ତି ପ୍ରଦର୍ଶନ କରି ଦେଖେଇ ହୋଇଥିବା ଧର୍ମେନ୍ଦ୍ର କେମିତି ମାନବିକତାକୁ ଭୁଲିଗଲେ ବୋଲି ଲୋକମାନେ ପ୍ରଶ୍ନ ଉଠାଇଛନ୍ତି।

ଖାରବେଳ ଗୋଟିଏ ବ୍ରାଣ୍ଡ, ପାର୍ଟିର କ୍ରୀତଦାସ ନୁହେଁ

ଭୁବନେଶ୍ୱର: ଅସନ୍ତୁଷ୍ଟ ଖାରବେଳ ସ୍ବାଇଁ ଏବେ ସ୍ବାଧୀନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଟିକେଟ ନମିଳିବାପରେ ସେ ସ୍ବାଧୀନ ଭାବେ ଲଢିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି। ଏଥିସହିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ସାଂସଦ ତଥା ଦଳୀୟ ଏମପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ଉପରେ ଖୁବ ବର୍ଷିଛନ୍ତି।

ଏବେ ସେ ମୋତେ ଭଦ୍ରକରୁ ଲଢିବାକୁ କହୁଛନ୍ତି। ସେ ଜାଣି ନାହାନ୍ତି, ଭଦ୍ରକ ସଂରକ୍ଷିତ ଆସନ। ବିଜେପି MPଙ୍କ ଷ୍ଟାଣ୍ଡାର୍ଡ ଏଇଆ ବୋଲି ସେ ଅଙ୍ଗୁଠି ଉଠାଇଛନ୍ତି । ସେହିପରି ନିର୍ବାଚନ କମିଟି ବୈଠକରେ ପ୍ରତାପ ଷଡ଼ଙ୍ଗୀ କାମ କରି ନାହାନ୍ତି ବୋଲି କୁହାଗଲା। ସେଥିପାଇଁ ତାଙ୍କୁ ମନ୍ତ୍ରୀପଦରୁ ବାହାର କରାଗଲା । ହେଲେ ଶେଷରେ ଟିକେଟ ଦିଆଗଲା । ପ୍ରତାପ ଷଡ଼ଙ୍ଗୀ ବହି ଛାପି ସରକାରୀ କାମକୁ ନିଜେ କରିଥିବା କହୁଛନ୍ତି। କାଲି ସେ ଚନ୍ଦ୍ରଯାନ ଛାଡିଛନ୍ତି ବୋଲି କହିବେ । ତାକୁ କଣ ସମସ୍ତେ ଗ୍ରହଣ କରିବେ କି ବୋଲି ପ୍ରଶ୍ନ କରିଛନ୍ତି ଖାରବେଳ ।

ପ୍ରତାପ ନନାଙ୍କ ରେଜଲ୍ଟ ବିଷୟରେ ମଧ୍ଯ ସେ ଭବିଷ୍ୟବାଣୀ କରିଛନ୍ତି। ପ୍ରତାପ ଷଡ଼ଙ୍ଗୀ ଏଇଠୁ ଥାର୍ଡ ପୋଜିସନରେ ରହିବେ। ସେ ଭାସିଯିବେ ବୋଲି କହିଛନ୍ତି ଖାରବେଳ। ମୋଦି ପ୍ରତାପଙ୍କ କାନ୍ଧରେ ହାତ ପକେଇଦେଲେ ବୋଲି ସେ ଭାବିନେଲେ ମୁଖ୍ୟମନ୍ତ୍ରୀ ହୋଇଗଲେ ବୋଲି । ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ ଦେଇ ଦଳ ଭୁଲ କରିଛି । ଶେଷରେ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରି କହିଛନ୍ତି, ସେ ପାର୍ଟିର କ୍ରୀତଦାସ ନୁହଁନ୍ତି । ପାର୍ଟି ନାକ ଘଷିବାକୁ କହିଲେ ଘଷିବୁ । ଖାରବେଳ ଗୋଟିଏ ବ୍ରାଣ୍ଡ । ବିନା ପଇସାରେ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହିତ ସ୍ବାଧୀନ ଭାବେ ଲଢିବାକୁ ଘୋଷଣା କରିଛନ୍ତି ଖାରବେଳ।

ନିର୍ବାଚନ ଜିତିଲେ ମିଶନ ଶକ୍ତିକୁ ବନ୍ଦ କରିଦେବେ ଧର୍ମେନ୍ଦ୍ର ପ୍ରଧାନ: ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ନିର୍ବାଚନ ଜିତିଲେ ମିଶନ ଶକ୍ତିକୁ ବନ୍ଦ କରିଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରି କହି ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ତଥା ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ।

ପ୍ରଣବ ଆହୁରି ମଧ୍ୟ କହିଛନ୍ତି, ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବାକୁ ସ୍ଥିର କରିବା ପରେ ମାଆଙ୍କ ଦୁବାଇ ଯାତ୍ରାକୁ ବନ୍ଦ କରିଦେଇଥିଲେ। ଆଉ ଯେବେ ନାମାଙ୍କନ ଭରିଲେ, ସେତେବେଳେ ମିଶନ ଶକ୍ତି ସଚିବଙ୍କୁ ବାହାର କରିଦେଲେ। ମିଶନ ଶକ୍ତି ସଚିବ ତଥା କେନ୍ଦ୍ରାପଡ଼ାର ଝିଅ ସୁଜାତା ରାଉତଙ୍କୁ ବାହାର କରିଦେଲେ ଧର୍ମେନ୍ଦ୍ର ।

ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି, ଯଦି ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଜିତନ୍ତି, ତେବେ ସେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପୂରା ବନ୍ଦ କରିଦେବେ। ଏ ଅସମ୍ମାନର ଜବାବ ଓଡ଼ିଶାର ଲକ୍ଷ ଲକ୍ଷ ମିଶନ ଶକ୍ତି ମା’ ନିଶ୍ଚୟ ଦେବେ ବୋଲି ପ୍ରଣବ କହିଛନ୍ତି ।

ସାଧାରଣ ଲୋକଙ୍କ ଫଣ୍ଡରେ ଲଢିବ କଂଗ୍ରେସ !

ପୁରୀ: ସାଧାରଣ ଲୋକଙ୍କ ଫଣ୍ଡରେ ଲଢିବ କଂଗ୍ରେସ। ଆର୍ଥିକ ସହାୟତା ମାଗିଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ। ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁରଚିତା ମହାନ୍ତି ଆଗାମୀ ନିର୍ବାଚନରେ ଲଢ଼ିବା ପାଇଁ ଆର୍ଥିକ ସହାୟତା ଲୋଡିଛନ୍ତି। ଇଛୁକ ସାଧାରଣ ଲୋକ ତାଙ୍କୁ ଯଥା ସମ୍ଭବ ଅର୍ଥ ସହଯୋଗ କରିବା ନେଇ ସେ ଅପିଲ କରିଛନ୍ତି।

ବିଜେପି ସରକାର କଂଗ୍ରେସର ସବୁ ଆକାଉଣ୍ଟ ବନ୍ଦ କରି ଦେଇଥିବାରୁ ନିର୍ବାଚନୀ ଖର୍ଚ୍ଚ ବହନ କରିବା ପାଇଁ ଖୁଲମ ଖୁଲ୍ଲା ଟଙ୍କା ମାଗୁଥିବା ଏବେ ପୁରୀରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏପରି ସିଧାସଳଖ ଟଙ୍କା ମାଗିବା ଘଟଣାକୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ହାଲୁକା ଭାବେ ନେଇଛନ୍ତି । ବିରୋଧ କରିବା ପରିବର୍ତ୍ତେ ପରୋକ୍ଷରେ ସେ ସୁଚରିତାଙ୍କୁ ଭଉଣୀ କହି ଏପରି ଫଣ୍ଡିଙ୍ଗକୁ ଏକ ଭିନ୍ନ ତରିକା କହି ସମର୍ଥନ ଜଣାଇଛନ୍ତି।

କଂଗ୍ରେସର ଏପରି ଟଙ୍କା ମାଗିବା ଘଟଣାକୁ ବିରୋଧ କରିଛି ବିଜେଡି। ଲୋକ ମାନଙ୍କର ସେବା କରିବା ପରିବର୍ତ୍ତେ ନିର୍ବାଚନ ଆସିଲେ ଏପରି ଫଣ୍ଡିଙ୍ଗ ସଂଗ୍ରହ କରିବାକୁ ଅନେକ ପ୍ରାର୍ଥୀ ଆଗକୁ ଆସନ୍ତି। ସୁରଚିତା ମହାନ୍ତିଙ୍କ ଏହା ବାହାନା କରି ଟଙ୍କା ରୋଜଗାରର ଏକ ନୂଆ ବାଟ ବୋଲି କହିଛି ବିଜେଡି।

ଆଧୁନିକତାର ଚାକଚକ୍ୟରେ ହଜିବାକୁ ବସିଲାଣି ଲୋକକଳା ପାଲା

ବାସୁଦେବପୁର: ଲୋକକଳା ପାଲା ହେଉଛି ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ସର୍ବ ପୁରାତନ ଝଲକ । ସାମାଜିକ ସଚେତନତାର ମାଧ୍ୟମ । ଆଧୁନିକତାର ଚାକଚକ୍ୟରେ ହଜି ଯିବାକୁ ବସିଲାଣି ଲୋକକଳା ପାଲା। ଲୋକକଳାକୁ ବଞ୍ଚାଇ ରଖିବାକୁ ପ୍ରତି ବର୍ଷ କରୁଛନ୍ତି ପାଲା ମହୋତ୍ସବ।

ହାତରେ ପାରମ୍ପରିକ ବାଦ୍ଯ। ମନରେ ଭରି ରହିଛି ଉତ୍ସାହ । ମୁଣ୍ଡଫଟା ଖରାକୁ ଭୃକ୍ଷେପ ନ କରି ଦେଖାଇ ଚାଲିଛନ୍ତି କଳାକୌଶଳ। ଏ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପ୍ରସନ୍ନ ବାସୁଦେବ ପାଲା ମଣ୍ଡଳର ବାର୍ଷିକ ସମାରୋହ। ଲୋକଙ୍କୁ ପାଲା ପ୍ରତି ଆକୃଷ୍ଟ କରିବାକୁ ଜାରି ରହିଛି ଅଭିନବ ପ୍ରୟାସ।

ବାସୁଦେବପୁର ପୌରପାଳିକାର ନୀଳମଣି ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଛି ପାଲା ମହୋତ୍ସବ। ଦଳ ଦଳ କରି କରୁଛନ୍ତି ପାଲା ପରିବେଷଣ । ପାରମ୍ପରିକ ବାଦ୍ୟଯନ୍ତ୍ର ମୃଦଙ୍ଗ ଓ ଝାଞ୍ଜ ବଜାଇ କଳା ପ୍ରଦର୍ଶନ କରୁଛନ୍ତି ପାଲା କଳାକାର । ରଙ୍ଗ ବେରଙ୍ଗର ପୋଷାକରେ ସଜେଇ ହୋଇଛନ୍ତି ପାଳିଆ ଠାରୁ ଗାୟକ ପର୍ଯ୍ୟନ୍ତ । ବିଭିନ୍ନ ରାଗରେ ପରିବେଷଣ କରୁଛନ୍ତି ନୃତ୍ଯ ଗୀତ । ବାସୁଦେବପୁର ବ୍ଲକ ପ୍ରସନ ବାସୁଦେବ ପାଲା ମଣ୍ଡଳ ଅଧିନରେ ରହିଛି ୩୦ ଗୋଟି ପାଲା ଦଳ । ଲୋକକଳାକୁ ବଞ୍ଚାଇ ରଖିବାକୁ ପ୍ରତି ବର୍ଷ କରୁଛନ୍ତି ପାଲା ମହୋତ୍ସବ ।

ନାମାଙ୍କନ ଭରିଲେ ରାହୁଲ ଗାନ୍ଧୀ ଓ କିଶୋରୀଲାଲ ଶର୍ମା

ରାଏବରେଲୀ: ଉତ୍ତରପ୍ରଦେଶର ଦୁଇ ସମ୍ମାନଜନକ ଆସନ ରାଏବରେଲୀ ଓ ଆମେଥିରୁ ନାମାଙ୍କନ ଭରିଲେ ରାହୁଲ ଗାନ୍ଧୀ ଓ କିଶୋରୀଲାଲ ଶର୍ମା। କିଛି ଦିନ ଧରି ରାଏବରେଲୀରୁ କିଏ ପ୍ରାର୍ଥୀ ହେବେ ସେନେଇ ଜାରି ରହିଥିଲା ସସପେନ୍ସ। ତେବେ ଆଜି ସମସ୍ତ କଳ୍ପନାଜଳ୍ପନାର ଅବସାନ ପରେ ରାଏବରେଲୀ ଲାଗି ରାହୁଲଙ୍କ ନାମ ଘୋଷଣା କରିଥିଲା କଂଗ୍ରେସ।

ଏକ ବିଶାଳ ଶୋଭାଯାତ୍ରାରେ ଯାଇ ରାହୁଲ ନାମାଙ୍କନ ଭରିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ। ସେପଟେ ଆମେଥି ଆସନ ଲାଗି ନାମାଙ୍କନ ଭରିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋରୀଲାଲ ଶର୍ମା। ଗାନ୍ଧୀ ପରିବାରର ଅତି ବିଶ୍ବସ୍ତ ନେତା ଭାବେ କିଶୋରୀଲାଲ ନିଜର ହଜାର ହଜାର ସମର୍ଥକଙ୍କ ସହ ଯାଇ ନାମାଙ୍କନ ଭରିଥିଲେ। ଆମେଥିରୁ ପୂର୍ବରୁ ବିଜେପିର ସ୍ମୃତି ଇରାନୀ ନାମାଙ୍କନ ଦାଖଲ କରିସାରିଛନ୍ତି।

ରାୟବରେଲୀରୁ ବିଜେପି ଦୀନେଶ ପ୍ରତାପ ସିଂହଙ୍କୁ ଟିକେଟ ଦେଇଛି। ଦୀନେଶ ପ୍ରତାପ ସିଂହ ୨୦୧୯ରେ ରାୟବରେଲୀରେ ସୋନିଆ ଗାନ୍ଧିଙ୍କ ବିପକ୍ଷରେ ନିର୍ବାଚନ ଲଢିଥିଲେ। ୨୦୧୯ରେ ସୋନିଆ ଗାନ୍ଧିଙ୍କ ଠାରୁ ଦିନେଶ ପ୍ରତାପ ସିଂହ ୧ ଲକ୍ଷ ୬୦ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ। ଆମେଥି ଏବଂ ରାୟବରେଲୀ ଗାନ୍ଧି-ନେହରୁ ପରିବାର ପାରମ୍ପରିକ କ୍ଷେତ୍ର ଭାବେ ରହିଛି। ଅନେକ ଦଶକ ଧରି ଏହି ପରିବାର ଦୁଇ ଆସନରୁ ପ୍ରତିନିଧିତ୍ଵ କରି ଆସୁଛନ୍ତି।ତେବେ ୨୦୧୯ରେ ରାହୁଲ ଆମେଥିରୁ ନିର୍ବାଚନ ହାରି ଯାଇଥିଲେ।

ତେବେ ରାହୁଲ ଗାନ୍ଧି ଏବେ ୱାୟନାଡରୁ ସାଂସଦ ଅଛନ୍ତି। ଚଳିତ ଥର ମଧ୍ୟ କେରଳ ୱାୟନାଡ ଆସନରୁ ନିର୍ବାଚନ ଲଢୁଛନ୍ତି ରାହୁଲ। ଦ୍ଵିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ରେ ୱାୟନାଡରେ ଭୋଟଗ୍ରହଣ ସରିଛି। ୨୦୦୪ରୁ ୨୦୨୪ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ରାୟବରେଲୀରୁ ପ୍ରତିନିଧିତ୍ଵ କରିଥିଲେ। ଏହା ପୂର୍ବରୁ ସୋନିଆ ଗାନ୍ଧି ରାଜନୀତି ପ୍ରବେଶ କରିବା ପରେ ଆମେଥିରୁ ପ୍ରତିନିଧିତ୍ଵ କରିଥିଲେ। ୧୯୯୯ରେ ପ୍ରଥମଥର ଲାଗି ଆମେଥିରୁ ନିର୍ବାଚନ ଲଢିଥିଲେ ସୋନିଆ ଗାନ୍ଧି।

ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡିର ମିଶନ ଦକ୍ଷିଣ ଓଡ଼ିଶା। କାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା କ୍ଷେତ୍ର ମଧ୍ଯରୁ ୩ଟି ଲୋକସଭା କ୍ଷେତ୍ରରେ ନବୀନ ପ୍ରଚାର କରିବେ।

କୋରାପୁଟ ଲୋକସଭା କ୍ଷେତ୍ରର କୋରାପୁଟ, ରାୟଗଡ଼ା ସହ ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ବିଜେଡି ସୁପ୍ରିମୋ। ପ୍ରଥମେ ସକାଳ ୧୦ଟାରେ କୋରାପୁଟରେ ପହଞ୍ଚି ବିଶାଳ ଜନସଭାକୁ ନବୀନ ଉଦବୋଧନ ଦେବେ। ଏହାପରେ ୧୧ଟା ୪୦ରେ ନବରଙ୍ଗପୁରରେ ପହଞ୍ଚି ପ୍ରଚାର କରିବେ ନବୀନ। ସେଠାରୁ ରାୟଗଡ଼ାରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ।

ଶେଷରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ବିଶାଳ ଜନସଭାକୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିବେ ।