spot_img
Home Blog Page 1842

ବିରୋଧୀ ବିଜେପି ଓ କଂଗ୍ରେସ କ୍ୟାମ୍ପ ଛାଡ଼ି ବିଜେଡିରେ ମିଶିଲେ ଶତାଧିକ କର୍ମୀ

ପିପିଲି : ପିପିଲି ନିର୍ବାଚନମଣ୍ଡଳିରେ ବଢୁଛି ବିଜେଡି ବଳ। ବାଇକ ରାଲି ସାଙ୍ଗକୁ ଦଳ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପିପିଲି ବିଜେଡି  ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଗାଁ ଗାଁ ରେ ପ୍ରଚାର କରି ଦଳ ସପକ୍ଷରେ ଜନମତ ଲୋଡୁଛନ୍ତି । ପିପିଲି ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ, ଡେଲାଙ୍ଗ ବ୍ଲକ ରେଙ୍ଗଳ ପଞ୍ଚାୟତ ଓ ପିପିଲି ପୌରାଞ୍ଚଳ ୫ନଂ ୱାର୍ଡର ଶତାଧିକ କର୍ମୀ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ମିଶିଛନ୍ତି। ସମସ୍ତ ନୂତନ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି ରୁଦ୍ରପ୍ରତାପ ମହାରଥୀ। ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ହେବା ସହ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବେ ବୋଲି କହିଛନ୍ତି ଦଳରେ ଯୋଗ ଦେଇଥିବା କର୍ମୀ।

ବିଜେପି ସରକାରକୁ ୪ ଗ୍ୟାରେଣ୍ଟି ମାଗିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ରାଉରକେଲା : ୪ ଗ୍ୟାରେଣ୍ଟି ଦିଅ, ୪ଶହ ସିଟ୍ ନିଅ। ବିରୋଧୀ ବିଜେପି ନେତୃତ୍ଵାଧୀନ ସରକାରକୁ  ୪ ଗ୍ୟାରେଣ୍ଟି ମାଗିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କହିଲେ, ଓଡ଼ିଶାବାସୀଙ୍କୁ ୪ ଗ୍ୟାରେଣ୍ଟି ଦିଅ ୪ଶହ ସିଟ୍ ନିଅ। ଗୋଟିଏ ଗ୍ୟାରେଣ୍ଟି ହେଉଛି ଦେଶରେ ତେଲ ଦର ବୃଦ୍ଧି ହେବନି। ଦ୍ଵିତୀୟ ଗ୍ୟାରେଣ୍ଟି ହେଉଛି ଡିଜେଲ ଦର ବୃଦ୍ଧି ହେବନି। ତୃତୀୟ ଗ୍ୟାରେଣ୍ଟି ହେଉଛି ଏଲପିଜି ଦର ବୃଦ୍ଧି ହେବନି ଏବଂ ଶେଷ ତଥା ୪ ନମ୍ବର ଗ୍ୟାରେଣ୍ଟି ହେଇଉଛି ରୋଜଗାର ଦେବାର ଗ୍ୟାରେଣ୍ଟି। ଦେଶରେ ୪ଶହ ପାର ଆସନ ଆଣିବ ବୋଲି କହୁଛନ୍ତି ବିରୋଧୀ। ଆଉ ଏହାର ଗୋଟିଏ ଚାବି ହେଉଛି ଏ ୪ ଗ୍ୟାରେଣ୍ଟି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ୨୦୧୪ରେ ଦେଶରେ ତେଲ ଦର ଯାହା ଥିଲା ସେହି ଦର ଦେଉ ବିରୋଧୀ ବିଜେପି ସରକାର। ଏଲପିଜି, କିରୋସିନି ସେଇ ଦରରେ ଗ୍ରାହକଙ୍କୁ ଦିଅନ୍ତୁ। ୪ ଗ୍ୟାରେଣ୍ଟି ଦେବବୋଲି କହିଥିଲେ ହେଲେ କିଛି ପୂରଣ କରିନାହାନ୍ତି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ସରକାରୀ କାନ୍ଥରେ ବିଜେପି ଲେଖୁଛି ମିଛ ପ୍ରତିଶୃତି

ସମ୍ବଲପୁର : ସରକାରୀ କାନ୍ଥରେ ମିଛ ପ୍ରତିଶୃତି ଲେଖି ଲୋକଙ୍କୁ ଭ୍ରମିତ କରୁଛି ବିଜେପି । ସହରବାସୀଙ୍କୁ ମିଛକଥା କହି ପ୍ରଭାବିତ କରୁଛି ବିଜେପି । ଏହା ଖୋଲାଖୋଲି ଆଚରଣ ବିଧି ଉଲ୍ଲଂଘନ କହି ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଦଳ ଜିଲ୍ଲାପାଳଙ୍କ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କୁ ଦାବିପତ୍ର ଦେଇଛି । ବିଜେଡି ମୁଖପାତ୍ର ସଞ୍ଜୟ ବାବୁଙ୍କ ନେତୃତ୍ବରେ ମୁଖପାତ୍ର ଲେନିନ ମହାନ୍ତିଙ୍କ ସହ ଏକ ଟିମ୍ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି । କାହାକୁ ନଜଣାଇ କାନ୍ଥ ମାନଙ୍କରେ ବାରମ୍ବାର ମିଛ ପ୍ରତିଶ୍ରୁତି ଲେଖୁଥିବା ନେଇ ଅଭିଯୋଗ ହୋଇଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଦଳ ।

ଚାରିଟି ସଂସଦୀୟ ଓ ୨୮ ବିଧାନସଭା କ୍ଷେତ୍ରରେ ନିର୍ବାଚନ ପ୍ରସ୍ତୁତି ଶେଷ

ଭୁବନେଶ୍ୱର : ରାଜ୍ଯରେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଚାରିଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନମଣ୍ଡଳିରେ ଭୋଟ ଗ୍ରହଣ ହେବ । ଏନେଇ ପ୍ରସ୍ତୁତି ଓ ଭୋଟ ଗ୍ରହଣ ସଂପର୍କରେ ଟିକିନିଖି ସୂଚନା ଦେଇଛନ୍ତି ମୁଖ୍ଯ ନିର୍ବାଚନ ଅଧିକାରୀ । ଭୋଟ ପୂର୍ବରୁ ଘରେ ଭୋଟ ଦେଇଛନ୍ତି ୩୬୩୬ ଭୋଟର । ତେବେ ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର, ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ମଧ୍ଯରେ ଭୋଟର ଅଛନ୍ତି । ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରିବେ | ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର । କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ଓ କଳାହାଣ୍ଡିରେ ସର୍ବାଧିକ ଭୋଟର ଥିବାବେଳେ  ଲକ୍ଷ୍ମୀପୁର ବିଧାନସଭାରେ ସର୍ବନିମ୍ନ ଓ ଧର୍ମଗଡ଼ ବିଧାନସଭାରେ ସର୍ବାଧିକ ଭୋଟର ଅଛନ୍ତି । ୧୨୯୪ ଜଣ ଶତାୟୁ ଭୋଟର ଥିବାବେଳେ ୬୨୯୬ ସର୍ଭିସ ଭୋଟର ଅଛନ୍ତି । ୭୧୫ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ଆଦର୍ଶ ବୁଥ ୧୨୭୬ । ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ, ବିଧାନସଭା ପାଇଁ ୨୪୩ ପ୍ରାର୍ଥୀ ମୈଦାନରେ ଅଛନ୍ତି । କୋରାପୁଟରେ ୧୧ ଜଣ, ନବରଙ୍ଗପୁରରେ ୪, କଳାହାଣ୍ଡିରେ ୧୧, ବ୍ରହ୍ମପୁରରେ ୧୧ ଜଣ ପ୍ରାର୍ଥୀ ନିଜର ଭାଗ୍ଯ ପରୀକ୍ଷା କରିବେ । ୬୦ପ୍ରତିଶତ ବୁଥରେ ଲାଇଭ ଷ୍ଟିମ ହେବ । ବ୍ରହ୍ମପୁର ଆସନ ପାଇଁ ଦୁଇଟି ବାଲଟ ବ୍ୟବହାର ହେବ । ୧୮ହଜାର ୫୩୯ ବାଲଟ ୟୁନିଟ | ୧୨ ସହ ପୋଲିଂ ଷ୍ଟେସନରେ ୪ ଟା ପର୍ଯ୍ୟନ୍ତ ଭୋଟିଙ୍ଗ ହେବ । ୫ଟା ପର୍ଯ୍ୟନ୍ତ ୩ ହଜାର ୫୨୨ ଷ୍ଟେସନରେ ପୋଲିଂ ହେବାକୁ ଥିବାବେଳେ ୨୫୭୫ ବୁଥରେ ସଂଧ୍ଯା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ୭୩୬୩ ପୋଲିଂ ଭିତରୁ ୧୨୬୪ ବୁଥ ସମ୍ବେଦନଶୀଳ । ୫୨ ହଜାର ୫ଷହ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଭୋଟରଙ୍କୁ ଅଧିକ ଆକୃଷ୍ଟ ଓ ଭୋଟ ଦେବାପାଇଁ ରାୟଗଡାରେ ଆଦିମ ଜନଜାତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ହାତ ପଙ୍ଖାରେ ସଚେତନତା ଲେଖା ଯାଇଛି | ଗଞ୍ଜାମ ଜିଲ୍ଲାରେ ଅଲିଭକୁ ମାସ୍କଟ ଭାବରେ ବ୍ୟବହାର କରାଯାଇଛି । ଗୋପାଳପୁର, ତାରାତାରିଣୀ ମନ୍ଦିର ଓ ରାମ ଲିଙ୍ଗେଶ୍ୱର ପାଖରେ ବ୍ୟବହାର କରାଯାଇଛି | ନୂଆପଡାରେ ଷ୍ଟବେରୀ ପ୍ୟାକେଟରେ ନିର୍ବାଚନ ତାରିଖ ଲେଖା ଯାଇଛି | ବହୁଳ ସଂଖ୍ୟାରେ ମତଦାନ ପାଇଁ ନିବେଦନ କରିଛନ୍ତି ସିଇଓ । ବୁଥ ପ୍ରସ୍ତୁତ, ପୋଲିଂ ଷ୍ଟେସନ ପ୍ରସ୍ତୁତ ଭୋଟର ଆସି ମତଦାନ କରନ୍ତୁ | ଏହି ନିର୍ବାଚନକୁ ତଦାରଖ କରିବା ପାଇଁ ୨୩ ଜଣ ଅବଜର୍ଭର ନିଯୁକ୍ତି ହୋଇଛନ୍ତି ବୋଲି କହିଛନ୍ତି ସିଇଓ ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର

ଭୁବନେଶ୍ୱର : ଆଜି ସରୁଛି ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ପ୍ରଚାର। ଏହା ସହ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ମଧ୍ୟ ପ୍ରଚାର ଶେଷ ହେଉଛି। ଅପରାହ୍ନ ୫ଟା ସରିବ ପ୍ରଚାର। ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ମୋଟ ୧୦ ରାଜ୍ୟର ୯୬ ଆସନରେ ଭୋଟ ଗ୍ରହଣ ହେବ। ଆସନ୍ତା ୧୩ ତାରିଖରେ ନିଆଯିବ ଭୋଟ। ଏଥିରେ ଓଡ଼ିଶାର ୪ ଲୋକସଭା ଆସନ ସହ ୨୮ ବିଧାନସଭା ଆସନରେ ଭୋଟଗ୍ରହଣ ହେବ। ଓଡ଼ିଶାର ହେବାକୁ ଥିବା ଲୋକସଭା ଆସନ ମଧ୍ୟରେ ରହିଛି ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର। ଏହି ୪ ଲୋକସଭା ଆସନ ଅନ୍ତର୍ଗତ ୨୮ ବିଧାନସଭାରେ ଭୋଟଗ୍ରହଣ ହେବ। ଆଜି ନିର୍ବାଚନ ପ୍ରଚାର ସରୁଥିବା ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶର ୨୫ ଆସନ, ତେଲଙ୍ଗାନାର ୧୭, ଉତ୍ତରପ୍ରଦେଶର ୧୩,  ମହାରାଷ୍ଟ୍ରର ୧୧, ମଧ୍ୟପ୍ରଦେଶର ୮, ପଶ୍ଚିମବଂଗର ୮, ବିହାର ଓ ଝାଡ଼ଖଣ୍ଡରେ ୫ଟି ଲେଖାଏ ଆସନ, ଓଡ଼ିଶାରେ ୪ , ଏବ ଜାମ୍ମୁ କାଶ୍ମୀର ଗୋଟିଏ ଆସନ ରହିଛି। ଆସନ୍ତା ୧୩ ତାରିଖରେ ଓଡ଼ିଶାରେ ହେବାକୁ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି। ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, କୋରାପୁଟ, ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, ପଟ୍ଟାଙ୍ଗୀ ଆସନରେ ଭୋଟଗ୍ରହଣ ହେବ। ଆସନ୍ତା ଅପରାହ୍ନ ୫ଟା ସୁଦ୍ଧା ସରିବ ନିର୍ବାଚନ ପ୍ରଚାର। ଆଜି ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ ବିଧାନସଭା ଆସନ ଲାଗି ମଧ୍ୟ ଆଜି ସରୁଛି ପ୍ରଚାର। ଆସନ୍ତା ୧୩ ତାରିଖରେ ଆନ୍ଧ୍ରପ୍ରଦେଶରେ ଲୋକସଭା ସହ ବିଧାନସଭା ଭୋଟ ଅନୁଷ୍ଠିତ ହେବ।

ଯେତେ ଭାଷଣ ଦେଲେବି ଜନତାଙ୍କ ହୃଦୟରେ ସବୁବେଳେ ନବୀନ: କାର୍ତ୍ତିକ ପାଣ୍ଡିଆନ

ବୀରମିତ୍ରପୁର: ଯେତେ ଭାଷଣ ଦେଲେ ବି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକଙ୍କ ହୃଦୟରୁ ଦୂର କରିପାରିବେ ନାହିଁ। ଆମ ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ସଂରକ୍ଷଣ ମହିଳାଙ୍କୁ ଦେଇଛନ୍ତି । ମିଶନ ଶକ୍ତି ଜରିଆରେ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ଦେଇଛନ୍ତି ।

ଡବଲ ଇଂଜିନ ସରକାର ଆୟୁଷ୍ମାନ ଭାରତ ବାବଦରେ ଡିଣ୍ଡିମା ପିଟୁଛନ୍ତି। ତା’ର ବଜେଟ୍ ପୁରା ଭାରତ ପାଇଁ ୬ ହଜାର କୋଟି ଟଙ୍କା। ଓଡ଼ିଶାର ଭାଗ ପଡିବ ୩ଶହ କୋଟି ଟଙ୍କା ବର୍ଷକୁ। ବିଏସକେୱାଇରେ ସରକାର ପ୍ରତିମାସରେ ଓଡ଼ିଶା ପାଇଁ ଖର୍ଚ୍ଚ କରୁଛନ୍ତି ୩ଶହ କୋଟି ଟଙ୍କା ।

ବୀରମିତ୍ରପୁରରେ ଆୟୋଜିତ ଜନସଭାରେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ। କେନ୍ଦ୍ର ସରକାର କେତେ ବ୍ୟାଙ୍କ ଖୋଲିଛନ୍ତି? ରାଜ୍ୟ ସରକାର ପ୍ରତି ଗାଁରେ ବ୍ୟାଙ୍କ ଖୋଲିଛନ୍ତି।

କୋଷ୍ଟାଲ ହାଇୱେ କାହିଁକି ହୋଇପାରିନାହିଁ । ସୁନ୍ଦରଗଡ଼ ପୁରା ଦେଶକୁ କୋଇଲା ଦେଉଛି । କିନ୍ତୁ ଆମେ ଟଙ୍କା ବଦଳରେ ପ୍ରଦୂଷଣ ପାଉଛୁ । ଆମେ ରୟାଲିଟି ପାଇଁ ଅନୁରୋଧ କରି ଥକିଗଲିଣୁ । ଯଦି ରୟାଲିଟି ଅଧିକା ମିଳିଥାନ୍ତା ତେବେ ଓଡ଼ିଶା ୫ ଲକ୍ଷ କୋଟି ଅଧିକ ପାଇଥାନ୍ତା। କଟକ-ସମ୍ବଲପୁର ରାସ୍ତା ହେଉଛି ଭାରତରେ ସବୁଠାରୁ ଖରାପ ରାସ୍ତା। ଏହି ରାସ୍ତାକୁ ଡବଲ ଇଂଜିନ ସରକାର ଗଲା ୧୦ ବର୍ଷ ହେଲା କରୁଛନ୍ତି। ରାଜ୍ୟ ସରକାର ୩ ବର୍ଷରେ ବିଜୁ ଏକ୍ସପ୍ରେସୱେ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି 5T ଅଧ୍ୟକ୍ଷ।

ବିଜେଡିର ମାଗଣା ବିଦ୍ଯୁତ ଘୋଷଣାରେ ବିଜେପିକୁ ଝଟକା

ଭୁବନେଶ୍ୱର: ବିଜେଡିର ମାଗଣା ବିଦ୍ଯୁତ ଘୋଷଣା ପରେ ବିଜେପିକୁ ଶକ୍ତ ଝଟକା। ମୋଦିଙ୍କ ମନ୍ତବ୍ୟ ପରେ ପ୍ରେସମିଟ୍ କରି ବିରୋଧୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। କେନ୍ଦ୍ରର ମାଗଣା ବିଜୁଳି ଯୋଜନାକୁ ସେ କଡ଼ା ସମାଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ ବିଜୁଳି ଜିରୋ ହୋଇ ଯିବ। ଓଡ଼ିଶାବାସୀ ଜାଣନ୍ତୁ ବିଜୁଳି ଜିରୋ ହେବନି। ବାସ୍ତବ କଥା ହେଉଛି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫତ୍ ଯୋଜନାରେ ସମସ୍ତଙ୍କୁ ମାଗଣା ବିଜୁଳି ମିଳିବନି। କାରଣ ଭାରତର ଏକ କୋଟି ଘରେ ଏହି ସୁବିଧା ମିଳିବ। ୯୦ ପ୍ରତିଶତ ଭାରତ କି, ୯୦ ପ୍ରତିଶତ ଓଡ଼ିଶା ଏହାର ଲାଭ ପାଇବ ନାହିଁ ବୋଲି କହିଛନ୍ତି ସସ୍ମିତ।

ଏହି ଯୋଜନାରେ ଭେଣ୍ଡର ମାନେ ସୋଲାର ପ୍ୟାନେଲ ଲଗାଇବେ। ଯାହା ପାଇଁ ୪୦ ହଜାର ଟଙ୍କା ଖର୍ଚ୍ଚ କରିବେ ଲୋକେ। ଏହା ଗରିବଙ୍କ ପାଇଁ ନୁହେଁ ବୋଲି କହିଛନ୍ତି ସସ୍ମିତ। ଓଡ଼ିଶାର ଗରିବ ଆଦିବାସୀ ଏହି ୪୦ ହଜାର କେମିତି ଦେବେ। ଏହା ଧନୀ ଲୋକଙ୍କ ପାଇଁ, ଯେଉଁମାନେ ସୋଲାର ପ୍ୟାନେଲ ଲଗାଇପାରିବେ। ତେବେ ଏହା କଣ ଗରିବଙ୍କ ପାଇଁ ମାଗଣା ବୋଲି ପଚାରିଛନ୍ତି ସସ୍ମିତ। କାହିଁକି ଭୁଆଁ ବୁଲାଉଛନ୍ତି ସରକାର। ଏହି ଯୋଜନା ନୂଆ ନୁହେଁ। ଏହା ବଜେଟରେ କେନ୍ଦ୍ର ସରକାର ଘୋଷଣା କରିଥିଲେ। ହେଲେ ଗୋଟେ ଘରକୁ ଵି ଯାଇନି, ଯାହା ଦ୍ଵିତୀୟ ବାହାସ୍ପୋଟ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ବିଜୁଳି ଦେବେ। ୯୦ ପ୍ରତିଶତ ଘରର ବିଲ ଜିରୋ ହେବ। ଏହା ବିଜେପି ଦେହକୁ ଯାଉନି। ଉଜ୍ଜ୍ଵଳା ଯୋଜନା ପରି ଏଥିରେ ଟଙ୍କା ଦେବାକୁ ପଡିବ। ବିଜେପି ପରାଜୟ ଆଡ଼କୁ ଯାଉଥିବାରୁ ସେମାନେ ଏପରି କହିବା ଆରମ୍ଭ କଲେଣି। ଗରିବ ମାଗଣା ବିଜୁଳି ପାଇବେ। ଏହା ହିଁ ନବୀନ ଗ୍ୟାରେଣ୍ଟି, ଏହା ହିଁ ନବୀନ ଇଂଜିନ ପ୍ରଗତି ଇଂଜିନ ଯାହା ରାଜ୍ୟବାସୀ ଜାଣିବା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ପ୍ରଧାନମନ୍ତ୍ରୀ ଓଡ଼ିଶା ବିଜେପିକୁ ବୁଷ୍ଟର ଡୋଜ୍ ଦେଉଛନ୍ତି: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ଯେଉଁଠି ବିଜେପି ହାରିବାର ଥାଏ, ସେଠାକୁ ବିଜେପିର ବଡ ନେତା ଯାଆନ୍ତି। ଓଡ଼ିଶା ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯେତେବେଳେ ହାରିବାର ଥାଏ ସେତେବେଳେ ବିଜେପି ମନ୍ଦିର କଥା କୁହେ, ଚର୍ଚ୍ଚ କଥା କୁହେ, ମସଜିଦ କଥା କୁହେ । ବିଜେପି କନ୍ଧମାଳରେ ଦଙ୍ଗା କରିଥିଲା । ବୋମା ଫୁଟାଇଥିଲା । ଏବେ ସେଠାରେ ଶାନ୍ତି ଅଛି ।

ଯିଏ ଓଡ଼ିଶାର ବିକାଶ ପାଇଁ କାମ କରୁଛନ୍ତି ତାଙ୍କୁ ଆପଣ କେବେ ବିଦା କରିପାରିବେ ନାହିଁ। ଆପଣ ୨୦୧୯ରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଦା ହେବେ ବୋଲି କହିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ପୁଣି ଶପଥ ନେଇଥିଲେ। ନିର୍ବାଚନ ପୂର୍ବରୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ। ଜୁନ୍ ୧୦ ତାରିଖରେ ସରକାର ଗଠନ ପାଇଁ ଆପଣ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଉତ୍ତର ଦେଇ କହିଥିଲେ ଯେ, ବିଜେପିର ଦିନରେ ସ୍ୱପ୍ନ ଦେଖିବାର ଅଭ୍ୟାସ ଅଛି।

ମୁଁ ଆପଣଙ୍କୁ ବିନମ୍ରତାର ସହିତ ଜୁନ୍ ୯ ତାରିଖରେ ଆମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବକୁ ଆସିବାକୁ ନିମନ୍ତ୍ରଣ କରିବି। ଆଉ ସେଦିନ ଆପଣ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାର ଘୋଷଣା କରିବେ ବୋଲି ମୋର ଆଶା ।

ବାରମ୍ବାର ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେପି

ଭୁବନେଶ୍ୱର: ନିର୍ବାଚନ ସମୟରେ ବାରମ୍ବାର ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେପି। ବିଜେପି ମାହାଙ୍ଗା ପ୍ରାର୍ଥୀ ସୁମନ୍ତ ଘଡେଇ ସରକାରୀ ଗାଡି ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଛି ବିଜେଡି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ତ ହୋଇଛି ବିଜେଡି। ସୁମନ୍ତ ନାମାଙ୍କନ ଭରିବାକୁ ଯିବାବେଳେ ସରକାରୀ ଗାଡି ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ସରକାରୀ ଗାଡି ବାବଦରେ ତଦନ୍ତ କରିବା ସହ ସୁମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ଜୟ ନାରାୟଣ ମିଶ୍ର, ପ୍ରଶାନ୍ତ ଜଗଦ୍ଦେବ ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେଡି ସିଇଓଙ୍କ ନିକଟରେ ଅଭିଯୋଗ କରିଛି। ସ୍ୱଚ୍ଛ ଓ ଅବାଧ ନିର୍ବାଚନ ଲାଗି ବିଜେପି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି।

ଇସ୍ତାହାରରେ ସବୁ ବର୍ଗ, ସବୁ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି: ବିଜେଡି

ଭୁବନେଶ୍ୱର: ବିଜେଡିର ନିର୍ବାଚନୀ ଇସ୍ତାହାର ଐତିହାସିକ । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଅଛି, ୨୦୩୪ ସୁଦ୍ଧା ଓଡ଼ିଶାକୁ ଭାରତର ଶ୍ରେଷ୍ଠ ରାଜ୍ୟ କରିବେ। ରାଜ୍ୟବାସୀଙ୍କ ମତକୁ ନେଇ ଏହି ଇସ୍ତାହାର ପ୍ରସ୍ତୁତ ହୋଇଥିବା ବିଜେଡି କହିଛି। ପିପୁଲସ ମାନିଫେଷ୍ଟୋରେ ୨୪ଟି ନବୀନ ଗ୍ଯାରେଣ୍ଟି ଦିଆଯାଇଛି। ଏନେଇ ବିସ୍ତୃତ ବର୍ଣ୍ଣନା କରିଛି ବିଜେ଼ଡି।

ପ୍ରଥମ ଥର ପାଇଁ ଯୁବ ବଜେଟ ଆସିବ। ୧୦ ବର୍ଷ ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ଯୟବରାଦ ହେବ। ଦୁଇ ଲକ୍ଷ ସରକାରୀ ଚାକିରି ଦିଆଯିବ। ଶହେ ୟୁନିଟ ଯାଏଁ ମାଗଣା ବିଦ୍ଯୁତ ସହିତ ୧୫୦ ୟୁନିଟରେ ୫୦ ପ୍ରତିଶତ ରିହାତି ଦିଆଯିବ। ଏଥିରେ ୭୫ ପ୍ରତିଶତ ଗାଁ ଲୋକ ଉପକୃତ। ଏସଏଚଜି ମହିଳାଙ୍କୁ ୧୫ ଲକ୍ଷ ଯାଏ ବିନା ସୁଧ ଋଣ ଦିଆଯିବ।

ଇସ୍ତାହାରରେ ସବୁ ବର୍ଗ, ସବୁ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ଆଗାମୀ ୧୦ ବର୍ଷରେ ସମୃଦ୍ଧ, କୁଶଳ ଓ ସଶକ୍ତ ଓଡ଼ିଶା ଗଠନ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀ ଆଶୀର୍ବାଦ ଦେବାକୁ ବିଜେଡି ଅନୁରୋଧ କରିଛି।