ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଫୁଲକଅଁଳେଇ ଗ୍ରାମରେ ଅଘଟଣ । ମହୁମାଛି ଆକ୍ରମଣରେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଭଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଫୁଲକଅଁଳେଇ ଗ୍ରାମରେ ୪ ଦିନ ଧରି ଚବିଶ ପ୍ରହର ନାମଯଜ୍ଞ ଚାଲୁ ରହିଥିଲା । ଆଜି ଶେଷଦିନରେ ଗାଁ ମୁଣ୍ଡରେ ରାଧାକୃଷ୍ଣଙ୍କ ମେଳଣ ସମୟରେ ପାଖରେ ଥିବା ଏକ ଗଛରୁ ମହୁମାଛି ଅତର୍କିତ ଆକ୍ରମଣ କରିଥିଲେ । ଗୁରୁତର ମଧ୍ୟରୁ ୨ ଜଣ ଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି
ଭୁବନେଶ୍ବର ପଳାଶୁଣୀ ଛକରେ ଭୟଙ୍କର ସିରିଜ ଦୁର୍ଘଟଣା
ଭୁବନେଶ୍ବର: ପଳାଶୁଣୀ ଛକରେ ଭୟଙ୍କର ସିରିଜ ଦୁର୍ଘଟଣା । ବୋଲେରୋ, କାର ଏବଂ ପିକଅପ ଗାଡି କୁ ପଛରୁ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ୩ ରୁ ଅଧିକ ଲୋକ ଆହତ । ସମସ୍ତଙ୍କୁ ମେଡିକାଲ ରେ ଭର୍ତ୍ତି କରିଛି ପୋଲିସ । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ । ଦୁର୍ଘଟଣା ହେତୁ ପଳାଶୁଣୀ ଛକରେ ଦୀର୍ଘ ସମୟ ଟ୍ରାଫିକ ଜାମ ହୋଇଛି ।
ବୈଶାଖ ମାସରେ ନୃସିଂହନାଥଙ୍କ ପୀଠରେ ଲାଗି ହେଉଛି ପଖାଳ ଭୋଗ
ନନ୍ଦିଘୋଷ ବ୍ୟୁରୋ: ସାରା ରାଜ୍ଯରେ ବଢ଼ିଚାଲିଛି ଗ୍ରୀଷ୍ମପ୍ରବାହ। ସେହି ଅନୁସାରେ ଜନସାଧାରଣ ଖାଦ୍ୟ ପାନୀୟ ପରିବର୍ତ୍ତନ କରୁଛନ୍ତି। ଏଥିରୁ ବିଭିନ୍ନ ଦେବାଦେବୀ ବାଦ ପଡ଼ିନାହାନ୍ତି। ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠରେ ପଖାଳ ଭୋଗ ଲାଗି ହେବା ସହ ଭକ୍ତଙ୍କୁ ଅର୍ପଣ କରାଯାଉଛି ।
ବରଗଡ ଜିଲ୍ଲାର ଦକ୍ଷିଣ ସୀମାନ୍ତରେ ଅବସ୍ଥିତ ପ୍ରସିଦ୍ଧ ଗନ୍ଧମାର୍ଦ୍ଧନ ପର୍ବତ । ପର୍ବତର ପାଦ ଦେଶରେ ଘଞ୍ଚ ବନାନୀ ଘେରା ପରିବେଶରେ ଅବସ୍ଥିତ ପବିତ୍ର ନୃସିଂହନାଥ ମନ୍ଦିର । ଏଠାରେ ପୂଜା ପାଉଛନ୍ତି ଭଗବାନ ବିଷ୍ଣୁଙ୍କର ଅନ୍ଯତମ ସ୍ବରୂପ ମାର୍ଜାରକେଶରୀ । ତେବେ ବୈଶାଖ ମାସର ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ନୃସିଂହନାଥଙ୍କ ପୀଠରେ ହୋଇଛି ସ୍ଵତନ୍ତ୍ର ବ୍ଯବସ୍ଥା । ମହାପ୍ରଭୁ ନୃସିଂହନାଥଙ୍କ ମୁଣ୍ଡରେ ଓଦା କପଡା ଓ ଚନ୍ଦନ ଲେପନ କରାଯିବା ସହ ଅପରାହ୍ନରେ ପଖାଳ ଭୋଗ ଅର୍ପଣ କରାଯାଉଛି । ପ୍ରତିବର୍ଷ ଅକ୍ଷୟ ତୃତୀୟା ଠାରୁ ଦଶମୀ ପର୍ଯ୍ୟନ୍ତ ନୃସିଂହନାଥ ପୀଠରେ ପଖାଳ ଭୋଗ ଲାଗି ହୋଇଥାଏ ।
ଦୀର୍ଘ ବର୍ଷ ଧରି ବୈଶାଖ ମାସରେ ନୃସିଂହନାଥଙ୍କ ପୀଠରେ ଲାଗି ଆସୁଛି ପଖାଳ ଭୋଗ । ସାତଦିନ ଧରି ଲାଗିହୋଇଥାଏ ପଖାଳ ଭୋଗ । ଅପରାହ୍ନରେ ମହାପ୍ରଭୁ ନୃସିଂହନାଥଙ୍କଠାରେ ପଖାଳ ଭୋଗ ଲାଗିବା ପରେ ଭକ୍ତମାନଙ୍କୁ ଦିଆଯାଇଥାଏ । ମନ୍ଦିର କମିଟି ତରଫରୁ ପଖାଳ ଭୋଗ ମାଟି ନିର୍ମିତ ପାତ୍ରରେ ବିନା ମୂଲ୍ଯରେ ଭକ୍ତଙ୍କୁ ଦିଆଯାଉଛି । ତେବେ ମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ପ୍ରସାଦ ପାଇ ନିଜକୁ ସୌଭାଗ୍ଯ ମନେ କରୁଛନ୍ତି ।
ବିଭିନ୍ନ ଦେବାଦେବୀଙ୍କ ଠାରେ ଭିନ୍ନ ଭିନ୍ନ ପ୍ରକାର ଭୋଗ ଲାଗୁଥିବାବେଳେ ବରଗଡ ଜିଲ୍ଲାର ପ୍ରସିଦ୍ଧ ଧର୍ମପୀଠ ନୃସିଂହନାଥଙ୍କ ଠାରେ ବୈଶାଖ ମାସରେ ଲାଗିଥାଏ ପଖାଳ ଭୋଗ । ଯାହାକୁ ପାଇବା ପାଇଁ ଭକ୍ତ ମାନେ ବହୁ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତି ନୃସିଂହନାଥ ପୀଠକୁ ।

