spot_img
Home Blog Page 1804

ସୋନିଆ ଗାନ୍ଧିଙ୍କୁ ଭେଟିବେ ଉଦ୍ଧବ ଠାକରେ

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରରେ ଖୁବ୍ ଶୀଘ୍ର ଆରମ୍ଭ ହେବ ମହାବିକାଶ ଅଘାଡିର ନିର୍ବାଚନ ପ୍ରଚାର । ଏନେଇ ଆଜି ଦିଲ୍ଲୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବେ ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେ । ଏହା ସହ ଇଣ୍ଡିଆ ମେଣ୍ଟର ବିଭିନ୍ନ ନେତାଙ୍କ ସହ ଉଦ୍ଧବ କରିବେ ଆଲୋଚନା । ଅଗଷ୍ଟ ୨୦ପରେ ସମ୍ଭବତଃ ମହାରାଷ୍ଟ୍ରରେ ନିର୍ବାଚନ ବିଗୁଲ ବଜାଇବାକୁ ଯାଉଛି କଂଗ୍ରେସ । ଏନେଇ ସୂଚନା ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ରେମେଶ ଚେନିଥାଲା । ଏହି ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବି ସାମିଲ ହେବା ସମ୍ଭାବନା ରହିଛି । ଚେନିଥାଲା କହିଛନ୍ତି ମହାରାଷ୍ଟ୍ରରେ ଏମଭିଏ ସ୍ଥିତି ସୁଦୃଢ ରହିଛି ଏବଂଆସନ୍ତା ବିଧାନସଭା ନିର୍ବାଚନରେ ମେଣ୍ଟ ଭଲ ପ୍ରଦର୍ଶନ କରିବ । ଅଗଷ୍ଟ ୭ରେ ଏମଭିଏ ମେଣ୍ଟରେ ଆସନ ବୁଝାମଣା ବି ଚୂଡ଼ାନ୍ତ ହେବ । ଗତ ଲୋକସଭା ନିର୍ବାଚନରେ ରାଜ୍ଯର ୪୮ ଆସନରୁ ଏମଭିଏ ୩୧ସନରେ ବିଜୟୀ ହୋଇଥିବାବେଳେ ବିରୋଧୀ ମହାୟୁକ୍ତି ମେଣ୍ଟ ଭଲ ପ୍ରଦର୍ଶନ କରି ନଥିଲା । ଆସନ୍ତା ଅକ୍ଟୋବରରେ ରାଜ୍ଯରେ ହେବ ବିଧାନସଭା ନିର୍ବାଚନ ।

କମଳା ହାରିସ ଆରମ୍ଭ କରିବେ ବିଧିବଦ୍ଧ ନିର୍ବାଚନ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ : ଜୋର ଧରିଲା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର । ଆଜିଠାରୁ ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଉପରାଷ୍ଟ୍ରପତି କମଳା ହାରିସ ଆରମ୍ଭ କରିବେ ବିଧିବଦ୍ଧ ନିର୍ବାଚନ ପ୍ରଚାର । କେତେକ ପ୍ରମୁଖ ରାଜ୍ଯରେ ନିର୍ବାଚନ ପ୍ରଚାର କରିବେ କମଳା । ଦଳ ପକ୍ଷରୁ କମଳାଙ୍କ ବ୍ଯତୀତ ଅନ୍ଯ ଯେଉଁମାନେ ଆଶାୟୀ ଅଛନ୍ତି ସେମାନେ ହେଲେ ପେନସିଲଭାନିଆ ଗଭର୍ଣ୍ଣର ଜୋସ ସାପିରୋ, ଆରିଜୋନା ସିନେଟର ମାର୍କ କେଲି, ମିନେସୋଟା ଗଭର୍ଣ୍ଣର ଟିମ ଓ୍ବାଜ । ତେବେ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଏକମାତ୍ର ପ୍ରାର୍ଥୀ ଭାବେ ବିଧିବଦ୍ଧ ନିଜର ସମସ୍ତ ଦସ୍ତାବିଜ ଦାଖଲ କରିଛନ୍ତି କମଳା । ଗତ ଜୁଲାଇ ୩୧ରେ ରାଷ୍ଟ୍ରପତି ଜୋ ବାଇଡେନ ଡେମୋକ୍ରାଟିକ ଦଳ ପ୍ରାର୍ଥୀତ୍ବରୁ ଓହରିବା ସହ କମଳାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ଆସନ୍ତା ନଭେମ୍ବର ୫ ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କ ମଧ୍ଯରେ ପ୍ରତିଦ୍ବନ୍ଦ୍ବିତା ଏକରକମ ନିଶ୍ଚିତ ହୋଇଛି। ଧାରାବାହିକ ଭାବେ କମଳା ମିଚିଗାନ, ନର୍ଥ କାରୋଲିନା, ଫିନିସ୍କ, ନେଭାଡା ଆଦି ଗସ୍ତ କରିବେ।

ବାଂଲାଦେଶରେ ଅସ୍ଥିରତା ପ୍ରସଙ୍ଗ, ଭାରତ-ବାଂଲାଦେଶ ସୀମାରେ ହାଇଆଲର୍ଟ

ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶରେ ସ୍ଥିତି ହେବ କଣ ? ଶେଖ ହସିନାଙ୍କ ପରେ କିଏ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ଶେଖ ହସିନା ପୁଣି ସ୍ବଦେଶ ଫେରିବେ ନା ବିଦେଶରେ ରହିବେ ? ଏସବୁ ପ୍ରଶ୍ନ ଭିତରେ ପଡୋଶୀ ରାଷ୍ଟ୍ର ଭାରତର ବେଶୀ ଚିନ୍ତା। ତେଣେ ହସିନା ରାଜନୀତିକୁ ଆଉ ଫେରି ନପାରନ୍ତି ବୋଲି କହିଛନ୍ତି ପୁଅ ସଜୀବ ୱାଜେଦ ଜୟ। ଆଜି ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବେ ଏସ. ଜୟଶଙ୍କର। ବାଂଲାଦେଶରେ ଅସ୍ଥିରତା ପ୍ରସଙ୍ଗରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ନିରାପତ୍ତା ସଂକ୍ରାନ୍ତ କ୍ଯାବିନେଟ କମିଟି ବୈଠକରେ ସ୍ଥିତି ସମୀକ୍ଷା କରାଯାଇଥିଲା। ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ନେଇ ଦେଶଛାଡିଥିବା ହସିନା ଭାରତରେ ଆଶ୍ରୟ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପୂରା ପରିସ୍ଥିତି ଉପରେ ଅବଗତ କରାଇଥିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଏହାସହ ହାସିନାଙ୍କୁ ଭେଟିଥିଲେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ। ଜୟଶଙ୍କରଙ୍କୁ ଭେଟି ସ୍ଥିତି ସମୀକ୍ଷା କରିଥିଲେ ବିରୋଧି ଦଳ ନେତା ରାହୁଲ ଗାନ୍ଧି। ହିଣ୍ଡନ ଏୟାରବେସରେ ବି ଏୟାର କମାଣ୍ଡ ଚିଫ ଏୟାରମାର୍ଶାଲ ପିଏମ ସିହ୍ନାଙ୍କ ସହ ଆଲୋଚନା କରିଥିଲେ ହସିନା।ବାଂଲାଦେଶର ସ୍ଥିତି ନେଇ ସଜାଗ ଅଛନ୍ତି ଭାରତୀୟ ବାୟୁସେନା, ଭାରତୀୟ ସେନା ଓ ବିଏସଏଫ। ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ନିଜ ରାଜ୍ଯର ବାସିନ୍ଦାଙ୍କୁ ଆହ୍ବାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ। ବାଂଲାଦେଶ ସହ ପଶ୍ଚିମବଙ୍ଗର ୨ ହଜାର ୨୧୭ କିଲୋମିଟର ରହିଛି। ତେଣେ ବାଂଲାଦେଶ ସହ ୪୪୩ କିଲୋମିଟର ସୀମା ରହିଥିବା ମେଘାଳୟରେ ରାତ୍ରୀକାଳୀନ କର୍ଫ୍ଯୁ ଜାରି ହୋଇଛି।

ସେପଟେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶି ବ୍ଯାପକ ଭଙ୍ଗାରୁଜା କରିବା ସହ ଲୁଟପାଟ କରିଛନ୍ତି। ଏପରିକି କେତେକ ଆନ୍ଦୋଳନକାରୀ ଖଟ ଉପରେ ଶୋଇବା ସହ ଖାଇବା ବି ଦେଖାଯାଇଛି। ଆନ୍ଦୋଳନକାରୀମାନେ ଧାନମୋନ୍ଦିସ୍ଥିତ ଇନ୍ଦିରା ଗାନ୍ଧୀ କଲଚରାଲ ସେଣ୍ଟର ଓ ବଙ୍ଗବନ୍ଧୁ ମେମୋରିଆଲ ମ୍ଯୁଜିୟମକୁ ଭଙ୍ଗାରୁଜା କରିଛନ୍ତି। ଆଶ୍ରୟ ଦେବା ଲାଗି ବ୍ରିଟେନ ନିକଟରେ ହସିନା ଅନୁରୋଧ କରିଥିଲେ ବି ବ୍ରିଟେନ ପକ୍ଷରୁ ଗ୍ରୀନ ସିଗନାଲ ମିଳିନାହିଁ।…

ବିଧାନସଭାର ଷ୍ଟାଣ୍ଡିଂ କମିଟିରେ ବିଜେପିର ପୋଲ୍ ଖୋଲିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବିଭିନ୍ନ ଯୋଜନାରେ ସ୍ପଷ୍ଟତା ନ ଥିବା ଅଭିଯୋଗ କରି ରାଜ୍ଯ ସରକାରଙ୍କୁ ଘେରିଛି ବିଜେଡି। ବିଧାନସଭାର ଷ୍ଟାଣ୍ଡିଂ କମିଟିରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡିର ବିଧାୟକ। ଆୟୁଷ୍ମାନ ଭାରତ ନେଇ ଗୌତମ ବୁଦ୍ଧ ଦାସ ପ୍ରଶ୍ନ ଉଠାଇଥିବା ବେଳେ ପ୍ରମିଳା ମଲ୍ଲିକ କହିଛନ୍ତି ସୁଭଦ୍ରା ଯୋଜନା ଏକ ଭେଳିକି। ସୁଭଦ୍ରା ଯୋଜନା ନାଁରେ ଏଯାଏ କିଛି ସ୍ପଷ୍ଟତା ନାହିଁ। ଓଡ଼ିଶାବାସୀ ଏହାର ଜବାବ ଦେବେ ବୋଲି ଚେତାଇ ଦେଇଛି ବିଜେଡି।

ବିଧାନସଭାର ସ୍ବାସ୍ଥ୍ଯ ବିଭାଗ ସଂପର୍କିତ ଷ୍ଟାଣ୍ଡିଂ କମିଟିରେ ବିଜେଡି ଉଠାଇଛି ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଅଭିଯୋଗ କରିଛନ୍ତି, ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନାରେ ପୁରୁଷ ହିତାଧିକାରୀ ୫ ଲକ୍ଷ ଟଙ୍କା ଓ ମହିଳା ହିତାଧିକାରୀ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଉଥିଲେ। ଆୟୁଷ୍ମାନ ଯୋଜନାରେ ଏହା ନାହିଁ। ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା ଜାରି ରହିବ ବୋଲି ରାଜ୍ଯ ସରକାର କହିଛନ୍ତି। ସେପଟେ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ମଧ୍ଯରେ ରହୁଛି ଅନେକ ଦ୍ଵନ୍ଦ୍ଵ।

କେଉଁ ଯୋଜନାର ହିତାଧିକାରୀ କିଏ, କେଉଁ ଯୋଜନାରେ କଣ ସୁବିଧା ମିଳିବ, କେଉଁ ଯୋଜନାର କେତେ ହିତାଧିକାରୀ- ଏହାର ସ୍ପଷ୍ଟ ସୂଚନା ମିଳିପାରୁନଥିବା କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ। ସେହିପରି ସୁଭଦ୍ରା ଓ ଲକ୍ଷପତି ଦିଦି ଯୋଜନାକୁ ନେଇ ରାଜ୍ଯ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ। ମହିଳା ଓ ଶିଶୁ ବିକାଶ ଷ୍ଟାଣ୍ଡିଂ କମିଟି ବୈଠକରେ ଅସନ୍ତୋଷ ଝାଡ଼ି ପ୍ରମିଳା କହିଛନ୍ତି-ଭୋଟ ପାଇଁ ସୁଭଦ୍ରା ଯୋଜନା ଓ ଲକ୍ଷ ପତି ଦିଦି ଯୋଜନା ନିର୍ବାଚନୀ ଇସ୍ତାହାରରେ ରଖିଥିଲା ବିଜେପି। ମିଛ ଫର୍ମ ଜରିଆରେ ଲୋକଙ୍କ ତଥ୍ଯ ସଂଗ୍ରହ କରାଯାଇଥିଲା। ଜନ ସେବା କେନ୍ଦ୍ରରେ ଲୋକଙ୍କୁ ଖର୍ଚ୍ଚାନ୍ତ କରେଇଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟତା ନାହିଁ। ନବୀନ ସରକାରଙ୍କ ବହୁ ଲୋକାଭିମୁଖୀ ଯୋଜନାକୁ ବିଜେପି ସରକାର ବାଟବଣା କରିଥିବା ଅଭିଯୋଗ କରି ରାଜ୍ଯ ସରକାରଙ୍କୁ ଘେରିଛି ବିଜେଡି।

କଂଗ୍ରେସ ମଧ୍ଯ ପ୍ରଶ୍ନ କରିଛି-ଓଡ଼ିଆ ଅସ୍ମିତା କହି ବାହାବା ନେଉଥିବା ବିଜେପି ସରକାରର ଅସ୍ମିତା କୁଆଡ଼େ ଗଲା। ଓଡ଼ିଆଙ୍କୁ ଠକିଥିବା ବିଜେପି ଓଡ଼ିଆ ଅସ୍ମିତା ପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି। ରାମଚନ୍ଦ୍ର କାଡ଼ାମ  କହିଛନ୍ତି-ନିର୍ବାଚନ ବେଳେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ଭୋଟ ହାତେଇବା ପରେ ବିଜେପି ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଏହାର ଜବାବ ରଖିଛି ବିଜେପି।

ନିର୍ବାଚନ ପୂର୍ବରୁ ବିଜେପି ଅନେକ କଥା କହିଥିଲା। ଅନେକ ପ୍ରତିଶୃତି ଦେଇଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ସତେ ଯେମିତି ସେସବୁ ପ୍ରତିଶୃତିକୁ ଭୁଲି ଯାଇଛି। ଏହାକୁ ପ୍ରସଙ୍ଗ କରି ବିରୋଧୀମାନେ ବାରମ୍ବାର ବିଜେପିକୁ କାଠଗଡ଼ାକୁ ଟାଣୁଛନ୍ତି । ତେଣୁ ବ୍ଯାକଫୁଟକୁ ଚାଲି ଯାଇଛି ବିଜେପି। ରାଜ୍ଯ ସରକାର ଲୋକାଭିମୁଖୀ ଯୋଜନାଗୁଡ଼ିକରେ ସ୍ପଷ୍ଟତା ଆଣନ୍ତୁ ବୋଲି ବିଜେଡି ଦାବି କରିଛି।

ରାଜ୍ଯରେ କେମିତି ଚାଲିଛି ବିଜେଡି ସଂଗଠନ, ତଦାରଖ କରିବ ନୂଆ କମିଟି

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ କେମିତି ଚାଲିଛି ବିଜେଡି ସଂଗଠନ । ତଦାରଖ ଓ ସମନ୍ବୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଠନ କଲେ ନୂଆ କମିଟି । ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ଯକ୍ଷତାରେ ଏକ ୧୫ ଜଣିଆ ଟିମ ଗଠନ କରିଛନ୍ତି ନବୀନ । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଟିମ ସଦସ୍ଯ ସାରା ରାଜ୍ଯରେ ବିଜେଡିର କାର୍ଯ୍ୟକ୍ରମ ଯୋଜନାବଦ୍ଧ, ମିଳିତଭାବେ ହେଉଛି କି ନାହିଁ ତାହା ପରଖିବ । ଦେବୀଙ୍କ ଟିମରେ ଅଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ, ନିରଂଜନ ପୂଜାରୀ, ବିକ୍ରମ କେଶୀର ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଅରୁଣ ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ।

ଝାରସୁଗୁଡା ଓ ରାଉରକେଲାକୁ ବିମାନ ସେବା ବୃଦ୍ଧି କରିବା ନେଇ ସଂସଦରେ ପ୍ରଶ୍ନ ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡା ଓ ରାଉରକେଲାକୁ ବିମାନ ସେବା ବୃଦ୍ଧି କରିବା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ରାଜ୍ୟରେ ପର୍ଯ୍ୟଟନ ଓ ଅର୍ଥନୀତିର ବିକାଶ ପାଇଁ ଅଧିକ ସଂଖ୍ୟାରେ ଏୟାରଲାଇନ୍ସକୁ ଆମନ୍ତ୍ରଣ କରିବା ନେଇ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ । ଏହାରର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମୁରଲୀଧର ମୋହଲ କହିଛନ୍ତି ଯେ, ଉଭୟ ରାଉରକେଲା ଓ ଝାରସୁଗୁଡାକୁ ଉଡାନ ଯୋଜନାରେ ସାମିଲ କରାଯାଇଥିଲା । ବର୍ତ୍ତମାନ ଝାରସୁଗୁଡା ବିମାନ ବନ୍ଦରରୁ ଦିଲ୍ଲୀ, କୋଲକାତା, ଭୁବନେଶ୍ବର ଓ ବେଙ୍ଗାଳୁରୁକୁ ବିମାନ ସେବା ଜାରି ରହିଛି । ଏହିସବୁ ସ୍ଥାନକୁ ସପ୍ତାହକୁ ୫୦ ଥର ବାଣିଜ୍ୟିକ ବିମାନ ଉଡାଣ କରୁଛି । ସେହିପରି ରାଉରକେଲାରୁ ଭୁବନେଶ୍ବର ଓ କୋଲକାତା ମଧ୍ୟରେ ଆଲିଆନ୍ସ ଏୟାରଲାଇନ୍ସର ବିମାନ ଚଳାଚଳ କରୁଛି । ଏହି ଦୁଇ ବିମାନ ବନ୍ଦର ସହ ଜୟପୁର ଓ ଉତକେଲା ବିମାନ ବନ୍ଦରକୁ ମଧ୍ୟ ଉଡାନ ଯୋଜନାରେ ସାମିଲ କରାଯାଇଛି । ପରବର୍ତ୍ତି ସମୟରେ ଅମର୍ଦା, ରାଇରଙ୍ଗପୁର ଓ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରକୁ ଉଡାନ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

କେନ୍ଦ୍ର ଉପରେ ବର୍ଷିଲା ବିଜେଡି,  କେନ୍ଦୁପତ୍ର ଉପରୁ ଉଚ୍ଛେଦ କର ଜିଏସଟି

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁପତ୍ର ଉପରୁ ଉଚ୍ଛେଦ କର ଜିଏସଟି। କେନ୍ଦୁପତ୍ର ତୋଳାଳିଙ୍କ ଝିଅ ବିବାହ ପାଇଁ ୨୫ ହଜାର ଟଙ୍କା ସହାୟତା ଯୋଗାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦୁପତ୍ର ତୋଳାଳିଙ୍କ ଭିତରୁ ଯଦି କାହାର ମୃତ୍ୟୁ ହେଉଥିଲା, ତାଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଦିଆଯାଇଥିଲା। ହେଲେ କେନ୍ଦ୍ର ସରକାର ଭୁଲିଗଲେ ନିଜ ପ୍ରତିଶୃତି। ସରକାରକୁ ଆସିଲେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ କରାଯିବ ବୋଲି ନିଜ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲେ ବିଜେପି। ସରକାରକୁ ଆସିଲେ, ହେଲେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଭୁଲିଗଲେ। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜୁ ଜନତା ଦଳ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଭିନ୍ନ ଯୋଜନା କରି ସହାୟତା ପ୍ରଦାନ କରିଥିଲେ। ଝିଅ ବିବାହ ପାଖରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିଥିଲେ। ଅପରପକ୍ଷରେ କେନ୍ଦ୍ର ସରକାର କେବଳ ପ୍ରତିଶୃତି ଦେଉଛନ୍ତି। କିନ୍ତୁ ଏହାକୁ ପାଳନ କରୁନାହାନ୍ତି ବୋଲି କହିଛି ବିଜେଡି। ତେଣୁ ତୁରନ୍ତ ରାଜ୍ୟ ସରକାର କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କରିବାକୁ କେନ୍ଦ୍ର ନିକଟରେ ଦାବି କରନ୍ତୁ ବୋଲି କହିଛି ବିଜେଡି।

ଓଡ଼ିଆ ସିନେମା ’ଭଗିଆ ଭାରିଯା’ର ସ୍ୱତନ୍ତ୍ର ଶୋ ପ୍ରଦର୍ଶିତ

ନନ୍ଦିଘୋଷ ବ୍ୟୁରୋ: ମୌଳିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ଓଡ଼ିଆ ସିନେମା ଭଗିଆ ଭାରିଯାର ସ୍ୱତନ୍ତ୍ର ଶୋ ପ୍ରଦର୍ଶିତ ହୋଇଛି । ଭୁବନେଶ୍ୱରସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ପରିସରରେ ଥିବା ଆଇନକ୍ସରେ ସିନେମାର ସ୍ୱତନ୍ତ୍ର ଶୋ ପ୍ରଦର୍ଶିତ ହୋଇଛି। ଏହି ଶୋକୁ ବିଭିନ୍ନ ପ୍ରମୁଖ ଗଣମାଧ୍ୟମର ସମ୍ପାଦକ, ବୁଦ୍ଧିଜୀବୀ, ଲେଖିକା ତଥା  ସମାଜର ବିଭିନ୍ନ ପ୍ରମୁଖ ବର୍ଗର ଲୋକେ ଦେଖିବା ସହ ନିଜର ମତାମତ ରଖିଛନ୍ତି। ଓଡ଼ିଆ ସିନେମା ନିଜର ମୌଳିକତା ହରାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିବା ବେଳେ, ବ୍ୟବସାୟିକ ଉଦ୍ଦେଶ୍ୟ ରଖି ସିନେମା କରାଯାଉଥିବା କୁହାଯାଏ। ଏପରିକି ଏଥିପାଇଁ ଓଡ଼ିଆ ସିନେମାର ଚାହିଦା କମୁଥିବା ମଧ୍ୟ ଅଭିଯୋଗ ହୁଏ । କିନ୍ତୁ ଭଗିଆ ଭାରିଯା ସିନେମା ସମ୍ପୂର୍ଣ୍ଣ ମୌଳିକ କଥାବସ୍ତୁକୁ ଆଧାର କରି ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଏହି ସିନେମାରେ ଜଣେ ଅଟୋ ଚାଳକ କିଭଳି ନିଜ ସ୍ତ୍ରୀର ଇଚ୍ଛାକୁ ପୂରଣ କରିବାକୁ ଉଦ୍ୟମ କରିଛି। ସେ କଥା ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଏଥିସହିତ ସିନେମାରେ ବର୍ତ୍ତମାନ ସମାଜରେ ଚାଲିଥିବା ରିଲସ ଏବଂ ଅନ୍ୟ କିଛି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି। ଭଗିଆ ଚରିତ୍ରରେ ଅଭିନେତା ହରିହର ମହାପାତ୍ର ଅଭିନୟ କରିଥିବା ବେଳେ, ତାଙ୍କ ଭାରିଯା ଅର୍ଥାତ ସ୍ତ୍ରୀ ଭୂମିକାରେ ଅଭିନେତ୍ରୀ ଦେବଯାନୀଙ୍କୁ ଦେଖିବାକୁ ମିଳିଛି। ଏହି ସିନେମା ଆସନ୍ତା ୯ ତାରିଖରେ ରିଲିଜ ହେବାକୁ ଥିବା ବେଳେ, ଏହା ଓଡ଼ିଆ ଦର୍ଶକଙ୍କ ମନ ଛୁଇଁବ ବୋଲି କୁହାଯାଇଛି।

ଡେଙ୍ଗୁ ଦମନ ପାଇଁ ଆକ୍ସନ ମୋଡ଼ରେ ବିଏମସି

ନନ୍ଦିଘୋଷ ବ୍ୟୁରୋ: ଡେଙ୍ଗୁ ଦମନ ପାଇଁ ଆକ୍ସନ ମୋଡ଼ରେ ବିଏମସି । ଭୁବନେଶ୍ୱରରେ ଚଳିତ ବର୍ଷ ଏ  ପର୍ଯ୍ୟନ୍ତ ନାହିଁ ଡେଙ୍ଗୁର ଭୟାନକ ସ୍ଥିତି । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୨୪୧ଟି ପଜିଟିଭ  କେସ ଆସିଛି । ସେମାନଙ୍କ ମଧ୍ୟରୁ ୯୪ ଜଣ ପ୍ରାୟ ସମସ୍ତେ ସୁସ୍ଥ ହୋଇ ଗଲେଣି । ଡେଙ୍ଗୁ ପ୍ରତିରୋଧ କରିବା ପାଇଁ ଚଳିତବର୍ଷ ଅନେକ କାର୍ଯ୍ୟ ହାତକୁ ନେଇଛି ବିଏମସି । ପ୍ରତିଦିନ ବିଭିନ୍ନ ୱାର୍ଡରେ ମଶା ଧୂଆଁ ସାଙ୍ଗକୁ ମଶା ତେଲ ପକାଯାଉଛି । ୩ଟି  ଜୋନରେ ସଚେତନତା ରଥ ବୁଲୁଛି । ଯଦି ଆବଶ୍ଯକ ପଡେ ତା ହେଲେ ଡ୍ରୋନର ସହାୟତା ନିଅଯିବ ।

ଡେଙ୍ଗୁ ଦମନ ପାଇଁ ଆକ୍ସନ ମୋଡ଼ରେ ବିଏମସି । ଡ୍ରାଏ-ଡେକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ । ଡେଙ୍ଗୁର ରେଡ୍ ଜୋନରେ ନାହିଁ ବିଏମସି । ଜୋରଦାର ହେଲା ବୁସ କଟିଂ, ଲାର୍ଭା ନଷ୍ଟ ଓ ଫଗିଂ। ଆବଶ୍ଯ ପଡିଲେ ଡ୍ରୋନ ଦ୍ବାରା ହେବ ଡେଙ୍ଗୁ ଦମନ । ରାଜ୍ଯରେ ଜାରି ରହିଛି ସିରିଜ୍ ଲଘୁଚାପ । ପାଣି ଜମିବା ଦ୍ବାରା ଡେଙ୍ଗୁ ବିସ୍ତାର କରୁଥିବା ମଶା ଦିନରେ ସକ୍ରିୟ ରହିଥାନ୍ତି I ମୁକାବିଲା ପାଇଁ ଆରମ୍ଭରୁ ଅଣ୍ଟା ଭିଡିଛି ବିଏମସି । ପ୍ରାୟ ୮୫୦ ଜଣ ସ୍ୱେଚ୍ଛାସେବୀ ବିଏମସି ଅଞ୍ଚଳରେ ଘର ଘର ବୁଲି ଡେଙ୍ଗୁ ଉତ୍ସଗୁଡିକ ହ୍ରାସ ଉପରେ ସଚେତନତା ସୃଷ୍ଟି କରୁଛନ୍ତି ।

ଏପିରକି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ପ୍ରତି ଵାର୍ଡରେ ଅଟୋ ମାଉଁଡେଟ୍ ଓ ହ୍ୟାଣ୍ଡ ଅପରେଟେଡ୍ ଫଗିଂ ବା ମଶାଧୂଆଁ ଦେବା ସହ ଗାଡି ବୁଲୁଛି । ଏହାସହ ମଶା ବଂଶ ବୃଦ୍ଧି ଉତ୍ସ ହ୍ରାସ ସହ ଲାର୍ଭା ନଷ୍ଟ ପାଇଁ କାର୍ଯ୍ୟକ୍ରମ ଜାରି ରହିଛି । ଚଳିତ ବର୍ଷ ଜୁଲାଇ 30 ସୁଦ୍ଧା ମୋଟ ୧୦ ହଜାର ୪୧ଟି ରକ୍ତ ନମୁନା ପରୀକ୍ଷା କରାଯାଇଛି । ୨୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୯୪ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପ୍ରତି ସପ୍ତାହର ଶୁକ୍ରବାର ଦିନ ଡ୍ରାଏ ଡେ ପାଳନ କରାଯାଉଛି ।

୩ଟି ଜୋନରେ ସଚେତନତା ରଥ ବୁଲୁଛି । ଆଗାମୀ ଦିନରେ ଡେଙ୍ଗୁ ବୃଦ୍ଧି ପାଇଲେ ସ୍ପ୍ରେ ପାଇଁ ଡ୍ରେନର ସହାୟତା ନିଅଯିବ । ଭୁବନେଶ୍ୱରର ବର୍ଷା ଜାରି ଥିବାରୁ ଡେଙ୍ଗୁକୁ ନେଇ ସଚେତନତା ରାଲି ବା ଷ୍ଟ୍ରିଟ ପ୍ଲେ ହୋଇପାରୁ ନାହିଁ । ବର୍ଷା କମିଲେ ଜୋରଦାର ସଚେତନତା କରାଯିବ । ୨୦୨୩ ଜୁଲାଇ ମାସରେ ୨ ହଜାର ୧୯୫ ଜଣଙ୍କର ଟେଷ୍ଟ ହୋଇଥିବା ବେଳେ ଚଳିତବର୍ଷ ଜୁଲାଇ ମାସ ଶୁଦ୍ଧା ୩ ହଜାର ୩୧୭ ଜଣଙ୍କର ଟେଷ୍ଟ ହୋଇଛି । ୨୦୨୩ରେ ୫୦୯ ଡେଙ୍ଗୁ ପଜେଟିଭ୍ ରହିଥିାବା ବେଳେ ୨୦୨୪ରେ ୧୯୦ ଚିହ୍ନଟ ହୋଇଛନ୍ତି ।

 

ଅତ୍ଯାଧୁନିକ ବୈଷୟିକ ଜ୍ଞାନ କୌଶଳରେ ହେବ ରତ୍ନଭଣ୍ଡାର ଯାଞ୍ଚ

ନନ୍ଦିଘୋଷ ବ୍ୟୁରୋ :ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ନୂଆ ଏସଓପିକୁ ଅନୁମୋଦନ କଲା ଶ୍ରୀମନ୍ଦିର ପରିଚାଳ କମିଟି । ରାଜ୍ୟ ସରକାରଙ୍କ ଅନୁମତି ପରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରାଯାଇ ରତ୍ନଭଣ୍ଡାର ଯାଞ୍ଚ କରାଯିବ । ଶ୍ରୀମନ୍ଦିର ଅଧୀନରେ ଥିବା ଜମିର କିଣାବିକା ନେଇ ଶ୍ରୀମନ୍ଦିର ଜମି ପରିଚାଳନା ନିୟମ ୨୦୨୪ର ସ୍ୱତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ ହୋଇଥିବା ବେଳେ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଏଣିକି ଶ୍ରୀମନ୍ଦିରରେ କର୍ମଚାରୀ ନିୟୋଜନ କାର୍ଯ୍ୟ ଅଧିକୃତ ସରକାରୀ ସଂସ୍ଥା ଦ୍ୱାରା କରାଯିବାକୁ ନିଷ୍ପତି ହୋଇଥିବା ବେଳେ ଅର୍ପଣ ଚାଉଳ ବିନିଯୋଗ ଓ ଖଣି ଖାଦାନର ସୁରକ୍ଷା ନେଇ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି ।

ଅତ୍ଯାଧୁନିକ ବୈଷୟିକ ଜ୍ଞାନ କୌଶଳରେ ହେବ ରତ୍ନଭଣ୍ଡାର ଯାଞ୍ଚ । ନୂଆ ଏସଓପିକୁ ଶ୍ରୀମନ୍ଦିର ପରିଚାଳନା କମିଟର ଅନୁମୋଦନ । ଶ୍ରୀମନ୍ଦିର ଜମି ପରିଚାଳନା ନିଯମ ୨୦୨୪ରେ ସ୍ବତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ । ରାଜ୍ୟ ସରକାରଙ୍କ ଅନୁମତି ପରେ ଏଏସଆଇ ଭଣ୍ଡାର ଗୃହର ଯାଞ୍ଚ କରିବ । ଭିତର ଭଣ୍ଡାର ଘରେ ଥିବା ସିନ୍ଦୁକ ଓ ଆଲମୀରା ଗୁଡିକୁ ନୀଳାଦ୍ରି ମ୍ୟୁଜିଅମକୁ ସ୍ଥାନାନ୍ତର ନେଇ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯାଇଛି । ଏଣିକି ଶ୍ରୀମନ୍ଦିର କର୍ମଚାରୀ ନିୟୋଜନ ରାଜ୍ୟ ସରକାରଙ୍କ ଅଧିକୃତ ସଂସ୍ଥା ଦ୍ୱାରା କରାଯିବ । ପୂର୍ବରୁ କର୍ମଚାରୀ ନିୟୋଜନ କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ହୋଇ ଆସୁଥିବା ବେଳେ ସ୍ୱଚ୍ଛତା ଆଣିବା ପାଇଁ ଏପରି ନିଷ୍ପତି ନିଆଯାଇଛି । ଭକ୍ତଙ୍କ ବ୍ୟବହାର ପାଇଁ ଉଦ୍ଧିଷ୍ଟ ୩୫ଟି ଏଲେକ୍ଟ୍ରିକ ବସର ପରିଚାଳନା ସରକାରଙ୍କ ଅଧିକୃତ ସଂସ୍ଥାକୁ ଦାୟିତ୍ୱ ଦିଆଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଆଯାଇଛି ନିଷ୍ପତ୍ତି ।

ଶ୍ରୀମନ୍ଦିର ଅଧୀନରେ ଥିବା ଜମିଜମା ଗୁଡିକର କିଣାବିକା ନେଇ ପ୍ରସ୍ତୁତ ହୋଇଥିବା ଶ୍ରୀମନ୍ଦିର ଜମି ପରିଚାଳନା ନିୟମ ୨୦୨୪ ର ଚିଠା ପ୍ରସ୍ତାବ ଅନୁମୋଦନ ହୋଇଛି । ଜମି ବିକ୍ରୟ କାର୍ଯ୍ୟର ସୁପରିଚାଳନା ନେଇ ପ୍ରସ୍ତୁତ ହୋଇଥିବା ଏହି ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କାର୍ଯ୍ଯକାରୀ କରାଯିବ । ସେହିପରି ଗଛିତ ଥିବା ଅର୍ପଣ ଚାଉଳ ବିନିଯୋଗ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ସମ୍ପୃକ୍ତ ନିଯୋଗ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବେ। ଖଣି ଖାଦାନ ର ନିୟମ ପରିବର୍ତ୍ତନ ହୋଇଥିବାରୁ ଏହାର ନିଲାମ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହେବେ। ଅନ୍ୟପକ୍ଷରେ ସିଂହଦ୍ୱାର ଥାନାକୁ ମଡେଲ ଥାନା କରିବା ପାଇଁ ସ୍ୱତନ୍ତ୍ର ଜାଗା ଓ ଭିତ୍ତିଭୂମି ଯୋଗାଇବା ପାଇଁ ଏସ୍ପିଙ୍କ ପ୍ରସ୍ତାବ ନେଇ ହୋଇଛି ଆଲୋଚନା ।