spot_img
Home Blog Page 1796

ଗଣଦୁଷ୍କର୍ମ ଅଭିଯୋଗରେ ୪ ଜଣ ଗିରଫ

ଅନୁଗୁଳ : ଗଣଦୁଷ୍କର୍ମ ଅଭିଯୋଗରେ ଚାରି ଜଣ ଗିରଫ। ଅନୁଗୁଳ ଗୋପବନ୍ଧୁ ଉଦ୍ୟାନ ଅଞ୍ଚଳରୁ ୨ ଜଣ ଯୁବତୀଙ୍କୁ କାରରେ ବସାଇ ନେଇ ଜଙ୍ଗଲ ଭିତରେ ମଦ୍ୟପାନ କରି ୫ ଜଣ ଯୁବକ ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ବୁଧବାର ରାତିରେ ଅନୁଗୁଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଜରପଡା ଥାନା ଅଞ୍ଚଳର ଜଣେ ଯୁବତୀ ଆଉ ଜଣେ ଯୁବତୀଙ୍କ ସହ ଉଦ୍ୟାନରେ ବସିଥିଲେ। ସେଠାକୁ ଜଣେ ଯୁବକ ପହଞ୍ଚି ସେମାନଙ୍କ ସହ କ‌ଥାବାର୍ତ୍ତା କରିଥିଲେ । ଏହାର କିଛି ସମୟ ପରେ ଏକ କାରରେ ୪ ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ଉଦ୍ୟାନ ଭିତରୁ ଦୁଇ ଯୁବତୀଙ୍କୁ ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। କୌଶଳକ୍ରମେ ଜଣେ ଯୁବତୀ ସେଠାରୁ ଖସି ଆସି ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

ଫୁଲୁଛି ମହାନଦୀ, ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି

ବାଙ୍କୀ : ଫୁଲୁଛି ମହାନଦୀ । ଫଳରେ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ବାଙ୍କୀ ବିଲିପଡାରୁ ତାଳବସ୍ତ ରାସ୍ତାରେ ୪ ପୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଲିପଡା ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହେଇଛି ।ବର୍ତ୍ତମାନ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ମୁଣ୍ଡଳୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ୫ ଲକ୍ଷ ୯୬ ହଜାର ଘନପୁଟରେ ପହଁଚିଲାଣି ଜଳସ୍ତର । ବର୍ତ୍ତମାନ ମୁଣ୍ଡଳୀ ଉପର ଭାଗରେ ୮୯.୨୦ ଓ ତାଳଭାଗରେ ୮୭.୦୦ ପୁଟ ଜଳସ୍ତର ରହିଛି । ବିପଦ ସଂକେତ ତଳେ ପ୍ରବାହିତ ମହାନଦୀର ଜଳସ୍ତର ।

ନୂଆ ଆଶା ନୂଆ ସ୍ବପ୍ନ ଦେଖାଇ ବାଂଲାଦେଶରେ ଗଠନ ହେଲା ନୂଆ ଅନ୍ତରୀଣ ସରକାର

ଢାକା : ବାଂଲାଦେଶରେ ନୂୂଆ ସରକାର ଗଠନ ହୋଇଛି। ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ଏହି ସରକାରର ମୁଖ୍ଯ ପରାମର୍ଶଦାତା ଭାବେ ଶପଥ ନେଇଛନ୍ତି। ଶାନ୍ତି ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ୟୁନୁସ। କେହି ବି ହିଂସାକାଣ୍ଡ କରନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି। ଏବେ ଦେଶ ଗଠନର ସମୟ ବୋଲି କହିଛନ୍ତି ୟୁନୁସ।

ସେପଟେ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିଥିଲେ ମଧ୍ଯ ବାଂଲାଦେଶରେ ଏବେ ବି ହିଂସାକାଣ୍ଡ ଜାରି ରହିଛି। ଆୱାମି ଲିଗ୍ ର ନେତାଙ୍କୁ ଟାର୍ଗେଟ କରି ହତ୍ଯା କରାଯାଉଥିବାରୁ ଚିନ୍ତା ପ୍ରକାଶ ପାଇଛି। ହସିନା ଏଯାଏ ତାଙ୍କର ଭବିଷ୍ଯତ ନେଇ କିଛି ନିଷ୍ପତ୍ତି ନେଇ ନାହାନ୍ତି। ସେ ଏବେ ଭାରତରେ ଅଛନ୍ତି। କେଉଁ ଦେଶକୁ ଯିବେ,କେଉଁ ଦେଶରେ ରାଜନୈତିକ ଶରଣ ନେବେ, ତାହା ସ୍ପଷ୍ଟ ହୋଇନାହି।

ରେସଲର୍ ଭିନେଶ ଫୋଗଟଙ୍କୁ ମିଳିବ କି ନ୍ଯାୟ ; ଆଜି କୋର୍ଟ ଅଫ୍ ଆର୍ବିଟ୍ରେଟରରେ ହେବ ଶୁଣାଣି

ନୂଆଦିଲ୍ଲୀ : ରେସଲର୍ ଭିନେଶ ଫୋଗଟଙ୍କୁ ମିଳିବ କି ନ୍ୟାୟ। ତାଙ୍କୁ ରୌପ୍ଯ ପଦକ ପ୍ରଦାନ କରାଯିବ କି ନାହିଁ ଏ ନେଇ ଆଜି କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ ଶୁଣାଣି ହେବାର ଅଛି। ଅପରାହ୍ନ ସାଢ଼େ ଗୋଟାଏରେ ଏହି ଶୁଣାଣି ହେବ। ମାତ୍ର ଶହେ ଗ୍ରାମ ଅଧିକ ଓଜନ ପାଇଁ ସ୍ବର୍ଣ୍ଣ ପଦକ ମୁକାବିଲାରୁ ବାଦ୍ ପଡ଼ିଥିଲେ ଭିନେଶ। ଫାଇନାଲରେ ପହଞ୍ଚିଥିଲେ ମଧ୍ଯ ଲଢ଼ିପାରିନଥିଲେ। ଏହା ବିରୋଧରେ ସେ କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟସରେ ଅପିଲ କରିଛନ୍ତି। ନିଜ ଆବେଦନରେ ସେ ଦର୍ଶାଇଛନ୍ତି ଯେ, ଓଜନ ସମେତ ସବୁ ନିୟମ ଭିତରେ ରହି ସେ ଫାଇନାଲରେ ପହଞ୍ଚିଥିଲେ। ତେଣୁ ରୌପ୍ଯ ପଦକ ପାଇବାକୁ ସେ ଯୌଗ୍ୟ। ତାଙ୍କୁ ଯୁଗ୍ମ ଭାବେ ରୌପ୍ଯ ପଦକ ପ୍ରଦାନ କରାଯାଉ। ଏହା ଉପରେ ଆଜି ଅପରାହ୍ନ ଗୋଟାଏ ତିରିଶରେ କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ୍ ସ୍ପୋର୍ଟ୍ସରେ ଶୁଣାଣି ହେବ।

ଭିନେଶଙ୍କ ପକ୍ଷରୁ ୩ ଜଣ ବଡ଼ ବଡ଼ ଓକିଲ ଲଢିବେ ବୋଲି ଜଣାପଡ଼ିଛି। ଭାରତର ବିଶିଷ୍ଟ ଓକିଲ ହରିଶ ସାଲଭେ ଏହି ଟିମର ନେତୃତ୍ଵ ନେବେ ବୋଲି ଜଣାପଡ଼ିଛି। ଯଦି ରାୟ ତାଙ୍କ ସପକ୍ଷରେ ଯାଏ, ତେବେ ଭିନେଶଙ୍କୁ ରୌପ୍ଯ ପଦକ ମିଳିବାର ସମ୍ଭାବନା ଅଛି। ଆଉ ଥରେ ଓଜନ କରାଇ ଫାଇନାଲ ଖେଳିବାକୁ ମଧ୍ଯ ସେ ଆବେଦନ କରିଥିଲେ। ଏହାକୁ କିନ୍ତୁ ଖାରଜ କରାଯାଇଛି।

ଫାଇନାଲର ଠିକ୍ ପୂର୍ବରୁ ହୋଇଥିବା ଓଜନରେ ଭିନେଶ ଶହେ ଗ୍ରାମ ଅଧିକ ଥିବାରୁ ସେ ଫାଇନାଲ ମୁକାବିଲା ଲଢ଼ିପାରିନଥିଲେ। ଯେତେ ଚେଷ୍ଟା କରାଯାଇଥିଲେ ମଧ୍ଯ ସେହି ଶହେ ଗ୍ରାମ ହ୍ରାସ କରାଯାଇପାରିନଥିଲା। ଏହା ସହିତ ଭାରତର ଏକ ଅଲିମ୍ପିକ୍ସ ମେଡାଲ ଧୂଳିସାତ ହୋଇଯାଇଥିଲା। ଫାଇନାଲ ଯାଇଥିବାରୁ ହାରିଥିଲେ ମଧ୍ଯ ଅତି କମରେ ଭିନେଶଙ୍କୁ ମିଳିଥାନ୍ତା ରୌପ୍ଯ ପଦକ। ଅଲିମ୍ପିକ୍ସ ଝଟକା ପରେ ଭିନେଶ ଅବସର ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ପ୍ରତ୍ଯାହାର କରିବାକୁ ସାରା ଦେଶରୁ ତାଙ୍କୁ ଅନୁରୋଧ କରାଯାଇଛି।

ପ୍ଯାରିସ୍ ଅଲିମ୍ପିକ୍ସରେ ଇତିହାସ ପରେ ଭାରତୀୟ ହକି ଟିମକୁ ପୁରସ୍କାରର ସୁଅ

ନୂଆଦିଲ୍ଲୀ : ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ । ଲଗାତର ଦୁଇ ଥର ଜିତିଛି ମେଡାଲ । ପ୍ଯାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଗୌରବ ଲାଭ କରିଛି ଟିମ୍ ଇଣ୍ଡିଆ । ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଛି ଭାରତ। ୨ଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂ ସ୍କୋର କରିଛନ୍ତି। ଏହା ସହିତ ୫୨ ବର୍ଷ ପରେ ଲଗାତର ଦୁଇଟି ଅଲିମ୍ପକ୍ସରେ ପଦକ ଭାରତ ଜିତିଛି। ବ୍ରୋଞ୍ଜ ମେଡାଲ ଲଢେଇରେ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥିଲା ଭାରତ। ଭାରତୀୟ ହକି ଟିମର ଏହି ସଫଳତା ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ଯମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଅଭିନନ୍ଦନ ଜଣାଇଛନ୍ତି।

ପ୍ୟାରିସ ଅଲମ୍ପିକରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ଜିତିବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହ ଭାରତୀୟ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା। ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ମିଳିବ ୪ କୋଟି ଟଙ୍କା । ବିଜୟୀ ହେବା ପରେ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଭାରତୀୟ ହକି ଖେଳାଳିଙ୍କ ସହ କଥା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିବାରୁ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ। ଦଳର ସଫଳତାରେ ରାଜ୍ୟ ତଥା ସାରା ଦେଶ ଗର୍ବିତ ବୋଲି କହିଛନ୍ତି ନବୀନ। ଫୋନରେ କଥା ହେବା ପରେ ନବୀନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ହକି ଖେଳାଳି। ହକି ଟିମକୁ ସ୍ପନସର କରିଥିବା ଭାରତୀୟ ହକି ଖେଳାଳି କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ନବୀନ କହିଥିଲେ ଯେ, ହକି ପାଇଁ ଓଡ଼ିଶାରେ ଅନେକ କାର୍ଯ୍ୟ କରାଯାଇଛି। କିଛି ଦଶନ୍ଧି ପରେ ହକି ଟିମକୁ କ୍ରମାଗତ ଦୁଇଟି ପଦକ ମିଳିଛି । ଏହି ସଫଳତାରେ ପ୍ରତିଟି ଭାରତୀୟ ଗର୍ବରେ ଫାଟି ପଡ଼ୁଛନ୍ତି । ନବୀନ କହିଛନ୍ତି ବ୍ୟକ୍ତିଗତ ଭାବେ ମୋ ପାଇଁ ଏହା ଭାବବିହ୍ୱଳ ମୁହୂର୍ତ୍ତ । ହକିର ସେହି ଆନନ୍ଦମୟ ଦିନଗୁଡ଼ିକ ଫେରି ଆସୁ । ଖେଳାଳିମାନେ ଦେଶ ପାଇଁ ଅଧିକରୁ ଅଧିକ ଗୌରବ ଆଣନ୍ତୁ ବୋଲି ନବୀନ ସୋସିଆଲ ମିଡିଆ ଏକ୍ସରେ ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ଟ୍ଵିଟ କରି ଧନ୍ଯବାଦ ଦେଇଛନ୍ତି କ୍ଯାପଟେନ ହରମନପ୍ରୀତ ସିଂହ।

ଜାଭଲିନରେ ପ୍ରଥମ ରୌପ୍ୟ ଜିତିଲେ ନୀରଜ, ଶୁଭେଚ୍ଛା ଜଣାଇଲେ ନବୀନ

ପ୍ୟାରିସ : ପ୍ୟାରିସ୍‌ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା। ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସେ ଯଦିଓ ନିଜର ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇ ନାହାନ୍ତି ତେବେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପ୍ରଥମ ଉଦ୍ୟମରେ ଫାଉଲ କରି ବସିଥିବା ନୀରଜ ଦ୍ୱିତୀୟ ଉଦ୍ୟମରେ ସିଜନ ଶ୍ରେଷ୍ଠ ୮୯.୪୫ ମିଟର ଥ୍ରୋ କରିଥିଲେ। ମାତ୍ର ପରବର୍ତ୍ତୀ ୪ ରାଉଣ୍ଡ ତାଙ୍କର ଫାଉଲ ହୋଇଥିଲା। ଅନ୍ୟପକ୍ଷେ ପାକିସ୍ତାନର ଅର୍ଶଦ ନଦିମ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ଜିତିଛନ୍ତି ।

ଏହା ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ସେ ୮୯.୩୪ ମିଟର ଥ୍ରୋ କରି ଫାଇନାଲରେ ପ୍ରବେଶ କରିଥିଲେ। ଏହା ସେତେବେଳେ ଥିଲା ତାଙ୍କର ସିଜନ ଶ୍ରେଷ୍ଠ। ମନୁ ଭାକର ୨ଟି ବ୍ରୋଞ୍ଜ, ସ୍ବପ୍ନିଲ କୁଶାଲେ ଓ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବାପରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି ଏହି ଜାଭେଲିନ ଷ୍ଟାର। ପାକିସ୍ତାନର ଅର୍ଶଦ ନଦିମ ପ୍ରଥମେ ଫାଉଲ କରିଥିଲେ ହେଁ ଦ୍ୱିତୀୟ ଉଦ୍ୟମରେ ଅଲିମ୍ପିକ୍‌ ରେକର୍ଡ ୯୨.୯୭ ମିଟର ଥ୍ରୋ କରି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ପୂର୍ବରୁ ତାଙ୍କର ଅଲିମ୍ପିକ୍‌ ରେକର୍ଡ ଥିଲା ୯୦.୫୭ ମିଟର।

ଦେଶ ପାଇଁ ପ୍ରଥମ ରୌପ୍ୟ ଜିତିଥିବାରୁ ନୀରଜଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏକ୍ସ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଲିମ୍ପିକ୍ସରେ ବ୍ୟାକ୍ ଟୁ ବ୍ୟାକ୍ ପଦକ ଜିତିବାର ଐତିହାସିକ କୀତ୍ତିମାନ ଦେଶର ବିଭିନ୍ନ  କ୍ରୀଡ଼ାବିତ୍ତ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ତୁମ ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ହେଉ ଏବଂ ଦେଶ ପାଇଁ ଆହୁରି ଗୌରବ ଆଣନ୍ତୁ ବୋଲି ନବୀନ ଲେଖିଛନ୍ତି  ।

 

 

 

ପ୍ୟାରିସ ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ଟିମ ପାଇଁ ଓଡ଼ିଶା ସରକାରଙ୍କ ପୁରସ୍କାର ଘୋଷଣା

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକରେ ଭାରତ ବ୍ରୋଞ୍ଜ ପଦକ ପାଇବା ପରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡିଶା ଆସିବାକୁ ଟିମ ଇଣ୍ଡିଆକୁ ନିମନ୍ତ୍ରଣ କରିବା ସହ ହକି ଟିମ ଏବଂ ଓଡ଼ିଶା ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅମିତ ରୋହିଦାସଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅମିତଙ୍କୁ ମିଳିବ ୪ କୋଟି ଟଙ୍କା । ଏହାସହ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ।

ଭାରତୀୟ ହକି ଟିମ ସହ ମୁଖ୍ୟମନ୍ତ୍ରୀ କଥା ମଧ୍ୟ ହୋଇଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶା ହକି ଇଣ୍ଡିଆର ପ୍ରାୟୋଜକ ରହିଛି ।

ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଦଳକୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, କିଛି ଦଶନ୍ଧି ପରେ ହକି ଟିମକୁ କ୍ରମାଗତ ଦୁଇଟି ପଦକ ମିଳିଛି । ଏହି ସଫଳତାରେ ପ୍ରତିଟି ଭାରତୀୟ ଗର୍ବରେ ଫାଟି ପଡ଼ୁଛନ୍ତି । ବ୍ୟକ୍ତିଗତ ଭାବେ ମୋ ପାଇଁ ଏହା ଭାବବିହ୍ୱଳ ମୁହୂର୍ତ୍ତ । ହକିର ସେହି ଆନନ୍ଦମୟ ଦିନଗୁଡ଼ିକ ଫେରିଆସୁ । ଖେଳାଳିମାନେ ଦେଶ ପାଇଁ ଅଧିକରୁ ଅଧିକ ଗୌରବ ଆଣନ୍ତୁ ବୋଲି ନବୀନ ସୋସିଆଲ ମିଡିଆ ଏକ୍ସରେ ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ଟ୍ଵିଟ କରି ଧନ୍ଯବାଦ ଦେଇଛନ୍ତି କ୍ଯାପଟେନ ହରମନପ୍ରୀତ ସିଂହ । ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟୀ ଟିମ୍ ସହ ଭିଡିଓ କଲ୍ ମାଧ୍ୟମରେ କଥା ହୋଇଛନ୍ତି । ଏହି ଅବସରରେ ସେ ସମସ୍ତ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଥିଲେ ।

ନବୀନଙ୍କ ପାଇଁ ହକିରେ ସ୍ବର୍ଣ୍ଣିମ ଯୁଗ । ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଭାରତୀୟ ହକି ଆଜି ଜଗତଜିତା । ଭାରତୀୟ ପୁରୁଷ ହକି ଦଳ ଲଗାତାର ଦୁଇ ଦୁଇ ଥର ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିବା ପଛରେ ରହିଛି ଓଡ଼ିଶା ଏବଂ ନବୀନଙ୍କର ବଡ଼ ଅବଦାନ । କାରଣ ଯେତେବେଳେ ହକି ହଜି ଯିବାକୁ ବସିଥିଲା, ଭାରତୀୟ ହକି ଦଳ ସ୍ପନସର ଅଭାବରୁ ବୁଡ଼ିଯିବାକୁ ଯାଉଥିଲା ସେତେବେଳେ ହକିର ହାତ ଧରି ଆଗେଇ ନେଇଥିଲେ ସେତେବେଳର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ରେ ସାହାରା ଇଣ୍ଡିଆ ଭାରତୀୟ ହକି ଟିମର ସ୍ପନସରସିପ୍ ଛାଡ଼ିବା ପରେ ହକି ପାଇଁ ସଂକଟ ସୃଷ୍ଟି ହୋଇଥିଲା । ଏହି ସମୟରେ ଭାରତୀୟ ହକି ପାଇଁ ଆଶାର ଆଲୋକ ଭାବେ ଉଭା ହୋଇଥିଲା ଓଡ଼ିଶା ।

ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶା ହକିର ହାତ ଧରିଥିଲା । ପ୍ରଥମେ ୨୦୧୮ରୁ ୫ବର୍ଷ  ଅର୍ଥାତ ୨୦୨୩ ମସିହା ଯାଏଁ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିଥିଲା । ପରେ ଏହି ଅବଧିକୁ ୨୦୩୩ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଥିଲେ ନବୀନ ସରକାର । ଓଡ଼ିଶା ଖାଲି  ହକିର ପ୍ରାୟୋଜକ ହୋଇନଥିଲା ବରଂ ଭିତ୍ତିଭୂମି ବିକାଶ ଓ ଅନ୍ଯାନ୍ଯ କ୍ଷେତ୍ରରେ ବି ଇତିହାସ ରଚିଛି । ନବୀନଙ୍କ ନେତୃତ୍ବରେ  ୨୦୧୮ ଓ ୨୦୨୩ରେ ଲଗାତାର ଦୁଇଥର ହକି ବିଶ୍ବକପ ଆୟୋଜନ କରି ବିଶ୍ବକୁ ଓଡ଼ିଶା ଚମକାଇ ଦେଇଥିଲା । ଏହାଛଡ଼ା ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ ମଧ୍ଯ ଆୟୋଜନ କରିଥିଲା । ରାଉରକେଲାରେ ବିଶ୍ବର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ  ବିଶ୍ବ ହକି ପାଇଁ ଏକ ନୂଆ ମାଇଲଖୁଣ୍ଟ ସାଜିଛି । ଓଡ଼ିଶାର ପ୍ରାୟୋଜକ ଅବଧିରେ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିଲା । ଏହାଛଡ଼ା ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରି ସଫଳତା ପାଇଥିଲା ମହିଳା ଦଳ । ଆଉ ଚଳିତ ଅଲିମ୍ପିକ୍ସରେ ବି ପୁରୁଷ ହକି ଦଳ ବ୍ରୋଞ୍ଜ ମେଡାଲ ଜିତି ସଫଳତା ଲାଭ କରିଛି । ହକି ଦଳର ସଫଳତା ପାଇଁ ନବୀନଙ୍କ ଉଦ୍ଯମକୁ ସବୁଠି ସାଧୁବାଦ ଜଣାଯାଉଛି । ସେଦିନ ନବୀନ ହାତ ବଢାଇ ନଥିଲେ ଯେ ଭାରତରେ ହକିର ଅବସ୍ଥା କଣ ହୋଇଥାନ୍ତା ତାହା ସ୍ପଷ୍ଟ ଅନୁମେୟ ।

ପୋଲାଭରମ ଦ୍ବାରା ବୁଡ଼ିବାକୁ ଥିବା ଅଞ୍ଚଳରେ ବିଜେଡି ଟିମ୍

କାଲିମେଳା: ଓଡିଶାର ସ୍ବାର୍ଥକୁ ଅଣଦେଖା କରି ତିଆରି ହେଉଛି ପୋଲାଭରମ ପ୍ରକଳ୍ପ । ଏହି ପ୍ରକଳ୍ପକୁ ଦୀର୍ଘ ଦିନରୁ ବିଜେଡି ବିରୋଧ କରିଆସୁଛି । ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ କରିବାକୁ ମଧ୍ୟ ରାଜ୍ୟ ସରକାର ଦାବି କରିଥିଲେ । ପୋଲାଭରମ ପ୍ରକଳ୍ପ ଦ୍ବାରା ମାଲକାନଗିରି ମୋଟୁ ଓ ପଡିଆ ବ୍ଲକର ବହୁ ଆଦିବାସୀ ଗାଁ ମାନଚିତ୍ରରୁ ଲୋପ ପାଇଯିବ । ଏହାକୁ ଅଣଦେଖା କରି ଆନ୍ଧ୍ର ପ୍ରକଳ୍ପ କାମ ଆଗେଇ ନେଉଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏହି ଜାତୀୟ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଏଭଳି ସ୍ଥିତିରେ ବିରେଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ଏକ ଗ୍ରାଉଣ୍ଡ ଜିରୋରେ ପହଁଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି ।

ଗତ ପ୍ରାୟ ୧୦ ବର୍ଷ ହେଲା ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଆସୁଛି ବିଜେଡି । କିନ୍ତୁ ଓଡିଶା ସ୍ବାର୍ଥ ବଦଳରେ ଆନ୍ଧ୍ରର ସ୍ବାର୍ଥକୁ ଜଗୁଛି କେନ୍ଦ୍ର । ବିବାଦୀୟ ପୋଲାଭରମ ଡ୍ୟାମର ଉଚ୍ଚତା ହ୍ରାସ କରିବାକୁ ବିଜେଡି ଦାବି କରୁଥିବାବେଳେ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇ ଆର୍ଥିକ ସହାୟତା ଦେଉଛି । ୨୦୧୬ରେ ଏହି ପ୍ରସଙ୍ଗରେ ବିଜେଡି ରାଜଭବନ ସାମନାରେ ବିକ୍ଷୋଭ କରି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଥିଲା । କେନ୍ଦ୍ର ସରକାର କିନ୍ତୁ ଓଡିଶାର ଦାବିକୁ ଅଣଦେଖା କରିଆସୁଛି । ଏବେ ପୁଣି ଥରେ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ପାଇଁ ୧୫ ହଜାର କୋଟିର ସହୟତା ବଜେଟରେ ଘୋଷଣା କରିଛନ୍ତି । କେନ୍ଦ୍ରର ଏଭଳି ଏକପାଖିଆ ନିଷ୍ପତ୍ତିକୁ ପୁଣି ଥରେ ବିରୋଧ କରିଛି ବିଜେଡି । ଗୁରୁବାର ବିଜେଡିର ଏକ ଟିମ ଗ୍ରାଉଣ୍ଡ ଜିରୋରେ ପହଁଚି କ୍ଷତିଗ୍ରସ୍ତ ହେବାକୁ ଥିବା ଗାଁର ଲୋକଙ୍କ ସହ ଆଲୋଚନା କରିଛି ।

ପୋଲାଭରମ ପ୍ରକଳ୍ପ ହେଲେ ସୁବିଧା ପାଇବ ଆନ୍ଧ୍ର, କିନ୍ତୁ ଓଡ଼ିଶାରେ ସୃଷ୍ଟି ହେବ ବନ୍ୟା ପରିସ୍ଥିତି । ମାଲକାଗିରି ଜିଲ୍ଲାର ମୋଟୁ ଓ ପଡିଆ ବ୍ଲକର ବହୁ ଆଦିବାସୀ ବେଘର ହେବେ । ଏହି ଦୁଇ ବ୍ଲକର ବହୁ ଅଞ୍ଚଳ ଜିଲ୍ଲା ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ରହିଛି । ଏଥିପାଇଁ ବିଜେଡିର ଏକ ଟିମ ପହଞ୍ଚିଛି ମାଲକାନଗରିରେ । ଜିଲ୍ଲାର ମୋଟୁ ମୁଗି ପଏଣ୍ଟ, ପୁସୁଗୁଡ଼ା, ବିନୟପୂର ଗାଁ ସହ ବିଭିନ୍ନ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ପ୍ରଥମେ ମୋଟୁ ବ୍ଲକର ପସୁଗୁଡ଼ା ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଆନ୍ଧ୍ର ସୀମାନ୍ତ ଖାଲଦାପାଳି ଯାଇ ଲୋକଙ୍କ ସହ କଥା ହୋଇଛନ୍ତି । ପରେ ମୋଟୁର ମୁଗି ପଏଣ୍ଟରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ପୋଲାଭରମ ପ୍ରକଳ୍ପ ବିରୋଧୀ ମଞ୍ଚର ଆବାହକ ପ୍ରଭାକର ହନ୍ତାଲଙ୍କ ସହ ମଧ୍ୟ ଆଲୋଚନା କରିଛି ଏହି ପ୍ରତିନିଧି ଦଳ ।

ପୂର୍ବତନ ମନ୍ତ୍ରୀ ଅତୁନୁ ସବ୍ୟସାଚୀଙ୍କ ନେତୃତ୍ଵରେ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ଈଶ୍ୱର ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ପୂର୍ବତନ ବିଧାୟକ ମାନସ ମାଡକାମି, ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ପୂର୍ବତନ ସାଂସଦ ରମେଶ ମାଝୀ ମାଲକାନଗିରି ମୋଟୁ ଅଞ୍ଚଳ ଯାଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ରାଜ୍ୟସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶା ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ବର: ରାଜ୍ଯସଭାକୁ ଓଡ଼ିଶାରୁ ଯିବ କିଏ ? ଉପ ନିର୍ବାଚନର ତାରିଖ ଘୋଷଣା ପରେ ରାଜ୍ଯ ରାଜନୀତିରେ ଏବେ ଏହି ଚର୍ଚ୍ଚା । ସଂଖ୍ୟା ଦୃଷ୍ଟିରୁ ବିଜେପିର ପ୍ରାର୍ଥୀ ଜିତିବା ଏକ ପ୍ରକାର ନିଶ୍ଚିତ । କିନ୍ତୁ ବିଜେପି କାହାକୁ ରାଜ୍ୟସଭା ପଠାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଶାୟୀଙ୍କ ତାଲିକା ବେଶ୍ ଲମ୍ବା ଥିବା ବେଳେ ସଂସଦୀୟ ବୋର୍ଡ଼ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି କୁହାଯାଉଛି । ଆଶାୟୀମାନେ ଏବେ ଭୁବନେଶ୍ଵରରୁ ଦିଲ୍ଲୀ ଯାଏଁ ଲବି କରିବାରେ ଲାଗିଛନ୍ତି ।

ମନମୋହନ ସାମଲ, ବିଶେଶ୍ବର ଟୁଡ଼ୁ, ସମୀର ମହାନ୍ତି, ସମୀର ଦେ, କୁସୁମ ଟେଟେ, ଦିଲୀପ ରାୟ ଏବଂ ମମତା ମହାନ୍ତ । ଏମାନଙ୍କ ମଧ୍ୟରୁ କିଏ ରାଜ୍ୟସଭା ଯିବେ ନା ଦିଲ୍ଲୀରୁ ଆସିବ ସରପ୍ରାଇଜ । ଏହାକୁ ନେଇ ପଦ୍ମ ଶିବିରରେ ଚର୍ଚ୍ଚା ଜୋର୍ ଧରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟସଭା ରେସର ଆଗରେ ଥିବା ବେଳେ ୨୦୨୪ ନିର୍ବାଚନ ପରାଜୟ ତାଙ୍କ ପାଇଁ କଣ୍ଟା ସାଜିଛି । ଯଦି ପରାଜିତ ନେତାଙ୍କୁ ପୁରସ୍କାର ଭାବେ ରାଜ୍ୟସଭା ପଠାଯିବ ତେବେ ଦଳରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେଇପାରେ । ସେହିପରି ବିଜେଡିରୁ ଆସି ବିଜେପିରେ ସାମିଲ ହୋଇଥିବା ମମତା ମହାନ୍ତଙ୍କୁ ବି ଯଦି ରାଜ୍ୟସଭା ପ୍ରାର୍ଥୀ କରାଯିବ, ତେବେ ଦଳ ଅଡ଼ୁଆରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ଏପରି ସ୍ଥିତିରେ ପଦ୍ମ ଶିବିରରେ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ଚାଲିଛି କସରତ । ରାଜ୍ୟସଭା ପାଇଁ ବହୁ ନେତାଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚିନ୍ତାରେ ପଡ଼ିଛନ୍ତି । ବିଧାୟକ ବାବୁ ସିଂହ କହିଛନ୍ତି, ଦଳର ସଂସଦୀୟ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଚର୍ଚ୍ଚା ହେଉଥିବା ନେତା ରାଜ୍ଯସଭାକୁ ଯିବେ ନା କେନ୍ଦ୍ରୀୟ ନେତୃତ୍ବ ସରପ୍ରାଇଜ ଦେବେ, ତାକୁ ସମସ୍ତେ ଅପେକ୍ଷା କରିବା ଆବଶ୍ଯକ ।

ମମତା ମହାନ୍ତ ରାଜ୍ୟସଭାରୁ ଇସ୍ତଫା ଦେଇଥିବାରୁ ସେହି ଆସନ ଖାଲି ପଡ଼ିଛି । ଏହି ଆସନ ପାଇଁ ହେବ ଉପନିର୍ବାଚନ । ସଂଖ୍ୟା ଦୃଷ୍ଟିରୁ ବିଜେପି ଏହି ଆସନରେ ବିଜୟ ହେବା ନିଶ୍ଚିତ । ତଥାପି ଏହି ଦଳର ବିଧାୟକମାନେ ରାଜ୍ୟସଭା ଉପନିର୍ବାଚନକୁ ନେଇ ମାପିଚୁପି ବୟାନ ଦେଉଛନ୍ତି । କଂଗ୍ରେସର ସଂଖ୍ୟା ନଥିଲେ ମଧ୍ୟ ଦଳ ଆସନ୍ତା ୧୯ ତାରିଖ ପରେ ନିଷ୍ପତ୍ତି ନେବ ବୋଲି ଯୁବ ବିଧାୟକ ସାଗର ଦାସ କହିଛନ୍ତି ।

୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ସେପଟେମ୍ବର ୩ରେ ହେବ ଭୋଟ । ୧୪ ଅଗଷ୍ଟରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହେଉଛି ଅଗଷ୍ଟ ୨୧ । ଅଗଷ୍ଟ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହେଉଛି ଅଗଷ୍ଟ ୨୭ । ସେପ୍ଟେମ୍ବର ୩ ତାରିଖରେ ଭୋଟ ହେବ ଓ ସେହି ଦିନ ଫଳାଫଳ ବାହାରିବ ।