ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ସୁଦ୍ଧା ମୁଖ୍ଯମନ୍ତ୍ରୀ ସଂଖ୍ଯା ଗରିଷ୍ଠତା ହାସଲ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ଯର ମୁଖ୍ଯମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସୁଛନ୍ତି। ସେମାନେ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ରାଜ୍ଯବାସୀ ସେସବୁ ଜାଣି ସାରିଛନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ ମମତା ମହାନ୍ତ । ସେ କହିଛନ୍ତି- କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳା କରିଛନ୍ତି। ରେଳବାଇ କ୍ଷେତ୍ରରେ ରାଜ୍ଯ ବାରମ୍ବାର ଅବହେଳିତ ହୋଇଆସିଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଠାରୁ ଓଡ଼ିଶା ରେଳ ସାନ୍ଧ୍ରତାରେ କମ୍। ରାଜ୍ଯରୁ କୋଟି କୋଟି ଟଙ୍କା କେନ୍ଦ୍ର ସରକାର ରେଳ ରାଜସ୍ବ ବାବଦରେ ପାଉଥିବା ସତ୍ତ୍ବେ ୭ ଜିଲ୍ଲା ରେଳ ସୁବିଧାରୁ ବଞ୍ଚିତ। ବାରିପଦାରୁ କୋଲକାତା ସିଧା ଟ୍ରେନ ନାହିଁ। ରୁପ୍ସାରେ ଇଂଜିନ ବଦଳାଇବା ଲାଗି ଏକ ଘଣ୍ଟା ବିଳମ୍ବ ହେଉଛି। ପୁରୀ ଯାଏଁ ସିଧା ଟ୍ରେନ ନାହିଁ। ସୋନପୁର ସାଲିମର ୭ ଦିନ ଯାଉନାହିଁ। ବାଙ୍ଗିରିପୋଷି ଘାଟି ପ୍ରଶସ୍ତ ନ କରିବାରୁ ରାଜ୍ୟ ସରକାର ବିକଳ୍ପ ରାସ୍ତା କରୁଛନ୍ତି। ରାଇରଙ୍ଗପୁର ବାଇପାସ ଦାବି ଵି ଶୁଣୁନି କେନ୍ଦ୍ର। ଓଡ଼ିଶା ଜନସଂଖ୍ୟାର ୨୨.୮୫ ପ୍ରତିଶତ ଲୋକ ଆଦିବାସୀ। ହେଲେ ସେମାନଙ୍କ ଲାଗି କେନ୍ଦ୍ର ସରକାର କୌଣସି ବ୍ଯବସ୍ଥା କରୁନାହାନ୍ତି। ହୋ, ଭୂମିଜ, ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ମିଳିନାହିଁ। ପ୍ରଥମ ରାଜ୍ୟ ଭାବେ ୨୩ ଜିଲ୍ଲାରେ ଏସଡିସି କରିଛନ୍ତି ରାଜ୍ୟ ସରକାର। ମୟୂରଭଞ୍ଜ ଠାରେ ଆଦିବାସୀ ବିଶ୍ୱବିଦ୍ୟାଳୟ ଦାବି ଵି ପୂରଣ ହେଉନି। ଉପକୂଳ ରାଜପଥ ନ ହେବାରୁ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହେଉଛି। ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ର ମନ୍ତ୍ରୀ ହେଲେ ଵି ମୟୂରଭଞ୍ଜ ସମସ୍ୟା ସମାଧାନ କରି ନାହାନ୍ତି। ସେଥିଲାଗି ବିଜେପି ତାଙ୍କୁ ଟିକେଟ ଦେଲାନି। ଉଡାଣ ଯୋଜନାରେ ମୟୂରଭଞ୍ଜକୁ ସାମିଲ ପାଇଁ ଦାବି ହେଉଛି। ହେଲେ ଜିଲ୍ଲା ବଞ୍ଚିତ ହେଉଛି। ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଭରସା ରଖିଛନ୍ତି। ସେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ସାଂସଦ ମମତା।
ଗ୍ରୀଷ୍ମପ୍ରବାହ ଯୋଗୁଁ ସ୍କୁଲରେ ୫୦ ଛାତ୍ରୀ ଅଚେତ ହେବା ପରେ ବିହାରରେ ଜୁନ୍ ୮ ପର୍ଯ୍ୟନ୍ତ ସ୍କୁଲ ବନ୍ଦ
ବିହାର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବିହାରରେ ୩୦ ମେ ରୁ ୮ ଜୁନ୍ ପର୍ଯ୍ୟନ୍ତ ବନ୍ଦ ରହିବ। ବାସ୍ତବରେ, ବିହାରରେ ଗ୍ରୀଷ୍ମ ପ୍ରବାହକୁ ହେତୁ ୫୦ଜଣ ଛାତ୍ରୀ ନିଜ ବିଦ୍ୟାଳୟରେ ଅଚେତ ହୋଇପଡ଼ିଥିଲେ ଯାହା ସମସ୍ତଙ୍କ ଚିନ୍ତା ବଢାଇଥିଲା । ଦିଲ୍ଲୀର ତାପମାତ୍ରା ୫୦ଡିଗ୍ରୀ ଅତିକ୍ରମ କରିଥିବାବେଳେ ବିହାରରେ ମଧ୍ୟ ୫୦ ପାଖାପାଖି ଦେଖିବାକୁ ମିଳିଥିଲା । ତେଣୁ ବୁଧବାର ସକାଳେ ପ୍ରବଳ ଗରମ ଯୋଗୁଁ ୫୦ ରୁ ଅଧିକ ଛାତ୍ରୀ ଅଚେତ ହୋଇପଡ଼ିଥିଲେ। ଛାତ୍ରୀ ଅସୁସ୍ଥ ହୋଇପଡିଥିବା ସୂଚନା ପାଇବା ପରେ ବିହାର ସରକାର ବର୍ତ୍ତମାନ ପାଇଁ ବଡ଼ ପଦକ୍ଷେପ ନେଇ ସମସ୍ତ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ପରିସ୍ଥିତିକୁ ଅନୁଧ୍ୟାନ କରି ବିହାର ସିଏମ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।
ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ସୁବର୍ଣ୍ଣପୁର
ସୁବର୍ଣ୍ଣପୁର : ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ସୁବର୍ଣ୍ଣପୁର । ଅସହ୍ୟ ଗୁଳୁଗୁଳି ଓ ଟାଣ ଖରାରେ ଅସ୍ତବ୍ୟସ୍ତ ଜନଜୀବନ । ଗତକିଛି ଦିନ ହେବ ରାଜ୍ୟର ଉତ୍ତପ୍ତ ସହର ତାଲିକାରେ ସୁବର୍ଣ୍ଣପୁର ରହୁଥିବା ବେଳେ ଗତକାଲି ରାଜ୍ୟରେ ଦ୍ବିତୀୟ ଉତ୍ତପ୍ତ ସହର ଭାବେ ଚିହ୍ନଟ ହୋଇଛି । ସକାଳ ୮ରୁ ଗୁଳୁଗୁଳିର ପ୍ରଭାବ ଏଭଳି ଅନୁଭୁତ ହେଉଛି ଯେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି ।ବାହାରକୁ ବାହାରୁଥିବା ଲୋକେ ସାଥିରେ ପାଣିବୋତଲ, ଓଦା କପଡା ଓ ଛତା ନେଇ ଯା ଆସ କରୁଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ରାସ୍ତା ଘାଟ ଦୋକାନ ବଜାର ଏକ ପ୍ରକାରର ଠପ ହେଲାଭଳି ଲାଗୁଛି । ସେପଟେ ଘନ ଘନ ବିଦ୍ୟୁତ କାଟ ଜନ ଜୀବନକୁ ଆହୁରି ଅସ୍ତବ୍ୟସ୍ତ କରୁଛି । ତେଣୁ ପ୍ରବଳ ଗ୍ରୀଷ୍ମ ପ୍ରଭାବରୁ ଟିକେ ତ୍ରାହି ପାଇବା ପାଇଁ ଲୋକମାନେ କାଳବୈଶାଖୀକୁ ଚାତକ ଭଳି ଚାହିଁ ରହିଛନ୍ତି ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିରୋଧୀ କରୁଛନ୍ତି ହୀନ ରାଜନୀତି
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିରୋଧୀ କରୁଛନ୍ତି ହୀନ ରାଜନୀତି। ବିରୋଧୀଙ୍କ ଏ ହୀନ ରାଜନୀତି କାହିଁକି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସହିନପାରି ବିରୋଧୀ ମିଛ ପ୍ରଚାର କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ରାଜନୀତିର ରଙ୍ଗ ଦେଉଥିବା ନେତା ୧୦ ବର୍ଷ ଯାଏଁ ସେହି ବିଭାଗର ମନ୍ତ୍ରୀ ଥିଲେ। ଯାହା ଅଧିନରେ ମନ୍ଦିର ପରିଚାଳନା କମିଟି ଥିଲା। କିନ୍ତୁ ସେତେବେଳେ ତାଙ୍କୁ ରତ୍ନ ଭଣ୍ଡାର କଥା ମନେ ପଡିଲା ନାହିଁ। ନିର୍ବାଚନ ସମୟରେ ରତ୍ନଭଣ୍ଡାରକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ। ମହାପ୍ରଭୁଙ୍କ ଆଢୁଆଳରେ ହୀନ ରାଜନୀତି କରୁଛନ୍ତି। ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ। ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ରତ୍ନଭଣ୍ଡାର ବିଷୟରେ ଅପପ୍ରଚାର କରିବା ସହ ଭକ୍ତଙ୍କ ଭାବନା ସହ ଛଳନା କରୁଛନ୍ତି। ଶ୍ରୀମନ୍ଦିରର ଜଗନ୍ନାଥଙ୍କ ଗର୍ଭଗୃହ ପୂର୍ବରୁ ଥିବା ଜଗମୋହନ ମଧ୍ୟରେ ରତ୍ନଭଣ୍ଡାର ଅବସ୍ଥିତ। ରତ୍ନଭଣ୍ଡାର ଭିତରେ ଦୁଇଟି କକ୍ଷ ଅଛି। ପ୍ରଥମ କକ୍ଷ ବାହାର ରତ୍ନଭଣ୍ଡାର ଓ ଦ୍ଵିତୀୟ କକ୍ଷ ଭିତର ରତ୍ନଭଣ୍ଡାର କୁହାଯାଏ। ବାହାର ରତ୍ନଭଣ୍ଡାର ଖୋଲିଲା ପରେ ହିଁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରିବ। ବାହାର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ରୀତିନୀତି ପାଇଁ ଆବଶ୍ୟକୀୟ ପରିଧାନ, ସୁନାବେଶ ଭଳି ଦିନଗୁଡିକରେ ବ୍ୟବହୃତ ଅଳଙ୍କାର ଓ ପୂଜାବିଧି ସାମଗ୍ରୀ ରହିଛି। ବାହାର ରତ୍ନଭଣ୍ଡାର ପ୍ରତିବର୍ଷ ଅନେକ ଥର ଖୋଲାଯାଇଥାଏ। ଏହି ଦ୍ଵାର ଖୋଲିବା ପାଇଁ ୩ଟି ଚାବି ଆବଶ୍ୟକ।
ଗଜପତି ମହାରାଜଙ୍କ ପ୍ରତିନିଧି, ମନ୍ଦିର ମୁଖ୍ୟ ପ୍ରଶାସକ ଓ ଭଣ୍ଡାର ମେକାପ ସେବକ ଏହି ଚାବି ଆଣି ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ପ୍ରଧାନ ସେବକଙ୍କ ଉପସ୍ଥିତିରେ ବାହାର ରତ୍ନଭଣ୍ଡାର ଖୋଲିଥାନ୍ତି। ଏହି ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ବିନା ରତ୍ନଭଣ୍ଡାର ଖୋଲିବା ଅସମ୍ଭବ। ଗତ ୪୦ ବର୍ଷ ହେଲା ୧୯୮୫ରେ ମସିହାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଉପରେ ଉଚ୍ଚ ନ୍ଯାୟାଳୟ ଶୁଣାଣି କରି ଏଥିରେ କୌଣସି ଅନିୟମିତତା ହୋଇନଥିବା ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଚାବି ହଜିବା ପ୍ରସଙ୍ଗରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ଵରେ ଗଠିତ କମିଟି ଚଳିତ ବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଷ ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବ। ସର୍ବୋଚ୍ଚ ନ୍ଯାୟାଳୟ ଏବଂ କମିଟିର ନିଷ୍ପତ୍ତି ପରେ ବିରୋଧୀଙ୍କ ଏ ହୀନ ରାଜନୀତି କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ବିଜେପି କର୍ମୀ ବାଣଫୁଟାଇଲେ ଜଳିଗଲା ଦେକାନ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ବିଞ୍ଝାରପୁର : କାଳ ହେଲା ବିଜେପିର ରୋଡ ଶୋ । ବିଜେପି କର୍ମୀଙ୍କ ବାଣଫୁଟାରେ ଜଳିପୋଡି ଗଲା ଦେକାନ ଘର ସମେତ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ । ବିଞ୍ଝାରପୁର ବିଜେପି ବିଧାୟକ ପ୍ରାର୍ଥୀ ବବିତା ମଲ୍ଲିକ ଆଜି ରୋଡ ଶୋ କରିଥିଲେ । ପ୍ରଚାରକୁ ଆକର୍ଷଣୀୟ କରିବାକୁ ବାଣ ଫୁଟାଇଥିଲେ ବିଜେପି କର୍ମୀ । ବିଞ୍ଝାରପୁର ଥାନା ଛକରେ ବବିତାଙ୍କ ପ୍ରଚାର ପହଞ୍ଚିବା ପରେ ବାଣ ଫୁଟାଇଥିଲେ ବିଜେପି କର୍ମୀ । ବାଣ ଫୁଟାଇଥିବା ବେଳେ ବାଣ ଯାଇ ଏକ କାଠ ଦୋକାନରେ ପଡ଼ିଥିଲା । ଚାହୁଁ ଚାହୁଁ ଦୋକାନଟି ସମ୍ପୂର୍ଣ୍ଣ ଜଳିଉଠିଥିଲା । ଖବର ପାଇ ବିଞ୍ଝାରପୁର ଅଗ୍ନିସମ ବାହିନୀ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି ।
ଆହୁରି ୩ ଦିନ ଯାଏଁ କଲବଲ କରିବ ଗରମ ଗୁଳୁଗୁଳି
ଭୁବନେଶ୍ୱର : ଆହୁରି ୩ ଦିନ ଯାଏଁ ଗରମ ଗୁଳୁଗୁଳିର ପ୍ରଭାବ। ରାଜ୍ୟରେ ଏବେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୁତ ହେଉଛି। ପଶ୍ଚିମ ଦିଗରୁ ବହୁଥିବା ଗରମ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ତାତି ଅସମ୍ଭାଳ ହେବାରେ ଲାଗିଛି। ଗତକାଲି ବୌଦ୍ଧରେ ଦିନ ତାପମାତ୍ରା ୪୫.୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, ସୋନପୁରରେ ଏବଂ ଟିଟିଲାଗଡ଼ରେ ଯଥାକ୍ରମେ ୪୫.୩ ଓ ୪୫ ଡିଗ୍ରୀ ରେକର୍ଡ଼ କରାଯାଇଥିଲା। ସେହିପରି ୧୦ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ଓ ୧୭ ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଦିନ ତାପମାତ୍ରା ଠାରୁ ଆହୁରି ଯନ୍ତ୍ରଣାଦାୟକ ଉଷ୍ମ ରାତି ଏବଂ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହିବା ହେତୁ ଉପକୂଳ ଠାରୁ ପଶ୍ଚିମ ଓଡ଼ିଶା ଯାଏଁ ଭୀଷଣ ଗୁଳୁଗୁଳିର ପ୍ରଭାବ ରହିଛି। ଏପରି ପାଗ ଆହୁରି ୨-୩ ଦିନ ଯାଏଁ ଜାରି ରହିବ। ଆଜି ମଧ୍ୟ ପଶ୍ଚିମ ଓଡ଼ିଶାର ଅନେକ ସହରର ଦିନ ତାପମାତ୍ରା ୪୩. ଡିଗ୍ରୀ ଉପରେ ରହିବା ସହ କେତେକ ସ୍ଥାନରେ ୪୫ ଡିଗ୍ରୀ ମଧ୍ୟ ଅତିକ୍ରମ କରିବା ସହ ଉପକୂଳ ତଥା ଏହାର ସଂଲଗ୍ନ ଜିଲ୍ଲାରେ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି।
ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଡିଟ୍ କରି ବିଜେପି କରିଥିଲା ଅପପ୍ରଚାର
କେନ୍ଦ୍ରାପଡ଼ା : ପ୍ରସଙ୍ଗହୀନ ହୋଇ ପଡିଥିବା ବିଜେପିର ଆଉ ଏକ ମିଛ ପଦାରେ ପଡିଛି। ଚଳିତ ନିର୍ବାଚନରେ ସୁନିଶ୍ଚିତ ପରାଜୟ କଥାକୁ ହଜମ କରି ନପାରି ଗୋଟିଏ ପରେ ଗୋଟିଏ ମିଛକୁ ପ୍ରସଙ୍ଗ କରି ହୀନ ରାଜନୀତି କରିବାକୁ ଚେଷ୍ଟା କରୁଛି ବିଜେପି। ମୁଖ୍ଯମନ୍ତ୍ରୀଙ୍କୁ ଗୋଡ଼ ମାରୁଛନ୍ତି ବୋଲି ଭିଡିଓରେ ବିଜେପି ଦର୍ଶାଇ କରୁଛି ଅପପ୍ରଚାର। ଏପରିକି ସୋସିଆଲ୍ ମିଡିଆର ଏହି ବାଜେ କଥା ଏବେ କିଛି ଗଣମାଧ୍ଯମର ହଟ୍ ଟପିକ୍ ହୋଇଛି। ହେଲେ ସତ କଥା ହେଉଛି କେନ୍ଦ୍ରାପଡାର ଏକ ନିର୍ବାଚନୀ ସଭାରେ ମୁଖ୍ଯମନ୍ତ୍ରୀଙ୍କ ଠିକ୍ ପଛରେ ବସିଥିଲେ ପାଣ୍ଡିଆନ୍। ନିଜ ଜୋତା ବାହାର କରିଛନ୍ତି। ଜୋତାଟି ବାହାରି ଯିବା ପରେ ନିଜ ପାଦ ପାଖକୁ ଗୋଡ଼ରେ ଟାଣି ଆଣି ସଜାଡି ରଖିବାକୁ ଚେଷ୍ଟା କରିଛନ୍ତି। ହେଲେ ଏହି ଦୃଶ୍ଯର ଛୋଟିଆ ଅଂଶକୁ ଜୁମ୍ କରି ଦେଖାଇ ତାକୁ ଅତିରଞ୍ଜିତ କରୁଛନ୍ତି ବିଜେପି ଓ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ଯମ। ସତ ଏବେ ସାମ୍ନାକୁ ଆସିଛି । ମୁଳକଥା ହେଉଛି ତିନିଟି ପର୍ଯ୍ଯାୟ ଭୋଟ ଶେଷ ହୋଇଗଲାଣି। ବିଜେଡି ଘୋଷଣା କରି ସାରିଲାଣି ଏହି ତିନିଟି ପର୍ଯ୍ଯାୟରେ ସଂଖ୍ଯା ଗରିଷ୍ଠତା ସେମାନେ ହାସଲ କରି ସାରିଲେଣି। ଯାହାକୁ ନେଇ ଆତଙ୍କିତ ହୋଇ ପଡିଛି ବିଜେପି। ତେଣୁ ଏବେ ଗୋଟିଏ ଟାର୍ଗେଟ୍ ମୁଖ୍ଯମନ୍ତ୍ରୀ ଓ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଯେନେତେନ ପ୍ରକାରେ ଅପମାନିତ କରିବା।
ପ୍ରଥମେ ଅନ୍ଯ ରାଜ୍ଯର ନେତାଙ୍କୁ ଡାକି ମୁଖ୍ଯମନ୍ତ୍ରୀ ଓ ପାଣ୍ଡିଆନଙ୍କ ବିରୋଧରେ ଅପଶବ୍ଦ ବ୍ଯବହାର କରି ଅପମାନିତ କରିବାକୁ ଚେଷ୍ଟା କଲେ। ହେଲେ ତଥ୍ଯହୀନ ମନ୍ତବ୍ଯ ଦେଇ ନିଜେ ବ୍ଯାକଫୁଟକୁ ଚାଲିଗଲେ। ଏବେ ବିଭିନ୍ନ ପ୍ରଚାର ସଭାର ଦୃଶ୍ଯକୁ ଏଡିଟ୍ କରି ସେଥିରେ ରଙ୍ଗ ମାରି ରାଜ୍ଯବାସୀଙ୍କୁ ବିଭ୍ରାନ୍ତ କରିବାକୁ ହୀନ ଉଦ୍ଯମ ଚଳାଇ ଆସିଛି। ଗତକାଲି ମୁଖ୍ଯମନ୍ତ୍ରୀଙ୍କ ଭାଷଣ ବେଳର ଏକ ଭିଡିଓକୁ ନେଇ କେତେକଣ ଗପି ଚାଲିଲେ। ଆଜି କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ଯମନ୍ତ୍ରୀଙ୍କୁ ଗୋଡ ମାରୁଛନ୍ତି ବୋଲି ଅପପ୍ରଚାର କରୁଛନ୍ତି। ହେଲେ ସତ କେବେ ଲୁଚି ରହେନା ନ୍ଯାୟରେ ବିଜେପିର ଏହି ଅପପ୍ରଚାରକୁ ଶକ୍ତ ଧକ୍କା ଲାଗିଛି।
ଇସିଆଇର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି
ଭୁବନେଶ୍ୱର : ଇସିଆଇର ନିରପେକ୍ଷତା ନେଇ ପ୍ରେସମିଟରେ ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଇସିଆଇ ଏକ ନ୍ଯୁଟ୍ରାଲ ବଡି ହୋଇଥିବାବେଳେ ଏହା ଉଭୟ ପକ୍ଷର ଅଭିଯୋଗ ଶୁଣି ନିଷ୍ପତ୍ତି ନେଇଥାନ୍ତି । ପୀତାମ୍ବର ଆଚାର୍ଯ୍ୟଙ୍କ ଭଳି ଜଣେ ନେତା ଯାହାକୁ ଓଡ଼ିଶାରେ କେହି ଜାଣନ୍ତିନି ଯାହାଙ୍କର କୌଣସି ବିଶ୍ବସନୀୟତା ନାହିଁ ସେ କହିଲେ, ଦୁଇ ଅଫିସରଙ୍କ ବିରୋଧରେ ଲାଗି ଲାଗି କାର୍ଯ୍ୟାନୁଷ୍ଠାନ କରାଇଦେଲୁ । ତେଣୁ ECIଙ୍କ ଭୂମିକା ଆଜି ସନ୍ଦେହରେ । ଯେଉଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ବନ୍ୟାରେ ଭାସି ଗଲାଣି, ସେମାନେ ଏଠାକୁ ଆସି ଭାଷଣ ମାରୁଛନ୍ତି । ଦମ ଅଛି ସିଧା ସଳଖ ବିଜେଡି ସହ ଲଢ ବୋଲି ବିଜେପିକୁ ଆହ୍ବାନ ଦେଇଛନ୍ତି ଲେନିନ । ଅଫିସରଙ୍କୁ ଗୋଡ଼ାଇବା, ପ୍ରେସକୁ ଧମକାଇବା ଛାଡ । ଧର୍ମେନ୍ଦ୍ରଙ୍କ ମୁଣ୍ଡ ବୁଲାଇଲାଣି । ସେ ହେଉଛନ୍ତି ମୁଣ୍ଡବୁଲା ଶେଉଳ । ବୋଧେ ସମ୍ବଲପୁରରେ ହାର ଭୟରେ ତାଙ୍କ ମୁଣ୍ଡ କାମ କରୁନି । ବିଜେଡିର ସଫଳତା ଦେଖି ସେମାନେ ହତାଶ ହେଲେଣି । ଦଳର କଡ଼ରେ କଡ଼ରେ ଚାଲିଥିବା ପୀତାମ୍ବର ଆଚାର୍ଯ୍ୟ ECIଙ୍କୁ ନିଜ ପୈତୃକ ସମ୍ପତ୍ତି ନ ଭାବନ୍ତୁ ବୋଲି କହଛନ୍ତି ଲେନିନ । ସମୀର ମହାନ୍ତିଙ୍କ ଦାୟିତ୍ୱକୁ ମଧ୍ଯ ସେ ମନେ ପକାଇଦେଇଥିଲେ ।
ଚତୁର୍ଥ ସ୍ତମ୍ଭକୁ ନେଇ ହୀନ ମାନସିକତା ଦେଖାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ : ସୁଲତା ଦେଓ
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ସୁଲତା ଦେଓଙ୍କ ଟାର୍ଗେଟ। ତୀବ୍ର ଭାବେ ସମାଲୋଚନା କରିବା ସହ କହିଛନ୍ତି। ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ନେଇ ଥଟା ପରିହାସ କରିବା ସହ ଛିଗୁଲେଇ କହିବାକୁ ନେଇ ସମାଲୋଚନା କରିଛନ୍ତି ସୁଲତା ଦେଓ। ଚତୁର୍ଥ ସ୍ତମ୍ଭର କାମ ହେଉଛି ସତ ଦେଖାଇବା।ତେବେ ଚତୁର୍ଥ ସ୍ତମ୍ଭକୁ ନେଇ ହୀନ ମାନସିକତା ଦେଖାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ନିର୍ଦ୍ଦିଷ୍ଟ ମିଡିଆ ହାଉସର ନାଁ ନେଇ ଛିଗୁଲେଇ ସଭାରେ କହିଥିଲେ। ଯାଜୁପୁର ବଡ଼ଚଣାର ଏକ ସଭାରେ ଥଟା ପରିହାସ କଲା ଭଳି କହୁଥିଲେ। ଗଣମାଧ୍ୟମକୁ ସମ୍ମାନ ଦେବା ସମସ୍ତଙ୍କ କର୍ତ୍ତବ୍ୟ। ମିଡିଆ ପାଇଁ ଏଭଳି ଭାଷା କେହି ଗ୍ରହଣ କରିବେନି। ଏହା ବିହାର, ଉତ୍ତରପ୍ରଦେଶ କି ଆସାମ ନୁହେଁ ବୋଲି କହିଛନ୍ତି ସୁଲତା। ଲୋକଙ୍କ ଭଲ ପାଇବା ଯୋଗୁଁ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ଆସୁଛନ୍ତି। ଧର୍ମେନ୍ଦ୍ର ନିଜ ଜାଗାରେ ଠିଆ ହେଲେନି ସମ୍ବଲପୁର ଚାଲିଗଲେ। ସେ ପୁଣି କହିବେ ନୀତି ଓ ନୈତିକତାର କଥା। ମୁଖ୍ୟମନ୍ତ୍ରୀଙ୍କୁ ଟେକା ଫୋପାଡ଼ିଲେ ନିଜ ମୁହଁରେ ଆସି ପଡ଼ିବ।
ପାହାଡ଼କୁ ଟେକା ଫୋପାଡିଲେ ନିଜ ଉପରେ ପଡ଼ିବ। ଇସିଆଇଙ୍କ ନିକଟରେ IFS ବିନୟ ପ୍ରଧାନଙ୍କୁ ନେଇ ଫେରାଦ ହୋଇଥିଲୁ। କଣ କାର୍ଯ୍ୟାନୁଷ୍ଠାନ ଇସିଆଇ ନେଇଛନ୍ତି ବୋଲି ପଚାରିଛନ୍ତି। ପର ତିଅଣରେ ଚର୍ଚ୍ଚା କରିବାକୁ ଧର୍ମେନ୍ଦ୍ରଙ୍କୁ ଭଲ ଲାଗୁଛି।ଜର ହୋଇଛି, ତାଟିଆ କାମୁଡିଲେ କିଛି ହେବନି । ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ। ଓଡ଼ିଶାବାସୀ ଉଚିତ ଭାବେ ଭୋଟରେ ଜବାବ ଦେଇଛନ୍ତି। ଆପଣଙ୍କ ଆଶା ଆଶାରେ ରହିଯିବ। ଆଚାର, ବ୍ୟବହାର ଶିଖିନାହାନ୍ତି। କାମ କେବେ କରିନାହାନ୍ତି। କାଦୁଆ ଫୋପାଡି, ଏଭଳି କାମ କରି ପୁଣିଥରେ ବିଦାୟ ନେବେ। ନିର୍ବାଚନ ପରେ ଆଉ କାହାର ଦେଖା ନଥିବ ବୋଲି କହିଛନ୍ତି ସୁଲତା ଦେଓ।
ପ୍ରେସମିଟ୍ କରି ମୋଦିଙ୍କୁ ରୋକଠୋକ ଜବାବ ଦେଲେ ନବୀନ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡା ଜବାବ । ମୋ ସ୍ବାସ୍ଥ୍ଯାବସ୍ଥା ନେଇ ପ୍ରଧାନମନ୍ତ୍ରୀ ଯେଉଁ ମନ୍ତବ୍ଯ ଦେଇଛନ୍ତି ତାହା ରାଜନୈତିକ । ବିଜେପିର ନେତାମାନେ ମୋ ସ୍ୱାସ୍ଥ୍ୟକୁ ନେଇ କରୁଛନ୍ତି ଅପପ୍ରଚାର । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା କହିଛନ୍ତି ନବୀନ । ୧୦ ବର୍ଷ ଧରି ରାଜ୍ଯବାସୀ ଜାଣିଛନ୍ତି ବିରୋଧୀ ଅପପ୍ରଚାର କରୁଛନ୍ତି । ଯଦି ମୋର ସ୍ୱାସ୍ଥ୍ୟବସ୍ଥା ଭଲନାହିଁ ତାହେଲେ କେମିତି ଏତେ ଖରା ଏବଂ ଗରମ ସତ୍ତ୍ୱେ ମୁଁ ସାରା ରାଜ୍ଯରେ ନିର୍ବାଚନ ପ୍ରଚାର କରୁଛି । କେବଳ ସେତିକି ନୁହେଁ ଏହା ମଧ୍ୟ କହିଛନ୍ତି ନିର୍ବାଚନ ସମୟରେ ରୋଡ ଶୋ’ ମଧ୍ୟ କରୁଛି । ବିରୋଧୀ ବିଜେପି ଏପରି ଅପପ୍ରଚାର ନ କରି ରାଜ୍ଯର ଦାବି ପୂରଣ କରନ୍ତୁ । ବର୍ଷ ବର୍ଷ ଧରି ରାଜ୍ଯ ଦାବି କରିଆସୁଛି ସ୍ବତନ୍ତ୍ର ପାହ୍ଯା ତାହା ପୁରଣ କରନ୍ତୁ । ରାଜ୍ଯକୁ ସ୍ବତନ୍ତ୍ର ରାଜ୍ଯ ପାହ୍ଯା ଦିଅନ୍ତୁ ପ୍ରଧାନମନ୍ତ୍ରୀ । ଏହା ଦ୍ବାରା ରାଜ୍ଯବାସୀ ଉପକୃତ ହେବେ। ସେହିପରି କୋଇଲା ରୟାଲିଟି ସଂଶୋଧନ କରାଯିବା ଉପରେ ମୋଦୀ ଗୁରୁତ୍ବ ଦିଅନ୍ତୁ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ ବାରିପଦା ଛଉ ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାରରେ ଆସି ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ଯାବସ୍ଥା ନେଇ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଦେଇଥିଲେ ଅରୁଚିକର ମନ୍ତବ୍ଯ। ଏପରିକି ସ୍ବାସ୍ଥ୍ଯାବସ୍ଥା ନେଇ ତଦନ୍ତ କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତରରେ କହିଥିଲେ ଯେଉଁମାନେ ଏହି ଅପପ୍ରଚାର କରୁଛନ୍ତି ସେମାନଙ୍କ ସ୍ବାସ୍ଥ୍ଯାବସ୍ଥା ଯାଞ୍ଚ ଲାଗି ପ୍ରଧାନମନ୍ତ୍ରୀ କମିଟି ଗଠନ କରନ୍ତୁ । ତାଙ୍କ ସ୍ବାସ୍ଥ୍ୟ ଲାଗି ପ୍ରଧାନମନ୍ତ୍ରୀଙ୍କ ଯଦି ଏତେ ଚିନ୍ତା ଜଣେ ଭଲ ବନ୍ଧୁ ଭାବେ ସେ ତାଙ୍କୁ ଫୋନ କରିପାରିଥାନ୍ତେ। ମାତ୍ର ତାହା ନ କରି ସେ ନିର୍ବାଚନୀସଭାରେ ବିଭିନ୍ନ ବିବୃତି ଦେଉଛନ୍ତି। ଏପରି ଅପପ୍ରଚାର ପଛରେ ନପଡ଼ି ରାଜ୍ଯର ଦାବି ପୂରଣ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ଯମନ୍ତ୍ରୀ।

