spot_img
Home Blog Page 1777

ଦେଶରୁ ହଟିଲା ନିର୍ବାଚନ ଆଚରଣ ବିଧି

ନୂଆଦିଲ୍ଲୀ: ସରିଛି ସାଧାରଣ ନିର୍ବାଚନ । ଭୋଟ ଗଣତି ମଧ୍ୟ ଶେଷ ହୋଇଛି । ଜନତା ସେମାନଙ୍କ ମତ ଦେଇ ସାରିଛନ୍ତି । ଆଉ ନିର୍ବାଚନ ପାଇଁ ଦେଶରେ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ହଟାଇ ଦିଆଯାଇଛି । ଏହାସହ ଓଡ଼ିଶାରୁ ମଧ୍ୟ ଆଦର୍ଶ ଆଚରଣ ବିଧି ଉଠିଛି ।

ଆଜିଠାରୁ ଆଦର୍ଶ ଆଚରଣ ବିଧି ଉଠାଇ ଦିଆଯାଇଛି । ମାର୍ଚ୍ଚ ୧୬ ତାରିଖରୁ ଲାଗୁ ହୋଇଥିଲା ଆଚରଣ ବିଧି । ନିର୍ବାଚନ ପ୍ରକ୍ରିୟା ସରିଥିବାରୁ ଏମସିସି ହଟାଇ ଦିଆଯାଇଛି । ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରୁ ବି ଆଦର୍ଶ ଆଚରଣ ବିଧି ହଟାଇ ଦିଆଯାଇଛି । କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତେଲେଙ୍ଗାନାର କିଛି ଅଞ୍ଚଳରେ ଏହା ବଳବତ୍ତର ରହିଛି । ବିଧାନ ପରିଷଦ ଉପନିର୍ବାଚନ ପାଇଁ ହଟିନି ଆଚରଣ ବିଧି । ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି ।

ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡି ନେତା

ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀ । ସମସ୍ତେ ନବୀନ ନିବାସ ଯାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ପରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଦଳର ଆଗାମୀ ରଣନୀତି ସମ୍ପର୍କରେ ସଭାପତିଙ୍କ ସହ ଆଲୋଚନା ହୋଇଛି । ଦଳର ପରାଜୟର ସମୀକ୍ଷା ନେଇ ଏକ କମିଟି ଗଠନ ହେବ । ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶରେ କମିଟି ଗଠନ ହୋଇ ଏହାର ରିପୋର୍ଟ ଆଧାରରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ ହେବ । ଲୋକଙ୍କ ମତକୁ ବିଜେଡି ସମ୍ମାନ ଦେଉଛି ।

ଆଗକୁ ସେ କହିଛନ୍ତି, ‘ନବୀନ ପଟ୍ଟନାୟକ ସବୁବେଳେ ଦଳର ସର୍ବୋଚ୍ଚ ନେତା ଥିଲେ, ଏବେ ବି ଅଛନ୍ତି ଆଉ ଆଗକୁ ବି ରହିବେ । ତାଙ୍କ ଦିଗଦର୍ଶନରେ ସମସ୍ତ କାମ ହେଉଛି ଏବଂ ଆଗକୁ ବି କରାଯିବ ।’

ନବୀନଙ୍କୁ ଭେଟିବାକୁ ଯାଇଥିବା ବିଜେଡି ନେତାମାନଙ୍କ ମଧ୍ୟରେ ଥିଲେ ଜୟଶ୍ରୀ କହଁର, କୌଶଲ୍ୟା ପ୍ରଧାନ, ସୁଦାମ ମାରାଣ୍ଡି, ସୁବ୍ରତ ତରାଇ, ଲମ୍ବୋଦର ନିଆଲ, ଅବିନାଶ ସାମଲ, ରଞ୍ଜିତା ସାହୁ, ମନ୍ମଥ ରାଉତରାୟ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡାଇ, ପଦ୍ମନାଭ ବେହେର ଏବଂ ବିଷ୍ଣୁବ୍ରତ ରାଉତରାୟ ।

ସେହିପରି ବିକ୍ରମ କେଶରୀ ଆରୁଖ, ଶ୍ରୀକାନ୍ତ ସାହୁ, ପ୍ରଭୁ ଜାନି, ବିକ୍ରମ ପଣ୍ଡା, ସୁବାସ ବେହେରା, ଅଶୋକ ପଣ୍ଡା, ସୁଶାନ୍ତ ବେହେରା, କୌଶଲ୍ୟା ହିକକା, ପ୍ରଦୀପ ମାଝୀ, ମଞ୍ଜୁଲତା ମଣ୍ଡଳ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ସଂତୃପ୍ତ ମିଶ୍ର ଏବଂ ଭୃଗୁ ବକ୍ସିପାତ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

ଓଡ଼ିଶାରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ, ଦିଲ୍ଲୀରେ ନବନିର୍ବାଚିତ ବିଜେପି ସାଂସଦ

ଭୁବନେଶ୍ବର: ସାଧାରଣ ନିର୍ବାଚନ ଶେଷ ହେବା ସହ ଦେଶ ଓ ରାଜ୍ୟ ରାଜନୀତି ଚଳଚଞ୍ଚଳ । ଓଡ଼ିଶାରେ ସରକାର ଗଠନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ନବନିର୍ବାଚିତ ବିଜେପି ସାଂସଦମାନେ ଦିଲ୍ଲୀ ଯାଇଛନ୍ତି । ଆସନ୍ତାକାଲି ବସିବାକୁ ଥିବା ସଂସଦୀୟ ଦଳ ବୈଠକରେ ହେବେ ସାମିଲ ।

ବିଜେପିର ୨୦ ଜଣ ଯାକ ସାଂସଦ ଯାଇଛନ୍ତି ଦିଲ୍ଲୀ । ଆସନ୍ତାକାଲି ବସୁଥିବା ଦଳର ସଂସଦୀୟ ବୋର୍ଡ ବୈଠକରେ ସାଂସଦ ମାନେ ଯୋଗଦେବେ । ଏପରିକି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ସେମାନେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ବିଜେପିର କେନ୍ଦ୍ରୀୟ ନେତାଙ୍କୁ ସହ ସାଂସଦମାନେ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ବିଜେପିର ବିଜୟ ସ୍ବାଭାବିକ ହୋଇଥିବା କହିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର । ବିଧାୟକ ଦଳ ନିଜ ନେତା ବାଛିବେ ଏବଂ ସଂସଦୀୟ କମିଟି ମୋହର ମାରିବ ବୋଲି କହିଛନ୍ତି ଜୟ ନାରାୟଣ । ନବନିର୍ବାଚିତ ବିଧାୟକମାନେ ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ କିଏ ହେବେ ତାହାକୁ ନେଇ କରିଛନ୍ତି ଅପେକ୍ଷା ।

ଦେବାଳୟରେ ସାବିତ୍ରୀ ବ୍ରତଧାରୀଙ୍କ ଭିଡ଼

ଯାଜପୁର/ପୁରୀ: ଆଜି ପବିତ୍ର ସାବିତ୍ରୀ ଅମାବାସ୍ଯା । ସମସ୍ତ ମନ୍ଦିରରେ ଭକ୍ତଙ୍କ ଲମ୍ବା ଲାଇନ । ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ବିବାହିତାଙ୍କ ଲାଗିଥିଲା ଭିଡ଼ । ସ୍ବାମୀଙ୍କ ଶୁଭମନାସୀ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ଓ ଅଳତା ଧରି ଦେବାଳୟରେ ମହିଳା କରିଛନ୍ତି ପୂଜାର୍ଚ୍ଚନା । ସେପଟେ ମାଆ ମଙ୍ଗଳା, ଯାଜପୁର ଜିଲ୍ଲା ଚଣ୍ଡୀ ମନ୍ଦିରରେ ମଧ୍ଯ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।

ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ଓ ଅଳତା ଧରି ଦେବାଳୟ ଆଗରେ ସଧବା କରିଛନ୍ତି ପୂଜାର୍ଚ୍ଚନା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳିଛନ୍ତି । ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଏଥିପାଇଁ ପ୍ରବଳ ଭିଡ ଲାଗିଥିଲା । ମାଆଙ୍କୁ ଦର୍ଶନ କରିବା ସହିତ ସ୍ଵାମୀଙ୍କ ଲମ୍ବା ଜୀବନ ପାଇଁ ପୂଜାର୍ଚ୍ଚନା କରିଛନ୍ତି ମହିଳା ।  ଦୂରଦୂରାନ୍ତରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଲାଗିଥିଲା । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିଲା ।

ସେପଟେ ସାବିତ୍ରୀ ପାଇଁ ଚଳଚଞ୍ଚଳ ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ । ହିନ୍ଦୁ ଶାସ୍ତ୍ର ପୌରାଣିକ କଥା ବସ୍ତୁ ଆଧାରରେ ସଧବାମାନେ କରୁଛନ୍ତି ମାଆଙ୍କ ପୂଜାର୍ଚ୍ଚନା । ସେହିପରି ଯାଜପୁର ଜିଲ୍ଲା ଚଣ୍ଡୀମନ୍ଦିର ପରିସରରେ ଥିବା ସାବିତ୍ରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସାମଗମ ଦେଖିବାକୁ ମିଳିଥିଲା । ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ଓ ଫଳମୂଳ ଆଣି ମାଆ ସାବିତ୍ରୀ ପାଖରେ ପୂଜା କରିଛନ୍ତି ।

କାଳବୈଶାଖୀ ଭାଙ୍ଗି ଦେଲା କାଜୁ ଚାଷୀଙ୍କ ମେରୁଦଣ୍ଡ

ଧର୍ମଗଡ଼: ଚାଷୀଙ୍କ ଉପରେ କାଳବୈଶାଖୀର ତାଣ୍ଡବ । ଉଜୁଡ଼ି ଗଲା ଫସଲ । ଏବେ ଅଭାବୀ ବିକ୍ରି ଚିନ୍ତାରେ ଚାଷୀ । ଏମିତି ସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ । କାଳବୈଶାଖୀ ପ୍ରଭାବରେ ଉଜୁଡି ଯାଇଛି କାଜୁ ଚାଷ । ଯାହା କିଛି ଅମଳ ହୋଇଥିଲା ତାହା ଅଭାବୀ ବିକ୍ରି ହେଉଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ ।

କାଳବୈଶାଖୀ ପରେ ଅଭାବୀ ବିକ୍ରି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ କାଳବୈଶାଖୀର କରାଳ ଗ୍ରାସରେ ଝଡି଼ ଯାଇଥିଲା କାଜୁ ବଉଳ । ପ୍ରଭାବିତ ହୋଇଥିଲା ହେକ୍ଟର ହେକ୍ଟର ଜମିର କାଜୁଚାଷ । ଧର୍ମଗଡ଼ ବ୍ଲକର ତାରାପୁର, ପର୍ଲା, କଦଳିମୁଣ୍ଡା, ଧଅଁରପୁର, ଜୟନ୍ତପୁର,କୋକସରା ବ୍ଲକର ଅନେକ ଲୋକ କାଜୁ ଚାଷ କରି ରୋଜଗାର କରିଥାନ୍ତି । ଚଳିତବର୍ଷ ପ୍ରାୟ ୩ ହଜାର ହେକ୍ଟର ଜମିରେ କାଜୁଚାଷ  ହୋଇଥିଲା । କିନ୍ତୁ କାଳବୈଶାଖୀରେ ନଷ୍ଟ ହୋଇଥିଲା କାଜୁ  ବଉଳ । ତଥାପି କିଛି କାଜୁ ଅମଳ ନେଇ ଚାଷୀ ଆଶା ରଖିଥିଲେ ଚାଷୀର । ଏବେ ଅମଳ ପରେ କାଜୁର ଅଭାବୀ ବିକ୍ରି ଯୋଗୁଁ ହତାଶ ହୋଇଯାଇଛନ୍ତି ଚାଷୀ ।

ଗତବର୍ଷ ଧର୍ମଗଡ଼ ଅଞ୍ଚଳରେ କିଲୋ ପ୍ରତି ୧୦୦ରୁ ୧୨୦ ଟଙ୍କାରେ କାଜୁ ବିକ୍ରି ହୋଇଥିଲା । ହେଲେ ଚଳିତ ବର୍ଷ ପଡ଼ୋଶୀ ଜିଲ୍ଲା ଓ ପଡୋଶୀର କିଛି ବ୍ଯବସାୟୀ ଆସି କାଜୁ କେଜି ପ୍ରତି ୭୦ରୁ ୮୦ ଟଙ୍କାରେ କିଣୁଛନ୍ତି ।

ଉଚିତ ଦରରେ କାଜୁ ବିକ୍ରି ପାଇଁ ଅଞ୍ଚଳରେ ଏକ ମଣ୍ଡି ସ୍ଥାପନ ସହ ବିକ୍ରି ବ୍ୟବସ୍ଥା କରାଗଲେ ଚାଷୀ ଭଲ ଦୁଇ ପଇସା ପାଇ ପାରିବେ ବୋଲି ଚାଷୀ କହିଛନ୍ତି ।

କଙ୍ଗନା ରନାୱତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ସୁରକ୍ଷା କର୍ମୀ ମାରିଲେ ଚାପୁଡା !

ଚଣ୍ଡିଗଡ଼: ବଲିଉଡ୍ ଅଭିନେତ୍ରୀ ତଥା ନୂତନ ଭାବେ ମଣ୍ଡିରୁ ଲୋକସଭା ନିର୍ବାଚନ ଜିତିଥିବା କଙ୍ଗନା ରନୱାତଙ୍କୁ ଚାପୁଡ଼ା ମାଡ ହୋଇଛି । ଏହି ଘଟଣା ଚଣ୍ଡିଗଡ ବିମାନ ବନ୍ଦରରେ ଗୁରୁବାର ଦିନ ଘଟିଛି । ଅପରାହ୍ନ ୩ଟା ୩୦ ମିନିଟରେ ଏହି ଘଟଣା ଘଟିଥିବା କୁହାଯାଉଛି । ରିପୋର୍ଟ ଅନୁସାରେ ଚାପୁଡା ମାରିଥିବା ବ୍ୟକ୍ତି ହେଇଛନ୍ତି ସିଆଇଏସଏଫ ଯବାନ ।

ସୂଚନା ଅନୁସାରେ, ଚାପୁଡା ମାରିଥିବା ସିଆଏସଏଫର ମହିଳା ସୁରକ୍ଷାକର୍ମୀଙ୍କ ନାମ ହେଉଛି କୁଲୱିନ୍ଦର କୌର । ଏହି ଘଟଣାର ତଦନ୍ତ ପାଇଁ ସିଆଇଏସଏଫ୍ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି । ମିଳୁଥିବା ପ୍ରାରମ୍ଭିକ ରିପୋର୍ଟ୍ ଅନୁସାରେ ଚାଷୀ ଆନ୍ଦୋଳନକୁ ନେଇ କଙ୍ଗନା ରନାୱତଙ୍କ ଟିପ୍ପଣୀକୁ ନେଇ କୁଲୱିନ୍ଦର ଅସନ୍ତୁଷ୍ଟ ଥିଲେ । ଯେଉଁଥିପାଇଁ ସେ କଙ୍ଗନାଙ୍କୁ ଚାପୁଡା ମାରିଥିବା କୁହାଯାଉଛି ।

ଗୁରୁବାର ଦିନ ବିଜେପି ସାଂସଦଙ୍କ ବୈଠକରେ ଯୋଗ ଦେବାକୁ କଙ୍ଗନା ଦିଲ୍ଲୀ ଆସୁଥିବା ବେଳେ ଚଣ୍ଡିଗଡ଼ ବିମାନ ବନ୍ଦରରେ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

ରାଜଧାନୀରେ ଲଗେଜ ଭର୍ତ୍ତି ଟ୍ରକରେ ଲାଗିଲା ନିଆଁ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଗ୍ନିକାଣ୍ଡ । ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଲା ଲଗେଜ ଭର୍ତ୍ତି ଟ୍ରକ । ତମାଣ୍ଡୋ ଓଭର ବ୍ରିଜରେ ଟ୍ରକରେ ଲାଗିଲା ନିଆଁ ।

ମଧ୍ଯାହ୍ନରେ ଲଗେଜ୍ ଭର୍ତ୍ତି ଟ୍ରକଟିରେ ଅଗ୍ନିକାଣ୍ଡ ଘଟିଛି । ଗାଡ଼ିଟି ଲଗେଜ ନେଇ ବିଜୟୱାଡାଠାରୁ କୋଲକାତା ଯାଉଥିଲା । ଟ୍ରକର ପଛ ଚକା ଫାଟିଯିବା ପରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କିଛି ଲଗେଜ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି ।

ନିଟ ପରୀକ୍ଷାରେ ଶ୍ବେତାଙ୍କ ସଫଳତା

ଖଡ଼ିଆଳ: ନିଟ ପରୀକ୍ଷାରେ ଶ୍ବେତା ଶତାବ୍ଦୀଙ୍କ ସଫଳତା । ନୂଆପଡା ଜିଲ୍ଲା ଖଡିଆଳର ଶ୍ୱେତା ନିଟ ପରୀକ୍ଷାରେ  ୭୨୦ରୁ ରଖିଛନ୍ତି ୭୧୦ ମାର୍କ । ଏହାସହ ସେ ଜିଲ୍ଲା ଟପର  ହୋଇଛନ୍ତି । ଏହି ସଫଳତା ପାଇ ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛନ୍ତି ଶ୍ୱେତା ।

ସର୍ବ ଭାରତୀୟ ସ୍ତରରେ ୭୦୬ ରାଙ୍କରେ ରହିଛନ୍ତି ଶ୍ୱେତା । ସଫଳତା ପାଇଁ କୋଚିଙ୍ଗ ସେଣ୍ଟର୍ ଓ ମାଆବାପାଙ୍କୁ ଶ୍ରେୟ ଦେଇଛନ୍ତି ଶ୍ବେତା ।  ଝିଅର ସଫଳତାକୁ ନେଇ ବେଶ ଖୁସି ଅଛନ୍ତି ପରିବାରର ଲୋକେ ।

ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ବର, ଲୋକଙ୍କ ମଧ୍ୟରେ ଭୟର ବାତାବରଣ

ବାଲେଶ୍ବର: ହଠାତ ଥରିଗଲା ବାଲେଶ୍ବର । ଆକାଶରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଥରେ ନୁହେଁ, ଦୁଇ ଥର ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଯାହା ପୂରା ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି ।

ସବୁକିଛି ସ୍ବାଭାବିକ ଥିବା ବେଳେ ହଠାତ ବାଲେଶ୍ବର ଆକାଶରୁ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ । ଦୋହଲି ଯାଇଥିଲା ଲୋକଙ୍କ ଘରର କବାଟ ଓ ଝରକା । ଚାରିଆଡେ ଖେଳି ଯାଇଥିଲା ଭୟର ବାତାବରଣ । ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଏହି ଶବ୍ଦ କେଉଁଠୁ ଆସିଲା ? ଏହା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ ।

୫୧ ହଜାରରୁ ଅଧିକ ଭୋଟରେ ଜିତିଥିବା ବିଶ୍ବରଞ୍ଜନଙ୍କୁ ନେଇ ଚର୍ଚ୍ଚା

ଯାଜପୁର: ବରୀ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ ବିଜୟୀ ହୋଇଛନ୍ତି । ତାଙ୍କ ବିଜୟକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । କାରଣ ବିଶ୍ବରଞ୍ଜନ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଉମେଶ ଜେନାଙ୍କୁ ୫୧ ହଜାର ୪୬୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୯ରେ ବିଶ୍ବରଞ୍ଜନ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ଏହି ନିର୍ବାଚନରେ ସେ ୬୮ ହଜାର ୪୯୭ ହଜାରରୁ ଅଧିକ ଭୋଟ ପାଇଥିଲେ । ତାଙ୍କୁ ବିଜେଡି ପ୍ରାର୍ଥୀଙ୍କ ପାଖରୁ ପରାଜୟ ବରଣ କରିବାକୁ ପଡିଥିଲା । ହେଲେ ସେ ଆଜି ରାଜ୍ୟରେ ସର୍ବାଧିକ ବ୍ୟବଧାନରେ ଜିତିଥିବା ଏକ ମାତ୍ର ବିଧାୟକ ।

ବିଶ୍ଵ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏ ବିଜୟ ମୋର ନୁହେଁ ବରୀବାସୀଙ୍କର ଓ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର । ଆଗାମୀ ଦିନରେ ବରୀ ନିର୍ବାଚନ ମଣ୍ଡଳୀର ସ୍ଵାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ସାଧାରଣ ଲୋକଙ୍କ ନିକଟତର ହୋଇ ସେମାନଙ୍କ ମୌଳିକ ସମାସ୍ୟର ସମାଧାନ କ୍ଷେତ୍ରରେ ଉଦ୍ୟମ ଜାରି ରଖିବି ।