ଓ୍ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଡୋନାଲଡ ଟ୍ରମ୍ପଙ୍କୁ ସଫଳତା। ହ୍ବାଇଟହାଉସ ଲାଗି ରିପବ୍ଲିକାନ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କ ନାମକୁ ଚୂଡ଼ାନ୍ତ ଘୋଷଣା କରାଯାଇଛି। ଗୁଳିମାଡରୁ ଅଳ୍ପକେ ବର୍ତ୍ତିଥିବା ଟ୍ରମ୍ପଙ୍କ ଲାଗି ସଫଳତାର ଜୟଯାତ୍ରା ଏକପ୍ରକାର ଆରମ୍ଭ ହୋଇଛି। ମିଲୱାଉକିରେ ଅନୁଷ୍ଠିତ ନ୍ଯାସନାଲ କନଭେନସନରେ ଟ୍ରମ୍ପଙ୍କ ନାମକୁ ବିଧିବଦ୍ଧ ଘୋଷଣା କରାଯାଇଛି। ଫଳରେ ଆସନ୍ତା ନଭେମ୍ବର ୫ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ଦଳ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ତାଙ୍କ ଟକ୍କର ସୁନିଶ୍ଚିତ ହୋଇଛି। ପେନସିଲଭାନିଆ ନିର୍ବାଚନୀ ସଭାରେ ଭାଷଣ ଦେଉଥିବାବେଳେ ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିମାଡରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲା। ଦଳ ପକ୍ଷରୁ କୁହାଯାଇଛି ଟ୍ରମ୍ପ ଚୂଡାନ୍ତ ଭାବେ ଦଳର ପ୍ରାର୍ଥୀ ହେବେ। ୧୨୫ ଜଣିଆ ଡେଲିଗେଟଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି।
ସ୍ତ୍ରୀ କଥା ଶୁଣିଲେନି କେହି, ସମସ୍ତଙ୍କ ସାମ୍ନାରେ ଦ୍ୱିତୀୟ ବିବାହ କଲା ସ୍ୱାମୀ
ଭୋପାଲ : ମଧ୍ୟପ୍ରଦେଶର ଉମରିୟାରେ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାର ସାମୁହିକ ବିବାହରେ ହଙ୍ଗାମା । କାର୍ଯ୍ୟକ୍ରମ ଆରମ୍ଭ ହେବା ସମୟରେ ଜଣେ ମହିଳା କଅଁଳା ଛୁଆକୁ ଧରି ଚିଲ୍ଲାଇ ଚିଲ୍ଲାଇ ମୋ ସ୍ୱାମୀ ଦ୍ୱିତୀୟ ବିବାହ କରୁଛି ବୋଲି ଅଭିଯୋଗ କରିଥିଲା । ସେ କହିଥିଲା କି ମୋ ସ୍ୱାମୀ ବିବାହିତ ହୋଇ ମଧ୍ୟ ଏଠି ଅବିବାହିତ ଭାବେ ଆଉଥିରେ ବିବାହ କରିବାକୁ ଆସିଛି । ଆଶ୍ଚର୍ଯ୍ୟର କଥା ଯେ, ମହିଳାଙ୍କ ଏପରି ଅଭିଯୋଗ ଏବଂ ହୋ ହାଲ୍ଲାକୁ କେହି କର୍ଣ୍ଣପାତ କରିନଥିଲେ । ବରଂ ସେ ଯେଉଁ ଯୁବକକୁ ନିଜ ସ୍ୱାମୀ ବୋଲି କହୁଥିଲା , ସେ ତାକୁ ଚିହ୍ନି ନଥିବା କହିଥିଲା ଏବଂ ସେ ପୁନର୍ବାର ବିବାହ ମଧ୍ୟ କରିଥିଲା ।
ଏହି ଘଟଣାଟି ପାଲି ଜନପଦ ସ୍ଥିତ ଘୁନଘୁଟୀର । ସୋମବାର ଏଠାରେ ସାମୁହିକ ବିବାହର ଆୟୋଜନ ହୋଇଥିଲା । ବହୁ ବର କନ୍ୟା ବିବାହ କରିବାକୁ ପହଞ୍ଚିଥିଲେ । ଏହା ଭିତରେ ଚିନକୀ ଗାଁର ଲଲିତା ବାଇ ଯେତେ ବେଳେ ଜାଣିଲା କି ତା ସ୍ୱାମୀ ଧରମ ସିଂହ ସାମୁହିକ ବିବାହରେ ଗାଁର ଆଉ ଜଣେ ଯୁବତୀ ସହ ବିବାହ କରୁଛି, ସେ ସଙ୍ଗେ ସଙ୍ଗେ ନିଜ ବାପା ଏବଂ ଛୋଟ ଝିଅକୁ ନେଇ ସେଠାରେ ପହଞ୍ଚିଥିଲା । ଆଉ ସେଠାରେ ସେ ସଭିଙ୍କୁ ଚିତ୍କାର କରି କରି ନିଜ ସ୍ୱାମୀର ଦ୍ୱିତୀୟ ବିବାହକୁ ପ୍ରତିବାଦ କରିଥିଲା ଏବଂ ବାହାଘର ରୋକିବାକୁ ଚେଷ୍ଟା କରିଥିଲା । ହେଲେ ସେଠାରେ ଗରିବ ବାପା ଏବଂ ଝିଅର ଦୁଃଖ ଶୁଣିବାକୁ କେହି ଆସିଲେ ନାହିଁ ।
ଅନ୍ୟପଟେ ମହିଳାଟିର ସ୍ୱାମୀ ଦ୍ୱିତୀୟ ବିବାହ କରି ପଳାଇ ଆସିଲା । କିନ୍ତୁ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବିଧାୟକ ମୀନା ସିଂହ ଏବଂ ସମସ୍ତ ଅଧିକାରୀ କୌଣସି ପଦକ୍ଷେପ ନେଲେ ନାହିଁ କି ଘଟଣାର ତଦନ୍ତ କଲେ ନାହିଁ । ସେପଟେ ଧରମ ସିଂ ନିଜ ପତ୍ନୀ ଏବଂ ଝିଅକୁ ଚିହ୍ନି ନଥିବା କହିଥିଲା ଓ କହିଥିଲା କି ମୁଁ ଅବିବାହିତି , ଆଉ ଏମାନଙ୍କୁ ଚିହ୍ନିନାହିଁ । ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବରିଷ୍ଠ ଅଧିକାରୀ କୌଣସି ପଦକ୍ଷପ ଗ୍ରହଣ କରି ନାହାନ୍ତି ।
ବିଦ୍ୟୁତ ଆଘାତରେ ୧୫ ଶିଶୁ ଆହତ ଘଟଣା, ୫ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଗଞ୍ଜାମ : ଗଞ୍ଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାଶୀଗୁଡାରେ ବିଦ୍ୟୁତ ଆଘାତରେ ୧୫ ଶିଶୁ ଆହତ ଘଟଣା । ଘଟଣାର ତଦନ୍ତ କରି ୫ ଜଣଙ୍କୁ ଗିରଫ କଲା ଦିଗପହଣ୍ଡି ଥାନା ପୋଲିସ । ରାମାୟଣ ନାଟକ ପାଇଁ ଯେଉଁ ବିଦ୍ୟୁତ ସଂଯୋଗ ହୋଇଥିଲା ତାହା ବେଆଇନ ଥିଲା। ହୁକ ପକାଇ ଚାଲିଥିଲା ରାମାୟଣ ।
ବିଭାଗୀୟ ତଦନ୍ତ ପରେ ପରିଚାଳନା କମିଟିର ସଭାପତି ଶିବରାମ ବିଷୋୟୀ, ରାଜେନ୍ଦ୍ର ଦୋରା, ଶିବରାମ ବେହେରା, ରବିନ୍ଦ୍ର କୁମାର ସାହୁ ଓ ବିଜୟ କୁମାର ରାଉଳଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।
ଜାମିନ ନାମଞ୍ଜୁର ହେବା ପରେ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ନାଟକ ପରିବେଷଣରେ ବ୍ୟବହୃତ ସମସ୍ତ ବିଦ୍ୟୁତ ସରଞ୍ଜାମ, ଡିଜେ ବକ୍ସ ଓ ଗୋଟିଏ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ । ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ପରିବେଷିତ ହୋଇଥିଲା ରାମାୟଣ । ଗତ ରବିବାର ଦିନ ରାମାୟଣ ଦେଖିବା ସମୟରେ ବିଦ୍ୟୁତ ଆଘାତରେ ୧୫ ଶିଶୁ ଆହତ ହୋଇଥିବା ବେଳେ ୮ ଶିଶୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହୋଇଥିଲେ ।
ରମ୍ପେଲା ସେତୁ ନିକଟରେ ଗୁଳିକାଣ୍ଡ , ଜଣେ ଗୁରୁତର
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲିକୁ ସଂଯୋଗ କରୁଥିବା ରମ୍ପେଲା ସେତୁ ନିକଟରେ ଗୁଳିକାଣ୍ଡ। ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ଫେରାର ହୋଇଛି। ଆହତ ଜଣକ ଝାରସୁଗୁଡା ଜିଲ୍ଲା ବନ୍ଧବାହାଲର ମନୋଜ ବାରିକ ହୋଇଥିବା ବେଳେ ଗୁଳି ଚଳାଇଥିବା ଯୁବକ ଜଣକ ବନ୍ଧବାହାଲର ଏମଡି ସୋନୁ ବୋଲି ଜଣାପଡିଛି । ଆହତ ମନୋଜଙ୍କ ଅଣ୍ଟାରେ ଗୁଳି ବାଜିଥିବା ବେଳେ ପ୍ରଥମେ ତାଙ୍କୁ ବନ୍ଧବାହାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ପଠାଇ ଦିଆଯାଇଛି । ବନହରପାଲି ପୋଲିସ ଏନେଇ ସୂଚନା ପାଇ ତଦନ୍ତ କରିଛି ।
ଆବଶ୍ୟକ ପଡ଼ିଲେ ଆରଡିସି ସ୍ତରରେ ହେବ ଅଭିଯୋଗ ଶୁଣାଣି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବାକୁ କେବଳ ଭୁବନେଶ୍ବର ନୁହେଁ, ଆବଶ୍ୟକ ପଡ଼ିଲେ ଆରଡିସି ସ୍ତରକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରର ଦ୍ବିତୀୟ ସୋମବାରରେ ଆଜି ୧୭ ଶହ ଅଭିଯୋଗର ଶୁଣାଣି ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିଥିଲେ । ଶିବିରରେ ସାଧାରଣ ପ୍ରଶାସନ ବିଭାଗର ସଚିବ ସୁରେନ୍ଦ୍ର କୁମାର, ପଞ୍ଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀ, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରଓ୍ବାଲଙ୍କ ସହିତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଣିକି ଜିଲ୍ଲା ସ୍ତରରେ ଚାଲିଥିବା ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ଅଧିକ ସଶକ୍ତ କରାଯିବା ସହ ଆବଶ୍ୟକ ପଡ଼ିଲେ କେବଳ ଭୁବନେଶ୍ବରରେ ଶୁଣାଣି ନକରି ଆରଡିସି ସ୍ତରକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

