spot_img
Home Blog Page 1772

ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେବାରେ ବିଫଳ ହେଉଛି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର

ନନ୍ଦିଘୋଷ ବ୍ୟୁରୋ: ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେବାରେ ବିଫଳ ହେଉଛି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର। ନିୟମିତ ଡାକ୍ତର ନଥିବାରୁ ଅଚଳ ହୋଇ ପଡିରହିଛି ବୌଦ୍ଧ ହରଭଙ୍ଗା ବ୍ଲକର ଦୁଇ ଦୁଇଟି ହୋମିଓପ୍ୟାଥିକ ଡାକ୍ତରଖାନା। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୫୦ଖଣ୍ଡ ଗାଁର ରୋଗୀ। ଅନ୍ୟପଟେ ଡାକ୍ତରଖାନାକୁ ଡାକ୍ତର ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

କୋଠାରେ ଲାଗିଛି ନୂତନ ରଙ୍ଗ । ଆଉ ବଡ ବଡ ଅକ୍ଷରରେ ଲେଖାଯାଇଛି ସରକାରୀ ହୋମିଓପ୍ଯାଥିକ ଚିକିତ୍ସାଳୟ। ଏହିଭଳି ପ୍ରତିବର୍ଷ ଚିକିତ୍ସାକେନ୍ଦ୍ରରେ ନୂତନ ରଙ୍ଗ ହୁଏ ନାମ ବି ଲେଖାଯାଏ। ଆଉ ବିଲ କରି ଠିକାଦାର ମାଲେମାଲ ହୁଏ । କିନ୍ତୁ ବର୍ଷ ବର୍ଷ ଧରି ଚିକିତ୍ସାକେନ୍ଦ୍ରରେ ଡାକ୍ତରଙ୍କ ଦେଖାମିଳେନି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ରର ଦୃଶ୍ୟ। ସେହିଭଳି ବୌଦ୍ଧ ହରଭଙ୍ଗା କୁସଙ୍ଗ ଗାଁର ଆଉ ଏକ ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ର। ସେଠି ବି ସେଇ ସମାନ ଅବସ୍ଥା। ସ୍ୱାସ୍ଥ୍ୟକେନ୍ଦ୍ରରେ ନା ଡାକ୍ତର ଅଛନ୍ତି ନା ହସ୍ପିଟାଲ ମରାମତି ହେଉଛି। ଏଠି ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ହୋମିଓପ୍ୟାଥିକ ଔଷଧ । ଫଳରେ ରୋଗୀମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି।

୧୯୭୧ ମସିହାରେ ମାଧପୁର ଓ ୧୯୯୨ ମସିହାରେ କୁସଙ୍ଗ ଠାରେ ରାଜ୍ୟ ସରକାର ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ର ସ୍ଥାପନ କରିଥିଲେ । ପ୍ରଥମେ କିଛି ବର୍ଷ ତ ଲୋକେ ଉତ୍ତମ ଚିକିତ୍ସାସେବା ପାଇବା ସହ ଡାକ୍ତର ମଧ୍ୟ ନିୟମିତ ଆସି ଚିକିତ୍ସା କରୁଥିଲେ। କିନ୍ତୁ କିଛି ବର୍ଷ ପରେ ଦୁଇଟି ଯାକ ଡାକ୍ତରଖାନା ଭୁତ କୋଠି ପାଲଟିଗଲା। ବହୁବାର ଜିଲ୍ଲାପାଳଙ୍କ ଜନଶୁଣାଣିରେ ଗ୍ରାମବସୀ ଏନେଇ ଅଭିଯୋଗ କରିଥିଲେ। କିନ୍ତୁ ଫଳ ଶୂନ । ଯାହା ଏବେ ଜନସାଧାରଣଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି।

 

ଏତେ ଘଡ଼ଘଡ଼ି ଏବଂ ବିଜୁଳି ମାରୁଛି କାହିଁକି ?

ନନ୍ଦିଘୋଷ ବ୍ୟୁରୋ: ଜୀବନ ନେଉଛି ବଜ୍ରାପାତ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଢୁଛି ଘଡ଼ଘଡ଼ି ଓ ବଜ୍ରପାତ ସଂଖ୍ୟା । ଚଳିତବର୍ଷ ଓଡ଼ିଶାରେ ବଜ୍ରପାତ ନେଲାଣି ଏକାଧିକ ଲୋକଙ୍କ ଜୀବନ। ତତଲା ଭୂପୃଷ୍ଠ ଓ ଆର୍ଦ୍ରତା ଯୋଗୁ ସୃଷ୍ଟି ହୋଇଛି କନଭେକ୍ଟିଭ ବାଦଲ । ଯାହାକି ବଜ୍ରପାତ ଜନିତ ବର୍ଷାର କାରଣ । ଓଡ଼ିଶାର ଖଣି ଖାଦାନ ଅଞ୍ଚଳରେ ଗଛ କାଟି ଦିଆଯିବାରୁ ବଜ୍ରପାତ ସଂଖ୍ୟା ବଢିଛି । ଆଗକୁ ବନୀକରଣକୁ ଗୁରୁତ୍ବ ନ ଦେଲେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ଆହୁରି ବଢିବ । ଦିନବେଳା ଟାଣ ଖରା ଗରମ । ଆକାଶରେ ତୁଳାଭଳି ସ୍ଥିର ବାଦଲ । ଗୋଟିଏ ଅଞ୍ଚଳରେ ଠୁଳ ହେଉଛି । ସ୍ଥିର ଅଛି । ଏହାର ଅର୍ଥ, କିଛି ସମୟ ଭିତରେ ବଜ୍ରପାତ ସହ ଘଡ଼ଘଡ଼ି ବର୍ଷା । ବଡ଼ ବଡ଼ ଟୋପାରେ ଛେଚିବ। ଏହା ହେଉଛି ପରିଚଳନ ବର୍ଷା ବା କନ୍ଭେକ୍ଟିଭ ରେନ୍ ।

ଓଡ଼ିଶାରେ ଏପରି ବଜ୍ରପାତ ସହ ବର୍ଷା ପରିମାଣ ଦିନକୁ ଦିନ ବଢୁଛି । ଏପରି ହେବାର କାରଣ । ଭୂପୃଷ୍ଠର ତାପମାତ୍ରା ବଢିବା ସହ ଆର୍ଦ୍ରତା ମିଶି ପରିଚଳନ ଗତି ସୃଷ୍ଟି କରିଥାଏ । ଉଚ୍ଚତାପମାତ୍ରା ଓ ଜଳୀବାଷ୍ପ ଆକାଶକୁ ଉଠି କନଭେକ୍ଟିଭ ଇଫେକ୍ଟ ସୃଷ୍ଟି କରିଥାଏ । ଫଳରେ ତୁଳା ଭଳି ବାଦଲ ସୃଷ୍ଟି ହୁଏ । ଏଭଳି ବାଦଲ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ସୃଷ୍ଟି ହୋଇ କିଛି ମାତ୍ରା କଳା ପଡ଼ିବା ପରେ ବଡ଼ ବଡ଼ ଟୋପା ସହ ସେହି ନିର୍ଦ୍ଧିଷ୍ଟ ସ୍ଥାନରେ କାଚିଥାଏ ।

ଏହି ବର୍ଷା ସମୟରେ ପ୍ରବଳ ଘଡ଼ଘଡ଼ି ହେବା ସହ ବଜ୍ରପାତ ଯୋଗୁ ଧନଜୀବନ ହାନି ହୋଇଥାଏ । ଯେତେବେଳେ ଲୋକେ ଏପରି ବାଦଲ ଏକାଠି ସ୍ଥିର ଭାବେ ଠୁଳ ହେବା ଦେଖୁଛନ୍ତି । ତାହେଲେ ଜାଣି ନିଅନ୍ତୁ କମ୍ ସମୟ ଭିତରେ ବଜ୍ରପାତ ସହ ବର୍ଷା ହେବ । ଜୀବନକୁ ସୁରକ୍ଷା ଦେବା ପାଇଁ କୌଣସି ସୁରକ୍ଷିତ ସ୍ଥାନକୁ ଚାଲିଯିବା ଦରକାର । ଗଛପାଖ, କିମ୍ବା ବିଦ୍ୟୁତ ଖୁଣ୍ଟ ପାଖରେ ରହିବା ଆଦୌ ଉଚିତ ନୁହେଁ ବୋଲି ବିଶିଷ୍ଠ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ପରାମର୍ଶ ଦେଇଛନ୍ତି ।

ପରିବେଶ ବିଜ୍ଞାନୀଙ୍କ ମତରେ ଓଡ଼ିଶାରେ ଏହି ବଜ୍ରପାତ ଜନିତ ବର୍ଷା ଏବେ ଅଧିକ ହେଉଛି । ବଜ୍ରପାତ ଯୋଗୁ ମଣିଷ ଓ ଜୀବଜନ୍ତୁଙ୍କ ଜୀବନ ଯାଉଛି । ଓଡ଼ିଶାରେ ଖଣି ଖାଦାନ ଅଞ୍ଚଳରେ ବ୍ୟାପକ ଗଛକଟା ଯୋଗୁ ଏପରି ଦଶା ହେଉଛି । ଖଣିରେ ଥିବା ତମ୍ବା, ଲୁହା ଓ ଧାତବ ପଦାର୍ଥ ବିଦ୍ୟୁତ ସୁପର କଣ୍ଡକ୍ଟର୍ ଭାବେ କାର୍ଯ୍ୟ କରିଥାଏ । ଯାହାଯୋଗୁ ବାଦଲ ଓ ବାଦଲ ମଧ୍ୟରେ ତୀବ୍ର ଘର୍ଷଣ ଯୋଗୁ ବଜ୍ରପାତ ସୃଷ୍ଟି ହୋଇ ଭୂପୃଷ୍ଟକୁ ଆସିଥାଏ । ଯଦି ଗଛ ରହିବ, ତାହେଲେ ସେ କରେଣ୍ଟ୍ ଗଛ ଦେଇ ଭୂପୃଷ୍ଠକୁ ଚାଲିଯିବ।

ପୁରୁଣା କାଳରେ ଫସଲ ବିଲ ଚାରିପଟେ ସେଥିପାଇଁ ଲମ୍ବାଲମ୍ବା ତାଳଗଛ ଲଗାଯାଉଥିଲା । ଏବେ ସମାନ ପ୍ରକ୍ରିୟା ସରକାର ଆରମ୍ଭ କରିଛନ୍ତି । ବିଶ୍ବ ତାପାୟନ ଓ ଜୈବିକ ଇନ୍ଧନ ଦ୍ବାରା ଗାଡ଼ି ଚଳାଚଳ ବଢୁଥିବାରୁ ବାୟୁମଣ୍ଡଳରେ ତାପମାତ୍ରା ବଢିବାରେ ଲାଗିଛି । ଓଡ଼ିଶାରେ ଆଗାମୀ ଦିନରେ ଘଡ଼ଘଡ଼ି ଜନିତ ବର୍ଷା ପରିମାଣ ଆହୁରି ବଢିବ । ଦିନକୁ ଦିନ ବଢୁଛି ଅଦିନିଆ ବର୍ଷା । ବାୟୁମଣ୍ଡଳ ଆର୍ଦ୍ରତା ବୃଦ୍ଧି ଅଧିକରୁ ଅଧିକ ପରିଚଳନ ଜନିତ ବାଦଲ ସୃଷ୍ଟି କରୁଛି । ଯାହାକି ମଣିଷ ସମାଜ ପାଇଁ ବଡ଼ ଚାଲେଞ୍ଜ୍ ସୃଷ୍ଟି କରୁଛି ।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ନନ୍ଦିଘୋଷ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷରେ ଭାରତ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିବାକୁ ଯାଉଛି । ତେବେ ହାର୍ଦ୍ଦିକ ଟି-୨୦ରେ ଅଧିନାୟକ ପଦ ସମ୍ଭାଳିବାକୁ ଥିବାବେଳେ ସେ ଦିନିକିଆ ସିରିଜ ଖେଳିବେ ନାହିଁ ବୋଲି ଜଣାପଡ଼ିଛି । ତେବେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଖେଳିବେ ନାହିଁ ବୋଲି କହିଛନ୍ତି । ୨୭ ଜୁଲାଇରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବ । ପ୍ରଥମେ ୩ଟି ଟି-୨୦ ଖେଳିବ ଏବଂ ପରେ ଦିନିକିଆ ସିରିଜ ଖେଳାଯିବ । ୨୦୨୩ ମସିହାରେ ହାର୍ଦ୍ଦିକ ଶେଷ ଦିନିକିଆ ମ୍ୟାଚ ବାଲାଂଦେଶ ବିପକ୍ଷରେ ଖେଳିଥିଲେ । ଦୀର୍ଘଦିନ ଧରି ଦିନିକିଆ ମ୍ୟାଚରୁ ଦୂରେଇ ରହିଥିବାବେଳେ ପାଣ୍ଡ୍ୟାଙ୍କ ପାଇଁ ସୁଯୋଗ ରହିଥିବାବେଳେ ସେ ବିସିସିଆଇକୁ ବ୍ୟକ୍ତିଗଥ କାରଣ ଦର୍ଶାଇ ଖେଳିବେ ନାହିଁ କହିଛନ୍ତି । ତେବେ ପାଣ୍ଡ୍ୟାଙ୍କ ଏହି କାରଣ ପଛରେ ପତ୍ନୀ ନତାଶା କିଛି ମାମଲା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

୧୦ ଦିନ ବିତିଲା ହେଲେ କାର୍ଯ୍ୟାନୁଷ୍ଠାନ ଶୂନ : ବିଜେଡି

ଭୁବନେଶ୍ୱର : ୧୦ ଦିନ ବିତିଲା ହେଲେ କାର୍ଯ୍ୟାନୁଷ୍ଠାନ ଶୂନ । ଗରିବ ଓ ପ୍ରଭାବଶାଳୀଙ୍କ ପାଇଁ କଣ ଭିନ୍ନ ଆଇନ ? ଏଏସଓଙ୍କୁ ମାଡ ମାରିବା ଘଟଣାରେ ରାଜ୍ଯ ସରକାରଙ୍କୁ ଘେରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ  କହିଛନ୍ତି ଯେ, ଦେଶର ବିଶାଳ ଗଣତନ୍ତ୍ର ଓ ଲୋକଙ୍କ ସୁରକ୍ଷା ପାଇଁ ସମ୍ବିଧାନ ରହିଛି । ଯେତେ କ୍ଷମତାଶାଳୀ ଲୋକ ହେଲେ ଵି ଆଇନରୁ ଛାଡ଼ ନାହିଁ । ହେଲେ ଗତ ୭ ତାରିଖରେ ଯେବେ ରାଷ୍ଟ୍ରପତି ପୁରୀରେ ଥିଲେ, ସେଠି ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଯିଏ ଅଣଓଡ଼ିଆ ଝାଡ଼ଖଣ୍ଡବାସୀ, ସିଏ ଓଡ଼ିଶା ସରକାରଙ୍କ ASOଙ୍କୁ ସାଙ୍ଗମାନଙ୍କ ସହ ମାଡ଼ ମାରିବା, ଅସମ୍ମାନ କରିବା, ଚପଲରେ ଛେପ ପକେଇ ଚଟେଇବା, ନିର୍ଯାତନା ଦେଇଥିଲେ ।

ASO ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଜିଲ୍ଲପାଳ, ଡିଜିଙ୍କ ପାଖରେ ଗୁହାରୀ କରିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହେଲାନି । ତାଙ୍କୁ ନ୍ୟାୟ ନ ମିଳିବା ଦୁଃଖଦାୟକ, ହୃଦୟବିଦାରକ କଥା । ଏହାଦ୍ବାରା ବିଜେପିର ଓଡ଼ିଆ ଅସ୍ମିତାର ମିଛ ନାଟକର ମୁଖା ଖୋଲିଛି । ଅସ୍ମିତା କଥା କହୁଥିବା ମୁଖ୍ଯମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟାନୁଷ୍ଠାନ ନେଇ ଥାନ୍ତେ । ଏହି ଘଟଣା ଓଡ଼ିଶାକୁ ନିନ୍ଦିତ ଓ ଲଜ୍ଜିତ କରୁଛି । ହେଲେ ରାଜ୍ୟ ସରକାର ନିରବ ରହିବା କ୍ଷମତା ଲୋଭକୁ ଦର୍ଶାଉଛି । ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ମୋହନ ସରକାର ଓଡ଼ିଆ ଅସ୍ମିତା ରହିବେ ନା ଅଣ ଓଡ଼ିଆ ଜରିଆରେ ଓଡ଼ିଆଙ୍କୁ ଦଳି ଚକଟି ମାରିବେ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

ନବୀନ ପଟ୍ଟନାୟକ ସରକାର ଦୋଷୀ ବିରୋଧରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ସରୋଜ ମେହେର, ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ଏହାର ଉଦାହରଣ । ନ୍ୟାୟ ଦେବା ବଦଳରେ ASOଙ୍କୁ ବଦଳି କରାଯାଇଥିବା ବେଳେ ରାଜ୍ୟପାଳଙ୍କ ପୁଅ କଲାର ଟେକି ବୁଲୁଛନ୍ତି । ରାଜ୍ୟପାଳଙ୍କ ପୁଅ ପାଇଁ କଣ ସାତ ଖୁନ ମାଫ ? ASOଙ୍କ ଜୀବନ ପ୍ରତି ବିପଦ ଥିବା ତାଙ୍କ ପତ୍ନୀ କହିଛନ୍ତି । ମୁଖ୍ଯମନ୍ତ୍ରୀ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ଜଣେ ସାଧାରଣ ଲୋକ ଏପରି କରିଥିଲେ ଗିରଫ ହୋଇଥାନ୍ତା ନା ନାହିଁ ? ଆଇନ ସମସ୍ତଙ୍କ ପାଇଁ ଗୋଟିଏ । ଗିରଫ ନ ହେଲେ ଆଗାମୀ ଦିନରେ ବିଜେଡି ରାଜଭବନ ଆଗରେ ଆନ୍ଦୋଳନ କରି ଓଡ଼ିଆ ଅସ୍ମିତା ପାଇଁ ଲଢ଼ିବ ବୋଲି ଚେତାବନୀ ଦେଇଛନ୍ତି ଲେଖାଶ୍ରୀ ।

ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା କଂଗ୍ରେସ,

ଭୁବନେଶ୍ୱର : ଚାରି ଦ୍ବାର ଖୋଲିଲା ହେଲେ ଶ୍ରଦ୍ଧାଳୁ ଠିକ ସେ ଦର୍ଶନ କରିପାରୁନାହାଁନ୍ତି । ରତ୍ନ ଭଣ୍ଡାରର ଶୀଘ୍ର ଗଣତି ମଣତି ହେଉ । ଏଏସଓଙ୍କୁ ମାଡ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନି ? ଏପରି ଏକାଧିକ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ଘେରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା କଥା ଉଠାଇ କହିଛନ୍ତି ଯେ, ଚାରି ଦ୍ବାର ଖୋଲିଲା ହେଲେ ଲୋକେ ହଇରାଣ ହରକତ ହେଉଛନ୍ତି । ଦର୍ଶନ ଶୃଙ୍ଖଳିତ ହେଇପାରୁନି ।

ସେହିପରି ଶୀଘ୍ର ଗଣତି ମଣତି ପାଇଁ ଶରତ ଦାବି କରିଛନ୍ତି । ଆଡପ ପହଣ୍ଡି ବେଳେ ବଳଭଦ୍ର ମୁହଁମାଡି ପଡିଯିବା ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଶାସନକୁ ଏଥିପାଇଁ ଦାୟୀ କରିଛନ୍ତି । ଘଟଣାର ଅବସର ପ୍ରାପ୍ତ ଜଜଙ୍କ ଦ୍ୱାରା ତଦନ୍ତ କରି ରିପୋର୍ଟ ମଗାଯାଉ ବୋଲି ଶରତ ଦାବି କରିଛନ୍ତି । ଅନ୍ଯ ଏକ ପ୍ରସଙ୍ଗରେ ମାଡ ଖାଇଥିବା ଏଏସଓଙ୍କୁ ବଦଳିର ଦୃଢ ପ୍ରତିବାଦ କରିଛନ୍ତି ଶରତ । ଜଣେ ମାଡ଼ ଖାଇବ ଆଉ ସେ ହିଁ ଦଣ୍ଡ ପାଇବ ? ଓଡ଼ିଆ ଅସ୍ମିତା କଥା ମୁଖ୍ଯମନ୍ତ୍ରୀ କହୁଛନ୍ତି । ଏବେ ବାହାର ଲୋକ ଆସି ଓଡ଼ିଆଙ୍କୁ ବାଡେ଼ଇଲେଣି । କାହିଁକି ସରକାର ଚୁପ ? ଶୀଘ୍ର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଶରତଙ୍କ ସମେତ ଦଳର ଅନ୍ଯ ପ୍ରମୁଖ ନେତାମାନେ ଦାବି କରିଛନ୍ତି ।

ଓଡ଼ିଶା ସଚିବାଳୟ ସେବାର କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ବଦଳି

ଭୁବନେଶ୍ୱର : ଓଡ଼ିଶା ସଚିବାଳୟ ସେବାର କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ବଦଳି। ତାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି। ଗଭର୍ଣ୍ଣସ ସେକ୍ରେଟାରିଏଟରେ ସଂସଦୀୟ ବ୍ଯାପାର ବିଭାଗ ପକ୍ଷରୁ ସେ ଏଏସଓ ଭାବେ ନିଯୁକ୍ତ ଥିଲେ। ତେବେ ରାଜ୍ୟପାଳଙ୍କ ପୁଅଙ୍କ ଦ୍ବାରା ମାଡମରା ଘଟଣା ପରେ ତାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି। ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ବୈକୁଣ୍ଠ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଗତ ଜୁଲାଇ ୮ତାରିଖରେ ମୌଖିକ ଅବଗତ କରି ନ୍ୟାୟ ପାଇଁ ଗୁହାରି କରାଯାଇଥିଲା। ସେ ଗତ ଜୁଲାଇ ୧୦ରେ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁସାରେ, ପୁରୀ ରାଜଭବନରେ ଜୁଲାଇ ୭ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ଅନ୍ୟ ୫ଜଣ ସହଯୋଗୀ ମିଳିତ ଭାବେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୁଲାଇ ୭ ଓ ୮ ତାରିଖ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ତାଙ୍କର ରାଜଭବନ ରହଣୀର ପ୍ରସ୍ତୁତି ତଦାରଖ ପାଇଁ ସେ ୫ତାରିଖରୁ ପୁରୀରେ ରହିଥିଲେ । ୭ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପାଦନ ହୋଇଥିଲା । କିନ୍ତୁ ସେହି ରାତି ପ୍ରାୟ ୧୧ଟା ୪୫ମିନିଟରେ ସେ ରାଜଭବନସ୍ଥିତ ଅଫିସ ରୁମରେ ବସିଥିବାବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ । ରାଜଭବନର ସୁଇଟ ନମ୍ବର-୪ରେ ରହୁଥିବା ଲଳିତଙ୍କୁ ଭେଟିବାକୁ ସେ ଯାଇଥିଲେ କିନ୍ତୁ ତାଙ୍କୁ ଦେଖୁଦେଖୁ ଲଳିତ ଉତକ୍ଷିପ୍ତ ହୋଇ ଅତ୍ୟନ୍ତ ଅଶାଳୀନ ଭାଷାରେ ବଡ଼ ପାଟିରେ ଗାଳିଗୁଲଜ କରିଥିଲେ । ତାଙ୍କର ଏଭଳି ଆଚରଣକୁ ପ୍ରତିବାଦ କରିବାରୁ ଲଳିତ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଲଳିତ ତାଙ୍କୁ ମାଡମାରିବା ସହ ହତ୍ୟା ଧମକ ଦେଇଥିବା କହିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣା ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ ହୋଇଛି।

ବଢୁଛି ପୂଜା ଖେଡକରଙ୍କ ଅଡୁଆ, ଘରେ ବୁଲିବ ବୁଲ ଡୋଜର !

ପୁଣେ : ନିଜ କ୍ଷମତାର ଅପବ୍ୟବହାର କରି ବିବାଦ ଘେରରେ ଥିବା ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି  । ଏବେ ତାଙ୍କ ବିରୋଧରେ ବୁଲଡୋଜର ଆକ୍ସନ ନିଆଯିବା ନେଇ ଆଲୋଚନା ଜୋର ଧରିଛି । ପୂଜା ଖେଡକର ଏବଂ ତାଙ୍କ ପରିବାର ଦ୍ୱାରା ଜବରଦଖଲ ପ୍ଲାଟକୁ ହଟାଇବାକୁ ପ୍ରସ୍ତୁତି ହୋଇସାରିଛି । ସୂଚନା ରହିଛି କି ପୂଜାଙ୍କ ମାଆ ମନୋରମା ଖେଡକର ଫେରାର ହୋଇଯାଇଥିବା ବେଳେ ପୋଲିସ ଖୋଜୁଛି । ଗତ କାଲି ପୂଜାଙ୍କ ଘରେ ପଶିଥିଲା ପୋଲିସ୍ ଟିମ୍ ।

ସୂଚନା ଅନୁସାରେ ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ପରିବାର ଦ୍ୱାରା ଜମି ଅତିକ୍ରମଣକୁ ହଟାଇବାକୁ ପ୍ରସ୍ତୁତ ହୋଲାଣି ପୁଣେ ମହାନଗରପାଳିକା । ବଙ୍ଗଳାର ସୌନ୍ଦର୍ଯ୍ୟକରଣ ସମୟରେ ସରକାରୀ ଜମି ଅତିକ୍ରମଣ କରିଥିବା ନେଇ ଜୁଲାଇ ୧୨ରେ ପୁଣେ ନଗରପାଳିକା ପକ୍ଷରୁ ପୂଜାଙ୍କୁ ନୋଟିସ୍ ଜାରି କରାଯାଇଥିଲା  । କିନ୍ତୁ ପୂଜାଙ୍କ ପରିବାର ପକ୍ଷରୁ କୌଣସି ଉତ୍ତର ମିଳି ପାରି ନାହିଁ। ତେଣୁ ଯେକୌଣସି ସମୟରେ ପୂଜା ଖେଡକରଙ୍କ ଘର ଉପରେ ବୁଲ ଡୋଜର ଚାଲି ପାରେ ବୋଲି ଆଲୋଚନା କରାଯାଉଛି ।

୧୮ ଜୁଲାଇରେ ଖୋଲିବ ଭିତର ରତ୍ନଭଣ୍ଡାର

ପୁରୀ : ୧୮ ତାରିଖ ଦିନ ଖୋଲିବ ଭିତର ରତ୍ନଭଣ୍ଡାର । ସକାଳ ୯.୫୧ରୁ ୧୨.୧୫ ରହିଛି ଶୁଭ ମୂହୁର୍ତ୍ତ। ଏହି ସମୟ ମଧ୍ୟରେ ଟ୍ରେଜେରିରେ ଥିବା ୨ଟି ଚାବି ଆଣି ରତ୍ନଭଣ୍ଡାର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା ହୋଇଛି।

ଭିତର ରତ୍ନଭଣ୍ଡାର ଭିତରେ ଥିବା ରତ୍ନକୁ ଗଣତି ମଣତି କରାଯିବ। ରତ୍ନ ଗଣତି ମଣତିର ଭିଡ଼ିଓ ରେକଡିଂ କରାଯିବ। ରତ୍ନଭଣ୍ଡାର ଭିତର ମରାମତି ଆବଶ୍ୟକ ହେଲେ କରାଯିବ। ରତ୍ନ ସ୍ଥାନାନ୍ତର ବେଳେ ମାଜିଷ୍ଟ୍ରେଟ, ଓଡ୍ରାଫ, ପୋଲିସ, ଅଗ୍ନିଶମ ରହିବେ। ମେଡିକାଲ ଟିମ୍, ସ୍ନେକ ହେଲ୍ପଲାଇନ ସଦସ୍ୟ ବି ଉପସ୍ଥିତ ରହିବେ। ଭିତର ରତ୍ନ ଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ରତ୍ନ। ରତ୍ନ ଗଣତି ପରେ ଏଏସଆଇକୁ ଭଣ୍ଡାର ମରାମତି ନେଇ ଅନୁମତି ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବସ ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ନିଶା ଦେଇ ଲୁଟିଲେ ଦୁର୍ବୃତ୍ତ

ପାରାଦୀପ : ପାରାଦୀପରେ ବସ ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ନିଶା ଦେଇ ଲୁଟ୍। ଭଡାରେ ନେବି ବସ୍ , ଦୁଇଦିନ ରିଜର୍ଭେସନ ପାଇଁ କେତେ ଟଙ୍କା ପଡିବ ? ଆଉ ଟିକିଏ କମ ରେଟ୍ କର , ଛାଡ ଚା ପିଇବା ପରେ କଥାହେବା। ଏଭଳି କହି ଚାହା ପିଆଇଥିଲେ। ଚା ପିଇବା ପରେ ସବୁକିଛି ଲୁଟିନେଲେ ଦୁବୃର୍ତ୍ତ। ଏଭଳି ସିନେମା ଷ୍ଟାଇଲରେ ବନ୍ଦର ନଗରୀ ପାରାଦୀପ ବସଷ୍ଟାଣ୍ଡରେ ଲୁଟ୍ ହୋଇଛି। ତ୍ରିଦେବୀ ବସ୍‌ର ୨ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କ ଠାରୁ ଲୁଟ୍ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବାବେଳେ ଦୁଇଜଣ ଡ୍ରାଇଭର, ଜଣେ ହେଲପର ଓ ଜଣେ କଣ୍ଡକ୍ଟରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କି ଓ ପରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ।ଲୁଟର ଶିକାର ହୋଇଛନ୍ତି ଡ୍ରାଇଭର ସୁବଳ ଅନ୍ୟ ଜଣ ହେଲେ ବାପି। ସେହିପରି ହେଲପର ଭଞ୍ଜ ଓ କଣ୍ଡକ୍ଟର ରଞ୍ଜନ ବୋଲି ଜଣାପଡିଛି। ତେବେ ପାରାଦୀପ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତ ମାନଙ୍କୁ ଚିହ୍ନଟ ପାଇଁ ପକ୍ରିୟା ଆରମ୍ଭ କରିଛି ପୋଲିସ। ତେବେ କେତେ ଟଙ୍କା ଲୁଟ ହୋଇଛି ଏବଂ ଅଭିଯୁକ୍ତ କିଏ ସେ ସମ୍ପର୍କରେ ଜଣାପଡ଼ିନାହିଁ।

ଓମାନର ୱାଦି ଅଲ-କବୀର ମସଜିଦରେ ଫାୟାରିଂ, ୪ ମୃତ

ନୂଆଦିଲ୍ଲୀ : ଓମାନର ୱାଦି ଅଲ-କବୀର ମସଜିଦରେ ଆଖିବୁଜା ଫାୟାରିଂ। ଗୁଳିମାଡ଼ରେ ୪ ଜଣ ଲୋକଙ୍କ ମୃତ୍ଯୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ଗୁଳିକାଣ୍ଡ ପରେ ରୟାଲ ଓମାନ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଘଟଣାସ୍ଥଳରେ ପୋଲିସ ଛାନବିନ ଜାରି ରଖିଥିବାବେଳେ ଏହି ଘଟଣାରେ କାହାର ସମ୍ପୃକ୍ତି ନେଇ ତନାଘନା ଚାଲିଛି। ଆହତଙ୍କ ମଧ୍ଯରେ କେତେକ ବ୍ଯକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।