spot_img
Home Blog Page 1761

ସିଡିଏରେ ଗୋଟିଏ ପରିବାରର ତିନି ଜଣଙ୍କ ଆତ୍ମହତ୍ଯା ଉଦ୍ଯମ

କଟକ: ସିଡିଏରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ତିନି ଜଣଙ୍କ ଆତ୍ମହତ୍ଯା ଉଦ୍ଯମ । ଆତ୍ମହତ୍ଯା ଉଦ୍ଯମ କରିଛନ୍ତି ବାପା-ମାଆ ଓ ପୁଅ । ବନ୍ଦଘରୁ ସମସ୍ତଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ପୋଲିସ ଏସସିବିରେ ଭର୍ତ୍ତି କରିଛି ।

ବାପା ମାଆଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ପୁଅ ସାମାନ୍ଯ ସୁସ୍ଥ ଥିବା ଜଣାପଡ଼ିଛି । ସଂକଟାପନ୍ନ ବାପାମାଆ ହେଲେ ଉମା ଚରଣ ପଣ୍ଡା ଓ ସରୋଜିନୀ ପଣ୍ଡା । ପୁଅ ସୌମ୍ୟରଞ୍ଜନ ପଣ୍ଡା ସୁସ୍ଥ ଥିବା ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ । ଋଣ ଭାର ଯୋଗୁ ସମସ୍ତେ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ପୁଣି ବଙ୍ଗୋପସାଗରରେ ଲଘୁଚାପ, ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ଆକଳନ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଉପରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି । ତେବେ ସଂପୂର୍ଣ୍ଣ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳରେ ୭.୬କିମି ଉଚ୍ଚତା ଯାଏଁ ଲମ୍ବିଛି । ଯାହା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

କେନ୍ଦୁଝର, ସୁନ୍ଦରଗଡ, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର ଏବଂ ବରଗଡ଼କୁ ଏହି ସତର୍କତା ଜାରି କରାଯାଇଛି । ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଆକଳନ କରାଯାଉଛି । ବର୍ଷା ପାଇଁ ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ଅନ୍ଯପଟେ ରାଜ୍ୟରେ ଆସନ୍ତାକାଲି ଠାରୁ ବର୍ଷାର ପ୍ରଭାବ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି ।

ପୁଣି ୬ ତାରିଖରୁ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି । ମହାନଦୀ ଉପର ମୁଣ୍ଡରେ ହେବ ପ୍ରବଳ ବର୍ଷା। ପୁଣି ଫୁଲିବ ବିଭିନ୍ନ ନଦୀର ଜଳସ୍ତର ।
ରାଜ୍ୟରେ ବର୍ତ୍ତମାନ ମୌସୁମୀ ରେଖା ସକ୍ରିୟ ରହିଛି। ଆଗାମୀ ୨୪ ଘଣ୍ଟାରେ ବଲାଙ୍ଗୀର, ସୋନପୁର, ନୂଆପଡ଼ା, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ।ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ରହିବ। ସେପଟେ ଏବେ ବି ୧୧ ଜିଲ୍ଲାରେ ରହିଛି ନିଅଣ୍ଟିଆ ବର୍ଷା ।

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ତାଣ୍ଡବ, ୭ ମୃତ ୫୦ ନିଖୋଜ

ଶିମଲା: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷାରେ ୭ ଜଣଙ୍କ ମୃତ୍ଯୁ। ଶିମଲା, ମଣ୍ଡି ଓ କୁଲ୍ଲୁରେ ବାଦଲ ବର୍ଷା ତାଣ୍ଡବ ରଚିଛି। ୫୦ ଜଣ ନିଖୋଜ ହୋଇଯାଇଛନ୍ତି। ବାଦଲ ଫଟା ବର୍ଷା ପରେ ଭୂସ୍ଖଳନରୁ ବ୍ଯାପକ କ୍ଷୟକ୍ଷତି ଘଟିଛି। ଭୂସ୍ଖଳନରୁ ଅନେକ ରାସ୍ତାରେ ମାଟି ଅତଡା ପଡି ଅବରୋଧ ହୋଇଛି। ଏଥିଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।

ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଟିମ ପହଞ୍ଚିବାକୁ ଅନେକ ପରିଶ୍ରମ କରିବାକୁ ପଡୁଛି। ଏବେବି ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଓ ଭୂସ୍ଖଳନ ପରେ ଏବେ ଭୂକମ୍ପର ଝଟକା ଅନୁଭୂତ ହୋଇଛି।

ହିମାଚଳ ପ୍ରଦେଶ ଲାହୋଲ ଓ ସ୍ପିତିରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଲାହୋଲ ଓ ସ୍ପିତିରେ ୩.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ତେବେ ଭୂକମ୍ପରୁ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।

୧୦ଟି ଟ୍ରକରେ ୟୁପିରୁ ଆସିଲା ୩୦୦ ଟନ ଆଳୁ ହେଲେ କମିବନି ଦାମ୍‌

ଭୁବନେଶ୍ବର: ଉତ୍ତର ପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସିଲା ହେଲେ ଦାମ କମିବନି । କାରଣ ଏବେ ପଶ୍ଚିମବଙ୍ଗରୁ ଯେଉଁ ଦାମରେ ଓଡ଼ିଶା ଆଳୁ କିଣୁଥିଲା ୟୁପିରୁ ପରିବହନ ଖର୍ଚ୍ଚ ମିଶାଇ ସେହି ଦାମରେ ଆଳୁ କିଣାଯାଇଛି । ଆଜି ୧୦ଟି ଟ୍ରକରେ ୩୦୦ ଟନ ଆଳୁ ଆସି ଭୁବନେଶ୍ବରରେ ପହଞ୍ଚିଛି । ଉତ୍ତର ପ୍ରଦେଶରୁ ଆଳୁ ଆସିଥିଲେ ବି ଓଡ଼ିଶା ବଜାରରେ ଦାମ କମିବ ନାହିଁ । କାରଣ ୟୁପିରୁ କୁଇଣ୍ଟାଲ ପିଛା ୨୪ଶହ ଟଙ୍କାରେ ଆଳୁ କିଣାଯାଉଥିବାବେଳେ ପରିବହନ ଖର୍ଚ୍ଚ ପଡ଼ୁଛି ୩୦୦ ଟଙ୍କା ।

ଅର୍ଥାତ କୁଇଣ୍ଟାଲ ପିଛା ଦର ୨୭ଶହ ଟଙ୍କା ପଡୁଛି । ଯାହାକି ଏବେ ପଶ୍ଚିମବଙ୍ଗର ଦାମ ସହିତ ପ୍ରାୟ ସମାନ । ଏଣୁ ଏହି ଦାମ ଗ୍ରହଣ କରିବାକୁ ପଡ଼ିବ ବୋଲି ଅନୁରୋଧ କରିଛନ୍ତି ବ୍ଯବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା । ସୁଧାକର କହିଛନ୍ତି ଓଡ଼ିଶାରେ ପରିଚାଳନାଗତ ତ୍ରୁଟି ରହୁଛି । ବଜାରକୁ ଯେଉଁପ୍ରକାରର ପରିଚାଳନା କରିବା କଥା ସେପରି କରାଯାଉନାହିଁ ।

କେତେ ଦରରେ ବିକ୍ରି କରାଯିବ ସେନେଇ ନିଷ୍ପତ୍ତି ସରକାର ନେବା ଆବଶ୍ଯକ ରହୁଛି । ମାତ୍ର ରାଜ୍ୟ ସରକାର ଠୋସ ପଦକ୍ଷେପ ସହିତ ରିଟେଲର ପଲିସି ଆଣୁନଥିବାରୁ ସମସ୍ଯା ହେଉଛି ।

ଫୁଲୁଛି ବିଭିନ୍ନ ନଦୀ, ବନ୍ୟା ସ୍ଥିତି ନାହିଁ କହିଲେ ଜଳସମ୍ପଦ ଅଧିକାରୀ

ଭୁବନେଶ୍ବର: ବଢୁଛି ବିଭିନ୍ନ ନଦୀର ଜଳସ୍ତର। କିନ୍ତୁ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। କାରଣ ବିପଦ ସଙ୍କେତର ବହୁତ ତଳେ ରହିଛି ଜଳସ୍ତର। ଲଘୁଚାପ ଜନିତ ବର୍ଷା ହେଲେ ବି ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇପାରେ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

ବର୍ତ୍ତମାନ ହୀରାକୁଦରେ ୬୦୮.୫୮ ଘନଫୁଟ ଜଳସ୍ତର ରହିଛି। ଜଳଭଣ୍ଡାର କୁ ୧ ଲକ୍ଷ ୨୦ ହଜାର କ୍ୟୁସେକ ପାଖା ପାଖି ଇନଫ୍ଲୋ ଅଛି। ଏବେ ପର୍ଯ୍ୟନ୍ତ ୬ଟି ସ୍ଳୁଇସ ଗେଟ ମାଧ୍ୟମରେ ବନ୍ୟା ଜଳ ନିଷ୍କାସନ ହେଉଛି। ୬ଟି ଗେଟ ଦ୍ବାରା ୧.୩୦ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡୁଳୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ଆଜି ଆଭରେଜ ୨୪ ମିଲିମିଟର ବର୍ଷା ହୋଇଛି। ଉପର ବ୍ରାହ୍ମଣୀରେ ୨୭ ମିଲିମିଟର ବର୍ଷା ହୋଇଛି।

ବୈତରଣୀରେ ବେସିନରେ ୧୧ ଏମଏମ ବର୍ଷା ହୋଇଛି। କୋଲାବରେ ଆଗରୁ ଅଧିକ ବର୍ଷା ପାଇଁ ଅତୀତରେ ମାଲକାନ ଗିରିରେ ବନ୍ୟା ହୋଇଥିଲା। ସୁବର୍ଣ୍ଣରେଖା ବେସିନରେ ମଧ୍ୟ ୧୧ ଏମଏମ ବର୍ଷା ହୋଇଥିବା ଜଣାପଡିଛି। ଇନ୍ଦ୍ରାବତୀ ବେସିନରେ ୧୭ ଏମଏମ ହୋଇଛି। ଏହା ଫଳରେ ସବୁ ଜାଗାରେ ଜଳଭଣ୍ଡାର ସ୍ତର ଅଧିକ ବୃଦ୍ଧି ପାଉଛି।

କୌଣସି ଜାଗାରେ ନଦୀ ଜଳସ୍ତର ବିପଦ ସଂକେତ ଅବସ୍ଥାରେ ନାହିଁ। ବନ୍ୟା ପରିସ୍ଥିତି କେଉଁଠି ମଧ୍ୟ ନାହିଁ। ବ୍ରାହ୍ମଣୀ ଜଳସ୍ତର ମଧ୍ୟ ବଢ଼ିପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଇଂ ଭକ୍ତ ରଂଜନ ମହାନ୍ତି। ଏହି ଲଘୁଚାପ ପାଇଁ ବିଶେଷ କିଛି ପ୍ରଭାବ ପଡିବ ନାହିଁ। ଉପର ବ୍ରାହ୍ମଣୀରେ ବର୍ଷା ପାଇଁ ଟିକେ ଜଳସ୍ତର ବଢ଼ିପାରେ। ଆଉ ୩୦ରୁ ୪୦ହଜାର କ୍ୟୁସେକ ଜଳ ବଢ଼ିପାରେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ଅନଲାଇନ ଟ୍ରେଡର ନିଖୋଜ, ନେତାଜୀ ସେତୁରୁ ମିଳିଲା କାର, ଚପଲ

ବାଙ୍କୀ: ନେତାଜୀ ସେତୁରେ ଅନଲାଇନ ଟ୍ରେଡର ନିଖୋଜ । ସେତୁ ଉପରେ କାର ଓ ଚପଲ ମିଳିଥିବାରୁ ପତ୍ନୀ ଦେଲେ ଥାନାରେ ଅଭିଯୋଗ । ତ୍ରିଶୂଳିଆ ନିକଟସ୍ଥ କାଠଯୋଡ଼ିର ନେତାଜୀ ସେତୁ ଉପରେ କାର ଓ ଚପଲ ଛାଡ଼ି ଜଣେ ଗୁଜୁରାଟୀ ଅନଲାଇନ୍ ଟ୍ରେଡର୍ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟବସାୟୀ ହେଉଛନ୍ତି ତୁଷାର ଭଟ୍ଟ(୩୦)।

ତାଙ୍କ ନିଖୋଜ ସଂକ୍ରାନ୍ତରେ ପତ୍ନୀ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ଖୋଜାଖୋଜି କରୁଥିବା ବେଳେ ୨୪ ଘଣ୍ଟା ବିତିଯାଇଥିଲେ ବି ତାଙ୍କ ପତ୍ତା ମିଳୁନାହିଁ। ଅନଲାଇନ୍ ଟ୍ରେଡ୍‌ରେ ବଡ଼ ଧରଣର ଆର୍ଥିକ କ୍ଷତି ସହିବାରୁ ସେ ନିଖୋଜ ହୋଇଯାଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଗୁଜୁରାଟର ତୁଷାର ଭଟ୍ଟ ପୁରୀରେ ଏଲିନା ଭଟ୍ଟଙ୍କୁ ବିବାହ କରିଛନ୍ତି। ବିବାହ ପରେ ଭୁବନେଶ୍ଵରରେ କିଟ୍ ନିକଟରେ ସେମାନେ ଘର ଭଡ଼ା ନେଇ ରହୁଥିଲେ।

ସେ ଗ୍ରାଜୁଏସନ ପରେ ଏକ ବ୍ୟାଙ୍କରେ ଚାକିରି କରିଥିଲେ। ପରେପରେ ଅନଲାଇନ୍ ଟ୍ରେଡିଂ ଆରମ୍ଭ କରିବାରୁ ଭଲ ଲାଭ ହୋଇଥିଲା  । ତେଣୁ ସେ ବ୍ୟାଙ୍କ ଚାକିରି ଛାଡ଼ି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବଡ଼ ଧରଣର କ୍ଷତି ହେବାରୁ ସେ ମାନସିକ ଦୁଶ୍ଚିନ୍ତାରେ ଥିବା କୁହାଯାଉଛି। ବୁଧବାର ଦିନ ପ୍ରାୟ ୨ଟା ବେଳେ ସେ କାରରେ ଘରୁ ବାହାରି ଯାଇଥିଲେ। ବୁଧବାର ସନ୍ଧ୍ୟା ବେଳେ ତାଙ୍କ କାରୁ ବାରଙ୍ଗ ପଟୁ ନେତାଜୀ ସେତୁ ନିକଟରେ ପାର୍କିଂ ହୋଇ ରହିଥିଲା ।

ଦୀର୍ଘ ସମୟ ଗାଡ଼ି ସେଠାରେ ପାର୍କିଂ ହୋଇ ରହିବାରୁ ସ୍ଥାନୀୟ ଲୋକେ ବାରଙ୍ଗ ଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସେଠାରେ ପହଞ୍ଚିଥିବା ବେଳେ ଗାଡ଼ି ଲକ୍ ଥିବା ଜାଣିବାକୁ ପାଇଥିଲା । ଗାଡ଼ିଟିକୁ ପୁଲିସ ଥାନାକୁ ନେଇ ଯାଇଥିଲା । ଅନ୍ୟପଟେ ସେତୁର ପିଲର ନମ୍ବର ୮୭ ନିକଟରେ ତୁଷାରଙ୍କ ଜୋତା ପଡି ରହିଥିଲା ତୁଷାରଙ୍କ ପତ୍ନୀ ଏଲିନା କାର୍ ଓ ଚପଲକୁ ଚିହ୍ନଟ କରିଥିଲେ। ପୋଲିସ ନିଖୋଜ ଯୁବକଙ୍କ ଫୋନ ସୁଇଜ ଅଫ ଥିବା ବେଳେ ଘଟଣାସ୍ଥଳରେ ବାରଙ୍ଗ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଚି ଖୋଜା ଖୋଜି ଜାରି ରଖିଛନ୍ତି ।

NEET ପେପର ଲିକ୍ ମାମଲାରେ ପୁନଃ ପରୀକ୍ଷା ଦାବି ଖାରଜ କଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ: NEET ପେପର ଲିକ୍ ମାମଲାରେ ପୁନଃ ପରୀକ୍ଷା ଦାବି ଖାରଜ କଲେ ସୁପ୍ରିମକୋର୍ଟ । ଅଦାଲତ କହିଛନ୍ତି ସାରା ଦେଶରେ ପେପର ଲିକ୍ ହୋଇନାହିଁ । କେବଳ ପାଟନା ଓ ହଜାରିବାଗରେ ହୋଇଛି ପେପର ଲିକ୍ । ପରୀକ୍ଷାରେ ବଡ଼ ଧରଣର ପେପର ଲିକ କିମ୍ବା ବ୍ୟବସ୍ଥାଗତ ତ୍ରୁଟି ହୋଇନାହିଁ । ଏଣୁ ସମସ୍ତ ଆବେଦନର ଏକତ୍ର ଶୁଣାଣି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି ।

ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଚାର୍ଜସିଟରେ ୧୩ ଅଭିଯୁକ୍ତଙ୍କ ନାଁ ରହିଛି । ଅଭିଯୁକ୍ତମାନେ ପେପର ଲିକ୍ ସହ ଅନ୍ୟ ଅନିୟମିତତାରେ ସାମିଲ ଥିଲେ । ଅଭିଯୁକ୍ତ ନୀତୀଶ କୁମାର, ଅମିତ ଆନନ୍ଦ, ଶିକନ୍ଦର ୟାଦବେନ୍ଦୁ, ଆଶୁତୋଷ କୁମାର ୱାନ, ଆଶୁତୋଷ କୁମାର ଟୁ, ରୋଶନ କୁମାର ମନୀଷ ପ୍ରକାଶ, ଅଖିଳେଖ କୁମାର, ଅଭଦେଶ କୁମାର, ଅନୁରାଦ ଯାଦବ, ଅଭିଷେକ କୁମାର, ଶିବାନନ୍ଦ କୁମାର, ଆୟୂଷ ରାଜ ପ୍ରଶ୍ନପତ୍ର ପ୍ରଘଟ ଓ ଅନ୍ଯ ଅନିୟମିତତାରେ ସାମିଲ ହୋଇଥିଲେ ।

ସିବିଆଇ କହିଛି ଫରେନସିକ୍ ଟେକ୍ନୋଲୋଜି, ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ, ସିସିଟିଭି ଫୁଟେଜ ଏବଂ ଟାୱାର ଲୋକେସନ୍ ଆନାଲିସିସର ବ୍ୟବହାର କରି ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ଯୋଗାଡ କରାଯାଇଛି । ମାମଲାରେ ଏଯାଏଁ ୪୦ ଜଣ ଗିରଫ ହୋଇଛନ୍ତି । ବିହାର ପୋଲିସ ୧୫ ଜଣଙ୍କୁ ଗିରଫ କରିଛି । ସିବିଆଇ ୫୮ଟି ସ୍ଥାନରେ ଯାଞ୍ଚ କରିଥିବାବେଳେ ୬ଟି ମାମଲା ରୁଜୁ କରିଛି ।

ଗିରଫ ହେଲେ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ, ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା

ଧର୍ମଗଡ: ଗିରଫ ହେଲେ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ । ଗତକାଲି ସନ୍ଧ୍ଯାରେ ସରକାରୀ ଗାଡ଼ିରେ ଭବାନୀପାଟଣାରୁ ଗୋଲାମୁଣ୍ଡା ଯାଉଥିବାବେଳେ ଜାରିଙ୍ଗଛକ ନିକଟରେ ଭିଜିଲାନ୍ସ ରେଡ କରିଥିଲା । ଯାଞ୍ଚ ବେଳେ ତାଙ୍କ ଗାଡ଼ିରୁ ନଗଦ ୪ ଲକ୍ଷ ୯୨ ହଜାର ଟଙ୍କା ମିଳିଥିଲା । ତେବେ ଏହି ଅର୍ଥ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଭିଜିଲାନ୍ସ ତାଙ୍କୁ ଅଟକ ରଖି ମାମଲା ରୁଜୁ କରିଥିଲା ।

ଗତକାଲିଠୁ ୧୮ ଘଣ୍ଟାଧରି ବିଡିଓଙ୍କୁ ପଚରାଉଚରା ପରେ ଆଜି ଗିରଫ କରିଛି ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୪ଟି ଟିମ ବିଡିଓଙ୍କ ଘର, ଅଫିସ, କ୍ବାର୍ଟର୍ସ, ଭୁବନେଶ୍ବର ଫ୍ଲାଟ ସମେତ କୋରାପୁଟ ଓ ରାୟଗଡ଼ାର ବିଭିନ୍ନ ସ୍ଥାନରେ ଚଡାଉ କରିଛି । ଅକ୍ଷମିତା ଆଗରୁ ମଧ୍ଯ ବହୁ ଦୁର୍ନୀତିରେ ଲିପ୍ତ ଥିବା ଜଣାପଡ଼ିଛି । କୋଷାଗୁମୁଡ଼ାରେ ଥିବାବେଳେ କୋଭିଡ ପାଣ୍ଠିର ଅପବ୍ଯବହାର ପାଇଁ ସେ ନିଲମ୍ବିତ ହୋଇଥିଲେ । ଗୁଣୁପୁର ତହସିଲଦାର ଥିବାବେଳେ ରେଡକ୍ରସ ପାଣ୍ଠିର ଅପବ୍ଯବହାର ଅଭିଯୋଗରେ ଜିଲ୍ଲାପ୍ରଶାସନ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ ।

ପ୍ରଫେସର ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର: ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ ହୋଇଛି । ଭୁବନେଶ୍ଵରର ଏକ ହସ୍ପିଟାଲରେ ଶୁକ୍ରବାର ମଧ୍ଯରାତ୍ରିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ଯୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଦୀର୍ଘ ୨୭ ବର୍ଷ ଧରି ବ୍ରହ୍ମପୁର ବିଶ୍ବବିଦ୍ଯାଳୟରେ ଅଧ୍ଯାପନା କରିବା ପରେ ୨୦୧୬ ମସିହାରେ ସେ ଅବସର ଗ୍ରହଣ କରିଥିଲେ ।

କିଛିଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱରର ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କଠାରେ ନିମୋନିଆ ଯୋଗୁ ଗୁରୁତର ଭାବେ ଫୁସଫୁସ ଜନିତ ସମସ୍ଯା ଦେଖାଦେଇଥିଲା । ଚିକିତ୍ସା ସମୟରେ ହଠାତ ହୃଦଘାତ ହେବା ସହ ମସ୍ତିଷ୍କ ଗୁରୁତର ଭାବେ ପ୍ରଭାବିତ ହୋଇ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡ଼ିଛି ।

ପ୍ରଫେସର ମହାପାତ୍ର ପ୍ରତ୍ଯେକ୍ଷ ଭାବେ ସାମ୍ବାଦିକତା ସହ ଜଡିତ ଥିଲେ । ବ୍ରହ୍ମପୁରରୁ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ପ୍ରବେଶ କରିଥିଲେ । ସେ ବ୍ରହ୍ମପୁରରୁ ପ୍ରକାଶିତ ଦୈନିକ ଆଶା ଖବରକାଗଜ ସହ ସଂପୃକ୍ତ ଥିଲେ । ଡେକାନ ହେରାଲ୍ଡରେ ନିୟମିତ ଭାବେ ଲେଖୁଥିଲେ । ବିଭିନ୍ନ ଖବରକାଗଜରେ ତାଙ୍କର ନିୟମିତ ସ୍ତମ୍ଭ ପ୍ରକାଶ ପାଉଥିଲା । ବ୍ରହ୍ମପୁର ଡାଏରୀ ତାଙ୍କର ଏକ ଆଦୃତ ସ୍ତମ୍ଭ । ଜଣେ ସରଳ, ଛାତ୍ରବତ୍ସଳ ଅଧ୍ଯାପକ ଭାବେ ସେ ବେଶ୍ ଆଦୃତ ଥିଲେ ।

ଇଂରାଜୀ ଓ ସାମ୍ବାଦିକତାରେ ସ୍ନାତକୋତ୍ତର କରିଥିଲେ ମଧ୍ଯ ସେ ଓଡ଼ିଆରେ ଡକ୍ଟରେଟ ହାସଲ କରିଥିଲେ । ବ୍ରହ୍ମପୁର ଭୀମାରାଓପେଟାରେ ତାଙ୍କ ନିଜସ୍ବ ଘର । ସ୍ବର୍ଗତ ପ୍ରଦୀପ ମହାପାତ୍ରଙ୍କ ପତ୍ନୀ ମଧ୍ଯ ବ୍ରହ୍ମପୁର ବିଶ୍ବବିଦ୍ଯାଳୟରେ ଅଧ୍ଯାପନା କରି ଅବସର ଗ୍ରହଣ କରିଛନ୍ତି । ତାଙ୍କ ମରଶରୀରକୁ ଭୁବନେଶ୍ବରରୁ ବ୍ରହ୍ମପୁରକୁ ନିଆଯାଉଛି । ସେଠାରେ ତାଙ୍କର ଶେଷକୃତ୍ଯ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି । ତାଙ୍କ ଦେହାନ୍ତ ସମ୍ପର୍କରେ ଖବର ପାଇ ଦେଶ ବିଦେଶରେ ଥିବା ତାଙ୍କର ଛାତ୍ରଛାତ୍ରୀ ତଥା ଓଡ଼ିଶା ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିତ୍ୱମାନେ ଦୁଃଖ ପ୍ରକାଶ କରିଛନ୍ତି ।

ବାଲେଶ୍ବର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରୁ ବିପୁଳ ଟଙ୍କା ଜବତ

ବାଲେଶ୍ବର: ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ବିଡ଼ା ବିଡ଼ା ଟଙ୍କା । ବାଲେଶ୍ବର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଘରୁ ବିପୁଳ ନଗଦ ଅର୍ଥ ଜବତ କରିଛି ଭିଜିଲାନ୍ସ । ରେଡ୍‌ ବେଳେ ୧୦୦, ୫୦୦ ଓ ୨ ହଜାର ଟଙ୍କିଆ ନୋଟ ବଣ୍ଡଲ ଜବତ କରିଛି ଭିଜିଲାନ୍ସ ଟିମ୍ । ଏହାସହିତ ଏକ ସୁନା ଅଳଙ୍କାର ବ୍ଯାଗ ମିଳିଥିବା ସୂଚନା ମିଳିଛି ।

ସକାଳୁ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଅଫିସ ଓ ଘର ସମେତ ମୋଟ ୭ଟି ସ୍ଥାନରେ ଏକାସାଙ୍ଗେ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଛାନବିନ ଚଳାଇଛି ଭିଜିଲାନ୍ସ । ଜଳେଶ୍ବରରେ ଆଠ ଜଣିଆ ଟିମ ରେଡ଼ କରୁଥିବା ବେଳେ ୧୧ ନମ୍ବର ୱାର୍ଡରେ ଥିବା ପୈତୃକ ଘର , ୧୦ ନମ୍ବର ୱାର୍ଡରେ ସମ୍ପର୍କୀୟଙ୍କ ଘର, ଲକ୍ଷ୍ମଣନାଥ ବାଇପାସ ଫାର୍ମହାଉସ, ବାଲେଶ୍ଵର ଅଫିସ ଓ କ୍ବାର୍ଟର୍ସରେ ଚଢାଉ ହୋଇଛି ।

ଏଥିରେ ଦୁଇ ଡିଏସପି, ୪ ଇନସ୍ପେକ୍ଟର ଓ ଭିଜିଲାନ୍ସ ଅଧିକାରୀମାନେ ସାମିଲ ହୋଇଛନ୍ତି ।