ଇନ୍ଦୋରରେ ବିଷାକ୍ତ ପାନୀୟ ଜଳ ପ୍ରସଙ୍ଗ। ଘଟଣାରେ ମୃତକଙ୍କ ସଂଖ୍ୟା ୧୦ ହୋଇଥିବା ବେଳେ ୧୫୦୦ରୁ ଅଧିକ ଅସୁସ୍ଥ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେଣେ ଇନ୍ଦୋର ମହାନଗର ନିଗମ କମିଶନର ଦିଲୀପ କୁମାର ଯାଦବଙ୍କୁ ପଦରୁ ହଟାଇଛନ୍ତି ମଧ୍ୟପ୍ରଦେଶ ସରକାର। ଏହା ସହ ଅତିରିକ୍ତ କମିଶନର ରୋହିତ ସିସୋନିୟାଙ୍କୁ ସସପେଣ୍ଡ କରାଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ ଦୁବେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି। ତେଣେ ଭାଗୀରଥିପୁରାରେ ଡାଇରିଆ ବ୍ୟାପିବ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପାନୀୟ ଜଳର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦିଆଯାଉଛି। ଇନ୍ଦୋର ହେଉଛି ଦେଶର ସବୁଠୁ ସ୍ଵଚ୍ଛ ସହର। ହେଲେ ଏହି ସହରର ପାଣି ସମସ୍ୟା ଚିନ୍ତାର କାରଣ ହୋଇଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହିତ ମୁଖ୍ୟମନ୍ତ୍ରୀ ତିନି ଜଣିଆ କମିଟି ମଧ୍ୟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ହାଇକୋର୍ଟ ମଧ୍ୟ ସରକାରଙ୍କୁ କଡ଼ା ଟିପ୍ପଣୀ କରିଛନ୍ତି । ପ୍ରଭାବିତଙ୍କୁ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସହ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
KBC ସେଟରୁ ଦର୍ଶକଙ୍କୁ ଭାବବିହ୍ବଳ ବିଦାୟ ଦେଲେ ବିଗ ବି’
KBC ସେଟରୁ ଦର୍ଶକଙ୍କୁ ଭାବବିହ୍ବଳ ବିଦାୟ ଦେଲେ ବିଗ ବି’
ନନ୍ଦିଘୋଷ ବ୍ୟୁରୋ: ସୋନି ଟେଲିଭିଜନର ସବୁଠୁ ବଡ ଲୋକପ୍ରିୟ ପ୍ଲାଟଫର୍ମ ‘କୌନ ବନେଗା କରୋଡପତି’ ବା କେବିସିର ସିଜିନ ୧୭ ଶେଷ ହୋଇଛି । ଶୋ’ ସରିଥିବା ବେଳେ ବିଦାୟ ନେଇଛନ୍ତି ବିଗ ବି ଅମିତାଭ ବଚ୍ଚନ । କିନ୍ତୁ ଏଥରର ବିଦାୟ ସାଧାରଣ ନଥିଲା । କେବିସି ସିଜିନ ୧୭ର ଶେଷ ଏପିସୋଡ୍ରେ ଦର୍ଶକମାନଙ୍କୁ ବିଦାୟ ଦେବା ସମୟରେ ଭାବବିହ୍ବଳ ହୋଇଯାଇଥିଲେ ବିଗ ବି ।
ଶୋ’ର ଶେଷ ଦିନରେ, ଯେତେବେଳେ ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କର ବିଦାୟ ଭାଷଣ ଆରମ୍ଭ କରିଥିଲେ, ତାଙ୍କର ଧୀର କଣ୍ଠସ୍ୱର ଓ ଛଳଛଳ ଆଖି ଲକ୍ଷ ଲକ୍ଷ ଦର୍ଶକଙ୍କୁ ଭାବୁକ କରି ଦେଇଥିଲା । ସେ କହିଥିଲେ, ‘ଦେବୀଓ ଓ ସଦଜନୋ, କେବିସିର ଏହି ସିଜିନ ଶେଷ ହୋଇଗଲା। ଗୋଟିଏ ପରେ ଗୋଟିଏ, ପ୍ରତିଯୋଗୀଙ୍କ ଚେୟାର ଖାଲି ହୋଇଯିବ । ଷ୍ଟୁଡିଓ ସେଟ୍ରୁ ଦର୍ଶକ ସିଟ ଛାଡି ଦେବେ । ଆଜି ଯେଉଁ ଆଲୋକ ଜଳୁଛି ତାହା କାଲି ଅନ୍ୟ କାହା ପାଇଁ ଜଳିବ । କରତାଳି ମଧ୍ୟ ଅନ୍ୟ କାହା ପାଇଁ ବାଜିବ ।’
ଏହି ଅବସରରେ ଭାବ ପ୍ରବଣତାର ସହ ସେ କହିଥିଲେ, ମଞ୍ଚରେ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତର ମଜା ଉଠାଇଛି । ବିଦାୟ ବେଳେ ଶବ୍ଦ ପ୍ରାୟତଃ କମ୍ ପଡ଼ିଯାଏ । ଯେତେବେଳେ ଶବ୍ଦ କମ୍ ପଡ଼ିଯାଏ, ସେତେବେଳେ ସଙ୍ଗୀତର ଆଶ୍ରୟ ନେବା ଉଚିତ । କାରଣ ସଙ୍ଗୀତ ହିଁ ଏକ ମାଧ୍ୟମ ଯାହା ସିଧାସଳଖ ହୃଦୟକୁ ଛୁଇଁଥାଏ ।
ଆଗକୁ ସେ କହିଥିଲେ, ମୋ ଜୀବନର ଏକ ତୃତୀୟାଂଶରୁ ଅଧିକ ସମୟ ଆପଣମାନଙ୍କ ସହିତ ବିତାଇବା ମୋ ପାଇଁ ସମ୍ମାନ ବିଷୟ । ଅମିତାଭଙ୍କ କଥା ଶୁଣି କେବଳ ଷ୍ଟୁଡିଓରେ ଉପସ୍ଥିତ ଥିବା ଲୋକ ନୁହଁନ୍ତି ଟିଭି ସାମ୍ନାରେ ବସିଥିବା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଆଖିରେ ଲୁହ ଆଓିଯାଇଥିଲା ।
ଏହାପରେ ସ୍କ୍ରିନରେ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା । ଯେଉଁଥିରେ ପ୍ରଥମ ସିଜିନରୁ ଆରମ୍ଭ କରି ବର୍ତ୍ତମାନ ସିଜିନ ପର୍ଯ୍ୟନ୍ତ ସ୍ମରଣୀୟ ମୁହୂର୍ତ୍ତ, ପ୍ରତିଯୋଗୀଙ୍କ ସଂଘର୍ଷ ଓ ଚଳିତ ସିଜିନର କୋଟିପତି ବିଜେତାଙ୍କ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଏହି ଭିଡିଓ ଦେଖି ଅମିତାଭ ବଚ୍ଚନ ନିଜେ ନିଜ ଲୁହ ରୋକିପାରି ନଥିଲେ । ଭିଡିଓ ଶେଷ ହେବା ମାତ୍ରେ, ଷ୍ଟୁଡିଓରେ ଉପସ୍ଥିତ ସମସ୍ତ ଦର୍ଶକ ଠିଆ ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ । ଆଉ ହୃଦୟର ସହ, ବିଗ୍ ବି ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ହସି ହସି ବିଦାୟ ନେଇଥିଲେ ।
ଗତ ୨୫ ବର୍ଷ ଧରି ଚାଲିଥିବା ଏହି ଶୋ’ ପୁଣି ଥରେ ପ୍ରମାଣ କରିଛି ଯେ କେବିସି କେବଳ ଏକ ଶୋ’ ନୁହେଁ । ଏହା ଭାରତ ଓ ଭାରତୀୟଙ୍କ ଭାବନାର ଏକ ଅବିଚ୍ଛେଦ ଅଂଶ ।
ଭେନେଜୁଏଲା ରାଜଧାନୀ କରାକାସରେ ଲଗାତର ବିସ୍ଫୋରଣ
ଭେନେଜୁଏଲା ରାଜଧାନୀ କରାକାସର ଲଗାତର ବିସ୍ଫୋରଣ। କିଛି ଦିନ ଧରି ଭେନେଜୁଏଲାକୁ ଟାର୍ଗେଟ କରିଆସୁଥିଲା ଆମେରିକା। କମ୍ ଉଚ୍ଚତାରେ ଉଚ୍ଚତାରେ କିଛି ବିମାନ ଉଡୁଥିବା ସୂଚନା ମିଳିଛି। କରାକାସରେ ୭ଟି ବିସ୍ଫୋରଣ ଘଟିଥିବା ଜଣାଯାଇଛି। ଭେନେଜୁଏଲା ଉପରେ ଗ୍ରାଉଣ୍ଡ ଷ୍ଟ୍ରାଇକ କରିବାକୁ ପୂର୍ବରୁ ଧମକ ଦେଇଥିଲେ ଆମେରିକା ରାଷ୍ଟ୍ରପତ ଡୋନାଲଡ ଟ୍ରମ୍ପ। କ୍ଷମତା ହସ୍ତାନ୍ତର ଓ ଡ୍ରଗ୍ସ କାରବାର ପ୍ରସଙ୍ଗରେ ଉତକ୍ଷିପ୍ତ ହୋଇଥିଲେ ଟ୍ରମ୍ପ। ଭୋର ପ୍ରାୟ ୨ଟାରେ ବିସ୍ଫୋରଣ ଶବ୍ଦ ଶୁଭିଥିବା ସୂଚନା ମିଳିଛି। ବିସ୍ଫୋରଣ ପରେ ସହରବାସୀ ନିଜ ନିଜ ଘରକୁ ଆତଙ୍କରେ ଚାଲିଯାଇଥିବା ସୂଚନା ମିଳିଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। କିଛି ଦିନ ତଳେ ଭେନେଜୁଏଲା ଅନ୍ତର୍ଗତ କାରବିୟାନ ଅଞ୍ଚଳରେ ଆମେରିକା ମୁତୟନ କରିଥିଲା ୟୁଏସ ନାଭି ଟାସ୍କଫୋର୍ସ। କରାକାସର ବିଭିନ୍ନ ସ୍ଥାନରେ କିଛି ଏୟାରପ୍ଲେନ ଉଡୁଥିବା ଦେଖିବାକୁ ମିଳିଛି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ହଟାଇବା ଲାଗି କିଛି ଦିନ ଧରି ନାଲିଆଖି ଦେଖାଇଆସୁଛନ୍ତି ଟ୍ରମ୍ପ। ଏହା ସହ ଭେନେଜୁଏଲାର ବିଭିନ୍ନ ଅଞ୍ଚଳରେ ନିଜର ସାମରିକ ଆଧିପତ୍ୟ ବିସ୍ତାର କରିଆସିଛି ଆମେରିକା।
ରାସ୍ତାରେ ଇରାନ ବାସିନ୍ଦା, ଆୟାତୋଲ୍ଲା ଖୋମେନେଇ ବିରୋଧରେ ଉଗ୍ର ହେଉଛି ବିଦ୍ରୋହ
ରାସ୍ତାରେ ଇରାନ ବାସିନ୍ଦା, ଆୟାତୋଲ୍ଲା ଖୋମେନେଇ ବିରୋଧରେ ଉଗ୍ର ହେଉଛି ବିଦ୍ରୋହ
ନନ୍ଦିଘୋଷ ବ୍ୟୁରୋ: ଇରାନରେ ବଢ଼ି ଚାଲିଛି ଆୟାତୋଲ୍ଲା ଖୋମେନେଇ ବିରୋଧୀ ସଂଗ୍ରାମ I ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଦେଶବାସୀ I ସେପଟେ ଆନ୍ଦୋଳନ ନିଆଁରେ ଘିଅ ଢାଳିଛନ୍ତି ନିର୍ବାସନରେ ଥିବା ପ୍ରିନ୍ସ ରେଜା ପହଲବି I ଦେଶର ୨୨ ପ୍ରଜାତନ୍ତ୍ରର ଶତାଧିକ ସହରରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି I ଏପରିକି ଶିହାବହୁଳ ସହର କୋମରେ ବି ଆନ୍ଦୋଳନ ତୀବ୍ର ହୋଇଛି I ବର୍ତ୍ତମାନ ସୁଦ୍ଧା ପୋଲିସ ଗୁଳିରେ ୮ ଜଣ ପ୍ରାଣ ହରାଇଥିବାବେଳେ ଦିନକୁ ଦିନ ଆନ୍ଦୋଳନ ବିଭିନ୍ନ ସହରକୁ ବ୍ୟାପିବାରେ ଲାଗିଛି I ଆନ୍ଦୋଳନକାରୀଙ୍କ ଉପରେ ବଳ ପ୍ରୟୋଗ ନ କରିବା ଲାଗି ଇରାନ ସରକାରଙ୍କୁ ଚେତାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ I
ଇରାନର ବହୁ ନେତା ଦେଶ ଛାଡ଼ି ବ୍ରିଟେନ ଚାଲିଯିବାକୁ ଯୋଜନା କରୁଥିବା ସୂଚନା ମିଳିଛି I ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଛି । ତେହେରାନ, ମସହାଦ, ଜାହେଦାନ, କାଜଭିନ, ହାମଦାନ ସମେତ ବହୁ ସହରରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି I ଦେଶରେ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଛି ବୋଲି ଅଭିଯୋଗ କରିଛି ଆମେରିକା I ମାନବାଧିକାରକୁ ଗୁରୁତ୍ବ ଦେବା ଲାଗି ବହୁ ମାନବିକ ଅଧିକାର ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି I
ଶାନ୍ତପୂର୍ଣ୍ଣ ଭାବେ କ୍ଷମତାର ହସ୍ତାନ୍ତର କରିବାକୁ ଆହ୍ବାନ ଦେଇଛନ୍ତି ପ୍ରସିଦ୍ଧ ଫିଲ୍ମ ନିର୍ମାତା ଜାଫର ପାନାହି ଓ ନୋବେଲ ଶାନ୍ତି ବିଜେତା ନର୍ଗେସ ମହମ୍ମଦି I ଦେଶ ଦେବାଳିଆ ହେବା ସହ ଅର୍ଥନୈତିକ ପ୍ରଗତି ଠପ୍ ହୋଇଯାଇଛି I ଦେଶରେ ମୁଦ୍ରାସ୍ଫୀତି ଚରମ ସୀମାରେ ପହଞ୍ଚିଥିବାବେଳେ ଦାରିଦ୍ର୍ୟ, ବେକାରୀ, ଦୁର୍ନୀତି ବ୍ୟାପକ ହୋଇଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ କରାଯାଉଛି I ଅତ୍ୟାଚାରର ଅନ୍ତ ଘଟିବା ସହ ଦେଶରେ ନୂଆ ଶାସନ ପ୍ରତିଷ୍ଠା କରିବାକୁ ଆହ୍ବାନ ଜଣାଇଛନ୍ତି ପହଲବି I ଆନ୍ଦୋଳନକୁ ସୁପରିଚାଳନା କରିବା ଲାଗି ସେ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି I
ସେପଟେ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଛି କୁର୍ଦ୍ଦିସ ପାର୍ଟି I ତେଣେ ଟ୍ରମ୍ପ ଜାତିସଂଘ ନିୟମକୁ ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଇରାନ ପ୍ରସିକ୍ୟୁଟର ଜେନେରାଲ ମହମ୍ମଦ ମୋବାହେଦି ଆଜାଦ I ନିଜର ନୀତିକୁ ସମୀକ୍ଷା କରିବା ସହ ଅର୍ଥନୈତିକ ସମସ୍ୟାର ସମାଧାନ ଲାଗି ଆଲୋଚନାକୁ ସରକାର ଖୋଲା ରଖିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ମାସୁଦ ପେଜସକିଆନ I ତେଣେ ଇରାନ ଉପରେ ଯଦି ଆକ୍ରମଣ କରାଯାଏ ତେବେ ଇସ୍ରାଏଲ ଓ ଆମେରିକାର ସାମରିକ ଘାଟିଗୁଡ଼ିକ ଉପରେ ଇରାନ ହମଲା କରିପାରେ ବୋଲି ଚେତାବନୀ ଦେଇଛନ୍ତି ଇରାନ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା IRGCର ପୂର୍ବତନ ମୁଖ୍ୟ ମହସିନ ରେଜେଇ I

