ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ମରାଠା କୋଟା ପ୍ରସଙ୍ଗରେ ମୁମ୍ବାଇର ଆଜାଦ ମଇଦାନରେ ଅନିର୍ଦ୍ଦିଷ୍ଟକାଳୀନ ଅନଶନ କରିବେ ସାମାଜିକ କର୍ମୀ ମନୋଜ ଜାରେଙ୍ଗେ। ତେବେ ତାଙ୍କୁ ଅନଶନ ପାଇଁ ମୁମ୍ବାଇ ପୋଲିସ ଅନୁମତି ଦେବ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ମରାଠାମାନଙ୍କୁ ସଂରକ୍ଷଣ ଦେବା ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଛନ୍ତି ଜାରେଙ୍ଗେ। ଅନଶନରେ ସାମିଲ ହେବା ପୂର୍ବରୁ ବିଭିନ୍ନ ଜିଲ୍ଲାରୁ ତାଙ୍କ ସମର୍ଥକମାନଙ୍କ ରାଲି ଆଜାଦ ମଇଦାନରେ ପହଞ୍ଚିଛି। ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ବୋଲି ଜାରେଙ୍ଗେ କହିଛନ୍ତି। ମରାଠା ସଂରକ୍ଷଣ ସମ୍ପର୍କିତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।
ଗତବର୍ଷ ମଧ୍ୟ ଏହି ସମୟରେ ଜାରେଙ୍ଗେ ଅନଶନ କରିଥିଲେ। ଏହା ଯୋଗୁଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ଯାତାୟାତ ପ୍ରଭାବିତ ହୋଇଥିଲା। ଜାରେଙ୍ଗେଙ୍କ ମୁଖ୍ୟ ଦାବି ହେଉଛି, ପୁରୁଣା ରେକର୍ଡ ଓ ଗେଜେଟ୍ ଦସ୍ତାବିଜ୍ ଆଧାରରେ ମରାଠାମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ଅନ୍ତର୍ଭୁକ୍ତ କୁନବୀ ସମ୍ପ୍ରଦାୟ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ସୁବିଧା ଦିଆଯାଉ। ଏଥିସହ ପୁରୁଣା ତଥ୍ୟ ଆଧାରରେ ସମସ୍ତ ଯୋଗ୍ୟ ମରାଠାଙ୍କୁ କୁନବୀ ଜାତି ପ୍ରମାଣପତ୍ର ପ୍ରଦାନ କରିବାକୁ ସେ ଦାବି କରୁଛନ୍ତି। କୁନବୀମାନଙ୍କୁ ମରାଠାଙ୍କ ‘ସେଜ୍ ସୋୟରା’ ବା ରକ୍ତ ସମ୍ପର୍କୀୟ ଭାବେ ସ୍ୱୀକୃତି ଦେବା ସମ୍ପର୍କିତ ଚିଠା ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିବା ମଧ୍ୟ ତାଙ୍କର ଦାବି ରହିଛି। ତେବେ ଜାରେଙ୍ଗେଙ୍କ ଏହି ଦାବିକୁ ବିଭିନ୍ନ ପଛୁଆ ବର୍ଗ ସଂଗଠନ ବିରୋଧ କରିଆସୁଛନ୍ତି।

