spot_img
Home Blog Page 1757

ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ। ପୋଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଆଇଜି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ଅତିଥି ଭବନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବୈଠକ ହୋଇଛି। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ବିଭିନ୍ନ ଜିଲ୍ଲାର ଏସପି ବି ବୈଠକରେ ସାମିଲ ହୋଇଛନ୍ତି। ରାଜ୍ୟରେ ପୋଲିସର ସ୍ଥିତି, ଆଇନ ଶୃଙ୍ଖଳା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ବୋଲି ପୋଲିସ ଡିଜି କହିଛନ୍ତି । ଏହାସହ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ବାବଦରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପୋଲିସ ଡିଜି ସୌଜନ୍ୟମୂଳକ ସାକ୍ଷାତ କରିବା ବେଳେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହା ସହ ଆସନ୍ତା ଜୁଲାଇରୁ କାର୍ଯ୍ୟକାରୀ ହେବାକୁ ଥିବା ଦେଶର ତିନୋଟି ଗୁରୁତ୍ୱପୂର୍ଣ ଆଇନ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ପୋଲିସ ଡିଜି । ଏତଲା ଦେବାକୁ ଥାନାକୁ ଆସୁଥିବା ଯେକୌଣସି ବ୍ୟକ୍ତି ଯେପରି ହାରାସ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କଇଁଛ ଚାଲାଣ ବେଳେ ୪ ଗିରଫ, ୧୭୬ କଇଁଛ ଉଦ୍ଧାର

ଉମରକୋଟ: କଇଁଛ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ୧୭୬ଟି ବିରଳ କଇଁଛ ଉଦ୍ଧାର ସହ ଚାରି ଜଣ ଗିରଫ । କଇଁଚ ଚୋରା ଚାଲାଣ ବେଳେ ଦୁଇ ବାଇକ ସହ ଚାରିଜଣ କଇଁଛ ଚୋରା ଚାଲାଣକାରୀକୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗ ।  ତେବେ କଇଁଛ ଗୁଡିକ କଳାହାଣ୍ଡି ଜିଲ୍ଲା ଗତମୁଣ୍ଡା ଠାରୁ ଉମରକୋଟ ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ୱାଇଲଡ ଲାଇଫ ଟିମ ଓ ପରା ଷ୍ଟାଫ ସହ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ପାଖାପାଖି  ୧୭୬ଟି ଜିଅନ୍ତା କଇଁଛ ଉଦ୍ଧାର କରିଥିଲେ ।  ଉଦ୍ଧାର କଇଁଛ ଗୁଡିକ ଝରିଗାଁ ସେଣ୍ଟ୍ରାଲ ନର୍ସରୀରେ ରଖାଯାଇଥିବା ବେଳେ, ଚୋରାଚାଲାଣ କରୁଥିବା ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଚାରି ଜଣ କଳାହାଣ୍ଡି ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

ଯୁଦ୍ଧ ବନ୍ଦ ଲାଗି ରୁଷିଆ ରାଷ୍ଟ୍ରପତି ପୁଟିନ ରଖିଲେ ସର୍ତ୍ତ

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ବନ୍ଦ ଲାଗି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରଖିଲେ ସର୍ତ୍ତ। ଯଦି ନାଟୋରେ ଯୋଗଦେବା ଲାଗି କରିଥିବା ଯୋଜନାକୁ ୟୁକ୍ରେନ ରଦ୍ଦ କରେ ତେବେ ରୁଷିଆ ତୁରନ୍ତ ଅସ୍ତ୍ରବିରତି ଘୋଷଣା କରିବ। ଏହାସହ ୟୁକ୍ରେନର ଚାରିଟି ଅଧିକୃତ ଅଞ୍ଚଳରୁ ରୁଷିଆ ନିଜର ସୈନ୍ଯ ପ୍ରତ୍ଯାହାର କରିବ ବୋଲି କହିଛନ୍ତି ପୁଟିନ। ରୁଷିଆ ବୈଦେଶିକ ମନ୍ତ୍ରାଳୟରେ ଆୟୋଜିତ ବୈଠକରେ ଯୋଗଦେଇ ପୁଟିନ ଏହା କହିଛନ୍ତି। ସେ କହିଛନ୍ତି ଯଦି ୟୁକ୍ରେନ ଏହି ପ୍ରସ୍ତାବରେ ସମ୍ମତ ପ୍ରକାଶ କରେ ତେବେ ଅସ୍ତ୍ରବିରତି ପ୍ରସ୍ତାବ ସ୍ଥଗିତ ରଖିବା ବଦଳରେ ଚୂଡାନ୍ତ ଭାବେ ଏହାର ସମାଧନ ଲାଗି ରୁଷିଆ ପଦକ୍ଷେପ ନେବ। କାଳବିଳମ୍ବ ନ କରି କ୍ରେମଲିନ ଯୁଦ୍ଧର ସମାଧାନ ଲାଗି ବୁଝାମଣା ଦିଗରେ ଆଗ୍ରହୀ ହେବ। ଇଟାଲୀରେ ଆୟୋଜିତ ଜି-୭ ସମ୍ମିଳନୀ ଅବସରରେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଲାଗି ସୁଇଜରଲ୍ଯାଣ୍ଡ ପକ୍ଷରୁ ଏକ ବୈଠକ ଆୟୋଜନ କରିବାକୁ ନେଇ ଏହି ପ୍ରତିକ୍ରିୟା ରଖିଛନ୍ତି ପୁଟିନ। ଏହି ପ୍ରସ୍ତାବିତ ବୈଠକ ଖୁବ ଶୀଘ୍ର ବସିବ ବୋଲି ସୂଚନା ମିଳିଛି।

ଯବାନଙ୍କ ଗୁଳିରେ ୮ ମାଓବାଦୀ ନିହତ

ମାଲକାନଗିରି: ମାଓବାଦୀଙ୍କ ବିରୋଧରେ ଯବାନଙ୍କ ବଡ଼ ପଦକ୍ଷେପ। ଦାନ୍ତେଓ୍ବାଡା ଜିଲ୍ଲା ନାରାୟଣପୁରରେ ଯବାନଙ୍କ ଗୁଳିରେ ୮ ଜଣ ନକ୍ସଲ ନିହତ ହୋଇଛନ୍ତି। ଡିଆରଜି ଏସଟିଏଫ ଓ ଆଇଟିବିପି ଯବାନଙ୍କ ମିଳିତ ଅପରେଶନରେ ୮ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦୁଇ ଦିନ ହେଲା ଜାରି ରହିଛି ଗୁଳି ବିନିମୟ। ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।

ଭୁଲ୍ କ୍ରମେ କେନ୍ଦ୍ରରେ ଗଠିତ ହେଲା ଏନଡିଏ ସରକାର : ମଲ୍ଲିକାର୍ଜୁନ ଖଡଗେ

ନନ୍ଦିଘୋଷ ବ୍ୟୁରୋ: ଭୁଲ୍ କ୍ରମେ କେନ୍ଦ୍ରରେ ଗଠିତ ହେଲା ଏନଡିଏ ସରକାର। ଯେ କୌଣସି ମୁହୂର୍ତ୍ତରେ ଏହି ସରକାରର ପତନ ଘଟିପାରେ ବୋଲି କହିଛନ୍ତି ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି ବିଜେପି ଏକାକୀ ୨୪୦ ଆସନ ଲାଭ କରିଛି ଯାହାକି ମ୍ଯାଜିକ ନମ୍ବର ୨୭୨ ଠାରୁ ଯଥେଷ୍ଟ କମ୍। ସରକାର ଗଠନ କ୍ଷେତ୍ରରେ ବିଜେପି ସହଯୋଗୀ ଦଳ ଉପରେ ନିର୍ଭର କରୁଛି । ଏହା ଏକ ସଂଖ୍ଯାଲଘୁ ସରକାର। ଏହି ସରକାରର ଯେକୌଣସି ଦିନ ପତନ  ଆସନ୍ନ। ତେବେ ଦେଶକୁ ଶକ୍ତିଶାଳୀ କରିବା ଲାଗି ସମସ୍ତଙ୍କୁ ଏକାଠି ହେବାକୁ ପଡିବ । ଏହା ସହ ବିହାରରେ ହୋଇଥିବା ମେଣ୍ଟ ସରକାର ପ୍ରତି କଟାକ୍ଷ ପ୍ରଦର୍ଶନ କରିଛନ୍ତି ଖଡଗେ । ୨୦୨୪ରେ ବିଜେପି ଯେତେ ଆସନ ପାଇଛି ୧୯୯୧ରେ କଂଗ୍ରେସ ବି ସେତିକି ଆସନ ପାଇଥିଲା । ତେଣୁ ନରସିହ୍ମା ରାଓଙ୍କ ନେତୃତ୍ବରେ କଂଗ୍ରେସ ଏକ ସଂଖ୍ଯାଲଘୁ ସରକାର ଗଠନ କରିଥିଲା ।

ରାଉରକେଲା ଝରାବାହଲରେ ଚର୍ଚ୍ଚରେ ଡକାୟତି, ଦୁଇ ଫାଦରଙ୍କୁ ବାନ୍ଧି ୪ ଲକ୍ଷ ଲୁଟ୍

ରାଉରକେଲା: ରାଉରକେଲା ଝରାବାହଲ କ୍ୟାଥୋଲିକ ଚର୍ଚ୍ଚରେ ଡକାୟତି। ୧୨ ରୁ ୧୫ ଜଣ ଡକାୟତ ଦୁଇ ଜଣ ଫାଦରଙ୍କୁ ଆକ୍ରମଣ କରି ୪ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଚର୍ଚ୍ଚର ତାଲା ଭାଙ୍ଗି ଓ ଫାଦରଙ୍କୁ ବାନ୍ଧି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଆହତ ଦୁଇ ଫାଦରଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ପଠାଯାଇଛି।

ଜୁନ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଜୁନ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ । ପୂର୍ବଦିନ ଅର୍ଥାତ ୨୫ ତାରିଖ ମଧ୍ଯାହ୍ନ ସୁଦ୍ଧା ପ୍ରାର୍ଥୀଙ୍କ ନାମ ଦାଖଲ କରିବା ଲାଗି ପ୍ରସ୍ତାବ ଦିଆଯାଇଛି । ଆସନ୍ତା ଜୁନ ୨୪ରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ବସିବ ଏବଂ ଏହା ଜୁଲାଇ ୩ ଯାଏ ଚାଲିବ । ଏହି ଅଧିବେଶନରେ ନୂଆ ସାଂସଦମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ଜୁନ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଓ ରାଜ୍ଯସଭାର ମିଳିତ ଅଧିବେଶେନରେ ଉଦବୋଧନ ଦେବେ । ଏହା ସହ ଆସନ୍ତା ପାଞ୍ଚ ବର୍ଷ ଲାଗି ନୂଆ ସରକାରର ରୋଡମ୍ଯାପ ସମ୍ପର୍କରେ ସୂଚନା ଦେବେ । ବାଚସ୍ପତି ପଦ ଲାଗି ଯେ କୌଣସି ସଦସ୍ଯ ନିଜର ପସନ୍ଦ ମୁତାବକ ପ୍ରାର୍ଥୀଙ୍କ ନାମ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ଦେଇପାରିବେ । ଅଧିବେଶନର ପ୍ରଥମ ଦୁଇଦନ ନୂଆ ସାଂସଦଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବାଚସ୍ପତି ପଦ ଲାଗି ଜେଡିୟୁ ଓ ଟିଡିପି ମଧ୍ୟରେ ବଳ କଷାକଷି ଚାଲିଥିବା ଜଣାଯାଇଛି ।

ଭୁବନେଶ୍ବରରେ ପହଞ୍ଚିଲା ୨ ଓଡ଼ିଆଙ୍କ ମୃତଦେହ

ଭୁବନେଶ୍ବର: କୁଏତରୁ ଫେରିଲା ୨ ଓଡ଼ିଆଙ୍କ ମୃତଦେହ । ମହମ୍ମଦ ଜହୁର ଏବଂ ସନ୍ତୋଷ ଗୌଡଙ୍କ ମୃତଦେହ ଭୁବନେଶ୍ବରରେ ପହଞ୍ଚିଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ସେଠାରେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମରଶରୀର ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଉଭୟଙ୍କ ପରିବାର ଲୋକ ଅପେକ୍ଷା କରିଥିଲେ । କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ଦୁଇ ଓଡ଼ିଆଙ୍କ ହେଲେ, ଆଠଗଡ ତିଗିରିଆ ଅଞ୍ଚଳର ମହମ୍ମଦ ଜହୁର ଓ ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗ୍ରାମର ସନ୍ତୋଷ ଗୌଡ । କୁଏତ ଅଗ୍ନିକାଣ୍ଡ ଘଟଣାରେ ମୋଟ ୪୯ ମୃତକଙ୍କ ମଧ୍ଯରୁ ୪୫ ଜଣ ହେଉଛନ୍ତି ଭାରତୀୟ ।

ରାଇଘର ଥାନା ହାତୀବେନା ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ହାତୀବେନା ଗ୍ରାମରେ ଗୋଷ୍ଠୀ ସଂଘର୍ଷ। ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ରାଇଘର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କିଛି ପରିବାରକୁ ସାମାଜିକ ବାସନ୍ଦକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି।

ଚା‘ ଦୋକାନୀ ଉପରକୁ ଫିଙ୍ଗିଲେ ତତଲା ଚା‘

ସାଲେପୁର: ଦୁବୃର୍ତ୍ତଙ୍କ ଅମାନବୀୟ କାଣ୍ଡ । ତତଲା ଚା’ ହାଣ୍ଡି ଢାଳିଲେ ଦୁର୍ବୃତ୍ତ। କଟକ ନରଦା ପଞ୍ଚାୟତ ନାନପୁରର ଘଟଣା। ପହିଲି ରଜ ସନ୍ଧ୍ୟାରେ ଚା’ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ରବୀନ୍ଦ୍ର ତରାଇଙ୍କ ଉପରକୁ କିଛି ଗରମ ଚା’ ଫୋପାଡିଥିଲେ ଦୁବୃର୍ତ୍ତ। କେବଳ ଚା‘ ଫିଙ୍ଗିନଥିଲେ ଗାଳିଗୁଲଜ ବି କରିଥିଲେ। ଗୁରୁତର ଅବସ୍ଥାରେ ରବୀନ୍ଦ୍ର ତରାଇଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲା ।  ଏ ସଂପର୍କରେ ପରିବାର ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଦିନକୁ ଦିନ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ଯ ବଢିବାରୁ ଏଭଳି କାଣ୍ଡ ଘଟିଥିବା ସନ୍ଦେହ ହେଉଛି।