spot_img
Home Blog Page 1754

ଯୁକ୍ତ ତିନିରେ ନାମଲେଖା ପାଇଁ ଆଜି ସରିବ ଆବେଦନ

ଭୁବନେଶ୍ୱର : ଯୁକ୍ତ ତିନିରେ ନାମଲେଖା ପାଇଁ ଆଜି ସରିବ ଆବେଦନ । ଗତ ୨ତାରିଖରୁ ଛାତ୍ରଛାତ୍ରୀମାନେ ଆବେଦନ କରୁଥିବାବେଳେ ଆଜି ଶେଷ ତାରିଖ ରହିଛି । ଶେଷ ଦିନରେ ଆଶାୟୀମାନେ । samsodisha.gov.in ୱେବସାଇଟ ମାଧ୍ଯମରେ ଆବେଦନ କରିପାରିବେ । କାଲିଠୁ ୧୯ ତାରିଖ ମଧ୍ୟରେ CAFର ତ୍ରୁଟି ସୁଧାରି ପାରିବେ । ୨୫ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ସେହିଦିନଠୁ ୨୮ ତାରିଖ ଯାଏଁ ସ୍ଲାଇଡ୍ ଅପ୍ସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ କଲେଜକୁ ଯାଇ ରିପୋର୍ଟ କରିବେ ।

ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ । ଏହି ପର୍ଯ୍ୟାୟରେ ୫ ତାରିଖରୁ ୮ ତାରିଖ ଯାଏଁ ସ୍ଲାଇଡ୍ ଅପସନ ଚୟନ କରିପାରିବେ । ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ । ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ । ରାଜ୍ୟରେ ମୋଟ ୧୦୩୭ଟି ସ୍ଵୟଂଶାସିତ ଏବଂ ଯୁକ୍ତ ତିନି କଲେଜ ରହିଛି । ସେଥିମଧ୍ୟରୁ ୨ ଲକ୍ଷ ୭୩ ହଜାର ୧୫ଟି ସିଟ ରହିଛି । ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪ ହଜାର ୫୫୨ ସିଟ ରହିଥିବା ବେଳେ ଦ୍ଵିତୀୟ ସର୍ବାଧିକ କଟକ ଜିଲ୍ଲାରେ ରହିଛି । କଟକରେ ସିଟ ସଂଖ୍ୟା ୨୧ ହଜାର ୮୧୨ ରହିଛି ଏବଂ ଖୋର୍ଦ୍ଧା ଜିଲ୍ଲାରେ ସିଟ ରହିଛି ୨୧ ହଜାର ୧୨୩ ।

ଆଷାଢରେ ବୈଶାଖ ତାତି, ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗାଏବ

ଭୁବନେଶ୍ୱର : ଆଷାଢରେ ବୈଶାଖ ତାତି । ପ୍ରାକ୍ ମୌସୁମୀ ବର୍ଷା ବଦଳରେ ରାଜ୍ଯରେ ବହୁଛି ଝାଞ୍ଜିପବନ । ସ୍ବାଭାବିକ ସମୟର ୪ ଦିନ ଆଗରୁ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିଲେ ମଧ୍ଯ ଆଗକୁ ବଢ଼ିବା ବଦଳରେ ଏହା ପୁରା ଗାଏବ ହୋଇଯାଇଛି। ବଙ୍ଗୋପସାଗରରେ ନା ଲଘୁଚାପ ହେଲା ନା ପ୍ରାକ୍ ମୌସୁମୀ ବର୍ଷା ହୋଇଛି।

ପ୍ରବଳ ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ଯବାସୀ । ବିଶେଷଜ୍ଞ ଆକଳନ ଅନୁସାରେ, ୨୪ ତାରିଖ ମଧ୍ୟରେ ଓଡ଼ିଶାରେ ବଡ଼ ବର୍ଷା ନାହିଁ । ତେବେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ଆଜି ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହୋଇପାରେ। ୧୮ ତାରିଖରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ।

କାଳବୈଶାଖୀ ବର୍ଷା ପାଇଁ ୨୫ଟି ଜିଲ୍ଲାକୁ ଜାରି କରାଯାଇଛି ସତର୍କତା । କାଳବୈଶାଖୀ ସତ୍ତ୍ବେ କିଛି ସ୍ଥାନରେ ଗରମ ଗୁଳୁଗୁଳି ଲାଗି ରହିବ।ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଦୁର୍ବଳ ହୋଇଥିବା ମୌସୁମୀ ନିମ୍ନଚାପରେଖା ସକ୍ରିୟ ହେବା ସହ ମୌସୁମୀ ଆଗକୁ ବଢିବ ବୋଲି ଆକଳନ କରାଯାଇଛି।

ଧାନ ଖାଇବାକୁ ଆସି ଗଲା ଦନ୍ତାର ଜୀବନ

ସମ୍ୱଲପୁର : ଯୁଯୁମୁରା ବସିଆପଡାରେ ଧାନ ଖାଇବାକୁ ଆସି ଦନ୍ତାର ଜୀବନ ଗଲା। ଗାଁ ଭିତରେ ପଶି ଧାନ ଖାଉଥିବା ସମୟରେ ବିଦ୍ୟୁତ ତାର ସହ ଲାଗି ଦନ୍ତାର ମୃତ୍ୟୁ ହୋଇଛି। ଗାଁ ଭିତରେ ପଡି ରହିଛି ଦନ୍ତାର ମୃତଦେହ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବନ ବିଭାଗର ଟିମ୍। ଦୀର୍ଘଦିନ ହେଲ‍ା ଗାଁରେ ହାତୀ ଉପଦ୍ରବ କରୁଥିବା ବେଳେ, ଭୟଭୀତ ଅବସ୍ଥାରେ ଥିଲେ ଲୋକେ।

ଟ୍ରାକ୍ଟରକୁ ଧକ୍କା ଦେଲା କାର୍, ଘଟଣାସ୍ଥଳରେ ୪ ମୃତ

ନୂଆପଡ଼ା : ନୂଆପଡା ଖଡିଆଳରୁ ଭବାନୀପାଟଣା ରାସ୍ତାର ଲାଛିପୁର ଗାଁ ନିକଟରେ ଦୁର୍ଘଟଣା। ଟ୍ରାକ୍ଟରକୁ କାର ଧକ୍କା ଦେବାରୁ କାରରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହାସହ ଟ୍ରାକ୍ଟରରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଖଡିଆଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। । କାରଟି ଖଡିଆଳରୁ ତୁକୁଲା ପଟକୁ ଯାଉଥିବା ବେଳେ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ମୃତକ ହେଲେ ଖଡିଆଳ ସହରର ଋଷୀ ସାହୁ, ଶୁଭମ୍ ମହାଉତି, ବଣ୍ଟି ସିଂ ଲାଲ ଓ ଗୁଡୁ। ପୋଲିସ ଘଟଣାର ତଦନ୍ତ କରୁଛି।

ସ୍ୟାଟ୍ ଉଚ୍ଛେଦ ପରେ ବିଚାର ହୋଇପାରୁନି ସରକାରୀ କର୍ମଚାରୀଙ୍କ ମାମଲା, ପୁଣି କାର୍ଯ୍ୟକାରୀ କରିବାକୁ ଉଠିଲା ଦାବି

ଭୁବନେଶ୍ବର: ସ୍ୟାଟ ଉଚ୍ଛେଦ ହେବା ପରେ ବହୁ ସରକାରୀ କର୍ମଚାରୀଙ୍କ ମାମଲା ବିଚାର ହୋଇ ନପାରି ପଡିରହିଛି । ହାଇକୋର୍ଟ ଉପରେ ବହୁ ମାମଲାର ଚାପ ରହୁଥିବାରୁ ଏସବୁ ମାମଲାର ତ୍ୱରିତ ବିଚାର ହୋଇପାରୁନି । ଯାହାକୁ ନେଇ କର୍ମଚାରୀମାନେ ପୁଣିଥରେ ସ୍ୟାଟର ପୁନଃସ୍ଥାପନା ପାଇଁ ଦାବି କରିଛନ୍ତି । ଅନ୍ୟ କିଛି ରାଜ୍ୟରେ ସ୍ୟାଟ କାର୍ଯ୍ୟ କରୁଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶାରେ ପୁଣି ଥରେ ଏହା କାର୍ଯ୍ୟକାରୀ କରିବାକୁ ଦାବି ଉଠିଛି । ପୂର୍ବରୁ ସ୍ୟାଟ ଉଚ୍ଛେଦ ବିରୋଧୀ ଆନ୍ଦୋଳନ ବେଳେ ବିଜେପି ସ୍ୟାଟ ସପକ୍ଷରେ ମତ ରଖୁଥିଲା । ଏବେ ବିଜେପି ସରକାର ଆସିଥିବାରୁ ପୁଣି ଥରେ ସ୍ୟାଟ କାର୍ଯ୍ୟକାରୀ ହେବା ନେଇ ସରକାରୀ କର୍ମଚାରୀ ଆଶା ରଖିଛନ୍ତି ।

ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ ବା ସ୍ୟାଟ ଉଚ୍ଛେଦ ପରେ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବଢି ଚାଲିଛି ସମସ୍ୟା । ବିଭିନ୍ନ ସମସ୍ୟାକୁ ନେଇ କର୍ମଚାରୀମାନେ ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି । ହାଇକୋର୍ଟଙ୍କ ନିକଟରେ ଏଭଳି ବହୁ ମାମଲା ଜମା ହୋଇ ରହିଥିବାରୁ ତ୍ୱରିତ ବିଚାର ହୋଇପାରୁ ନଥିବା କହିଛନ୍ତି କର୍ମଚାରୀ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପୁଣିଥରେ ସ୍ୟାଟ ପୁନଃ ସ୍ଥାପନ କରିବା ପାଇଁ ଦାବି ଉଠାଇଛନ୍ତି । କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ କ୍ୟାଟ ଓ ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ସ୍ୟାଟ ବ୍ୟବସ୍ଥା କରାଯାଇଥିଲା । ବହୁ ସରକାରୀ କର୍ମଚାରୀ ଲମ୍ବା ସମୟ ଧରି ଏହାଦ୍ୱାରା ଉପକୃତ ମଧ୍ୟ ହେଉଥିଲେ । କିନ୍ତୁ ଏହା ବନ୍ଦ ହେବା ପରେ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏପରିକି ସ୍ୟାଟ ଉଚ୍ଛେଦ ବେଳେ ହୋଇଥିବା ବିରୋଧ ଓ ଆନ୍ଦୋଳନକୁ ବିଜେପି ସମର୍ଥନ କରିବା ସହ ସ୍ୟାଟ ସପକ୍ଷରେ ମତ ରଖିଥିଲା । ତେଣୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ସ୍ୟାଟ ପୁନଃସ୍ଥାପିତ ଦାବି ଉଠିବା ସହ ନୂଆ ସରକାର ଏହାକୁ ପୂରଣ କରିବେ ବୋଲି କର୍ମଚାରୀ ସଂଘ ଆଶାବାଦୀ ହୋଇପଡିଛନ୍ତି ।

ସେପଟେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏବେ ବି କଟକରେ କ୍ୟାଟ ବେଞ୍ଚ କାର୍ଯ୍ୟକାରୀ ରହିଛି । କିନ୍ତୁ ସ୍ୟାଟ ଉଚ୍ଛେଦ ଫଳରେ ଓଡ଼ିଶାର ସରକାରୀ କର୍ମଚାରୀମାନେ ବହୁ ସମସ୍ୟାରେ ପଡୁଛନ୍ତି । ସେମାନଙ୍କ ମାମଲାଗୁଡିକର କେବେ ସମାଧାନ ହେବ ତାହା ଅନିଶ୍ଚିତତା ମଧ୍ୟକୁ ଚାଲିଯାଉଛି । ତେଣୁ ସ୍ୟାଟ ବ୍ୟବସ୍ଥାର ପୁନଃସ୍ଥାପିତ ପାଇଁ ଆଇନଜୀବୀ ମାନେ ମତ ରଖିଛନ୍ତି । ସ୍ୟାଟ ଉଚ୍ଛେଦ ନିଷ୍ପତ୍ତି ସମୟରେ ଆଇନଜୀବୀମାନେ ଜୋରଦାର ଆନ୍ଦୋଳନ ଚଳାଇଥିଲେ । ଏହି ଆନ୍ଦୋଳନ ଆଇନଜୀବୀଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ନିହିତ ଥିବା କୁହାଯାଇଛି । ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ନେତାମାନେ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ । ତେଣୁ ଏବେ ବିଜେପି ସରକାରରେ ଥିବାରୁ ସ୍ୟାଟ ପୁଣି ଥରେ ଅବସ୍ଥାପିତ ହେବା ଆବଶ୍ୟକ ବୋଲି ଆଇନଜୀବୀ ମତ ରଖିଛନ୍ତି ।

ସ୍ୟାଟ ଉଠିବା ପରେ ସରକାରୀ ଚାକିରିରେ ନିଯୁକ୍ତିଠାରୁ ଚାକିରି ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ପେନସନ ଆଦି ବିଭିନ୍ନ ମାମଲା ହାଇକୋର୍ଟରେ ବିଚାର ହେଉଛି । ହାଇକୋର୍ଟଙ୍କ ଉପରେ ବିଭିନ୍ନ ପ୍ରକାର ମାମଲାର ଅତ୍ୟଧିକ ଚାପ ଯୋଗୁଁ ସରକାରୀ କର୍ମଚାରୀଙ୍କ ସମସ୍ୟା ସମ୍ପର୍କିତ ମାମଲାର ବିଚାର ବହୁ ବିଳମ୍ବିତ ହେଉଛି ।

ନାମଲେଖା ବାତିଲ ହେଲେ ଛାତ୍ରଛାତ୍ରୀ ଫେରସ୍ତ ପାଇବେ ସମ୍ପୂର୍ଣ୍ଣ ଫି’

ଭୁବନେଶ୍ବର: ନାମଲେଖା ବାତିଲ ହେଲେ ଛାତ୍ରଛାତ୍ରୀ ପାଇବେ ସମ୍ପୂର୍ଣ୍ଣ ଫି’। ଏ ନେଇ ମାର୍ଗଦର୍ଶିକା ଜାରି କରିଛନ୍ତି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି । ସମ୍ପୂର୍ଣ୍ଣ ଫି ଫେରସ୍ତ ପାଇବା ପାଇଁ ସେପ୍ଟେମ୍ବର ୩୦ର ଡେଡଲାଇନ୍ ବି ସ୍ଥିର କରାଯାଇଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ କଲେଜ ଅଧ୍ୟକ୍ଷ ଓ କୁଳପତିମାନଙ୍କୁ ୟୁଜିସି ପକ୍ଷରୁ ଚିଠି କରାଯାଇଛି । ନିୟମ ଖିଲାଫ କଲେ, ସମ୍ପୃକ୍ତ ଉଚ୍ଚଶିକ୍ଷାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ୟୁଜିସି ପକ୍ଷରୁ ଫି ଫେରସ୍ତ ନୀତି ୨୦୨୪-୨୫ ଜାରି କରାଯାଇଛି । ନାମଲେଖା ବାତିଲ୍ କିମ୍ବା ପ୍ରତ୍ୟାହାର ପରେ ଫି ଫେରସ୍ତକୁ ନେଇ ଅନେକ ଶିକ୍ଷାନୁଷ୍ଠାନ ମନମୁଖି ଚଳାଇଥିବା ଅଭିଯୋଗ ହୋଇଆସୁଥିଲା । ଏହାକୁ ନେଇ ୟୁଜିସି ପକ୍ଷରୁ ଏପରି ଚରମ ପଦକ୍ଷେପ ନିଆଯାଇଛି । ଫି ଫେରସ୍ତରେ ସ୍ବଚ୍ଛତା ନେଇ ଏକ ଗାଇଡଲାଇନ୍ ଜାରି କରାଯାଇଛି । ୟୁଜିସିର ବୈଠକରେ ଏ ଦିଗରେ ଆଲୋଚନା ହୋଇଥିଲା । ଏହାପରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଫି ଫେରସ୍ତ ନୀତିରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଏନେଇ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ନୀତି ଅନୁଯାୟୀ ସେପ୍ଟେମ୍ବର ୩୦ ମଧ୍ୟରେ ଯଦି ନୂଆ ନାମଲେଖା ପ୍ରତ୍ୟାହାର କିମ୍ବା ବାତିଲ କରନ୍ତି, ତେବେ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ଫି ଫେରସ୍ତ କରାଯିବ । ଯଦି ଅକ୍ଟୋବର ୩୧ ମଧ୍ୟରେ ବାତିଲ କିମ୍ବା ପ୍ରତ୍ୟାହାର କରନ୍ତି, ତେବେ ଶିକ୍ଷାନୁଷ୍ଠାନ ଗୁଡ଼ିକ ମାତ୍ର ଏକ ହଜାର ଟଙ୍କା ଫେରସ୍ତ କରିବେ । ଏହି ନିୟମକୁ ୟୁଜିସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟ, ରାଜ୍ୟ ଓ କେନ୍ଦ୍ର ବିଶ୍ବବିଦ୍ୟାଳୟ, ଡିମଡ୍ ଟୁ ବି ବିଶ୍ବବିଦ୍ୟାଳୟ ଅନୁମୋଦିତ ସଂସ୍ଥା କ୍ଷେତ୍ରରେ ଲାଗୁ କରାଯିବ । ଏହା ଅଧିକାଂଶ ଗରିବ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ।

ୟୁଜିସି ଆଉ ଏକ ସନ୍ଦେହ ବି ଦୂର କରିଛି । ଯଦି କୌଣସି ଉଚ୍ଚଶିକ୍ଷାନୁଷ୍ଠାନର ନାମଲେଖା କାର୍ଯ୍ୟସୂଚୀରେ ପରିବର୍ତ୍ତନ କିମ୍ବା ୩୧ ଅକ୍ଟୋବର ପରେ ହେଉଛି, ତେବେ ୟୁଜିସି ପକ୍ଷରୁ ୨୦୧୮ର ଫି’ ଫେରସ୍ତ ନୀତି ଲାଗୁ କରାଯିବ । ଏହା ଜରିଆରେ ନାମଲେଖା ଶେଷ ତାରିଖର ୧୫ ଦିନ କିମ୍ବା ପୂର୍ବରୁ ନାମଲେଖା ପ୍ରତ୍ୟାହାର କଲେ ଶତ ପ୍ରତିଶତ ଟଙ୍କା ଫେରସ୍ତ ଦିଆଯିବ । ସେହିପରି ୧୫ ଦିନରୁ କମ୍ ଦିନ ପୂର୍ବରୁ ନାମଲେଖା ବାତିଲ୍ କଲେ, ୯୦ ପ୍ରତିଶତ ଟଙ୍କା ଫେରସ୍ତ କରାଯିବ । ନାମଲେଖା ଶେଷ ତାରିଖ ପରେ ୧୫ ଦିନ ଭିତରେ ନାମଲେଖା ପ୍ରତ୍ୟାହାର କଲେ ୮୦ ପ୍ରତିଶତ ଟଙ୍କା ଫେରସ୍ତ ଦିଆଯିବ । ସେହିପରି ୩୦ ଦିନ ମଧ୍ୟରେ ନାମଲେଖା ପ୍ରତ୍ୟାହାର କଲେ ୫୦ ପ୍ରତିଶତ ଟଙ୍କା ଫେରସ୍ତ ହେବାକୁ ଥିବା ବେଳେ ୩୦ ଦିନ ପରେ ବାତିଲ କଲେ କିଛି ଟଙ୍କା ଫେରସ୍ତ ହେବ ନାହିଁ । ଯାହା ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହେବ ।

ୟୁଜୁସିର ଏହି ନୂଆ ନିୟମ ମାନିବାକୁ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ବାଧ୍ୟ । ଯଦି ଏଥିରେ କୌଣସି ଖିଲାପ ହୁଏ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ୟୁଜୁସିର ଫି ଫେରସ୍ତ ବିଜ୍ଞପ୍ତିର କ୍ଲଜ ୫ ଆଧାରରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।

ଚାରିଦ୍ବାର ଖୋଲିବା ପରେ ବଢ଼ିଲା ଦୁର୍ଦ୍ଦଶା; ମହାପ୍ରଭୁଙ୍କ ଦର୍ଶନ ପାଇଁ ସାତ ପାହାଚରେ ଭକ୍ତ ହନ୍ତସନ୍ତ, ପରୋକ୍ଷରେ ବିଶୃଙ୍ଖଳା କଥା ମାନିଲେ ସରକାର

ପୁରୀ: ପୁରୀରେ ଭିଡ଼ ମାନେ କହିବାକୁ ନାହିଁ । ଚାରି ଦ୍ବାର ଖୋଲାଯିବା ପରେ ଯେଉଁ ଆଶା କରାଯାଉଥିଲା ଭକ୍ତ ସୁରୁଖୁରୁରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ, ତାହା ହୋଇପାରିନାହିଁ । ଭକ୍ତ କହୁଛନ୍ତି- ଅସହ୍ଯ ଗରମ ଗୁଳୁଗୁଳିରେ ଶ୍ରୀମନ୍ଦିର ବାହାରେ ଯେତିକି ଅପେକ୍ଷା କରିବାକୁ ପଡୁଛି, ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ତାଠୁ ଅଧିକ ସଂଘର୍ଷ କରିବାକୁ ପଡୁଛି । ବୈଠକ କରି ଏହାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଥିବା ବେଳେ ଆଇନ ମନ୍ତ୍ରୀ କହିଛନ୍ତି, ସମାଲୋଚନା ନ କରି ସହଯୋଗ କଲେ ସମାଧାନ ହେବ । ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ସବୁ ଠିକ୍ ହୋଇଯିବ । ସେପଟେ ବିଜେଡି କହିଛି, ପରୋକ୍ଷରେ ବିଶୃଙ୍ଖଳା କଥା ନିଜେ ମାନିଲେଣି ମନ୍ତ୍ରୀ ।

ପୁରୀରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ । ବଡ଼ଦାଣ୍ଡରେ ଲାଇନ ଲମ୍ବିଛି ଯେ ଲମ୍ବିଛି । କେବଳ ଦିନ ବେଳା ନୁହେଁ, ରାତିରେ ବି ପ୍ରବଳ ଗହଳି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଚାରିଦ୍ବାର ଖୋଲାଯିବା ପରେ ସ୍ଥିତି ସୁଧୁରିବା ବଦଳରେ ଆହୁରି ସଙ୍ଗୀନ ହୋଇଛି । ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଯେତିକି ଅହସ୍ଯ ଗରମ ଗୁଲୁଗୁଳିରେ ଲମ୍ବା ଲାଇନରେ ଯେତିକି ଅପେକ୍ଷା କରିବାକୁ ପଡ଼ୁଛି, ଭିତରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ତାଠାରୁ ଅଧିକ ସଂଘର୍ଷ କରିବାକୁ ପଡୁଛି । ଭକ୍ତ ଆଶା କରିଥିଲେ, ଚାରିଦ୍ବାର ଖୋଲାଯିବା ପରେ ଶୃଙ୍ଖଳିତ ଭାବେ ସୁରୁଖୁରୁରେ ଦର୍ଶନ ହେବ । କିନ୍ତୁ ତାହା ହୋଇପାରି ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ସମାଧାନ ପାଇଁ ଶୀଘ୍ର ବୈଠକ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୮ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି । ସ୍ଥିତି ଅନୁଧ୍ୟାନ କରିବାକୁ ନିଜେ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ସଞ୍ଜୟ କୁମାର ଡେରା ପକାଇଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି, ରଜ ଛୁଟି ଯୋଗୁଁ ସ୍ବାଭାବିକଠାରୁ ଅଧିକ ଭିଡ଼ ହୋଇଛି । ସମସ୍ତଙ୍କ ସହଯୋଗରେ ଜଗନ୍ନାଥଙ୍କ ଆଶୀର୍ବାଦରେ ସବୁ କିଛି ଠିକ୍ ହୋଇଯିବ । ସେପଟେ ବିଜେଡି କହିଛି, ଚାରିଦ୍ବାର ଖୋଲିବା ପରେ ବିଶୃଙ୍ଖଳା ହୋଇଥିବା ମନ୍ତ୍ରୀ ପରୋକ୍ଷରେ ମାନିଛନ୍ତି । ଚାରିଦ୍ବାର ନ ଖୋଲିବା ନିଷ୍ପତ୍ତି ବିଜେଡି ସରକାରର ଭୁଲ ନ ଥିଲା । କମିଶନଙ୍କ ରିପୋର୍ଟ ଆଧାରରେ ସେହି ନିଷ୍ପତ୍ତି ନିଆଯାଇଥିଲା । ଏବେ ଯେଉଁ ସ୍ଥିତି ହେଉଛି, ତାକୁ ନୂଆ ସରକାର କିପରି ସମ୍ଭାଳୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଶ୍ରୀମନ୍ଦିର ଭିଡ଼ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ବରିଷ୍ଠ ଅଧିକାରୀ । ଏହା ସହ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସ୍ତୁତି ବାବଦରେ ବି ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ନେତ୍ରୋତ୍ସବ, ନବଯୌବନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ନୀତିକାନ୍ତିକୁ ନେଇ ବିଚାର ବିମର୍ଶ ହୋଇଛି ।

ଡିପଥେରିଆରେ ୫ ଶିଶୁ ମୃତ, ଏବେ ବି ୫ ଜଣ ଚିକିତ୍ସାଧୀନ

ରାୟଗଡ଼ା: କାଶୀପୁର ବ୍ଲକ ମୁନୁଷପଦରେରେ ଡିପଥେରିଆ ଆତଙ୍କ । ୫ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଚିକିତ୍ସାଧୀନ ଅଛନ୍ତି । ଡାକ୍ତରୀ ଟିମ୍ ପରିସ୍ଥିତି ଉପରେ ସର୍ତକ ନଜର ରଖିଛନ୍ତି ।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ପୂର୍ବରୁ ସମସ୍ତ ଆକ୍ରାନ୍ତଙ୍କ ନମୂନା ଅଧିକ ଯାଞ୍ଚ ପାଇଁ ଭୁବନେଶ୍ବର ପଠାଯାଇଥିଲା । ରିପୋର୍ଟ ଆସିବା ପରେ ସମସ୍ତ ୫ ମୃତକ ଡିପଥେରିଆରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ବର୍ତ୍ତମାନ ଅନ୍ୟ ୫ଣ ଆକ୍ରାନ୍ତ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ୩ ଦିନ ତଳେ ଭୁବନେଶ୍ବରରୁ ଏକ ଡାକ୍ତରୀ ଟିମ ଓ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟରୁ ଟିମ ଗାଁକୁ ଆସି ଆକ୍ରାନ୍ତ ପିଲାଙ୍କ ସମେତ ଅନ୍ୟ ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ ।

ଆକ୍ରାନ୍ତଙ୍କ ଗଳାରୁ ନମୁନା ଓ ପାନୀୟଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନୁଷପଦର ଶିଶୁମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ, ଘଟଣା ସଂପର୍କରେ ସର୍ତକ ନଜର ରଖିବା, ପରିମଳ ଓ ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶେଷ ରଜ: ଗାଁଠୁ ସହର ଉତ୍ସବମୁଖର, ପିଠାପଣାର ବାସ୍ନାରେ ମହକୁଛି ପରିବେଶ

ଭୁବନେଶ୍ବର: ଆଜି ଶେଷ ରଜ । ପହିଲି ରଜ ଓ ରଜ ସଂକ୍ରାନ୍ତି ପରି ଆଜି ମଧ୍ୟ ସାରା ରାଜ୍ୟରେ ରଜ ଉତ୍ସବ ଦେଖିବାକୁ ମଳିଛି । ଓଡ଼ିଶାର ଏହି ଗଣପର୍ବକୁ ଧୂମଧାମରେ ପାଳନ କରିଛନ୍ତି ଲୋକେ । କେଉଁଠି କବାଡି ପ୍ରତିଯୋଗୀତା ତ କେଉଁଠି ପୁଚି ଖେଳ । କେଉଁଠି ଲୁଡୁ ଓ ତାସର ଜମିଛି ଆସର ତ ଆଉ କେଉଁଠି ମେହେନ୍ଦି ପ୍ରତିଯୋଗିତା । ଏମିତି ଭାବେ ଗାଁଠୁ ସହର ସାରା ଓଡ଼ିଶାରେ ପାଳନ ହେଉଛି ରଜ । ଏହାସହ ଘରେ ଘରେ ତିଆରି ହେଉଛି ପିଠାପଣା । ପିଠାପଣାର ବାସ୍ନାରେ ମହକୁଛି ପରିବେଶ ।

କମ୍ପୁଛି ଭୁବନେଶ୍ବର ଧଉଳି ପାଦଦେଶ । ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ପାଳନ ହେଉଛି ଚତୁର୍ଥ ଧଉଳି ରଜ ମହୋତ୍ସବ-୨୦୨୪ । ବୈରଙ୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ରଜ ଉତ୍ସବରେ ମେହେନ୍ଦି, ରଜପାନ, ଅଳତା, ପୋଡ଼ପିଠା, ରଙ୍ଗୋଲି, ହୁଳହୁଳି, ଶଙ୍ଖଧ୍ବନି, ପୁଚି, ମ୍ୟୁଜିକ ଚେୟାର, ରମ୍ଭାଲ ଗେରି, ବେଲୁନ ଫୁଙ୍କା, ରଜ କୁଆଁରୀ ଓ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଓଡ଼ିଆ ସଂସ୍କୃତିର ଏହି ପାରମ୍ପରିକ ଖେଳରେ କୃତୀ ପ୍ରତିଯୋଗୀଙ୍କୁ କରାଯାଉଛି ପୁରସ୍କୃତ । ଏହାସହ ଅଭିଜିତ ମଜୁମଦାର, ଇରା ମହାନ୍ତି, ତାରିକ ଅଜିଜ ଏବଂ ବର୍ଣାଳି ହୋତାଙ୍କ ଗୀତରେ ଝୁମୁଛନ୍ତି ଶ୍ରୋତା । ସେପଟେ ନୂଆଗାଁ ଓ ନୁଆପଲ୍ଲୀରେ ରଜ ସଂକ୍ରାନ୍ତିରେ ନାହିଁ ନଥିବା ଭିଡ଼ । ପାରମ୍ପରୀକ ଦୋଳି ସାଙ୍ଗକୁ ରାମ ଦୋଳି, ଟୋରାଟେରା, ବ୍ରେକ ଡ୍ୟାନ୍ସ, ଡ୍ରାଗନ ଭଳି ଅନେକ ଦୋଳି ସାଙ୍ଗକୁ ଫୁଡ୍ କୋର୍ଟ ସାଜିଛି ସମସ୍ତଙ୍କ ଆକର୍ଷଣ ।

କଟକ ସହରର ଉପକଣ୍ଠ ଜଗତପୁର ତରୋଳଠାରେ ଧୁମଧାମରେ ରଜ ମନେଇଛନ୍ତି କୁନିକୁନି ଝିଅ, କିଶୋରୀ ଓ କୁଆଁରୀ । ଦୋଳି ଖେଳ ସାଙ୍ଗକୁ ନାଚଗୀତ, କବାଡି ଖେଳ ଓ ଫ୍ୟାସନ ଶୋ’ର ଆୟୋଜନ କରାଯାଇଛି । ଏହାସହ ପିଠାପଣା, ଆମିଷ ଓ ସୁଆଦିଆ ପାନ ରଜ ଖୁସିକୁ ଦ୍ବିଗୁଣିତ କରିଛି । ସୂତାରେ ଟଙ୍ଗା ହୋଇଥିବା ଜଲେବିକୁ ଖାଇବାକୁ କୁନି ପିଲାଙ୍କ ମଧ୍ଯରେ ଲାଗିଥିଲା ପ୍ରତିଯୋଗିତା ।

ଗଣପର୍ବ ରଜ ପାଇଁ ଚଳଚଞ୍ଚଳ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ଶ୍ରୀବନ୍ତପୁର ଅଞ୍ଚଳ । ୧୯୦୫ ମସିହାରେ ଏହି ଶ୍ରୀବନ୍ତପୁର ଅଞ୍ଚଳରେ ଆରମ୍ଭ ହୋଇଥିଲା ରାମରଜା ପର୍ବ । ଦୀର୍ଘ ୧୧୯ ବର୍ଷ ଧରି ପାଳିତ ହେଉଥିବା ଏହି ଉତ୍ସବ ପୃଷ୍ଟଭୂମି କିଛି ନିଆରା । ବ୍ରିଟିଶ ଶାସନ କାଳରେ ଗାଁର କିଛି ଲୋକ ସୁଦୂର କଲିକତାରେ ଶ୍ରମକାର୍ଯ୍ୟ କରିବାକୁ ଯାଇ ଫଶି ଯାଇଥିଲେ । ସେଠାରେ ଶ୍ରୀରାମଙ୍କୁ ସ୍ମରଣ କରି ବିପଦରୁ ମୁକ୍ତି ପାଇଥିଲେ । ଏନେଇ ମାନସିକ ରକ୍ଷା କରି ରାମତାଲାରୁ ମାଟି ଆଣି ସେହିବର୍ଷରୁ ଗାଁରେ ଆରମ୍ଭ କରିଥିଲେ ରାମରଜା ପର୍ବ । ଶ୍ରୀବନ୍ତପୁର, ବାରଡାଙ୍ଗୀ, ଭଗତଭଗବାନପୁର, କାନପୁର, ଆନନ୍ଦବଜାର, ବାଗଡିଆଁ ଭଳି ୮ଟି ସ୍ଥାନରେ ପାଳିତ ହେଉଛି ଏହି ନିଆରା ପର୍ବ ।

ରଜକୁ ଧୁମଧାମରେ ପାଳନ କରୁଛନ୍ତି କେନ୍ଦ୍ରାପଡ଼ା ବାସୀ । ପୋଡ଼ ପିଠା ଓ ପାନ ବାଣ୍ଟି ଆନନ୍ଦର ସହ ପାଳନ କରୁଛନ୍ତି ରଜ ପର୍ବ । ରାଜନଗର ଡାଙ୍ଗମାଳର ମାଆ ଜୟଦୂର୍ଗାଙ୍କ ପୀଠରେ ରଜ ଉତ୍ସବ ପାଳନ କରାଯାଉଛି । ଡାଙ୍ଗମାଳ ଓ ଖମାରସାହି ପଞ୍ଚାୟତର ୫ଟି ସ୍ଵଂୟ ସହାୟକ ଗୋଷ୍ଠୀର ମାଆମାନେ ପୋଡ଼ ପିଠା ଓ ରଜ ପାନ ସମସ୍ତଙ୍କୁ ବାଣ୍ଟିଛନ୍ତି । ସେପଟେ ରଜ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମ ଦେବ ମନ୍ଦିର ପରିସରରେ ଦୀର୍ଘ ୫୦ ବର୍ଷ ହେଲା ଆୟୋଜିତ ହୋଇଆସୁଛି ପାଲା ମହୋତ୍ସବ । ଟାଙ୍ଗୀ ବଳରାମ ଦେବ କୈବର୍ତ୍ତ ସଙ୍ଘ ପକ୍ଷରୁ ଏହି ଉତ୍ସବ ପାଳନ କରାଯାଉଥିବା ବେଳେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ମୁନିଗୁଡା ଅଂଚଳରେ ବି ରଜ ପର୍ବକୁ ଧୁମଧାମରେ ପାଳନ କରାଯାଇଛି ।

ଶେଷ ରଜର ପରଦିନ ବସୁମତୀ ମାତଙ୍କ ସ୍ନାନ ଉତ୍ସବ । ଜଗତର ମଙ୍ଗଳ କାମନା କରି  ଶିଳପୁଆ ରଖି ସ୍ନାନ କରାଇ ସିନ୍ଦୁର ଫୁଲ ଚନ୍ଦନ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରାଯାଇଥାଏ ।

ତିନିଦିନ ଗାଁ ଅନ୍ଧାର, ବିଦ୍ୟୁତ କର୍ମଚାରୀ ଅଟକ

ନୟାଗଡ଼: ତିନିଦିନ ହେବ ଗାଁରେ ବିଦ୍ୟୁତ ନଥିଲା । ବାରମ୍ବାର ଟୋଲ୍ ଫ୍ରି ନମ୍ବରକୁ କଲ କରିବା ସହ ଜେଇଙ୍କୁ ଜଣାଇଲେ ଗ୍ରାମବାସୀ । ହେଲେ ସମସ୍ୟାର ସମାଧାନ ବଦଳରେ ଗ୍ରାମବାସୀଙ୍କ ଦୁର୍ବ୍ୟବହାର କରିଥିଲେ । ଆଜି ବିଦ୍ୟୁତ୍ ବିଭାଗ ସୁପର ଭାଇଜର ଗାଁକୁ ଆସିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ରଖିଲେ ଅଟକ ।

ଏମିତି ଘଟଣା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସେନ୍ତେରୀ ଗାଁରେ ଘଟିଛି । ତିନିଦିନ ହେବ ଗାଁରେ ବିଦ୍ୟୁତ୍ ନାହିଁ । ବାରମ୍ବାର ଜଣାଇବା ପରେ ବି ବିଦ୍ୟୁତ ସରବରାହ ସୂଚାରୁ କରାଗଲାନି । ଏପରିକି ଅଭିଯୋଗ କରିବାରୁ ବିଭାଗୀୟ କର୍ମଚାରୀ ଗ୍ରାମବାସୀଙ୍କ ଦୁର୍ବ୍ୟବହାର କରିବାକୁ ବି ପଛାଇଲେନି । ଆଜି ବିଦ୍ୟୁତ୍ ବିଭାଗ ସୁପରଭାଇଜର କୌଣସି କାମ ପାଇଁ ସେନ୍ତେରୀ ଗାଁକୁ ଆସିଥିଲେ । ଏହି ସମୟରେ ଉତ୍ତ୍ୟକ୍ତ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ କର୍ମଚାରୀ ଓ ଗାଡିକୁ ଅଟକ ରଖିଥିଲେ ।

ବିଦ୍ୟୁତ୍ ସରବରାହ ଠିକ ନହେବା ପର୍ଯ୍ୟନ୍ତ କର୍ମଚାରୀ ଓ ଗାଡିକୁ ଛଡ଼ାଯିବ ନାହିଁ ବୋଲି ଜିଦରେ ଅଟଳ ରହିଥିଲେ ଗ୍ରାମବାସୀ । ଦୀର୍ଘ ସମୟ ଅଟକ ରହିବା ପରେ ଶେଷରେ ଗାଁରେ ବିଦ୍ୟୁତ୍ ସରବରାହ ଠିକ୍ କରାଯାଇଥିଲା । ଏହା ପରେ ଏମିତି ସମସ୍ୟା ପୁଣି ହେବ ନାହିଁ ବୋଲି ସୁପରଭାଇଜର ପ୍ରତିଶ୍ରୁତି ଦେବା ପରେ ସ୍ଥିତି ଶାନ୍ତ ପଡିଥିଲା ଓ ତାଙ୍କୁ ଛାଡି ଦିଆଯାଇଥିଲା ।