spot_img
Home Blog Page 175

ରାଜ୍ୟବାସୀଙ୍କୁ ଦୁର୍ଗାପୂଜା ଓ ଦଶହରା ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ଦୁର୍ଗାପୂଜା ଓ ଦଶହରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅସତ୍ୟ ଉପରେ ସତ୍ୟର ବିଜୟ ହେଉଛି ଦଶହରାର ବାର୍ତ୍ତା । ଏହି ପବିତ୍ର ଅବସରରେ ଅନ୍ୟାୟ ଅନୀତି ଓ ଅତ୍ୟାଚାର ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ ମା’ଙ୍କ ଆଶୀର୍ବାଦ କାମନା କରିଛନ୍ତି ନବୀନ ।

ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଆଜି କଳାହାଣଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି । ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ସରିବା ପରେ ମନ୍ଦିର ଅଭିମୁଖେ ବାହାରିଛି ମା’ଙ୍କ ବିଜୟ ପ୍ରତିମା ଛତର ।

ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଛନ୍ତି । ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳିଛି । ଜେନା ବାଦ୍ୟ ଓ ବୀର ବାଦ୍ୟ ଘୁମୁରାର ତାଳେ ତାଳେ ମା’ଙ୍କୁ ପାଛୋଟି ନେଉଛନ୍ତି ଶ୍ରଦ୍ଧାଳୁ ।

ଯାତ୍ରାରେ ମାଣିକେଶ୍ବରୀଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ମା’ ମାଣିକେଶ୍ବରୀଙ୍କ ପାଖରେ ବଳି ଦିଆଯିବାର ଏକ ସ୍ବତନ୍ତ୍ର ପରମ୍ପରା ରହିଛି । ରୀତିନୀତି ଅନୁଯାୟୀ ହଜାର ହଜାର ବର୍ଷ ଧରି ଏହି ଯାତ୍ରାକୁ ପାଳନ କରିଆସୁଛନ୍ତି କଳାହାଣ୍ଡିବାସୀ । ସେପଟେ ମା’ଙ୍କ ବିଜୟ ପ୍ରତିମା ଛତର ବାହାରିବା ପରେ ପରେ ମାନସିକ ଧାରୀଙ୍କ ବୋଦା, କୁକୁଡ଼ା ଆଦି ବଳି ଦେବା  ଆରମ୍ଭ ହୋଇଛି ।

ବିଜେପି ସରକାରରେ ଖର୍ଚ୍ଚ ହୋଇପାରୁନି ବିଭିନ୍ନ ବିଭାଗର ବଜେଟ ଅର୍ଥ

ନନ୍ଦିଘୋଷ ବ୍ୟୁରୋ: ବିଜେପି ସରକାରରେ ଖର୍ଚ୍ଚ ହୋଇପାରୁନି ବିଭିନ୍ନ ବିଭାଗର ବଜେଟ ଅର୍ଥ। ଯୋଜନା ଓ ସଂଯୋଜନା, ବିପର୍ଯ୍ୟୟ ପରିଚାଳନା ବିଭାଗର ୨ ପ୍ରତିଶତ ବି ଅର୍ଥ ଖର୍ଚ୍ଚ କରିପାରିନ୍ତି । ଯାହାକୁ ନେଇ ଦୁଇ ବିରୋଧୀ ସରକାରଙ୍କୁ ସମାଲେଚନା କରିଛନ୍ତି । ସରକାର ଠିକ ସେ ଚାଲୁନଥିବାରୁ ଅର୍ଥର ଅଭାବ ନଥିବା ବେଳେ ବି ବିଭାଗଗୁଡିକ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହେଉନାହାନ୍ତି । ମୁଖ୍ୟମନ୍ତ୍ରୀ ବାରମ୍ବାର ସମୀକ୍ଷା କରୁଛନ୍ତି, ଆଗକୁ ବିଭାଗ ଗୁଡିକ ଖର୍ଚ୍ଚ ଠିକ ହେବ ବୋଲି ବିଜେପି ବିଧାୟକ ଅଗସ୍ତି ବେହେରା କହିଛନ୍ତି ।

ବଜେଟ ଅର୍ଥକୁ ଖର୍ଚ୍ଚ କରୁନି ବିଭାଗ । ବାରମ୍ବାର ସମୀକ୍ଷା ପରେ ବି ଫଳଶୂନ । ଅପାରଗ ସରକାର କହି ଘେରିଲେ ବିରୋଧୀ । ବିଜେପି କହିଲା, ବଜେଟ ଅର୍ଥ ଖର୍ଚ୍ଚ କରିବାକୁ ଦେଉଛୁ ଗୁରୁତ୍ବ । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨ଲକ୍ଷ ୯୦ ହଜାର କୋଟି ଟଙ୍କା ବଜେଟକୁ ସବୁ ବିଭାଗକୁ ଆବଣ୍ଟନ କଲେ । ହେଲେ ବଜେଟ ଅର୍ଥକୁ ଖର୍ଚ୍ଚ କରିବାରେ ସକ୍ଷମ ହେଉନାହାନ୍ତି ରାଜ୍ୟ ସରକାର । ବହୁ ବିଭାଗ ବଜେଟ ଅର୍ଥର ୨୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିନଥିବା ବେଳେ କିଛି ବିଭାଗ ତତ୍ପରତା ଦେଖାଇ ମାତ୍ର ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । କିଛି ବିଭାଗ ମାତ୍ର ୨ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିପାରିଛନ୍ତି ।

ବିଜେପି ସରକାର ବଜେଟ ପରେ ବଜେଟ ଆଣୁଥିଲେ ମଧ୍ୟ ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ଯୋଜନା ଓ ସଂଯୋଜନା ପରିଚାଳନାରେ ବଜେଟ ଖର୍ଚ୍ଚ ୨ ୨ ପ୍ରତିଶତ କରିଥିବା ବେଳେ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମାତ୍ର ୧୨.୩୬ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିଛି । ବିଜେଡି ନେତା ପ୍ରଶାନ୍ତ ମୁଦୁଲି  ଅଭିଯୋଗ କରିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିବା ପରେ କାମ ସବୁ ଠପ ହୋଇଯାଇଛି । ବଜେଟ ଅର୍ଥ ଖର୍ଚ୍ଚ ନହେବା ତାହାର ଜଳନ୍ତ ଉଦାହରଣ । ବରିଷ୍ଠ କଂଗ୍ରେସ ନେତା ଅମର ପ୍ରଧାନ ଅଭିଯୋଗ କରିଛନ୍ତି ସରକାର ଠିକ ସେ ଚାଲୁନଥିବାରୁ ବଜେଟ  ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ଫଳରେ ଗାଁ ଗାଁରେ ବିକାଶ କାମ ଠପ ହୋଇଯାଇଛି ।

ବଡ ବଜେଟ ଆଣି ବିଭାଗ ଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି ରାଜ୍ୟ ସରକାର । କିନ୍ତୁ ସରକାର ଖର୍ଚ୍ଚ ନକରିପାରିବାର ଯୁକ୍ତିକୁ ଖଣ୍ଡନ କରିଛନ୍ତି ଶାସକ ଦଳ ବିଧାୟକ । ରାଜ୍ୟର ବିକାଶକୁ ଆଗେଇ ନେବାକୁ ସରକାର ଗୁରୁତ୍ବ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ବଜେଟ ଅର୍ଥ ଖର୍ଚ୍ଚ ଉପରେ ସବୁବେଳେ ଗୁରୁତ୍ବ ଦେଉଛନ୍ତି । ବର୍ଷ ଶେଷ ବେଳକୁ ବିଭାଗ ଗୁଡିକ ବଜେଟ ଅର୍ଥ ସଠିକ ଭାବେ କରିବେ ବୋଲି ଶାସକ ଦଳ ଯୁକ୍ତି ବାଢିଛି । ବିଜେପି ସରକାର ଆସିବା ପରେ ରାଜ୍ୟର ବିକାଶ ମୂଳକ କାର୍ଯ୍ୟ ଠପ ହୋଇଥିବା ଅଭିଯୋଗ ହୋଇଆସୁଛି । ଏବେ ଖୋଦ ବିଭାଗ ଗୁଡିକର ବଜେଟ ଅର୍ଥ ଖର୍ଚ୍ଚ ନହେବା ପରେ ଏ କଥା ସ୍ପଷ୍ଟ ହେଉଥିବା ଚର୍ଚ୍ଚ ହେଉଛି।

ଶାରଦୀୟ ଦୁର୍ଗା ପୂଜାକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର

ନନ୍ଦିଘୋଷ ବ୍ୟୁରୋ: ଶାରଦୀୟ ଦୁର୍ଗା ପୂଜାକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ମାଆ କାକୁଡିଖାଇ ଙ୍କ ପୀଠରେ ନିଆରା କାକୁଡି ବଳି ପରମ୍ପରା ଏବେ ବି ବଜାୟ ରହିଅଛି । ଶ୍ରୀକ୍ଷେତ୍ରର ଅଧିଷ୍ଟାତ୍ରି ଦେବି ମାଆ ବିମଳାଙ୍କ ପ୍ରତିନିଧି ସ୍ୱରୂପା ମାଆ କାକୁଡିଖାଇଙ୍କ ଆଜି ମହା ଅଷ୍ଟମୀରେ ସ୍ୱତ୍ରନ୍ତ୍ର ପୂଜା ଅର୍ଚନା ଅନୁଷ୍ଠିତ ହୋଇଛି । ମାଆଙ୍କୁ ଦର୍ଶନ କରି ଭକ୍ତ ଧନ୍ୟମନେ କରିଛନ୍ତି । ସେପଟେ ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ନେଇ ବିଭିନ୍ନ ସ୍ଥାନରେ ପାରମ୍ପରିକ ବୃହତକାୟ ଘୋଷାଣୀ ମୂର୍ତ୍ତିର ପୂଜା ଆରମ୍ଭ ହୋଇଥିବା ପରିଲକ୍ଷିତ ହୋଇଅଛି ।

ଶ୍ରୀକ୍ଷେତ୍ରରେ ମାଆ ଦୁର୍ଗାଙ୍କ ଆରାଧନା । ନିଆରା ପରମ୍ପରାକୁ ନେଇ ଉତ୍ସବମୁଖର ମାଆ କାକୁଡି ଖାଇଙ୍କ ପୀଠ ।  ଅଷ୍ଟମୀରେ ସ୍ୱତ୍ରନ୍ତ୍ର ପୂଜାର୍ଚନା ପାଇଁ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଶ୍ରୀକ୍ଷେତ୍ରରେ ପାରମ୍ପରିକ ଭାବେ ଷୋଳ ପୂଜା ଠାରୁ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ତ୍ରିଦିନାତ୍ମକ ସ୍ୱତ୍ରନ୍ତ୍ର ପୂଜା ଅନୁଷ୍ଠିତ ହେଉଛି । ଏହି ସମୟରେ ଶ୍ରୀକ୍ଷେତ୍ରରେ ବିଭିନ୍ନ ଯାଗା ଆଖଡ଼ା ମାନଙ୍କରେ ଦୁର୍ଗା ମାଙ୍କୁ ଗୋଷାଣି ରୂପେ ପୂଜା କରାଯିବାର ବିଧି ପରମ୍ପର ରହିଛି  । ତେବେ ଅଧିଷ୍ଟାତ୍ରି ଦେବୀ ମାଆ ବିମଳାଙ୍କ ପ୍ରତିନିଧି ଭାବେ ମାଆ କାକୁଡିଖାଇ ଶ୍ରୀ ମନ୍ଦିର ବାହାରେ ପୂଜିତ ହେଉଥିବାବେଳେ ଏଠାରେ ଯଥା ରୀତି ନାନୁସାରେ ପୂଜା ଵିଧି କରାଯାଉଛି  । ବିଶେଷ କରି ଏହି ତ୍ରିଦିନାତ୍ମକ ପୂଜା ସମୟରେ ମାଙ୍କ ମୃଣ୍ମୟୀ ମୃତ୍ତି ଆବ୍ରିଭାବ ହୋଇଥିବାବେଳେ ବିଳମ୍ବିତ ରାତ୍ରିରେ ସ୍ବତନ୍ତ୍ର ସନ୍ଧି ପୂଜା କରାଯାଉଛି  । ତେବେ ମାଆଙ୍କ ନିକଟରେ ଏହି ସମୟରେ କାକୁଡ଼ି ବଳି ଦେବାର ପରମ୍ପରା କାହିଁ ପ୍ରାଚୀନ କାଳରୁ ଜାରି ରହିଛି ।

ଶ୍ରୀ ମନ୍ଦିରରେ ମାଆ ବିମଳାଙ୍କୁ ମହିଳାମାନେ ଦୁର୍ଗା ପୂଜା ସମୟରେ ଦର୍ଶନ କରିବା ବାରଣ ରହିଥିବାବେଳେ ମା କାକୁଡିଖାଇଙ୍କୁ ମହିଳାମାନେ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି ପାଇଥାନ୍ତି । ଏହି ସମୟରେ ମାଆଙ୍କ ନିକଟରେ ପରିବାର କଲ୍ୟାଣ ଓ ମାନସିକପୂର୍ତ୍ତି ଲକ୍ଷରେ ଭକ୍ତ ମାନେ କାକୁଡି ବଳି ଦେବାର ପରମ୍ପରା ରହିଛି । ବିଶେଷ କରି ମାଆଙ୍କୁ ପୂଜା ଅର୍ଚନା କରିବା ସହ ଭକ୍ତ ମାନେ କାକୁଡି ବଳି ଦେଇ ନିଜ ମନସ୍କାମନା ପୂର୍ତ୍ତି କରୁଥିବା ଜଣାଯାଏ । ମାଆଙ୍କ ନିକଟରେ ଏହି କାକୁଡି ବଳି ପରମ୍ପରା ପ୍ରାଚୀନ ହୋଇଥିବା ବେଳେ ମା ଙ୍କୁ ଏ ନେଇ କାକୁଡି ଖାଇ ନାମରେ ଭକ୍ତ ସମ୍ଭୋଧିତ କରିଥାନ୍ତି ।

ସରିଛି ବ୍ରିଜ ନିର୍ମାଣ, ନିର୍ମାଣ ହୋଇପାରୁନି ଆପ୍ରୋଚ ରୋଡ

ନନ୍ଦିଘୋଷ ବ୍ୟୁରୋ: ସରିଛି ବ୍ରିଜ ନିର୍ମାଣ । ନିର୍ମାଣ ହୋଇପାରୁନି ଆପ୍ରୋଚ ରୋଡ । ବଡ଼ଚଣା ବ୍ଳକର ଧାଉଡ଼ିଆପଦା – ବାଉଜଙ୍ଗ ବିରୂପା ସେତୁ ନିର୍ମାଣ ସରିଥିଲେ ସୁଦ୍ଧା ବ୍ରିଜକୁ ସଂଯୋଗୀକରଣ କରୁଥିବା ରାସ୍ତା କାମ ଅଧାରେ ଅଟକିଛି । ଜମି ସମସ୍ୟା ପାଇଁ ରାସ୍ତା କାର୍ଯ୍ୟ ଅଧାରେ ଅଟକି ଥିବା ବେଳେ ସମସ୍ୟା ଭୋଗୁଛନ୍ତି ୫ ଖଣ୍ଡ ପଞ୍ଚାୟତ ଲୋକେ । ସରକାର ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି ।

ବ୍ରିଜ ନିର୍ମାଣ ଶେଷ । ଅଥଚ ଅଧାରେ ଅଟକିଛି ବ୍ରିଜକୁ ସଂଯୋଗକୀରଣ ରାସ୍ତା । ଏ ହେଉଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହୋଇଥିବା ଧାଉଡିଆପଦା-ବାଉଜଙ୍ଗକୁ ସଂଯୋଗ କରୁଥିବା ଚାରିନଙ୍ଗଳ ଠାରେ ନିର୍ମାଣ ହୋଇଥିବା ବିରୂପା ସେତୁ । ବ୍ରିଜ କାମ ଦୀର୍ଘ ବର୍ଷ ହେବ ଶେଷ ହୋଇଥିଲେ ସୁଦ୍ଧା ବ୍ରିଜକୁ ସଂଯୋଗ କରୁଥିବା ରାସ୍ତା କାମ ଅଧାରେ ଅଟକିଛି । ସଂଯୋଗୀକରଣ ରାସ୍ତା ପାଇଁ ଆବଶ୍ୟକୀୟ ଜମି ସମସ୍ୟା ପାଇଁ କାମ ଅଧାରେ ଅଟକିଛି । ଫଳରେ ସମସ୍ୟା ଭୋଗୁଛନ୍ତି ୫ଗୋଟି ପଞ୍ଚାୟତ ଲୋକେ ।

ପଟ୍ଟାମୁଣ୍ଡାଇ କେନାଲକୁ ସିଧାସଳଖ ସଂଯୋଗ କରୁଛି ଏହି ବ୍ରିଜ । ଏହି ବ୍ରିଜ ଦେଇ ପର୍ଯ୍ୟଟନସ୍ଥଳୀ ଉଦୟଗିରି ଓ ରତ୍ନଗିରିକୁ କମ ସମୟରେ ଯାଇ ହେବ । ହେଲେ ଆପ୍ରୋଚ ରୋଡ ହୋଇନଥିବାରୁ ଲୋକେ ମାନେ ଅନ୍ୟ ରୋଡ ଦେଇ ଯିବା ଆସିବା କରୁଛନ୍ତି । ସଂଯୋଗକୀରଣ ରାସ୍ତା ପାଇଁ ଆବଶ୍ୟକ ଜମି ଦେଇଥିବା ବ୍ୟକ୍ତିଙ୍କୁ ସେମାନଙ୍କ କ୍ଷତିପୂରଣ ବାବଦକୁ ସଠିକ ଅର୍ଥ ମିଳୁନଥିବାରୁ କାମ ଅଧାରେ ଅଟକିଛି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ ହୋଇଛି । ସେପଟେ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

ଗଛ ତଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

ନନ୍ଦିଘୋଷ ବ୍ୟୁରୋ: ଗଛ ତଳେ ଅଙ୍ଗନବାଡି କେନ୍ଦ୍ର । ବିପଦପୂର୍ଣ୍ଣ ଭାବେ ପାଠ ପଢୁଛନ୍ତି କୋମଳମତି ଶିଶୁ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଦିଗହରା ମହିଳା ଓ ଶିଶୁ ବିକାଶ ଯୋଜନା । କର୍ତ୍ତନପାଲି ପଞ୍ଚାୟତ ଲୁଲେର ଗାଁରେ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ଦୀର୍ଘ ଦିନ ହେବ ଗଛ ତଳେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର । ହେଲେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଯାହା ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପ୍ରାକ ଶିକ୍ଷାର ବିକଳ ଚିତ୍ର । ଗଛ ତଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ବିପଦ ମୁଣ୍ଡେଇ ପାଠ ପଢୁଛନ୍ତି କୋମଳମତି ପିଲା । ମାଲକାନଗିରି ଜିଲ୍ଲା ମାଥିଲିରେ ଦିଗହରା ପାଲଟିଛି ମହିଳା ଓ ଶିଶୁ ବିକାଶ ଯୋଜନା । ଦୃଷ୍ଟି ଦେଉନି ସ୍ଥାନୀୟ ପ୍ରଶାସନ । ଦୀର୍ଘ ଦିନ ହେବ ମାଥିଲି ବ୍ଲକ କର୍ତ୍ତନପାଲି ପଞ୍ଚାୟତ ଲୁଲେର ଗାଁରେ ଗଛ ତଳେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର । ବର୍ଷ ତମାମ ଗଛ ତଳେ ବସି ପାଠ ପଢୁଛନ୍ତି ପିଲା । ଯାହା ବ୍ୟବସ୍ଥିତ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମାଥିଲି ବ୍ଲକରେ ୨୧ ଗୋଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଘର ନାହିଁ । ଫଳରେ ଭଡା ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଲୁଲେର କେନ୍ଦ୍ର ପାଇଁ ମଧ୍ୟ ଭଡା ଘର ଯୋଗାଇ ଦିଆଯାଇଛି । ହେଲେ ତାହା ଭଙ୍ଗାଦଦରା ହୋଇଥିବାରୁ ଅଙ୍ଗନବାଡି ଦିଦି ପିଲାଙ୍କୁ ଗଛ ତଳେ ବସାଇ ପାଠ ପଢାଉଛନ୍ତି । ଲୁଲେର କେନ୍ଦ୍ର ପାଇଁ ଅନୁଦାନ ଆସିଛି ହେଲେ ସ୍ଥାନ ବିବାଦ ପାଇଁ କାମ ଆରମ୍ଭ ହୋଇପାରିନି । ସମସ୍ୟା ସଂପର୍କରେ ଅଙ୍ଗନବାଡି କର୍ମୀ ଅନେକ ଥର ସ୍ଥାନୀୟ ପ୍ରଶାସନଙ୍କୁ ଜଣାଇଥିଲେ ସୁଦ୍ଧା କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଖୁବଶୀଘ୍ର ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କରି ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ବିଡିଓ । ଲୁଲେର ଗାଁରେ କେବେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେଉଛି ? ପିଲା କେବେ ସୁବିଧାରେ ବସି ପାଠ ପଢୁଛନ୍ତି ? ନା ବିଡିଓଙ୍କ ପ୍ରତିଶୃତି ପାଣିର ଗାର ପାଲଟୁଛି ? ତାହା ଆଗାମୀ ଦିନରେ ଜଣାପଡିବ ।

ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଶକ୍ତିପୀଠ, ଚାଲିଛି ମହାମାୟାଙ୍କ ପୂଜା

0

ନନ୍ଦିଘୋଷ ବ୍ୟୁରୋ: ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଶକ୍ତିପୀଠ। ମହାଷ୍ଟମୀରେ ସୁବଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ମାଆଙ୍କ ଆରାଧନାରେ ନିଜକୁ ସମର୍ପି ଦେଇଛନ୍ତି ଶ୍ରଦ୍ଧାଳୁ। ମା’ ଶାରଳା, ତାରାତାରୀ ପୀଠରେ ହୋମଯଜ୍ଞ ସୃଷ୍ଟି କରିଛି ଅଧ୍ୟାତ୍ମିକ ମାହୋଲ। ମାଆଙ୍କ ବିଭିନ୍ନ ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତ ।

ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଶକ୍ତିପୀଠ । ଗାଁ, ଗଣ୍ଡା, ସହର…ମହାଷ୍ଟମୀରେ ସୁବଠି ଭକ୍ତିମୟ ପରିବେଶ । ମାଆଙ୍କ ଆରାଧନାରେ ନିଜକୁ ସମର୍ପି ଦେଇଛନ୍ତି ଶ୍ରଦ୍ଧାଳୁ । ଜଗତସିଂହପୁର ଜିଲ୍ଲାର  ଅଧିଷ୍ଠାତ୍ରୀ ଦେବୀ  ମା’ ଶାରଳାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା । ସେହିଭଳି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । ମାଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇି। ସଂଧ୍ୟାରେ ମାଙ୍କ ନବଦିନାତ୍ମକ ରଥଯାତ୍ରାର ଅଷ୍ଟମ ଦିନରେ ରଥ ଚାଳନା କରାଯିବ।  ଘଟଗାଁ ତାରିଣୀ ପିଠରେ ମଧ୍ୟ ଆରମ୍ଭ ହୋଇଯାଇଛି ସ୍ବତନ୍ତ୍ର ପୂଜା ବିଧ । ମାଙ୍କୁ ସୁନା ବେଶରେ ସଜିତ କରାଯିବା ପରେ ମା ବନ ଦୁର୍ଗା ରୁପରେ ସଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ଶକ୍ତି ପୀଠରେ ଆଜି ମହାଷ୍ଟମୀ ପୂଜା ପାଳିତ ହେଉଛି। ସକାଳ ଧୂପରେ ମାଙ୍କ ପାଖରେ ମାଣ୍ଡୁକ ଭୋଗ ଲାଗି କରାଯାଇଛି ।

କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠରେ ଭୋରରୁ ଧୂପ ନୀତି ସରିବା ପରେ ସୁନାବେଶ ରେ ଦର୍ଶନ ଦେଉଛନ୍ତି ମାଆ। ପରମ୍ପରା ଅନୁଯାୟୀ ଏହି ସମୟରେ ଦେବୀ ଭଟ୍ଟାରିକାଙ୍କୁ ପ୍ରତ୍ୟହ କିଶୋରୀ ଏବଂ ପୌଢା ଏହି ତିନି ମାତୃଶକ୍ତି ରୂପେ ଯଥାକ୍ରମେ ସକାଳେ, ମଧ୍ୟାହ୍ନରେ ଏବଂ ସଞ୍ଜରେ ସଜାଯାଇ ପୂଜାର୍ଚ୍ଚନା କରାଯାଏ । ସେହିଭଳି ଦକ୍ଷିଣ ଓଡିଶାର ଅରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ପୀଠ ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି । ନବରାତ୍ର ସମୟରେ ମା’ଙ୍କ ଦର୍ଶନ ପାଇଁ କାହିଁ କେଉଁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଆ ଛୁଟିଛି। ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସହଧ୍ୟାରେ ମାଆ ମହାକାଳୀ ବେଶରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଆଦର୍ଶ ଗାଈ ଗୁହାଳ ନାଁରେ ଲୁଟ୍, ପ୍ରକୃତ ହିତାଧିକାରୀଙ୍କୁ ମିଳିନି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଗୋ-ପାଳକଙ୍କ ପାଇଁ ଉଦ୍ଦିଷ୍ଟ ଗାଈ ଗୁହାଳ ନାଁରେ କେଳେଙ୍କାରୀ । ହିତାଧିକାରୀଙ୍କ ଅଗୋଚରରେ କରାଯାଇଛି ଟଙ୍କା ହଡପ । ଅଭିଯୋଗ ପରେ ତଦନ୍ତକୁ ବାଟବଣା କରିବା ପାଇଁ ଅଭିଯୋଗକାରୀଙ୍କୁ ଫେରାଗଲା ଟଙ୍କା । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଶରଧାପୁର ପଞ୍ଚାୟତରୁ ଆସିଛି ସଙ୍ଗୀନ ଅଭିଯୋଗ ।

ଆଦର୍ଶ ଗାଈ ଗୁହାଳ ନାଁରେ ଲୁଟ୍ । ପ୍ରକୃତ ହିତାଧିକାରୀଙ୍କୁ ମିଳିନି ଟଙ୍କା । ମିଛ ବିଲ କରି କରାଯାଇଛି ଟଙ୍କା ହଡ଼ପ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଶରଧାପୁର ପଞ୍ଚାୟତରୁ ଆସିଛି ସଙ୍ଗୀନ ଅଭିଯୋଗ । ଶରଧାପୁର ଗାଁର ଜଟିଆ ପ୍ରଧାନ ନିଜ ଖର୍ଚ୍ଚରେ ଗୁହାଳ ନିର୍ମାଣ କରିଥିଲେ । ହେଲେ ତାଙ୍କୁ ଟଙ୍କାଟିଏ ମିଳିନି । ସେ ଅନଲାଇନରୁ ଜାଣିବାକୁ ପାଇଥିଲେ ତାଙ୍କ ନାଁରେ ଆଦର୍ଶ ଗୁହାଳ ବାବଦକୁ ସମ୍ପୂର୍ଣ୍ଣ ଅର୍ଥ ଆସିଥିବା ବେଳେ ତାହା ଉଠିସାରିଛି । ୧୨ ମାର୍ଚ୍ଚ ୨୦୨୪ରେ ୬୯ ହଜାର ୭୮୫ ଟଙ୍କା ମାଟେରିଆଲସ ବିଲ ସନ୍ତୋଷ ପାଣିଗ୍ରାହୀ ନାମକ ଜଣେ ଲୋକଙ୍କ ଭେଣ୍ଡର ଆଇଡିକୁ ଯାଇଛି  । ଏହା ପରେ ସେ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ପରେ ତାଙ୍କୁ ଟଙ୍କା ଫେରସ୍ତ କରାଯାଇଛି । ଏପରି ଅନେକ ହିତାଧିକାରୀଙ୍କ ଗୁହାଳ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି ।

କୁଶରାବ ଗାଁର ସାରସ ପ୍ରଧାନଙ୍କ ଅଗୋଚରରେ ତାଙ୍କ ନାଁରେ ଥିବା ଗୁହାଳ ଯୋଜନାରୁ ୧୬ ହଜାର ୫୯୦ ଟଙ୍କା ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଛାଡି ଦିଆଯାଇଥିବା ସାରସଙ୍କ ସ୍ଵାମୀ ଅଭିଯୋଗ କରିଛନ୍ତି । ସେହିପରି ଶ୍ରୀନିବାସ ଗୌଡଙ୍କ ନାଁରେ ଆସିଥିବା ୬୭ ହଜାର ମାଟେରିଆଲ ଟଙ୍କା ଚଳୁ କରାଯାଇଛି । ଏପରି ଅନେକ ହିତାଧିକାରୀଙ୍କ ଟଙ୍କା ହଡପ କରାଯାଇଛି । ଯୋଜନାରେ ଘୋଟାଲା ହୋଇଥିବା ଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ଧରାକୋଟ ବିଡିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି, ଯୋଜନାରେ ଟଙ୍କା ଅତ୍ମସାତ କରିଥିବା ବ୍ୟକ୍ତିକୁ କେବେ ଦଣ୍ଡ ମିଳବ ?

ଏମିତି କହି ପାକିସ୍ତାନୀ ସାମ୍ବାଦିକଙ୍କୁ ଚୁପ୍ କରାଇଲେ ସୂର୍ଯ୍ୟକୁମାର ଯାଦବ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ପାକିସ୍ତାନକୁ ହରାଇ ଟାଇଟଲ ହାତେଇଛି ଭାରତ । ବିନା ଟ୍ରଫିରେ ସେଲିବ୍ରେସନ କରିଛି ଟିମ ଇଣ୍ଡିଆ । ତେବେ ମ୍ୟାଚ ସରିବା ପରେ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ରିପୋର୍ଟରଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି । ପାକିସ୍ତାନୀ ଖେଳାଳିଙ୍କ ସହ ହାତ ନମିଳାଇବା ଏବଂ ଟ୍ରଫି ନନେବାକୁ ନେଇ ପ୍ରଶ୍ନ କରିଥିଲେ । ପାକିସ୍ତାନର ସାମ୍ବାଦିକ ଜଣକ ପ୍ରଶ୍ନ କରିଥିଲେ କି, କ୍ରିକେଟରେ ରାଜନୀତି ଆଣିବାରେ ଆପଣ ପ୍ରଥମ ଅଧିନାୟକ କି ? ହ୍ୟାଣ୍ଡେସକ ନକରିବା ଏବଂ ଟ୍ରଫି ନଧରି ସେଲିବ୍ରେସନ କରିବା ଆପଣ କ୍ରିକେଟ ଇତିହାସରେ ପ୍ରଥମ ଅଧିନାୟକ କି ? ଏହାର ଉତ୍ତରରେ ସୂର୍ଯ୍ୟକୁମାର ଯାଦବ କହିଥିଲେ ତୁମେ ରାଗି ଯାଉଛ କି ? ଏହାପରେ ସମସ୍ତେ ହସିଥିଲେ । ଆଉ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଦୁର୍ଗାପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା, ଜଗିଛନ୍ତି ୬୧ ପ୍ଲାଟୁନ ଫୋର୍ସ

0

ନନ୍ଦିଘୋଷ ବ୍ୟୁରୋ: ଦୁର୍ଗାପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା । ପୁରା ସହରରେ ୧୯୩ ଟି  ମଣ୍ଡପରେ ଦୁର୍ଗାପୂଜା ହେଉଥିବାବ ବେଳେ ସୁରକ୍ଷା ପ୍ରଦାନ କରିବେ ୬୧ ପ୍ଲାଟୁନ ଫୋର୍ସ । ଏହା ଭିତରେ ୩ ପ୍ଲାଟୁନ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ରହିଛନ୍ତି । ୩ ଜଣ ଡିସିପି ରାଙ୍କ ଅଫିସର ମନିଟର କରିବେ। ୨୪ ଟି ମଣ୍ଡପରେ ମା’ଙ୍କ ମୂର୍ତ୍ତିରେ ସୁନା ଓ ରୂପା ଅଳଙ୍କାର ବ୍ୟବହାର ହେଉଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। Drone ଦ୍ୱାରା ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ହେବ । ୪ ଟି drone ର ବ୍ୟବସ୍ଥା ହୋଇଛି । ଏସବୁକୁ ସ୍ମାର୍ଟ ସିଟି କ୍ୟାମେରା ଦ୍ୱାରା ମନିଟର କରାଯିବ। କମିଶନରେଟ ପୋଲିସର ହର୍ ଟିମ ମହିଳାଙ୍କ ସୁରକ୍ଷା ଦିଗରେ ନିୟୋଜିତ ହୋଇଛନ୍ତି । ମୋବାଇଲ ପାଟ୍ରୋଲିଂ ବ୍ୟାପକ ହୋଇଛି। ଷ୍ଟ୍ରାଇକିଂ ଫୋର୍ସ, ସ୍ପେଶାଲ ଟାକ୍ଟିକାଲ ୟୁନିଟ, ବମ୍ ଡିସ୍ପୋଜାଲ ସ୍କ୍ୱାଡ ମଧ୍ୟ ମୁତୟନ ହୋଇଛନ୍ତି। ରାଜଧାନୀବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ଏଭଳି ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ କମିଶନର। ପୂଜାରେ ପ୍ରବଳ ଭିଡ଼ ହେଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ବୁଲାବୁଲି କରୁଛନ୍ତି। ଭିଡ଼ ପରିଚାଳନା କରିବାକୁ ଫୋର୍ସ ମୁତୟନ ହୋଇଥିବା କହିଛନ୍ତି ପୋଲିସ କମିଶନର।