spot_img
Home Blog Page 1745

ଧାନର ଏମଏସପି ୩୧ ଶହ କରିବାକୁ ଶହେ ଦିନ ସମୟ ନେଇଛନ୍ତି ଓଡ଼ିଶା ସରକାର

ଭୁବନେଶ୍ବର: କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କାକୁ ବୃଦ୍ଧି କରିବା ପରେ ଓଡ଼ିଶାରେ ଚାଷୀଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ରାଜ୍ୟ ବିଜେପି ଏମଏସପି ୩୧୦୦ ଟଙ୍କା କରିବା ପାଇଁ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା । ହେଲେ କେନ୍ଦ୍ର ସରକାର ଏମଏସପିକୁ ୨୩ ଟଙ୍କା କରିଛନ୍ତି । ଅର୍ଥାତ ରାଜ୍ୟ ବିଜେପି ସରକାରକୁ ପ୍ରତିଶ୍ରୁତି ମୁତାବକ ଆହୁରି ୮ ଶହ ଟଙ୍କା ବୃଦ୍ଧି କରିବାକୁ ପଡିବ । ତେବେ ଏହାକୁ ଲାଗୁ କରିବାକୁ ରାଜ୍ୟ ସରକାର ୧୦୦ ଦିନ ସମୟ ନେଇଥିବା କୁହାଯାଉଛି । ସେପଟେ ଆଗାମୀ ବଜେଟରେ ନୂଆ ସରକାର କୃଷିକୁ ଅଧିକ ଗୁରୁତ୍ବ ଦେବେ ବୋଲି ଜଣାପଡିଛି ।

ମଣ୍ଡିରେ ଧାନ ନେବା ପ୍ରକ୍ରିୟା ସରିବାକୁ ଆଉ ଅଳ୍ପ ଦିନ ବାକି ଅଛି । ତେଣୁ ପ୍ରକୃତ ଏମଏସପି କେବେ ମିଳିବ ତାହାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ଓଡ଼ିଶାରେ ନୂଆ ସରକାର ଚାଷୀଙ୍କୁ ଗୁରୁତ୍ୱ ଦେଉଥିବାବେଳେ ଚାଷୀମାନେ କିନ୍ତୁ ଅଧିକ ଅମଳକ୍ଷମ ଉନ୍ନତମାନର ଧାନ ବିହନ କିଣୁ ନଥିବା ଦେଖିବାକୁ ମିଳିଛି । ଧାନ ବିହନର କମ ବିକ୍ରି ପଛରେ ସରକାରଙ୍କର ବିଭିନ୍ନ ଯୋଜନାକୁ ଦାୟୀ କରାଯାଉଛି । ଓଡ଼ିଶାର ଆର୍ଥିକ ସ୍ଥିତି ଭଲ ଥିବାବେଳେ ଆୟର ଉତ୍ସ ମଧ୍ୟ ରହିଛି । ତେଣୁ ସରକାର ଚାହିଁଲେ ଚାଷୀଙ୍କ ସ୍ବାର୍ଥ ରକ୍ଷା ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

ସେପଟେ ଆଗାମୀ ବଜେଟରେ ନୂଆ ସରକାର କୃଷିକୁ ଅଧିକ ଗୁରୁତ୍ବ ଦେବାକୁ ଯାଉଛନ୍ତି । ଏଥିଲାଗ ମତାମତ ଆହ୍ବାନ କରାଯାଇଛି । କୃଷି ବିଶେଷଜ୍ଞମାନେ କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ କୃଷକ ସମୃଦ୍ଧ ହେଲେ ଅର୍ଥନୀତି ଚଳଚଞ୍ଚଳ ହେବ । ଆବଶ୍ୟକ ଶୀତଳ ଭଣ୍ଡାର, ପ୍ରୋସେସିଂ ୟୁନିଟ ତଥା ଚାଷ ସାମଗ୍ରୀରୁ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତି ପାଇଁ ଶିଳ୍ପ ପ୍ରତିଷ୍ଠା ହେବା ଦରକାର । ରାଜ୍ୟରେ ଭାଗ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସୁବିଧା ପ୍ରଦାନ କରିବା ଆବଶ୍ୟକ । ବଜେଟରେ ଆର୍ଥିକ ବ୍ୟୟ ବରାଦ ହେବା ଦରକାର ବୋଲି ମତ ଦେଇଛନ୍ତି କୃଷି ବିଶେଷଜ୍ଞ । ଏସବୁ ପ୍ରତିଶ୍ରୁତି ଦେଇ ବିଜେପି ସରକାରକୁ ଆସିଥିବାରୁ ଏହା ପୂରଣ ପାଇଁ ଉଦ୍ୟମ କରିବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି ।

କୃଷି ଓ କୃଷକ ସମସ୍ୟାକୁ ନେଇ ରାଜ୍ୟରେ ପୂର୍ବରୁ ବିରୋଧୀ ଓ ଶାସକ ବାରମ୍ବାର ମୁହାଁମୁହିଁ ହେଉଥିଲେ । ଏବେ ସେସବୁ ପୂରଣ କରିବା ଦିଗରେ ବିଜେପି କେତେ ସମର୍ଥ ହେଉଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ବରରେ ଖୋଲିବ ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍

ଭୁବନେଶ୍ବର: ଭୁବନେଶ୍ବରରେ ଖୋଲିବାକୁ ଯାଉଛି ଚାଉଳ ଏଟିଏମ୍ । ସପ୍ତାହକ ମଧ୍ୟରେ ଏହି ଏଟିଏମ୍ ଖୋଲିବାକୁ ଯାଉଛି । ଏହା ହେବ ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍ । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ATM କାର୍ଡ ଦିଆଯିବ । ସାରା ଭାରତରେ ସବୁଠି ଏହି କାର୍ଡ ବ୍ୟବହାର ହୋଇପାରିବ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଚାଉଳ ATM ସେଣ୍ଟର ଖୋଲାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେପଟେ ଡିଲରମାନଙ୍କଠାରୁ ଚାଉଳ ପାଉଥିବା ହିତାଧିକାରୀଙ୍କୁ ଯଦି ଡିଲର ହଇରାଣ ହରକତ କରୁଥିବେ ଅଭିଯୋଗ ଆସିଲେ ତଦନ୍ତ କରି ଲାଇସେନ୍ସ ରଦ୍ଦ କରାଯିବ । ତାଙ୍କ ସ୍ଥାନରେ ନୂଆ ଡିଲରଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟରେ ପ୍ରାୟ ୫୦ ଲକ୍ଷ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରି କାର୍ଡ ହଟାଯାଇ ନୂତନ ଯୋଗ୍ୟ ହିତାଧିକାରୀକାରୀଙ୍କୁ ଏଥିରେ ସାମିଲ କରାଯିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ଆସିଲା ମିର୍ଜାପୁର ୩ ଟ୍ରେଲର: ରକ୍ତାକ୍ତ ଟ୍ରେଲର କହୁଛି, ରଚିବ ଇତିହାସ

ମୁମ୍ବାଇ: କେବେ ଆସିବ ମିର୍ଜାପୁର ୩ ? ତାକୁ ସାରା ଦେଶର ପ୍ରଶଂସକ ଅନାଇ ବସିଥିବା ବେଳେ ରିଲିଜ ହୋଇଛି ଏହାର ଟ୍ରେଲର୍ । ଗତ ଦୁଇ ସିଜିନରେ ନିଜର ଜଲଓ୍ବା ଦେଖାଇଥିବା ମିର୍ଜାପୁର ସିରିଜର ତୃତୀୟ ସିଜିନ ଜୁଲାଇ ୫ରୁ ଆସୁଛି । ଏବେ ଏହାର ଟ୍ରେଲର୍ ରିଲିଜ ହୋଇଛି । ଟ୍ରେଲରଟି ଗତ ଦୁଇ ସିଜିନଠାରୁ ଅଧିକ ଦମଦାର ଲାଗୁଛି । ଯାହା ଓ୍ବେବ୍ ସିରିଜ ଦୁନିଆରେ ଇତିହାସ ରଚିବାକୁ ଯାଉଛି । ଆସନ୍ତୁ ଜାଣିବା ଟ୍ରେଲରରେ ଥିବା କିଛି ଘଟଣାକ୍ରମ ଉପରେ, ଯାହା ଆପଣଙ୍କୁ ବି ଚକିତ କରିବ ।

ପଙ୍କଜ ତ୍ରିପାଠୀଙ୍କ ଗୋଟିଏ ଝଲକ୍

କୁହାଯାଏ ବଡ଼ ଖେଳାଳି ନିଜର ସବୁଠାରୁ ବଡ଼ ଅସ୍ତ୍ରକୁ ଲୁଚାଇ ରଖିଥାଏ । ଅନ୍ୟଥା ନିହାତି ଆବଶ୍ୟକ ହେଲେ ଏହାର ବ୍ୟବହାର କରିଥାଏ । ମିର୍ଜାପୁର ୩ର ମେକର୍ସ ବି ଏମିତି କରିଛନ୍ତି । ଏହି ଟ୍ରେଲରରେ ଆପଣ କାଲିନ ଭୟା ଓରଡ଼ ପଙ୍କଜ ତ୍ରିପାଠୀଙ୍କୁ ଖୋଜି ହେଉଥିବେ । ଏମିତି ଲାଗିବ ଟ୍ରେଲରରେ ତାଙ୍କୁ ଦେଖିବାକୁ ମିଳିବନି । ହେଲେ ଟ୍ରେଲରର ଶେଷରେ ତାଙ୍କୁ ଦେଖିବାକୁ ମିଳିବ । ଆଉ କାଲିନ ଭୟାଙ୍କ ଏଣ୍ଟ୍ରି ସହ ପୂରା ପରିବେଶ ଧୂଆଁ ଧୂଆଁ ହୋଇଯାଉଛି । ଆଉ ଏହାରି ଭିତରେ ଶିଭିବ କାଲିନ ଭୟାଙ୍କ ଦମଦାର ଡାୟଲଗ ‘ହାମ୍ ଓ୍ବ କରବାଏଙ୍ଗେ, ଜୋ ପୂର୍ବାଞ୍ଚଳ କୀ ଇତିହାସ ମେ ଆଜ୍ ତକ କଭି ନେହିଁ ହୁଆ ।’ ଟ୍ରେଲର ଦେଖିଲେ ବି ଏମିତି ଲାଗୁଛି, ମେକର୍ସ କିଛି ନୂଆ ଟ୍ରାଏଲ କରିଛନ୍ତି ।

‘ଭାଓଲେନ୍ସ ତୋ ମହାରୀ USP ହୈ ନା…

ଟ୍ରେଲର ଆରମ୍ଭରେ ଗୁଡ୍ଡୁ ପଣ୍ଡିତ ତ୍ରିପାଠୀ ଛକରେ ଥିବା କାଲିନ ଭୟାଙ୍କ ପ୍ରତିମୂର୍ତ୍ତି ଭାଙ୍ଗୁ ଥିବା ଦେଖିବାକୁ ମିଳୁଛି । ଏହି ସିଜିନରେ ମୁନନା ଭୟା ନଥିବାରୁ ସିଧା କାଲିନ ଭୟା ଓ ଗୁଡ୍ଡୁ ପଣ୍ଡିତଙ୍କ ମଧ୍ୟରେ ଟକ୍କର ହେବାକୁ ଯାଉଛି । ଟ୍ରେଲର ଜରିଆରେ ମେକର୍ସ ଗତ ସିଜିନ ତୁଳନାରେ ଅଧିକ ଆକ୍ରମଣାତ୍ମକ ଦୃଶ୍ୟ ଦେବାକୁ ଚେଷ୍ଟା କରିଛନ୍ତି । ଏଥିରେ ଗୁଡ୍ଡୁ ପଣ୍ଡିତ କହୁଥିବା ଶୁଣିବାକୁ ମିଳୁଛି ‘ଭାଓଲେନ୍ସ ତୋ ମହାରୀ USP ହୈ ନା…’ ।

ସିଜିନ୍ ୩ରେ ପ୍ରତିଶୋଧର ନିଆଁ

ଏହି ରକ୍ତାକ୍ତ ଟ୍ରେଲର ବହୁତ କିଛି ସଙ୍କେତ ଦେଉଛି । ଏହି ସିଜିନରେ ଶ୍ବାତା ତ୍ରିପାଠୀ ଚରିତ୍ର ଲେଡି ଡନ୍ ଭାବେ ଦେଖିବାକୁ ମିଳିବ । ବିଜୟ ବର୍ମାଙ୍କ ଚରିତ୍ର ବି ଆହୁରି ଅଧିକ ମଜଭୁତ ହେବ ବୋଲି ଆଶା କରାଯାଉଛି । ଏହାସହ ମୁନ୍ନା ଭୟାଙ୍କ ପତ୍ନୀଙ୍କ ଜଲଓ୍ବା ମଧ୍ୟ ଦେଖିବା ଭଳି ହୋଇଛି । ସେ ଗୁଡ୍ଡୁ ପଣ୍ଡିତକୁ ଶେଷ କରିଦେବାକୁ ଚାହୁଁଛନ୍ତି । ସେପଟେ କାଲିନ ଭୟାଙ୍କ ପତ୍ନୀ ତାଙ୍କ ବିପକ୍ଷରେ ଛିଡା ହୋଇଥିବା ଦେଖିବାକୁ ମିଳିବ । ମୋଟାମୋଟି ଭାବେ ମିର୍ଜାପୁର ୩ ରେ ପ୍ରତିଶୋଧର ନିଆଁ ଦେଖିବାକୁ ମିଳିବ ।

ମାହୋଲ ବନାଉଛି ଇଣ୍ଟିମେଣ୍ଟ ସିନ୍

ଟ୍ରେଲରେ ଦୁଇଟି ଜିନିଷ ଅଲଗା ରଖାଯାଇଛି । ଏଥିରେ ମାତ୍ର ଥରେ ଅପଶବ୍ଦ ବ୍ୟବହାର ହୋଇଛି । ଅନ୍ୟ ସିଜିନ ପରି ଏଥିରେ ବି ଭରପୂର ଗାଳିଗୁଲଜ ଥିବ । ହେଲେ ରିଲିଜ ପୂର୍ବରୁ ଆଲୋଚନାରୁ ବଞ୍ଚିବା ପାଇଁ ମେକର୍ସ ଗାଳିଗୁଲଜ ବ୍ୟବହାର କରିନାହାନ୍ତି । ଗତ ଦୁଇ ସିଜନରେ ଗାଳିଗୁଲଜକୁ ନେଇ ବହୁ ସମାଲୋଚନା ହୋଇଥିଲା । ଏହାସହ ସେକ୍ସ ଓ ଅଶ୍ଳୀଳତାକୁ ନେଇ ବହୁ ସମାଲୋଚନା କରାଯାଇଥିଲା । ଏହି କାରଣରୁ ଏହି ଟ୍ରେଲରରେ କିଛି ସ୍ଥାନରେ ଇଣ୍ଟିମେଣ୍ଟ ସିନକୁ କେବଳ ଟିଜ୍ କରାଯାଇଛି । କାରଣ ଦର୍ଶକଙ୍କ ପାଇଁ ମାହୋଲ ବି ବନାଇ ରଖିବାକୁ ପଡିବ ।

ଭରି ରହିଛି କୌତୁହଳ

ଚଳିତ ସିଜିନରେ ଗୁଡ୍ଡୁ ଭୟା ଚରିତ୍ର ହିରୋ ହେବାକୁ ଯାଉଛି । ତାକୁ ନିଜ ପୁରୁଣା ଅନ୍ଦାଜରେ ଦେଖାଇବାକୁ ଚେଷ୍ଟା କରାଯାଇଛି । ଗୁଡ୍ଡୁ ଓ ବୀନା ମଧ୍ୟରେ ଏକ ପ୍ରକାର ସେକ୍ସୁଆଲ ଟେନସନ ଦେଖାଇବାକୁ ଚେଷ୍ଟା କରାଯାଇଛି । ଗୋଲୁ ଓ ଗୁଡ୍ଡୁ ମଧ୍ୟରେ ବି ଏମିତି କିଛି ଦେଖାଇବାକୁ ଚେଷ୍ଟା କରାଯାଇଛି । ଏହାସହ ଗୁଡ୍ଡୁ ବାପାର ଟେକ୍ ଚାଲୁଛି । କହିବାକୁ ଚାହୁଁଛୁ, ମେକର୍ସ ସବୁକିଛି ଟିଜ୍ କରି ଦର୍ଶକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ।

ହନୁମାନଙ୍କ ପାଖରୁ ଭଡ଼ା ନେଉଛନ୍ତି ମହେଦେବ

ମଥୁରା: ସାଧାରଣତଃ ମଣିଷ ଘର ଭଡ଼ା ଦେଇ ରହିଥାନ୍ତି । କିନ୍ତୁ ମଥୁରାର ଏକ ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ । ଏଠାରେ ମଣିଷ ନୁହଁନ୍ତି, ବରଂ ଭଗବାନ ନିଜେ ଭଡ଼ା ପ୍ରଦାନ କରିଥାନ୍ତି । ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ କି ? ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସମ୍ପୂର୍ଣ୍ଣ ସତ । ଶ୍ରୀକୃଷ୍ଣ ନଗରୀ ମଥୁରାରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ମହାବୀର ବଜରଙ୍ଗବଲୀଙ୍କୁ ଭଡ଼ା ଦେବାକୁ ପଡୁଛି । ହନୁମାନ ରହିବା ପାଇଁ ମହାଦେବଙ୍କୁ ପ୍ରତିଦିନ ଭଡ଼ା ଦେଉଛନ୍ତି । ଅର୍ଥାତ ଭଗବାନ ଶିବ ପ୍ରତିଦିନ ବଜରଙ୍ଗବଲୀଙ୍କଠାରୁ ଭାଙ୍ଗ ଭୋଗ ଭଡ଼ା ଆକାରରେ ନେଉଛନ୍ତି ।

ସହରର ପୁରୁଣା ବସଷ୍ଟାଣ୍ଡର ସାମ୍ନାରେ ରହିଛି ମା’ ବଗଲାମୁଖୀଙ୍କ ମନ୍ଦିର । ମା’ଙ୍କ ମନ୍ଦିର ପରିସରରେ ଥିବା ଆଉ ଏକ ମନ୍ଦିରରେ ମହାଦେବଙ୍କ ଆସ୍ଥାନ । ଶିବଙ୍କ ସହିତ ବଜରଙ୍ଗବଲୀ ସେହି ମନ୍ଦିରରେ ରୁହନ୍ତି । ଆଉ ହନୁମାନ ଏଠି ରହିବା ପାଇଁ ଭଡ଼ ଦିଅନ୍ତି । ମନ୍ଦିର ମହନ୍ତ ବୀରୁ ପଣ୍ଡା କହିଛନ୍ତି ଯେ, ଗତ ୨ ବର୍ଷ ଧରି ହନୁମାନ ଶିବ ମନ୍ଦିରରେ ଭଡ଼ାରେ ରହୁଛନ୍ତି । ଆଉ ଭଡ଼ା ଆକାରରେ ସେ ଭଗବାନ ଶିବଙ୍କୁ ଭାଙ୍ଗ ପ୍ରସାଦ ଦେଇଥାନ୍ତି ।

ମନ୍ଦିର ପଣ୍ଡିତ ଆହୁରି ମଧ୍ୟ କହିଛନ୍ତି ଯେ, ହନୁମାନଙ୍କ ମନ୍ଦିର ଅଧା ତିଆରି ହୋଇ ରହିଛି । ଏଥିପାଇଁ ଭଗବାନ ଶିବଙ୍କ ସହିତ ଭଡ଼ାରେ ରହୁଛନ୍ତି ହନୁମାନ । ଯେପର୍ଯ୍ୟନ୍ତ ମନ୍ଦିର କାମ ପୂର୍ଣ୍ଣ ହୋଇନାହିଁ, ସେବେ ଯାଏଁ ବଜରଙ୍ଗବଲୀ ଭଡ଼ାରେ ରହିବେ । ସେ ସମସ୍ତ ହନୁମାନ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି କି ମନ୍ଦିର ତିଆରି କାମ ପାଇଁ ସଭିଏଁ ଅଳ୍ପ ଅଳ୍ପ ଅର୍ଥ ଦାନ କରନ୍ତୁ । ଯାହାଦ୍ବାରା ଭଗବାନ ହନୁମାନ ଭଡ଼ାରୁ ମୁକ୍ତି ପାଇବା ସହ ସ୍ବଆସ୍ଥାନକୁ ଆସିବେ ।

ଫସିଲେ ଶିକ୍ଷକ, ଜାଲ ସାର୍ଟିଫିକେଟରେ କରିଥିଲେ ଚାକିରି

ବଲାଙ୍ଗୀର: ଚାଲ ସାର୍ଟିଫିକେଟ ଦେଇ ଚାକିରି କରିବା ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା । ଶିକ୍ଷକ କୋମଳଲୋଚନ ପଟେଲଙ୍କୁ ଅଟକ ରଖିଛି ପୋଲିସ । ଘଟଣା ଘଟିଛି ବଲାଙ୍ଗୀରରେ ।

କୋମଳଲୋଚନ କର୍ଲାପିଟା ପ୍ରାଥମିକ ସ୍କୁଲର ଶିକ୍ଷକ ଭାବେ ନିୟୋଜିତ ଅଛନ୍ତି  I ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ବଲାଙ୍ଗୀର ମଣ୍ଡଳ ଶିକ୍ଷା ଅଧିକାରୀ ଟାଉନ ଥାନାରେ ଅଭିଯୋଗ କରିଥିଲେ I ଅଭିଯୋଗ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ଟାଉନ୍ ପୋଲିସ I

ଯୁକ୍ତଦୁଇ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ କୋମଳ I ଘୁଟୁପାଲି ସ୍କୁଲରେ ଥିବା ବେଳେ ଜଣେ ଛାତ୍ରକୁ ମାଡ ମାରିବା ଅଭିଯୋଗରେ ଗତ ବର୍ଷ ଏପ୍ରିଲ ୬ ତାରିଖରେ ତାଙ୍କୁ ନିଲମ୍ବନ କରାଯାଇଥିଲା ।

ମାଲକାନଗିରିରେ ଆତ୍ମସମର୍ପଣ କଲେ ତିନି ମାଓବାଦୀ

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ତିନି ଜଣ ମାଓବାଦୀ । ସମସ୍ତେ ମାୱାଦୀ ଛତିଶଗଡ ଦକ୍ଷିଣ ବସ୍ତର ସଂଗଠନର ମିଲିସିଆ ମେମ୍ବର ବୋଲି ଜଣାପଡିଛି । ଛତିଶଗଡରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଅପରେସନ ଚାଲିଥିବା ବେଳେ ଭୟଭୀତ ହୋଇ ଏମାନେ ମାଲକାନଗିରି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ।

ଆତ୍ମସମର୍ପଣ କରିଥିବା ୩ ଜଣ ମିଲିସିଆ ମାଓବାଦୀ ହେଲେ ଦେବା ମାଡଭି, ଆଡମା ମାଡକାମି ଏବଂ ମୁକା ସୋଡି । ତିନି ଜଣଙ୍କ ଘର ଛତିଶଗଡ ସୁକୁମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଆତ୍ମସମର୍ପଣ ପରେ ଏମାନଙ୍କୁ ଓଡିଶା ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

୨୦୨୫ ଫେବୃଆରୀ ୯ରେ ବାରବାଟୀରେ କ୍ରିକେଟ୍ ମ୍ୟାଚ୍, ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

କଟକ: ପୁଣି ବାରବାଟୀରେ ଜମିବ କ୍ରିକେଟର ମଜା । କ୍ରିକେଟ୍ କ୍ରେଜରେ ସାରା ଓଡ଼ିଶା ହେବ ମତୁଆଲା । କାରଣ, ଦୀର୍ଘ ବର୍ଷ ପରେ ପୁଣି ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ।

ମିଳିଥିବା ସୂଚନା ଅନୁସାରେ, ୨୦୨୫ ଫେବୃଆରୀ ୯ ତାରିଖରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳା ହେବାକୁ ଯାଉଛି । ଏହିଦିନ ବାରବାଟୀରେ ମୁହାଁମୁହିଁ ହେବ ଭାରତ ଓ ଇଂଲଣ୍ଡ । ଦ୍ବିତୀୟ ଦିନିକିଆରେ ଉଭୟ ଟିମ୍ ବାରବାଟୀରେ ପରସ୍ପରକୁ ଭେଟିବେ ।

ସୂଚନାଯୋଗ୍ୟ, ୨୦୨୫ ଆରମ୍ଭରେ ଇଂଲଣ୍ଡ ଭାରତକୁ ଟି-୨୦ ଓ ଦିନିକିଆ ସିରିଜ ଖେଳିବାକୁ ଆସିବ । ଉଭୟ ଦଳ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ହେବାକୁ ଥିବା ବେଳେ ୩ ଟିକିଆ ଦିନିକିଆ ସିରିଜ ଖେଳାଯିବ ।

୫ ବର୍ଷ ପୂର୍ବେ ବାରବାଟୀରେ ଶେଷ ଦିନିକିଆ ଖେଳା ଯାଇଥିଲା । ୨୦୧୯ ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪ ଓ୍ବିକେଟରେ ପରାସ୍ତ କରି ବିଜୟୀ ହୋଇଥିଲା ।

ଡ୍ରେନରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣା, ନଗର ଉନୟନ ବିଭାଗକୁ ରିପୋର୍ଟ ଦେଲା ବିଏମସି

ଭୁବନେଶ୍ବର: ଭୁବନେଶ୍ୱର ମସଜିଦ କଲୋନୀ ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାର ରିପୋର୍ଟ ଦେଇଛି ବିଏମସି । ନଗର ଉନୟନ ବିଭାଗକୁ ବିଏମସି ରିପୋର୍ଟ ପ୍ରଦାନ କରିଛି । ଏଥିପାଇଁ ଜେଇଙ୍କୁ ଶୋ’ କଜ୍ ନୋଟିସ ଦିଆଯାଇଛି । ଡ୍ରେନ କାମ ନେଇ ସେହି ସମୟରେ ଡ୍ରେନେଜ ବିଭାଗର କାର୍ଯ୍ୟରତ ଅଧକାରୀଙ୍କୁ ଦାୟୀ କରିଛି ବିଏମସି ।

ଭୁବନେଶ୍ୱରରେ କେତେ କିଲୋମିଟର ଡ୍ରେନ ମୁକୁଳା ଅଛି ଓ କେତୋଟି ଡ୍ରେନରେ ସ୍ଲାବ ନାହିଁ ତାର ବି ରିପୋର୍ଟ ନଗର ଉନ୍ନୟନ ବିଭାଗକୁ ଦିଆଯାଇଛି । ଆଜିଠୁ ଲୁହା ବ୍ଯାରିକେଡ କାମ ଆରମ୍ଭ ହୋଇଥିବା ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

ବିଏମସି ଅଞ୍ଚଳରେ ୭୭ କିଲୋମିଟର ପ୍ରମୁଖ ଡ୍ରେନ ଓ ୧୩୮୦ କିଲୋମିଟର ଇଣ୍ଟରନାଲ ଡ୍ରେନ ରହିଛି । ମୁଖ୍ଯ ନାଳକୁ କଭର କରାଯାଇ ପାରିବନି ବୋଲି ଏନଜିଟିର ନିର୍ଦ୍ଦେଶ ରହିଛି । ଅନେକ ଜାଗାରେ ଡ୍ରେନ ଲୁହା ଜାଲି ଲଗାଯାଇଛି । ଏନଏଚଏଆଇ ଓ ଇଡକୋ ଡ୍ରେନ ବି ରହିଛି । ସେମାନଙ୍କ ଆଲୋଚନା କରାଯାଇ ଡ୍ରେନ କଭର କରାଯିବ । ବିଏମସି ଅନେକ ଡ୍ରେନ କଭର କରିଥିବାବେଳେ ବାକି ରହିଥିବା ଡ୍ରେନକୁ ଚିହ୍ନଟ କରାଯାଇ ବ୍ଯାରିକେଡ ଲଗାଯିବ । ଡ୍ରେନଜ ସିଷ୍ଟମକୁ ସୁଦୃଢ କରିବା ପାଇଁ ଆଇଆଇଟି ରୁର୍କୀ ବିଶେଷଜ୍ଞ ଦଳ ଭୁବନେଶ୍ୱରେ ଅନୁଧ୍ଯାନ କରିଛନ୍ତି । ରାଜଧାନୀରେ ଅନେକ ଜାଗାରେ ବେଆଇନ ନିର୍ମାଣ ହୋଇଛି । ଏହାଛଡ଼ା ଡ୍ରେନ ସଫା କଲା ବେଳେ ମଧ୍ଯ ସିମେଣ୍ଟ ସ୍ଲାବ ଭାଙ୍ଗିଯାଉଛି । ଆଗକୁ ସିମେଣ୍ଟ କଭର ସ୍ଲାବ ବଦଳରେ ଲୁହା ଚାମ୍ବର ପାଇଁ ପ୍ରସ୍ତାବ ଦିଆଯିବ । ଡ୍ରେନ ସଫା ପାଇଁ କ୍ଲିନଙ୍ଗ ମେସିନ ଆଣିବା ପାଇଁ ଲକ୍ଷ୍ଯ ରଖାଯାଇଛି । ଡ୍ରେନେଜ ବ୍ଯବସ୍ଥାକୁ ସୁଦୃଢ କରିବାକୁ ହଜାରେ କୋଟି ଟଙ୍କା ଦରକାର ଓ ଏଥିପାଇଁ ପ୍ରସ୍ତାବ ଦିଆଯିବ ବୋଲି ମେୟର କହିଛନ୍ତି ।

ଆଜି ରାତି ୧୨ରୁ ଆସନ୍ତାକାଲି ଦିନ ୧୧ଟା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ରାତି ୧୨ଟାରୁ ଆସନ୍ତାକାଲି ଦିନ ୧୧ଟା ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିର । ମହାପ୍ରଭୁଙ୍କ ସାଧାରଣ ଦର୍ଶନ କରି ପାରିବେନି ଭକ୍ତ । ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ବଡ଼ସିଂହାର ଭୋଗ ଶେଷ ହେବା ପରେ ଆପାତତଃ ଆଜି ରାତି ୧୨ଟାରୁ କାଲି ଦିନ ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଆସନ୍ତା ୨୨ ତାରିଖରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ୧୦୮ ପବିତ୍ର ଜଳରେ ସ୍ନାନ ମଣ୍ଡପରେ ଶ୍ରୀଜିଉ ସ୍ନାନ କରିବେ ।

ଦେଶରେ ଶିକ୍ଷା ବ୍ୟବସ୍ଥା ହାଇଜାକ୍, ପେପର ଲିକ୍ ରୋକିବାରେ ସରକାର ଫେଲ୍: ରାହୁଲ

ନୂଆଦିଲ୍ଲୀ: ଦେଶରେ ପେପର ଲିକ୍ ରୋକି ପାରୁନାହାନ୍ତି ସରକାର । ଶିକ୍ଷା ବ୍ଯବସ୍ଥା ଉପରେ କବଜା ହୋଇଛି । ନିଟ୍ ପେପର ଲିକ୍ ପ୍ରସଙ୍ଗରେ ପ୍ରେସମିଟ୍ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାହୁଲ ।

ଆଗକ ରାହୁଲ କହିଛନ୍ତି, ମଧ୍ୟପ୍ରଦେଶରେ ବ୍ଯାପମ ସ୍କାମ ଭଳି ଦୁର୍ନୀତି ସାରା ଦେଶରେ ମାଡ଼ି ଚାଲିଛି । ଛାତ୍ରଙ୍କ ଭବିଷ୍ୟତ ସହିତ ଖେଳ ହେଉଛି । ଶିକ୍ଷା ବ୍ୟବସ୍ଥାର ଡିମନିଟାଇଜେସନ ହୋଇଯାଇଛି । ନିରପେକ୍ଷ ଶିକ୍ଷା ବ୍ୟବସ୍ଥା ଧ୍ଵସ୍ତ ହୋଇଯାଇଛି । ସଂସଦରେ ଏହି ପ୍ରସଙ୍ଗ ଉଠାଇବି ।

ନିଟ୍ ଏବଂ ୟୁଜିସି ନେଟ୍ ପରୀ୍‌କ୍ଷା ପେପର ଲିକ୍ ହୋଇଛି । ପେପର ଲିକ୍ ନେଇ ଛାତ୍ରଛାତ୍ରୀ ଅନେକ ହଇରାଣ ହେଉଛନ୍ତି । ବିହାରରେ ପେପର ଲିକ୍ ନେଇ କାର୍ଯ୍ଯାନୁଷ୍ଠାନ ହୋଇଛି । ଏଥିରେ ଆଉ ଯେଉଁମାନେ ଦୋଷୀ ଅଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଦରକାର । କଠିନ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀଙ୍କ ସହ ଖେଳ ହୋଇଛି । ଦେଶର ଯୁବଗୋଷ୍ଠୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି ବୋଲି ରାହୁଲ କହିଛନ୍ତି ।

ସେପଟେ ବଢୁଛି ନିଟ ଅନିୟମିତତା ବିବାଦ । ସାରା ଦେଶରେ ତାତୁଛନ୍ତି କ୍ଷତିଗ୍ରସ୍ତ ପରୀକ୍ଷାର୍ଥୀ । ୟୁଜିସି ନେଟ୍ ବାତିଲ ହେବା ପରେ ତାତିଛନ୍ତି ବିରୋଧୀ । ଲକ୍ଷ୍ମୌରେ ବି ୟୁଜିସି ନେଟ୍ ବାତିଲ ଦାବିରେ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । ଉଭୟ ନିଟ ଓ ନେଟରେ କାହିଁକି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭାଗ୍ଯ ସହ ଖେଳାଯାଉଛି ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି । ସେପଟେ ନିଟ୍ ପେପର ଲିକ୍ ମାମଲାରେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ବ୍ୟକ୍ତିଗତ ସଚିବ ସଂଶ୍ଲିଷ୍ଟ ଥିବା ଅଭିଯୋଗ କରିଛନ୍ତି ବିହାର ଉପ ମୁଖ୍ଯମନ୍ତ୍ରୀ ବିଜୟ କୁମାର ସିହ୍ନା ।