spot_img
Home Blog Page 1743

ବସ୍ ଚଳାଚଳକୁ ନେଇ ବାରିପଦାରେ ଗୋଷ୍ଠୀ ସଂଘର୍ଷ

ବାରିପଦା: ବାରିପଦା ବସଷ୍ଟାଣ୍ଡରେ ରକ୍ତାକ୍ତ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ହଣାକଟା । ୮ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ଯରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ବସ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ଯରେ ପାଟିତୁଣ୍ଡ ଓ ପରେ ହାତାହାତି ହୋଇଥିଲା । ଆହତଙ୍କୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୪ ଗଣ୍ଡଗୋଳକାରୀଙ୍କୁ ଅଟକ ରଖାଯାଇଛି ।

ଭଦ୍ରକ ଜିଲ୍ଲାର ଦୁର୍ଗା ନାମକ ଏକ ଘରୋଇ ବସ ରାଇରଙ୍ଗପୁରରୁ ବ୍ରହ୍ମପୁର ଯିବାକୁ ବସଷ୍ଟାଣ୍ଡରେ ପଶି ତା’ର ନିର୍ଦ୍ଧାରିତ ସମୟକୁ ନ ମାନି ଯିବାକୁ ଚାହୁଁଥିଲା । ଏହାକୁ ନେଇ ସଂଘ ପକ୍ଷରୁ ପ୍ରତିବାଦ କରାଯିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ କିଛି ଯୁବକ ବାରିପଦା ବସ ମାଲିକ ସଂଘର କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିଲେ । ଖଣ୍ଡା, ଭୁଜାଲି ଓ ବସଷ୍ଟାଣ୍ଡରେ ଥିବା ଷ୍ଟପରରେ ମରଣାନ୍ତକ ଆକ୍ରମଣ କରିଥିବା ଆହତ ବସ ମାଲିକ ସୂଚନା ଦେଇଛନ୍ତି । ପ୍ରତିବାଦରେ ମୟୂରଭଞ୍ଜ ବସ ମାଲିକ ସଂଘ ପକ୍ଷରୁ ବସ ଚଳାଚଳ ବନ୍ଦ ରଖାଯାଇଥିବା ବସ ମାଲିକ ସଂଘ ସଭାପତି ସୁନିଲ ଦାଶ କହିଛନ୍ତି ।

ସ୍ଥଗିତ ହେଲା CSIR UGC NET ପରୀକ୍ଷା

ନୂଆଦିଲ୍ଲୀ: ସ୍ଥଗିତ ହେଲେ CSIR (କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) UGC NET । ଜୁନିଅର ଫେଲୋସିପ ପାଇଁ ହୋଇଥାନ୍ତା ପରୀକ୍ଷା । ପରୀକ୍ଷା ତାରିଖ ନେଇ ପରେ ଘୋଷଣା କରାଯିବ ।

୨୫ରୁ ୨୭ ତାରିଖ ମଧ୍ଯରେ ହେବାର ଥିଲା ପରୀକ୍ଷା । ସଂସାଧନ ଅଭାବରୁ ସ୍ଥଗିତ ରହିଲା ପରୀକ୍ଷା । ପରୀକ୍ଷା ଘୁଞ୍ଚିବା ନେଇ ଏନଟିଏର ସୂଚନା ।

କାଳିମାଡ଼ ଘଟଣା ପଛରେ ବିଜେପିର ହାତ: ପିସିସି ସଭାପତି

ଭୁବନେଶ୍ବର: କଂଗ୍ରେସ ଭବନରେ ପଶି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ । ଏହି ଘଟଣା ପଛରେ ବିଜେପିର ହାତ ଥିବା ଅଭିଯୋଗ ଆଣିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ନିଟ ଘୋଟାଲକୁ ନେଇ ସାରା ଦେଶରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବାରୁ କଂଗ୍ରେସର ସ୍ବରକୁ ଚପାଇ ଦେବାକୁ ବିଜେପି ଦୁର୍ବୃତ୍ତ ପଠାଇ ଏପରି କାଣ୍ଡ କରିଥିବା ପିସିସି ସଭାପତି କହିଛନ୍ତି । ସେପଟେ ବିଜେପି ପକ୍ଷରୁ ଏହାକୁ ଅସ୍ବୀକାର କରାଯଇଛି । ମାମଲା କ୍ୟାପିଟାଲ ଥାନାରେ ପହଞ୍ଚିଛି ।

ଶରତଙ୍କୁ ମହଙ୍ଗା ପଡ଼ିଲା ନିଟ ଘୋଟାଲା ପ୍ରତିବାଦ । ପିସିସି ସଭାପତିଙ୍କ ଧଳା କୁର୍ତ୍ତା ଭିଜିଲା ବିଜେପିର କାଳିରେ । ତାହା ପୁଣି କଂଗ୍ରେସ ଭବନରେ ସଭାପତି ଚାମ୍ବର ଭିତରେ ।  ସକାଳ ପ୍ରାୟ ୧୧ଟା ୧୦ରେ କଂଗ୍ରେସ ଭବନର ଉପର ମହଲାରେ ଥିବା ପିସିସି ସଭାପତିଙ୍କ ଚାମ୍ବରକୁ ହଠାତ ୨୦ରୁ ଅଧିକ ଯୁବକ ପଶି ଆସିଥିଲେ । ଶରତ ପଟ୍ଟନାୟକ ହାଏ ହାଏ ସ୍ଲୋଗାନ ଦେଇ ପିସିସି ସଭାପତିଙ୍କ ରୁମ ଭିତରେ ପଶି ସେମାନେ ଶରତଙ୍କ ସହ ହାତ ମେଳାଇ ଥିଲେ । ଏହାପରେ ହଠାତ ପକେଟରୁ କାଳି ବାହାର କରି ଶରତଙ୍କ ଉପରକୁ ଫିଙ୍ଗିଥିଲେ ।

ପିସିସି ସଭାପତି କାଳିରେ ଗାଧୋଇ ପଡିଲା ଭଳି ଦେଖା ଯାଉଥିଲେ । କାଳିମାଡ଼ କରିବା ପରେ ଯୁବକମାନେ ପିସିସି ସଭାପତି ଗୋ ବ୍ୟାକ୍ ଓ ମୁର୍ଦ୍ଦାବାଦ ସ୍ଲୋଗାନ ଦେଇ କଂଗ୍ରେସ ଭବନରୁ ବାହାରି ଯାଇଥିଲେ । ସେପଟେ କିନ୍ତୁ ପିସିସି ସଭାପତିଙ୍କ ଚାମ୍ବର ଆଗରେ ସଭାପତିଙ୍କ ସମର୍ଥନ ଗୋଷ୍ଠୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଖବର ପାଇ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ମିଡ଼ିଆ ସେଲ ଅଧ୍ୟକ୍ଷ ବିଶ୍ବ ରଂଜନ ମହାନ୍ତି ଏବଂ ଅନ୍ୟ ନେତାମାନେ ପିସିସି ସଭାପତିଙ୍କ ଚାମ୍ବରରେ ପହଞ୍ଚିଥିଲେ । ଏହାପରେ ଗଣମାଧ୍ୟମ ଆଗରେ ସାଂଘାତିକ ଅଭିଯୋଗ ଆଣିଲେ ପିସିସି ସଭାପତି । ନିଟ ଘୋଟାଲା ନେଇ ସାରା ଦେଶରେ କଂଗ୍ରେସ ପ୍ରତିବାଦ କରୁଥିବାରୁ ସରକାର ତାଙ୍କ ବିରୋଧରେ ଦୃର୍ବୃତ୍ତ ଲଗାଇ ଏପରି କାଳିମାଡ଼ କରିଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ମହାତ୍ମାଗାନ୍ଧି ଓ ନାଥୁରାମ ଗଡ଼ସେ ଉଦାହରଣ ଦେଇ ବିଜେପିକୁ ଟାର୍ଗେଟ କରିଥିଲେ ଶରତ ।

ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି । ଦଳ ପକ୍ଷରୁ କୁହାଯାଇଛି, କଂଗ୍ରେସ ଦଳରେ ବା ଅଫିସରେ ବାଡ଼ିଆପିଟା ଓ କାଳିମାଡ଼ କିଛି ନୂଆ ନୁହେଁ । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ସେମାନଙ୍କ କଳି ଭିତରେ ଅନ୍ୟମାନଙ୍କୁ ବା ବିଜେପିକୁ କାହିଁକି ଟଣାଯାଉଛି । କେବଳ ସିମ୍ପାଥି ହାସଲ କରିବା ପାଇଁ ଅନ୍ୟ ଦଳ ଉପରେ କଂଗ୍ରେସ ଦୋଷ ଦେଉଛି ବୋଲି ବିଜେପି କହିଛି ।

ନିଟ ଓ କାଳିମାଡ଼ ଘଟଣାକୁ ନେଇ ରାଜ୍ୟରେ କଂଗ୍ରେସ ଓ ବିଜେପି ମୁହାମୁହିଁ ହୋଇଛନ୍ତି  । କଂଗ୍ରେସ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ କ୍ୟାପିଟାଲ ଥାନାରେ ଦଳ ପକ୍ଷରୁ ଘଟଣାର ତଦନ୍ତ ଦାବି କରାଯାଇଛି । ଏହାସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦଳ ଦାବି କରିଛି ।

ବାଲେଶ୍ବର: ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ, ଅନ୍ୟ ସ୍ଥାନରେ ୯ ଘଣ୍ଟା କୋହଳ

ବାଲେଶ୍ବର: ଧୀରେ ଧୀରେ ସ୍ବାଭାବିକ ହେଉଛି ବାଲେଶ୍ବର । ଆସନ୍ତାକାଲି ୯ ଘଣ୍ଟା ପାଇଁ କୋହଳ ହେଲା କର୍ଫ୍ଯୁ । ସକାଳ ୫ରୁ ଦିନ ୨ଟା ଯାଏଁ ହଟିଲା କଟକଣା । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ହଟାଇ ଦିଆଯାଇଛି । ଏହାସହ ଇଣ୍ଟରନେଟ ସେବାରେ ମଧ୍ୟ କିଛିଟା କୋହଳ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ କର୍ଫ୍ୟୁ ସମ୍ପୂର୍ଣ୍ଣ କୋହଳ ହୋଇଛି । ହେଲେ ସହଦେବଖୁଣ୍ଟା ଓ ଟାଉନ ଥାନା ଅଞ୍ଚଳରେ ପୂର୍ବ ପରି କଟକଣା ରହିବ । ତେବେ ଏହି ଦୁଇ ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି ।

ସେହିପରି ବାଲେଶ୍ବରରେ ଲିଜ୍ ଲାଇନ୍ ସହିତ ବ୍ରଡବ୍ୟାଣ୍ଡରେ ଆସନ୍ତାକାଲିଠାରୁ ମିଳିବ ଇଣ୍ଟରନେଟ ସେବା । ତେବେ ମୋବାଇଲରେ ଇଣ୍ଟରନେଟ ସେବା ବନ୍ଦ ରହିବ । ମ୍ୟୁନିସିପାଲିଟି ଅଞ୍ଚଳରେ କାଲି ମଧ୍ୟ ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଅନ୍ୟ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି ଜଣାପଡିଛି ।

ସୋମବାର ଦିନ ସହରରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ ପରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତିକୁ ଦେଖି ଅଞ୍ଚଳରେ କର୍ଫ୍ଯୁ ଜାରି କରାଯାଇଥିଲା । ଏହାସହ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଥିଲା । ଘଟଣାରେ ଆଜି ଯାଏଁ ୬୫ ଜଣଙ୍କୁ ପୋଲିସ ଗିରଫ କରିଥିବବେଳେ ଗୁଜବରୁ ଦୂରେଇ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ।

ପ୍ରସ୍ତୁତି ଶେଷ, ରାତି ପାହିଲେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା

ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନ ବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଦୁଲ୍ଲଭ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷାକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଆସନ୍ତାକାଲି ଶ୍ରଦ୍ଧାଳୁ ଦେଖିବେ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନଯାତ୍ରା । ମଙ୍ଗଳାର୍ପଣ ପରେ ଭୋର ୫ଟାରୁ ୭ଟା ମଧ୍ଯରେ ଧାଡ଼ି ପହଣ୍ଡିରେ ଆସିବେ ଶ୍ରୀଜିଉ । ସେନାପଟା ଲାଗି କରାଯାଇଥିବାବେଳେ ସ୍ନାନ ଯାତ୍ରା ପାଇଁ ପୁରୀ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଛି । ନୀତିକାନ୍ତିକୁ ଅତ୍ୟନ୍ତ ଶୃଙ୍ଖଳିତ କରାଯିବାକୁ ଲକ୍ଷ୍ଯ ରଖାଯାଇଥିବା ବେଳେ ଶୃଙ୍ଖଳିତ ଓ ସୁରକ୍ଷିତ ଯାତ୍ରା ସମାପନ ପାଇଁ ସାଧାରଣ ଭକ୍ତଙ୍କ ସହଯୋଗ ଲୋଡିଛି ପ୍ରଶାସନ । ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ନେଇ ସ୍ୱତନ୍ତ୍ର ସେଡ କରାଯାଇଥିବା ବେଳେ ବ୍ୟାପକ ପାନୀୟ ଜଳ ଯୋଗାଣ ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ସୁବାଶିତ ଜଳରେ ସ୍ନାନ କରିବେ ମହାପ୍ରଭୁ । ଏହାପରେ ଗଜାନନ ବେଶରେ ଦର୍ଶନ ଦେବେ । ଏହି ଦୁଲ୍ଲଭ ବେଶ ଦର୍ଶନ ପାଇଁ ରାଜ୍ଯ ତଥା ରାଜ୍ଯ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ଧୀରେ ଧୀରେ ଶ୍ରୀକ୍ଷେତ୍ର ଜନସମୁଦ୍ର ପାଲଟିଲାଣି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ୱତନ୍ତ୍ର ଜୋନ ଗଠନ କରାଯାଇ ପୋଲିସ ଫୋର୍ସ ମୁତୟନ କରାଯାଇଛି  । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ନେଇ ୪ ଜଣ ଏସପି ପାହ୍ୟା ଅଧିକାରୀଙ୍କ ସମେତ ୬୦ ପ୍ଲାଟୁନରୁ ଊର୍ଦ୍ଧ୍ବ ପୋଲିସ ନିୟୋଜିତ ହୋଇଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସିସିଟିଭି ନଜରରେ ରହିଛି ସମଗ୍ର ସହର । ଶ୍ରୀମନ୍ଦିର ଭିତରେ ଓ ବାହାରେ ରହିବ ପ୍ରହରା । ପ୍ରତିବନ୍ଧକ ବିହିନ ଦର୍ଶନ ପାଇଁ ସେବାୟତଙ୍କୁ ସାମ୍ନାକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି ।

ମାତିଛନ୍ତି ଲୁଟେରା, ଲୋକଙ୍କ ମଧ୍ୟରେ କୋକୁଆ ଭୟ

ଗଜପତି: ଚୋରି, ଲୁଟପାଟକୁ ନେଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ । ଦିନ ଦ୍ଵିପ୍ରହରରେ ମାରଣାସ୍ତ୍ର ଦେଖାଇ ଲୁଟୁଛନ୍ତି ଲୁଟେରା । ପାରଳାଖେମୁଣ୍ଡି ସମେତ ଗୁରାଣ୍ଡି ଓ କାଶୀନଗର ଥାନା ଅଞ୍ଚଳରେ ଲୁଟେରାଙ୍କ ରାଜ ।  ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି ।

ଦିନକୁ ଦିନ ପାରଳାଖେମୁଣ୍ଡି ଅଞ୍ଚଳରେ ବଢ଼ି ଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ । ପାରଳାଖେମୁଣ୍ଡି ସମେତ ଗୁରାଣ୍ଡି ଓ କାଶୀନଗର ଥାନା ଅଞ୍ଚଳରୁ ଗତ କିଛିଦିନ ମଧ୍ୟରେ ୬ରୁ ଅଧିକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି । ପୋଲିସର ନାକ ତଳେ ଦିନ ଦ୍ବିପହରରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସହ ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ପାରଳାଖେମୁଣ୍ଡି ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ଗାଁର କଲ୍ୟାଣୀ ସାମଲଙ୍କ ଘରୁ ଏପ୍ରିଲ ୧୯ ତାରିଖର ରାତିରେ ୧୦ ତୋଳା ସୁନା ଚୋରି ହୋଇଥିଲା । ଏପ୍ରିଲ ୩୦ ତାରିଖରେ ମଧୁସୂଦନପୁର ଗାଁର ଏକ ମହିଳାଙ୍କ ବେକରୁ ସୁନା ଚେନ ଟାଣି ଫେରାର ହେଇଯାଇଥିଲେ ଦୁଇ ଦୁର୍ବୃତ୍ତ । ଏପ୍ରିଲ ୧୦ ତାରିଖରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଓମ୍ ଶାନ୍ତି କଲୋନୀର ମିତା ପରିଡ଼ାଙ୍କ ଘରୁ ତାଲା ଭାଙ୍ଗି ୬ ତୋଳା ସୁନା ଚୋରି କରି ନେଇଥିଲେ ଦୁର୍ବୃତ୍ତ । ସେହିପରି ମେ’ ୩୦ ତାରିଖର ଦିନ ଦ୍ବିପହରରେ ମକାତୋଟାମା ମନ୍ଦିର ନିକଟ ବିଶ୍ବନାଥ ନଗରର ସସ୍ମିତ ପଟ୍ଟନାୟକଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ନଗଦ ୪ ଲକ୍ଷ ସହ ୪ ତୋଳାରୁ ଅଧିକ ସୁନା ଲୁଟି ନେଲେ ଦୁର୍ବୃତ୍ତ । ଏତେ ସବୁ ଚୋରି ହେଉଥିଲେ ବି ପୋଲିସର ହାତ ଖାଲି । ଚୋରକୁ ଧରିବାରେ ବିଫଳ ହୋଇଛି ପୋଲିସ । ଫଳରେ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ ।

ପୋଲିସ ଚୋରକୁ ଧରିବାକୁ ସେଭଳି ଠୋସ କୌଶଳ ଆପଣେଇ ନଥିବା ବେଳେ, ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଉପରେ ହିଁ ଏକମାତ୍ର ଭରସା ରଖି ତଦନ୍ତ ଗଡ଼ାଇ ଚାଲିଛି ପୋଲିସ ।

ମଧୁପୁରଗଡ଼ ରଥଯାତ୍ରା; ଏଠି ରାଜକୁମାରୀ କରନ୍ତି ଛେରା ପହଁରା

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଧୁପୁରଗଡ଼ ଜଗନ୍ନାଥ ମନ୍ଦିରରେ ରାଜ ରାଜୁଡା ସମୟରୁ ଅନୁଷ୍ଠିତ ହୋଇ ଆସୁଛି ରଥଯାତ୍ରା । ଏଠାକାର ରଥଯାତ୍ରାର ବିଶେଷତ୍ୱ ହେଉଛି ରଥରେ ମଧୁପୁରଗଡ଼ର ରାଜକୁମାରୀଙ୍କ ଛେରା ପହଁରା । ରାଜକୁମାରୀ ଛେରା ପହଁରା କରିବା ପରେ ହିଁ ଏଠି ରଥ ଗଢ଼ିଥାଏ ।

ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ମନ୍ଦିରରେ ରହିଛି ଅନେକ କିମ୍ବଦନ୍ତୀ । ମଧୁପୁରଗଡ଼ର ରାଜା ସୁଦର୍ଶନ ଧୀର ନରେନ୍ଦ୍ର ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ । ୧୯୧୨ ମସିହାରେ ପ୍ରଥମ ଥର ନବକଳେବର ଅନୁଷ୍ଠିତ ହୋଇଥିଲା । ୨୦୧୫ ମସିହାରେ ଶେଷ ନବକଳେବର ଅନୁଷ୍ଠିତ ହୋଇଥିଲା । ରାଜା ସୁଦର୍ଶନ ଧୀର ନରେନ୍ଦ୍ରଙ୍କ ପରେ ପୀଢ଼ି ପରେ ପୀଢ଼ି ଏହି ମନ୍ଦିରର ପରିଚାଳନା କରି ଆସୁଛନ୍ତି । ମନ୍ଦିର ପ୍ରତିଷ୍ଠା ପରଠାରୁ ଏଠାରେ ପ୍ରଭୁଙ୍କ ରଥଯାତ୍ରା ପାଳନ ହୋଇଆସୁଛି ।

ମଧୁପୁରଗଡରେ ହେଉଥିବା ରଥଯାତ୍ରାର ରହିଛି ଅନେକ ବିଶେଷତ୍ଵ । ପୂର୍ବରୁ ତିନୋଟି ରଥରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା । ଏବେ ଗୋଟିଏ ରଥରେ ତିନି ଠାକୁର ବିରାଜମାନ ହେଉଛନ୍ତି । ପରମ୍ପରା ଅନୁସାରେ ରୀତିନୀତି ପାଳନ ହେଲା ପରେ ତିନି ଠାକୁର ରଥରେ ବିରାଜମାନ କରିଥାନ୍ତି । ରାଜା ସାରଥିଙ୍କୁ ଆଦେଶ ଦେବା ପରେ ହିଁ ଠାକୁର ମାଉସୀ ମା ମନ୍ଦିରକୁ ବିଜେ କରନ୍ତି ।  ଏହି ରଥଯାତ୍ରାରେ ରାଜା ଛେରା ପହଁରା କରିଥାନ୍ତି । ରାଜା କୃଷ୍ଣ ପ୍ରକାଶ ଧୀର ନରେନ୍ଦ୍ରଙ୍କ ଦେହାନ୍ତ ପରେ ତାଙ୍କ ଝିଅ ତଥା ରାଜକୁମାରୀ ଅପର୍ଣ୍ଣା ଧୀର ନରେନ୍ଦ୍ର ଭରଦ୍ୱାଜ ୨୦୦୮ ମସିହାରୁ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି । ରଥଯାତ୍ରାରେ ରାଜକୁମାରୀ ଛେରା ପହଁରା କରିବା ପରେ ହିଁ ରଥ ଗଡିଥାଏ । ଏହି ରଥଯାତ୍ରା ଦେଖିବା ପାଇଁ ବିଭିନ୍ନ କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଥାଏ ।

ଦ୍ରୁତଗତିରେ ଆସି ପିଟି ଦେଲେ ଟ୍ରକ୍, ସାଇକେଲ ଆରୋହୀ ମୃତ

ଢେଙ୍କାନାଳ: ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ସରାଙ୍ଗଠାରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ମୃତ ବ୍ୟକ୍ତି ଜଣଙ୍କ ହେଲେ ସାରଙ୍ଗ ଗାଁର ଅନ୍ତର୍ଯ୍ୟାମୀ ସାହୁ । ସେ ବଜାର ସାରି ଫେରୁଥିବା ବେଳେ ଟ୍ରକଟି୍ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ଫଳରେ ଡୁବୁରୀ-ତାଳଚେର ମଧ୍ୟରେ ଜାତାୟାତ ବାଧାପ୍ରାପ୍ତ ହୋଇଛି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି ।

ମିଳିଥିବା ସୂଚନା ଅନୁସାରେ କାମାକ୍ଷାନଗରରୁ ତାଳଚେର ଆଡେ ଟ୍ରକଟି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ବିଦ୍ୟୁତ କାର୍ଯ୍ୟାଳୟ ଭଙ୍ଗାରୁଜା, ଯନ୍ତ୍ରୀଙ୍କୁ ମାଡ଼

ପିପିଲି: ବିଦ୍ୟୁତ ସଂଯୋଗକୁ ନେଇ ପିପିଲି ବିଦ୍ୟୁତ କାର୍ଯ୍ୟାଳୟରେ ତୁମୁଳ କାଣ୍ଡ । କାର୍ଯ୍ୟାଳୟ ଭଙ୍ଗାରୁଜା ସହ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ଅଭିଯୋଗ ।

ମିଳିଥିବା ସୂଚନା ଅନୁସାରେ ପିପିଲି ବିଦ୍ୟୁତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯିବା ସହ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରିଯାଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ବିଦ୍ୟୁତ କର୍ମଚାରୀ ପିପିଲି ଥାନାରେ ଅଭିଯୋଗ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ପିପିଲି ବିଦ୍ୟୁତ କାର୍ଯ୍ୟାଳୟ ଦୁଇ ନମ୍ବର ଦୁଇ ସେକ୍ସନରେ କନିଷ୍ଠ ଯନ୍ତ୍ରୀଙ୍କ ସହ କିଛି ଯୁବକଙ୍କ ବିଦ୍ୟୁତ ସଂଯୋଗ ନେଇ ବଚସା ହୋଇଥିଲା । ଏହାକୁ କେନ୍ଦ୍ର ସଂପୃକ୍ତ ଯୁବକମାନେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ରାଜଧାନୀରେ କାଳବୈଶାଖୀର ତାଣ୍ଡବ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ । ଘଡ଼ଘଡ଼ ବିଜୁଳି ସହ ପ୍ରବଳ ବର୍ଷା । ଫଳରେ ଯାତାୟାତ ବାଧାପ୍ରାପ୍ତ ।

ଆଜି ଅପରାହ୍ନରେ ଭୁବନେଶ୍ବରରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇଯାଇଛି । ସକାଳୁ ରାଜଧାନୀରେ ପାଗ ମେଘୁଆ ରହିଥିବାବେଳେ ଅପରାହ୍ନରେ ବର୍ଷା ହେଉଛି । ବର୍ଷା ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବି ବହୁଛି । ବର୍ଷା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅନ୍ଯପଟେ ଏହାକୁ ପ୍ରାକ ମୌସୁମୀ ବର୍ଷା ବୋଲି ମଧ୍ଯ କୁହାଯାଉଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।