spot_img
Home Blog Page 1738

ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଅନୁପ୍ରେବଶ ନେଇ ଜାମ୍ମୁ ଓ କାଶ୍ମୀରରେ ଆଲର୍ଟ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରେ ବଡଧରଣର ସର୍ଚ୍ଚ ଅପରେସନ। ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଅନୁପ୍ରେବଶ ନେଇ ଜାମ୍ମୁ ଓ କାଶ୍ମୀରରେ ଆଲର୍ଟ। ରିଆସିର ବାଦୋଆ ସମେତ ବିଭିନ୍ନ ସ୍ଥାନରେ ପୋଲିସ ଓ ସିଆରପିଏଫର ବ୍ଯାପକ ସର୍ଚ୍ଚ ଅପରେସନ ଜାରି ରହିଛି। ଗତ ଦୁଇ ମାସରେ ବଢିଛି ଅନୁପ୍ରବେଶ। ସହିଦ ହେଲେଣି ଅନେକ ଯବାନ।

ସପେଟେ ଡୋଡା ଜିଲ୍ଲାରେ ହୋଇଥିବା ଆତଙ୍କୀ ହମଲାରେ ସମ୍ପୃକ୍ତ ଥିବା ୩ ଜଣ ଆତଙ୍କବାଦୀଙ୍କ ସ୍କେଚ ଜାରି କରିଛି ପୋଲିସ। ଏହି ଘଟଣାରେ ଜଣେ କ୍ଯାପଟେନ ସମେତ ୪ ଜଣ ସହିଦ ହୋଇଥିଲେ। ଆତଙ୍କବାଦୀଙ୍କ ଧରିବା ଲାଗି ୫ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।

କିଛି ମାସ ହେଲା ଜାମ୍ମୁ କାଶ୍ମୀରେ ବଢ଼ିଛି ଆତଙ୍କବାଦୀଙ୍କ କାର୍ଯ୍ଯକଳାପ। ବିଶେଷ କରି ଜମ୍ମୁକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ନିଜର ଟାର୍ଗେଟ କରିଥିବା ଜଣାପଡିଛି। କାରଣ ଏହି ଅଞ୍ଚଳରେ ବଢିଛି ଆତଙ୍କବାଦୀ କାର୍ଯ୍ଯକଳାପ। କାଶ୍ମୀର ନୁହେଁ, ଜାମ୍ମୁ ଅଞ୍ଚଳକୁ ଟାର୍ଗେଟ କଲେଣି ଆତଙ୍କବାଦୀ। ୨୦୨୪ରେ ଏହି ଅଞ୍ଚଳରେ ୨୪ ଜଣଙ୍କୁ ଆତଙ୍କବାଦୀମାନେ ହତ୍ଯା କଲେଣି। ସେମାନଙ୍କ ଆକ୍ରମଣରେ ୫୫ ଜଣ ଆହତ ହୋଇଛନ୍ତି।

ସେପଟେ ସୁରକ୍ଷାକର୍ମୀଙ୍କ ପାଲଟା କାର୍ଯ୍ଯାନୁଷ୍ଠାନରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ସଂଖ୍ଯା କମିଛି କିନ୍ତୁ ଆକ୍ରମଣ ସଂଖ୍ଯା ବଢ଼ି ଥିବାରୁ ସୁରକ୍ଷାକର୍ମୀ ସଂସ୍ଥାଗୁଡ଼ିକର ଚିନ୍ତା ବଢିଛି। ବିଦେଶୀ ଆତଙ୍କବାଦୀ ମଧ୍ଯ ସକ୍ରିୟ ଅଛନ୍ତି। ଲୋକଙ୍କ ମଧ୍ଯରେ ବିଭେଦ ସୃଷ୍ଟି କରିବା ଟାର୍ଗେଟ ନେଇ ଲୋକଙ୍କୁ ହତ୍ଯା କରୁଛନ୍ତି। ବିଶେଷଜ୍ଞ କହିଛନ୍ତି-୮୦ ଦଶକର ଶେଷ ଭାଗରେ କାଶ୍ମୀରରେ ପ୍ରଥମେ ଏଭଳି ସ୍ଥିତି ଦେଖାଯାଇଥିଲା। ପରେ ତାହା ଗୁରୁତର ରୂପ ଧାରଣା କରିଥିଲା। ଯଦିଓ ସ୍ଥିତିରେ ସୁଧାର ଆସିଛି, ଜାମ୍ମୁ ଅଞ୍ଚଳ ଯେମିତି କାଶ୍ମୀର ନପାଲଟେ, ସେଥିପାଇଁ ରଣନୀତି ପରିବର୍ତ୍ତନ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

ଦୁର୍ଘଟଣାରେ ପ୍ରାଣ ହରାଇଲେ CISF ASI

ଭୁବନେଶ୍ବର: ଦୁର୍ଘଟଣାରେ ପ୍ରାଣ ହରାଇଲେ CISF ASI । ନାଇଟ ସିଫ୍ଟ ଡ୍ୟୁଟି ପାଇଁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ଯାଉଥିବା ବେଳେ ଦୁର୍ଘଟଣା ପ୍ରାଣ ହରାଇଛନ୍ତି ଏଏସଆଇ । ଏକ ମଦ୍ୟପ କାର ଚାଳକ ତାଙ୍କୁ ଧକ୍କା ଦେଇଥିବା ସୂଚନା ମିଳିଛି। ଏୟାରପୋର୍ଟ ଥାନା କାର୍ଗିଲ ବସ୍ତି ନିକଟରେ ଶନିବାର ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମୃତକ ASI ହେଲେ ଯାଜପୁର ଜିଲ୍ଲା ବିଂଝାରପୁର କନ୍ତିଆର ନିରଞ୍ଜନ ପ୍ରଧାନ। ତାଙ୍କର ପତ୍ନୀ କଳ୍ପନା ପ୍ରଧାନ ଓ ଦୁଇ ଜଣ ଝିଅ ଭୁବନେଶ୍ୱର ସ୍ଥିତ ଘରେ ରହୁଛନ୍ତି।

ଶନିବାର ରାତି ପ୍ରାୟ ୧ ସମୟରେ ଘଟିଥିଲା ଏହି ଦୁର୍ଘଟଣା। ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଇସିଜି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଦୁର୍ଘଟଣା ଘଟାଇଥିବା ଗାଡି OD 02 0949 ନମ୍ବର କାରକୁ ଜବତ କରିବା ସହ ଶୋଭନ ମହାପାତ୍ରଙ୍କୁ ଅଟକ ରଖିଛି। ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ମୃତକ ଜଣଙ୍କ ପୂର୍ବରୁ ହାଇଦ୍ରାବାଦ,  NTPC, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, FCI ତାଳଚେର, ନାଲକୋ ଅନୁଗୁଳ, କୋଲକାତା, ଚେନ୍ନାଇ, ଭୁବନେଶ୍ୱର ଏୟାରପୋର୍ଟରେ କାର୍ଯ୍ୟରତ ଥିଲେ ।

ଆରୁଆଳି ଗ୍ରାମରେ ବଧୂହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନନ୍ଦିଘୋଷ ବ୍ୟୁରୋ: ଗୋପ ଥାନା ଅଧୀନ କୁଆଁପଡ଼ା ପଞ୍ଚାୟତ ଆରୁଆଳି ଗ୍ରାମରେ ବଧୂହତ୍ୟା। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଅଭିଯୋଗ ପରେ ସ୍ବାମୀ ଓ ଶ୍ୱଶୁର ଗିରଫ।

ସୂଚନା ମୁତାବକ, ଗୋପ ଥାନା ଅଧୀନ ମଦରଙ୍ଗ ଗ୍ରାମର କୁମର ବେହେରାଙ୍କ ବଡ଼ ଝିଅ ଭାଗ୍ୟବତୀ ବେହେରା ଗତ ୫ବର୍ଷ ତଳେ ଆରୁଆଳି ଗ୍ରାମର ଶ୍ରୀଧର ବେହେରାଙ୍କ ପୁଅ ଏକାଦଶୀ ବେହେରାଙ୍କୁ ବୈଦିକରୀତିରେ ବିବାହ କରିଥିଲେ। ହଠାତ୍ ଭାଗ୍ୟବତୀଙ୍କ ଦେହ ଅସୁସ୍ଥ ଥିବା ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଭାଗ୍ୟବତୀଙ୍କ ବାପଘରକୁ ଖବର ଆସିଥିବାବେଳେ ଗୋପ ମେଡ଼ିକାଲକୁ ଆସିବାକୁ କୁହାଯାଇଥିଲା। ପରିବାର ଲୋକେ ମେଡିକାଲରେ ପହଞ୍ଚିବା ପରେ ମେଡିକାଲରେ ଝିଅର ମୃତ ଶରୀର ଦେଖି ଉଭୟ ପରିବାରଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଥିଲା। ପରେ ଝିଅକୁ ମାରିଦେଇଥିବା ନେଇ ଗୋପ ଥାନାରେ ଅଭିଯୋଗ କରିବା କରିଥିଲେ। ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଡାକ୍ତରଖାନା ପଠାଇଥିଲା। ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଏକାଦଶୀ ବେହେରା ଓ ଶ୍ୱଶୁର ଶ୍ରୀଧର ବେହେରାଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।

ଯାଜପୁର ବୈତରଣୀ ନଦୀରେ ବୁଡି କାଉଡିଆଙ୍କ ମୃତ

ଯାଜପୁର: ବୈତରଣୀ ନଦୀରେ ବୁଡି କାଉଡିଆ ମୃତ । ମୃତକ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ଅନ୍ତର୍ଗତ ରହଣିଆ ପଂଚାୟତ ପୁରୁଷୋତମପୁର ଗାଁର ପ୍ରଶାନ୍ତ ସାମଲ। ଯାଜପୁର ବୈତରଣୀ ନଦୀର ବଲ୍ଲଭି ଘାଟ ନିକଟରେ ପାଣି ଉଠାଇବା ପାଇଁ ଯାଇଥିବା ବେଳେ ପୁରୁଷୋତ୍ତମପୁର ଅଞ୍ଚଳର ପ୍ରଶାନ୍ତ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ବିବାଦୀୟ ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ସମ୍ପର୍କରେ ରିପୋର୍ଟ ଦାଖଲ

ନନ୍ଦିଘୋଷ ବ୍ୟୁରୋ: ବିବାଦୀୟ ଆଇଏଏସ ଅଧିକାରୀ ପୂଜା ଖେଡକର ମାମଲା। ପର୍ସୋନେଲ ଓ ଟ୍ରେନିଂ ବିଭାଗ ନିକଟରେ ଜଣିକିଆ କମିଟି ରିପୋର୍ଟ ଦାଖଲ କରିଛି। ପୂଜାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିବା ଲାଗି ଜଣିକିଆ କମିଟି ଗଠନ କରିଥିଲେ କେନ୍ଦ୍ର ସରକାର। ପୂଜାଙ୍କ ବିରୋଧରେ ବହୁ ଅଭିଯୋଗର ତଦନ୍ତ ଲାଗି ପର୍ସୋନେଲ ଓ ଟ୍ରେନିଂ ବିଭାଗର ଅତିରିକ୍ତ ସଚିବ ମନୋଜ ଦ୍ବିବେଦୀଙ୍କ ନେତୃତ୍ବରେ କମିଟି ଗଠିତ ହୋଇଥିଲା।

ପୂଜାଙ୍କ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ଯ ଶାସନ ସଚିବ ସୁଜାତା ସୌନିକଙ୍କ ନିକଟକୁ ପୁଣେ ଜିଲ୍ଲାପାଳ ସୁହାସ ଦ୍ବିବାସେ ପତ୍ର ଲେଖିବା ପରେ ୨୦୨୩ ବ୍ଯାଚ ଆଇଏଏସ ଅଫିସର ଚର୍ଚ୍ଚାକୁ ଆସିଥିଲେ। ସେ ବେଆଇନ ଭାବେ ଭିନ୍ନକ୍ଷମ ପ୍ରମାଣପତ୍ର ଓ ଓବିସି ପ୍ରମାଣପତ୍ର ଯୋଗାଡ କରିବାରେ ସକ୍ଷମ ହୋଇଥିଲେ ବୋଲି କୁହାଯାଇଥିଲା। ବିଭିନ୍ନ ତଥ୍ଯ ଜାଲିଆତି କରିବା ଅଭିଯୋଗ ବି ତାଙ୍କ ନାମରେ ରହିଛି। ତାଙ୍କ ଚୟନକୁ ରଦ୍ଦ କରିବା ଲାଗି ୟୁପିଏସସି ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। କୃଷକଙ୍କୁ ପିସ୍ତଲ ଦେଖାଇ ପୂଜାଙ୍କ ମା ମନୋରମା ଖେଡକର ବି ପଡିଥିଲେ ଅଡୁଆରେ।

 

ଆଳୁ କଳାବଜାରୀକୁ ରୋକିବା ପାଇଁ ଅଣ୍ଟା ଭିଡିଛି ଗୁଣୁପୁର ଯୋଗାଣ ବିଭାଗ

ଗୁଣୁପୁର: ରାଜ୍ଯରେ ଆଳୁ ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆଳୁର କଳାବଜାରୀକୁ ରୋକିବା ପାଇଁ ଅଣ୍ଟା ଭିଡିଛି ଗୁଣୁପୁର ଯୋଗାଣ ବିଭାଗ । ଗୁଣୁପୁର ପୈାରପରିଷଦ ଅଞ୍ଚଳର ଆଳୁ ଗୋଦାମ, ରିଟେଲର ଦୋକାନ ଓ ଦୈନିକ ବଜାରରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆଳୁର ପ୍ରକୃତ ଦର କେଜି ପିଛା ୩୧ ଟଙ୍କା ୫୦ ପଇସା ରହିଛି । ଗୋଟିଏ ଆଳୁ ବସ୍ତାରେ ୪୧ କେଜି ଆଳୁ ରହୁଛି, ଯାହାକି ୧ ହଜାର ୨୮୦ ଟଙ୍କାରେ ରିଟେଲର ଦୋକାନୀ ଗୋଦାମରୁ କ୍ରୟ କରୁଛନ୍ତି। ସେହି ଆଳୁକୁ ସେମାନେ ୩୫ ଟଙ୍କାରେ ମାର୍କେଟରେ ବିକ୍ରି କରୁଥିବା କିଛି ଦୋକାନୀ କହିଛନ୍ତି। ତେଣୁ ଆଳୁ ଦରକୁ ପ୍ରତ୍ୟେକ ଦୋକାନୀ ନିଜ ଦୋକାନ ଆଗରେ ରେଟ ସାରଣି ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଯେଉଁ ବ୍ଯବସାୟୀ ଚଢା ଦରରେ ଆଳୁ ବିକ୍ରି କରିବେ ସେହି ଦୋକାନୀଙ୍କ ବିରୁଧରେ ସରକାରୀ ନିୟମ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ବୋଲି କହିଛନ୍ତି ଗୁଣୁପୁର ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର।

ଥମୁନି ବାଂଲାଦେଶ ହିଂସା, ସଂରକ୍ଷଣବିରୋଧୀ ଆନ୍ଦୋଳନରେ ମୃତ୍ଯୁ ସଂଖ୍ଯା ଟପିଲା ୨୦୦

ନନ୍ଦିଘୋଷ ବ୍ୟୁରୋ: ଥମୁନି ବାଂଲାଦେଶ ହିଂସା। ବିଭିନ୍ନ ସ୍ଥାନରେ ଏବେ ବି ଜାରି ରହିଛି ଉତ୍ତେଜନା। ବାଂଲାଦେଶ ପୋଲିସ ୩ ଜଣ ନେତାଙ୍କୁ ନିଜ କବଜାକୁ ନେଇଛି। କୋଟା ବ୍ଯବସ୍ଥାକୁ ବିରୋଧ କରି ଦେଶରେ ଆନ୍ଦୋଳନ ଜାରି ରହିଥିବାବେଳେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗିରଫଦାରୀ କରାଯାଇଛି। କୋଟା ବିରୋଧୀ ହିଂସାରେ ବର୍ତ୍ତମାନ ସୁଦ୍ଧା ୨୦୦ ଲୋକଙ୍କ ମୃତ୍ଯୁ ଘଟିଥିବାବେଳେ ସରକାର ବିରୋଧୀ ହିଂସା ବଳବତ୍ତର ରହିଛି। ଷ୍ଟୁଡେଣ୍ଟସ ଏଗନେଷ୍ଟ ଡେସ୍କ୍ରିମିମେସନ ମୁଖପାତ୍ର ନାହିଦ ଇସଲାମ ଓ ଅନ୍ଯ ୨ ନେତାଙ୍କୁ ବଳପୂର୍ବକ କିଛି ଲୋକ ହସ୍ପିଟାଲରୁ ନେଇଯିବା ଅଭିଯୋଗ ପରେ ପୋଲିସ ସେମାନଙ୍କୁ ନିଜ ହେପାଜତକୁ ନେଇଛି।

ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି- ଦେଶର ଅର୍ଥନୀତିକୁ ଧ୍ବଂସ କରିବା ସହ ଦେଶକୁ ଭିକ୍ଷୁକଙ୍କ ରାଷ୍ଟ୍ରରେ ପରିଣତ କରିବା ଲାଗି ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି। ଦେଶରେ ଶାନ୍ତି ପ୍ରତିଷ୍ଠା ଲାଗି ସେ ଆହ୍ବାନ ଦେଇଛନ୍ତି। ଏହି ଆନ୍ଦୋଳନ ବେଳେ ରାଷ୍ଟ୍ରୀୟ ବାଂଲାଦେଶ ଟେଲିଭିଜନ ସମେତ ଅନେକ ସରକାରୀ ପ୍ରତିଷ୍ଠାନକୁ ନଷ୍ଟ କରିଥିଲେ ଆନ୍ଦୋଳନକାରୀ।

ଘରେ ଶୋଇଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କୁ ନିର୍ମମ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ରେଢ଼ାଖୋଲ ଥାନା ଘୁଷୁରାମାଳ ପଞ୍ଚାୟତ ପାଣ୍ଡରିଶିଳା ଗାଁରେ ଡବଲ ମର୍ଡର। ସ୍ୱାମୀ-ସ୍ତ୍ରୀଙ୍କୁ ଟାଙ୍ଗିଆ ଓ ଭୁଜାଲିରେ ହାଣି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଘର ଭିତରୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ସ୍ୱାମୀ ଆଭାରମ କୁଜୁର ଓ ସ୍ତ୍ରୀ କୁଆଁରୀ କୁଜୁର ଶୋଇଥିବା ବେଳେ, କେହି ଦୁର୍ବୃତ୍ତ ଟାଙ୍ଗିଆ ଓ ଭୁଜାଲିରେ ବେକ କାଟି ଫେରାର ହୋଇଯାଇଛି। ସ୍ୱାମୀ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ତାକୁ ପ୍ରଥମେ ହାଣିବା ପରେ, ଘର ଭିତରେ ଶୋଇଥିବା ସ୍ତ୍ରୀଙ୍କୁ ହାଣିଥିଲେ ଦୁର୍ବୃତ୍ତ। ଚିତ୍କାର ଶୁଣି ପରିବାର ଲୋକ ଦୌଡି ଆସିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଦୁର୍ବୃତ୍ତ। ପରିବାର ଲୋକ ତାଙ୍କ ଭିଣୋଇଙ୍କୁ ସନ୍ଦେହ କରୁଥିବା ଜଣାପଡିଛି। ଘଟଣାସ୍ଥଳରେ ରେଢ଼ାଖୋଲ ଆଇଆଇସି ଓ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ଖୋଲିଲା ହୀରାକୁଦ ଗେଟ୍, ୭ଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି

ସମ୍ୱଲପୁର: ଖୋଲିଲା ହୀରାକୁଦ ଗେଟ୍। ଜଳଭଣ୍ଡାରରୁ ନିଷ୍କାସିତ ହେଲା ବର୍ଷର ପ୍ରଥମ ବନ୍ୟାଜଳ। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ ଗେଟରୁ ଛଡ଼ା ଯାଇଥିଲା ବନ୍ୟାଜଳ। ଏବେ ୭ଟି ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାଜଳ। ପର୍ଯ୍ୟାୟ କ୍ରମେ ହୀରାକୁଦରୁ ୨୦ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯିବ। ଏବେ ଜଳସ୍ତର ୬୧୭ ଫୁଟ ଉପରେ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୪ ହଜାର ୮୫୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୧ ଲକ୍ଷ ୪୫ ହଜାର ୭୧୭ ଘନଫୁଟ ବନ୍ୟାଜଳ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଆଜି ହୀରାକୁଦରୁ ବନ୍ୟାଜଳ ଛଡ଼ାଯାଇଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ହୀରାକୁଦ ଗେଟ୍ ଖୋଲିବା ପରେ ସତର୍କତା ଜାରି କରିଛନ୍ତି ଏସଆରସି। ଲୋକଙ୍କୁ ସଚେତନ ପାଇଁ ୭ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ମହାନଦୀକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସମ୍ବଲପୁର, ସୋନପୁର, ନୟାଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସତର୍କତା ଜାରି କରିଛନ୍ତି ଏସଆରସି।