spot_img
Home Blog Page 1737

ମେହେନ୍ଦୀରେ ଚିତ୍ର ଆଙ୍କି ଗିନିଜ ବୁକ ରେକର୍ଡ କଲେ ମଧ୍ୟପ୍ରଦେଶର ଦୀକ୍ଷା

ଜବଲପୁର: ମେହେନ୍ଦୀରେ ତିରୁପତି ବାଲାଜୀଙ୍କ ଚିତ୍ର ଆଙ୍କି ଗିନିଜ ବୁକ ରେକର୍ଡ କଲେ ମଧ୍ୟପ୍ରଦେଶ ଜବଲପୁରର ଦୀକ୍ଷା ଗୁପ୍ତା  । ୯ ଫୁଟ ଉଚ୍ଚତା ବିଶିଷ୍ଟ ମେହେନ୍ଦୀ ପେଣ୍ଟିଂ ବି୍ଶ୍ବର ଉଚ୍ଚତମ ଚିତ୍ରକଳା ଭାବେ ରେକର୍ଡ କରିଛି  । ଦୀକ୍ଷାଙ୍କ ଏହି ଉପଲବ୍ଧିକୁ ନେଇ ଖିୁସି ପ୍ରକାଶ କରିଛି ପରିବାର  ।

ପ୍ରତିଦିନ ଘରେ ବସି ପେଣ୍ଟିଂ କରୁଥିଲେ ଦୀକ୍ଷା  । ଏଥିପାଇଁ ଦିନକୁ ସେ ୫ରୁ ୬ ଘଣ୍ଟା ସମୟ ଦେଉଥିଲେ  । ମାତ୍ର ୩ ମାସ ମଧ୍ୟରେ ଦୀକ୍ଷାଙ୍କ ପେଣ୍ଟିଂ ସମ୍ପୂର୍ଣ୍ଣ ଭାବେପ୍ରସ୍ତୁତ ହୋଇଥିଲା  । ଏହି ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ଦୀକ୍ଷା ୨ କିଲୋଗ୍ରାମ ମେହେନ୍ଦୀର ବ୍ୟବହାର କରିଥିଲେ  ।

ସେ ୧୨ଟି ସିଟ୍‌କୁ ଯୋଡି ସେଥିରେ ମେହେନ୍ଦୀରେ ଚିତ୍ର ଆଙ୍କିଥିଲେ  । ଗିନିଜ ବୁକ୍‌ରେ ତାଙ୍କ କଳାକୃତି ସବମିଟ୍‌ କରିବାର ବର୍ଷକ ପରେ ଦୀକ୍ଷାଙ୍କୁ ଏହି ସମ୍ମାନ ମିଳିଥିଲା  ।

ଆଜି ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପସ୍ଥାପନ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଛତିଶା ନିଯୋଗ ବୈଠକରେ ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହେବାକୁ ଥିବା ନୀତି ନିର୍ଘଣ୍ଟ କରାଯାଇଛି l ଆଜି ପରିଚାଳନା କମିଟି ବୈଠକରେ ଏହାକୁ ଉପସ୍ଥାପନ କରାଯିବ । ନୀଳାଦ୍ରି ଭକ୍ତ ନିବାସରେ ଦିନ ୧୧ ଟାରେ ଗଜପତି ମହାରାଜାଙ୍କ ଅଧ୍ଯକ୍ଷତାରେ ବସିବାକୁ ଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ରହିବେ l

ନୀତି ନିର୍ଘଣ୍ଟ ଅନୁସାରେ ଜୁଲାଇ ୬ ତାରିଖ ଦିନ ପଟି ଦିଅଁଙ୍କ ଠାରୁ ରଥ ଖଳାକୁ ଆଜ୍ଞାମାଳ ବିଜେ କରାଯିବ l ୬ ତାରିଖରେ ଅପରାହ୍ନ ୫ଟାରେ ରଥ ଆଜ୍ଞାମାଳ ବିଜେ ହେବ । ୬ ତାରିଖରେ ରାତି ଦୁଇଟାରେ ମଙ୍ଗଳ ଆଳତି, ରାତି ୨ଟା ୩୦ରେ ଅବକାଶ ନୀତି, ୭ ତାରିଖ ଭୋର ୩ଟାରେ ତାଟି ଫିଟା ନୀତି, ୭ ତାରିଖ ଭୋର ୪ଟାରେ ନେତ୍ରୋତ୍ସବ ବନ୍ଦାପନା ଓ ରୋଷ ହୋମ, ୪ଟା ୪୫ ମିନିଟରେ ଯାତ୍ରାଙ୍ଗୀ ମହାସ୍ନାନ, ୫ଟା ୧୦ରେ ହେବ ସୂର୍ଯ୍ୟପୂଜା, ୫ଟା ୨୫ରେ ଦ୍ବାରପାଳ ପୂଜା । ଭୋର ୫ଟା ୪୫ରେ ସରିବ ବେଶ । ସକାଳ ୬ଟାରୁ ୭ଟା ଗୋପାଳବଲ୍ଲବ ଓ ସକାଳ ଧୂପ ହେବାକୁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ୭ଟା ୩୦ରୁ ୧୨ଟା ୩୦ ସେନାପଟା ଲାଗି ହୋଇ ଦିନ ୧୧ଟାରେ ରଥ ପ୍ରତିଷ୍ଠା କରାଯିବ ।

ଦିନ ଗୋଟାଏରେ ମଙ୍ଗଳାର୍ପଣ ହୋଇ ଦିନ ଗୋଟାଏ ୧୦ରେ ଆରମ୍ଭ ହେବ ପହଣ୍ଡି । ଦିନ ୨ଟା ୩୦ରେ ପହଣ୍ଡି ଶେଷ ହେବ । ଅପରାହ୍ନ ୩ଟାରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ବିଜେ କରିବେ । ଅପରାହ୍ନ ୪ଟାରେ ଛେରାପହଁରା ହୋଇ ୪ଟା ୩୦ରେ ଚାରଫିଟା ଓ ଘୋଡ଼ାସାରଥି ଲାଗି ହେବ । ଏହାପରେ ଅପରାହ୍ନ ୫ଟାରୁ ରଥଟଣା ଆରମ୍ଭ ହେବ । ଚଳିତବର୍ଷ ରଥଯାତ୍ରା ଦିନ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ନୀତି ପଡୁଛି । ତେଣୁ ୧୯୭୧ ମସିହା ରଥଯାତ୍ରା ଦିନର ନୀତି ନିର୍ଘଣ୍ଟ ଅନୁଯାୟୀ ଚଳିତବର୍ଷ ନୀତି ସ୍ଥିରିକୃତ କରାଯାଇଛି । ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି ।

ଦ୍ଵିତୀୟ ଦିନରେ ସଦସ୍ୟ ଭାବେ ଶପଥଗ୍ରହଣ କରିବେ ଲୋକସଭାର ନବନିର୍ବାଚିତ ସାଂସଦ

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ସ୍ଵତନ୍ତ୍ର ଅଧିବେଶନର ଆଜି ଦ୍ଵିତୀୟ ଦିନ। ଆଜି ଦ୍ଵିତୀୟ ଦିନରେ ଲୋକସଭାର ନବନିର୍ବାଚିତ ସାଂସଦ ସଦସ୍ୟ ଭାବେ ଶପଥଗ୍ରହଣ କରିବେ। ଗତକାଲି ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳ ସଦସ୍ୟ ସମେତ ୨୮୦ ସଦସ୍ୟ ଶପଥଗ୍ରହଣ କରିଥିଲେ। ଆଜି ବାକିଥିବା ୨୬୪ ସଦସ୍ୟଙ୍କ ଶପଥଗ୍ରହଣ ହେବ।

ପ୍ରୋଟେମ ସ୍ପିକର ଭର୍ତ୍ତୃହରି ମହତାବ ବାଚସ୍ପତି ଭାବେ ଶପଥ ଗ୍ରହଣ କରାଇବେ। ଆସନ୍ତାକାଲି ଅନୁଷ୍ଠିତ ହେବ ଲୋକସଭା ବାଚସ୍ପତି ନିର୍ବାଚନ। ଆଜି ଏନଡିଏ ପକ୍ଷରୁ ବାଚସ୍ପତି ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ସମ୍ଭାବନା ରହିଛି। ଏନଡିଏ ପ୍ରାର୍ଥୀ ଦେବାପରେ ଇଣ୍ଡିଆ ମେଣ୍ଟ ବିଜେପି ନେତୃତ୍ଵାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନା ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଦେବ ଏହାକୁ ନେଇ ଲାଗି ରହିଛି ଚର୍ଚ୍ଚା। ବାଚସ୍ପତି ରେସରେ କଟକ ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କ ନା ଶୁଣିବାକୁ ମିଳୁଛି।

ସେହିପରି ପୂର୍ବତନ ବାଚସ୍ପତି ଓମ ବିର୍ଲାଙ୍କ ନାଁ ମଧ୍ୟ ଚଳିତ ଲୋକସଭାର ବାଚସ୍ପତି ଲାଗି ରେସରେ ରହିଛି। କାହାକୁ ବାଚସ୍ପତି ପ୍ରାର୍ଥୀ ଭାବେ ବାଛିବ ଏନଡିଏ ଆଜି ସ୍ପଷ୍ଟ ହେବା ସମ୍ଭାବନା ରହିଛି। ସଂଖ୍ଯା ଦୃଷ୍ଟିରୁ ଏନଡିଏର ବାଚସ୍ପତି ପ୍ରାର୍ଥୀ ଜିତିବା ନିଶ୍ଚିତ। ବାଚସ୍ପତି ନିର୍ବାଚିତ ହେବା ପରେ ଆସନ୍ତାକାଲି ଲୋକସଭା ଓ ରାଜ୍ଯସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଅଧିବେଶନର ପ୍ରଥମ ଦିନରୁ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ପ୍ରତିବାଦର ସ୍ଵର। ମୁହାଁମୁହିଁ ହୋଇଥିଲେ ଶାସକ–ବିରୋଧୀ। ସମ୍ବିଧାନର ସୁରକ୍ଷା ଲାଗି ଇଣ୍ଡିଆ ମେଣ୍ଟର ଲଢେଇ ଜାରି ରହିବ। ଯେକୌଣସି ପରିସ୍ଥିତିରେ ସମ୍ବିଧାନର ସୁରକ୍ଷା କରିବ।

ବିରୋଧୀ ସାଂସଦମାନେ ହାତରେ ସମ୍ବିଧାନ ଧରି ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅଧିବେଶନରେ ବିରୋଧୀ ନିଟ୍ ପ୍ରଶ୍ନପତ୍ର ଲିକ୍, NEET ପରୀକ୍ଷା ବାତିଲ, ଦରଦାମ ବୃଦ୍ଧି, ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ଟ୍ରେନ ଯାତ୍ରୀଙ୍କ ଦୁର୍ଦ୍ଦଶା, ଜଙ୍ଗଲ ନିଆଁ, ପାନୀୟ ଜଳ ଅଭାବ ପରି ପ୍ରସଙ୍ଗ ଉଠାଇପାରନ୍ତି। ଏ ନେଇ ସଂକେତ ଦେଇଛନ୍ତି ରାହୁଲ ଗାନ୍ଧି। ୩ ନୂଆ ଫୌଜଦାରି ଆଇନ କାର୍ଯ୍ଯକାରୀ ପ୍ରସଙ୍ଗ ମଧ୍ଯ ଉଠାଇ ପାରନ୍ତି ବିରୋଧୀ। ଜୁଲାଇ ୩ ରେ ଶେଷ ହେବ ନୂଆ ଲୋକସଭାର ଏହି ପ୍ରଥମ ଅଧିବେଶନ।

ସକାଳ ୫ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବାଲେଶ୍ବରରେ କଟକଣା କୋହଳ

ବାଲେଶ୍ବର: ଆଜିଠୁ ବାଲେଶ୍ବରରେ ଆହୁରି କୋହଳ ହେବ କଟକଣା । ଟାଉନ୍ ଥାନା ଅଞ୍ଚଳରେ ବଢିଲା କର୍ଫ୍ୟୁ କୋହଳ ସମୟ । ସକାଳ ୫ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୂର୍ବଭଳି ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କୋହଳ ରହିବ କର୍ଫ୍ୟୁ । ଲିଜ୍ ଲାଇନ୍, ବ୍ରଡ଼ବ୍ୟାଣ୍ଡ, ମୋବାଇଲରେ ଇଣ୍ଟରନେଟ୍ ସେବା ମିଳୁଛି ।

ଗୁଜବକାରୀଙ୍କୁ ଚିହ୍ନାଇବାକୁ ପୋଲିସ ହେଲ୍ପଲାଇନ୍ ଓ ହ୍ବାଟସ୍‌ଆପ୍ ନମ୍ବର ଜାରି କରିଛି । ଇଣ୍ଟରନେଟ୍ ଓ୍ବାଇଫାଇ ପାସ୍ ଓ୍ବାର୍ଡ଼ କାହାରିକୁ ନଦେବାକୁ ପୋଲିସ ପରାମର୍ଶ ଦେଇଛି । ନିୟମିତ ବ୍ୟବଧାନରେ ପାସଓ୍ବାର୍ଡ଼ ବଦଳାଇବାକୁ ଜନସାଧାରଣଙ୍କୁ କୁହାଯାଇଛି । ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ବାଲେଶ୍ବରରେ ଏବେବି ଜାରି ରହିଛି କର୍ଫ୍ୟୁ କଟକଣା ।

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ କାଲିଠୁ ବର୍ଷାର ପରିମାଣ ବୃଦ୍ଧି ପାଇବ । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । କାଲି ପାଇଁ ୯ ଜିଲ୍ଲା ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଞ୍ଜାମ, ଝାରସୁଗୁଡା ଓ ସୁନ୍ଦରଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ହେବ । ସେହିପରି ୨୭ ତାରିଖରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଉପକୂଳ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଏମର୍ଜେନସିକୁ ବିରୋଧ କରି ବିଜେପି ୨ ଦିନ ପାଳିବ କଳା ଦିବସ

ନୂଆଦିଲ୍ଲୀ: ସାରା ଦେଶରେ ବିଜେପି ପାଳୁଛି କଳା ଦିବସ। ୧୯୭୫ ମସିହା ଆଜିର ଦିନ ୨୫ ଜୁନରେ ସାରା ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି ଏମର୍ଜେନି। ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କ ଶାସନ କାଳରେ ଏହି ଏମର୍ଜେନ୍ସି ଲାଗୁ କରାଯାଇଥିଲା। ଏହି ଦିବସର ବିରୋଧ କରି ବିଜେପି ପକ୍ଷରୁ କଳାଦିବସ ପାଳନ କରାଯାଉଛି।

ଆଜି ଏବଂ ଆସନ୍ତାକାଲି ଏହି ବ୍ଲାକ୍ ଡେ ପାଳନ କରାଯିବ। ଦେଶରେ ଏମର୍ଜେନସି ଲାଗୁକୁ ଆଜି ୪୩ ବର୍ଷ ପୁରିଛି। ଏହାକୁ ନେଇ ବିରୋଧୀ କଂଗ୍ରେସକୁ ଘେରିବାକୁ ଯୋଜନା କରିଛି ବିଜେପି। ୨୬ ଜୁନରେ ବିଜେପି କଂଗ୍ରେସ ବିରୋଧରେ ସାରା ଦେଶରେ ସାମ୍ବାଦିକ ସମ୍ମିଳନୀ କରିବ। ବିଜେପି ପକ୍ଷରୁ ବିଭିନ୍ନ ମନ୍ତ୍ରୀ ଦେଶର ଏକାଧିକ ସ୍ଥାନରେ ଏହି ପ୍ରେସମିଟ କରିବେ।

ଗୁଜରାଟରେ ପ୍ରେସମିଟ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।ଏଥିରେ ବିଜେପିର ଅନେକ ପ୍ରମୁଖ ନେତା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଦେଶରେ ଏମର୍ଜେନସି ଲାଗୁ ସମୟରେ ଜୟପ୍ରକାଶ ନାରାୟଣ, ମୋରରଜୀ ଦେଶାଇ ସମେତ ଅନେକ ବଡ଼ ବଡ଼ ନେତାଙ୍କୁ ଗିରଫ କରାଯାଇଥିଲା।

ରାଜ୍ଯରେ ବ୍ଯାପକ ହେବ ପରିବହନ ସେବା, ଇଲେକ୍ଟ୍ରି ବସ୍ ଚଳାଚଳ ଉପରେ ଗୁରୁତ୍ବ

ଭୁବନେଶ୍ବର: ରାଜ୍ୟରେ ଗଡିବ ଅଧିକ ଇଲେକ୍ଟ୍ରି ବସ । ଏହା ବ୍ୟୟ ବହୁଳ ହେଲେ ମଧ୍ୟ ପରିବେଶକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ସେହିପରି ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀ ଓ ଦେଶର ପ୍ରମୁଖ ଧର୍ମସ୍ଥଳୀକୁ ମଧ୍ୟ ବସ ଚଳାଚଳ କରିବ । ବାଣିଜ୍ଯ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ପରିବହନ ବିଭାଗର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସେପଟେ ଲକ୍ଷ୍ମୀ ବସ ସମ୍ପର୍କରେ ତର୍ଜମା ଚାଲିଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

ରାଜ୍ଯରେ ବ୍ଯାପକ ହେବ ପରିବହନ ସେବା । ଅଧିକ ସଂଖ୍ଯାରେ ଗଡ଼ିବ ଇଲେକ୍ଟ୍ରି ବସ୍ । ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍ । ବିଭାଗୀୟ ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଇଲେକ୍ଟ୍ରି ବସ ସେବା ବ୍ଯୟ ବହୁଳ ହୋଇଥିଲେ ବି ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ଏହାଛଡ଼ା ରଥଯାତ୍ରା ସମୟରେ ରାଜ୍ଯର ପ୍ରତି ବ୍ଲକରୁ ଶ୍ରୀକ୍ଷେତ୍ରକୁ ବସ ଚଳାଚଳ କରିବ । ଦେଶର ପ୍ରମୁଖ ତୀର୍ଥସ୍ଥଳୀ ଅଯୋଧ୍ୟା, ବୃନ୍ଦାବନ, ତିରୁପତି, ମହାକାଳେଶ୍ୱର, ବାରଣାସୀକୁ ମଧ୍ୟ ଓଡ଼ିଶାରୁ ବସ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରମୁଖ ଅଞ୍ଚଳରୁ ରାଜଧାନୀକୁ ମଧ୍ଯ ବସ ସେବା ଯୋଗାଇ ଦିଆଯିବ ।

ପୂର୍ବ ସରକାର ସମୟରେ ଲକ୍ଷ୍ମୀ ବସକୁ ଗମନାଗମନ କ୍ଷେତ୍ରରେ ସବୁଠୁ ବଡ଼ ଉପଲବ୍ଧି ବୋଲି କୁହାଯାଉଥିଲା । ଲକ୍ଷ୍ମୀ ବସ ସମ୍ପର୍କରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଏହାର ତର୍ଜମା ଚାଲିଛି । ସମସ୍ତଙ୍କୁ ବସ ସେବା ଯୋଗାଇ ଦିଆଯିବ । ପଞ୍ଚାୟତସ୍ତରରୁ ଚାଲିଥିବା ବସ ସେବା ଆଗକୁ ବି ଜାରି ରହିବ । ସେହିଭଳି ସବୁ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବାକୁ ବିଭାଗ ଯୋଜନା ରଖିଥିବା ମନ୍ତ୍ରୀ କହିଛନ୍ତି ।

ପରିବହନ ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ ସଚିବ, ଓଏସଆରଟିସି ଅଧିକାରୀଙ୍କ ସହ ଅନ୍ଯ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ବିଭାଗର କାର୍ଯ୍ୟକାରୀତା ସମ୍ପର୍କରେ ବିସ୍ତୃତ ତଥ୍ଯ ପ୍ରଦାନ କରିଥିଲେ ।

ଘରକୁ ଯାଇ ମାଆ ହାତରୁ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ପଖାଳ ଖାଇଲେ ନୂଆ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ଘରେ ମାଆଙ୍କ ହାତରୁ ସେ ଆଜି ପଖାଳ ଖାଇଛନ୍ତି । ପଖାଳ ସହିତ ତାଙ୍କ ପ୍ରସ୍ତୁତ ହୋଇଥିଲା ବାଇଗଣ ପୋଡ଼ା, ଶାଗ, କଲରା ଭଜା ଏବଂ ଆଳୁ କୁନ୍ଦୁରି ଭଜା । ଆଜି ନିଜ ଜନ୍ମମାଟି କେନ୍ଦୁଝର ଜିଲ୍ଲା ରାଇକଳା ଗସ୍ତରେ ଯାଇଥିଲେ ମୁଖ୍ଯମନ୍ତ୍ରୀ । ଗାଁର ପୁଅ ମୁଖ୍ଯମନ୍ତ୍ରୀ ହୋଇଥିବାରୁ ଓ ସେମାନଙ୍କୁ ଭେଟିବାକୁ ଆସିଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଥିଲା ନାହିଁ ନ ଥିବା ଉତ୍ସାହ ଓ ଖୁସି ।

ହେଲିପ୍ଯାଡରୁ ବିରାଟ ଶୋଭାଯାତ୍ରାରେ ଯିବା ବାଟରେ ପାଦ ଧୋଇ ଫୁଲ ତୋଡ଼ା ଦେଇ ସମସ୍ତେ ସ୍ବାଗତ କରିଥିଲେ । ଶୋଭାଯାତ୍ରା ଝୁମ୍ପୁରା ବଜାର ଦେଇ ଦୁର୍ଗାପଡ଼ିଆରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ଜନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ ମୁଖ୍ଯମନ୍ତ୍ରୀ । ଝିପି ଝିପି ବର୍ଷା ସତ୍ତ୍ବେ ଗାଁର ପୁଅକୁ ଦେଖିବାକୁ ଲୋକଙ୍କ ମଧ୍ଯରେ ଥିଲା ଉତ୍ସାହ । ହଜାର ହଜାର ଲୋକ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଲୋକଙ୍କ ଦୁଃଖସୁଖ ଶୁଣିବା ପରେ ସେ ହେଲିକପ୍ଟରରେ ଭୁବନେଶ୍ବର ଫେରି ଆସିଛନ୍ତି ।

ଉଗ୍ର ହେଉଛି କାଳି ଫିଙ୍ଗା ବିବାଦ, କଂଗ୍ରେସ ଭବନରେ ଝୁଲିଲା ତାଲା

ଭୁବନେଶ୍ବର: କଂଗ୍ରେସ ଭବନରେ ଝୁଲୁଛି ତାଲା । ପିସିସି ଓ ଅସନ୍ତୋଷ କଂଗ୍ରେସ ନେତାଙ୍କ ବିବାଦ ଉଗ୍ରରୂପ ନେବାରେ ଲାଗିଛି । ଜୁନ ୨୧ରେ ପିସିସି ସଭାପତିଙ୍କ ଉପରକୁ କାଳିମାଡ଼ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏହି ଘଟଣାକୁ ନେଇ କଂଗ୍ରେସର ଗୋଷ୍ଠୀ ବିବାଦ ଉଗ୍ର ହେବା ସହ ୫ ଜଣଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି ପିସିସି । ଯାହା ବିରୋଧରେ ଅସନ୍ତୁଷ୍ଠ ଗୋଷ୍ଠୀ ଏକାଠି ହେବା ସହ କିଛି ନେତା କଂଗ୍ରେସ ଭବନରେ ଆଗରେ ଅନଶନ କରିଛନ୍ତି । ଯାହାକୁ ନେଇ ଉଷ୍ମ ହୋଇଛି କଂଗ୍ରେସ ରାଜନୀତି ।

ଜୁନ ୨୧ରେ ପିସିସି ସଭାପତିଙ୍କ ଉପରେ କାଳିମାଡ଼ କରିବା ପରେ କଂଗ୍ରେସରେ ଗୋଷ୍ଠୀ ବିବାଦ ଉଗ୍ର ହୋଇଛି । ଦଳ ବିରୋଧୀ କାର୍ଯ୍ୟକ୍ରମ ପାଇଁ ଯୁବ, ମହିଳା ଓ ଛାତ୍ର ଗୋଷ୍ଠୀର ୫ ଜଣ ସଦସ୍ୟକୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିବା ପରେ ହାତ ଶିବିରରେ ତେଜିଛି ଅସନ୍ତୋଷର ନିଆଁ । ଅସନ୍ତୋଷ ଗୋଷ୍ଠୀଙ୍କ ହଙ୍ଗାମା ପରେ ସୋମବାର କଂଗ୍ରେସ ଭବନରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି ସଦ୍ୟ ଦଳରୁ ବହିଷ୍କାର ହୋଇଥିବା ଶ୍ରୀୟାସ୍ମିତା ପଣ୍ଡା । ଦଳ ବିରୋଧୀ କାମ ନକରି କାହିଁକି ପିସିସି ପକ୍ଷରୁ ବହିଷ୍କାର କରାଗଲା ସେ ପ୍ରଶ୍ନ ଉଠାଇଛନ୍ତି । ସିଧା ସିଧା ସଭାପତିଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ଭବନ କାହାର ସମ୍ପତ୍ତି ନୁହେଁ ବୋଲି କହି ଧାରଣା ଦେଇଛନ୍ତି ।

ସେପଟେ ଦଳ ବିରୋଧୀ କାର୍ଯ୍ୟ ଓ ଶୃଙ୍ଖଳା ଭଙ୍ଗ କରିଥିବା ୫ ଜଣ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯିଏ ବି ଦଳ ବିରୋଧୀ କାମ କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ।

କଂଗ୍ରେସ ଭବନରେ ତାଲା ଓ ନାରୀ ନେତ୍ରୀ ଧାରଣାରେ ବସିଥିବା ବେଳେ ପିସିସି ପକ୍ଷରୁ ଏହାର କୌଣସି ସମାଧାନ କରାଯାଇନି । ଦଳର ବରିଷ୍ଠ ନେତାମାନେ ବି ବିବାଦର ସମାଧାନ ପାଇଁ ବାଟ କାଢୁ ନାହାନ୍ତି । ଯାହା କଂଗ୍ରେସକୁ ଅଧିକ କ୍ଷତି ପହଞ୍ଚାଉଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି । ୨୪ ବର୍ଷ ଧରି ଗୋଷ୍ଠୀ ବିବାଦ ଯୋଗୁଁ କଂଗ୍ରେସର ଭୋଟ ହାର ୩୩ ପ୍ରତିଶତରୁ ଖସି ୧୩ ପ୍ରତିଶତରେ ପହଞ୍ଚିଲାଣି ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ।

ରଥଯାତ୍ରାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତ

ପୁରୀ: ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି । ଆଜି ଛତିଶା ନିଯୋଗ ବୈଠକରେ ରଥଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହେବାକୁ ଥିବା ସମ୍ଭାବ୍ଯ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଆସନ୍ତାକାଲି ପରିଚାଳନା ବୈଠକରେ ଏହାକୁ ଉପସ୍ଥାପନ କରାଯିବା ସହ ଚୂଡାନ୍ତ ନୀତି ନିର୍ଘଣ୍ଟ କରାଯିବ ।

ପ୍ରସ୍ତୁତ ନୀତି ନିର୍ଘଣ୍ଟ ଅନୁସାରେ ଜୁଲାଇ ୬ ତାରିଖରେ ପଟି ଦିଅଁଙ୍କଠାରୁ ରଥ ଖଳାକୁ ଆଜ୍ଞାମାଳ ବିଜେ କରାଯିବ l ୭ ତାରିଖ ଦିନ ଭୋର ୨ଟାରୁ ଦ୍ୱାରଫିଟା ଯାଇ ନେତ୍ର ଉତ୍ସବ ନୀତି କରାଯିବା ସହ ସେହିଦିନ ରଥ ପ୍ରତିଷ୍ଠା ଓ ମହାପ୍ରଭୁଙ୍କ ପହଣ୍ଡି, ଛେରା ପହଁରା ଆଦି କରାଯିବ । ଅପରାହ୍ଣ ୫ ଟାରେ ରଥ ଟଣା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଚଳିତବର୍ଷ ରଥଯାତ୍ରା ଦିନ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ନୀତି ପଡୁଛି । ତେଣୁ ୧୯୭୧ ମସିହା ରଥଯାତ୍ରା ଦିନର ନୀତି ନିର୍ଘଣ୍ଟ ଅନୁଯାୟୀ ଚଳିତବର୍ଷ ନୀତି ସ୍ଥିରିକୃତ କରାଯାଇଛି । ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ତେବେ ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଏହି ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳିର ଅନୁମୋଦନ କରାଯିବ ।