spot_img
Home Blog Page 1736

ବ୍ରିଟେନ ଜେଲରୁ ମୁକ୍ତ ୱିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ

ଲଣ୍ଡନ: ୱିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ ମୁକ୍ତ । ମୁକ୍ତି ଲାଗି ଆମେରିକା କୋର୍ଟ ନିକଟରେ ଦୋଷ ସ୍ବୀକାର କରିବାକୁ ପ୍ରତିଶ୍ରୁତି ଦେବା ପରେ ତାଙ୍କୁ ବ୍ରିଟେନ ଜେଲରୁ ମୁକ୍ତି ଦିଆଯାଇଛି । ସେ କୋର୍ଟ ନିକଟରେ ସାମରିକ ଗୁପ୍ତ ତଥ୍ଯ ପ୍ରଦାନ କରିବେ ବୋଲି କହିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଆମେରିକା ଅଧୀନସ୍ଥ ନର୍ଦର୍ଣ୍ଣ ମାରିଆନା ଆଇଲ୍ଯାଣ୍ଡର ଏକ କୋର୍ଟରେ ଆସେଞ୍ଜ ସମସ୍ତ ଗୁପ୍ତ ତଥ୍ଯ ଦାଖଲ କରିବେ ବୋଲି ଦସ୍ତାବିଜ ଦାଖଲ ପରେ ତାଙ୍କୁ ମୁକ୍ତି ଦିଆଯାଇଛି ।

ବୁଧବାର ସେ କୋର୍ଟରେ ହାଜର ହୋଇ ସମସ୍ତ ତଥ୍ଯ ଦାଖଲ କରିବେ । ତଥ୍ଯ ଚୋରି ମାମଲାରେ ସେ ବର୍ତ୍ତମାନ ସୁଦ୍ଧା ୫ ବର୍ଷ ବ୍ରିଟେନ କୋର୍ଟରେ ସଜା ଭୋଗିସାରିଥିବାବେଳେ ସେ ମୋଟ ୬୨ ମାସ ଦଣ୍ଡ ଭୋଗିବେ । ପରେ ସେ ନିଜ ଦେଶ ଅଷ୍ଟ୍ରେଲିଆ ଫେରିବେ ।

୨୦୧୦ରୁ ଆମେରିକାର ଅନେକ ଗୋପନ ତଥ୍ଯ ପ୍ରକାଶ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଆମେରିକା ମାମଲା ଦାୟର କରିଥିଲା । ସେହିପରି ୨୦୧୦ରେ ଆସେଞ୍ଜଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା ସୁଇଡେନ । ଇରାକ ଓ ଆଫଗାନିସ୍ତାନ ଯୁଦ୍ଧ ସମ୍ପର୍କରେ ଅନେକ ତଥ୍ଯ ପ୍ରକାଶ କରି ଆମେରିକାର ଜାତୀୟ ନିରାପତ୍ତାକୁ ବିପନ୍ନ କରିଥିବା ଅଭିଯୋଗରେ ଆସେଞ୍ଜ ଗିରଫ ହେବା ପରେ ସାରା ବିଶ୍ବରେ ଏହାର ପ୍ରତିବାଦ କରାଯାଇଥିଲା ଏବଂ ବାକ୍ ସ୍ବାଧୀନତା ଅଭିଯାନର ହିରୋ ପାଲଟି ଯାଇଥିଲେ ।

୨୦୧୯ରେ ୧୮ଟି ମାମଲାରେ ତାଙ୍କୁ ଆମେରିକାର ଏକ ଫେଡେରାଲ ଗ୍ରାଣ୍ଡ ଜୁରୀ ଦୋଷୀ ସାବ୍ଯସ୍ତ କରିଥିଲା । ଏପ୍ରିଲ ୨୦୧୯ରୁ ସେ ଲଣ୍ଡନର ବେଲମାର୍ସ ଜେଲରେ କାଳ କାଟୁଥିଲେ । ପୂର୍ବରୁ ସୁଇଡେନ ହାତରେ ପ୍ରତ୍ଯର୍ପଣ ନିଷ୍ପତ୍ତି ପ୍ରତିହତ କରିବା ଲାଗି ସେ ଇକୁଏଡରର ଲଣ୍ଡନ ଦୂତାବାସରେ ୭ ବର୍ଷ ରହିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଯେଉଁ ତଥ୍ଯକୁ ଆସେଞ୍ଜ ପ୍ରକାଶ କରିଥିଲେ ସେଥିରେ ଥିଲା ୨୦୦୭ର ଏକ ଭିଡିଓ । ସେଥିରେ ବାଗଦାଦରେ ଆମେରିକା ବାହିନୀର ଗୁଳିମାଡରେ କିପରି ରଏଟର୍ସର ୨ ସାମ୍ବାଦିକଙ୍କ ସମେତ କିଛି ନାଗରିକଙ୍କ ମୃତ୍ୟୁର ଦୃଶ୍ଯ ରହିଥିଲା ।

୧୯୧୭ ଗୁପ୍ତଚର ଆଇନ ଅନୁସାରେ ଆସେଞ୍ଜଙ୍କ ବିରୋଧରେ ମାମଲା ଦାୟର କରିଥିଲା ଆମେରିକା । ଜୁନ ୨୦୨୨ରେ ତାଙ୍କର ପ୍ରତ୍ଯର୍ପଣ ଲାଗି ବ୍ରିଟିଶ ସରକାର ଅନୁମତି ଦେଇଥିଲେ । ସେପଟେ ଆସେଞ୍ଜଙ୍କ ବିରୋଧରେ ଚାଲିଥିବା ମାମଲାକୁ ରଦ୍ଦ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ବିଭିନ୍ନ ମହଲରୁ ଜୋରଦାର ଚାପ ପଡୁଥିଲା । ଗତ ୨୦୨୪ ଫେବ୍ରୁଆରୀରେ ଆସେଞ୍ଜଙ୍କୁ ମୁକ୍ତି ଦେବା ଲାଗ ଆମେରିକା ନିକଟରେ ଅନୁରୋଧ କରିଥିଲେ ଅଷ୍ଟ୍ରେଲିଆ ସରକାର ।

୨୦୧୦ରୁ ୨୦୧୧ ମଧ୍ଯରେ ଆମେରିକାର ସାମରିକ ତଥ୍ଯ, ଯୁଦ୍ଧ ସମ୍ପର୍କିତ ତଥ୍ଯ ଓ କୂଟନୈତିକ ବିବରଣୀକୁ ପ୍ରକାଶ କରିଥିଲେ ଆସେଞ୍ଜ । ବାଗଦାଦରେ ହୋଇଥିବା ଏୟାରଷ୍ଟ୍ରାଇକର ଏକ ଫୁଟେଜ ପ୍ରକାଶ ପାଇବା ପରେ ଆମେରିକାର ପ୍ରତିରକ୍ଷା ଇତିହାସରେ ଚହଳ ସୃଷ୍ଟି ହୋଇଥିଲା ।

ଲେଖାପଢା ଜାଣି ନଥିବାରୁ ହରାଇଲେ ସରପଞ୍ଚ ପଦ,ଦାୟିତ୍ୱ ନେଲ ନାଏବ ସରପଞ୍ଚ

ଧାମନଗର: ଲେଖା ପଢା ଜାଣିନଥିବାରୁ ପଦ ହରାଇଲେ ସରପଞ୍ଚ। ଦାୟିତ୍ୱ ନେଲ ନାଏବ ସରପଞ୍ଚ। ଭଦ୍ରକ ଧାମନଗର ବ୍ଲକ ବୟାଙ୍ଗଡିହି ପଂଚାୟତର ସରପଞ୍ଚ କୁନ୍ତଳା ମଳିକ ଚଳିତ ପଞ୍ଚାୟତ ନିର୍ବାଚନରେ ତାଙ୍କ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଭାରତୀ ବେହେରା ଙ୍କୁ ହରାଇ ସରପଞ୍ଚ ହୋଇଥିଲେ।

ଜଣେ ସରପଞ୍ଚଙ୍କ ଯୋଗ୍ୟତା ହିସାବରେ ସେ ଓଡିଆ ପଢ଼ି ଲେଖିପାରୁଥିବା ଦରକାର। ହେଲେ କୁନ୍ତଳା ଓଡିଆ ପଢ଼ି ଲେଖି ପାରୁନଥିବା ନେଇ ଧାମନଗର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଭାରତୀ। ତେବେ କୁନ୍ତଳା କୋର୍ଟରେ ପାଠ ପଢୁଆ ନେ଼ଇ ସାବ୍ୟସ୍ତ କରିପାରିନଥିଲେ। ତେଣୁ କୋର୍ଟ ତାଙ୍କ ସରପଞ୍ଚ ପଦ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପରେ କୁନ୍ତଳା ହାଇକୋର୍ଟରେ ପହଞ୍ଚିଥିଲେ ବି ନିଜକୁ ପାଠ ପଢୁଆ ସାବ୍ୟସ୍ତ କରିପାରିନଥିଲେ। ଶେଷରେ ନିଜ ସରପଞ୍ଚ ପଦ ହରାଇଛନ୍ତି କୁନ୍ତଳା ମଲ୍ଲିକ।

ରାଜୁଆ ନଦୀରେ ଭାସୁଛନ୍ତି ମଲାମାଛ, ରାଜଧାନୀର ଡ୍ରେନକୁ ଦାୟୀ କଲେ ପରିବେଶବିତ୍ତ୍‌

କଣାସ: ନଦୀ ଜଳରେ ଭାସୁଛି ମଲା ମାଛ। ପୁରୀ କଣାସ ବ୍ଲକ୍ ରାଜୁଆ ନଦୀ ଜଳ ଏବେ ବିଷାକ୍ତ ହେବା ଯୋଗୁଁ ମଲା ମାଛ ଭାସୁଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ନଦୀ ଜଳ ଅଧିକ ଦୂଷିତ ହେବାରେ ଲାଗିଛି।

ଭୁବନେଶ୍ୱର କଟକରୁ ଡ୍ରେନରେ ଆସୁଥିବା ଅଳିଆ ଆବର୍ଜ୍ଜନା, ବର୍ଜ୍ୟବସ୍ତୁ ଗଙ୍ଗୁଆ ନାଳ ଦେଇ ସିଧାସଳଖ ଦୟା ନଦୀରେ ମିଶିଥାଏ। ଏହାର ଶାଖା ନଦୀ ରାଜୁଆ, ମଲାଗୁଣୀ , ମକରା ଆଦି ବିଭିନ୍ନ ନଦୀର ଜଳ ଦୂଷିତ ହେବା ସହ ବିଷାକ୍ତ ହେବାରେ ଲାଗିଛି । କଣାସ ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତର ଲୋକେ ଏହି ସବୁ ନଦୀ ଉପରେ ନିର୍ଭର କରି ଚଳୁଥିବା ବେଳେ ନଦୀର ବିଷାକ୍ତ ଜଳ ପାଇଁ ମାଛ ସହିତ ଅନେକ ଜଳଚର ମରି ଭାସୁଛନ୍ତି।

ବିଶ୍ବ ପାଣିପାଗ ପାଇଁ ଖୁସି ଖବର, ମୌସୁମୀ ବର୍ଷା ସହ ଶୀତ ଏବଂ ଖରା ସ୍ବାଭାବିକ

ଭୁବନେଶ୍ବର: ବିଶ୍ବ ପାଣିପାଗ ପାଇଁ ଖୁସି ଖବର। ଜୁଲାଇ ଦ୍ବିତୀୟ ସପ୍ତାହରେ ଆକ୍ଟିଭ ହେବ ଲାନିନା। ବଦଳିଯିବ ପାଣିପାଗର ମିଜାଜ। ସବୁ କ୍ଷେତ୍ରରେ ଅନୁକୂଳ ହେବ ବାତାବରଣ। ଓଡିଶା ଉପରେ ବି ପଡିବ ସାକାରାତ୍ମକ ପ୍ରଭାବ। ଆଉ ଆଗଭଳି ସନ୍ତୁଳନ ହରାଇବନି ପାଗ। ମୌସୁମୀ ବର୍ଷା ସହ ଶୀତ ଏବଂ ଖରାର ପ୍ରଭାବ ମଧ୍ୟ ସ୍ବାଭାବିକ ହେବ। ଏନେଇ ଆକଳନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ।

ଗତ ବର୍ଷ ରହିଥିଲା ଏଲନିନୋର ପ୍ରଭାବ। ବିଗିଡି ଯାଇଥିଲା ପାଣିପାଗର ମିଜାଜ୍। ପ୍ରଭାବିତ ହୋଇଥିଲା ଖରା, ବର୍ଷା ଓ ଶୀତର ପ୍ରଭାବ। ଅନ୍ୟପଟେ ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ କାଲିଠୁ ବର୍ଷାର ପରିମାଣ ବୃଦ୍ଧି ପାଇବ । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । କାଲି ପାଇଁ ୯ ଜିଲ୍ଲା ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଞ୍ଜାମ, ଝାରସୁଗୁଡା ଓ ସୁନ୍ଦରଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୨୭ ତାରିଖରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ସରକାରୀ ବାସଭବନ ଭଙ୍ଗା ପ୍ରସଙ୍ଗରେ ଗଣମାଧ୍ୟମ ଉପରେ ବର୍ଷିଲେ ପ୍ରଣବ

ଭୁବନେଶ୍ବର: ସରକାରୀ ବାସଭବନ ଭଙ୍ଗା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । କହିଲେ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି କିଛି ଗଣମାଧ୍ୟମ । ବଙ୍କର କରାଯାଇଥିବା ନେଇ ଖବର ପ୍ରକାଶ ପାଉଛି । ଯାହା ସଂପୂର୍ଣ୍ଣ ଭାବେ ମିଥ୍ୟା ବୋଲି କହିଛନ୍ତି ପ୍ରଣବ।

ସେହିଭଳି କିଛି ଗଣମାଧ୍ୟମକୁ ସଦବୁଦ୍ଧି ମିଳୁ। ‘ମୋତେ କ୍ବାର୍ଟର ଛାଡ଼ିବା ପାଇଁ ୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ଓ ୧୫ ତାରିଖ ଯାଏଁ ହାତରେ ସମୟ ଅଛି । ସରକାରୀ କ୍ବାର୍ଟର ଯେଉଁଭଳି ନିଆଯାଇଥାଏ ସେଭଳି ଫେରାଯାଏ । ମୁଁ କିଛି ଅସ୍ଥାୟୀ ନିର୍ମାଣ କରିଥିଲି, ଲୋକଙ୍କ ଅଭିଯୋଗ ଶୁଣାଣି ଓ ସୁବିଧା ପାଇଁ ।’ ସେଗୁଡିକୁ ଭାଙ୍ଗିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ  ।

ଛତିଶଗଡରେ ଏନକାଉଣ୍ଟର, ଯବାନଙ୍କ ଗୁଳିରେ ମାଓବାଦୀ ନିପାତ

ରାୟପୁର: ଯବାନଙ୍କ ଗୁଳିରେ ମାଓବାଦୀ ମୃତ। ଅସ୍ତ୍ରଶସ୍ତ୍ର ସହିତ ବହୁ ପରିମାଣର ନକ୍ସଲ ବ୍ୟବହୃତ ସାମଗ୍ରୀ ଉଦ୍ଧାର। ଛତିଶଗଡର ଧମତରୀରେ ଯବାନଙ୍କ ଏନକାଉଣ୍ଟରରେ ଜଣେ ନକ୍ସଲଙ୍କର ମୃତ୍ଯୁ ହୋଇଛି। ଯବାନ ମାନେ ସେହି ସ୍ଥାନରୁ ଜଣେ ଅଜ୍ଞାତ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଉଦ୍ଧାର ନକ୍ସଲ ହେଲେ ଅରୁଣ କୁମାର ମାଣ୍ଡାଭି। ସେ ସୀତାନଦୀ ଏରିଆ କମିଟିର କମାଣ୍ଡର ବୋଲି ଜଣାପଡିଛି।

ଘଟଣାସ୍ଥଳରୁ ଗୋଟିଏ SLR ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି। ଘଟଣାସ୍ଥଳରେ ଅନେକ ନକ୍ସଲଙ୍କ ଆହତ ହେବାର ସମ୍ଭାବନା ରହିଛି । ଧମତରୀ ଏସପି ଅଞ୍ଜାନେ ଭାଶନି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି।

ଟି-ଟ୍ବେଣ୍ଟିରେ ଦିନିକିଆ ବିଶ୍ବକପର ପ୍ରତିଶୋଧ ନେଲା ଭାରତ

0

ସେଣ୍ଟ ଲୁସିଆ: ଅଷ୍ଟ୍ରେଲିଆ ଉପରେ ଦିନିକିଆ ବିଶ୍ବକପ ଓ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପରାଜୟର ପ୍ରତିଶୋଧ ନେଇ ଟି-ଟ୍ବେଣ୍ଟି ବିଶ୍ବକପର ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ସୁପର ଏଇଟ ମୁକାବିଲାରେ ଅଷ୍ଟ୍ରେଲିଆକୁ ୨୪ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମାଙ୍କ ଧୂଆଁଦାର ବ୍ୟାଟିଂ ପରେ ବୋଲରଙ୍କ ଜବରଦସ୍ତ ବୋଲିଂ ବଳରେ ବିଜୟୀ ହୋଇଛି ମେନ୍ ଇନ୍ ବ୍ଲୁ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୨୦୬ ରନ କରିଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ଜବରଦସ୍ତ ବ୍ୟାଟିଂ କରିଥିଲେ। ମ୍ୟାଚ ଆରମ୍ଭରୁ ନିଜର ବ୍ୟାଟିଂର କମାଲ ଦେଖାଇଥିଲେ ରୋହିତ। ରୋହିତ ୪୧ ବଲରୁ ୯୨ ରନ ସଂଗ୍ରହ କରିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୩୧, ଶିବମ ଦୁବେ ୨୮, ହାର୍ଦ୍ଦିକ ପାଣ୍ଡ୍ୟା ୨୭ ରନ କରିଥିଲେ। ଜବାବରେ ୨୦୬ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ।

୬ ରନରେ ଡେଭିଡ ଓ୍ବାର୍ଣ୍ଣର ଆଉଟ ହେବା ପରେ ଟ୍ରାଭିସ ହେଡ୍ ଓ ଅଧିନାୟକ ମିଚେଲ ମାର୍ସ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଧମାକାଦାର ବ୍ୟାଟିଂ କରୁଥିବା ହେଡ୍ ୭୬ ରନରେ ଆଉଟ୍ ହୋଇଥିଲେ। ପରେ ପରେ ଅନ୍ୟ ବ୍ୟାଟସମ୍ୟାନ ବି ବଡ ରନ କରିପାରିନଥିଲେ। ଫଳରେ ଦଳ ୭ ଓ୍ବିକେଟ ହରାଇ ୧୮୧ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ୩ ଓ୍ବିକେଟ ଅକ୍ତିଆର କରିଥିବା ବେଳେ, କୁଲଦୀପ ଯାଦବ ୨, ବୁମରା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ।

ପ୍ରଥମ ଥର ସେମିଫାଇନାଲରେ ଆଫଗାନିସ୍ତାନ, ବିଶ୍ବକପରୁ ବିଦା ଅଷ୍ଟ୍ରେଲିଆ

କିଙ୍ଗସ୍‌ଟାଉନ: ଟି-ଟ୍ବେଣ୍ଟି ବିଶ୍ବକପ ସେମିଫାଇନାଲରେ ପହଞ୍ଚିଲା ଆଫଗାନିସ୍ତାନ। ବାଂଲାଦେଶକୁ ୮ ରନରେ ହରାଇ ସେମିରେ ପହଞ୍ଚିଛି ଆଫଗାନିସ୍ତାନ। ଆଫଗାନିସ୍ତାନର ବିଜୟ ପରେ ଧୂଳିସାତ ହୋଇଛି ଅଷ୍ଟ୍ରେଲିଆର ସେମି ସ୍ବପ୍ନ। ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ସହ ଆଫଗାନିସ୍ତାନର ହେବ ମୁକାବିଲା। ୨୭ ତାରିଖରେ ଦକ୍ଷିଣ ଆଫ୍ରିକା ସହ ଆଫଗାନିସ୍ତାନର ହେବ ଟକ୍କର।

ଆଜି ପ୍ରଥମେ ବ୍ୟାଟିଂ କରି ୧୧୫ ରନ କରିଥିଲା ଆଫଗାନିସ୍ତାନ। ଦଳ ପକ୍ଷରୁ ଗୁରବାଜ ୪୩ ରନ କରିଥିଲେ। ଜବାବରେ ୧୧୬ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ବାଂଲାଦେଶ। ଲୋ ସ୍କୋରିଂ ମ୍ୟାଚରେ ହୋଇଥିଲା କଡ଼ା ମୁକାବିଲା। ବାଂଲାଦେଶର ଗୋଟିଏ ପରେ ଗୋଟିଏ ଓ୍ବିକେଟର ପତନ ହେଉଥିବା ବେଳେ, ଲିଟନ ଦାସ ଖେଳିଥିଲେ ଅର୍ଦ୍ଧଶତକୀୟ ଇନିଂସ। ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା।

ତେବେ ଡିଏଲଏସ ନିୟମ ଅନୁସାରେ ୧୯ ଓଭରରେ ୧୧୪ ରନର ଟାର୍ଗେଟ୍ ବାଂଲାଦୋକୁ ଦିଆଇଥିଲା। ହେଲେ ଆଫଗାନିସ୍ତାନ ବୋଲରଙ୍କ ଦମଦାର ବୋଲିଂରେ ଧରାଶାୟୀ ହୋଇଥିଲା ବାଂଲାଦେଶ। ଶେଷରେ ୧୦୫ ରନରେ ସମସ୍ତ ଓ୍ବିକେଟ ହରାଇ ପରାଜିତ ହୋଇଥିଲା ବାଂଲାଦେଶ। ଟ୍ବି-ଟ୍ବେଣ୍ଟି ବିଶ୍ବକପରେ ଆଫଗାନିସ୍ତାନ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ବିଶ୍ବକପ ରେସରୁ ବିଦା ହୋଇଛି। ଗତକାଲି ଭାରତ ଠାରୁ ହାରିଥିଲା ଅଷ୍ଟ୍ରେଲିଆ।

କାଶୀ ବିଶ୍ବନାଥଙ୍କୁ ପୁଅ ବିବାହ ନିମନ୍ତ୍ରଣ ପତ୍ର ଦେଲେ ନୀତା ଅମ୍ବାନୀ

ମୁମ୍ବାଇ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ କାର୍ଡ ନେଇ କାଶୀ ବିଶ୍ବନାଥରେ ପହଞ୍ଚିଲେ ନୀତା ଅମ୍ବାନୀ  । ପୁଅର ବିବାହ ପାଇଁ କାଶୀ ବିଶ୍ବନାଥଙ୍କୁ ନିମନ୍ତ୍ରଣ କରିବା ପାଇଁ ପହଞ୍ଚିଛନ୍ତି ନୀତା  । ବାରଣାସୀରେ ପହଞ୍ଚି ପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ନୀତା  । ପରିବାରର ମଙ୍ଗଳ ମନାସି ବାବାଙ୍କୁ ପ୍ରାର୍ଥନା କରିଛନ୍ତି ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ନୀତା  ।

୧୦ ବର୍ଷ ପରେ ବାରଣାସୀର କାଶୀ ବିଶ୍ବନାଥ ଆସିଥିବା କହିଛନ୍ତି ନୀତା  । ୧୦ ବର୍ଷ ପରେ କାଶୀ ବିଶ୍ବନାଥରେ ହୋଇଥିବା ବିକାଶକୁ ସେ ପ୍ରଶଂସା କରିଛନ୍ତି  । ସେହିପରି ସ୍ବଚ୍ଛତା ସାଙ୍ଗକୁ ସୌର ଶକ୍ତିର ବି ସେ ପ୍ରଶଂସା କରିଛନ୍ତି  ।

ଆସନ୍ତା ଜୁଲାଇ ୧୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠାତା ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ଶିଳ୍ପପତି ବୀରେନ ମର୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ବିବାହ ହେବ  ।

ଇନଭର୍ଟରରୁ ନିଆଁ ଲାଗି ପରିବାରର ୪ ସଦସ୍ୟ ମୃତ

ନୂଆଦିଲ୍ଲୀ: ପ୍ରେମ ନଗର ଅଞ୍ଚଳରେ ନିଆଁ ଲାଗି ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ  । ମୃତକଙ୍କ ମଧ୍ୟରେ ପତି ପତ୍ନୀ ଓ ଦୁଇ ପୁଅ ଅଛନ୍ତି  । ବିଳମ୍ବିତ ରାତି ସାଢେ ୩ଟାରେ ଘରେ ନିଆଁ ଲାଗିଯାଇଥିଲା  । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା  । ଦୁଇଟି ଦମକଳ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ କାବୁ କରିଥିଲା  ।

ମୃତକଙ୍କ ମଧ୍ୟରେ ହୀରା ସିଂ, ପତ୍ନୀ ନିତୁ ସିଂ, ଦୁଇ ପୁଅ ରବିନ (୨୨) ଓ ଲକ୍ଷ୍ୟ (୨୧) ସାମିଲ ଅଛନ୍ତି । ଏହି ଅଗ୍ନିକାଣ୍ଡରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ  । ଅଣନିଶ୍ବାସୀ ହୋଇ ସମସ୍ତେ ପ୍ରାଣ ହରାଇଥିବା ଡାକ୍ତର କହିଛନ୍ତି  । ଇନଭର୍ଟରରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା  । ପଡୋଶୀଙ୍କ କହିବା କଥା ଇନଭର୍ଟରରୁ ସର୍ଟସର୍କିଟ ହୋଇଛି  । ଯେଉଁ ସ୍ଥାନରେ ଇନଭର୍ଟର ଥିଲା ସେଠାରେ ସୋଫା ରଖାଯାଇଥିଲା  । ଇନଭର୍ଟରରୁ ନିଆଁ ବ୍ୟାପୀ ସୋଫା ଜଳିଯାଇଥିଲା  । ସୋଫା କଭରରେ ନିଆଁ ଲାଗିବା ପରେ ସମଗ୍ର ଘର ଧୂଆଁମୟ ହୋଇଯାଇଥିଲା  ।