spot_img
Home Blog Page 1734

ରାହୁଲ ଗାନ୍ଧି ଲୋକସଭାରେ ହେବେ ବିରୋଧୀ ଦଳ ନେତା

ନନ୍ଦିଘୋଷ ବ୍ୟୁରୋ: ରାହୁଲ ଗାନ୍ଧି ବିରୋଧୀ ଦଳ ନେତା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ହେବେ ଲୋକସଭାରେ ବିରୋଧୀ ଦଳ ନେତା। ଏ ନେଇ କଂଗ୍ରେସ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। ଲୋକସଭା ବାଚସ୍ପତିଙ୍କୁ ଲିଖିତ ଭାବେ ଦଳର ନେତା କିଏ ହେବ ଜଣାଇଥିଲା କଂଗ୍ରେସ। ଏହାପରେ ବାଚସ୍ପତିଙ୍କ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ। ଆଜି ବିରୋଧୀ ଦଳ ନେତା ଚୟନ ନେଇ ବସିଥିଲା ଇଣ୍ଡିଆ ମେଣ୍ଟ ବୈଠକ। ଏଥିରେ ରାହୁଲ ଗାନ୍ଧିଙ୍କ ନାଁରେ ସର୍ବସମ୍ମତିକ୍ରମେ ମୋହର ବାଜିଥିଲା। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଘରେ ବସିଥିଲା ଏ ବୈଠକ। ଏଥିରେ ଇଣ୍ଡିଆ ମେଣ୍ଟର ଅନେକ ନେତା ଯୋଗ ଦେଇଥିଲେ। ୧୦ ବର୍ଷ କଂଗ୍ରେସକୁ ଏହି ବିରୋଧୀ ଦଳ ନେତା ପଦ ମିଳିଛି। ଲୋକସଭାରେ ଆବଶ୍ୟକ ସଂଖ୍ଯା ନଥିବାରୁ କଂଗ୍ରେସକୁ ମିଳିନଥିଲା ବିରୋଧୀ ଦଳ ନେତା ପଦ। ବିରୋଧୀ ଦଳ ନେତା ପରେ ରାହୁଲଙ୍କ ଏବେ କ୍ଯାବିନେଟ୍ ପଦବୀର ସୁବିଧା ସୁଯୋଗ ପ୍ରଦାନ କରାଯିବ। ରାୟବରେଲିରୁ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ଵ କରିବେ ରାହୁଲ ଗାନ୍ଧି। ୱାଏନାଡ୍ ସିଟ୍ ଛାଡିବାକୁ ପୂର୍ବରୁ ଘୋଷଣା କରିଛନ୍ତି ରାହୁଲ ଗାନ୍ଧି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତିହାର ଜେଲରୁ ଗିରଫ କଲା ସିବିଆଇ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଗିରଫ। ଦିଲ୍ଲୀର ତିହାର ଜେଲରୁ ଗିରଫ କଲା ସିବିଆଇ। ଦିଲ୍ଲୀ ମଦ ନୀତି ମାମଲାରେ କେଜରିୱାଲଙ୍କୁ ଗିରଫ କରିଛି ସିବିଆଇ। ତିହାର ଜେଲରେ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲି ଇଡି ଜାମିନ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ସିବିଆଇ କେଜରିୱାଲଙ୍କୁ ଗିରଫ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରେ ଏବେ ସିବିଆଇ କେଜରିୱାଲଙ୍କୁ ଗିରଫ କରିଛି।  କେଜରିୱାଲଙ୍କ ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟ ରୋକ୍ ଲଗାଇଥିଲେ।

ତଳ କୋର୍ଟ ଯେଉଁ ଜାମିନ ଦେଇଥଲେ, ତା ଉପରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। କହିଛନ୍ତି, ଇଡିର ପକ୍ଷକୁ ଠିକ୍ ଭାବେ ଶୁଣାଣି କରାଯାଇନାହିଁ। ତଳ କୋର୍ଟଙ୍କ ନିଷ୍ପତ୍ତିରେ ତ୍ରୁଟି ଥିଲା। ତଳ କୋର୍ଟଙ୍କ ଜାମିନ ଉପରେ ରହିତାଦେଶ ଜାରି କରାଯାଇଥିବାରୁ ବର୍ତ୍ତମାନ ଜେଲରୁ ବାହାରି ପାରିବେ ନାହିଁ କେଜରିୱାଲ। ସେପଟେ ଆପ୍ କହିଛି, ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟକୁ ଯିବୁ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଇଡି ତାଙ୍କୁ ଗିରଫ କରିଥିଲା। ଦିଲ୍ଲୀର ଏକ କୋର୍ଟ ଜୁନ୍ ୨୦ରେ ତାଙ୍କୁ ଜାମିନ ଦେଇଥିଲେ। ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲା ଇଡି। ଜୁନ ୨୧ରେ ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ। ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯାଇଥିଲେ କେଜରିୱାଲ। କିନ୍ତୁ ହାଇକୋର୍ଟଙ୍କ ରାୟ ନ ଆସିବା ପର୍ଯ୍ଯନ୍ତ ହସ୍ତକ୍ଷେପ କରିବାକୁ ମନା କରିଥିଲେ ସୁପ୍ରିମକୋର୍ଟ। ସେପଟେ ଜୁଲାଇରେ କେଜରିୱାଲଙ୍କ ମୂଳ ଜାମିନ ମାମଲାର ଶୁଣାଣି ହେବ। ଏହା ଆଗରୁ ନିର୍ବାଚନ ସମୟରେ ସୁପ୍ରିମକୋର୍ଟ କିଛି ଦିନ ପାଇଁ କେଜରିୱାଲଙ୍କୁ ଜାମିନ ଦେଇଥିଲେ।

କେନିୟାରେ ବିଦ୍ରୋହ, ପାର୍ଲାମେଣ୍ଟ ଜାଳିଦେଲେ ଲୋକେ

ନନ୍ଦିଘୋଷ ବ୍ୟୁରୋ: କେନିୟାରେ ବିଦ୍ରୋହ। ପାର୍ଲାମେଣ୍ଟ ଜାଳିଦେଲେ ଲୋକେ। ପୋଲିସର ଗୁଳିମାଡ଼ରେ ୧୦ ନାଗରିକଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଅନେକ ନାଗରିକ ଆହତ ହୋଇଛନ୍ତି। କେନିୟାରେ ନୂଆ ଆୟକର ନିୟମକୁ ବିରୋଧ କରି ଆନ୍ଦୋଳନ କରୁଥିଲେ ଜନତା। ଆନ୍ଦୋଳନ୍ ଜୋର ଧରିବା ସହ ହିଂସାତ୍ମକ ହୋଇଥିଲା। ରାଜଧାନୀ ନାଇରୋବିରେ ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲିସକୁ ଆକ୍ରମଣ କରିବା ସହ ପାର୍ଲାମେଣ୍ଟ ଭିତରକୁ ଜୋର ଜବରଦସ୍ତ ପଶିଥିଲେ। ପାର୍ଲାମେଣ୍ଟରେ ପଶି ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ପୋଲିସ ପାଣି ଓ ଲାଠି ମାଡ଼ କରିଥିଲା। ଶେଷରେ ଗୁଳିମାଡ଼ରେ ଯାଇଛି ୫ ଜଣଙ୍କ ଜୀବନ। ନିକଟରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା ଆର୍ଥିକ ବିଲକୁ ନେଇ ଏହି ବିରୋଧ ତେଜିଛି। ଆନ୍ଦୋଳନକାରୀମାନଙ୍କ ସହ ପୋଲିସର ଜୋରଦାର ସଂଘର୍ଷ ହୋଇଛି।

ସଂସଦର ପରିସର ଭିତରେ ପଶି ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ନିଆଁ ଲଗାଇଦେଇଛନ୍ତି। ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ ଲୁହବୁହା ଗ୍ଯାସ ପ୍ରୟୋଗ କରିବା ସହ ପାଣିମାଡ କରିଛି। ବିଲକୁ ବିରୋଧ କରି ସାଂସଦମାନ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ। କେବଳ ସଂସଦ ଭବନ ପରିସରରେ ନୁହେଁ ଦେଶର ଅନେକ ସହରରେ ବି ଆନ୍ଦୋଳନର ନିଆଁ ବ୍ଯାପିଛି। ଦେଶରେ ବ୍ଯାପକ ସଙ୍କଟ ଜାରି ରହିଥିବାବେଳେ ଟାକ୍ସ ବୃଦ୍ଧିକୁ ସାରା ଦେଶରେ ବିରୋଧ କରାଯାଇଛି। ଏପରିକି ରାଷ୍ଟ୍ରପତି ୱିଲିୟ ରୁଟୋ ଇସ୍ତଫା ଦିଅନ୍ତୁ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି। କୋଭିଡ ଓ ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶରେ ଅର୍ଥନୈତିକ ସ୍ଥିତି ଅତ୍ଯନ୍ତ ଘନୀଭିତ ହୋଇଛି। ଏହି ଆର୍ଥିକ ବିଲରେ ୨ ଦଶମିକ ୭ ବିଲିୟନ ଡଲାରର ଅତିରିକ୍ତ ଆୟ ଲକ୍ଷ ରଖାଯାଇଛି। ଗୋଟିଏ ପଟେ ମରୁଡି ସ୍ଥିତି ଥିବାବେଳେ ଅନ୍ଯ ପଟେ ରନ୍ଧନ ତେଲ, ପାଉଁରୁଟି, କାର ଆଦି ଉପରେ ଅଧିକ କର ପ୍ରସ୍ତାବ ରହିଛି।

ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଅନଶନ ଭାଙ୍ଗିଲେ ଆପ ନେତ୍ରୀ ତଥା ଦିଲ୍ଲୀର ଜଳମନ୍ତ୍ରୀ ଅତିଶୀ

ନନ୍ଦିଘୋଷ ବ୍ୟୁରୋ: ଆମରଣ ଅନଶନ ଭାଙ୍ଗିଲେ ଆପ ନେତ୍ରୀ ତଥା ଦିଲ୍ଲୀର ଜଳମନ୍ତ୍ରୀ ଅତିଶୀ। ସ୍ଵାସ୍ଥ୍ୟାବସ୍ଥା ବିଗିଡିବା ପରେ ଅତିଶୀ ଅନଶନ ଭଙ୍ଗ କରିଛନ୍ତି। ଦିଲ୍ଲୀରେ ପାଣି ସମସ୍ଯାକୁ ନେଇ ଅନଶନରେ ବସିଥିଲେ ଅତିଶୀ। ତେବେ ଅତିଶୀଙ୍କ ସ୍ଵାସ୍ଥ୍ୟବସ୍ଥାରେ ଅବନତି ଘଟିଥିବାରୁ ଅନଶନରୁ ଓହରିଥିବା ଦଳ ପକ୍ଷରୁ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି ଆମ ଆଦମୀ ପାର୍ଟି ନେତା ତଥା ସାଂସଦ ସଂଜୟ ସିଂହ। ଅତିଶୀଙ୍କୁ ଦିଲ୍ଲୀର ଲୋକ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ରକ୍ତରେ ସୁଗର ଲେଭେଲ ୩୬କୁ ଖସି ଆସିଛି। ବ୍ଲଡ୍ ସୁଗର ଲେଭେଲ ଅଚାନକ ଖସିବା ପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିବାକୁ ଡାକ୍ତର ପରାମର୍ଶ ଦେଇଥିବା କରହିଛନ୍ତି ଆପ ନେତା ସଂଜୟ ସିଂହ।  ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ଗତ ୫ ଦିନ ଧରି ଅତିଶୀ କିଛି ଖାଇନଥିବା ଜଣାପଡିଛି।

ପ୍ରଣବ ପ୍ରକାଶ ଦାସଙ୍କୁ ବଦନାମ କରିବା ପାଇଁ ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ: ବିଜେଡିର ସାଂଗଠନିକ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବଦନାମ କରିବା ପାଇଁ ହେଉଛି ଉଦ୍ୟମ। ପ୍ରଣବ ପ୍ରକାଶ ରହୁଥିବା ସରକାରୀ ବାସଭବନକୁ ନେଇ ଗଣମାଧ୍ୟମରେ ଘନଘନ ଖବର ପ୍ରସାରଣ ଚାଲିଛି। ପ୍ରଣବ ପ୍ରକାଶ ଦାସ ରହୁଥିବା ବାସଭବନରେ ନିଜ ଆବଶ୍ୟକତା ଅନୁସାରେ କିଛି ପରିବର୍ତ୍ତନ କରିବା ସହ ଅସ୍ଥାୟୀ ସଂପ୍ରସାରଣ କରିଥିଲେ। ଏହା ଜିଏ ବିଭାଗର ଆଇନ ସମ୍ମତ। କିନ୍ତୁ ଏବେ ସେ ବାସଭବନ ଫେରାଇବା ପୂର୍ବରୁ ନିଜ ଆବଶ୍ୟକତା ମୁତାବକ କରିଥିବା ପରିବର୍ତ୍ତନକୁ ବଦଳାଇ ଘର ନେଲାବେଳେ ଯେମିତି ଥିଲା ସେମିତି କରି ଫେରାଇବାକୁ ଉଦ୍ୟମ କରିଥିଲେ। ତେବେ ଏହାକୁ ଅତିରଞ୍ଜିତ କରି ଖବର ପରିବେଷଣ କରାଯାଉଛି। ଯାହାକୁ ନେଇ ଖୋଦ୍ ପ୍ରଣବ ପ୍ରକାଶ ଦାସ ଦୁଃଖ ପ୍ରକାଶ କରିଛନ୍ତି।

କେବଳ ପ୍ରଣବ ପ୍ରକାଶ ଦାସଙ୍କ କ୍ବାର୍ଟର୍ସ ନୁହେଁ ରାଜଧାନୀରେ ଥିବା ପ୍ରାୟ ଅଧିକାଂଶ ସରକାରୀ ବାସଭବନରେ ବିଭିନ୍ନ ପରିବର୍ତ୍ତନ କରାଯାଇଛି। ତେଣୁ ଆଜି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ସଂପୃକ୍ତ କ୍ବାର୍ଟର୍ସକୁ ଯାଇ ଯାଞ୍ଚ କରିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ତାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ମଧ୍ୟ ପରିବର୍ତ୍ତନ କରିଥିଲେ। ଏକ ସଂପ୍ରସାରିତ ସ୍ଥାୟୀ ଗୃହ ମଧ୍ୟ  କ୍ବାର୍ଟର୍ସ ପରିସରରେ ତିଆରି କରିଥିଲେ। ଏହି ଘରେ ହରିୟାନାରୁ ଆସିଥିବା ବହୁ ମୂଲ୍ୟବାନ ଜିନିଷ ଲାଗିଛି। ସାମ୍ନାରୁ ଏହା ସାମାନ୍ୟ ମାଟି ଘର ଭଳି ଦେଖା ଯାଉଥିଲେ ହେଁ ଏଥିରେ ବିଭିନ୍ନ ପ୍ରକାର ପ୍ରାକୃତିକ ତତ୍ତ୍ବର ଉପଯୋଗ ଯୋଗୁଁ ଏହା ବ୍ୟୟବହୁଳ ହୋଇଛି। ଯଦି ସାଂସଦ ପ୍ରତାପ ଷଡଙ୍ଗୀ ତାଙ୍କ ସରକାରୀ ଘରେ ପରିବର୍ତ୍ତନ କରିପାରିବେ ଓ ସମ୍ପ୍ରସାରଣ କରିପାରିବେ ତାହେଲେ ଜଣେ ବିଧାୟକ କାହିଁକି କରି ପାରିବେନି ବୋଲି ପ୍ରଶ୍ନ ଉଠିଛି।

ସାରା ଦେଶରେ ବଢୁଛି ଶିଶୁ ବିରୋଧୀ ସାଇବର ଅପରାଧ

ନନ୍ଦିଘୋଷ ବ୍ୟୁରୋ: ପୂର୍ବବର୍ଷ ତୁଳନାରେ ଶିଶୁ ବିରୋଧୀ ସାଇବର ଅପରାଧ ୩୨ ପ୍ରତିଶତ ବୃଦ୍ଧି । ପ୍ରତ୍ଯୋକ ଘଣ୍ଟାରେ ରୁଜୁ ହେଉଛି ୧୮ ମାମଲା । ଚିନ୍ତା ବଢାଇଲା NCRB ରିପୋର୍ଟ । ସେପଟେ କମିଶନରେଟ ପୋଲିସକୁ ବଳ ଯୋଗାଉଛନ୍ତି ସାଇବର ମିତ୍ର । ସାରା ଦେଶରେ ବଢ଼ିବାରେ ଲାଗିଛି ଶିଶୁ ବିରୋଧୀ ସାଇବର ଅପରାଧ । ପ୍ରତ୍ଯେକ ଘଣ୍ଟାରେ ରୁଜୁ ହେଉଛି ୧୮ ମାମଲା । ଅଦୃଶ୍ୟ ଠକଙ୍କ ଦ୍ଵାରା ଛୋଟପିଲାଙ୍କୁ ହେଉଛି ଯୌନ ଶୋଷଣ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ମୁତାବକ ଭାରତରେ ୨୦୨୧ ମସିହାରେ ଶିଶୁ ବିରୋଧୀ ସାଇବର ଅପରାଧ ମାମଲା ୧୩ ଶହ ୭୬ ଟି ରୁଜୁ ହୋଇଥିବା ବେଳେ ୨୦୨୨ ରେ ରୁଜୁ ହୋଇଛି ୧୮ ଶହ ୨୩ ଟି । ଯାହା ପୂର୍ବ ବର୍ଷଠୁ ୩୨ ପ୍ରତିଶତ ଅଧିକ ।

ସେହିପରି ୨୦୨୩ ରେ ଏହି ସଂଖ୍ୟା ୨୫ ଶହ ଟପିଛି । ପର୍ଣ୍ଣଗ୍ରାଫି, ଫେକ ୱେବସାଇଟ ଜରିଆରେ ଠକେଇ, ନିଶା କାରବାର ଭଳି ମିଛ ଅଭିଯୋଗ ଆଣି ଡିଜିଟାଲ ଆରେଷ୍ଟ, ଅବିଭାବକଙ୍କୁ ବ୍ଲାକମେଲ ଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଗେମିଙ୍ଗ ଆପ ଜରିଆରେ ମଧ୍ୟ ସାଇବର ଠକଙ୍କ ଦ୍ୱାରା ନିର୍ଯାତନା ପାଇଛନ୍ତି କୁନି ପିଲା । ତେବେ ଅତ୍ୟଧିକ ଇଣ୍ଟରନେଟର ବ୍ୟବହାର, କରୋନା ବେଳେ ଘରେ ରହିବା ଓ ବାପା ମାଆ ଆବଶ୍ୟକତା ମୁତାବକ ପିଲାଙ୍କ ଧ୍ୟାନ ରଖୁନଥିବା ମୂଳ କାରଣ ବୋଲି କୁହାଯାଇଛି ।

ପୂର୍ବରୁ ଓଡିଶା ପୋଲିସ ପକ୍ଷରୁ ସ୍ପେଶାଲ ୱିଙ୍ଗ ଗଠନ କରାଯାଇ ୟୁନିସେଫ ଜରିଆରେ ୨୪ ଘଣ୍ଟିଆ ଟୋଲ ଫ୍ରି ନମ୍ବର ଜାରି କରାଯାଇଥିଲା । କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ଭୁବନେଶ୍ୱରରେ ଥିବା ସମସ୍ତ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି । ସ୍କୁଲରେ ଥିବା ସାଇବର ଭଲ୍ୟୁଣ୍ଟର ପୋଲିସ ଯୋଗାଯୋଗରେ ରହୁଛନ୍ତି । କେତେକ ସ୍ଥାନରେ ପିଲାଙ୍କ ସହ ସାଇବର ଠକେଇ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ନିଆଯାଇଥିବା କହିଛନ୍ତି ଡିସିପି । ପୋଲିସ ପକ୍ଷରୁ ୨୪ ଘଣ୍ଟା ସାଇବର ପେଟ୍ରୋଲିଂ ଚାଲିଛି । ଏହାପରେ ମଧ୍ୟ ଅବିଭାବକ ସଚେତନ ହେଉନଥିବାରୁ ଏଭଳି ଘଟଣା ସାମ୍ନାକୁ ଆସୁଥିବା ଦେଖାଯାଇଛି ।

ବିଧାନସଭାରେ ସର୍ବସମ୍ମତକ୍ରମେ ଗୃହୀତ, କେରଳର ନାମ ‘କେରଳମ’କୁ କରାଯିବ ପରିବର୍ତ୍ତନ

ନନ୍ଦିଘୋଷ ବ୍ୟୁରୋ: ଦାକ୍ଷିଣାତ୍ୟ ରାଜ୍ୟ କେରଳର ନାମ ‘କେରଳମ୍’କୁ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି। ଏ ସମ୍ପର୍କିତ ପ୍ରସ୍ତାବ କେରଳ ବିଧାନସଭାରେ ସର୍ବସମ୍ମତକ୍ରମେ ଗୃହୀତ ହୋଇଯାଇଛି। ସୂଚନାଯୋଗ୍ୟ ୨୦୨୩ ଅଗଷ୍ଟ ୯ରେ ଏହି ପ୍ରସ୍ତାବ ବିଧାନସଭାରେ ଅନୁମୋଦିତ ହୋଇସାରିଥିଲା। ତେବେ ସଂଶୋଧିତ ପ୍ରସ୍ତାବ ଦାଖଲ କରିବାକୁ କେନ୍ଦ୍ର ପକ୍ଷରୁ ସେତେବେଳେ କେରଳ ସରକାରଙ୍କୁ ନିର୍ଦେଶ ଦିଆଯାଇଥିଲା। ଫଳରେ ଆବଶ୍ୟକ ସଂଶୋଧନ ସହ ସୋମବାର ଏହି ପ୍ରସ୍ତାବକୁ ବିଧାନସଭାରେ ପୁଣି ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବ ଆଗତ କରିଥିବାବେଳେ ସମ୍ବିଧାନର ଧାରା ୩ ଅନୁଯାୟୀ ସରକାରୀ ଭାବେ ରାଜ୍ୟର ନାମ ‘କେରଳମ୍’କୁ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ବୀକୃତି ପରେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ସହିତ କେରଳର ନାମ କେରଳମ୍କୁ ବଦଳିବ।

କାର୍ଯ୍ୟକାରୀ ହେବାକୁ ଯାଉଛି ନୂଆ ଟେଲିକମ ଆଇନ

ନନ୍ଦିଘୋଷ ବ୍ୟୁରୋ: ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି ନୂତନ ଟେଲିକମ୍ ଆଇନ ୨୦୨୩। ତେବେ ଏହି ନୂଆ ଟେଲିକମ୍ ଆଇନ ଅନୁଯାୟୀ, ସିମ୍ କାର୍ଡ କ୍ରୟ , ନକଲି ସଂଯୋଗ ଏବଂ କଲ୍ ଟ୍ୟାପିଂ ଭଳି ଘଟଣା ଉପରେ କଡା କାର୍ଯ୍ୟନୁଷ୍ଠାନ ବ୍ୟବସ୍ଥା ରହିବ। ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ଲୋକସଭାରେ ନୂତନ ଟେଲିକମ୍ ବିଲ୍ ଆଗତ କରିଥିଲେ। ଏହି ବିଲ୍ ଆଗତ ହେବା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ବର୍ତ୍ତମାନ ଏହି ଆଇନର କିଛି ବିଭାଗ ଜୁନ୍ ୨୬ରୁ କାର୍ଯ୍ୟକାରୀ ହେବ। ଏହି ନୂତନ ଟେଲିକମ୍ ଆଇନ ୯ରୁ ଅଧିକ ସିମ୍ କାର୍ଡ କ୍ରୟ କରୁଥିବା ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିବ।

ଦେଶରେ ଟେଲିକମ୍ ଆକ୍ଟ ୨୦୨୩ ଲାଗୁ ହେବା ପରେ ୧୫୦ ବର୍ଷ ପୁରୁଣା ଭାରତୀୟ ଟେଲିଗ୍ରାଫ୍ ଆଇନ ୧୮୮୫ ରଦ୍ଦ ହୋଇଯିବ। ନୂତନ ଟେଲିକମ୍ ଆକ୍ଟ ଏହାକୁ ବଦଳାଇଦେବ। ଏହା ସହିତ, ଏହି ନୂତନ ନିୟମ ୧୯୩୩ର ବେତାର ଟେଲିଗ୍ରାଫି ଆଇନକୁ ମଧ୍ୟ ରଦ୍ଦ କରିଦେବ। ନକଲି ସିମ୍ କାର୍ଡ ଏବଂ ଜାଲିଆତିକୁ ରୋକିବା ପାଇଁ ସରକାର ନୂତନ ଟେଲିକମ୍ ଆଇନରେ ଅନେକ ବ୍ୟବସ୍ଥା ଯୋଡିଛନ୍ତି, ଯେଉଁଥିରେ ଜେଲଠାରୁ ଆରମ୍ଭ କରି ଜୋରିମାନା ପର୍ଯ୍ୟନ୍ତ ରହିଛି। କୌଣସି ବ୍ୟକ୍ତିଙ୍କର ଆଧାର କାର୍ଡ଼ ସହ ୯ଟି ସିମ୍ କାର୍ଡ଼ ସଂଯୋଗ ହୋଇଥିଲେ ତାକୁ ପ୍ରଥମ ଅପରାଧ ପାଇଁ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହାସହ ଭୁଲର ପୁନରାବୃତ୍ତି ହେଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଏହାବ୍ୟତୀତ ଜାଲ ଉପାୟରେ (ସିମ୍ କାର୍ଡ଼ ସ୍ପୁଫିଂ) ୟୁଜର ଆଇଡିର ବ୍ୟବହାର କରି ସିମ୍ କାର୍ଡ଼ କ୍ରୟ କରାଯାଇଥÒଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୫୦ ଲକ୍ଷ ଟଙ୍କାର ଜରିମାନା ଲାଗୁ ହୋଇପାରେ କିମ୍ବା ପୁଣି ଜେଲ ଓ ଜରିମାନା ଉଭୟ ଲଗାଯାଇପାରେ। କେବଳ ବାୟୋମେଟ୍ରିକ୍ ଆଧାରରେ ହିଁ ଟେଲିକମ୍ ଅପରେଟର ୟୁଜରର ଭେରିଫିକେସନ୍ କରିପାରିବେ। ଅର୍ଥାତ୍ ଆଧାର କାର୍ଡ ମାଧ୍ୟମରେ ୟୁଜରଙ୍କ ସମ୍ପର୍କରେ ଯାଞ୍ଚ କରିବାକୁ ପଡିବ। ଯଦି, ଆପଣ ଜାଣିନାହାଁନ୍ତି ଆପଣଙ୍କ ଆଧାର କାର୍ଡରୁ କେତେ ସିମ୍ କାର୍ଡ ଦିଆଯାଇଛି, ଆପଣ ଏହାକୁ ଅନଲାଇନ୍ରେ ଯାଞ୍ଚ କରିପାରିବେ।

ଏଥିପାଇଁ ଆପଣଙ୍କୁ ସରକାର ଆରମ୍ଭ କରିଥିବା sancharsathi.gov.in ପୋର୍ଟାଲକୁ ଯିବାକୁ ପଡିବ। ଏହାପରେ ଆପଣଙ୍କୁ ମୋବାଇଲ୍ କନେକ୍ସନ୍ ଅପ୍ସନ୍ ଟ୍ୟାପ୍ କିମ୍ବା କ୍ଲିକ୍ କରିବାକୁ ପଡିବ। ତା’ପରେ ପରବର୍ତ୍ତୀ ପୃଷ୍ଠାରେ ୧୦ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର ଏଣ୍ଟ୍ରି କରିବାକୁ ପଡିବ। ଫୋନରେ ଦିଆଯାଇଥିବା କ୍ୟାପଚା କୋଡ୍ ଏବଂ ଓଟିପି (ୱାନ୍ ଟାଇମ୍ ପାସୱାର୍ଡ) ଏଣ୍ଟ୍ରି କରନ୍ତୁ। ଏହାପରେ ଏକ ନୂତନ ପେଜ୍ ଖୋଲିବ, ଏଠାରେ ଆପଣ ଆପଣଙ୍କର ଆଧାର କାର୍ଡରେ ଦିଆଯାଇଥିବା ସମସ୍ତ ମୋବାଇଲ୍ ନମ୍ବର ଦେଖିବେ।

ଦେବୀ ସୁଭଦ୍ରାଙ୍କର ବିଗ୍ରହ ହଳଦୀ ବର୍ଣ୍ଣ ବଦଳରେ ହୋଇଛି ଲାଲ୍ ବର୍ଣ୍ଣ

ନନ୍ଦିଘୋଷ ବ୍ୟୁରୋ: ଓଡିଶାର ଦ୍ବିତୀୟ ବୃହତ୍ତମ ବିଷ୍ଣୁ ମନ୍ଦିର ଭାବେ ପରିଚିତ କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ପୀଠ । ଏଠି ୪ ଶହ ବର୍ଷର ପୁରୁଣା ବିଗ୍ରହ ପୂଜା ପାଉଛନ୍ତି । ଏଠାକାର ଭୋଗରାଗ ଓ ପ୍ରଭୁ ବଳଦେବଜୀଉଙ୍କର ଘୋଷଯାତ୍ରାର ରହିଛି ସ୍ଵତନ୍ତ୍ରତା । ତନ୍ତ୍ର ପ୍ରଭାବରେ ଦେବୀ ସୁଭଦ୍ରାଙ୍କର ବିଗ୍ରହ ହଳଦୀ ବର୍ଣ୍ଣ ବଦଳରେ ହୋଇଛି ଲାଲ୍ ବର୍ଣ୍ଣ । ଯାହା ଅନ୍ୟତ୍ର ବିରଳ । ଶ୍ରୀବଳଦେବଜୀଉଙ୍କର ନନ୍ଦିଘୋଷ ରଥ, ବିଶ୍ବର ଉଚ୍ଚତମ ଏକକ ରଥ । ଯାହାର ଉଚ୍ଚତା ହେଉଛି ୭୨ ଫୁଟ । ଏହି ରଥକୁ ଭୂୟାଁମାନଙ୍କ ଦ୍ବାରା ପ୍ରସ୍ତୁତ ସିଆଳିଲତା ଦଉଡି ଦ୍ବାର ଟଣା ଯାଇଥାଏ ।

ଜଗନ୍ନାଥ ସେ ଲୀଳାମୟ, ଅନନ୍ତ, କୋଟିବଳିଆର ଭୁଜ। ସାଢେ ଚାରି କୋଟି ଓଡିଆଙ୍କ ମଉଡମଣି । ସେହି ହଟିଆ ଠାକୁର ବର୍ଷକୁ ଥରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ଭକ୍ତଙ୍କୁ ଅତି ନିକଟରେ ଦର୍ଶନ ଦେବା ପାଇଁ । ରଥଯାତ୍ରା ନାଁରେ ପରିଚିତ ଏହି ନିଆରା ପରମ୍ପରା ଏବେ ପାଖେଇ ଆସୁଛି । ପୁରୀରେ ଜୋରଦାର ପ୍ରସ୍ତୁତି ଚାଲିଥବା ବେଳେ ଏଥିରୁ ବାଦ ପଡିନି କେନ୍ଦୁଝରର ଆରାଧ୍ଯ ଦେବତା ଶ୍ରୀବଳଦେବଜୀଉଙ୍କ ପୀଠ । ରଥଯାତ୍ରା ପାଳିବା ପାଇଁ ଏବେ ପୀଠ ବେଶ ଚଳଚଞ୍ଚଳ । ମନ୍ଦିରର ବେଢା ସ୍ବର୍ଗୀୟ ଆନନ୍ଦରେ ଭରା । ମନ୍ଦିରରେ ବିରାଜମାନ ପ୍ରଭୁ ଶ୍ରୀବଳଦେବଜୀଉ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥ । ଜନଶ୍ରୁତି ଅନୁସାରେ ବଞ୍ଚୋ ବୈତରଣୀ ନଦୀବାଲିରୁ ଠାକୁରଙ୍କ ବିଗ୍ରହକୁ ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେଓ କେନ୍ଦୁଝର ଆଣିଥିଲେ । ପ୍ରଭୁଙ୍କ ବିଗ୍ରହକୁ ପାଇ ସେ କେନ୍ଦୁଝରରେ ମନ୍ଦିର ନିର୍ମାଣ କାମ ଆରମ୍ଭ କରିଥିଲେ । ୧୬୭୧ ମସିହାରେ ଶେଷ ହୋଇଥିଲା ମନ୍ଦିର ନିର୍ମାଣ କାର୍ଯ୍ଯ । ତେବେ ୧୯୭୧ ମସିହାରୁ କେନ୍ଦୁଝର ରାଜାଙ୍କ ପୃଷ୍ଠପୋଷକତାରେ ନିୟମିତ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି ।

ଶ୍ରୀବଳଦେବଜୀଉଙ୍କ ମନ୍ଦିରର ବିଶେଷତ୍ବ ହେଲା, ଏହା ରାଜ୍ୟର ଦ୍ବିତୀୟ ବୃହତ୍ତମ ବିଷ୍ଣୁ ମନ୍ଦିର । ଏଠାକାର ରଥଯାତ୍ରାକୁ ବଡଯାତ୍ରା ଭାବେ ନାମିତ କରାଯାଇଥାଏ । ମନ୍ଦିରରେ ଶ୍ରୀଜୀଉମାନଙ୍କର ବିଗ୍ରହ ୪ଶହ ବର୍ଷର ପୁରୁଣା । କୁହାଯାଏ, ଏଠାରେ ତନ୍ତ୍ର ପ୍ରଭାବରେ ମା ସୁଭଦ୍ରାଙ୍କର ବର୍ଣ୍ଣ ହଳଦୀ ବର୍ଣ୍ଣ ବଦଳରେ ରହିଛି ହିଙ୍ଗୁଳା(ଲାଲ୍)ବର୍ଣ୍ଣ । ଯାହା ଅନ୍ୟତ୍ର ଦେଖାଯାଏ ନାହିଁ । ଅଷ୍ଟାଦଶ ଶତାବ୍ଦୀର ରାଜା ଜନାର୍ଦ୍ଦନ ଭଞ୍ଜଦେଓ ଶ୍ରୀବଳଦେବଜୀଉଙ୍କର ପ୍ରମୁଖ ଭକ୍ତ ଥିଲେ । ତାଙ୍କର ଭଗବାନଙ୍କ ପ୍ରତି ଥିବା ପ୍ରଗାଢ ଭକ୍ତିର ନିଦର୍ଶନସ୍ବରୂପ ସେ ଏହି ମନ୍ଦିରର ସେବାପୂଜା ତଥା ଭୋଗରାଗରେ ଉନ୍ନତି ଆଣିଥିଲେ । ଦିନରେ ଠାକୁରଙ୍କ ପାଇଁ ଦଳା ଖେଚେଡି, ଭଜା ଖେଚେଡି, ନଦା ଖେଚେଡି ଓ ଅନ୍ନଭୋଗ ଖଞ୍ଜା ହୋଇଥିଲା । ରାତ୍ର ସମୟରେ କର୍ପୁରକେଳି ଓ ୩ଟି ପାର୍ଶ୍ବଭୋଗ ଖଞ୍ଜା ହୋଇଥିଲା । କର୍ପୁରକେଳି ସହ ୩ଟି ପାର୍ଶ୍ବଭୋଗ, ଯଥା ଝିଲ୍ଲୀ, ମନୋହର ଓ ସରଭୋଗର ସମାହାରରେ ସମ୍ପୁର୍ଣ୍ଣ ହୁଏ ତାଟଭୋଗ । ତାଟଭୋଗର ସ୍ବତନ୍ତ୍ର ସ୍ବାଦ ପାଇଁ ଭକ୍ତଙ୍କ ମହଲରେ ପ୍ରସିଦ୍ଧି ରହିଛି ।

ଶ୍ରୀବଳଦେବଜୀଉଙ୍କ ରଥର ନାମ ହେଉଛି ନନ୍ଦିଘୋଷ । ୧୬ ଚକ ବିଶିଷ୍ଟ ଏହି ରଥର ଗୋଲେଇ ୪୫ଫୁଟ ଓ ଉଚ୍ଚତା ୭୨ଫୁଟ୍। ଏହି ରଥ ବିଶ୍ବର ଉଚ୍ଚତମ ଏକକ ରଥ ବୋଲି ବିଶ୍ବାସ ରହିଛି । ଏହି ରଥରେ ଓଜନିଆ ଶାଳ, ଧଉରା, ଶିମିଳି, ଗମ୍ଭାରୀ ଆଦି କାଠ ବ୍ୟବହୃତ ହୋଇଥାଏ । ଯାହା ତେଲକୋଇରେ ଥିବା ଠାକୁରଙ୍କ ଜଙ୍ଗଲରୁ ଆସିଥାଏ । ରଥଯାତ୍ରାରେ ଭୂୟାଁମାନଙ୍କର ସ୍ଵତନ୍ତ୍ର ସେବା ରହିଛି । ଭୂୟାଁ ଓ ଜୁଆଙ୍ଗମାନଙ୍ଗ ଦ୍ବାର ପ୍ରସ୍ତୁତ ଶିଆଳିଲତା ଦଉଡି ଦ୍ବାରା ନନ୍ଦିଘୋଷ ରଥ ଟଣାଯାଏ । ଏଠାରେ ପୁରୀ ଜଗନ୍ନାଥଙ୍କ ମନ୍ଦିର ପରି ଠାକୁରଙ୍କର ସମସ୍ତ ରୀତିନୀତି ପାଳନ କରାଯାଏ । ବର୍ତ୍ତମାନ ପ୍ରଭୁ ଶ୍ରୀବଳଦେବଜୀଉଙ୍କର ଘୋଷଯାତ୍ରା ଦେବୋତ୍ତର ବିଭାଗ ତଥା ବିଭିନ୍ନ ଅନୁଷ୍ଠାନ ଦ୍ବାରା ସୁପରିଚାଳିତ ହେଉଛି  ।

 

ହାତରେ ସମ୍ବିଧାନ କପି ଧରି ଶପଥ ନେଲେ ରାହୁଲ ଗାନ୍ଧୀ, ମାର୍ଶଲଙ୍କ ସହ ମିଶାଇଲେ ହାତ

ନନ୍ଦିଘୋଷ ବ୍ୟୁରୋ: ରାୟବରେଲିରୁ ନିର୍ବାଚିତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ହାତରେ ସମ୍ବିଧାନ କପି ଧରି ଶପଥ ନେଇଛନ୍ତି । ତେବେ ଜୟ ହୀନ୍ଦ ଏବଂ ଜୟ ସମ୍ବିଧାନ ନାମରେ ନାରା ଦେଇଥିଲେ ରାହୁଲ । ମଙ୍ଗଳବାର ରାହୁଲ ଶପଥ ଗ୍ରହଣ କରିଥିବାବେଳେ ସେ ଚେୟାର ପଛପଟେ ଛିଡ଼ା ହୋଇଥିବା ମାର୍ଶଲଙ୍କ ସହ ମଧ୍ୟ ହାତ ମିଶାଇଛନ୍ତି । ରାହୁଲ ଗାନ୍ଧୀ ନିଜର ସୋସିଆଲ ମିଡିଆରେ ମଧ୍ୟ ନିଜର ଶପଥ ଗ୍ରହଣ ସମୟର ଭିଡିଓକୁ ପୋଷ୍ଟ କରିଛନ୍ତି । ତେବେ ଏହି ଭିଡିଓକୁ ୟୁଜର୍ସମାନେ ସେୟାର କରୁଥିବାବେଳେ କମେଣ୍ଟ ମଧ୍ୟ ଦେଉଛନ୍ତି । ସେପଟେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ସମାନ ଢ଼ଙ୍ଗରେ ସମ୍ବିଧାନ କପି ଧରି ଶପଥ ନେଇଥିବା ଦେଖିବାକୁ ମିଳିଥିଲା ।