spot_img
Home Blog Page 1723

ଜାତୀୟ ରାଜନୀତିରେ ଓଡ଼ିଶା ଏବେ କେନ୍ଦ୍ରବିନ୍ଦୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜାତୀୟ ରାଜନୀତିରେ ଓଡ଼ିଶା ଏବେ କେନ୍ଦ୍ରବିନ୍ଦୁ ପାଲଟିଛି । ସାରା ଦେଶର ନଜର ଏବେ ଓଡ଼ିଶା ଉପରେ ରହିଛି । ଆସନ୍ତା ୨୫ ବର୍ଷ ପାଇଁ ବିକାଶର ଖସଡା ପ୍ରସ୍ତୁତ ହୋଇଥିବା ବେଳେ ଏହି ପାଞ୍ଚ ବର୍ଷ ଆମ ସରକାର ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲେ ସେ ସବୁ ପୂରଣ କରାଯିବ । ରାଜ୍ୟ ବିଜେପି ପକ୍ଷରୁ ପ୍ରଦର୍ଶନୀ ପଡିଆରେ ଅୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀଙ୍କ ସମେତ ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ମଞ୍ଚରେ ଉପସ୍ଥିତ ତିନି କେନ୍ଦ୍ରମନ୍ତ୍ରୀ କହିଥିଲେ ଓଡ଼ିଶାର ସାମଗ୍ରୀକ ବିକାଶକୁ ଫୋକସ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ବିଜୟର କୃତଜ୍ଞତା ଜଣାଇଥିଲେ । ସମ୍ବର୍ଦ୍ଧନା ସମାରୋହରେ ବିଜେପିର ଅତୀତ, ଭବିଷ୍ୟତ ଓ ବର୍ତ୍ତମାନ ନେଇ ବକ୍ତାମାନେ ଉଲ୍ଲେଖ କରିଥିଲେ । ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବା ପାଇଁ ଡବଲ ଇଞ୍ଜିନ ସରକାର କାର୍ଯ୍ୟ ବୋଲି ନେତୃବୃନ୍ଦ କହିଛନ୍ତି ।

ନୂଆ ସ୍ଥଳ ସେନାଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିଓ୍ବେଦୀ

ନୂଆଦିଲ୍ଲୀ: ଦେଶର ନୂଆ ସ୍ଥଳ ସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ । ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ । ଆଜି ସ୍ଥଳ ସେନାଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ଦେଶର ୩୦ତମ ସ୍ଥଳ ସେନାଧ୍ୟକ୍ଷ ହେଲେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ।

ଦେଶରେ ବର୍ତ୍ତମାନ ସ୍ଥଳସେନାର ଆଧୁନିକୀକରଣ ଏବଂ ବ୍ୟବସ୍ଥା ପରିବର୍ତ୍ତନ ଜାରି ରହିଥିବାବେଳେ ଏହି ସମୟରେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ୧୯୬୪ ଜୁଲାଇ ପହିଲାରେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀଙ୍କ ଜନ୍ମ । ୧୯୮୪ରେ ସେନାର ଜମୁ କାଶ୍ମୀର ରାଇଫଲ୍ସରେ ଯୋଗ ଦେଇଥିଲେ । ସେନାରେ ଦୀର୍ଘ ୪୦ ବର୍ଷ ଧରି ଦେଶର ସେବା କରି ଆସୁଛନ୍ତି । ମଧ୍ୟପ୍ରଦେଶ ରିୱା ସୈନିକ ସ୍କୁଲ ଛାତ୍ର ହେଉଛନ୍ତି ଉପେନ୍ଦ୍ର ।

ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ଦାୟିତ୍ଵ ନେବା ପରେ ଦୁଇ ସାଙ୍ଗ ଦେଶର ଦୁଇ ସେନାବାହିନୀର ମୁଖିଆ ହୋଇଛନ୍ତି । ଦେଶରେ ପ୍ରଥମ ଥର ଲାଗି ଦୁଇ ସହପାଠୀ ଦୁଇ ସେନାମୁଖ୍ୟ ଦାୟିତ୍ଵ ଭାର ସମ୍ଭାଳିଲେ । ଏବେ ଭାରତୀୟ ନୌବାହିନୀର ମୁଖ୍ୟ ଅଛନ୍ତି ଆଡମିରାଲ ଦୀନେଶ ତ୍ରିପାଠୀ । ଆଜି ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ନୂଆ ଆର୍ମି ଚିଫ୍ ହୋଇଛନ୍ତି । ଉଭୟ ମଧ୍ୟପ୍ରଦେଶର ରିୱା ସୈନିକ ସ୍କୁଲରେ ପଞ୍ଚମ ଶ୍ରେଣୀରୁ ମିଶି ପାଠ ପଢୁଥିଲେ ।

ନିଟ୍ ପେପର୍ ଲିକ୍ ମାମଲା: ବେଉର ଜେଲରେ ଅଭିଯୁକ୍ତଙ୍କୁ ସିବିଆଇର ପଚରାଉଚରା

ପାଟନା: ନିଟ୍ ପେପର ଲିକ୍ ମାମଲାରେ ସିବିଆଇର ଖୋଳତାଡ଼ । ପାଟନାର ବେଉର ଜେଲରେ ପହଞ୍ଚି ଜେଲରେ ଥିବା ଅଭିଯୁକ୍ତଙ୍କୁ ପଚରାଉଚରା ଆରମ୍ଭ କରିଛି ସିବିଆଇ ଟିମ୍ । ପୂର୍ବରୁ ରିମାଣ୍ଡରେ ନେଇଥିବା ଅଭିଯୁକ୍ତଙ୍କୁ ଠାରୁ ମିଳିଥିବା ତଥ୍ୟକୁ ନେଇ ବିହାର ବେଉର ଜେଲରେ ପହଞ୍ଚିଛି ସିବିଆଇ ଟିମ୍ ।

ସୂଚନାଯୋଗ୍ୟ, ଅଭିଯୁକ୍ତଙ୍କୁ ଅଲଗା ଅଲଗା ପଚରାଉଚରା ବେଳେ ସମସ୍ତଙ୍କଠାରୁ ନୂଆ ନୂଆ ତଥ୍ୟ ପାଇଛି ସିବିଆଇ । ଅଭିଯୁକ୍ତଙ୍କ ବୟାନରେ ତାଳମେଳ ରହୁ ନଥିବା ସିବିଆଇ ଜାଣିବାକୁ ପାଇଛି । ପଚରାଉଚରା ବେଳେ ଅଧିକାଂଶ ଅଭିଯୁକ୍ତ ସଞ୍ଜୀବ ମୁଖିଆ ଏବଂ ସିକନ୍ଦର ୟାଦବେନ୍ଦୁଙ୍କ ନା ନେଇଛନ୍ତି ।

ଘଟଣାରେ ସୁପ୍ରିମକୋର୍ଟ ସମେତ ସିବିଆଇ ଏବଂ ରାଜ୍ୟ ପୋଲିସ ମଧ୍ୟ ତନାଘନା ଚଳାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତନରାମ ମାଁଝୀ । ଅଭିଯୁକ୍ତଙ୍କ ଗିରଫଦାରୀ ଚାଲିଛି । ଯେଉଁମାନେ ବି ଦୋଷୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ନିଟ୍ ପେପର ଲିକ୍ ମାମଲାରେ ତଦନ୍ତ ଭାର ହାତକୁ ଆସିବା ପରେ ଜୋରସୋର ତନାଘନା ଚଳାଇଛି ସିବିଆଇ । ବିହାରର ଅର୍ଥନୈତିକ ଅପରାଧ ଶାଖା ହଜାରୀବାଗରେ ଥିବା ଓଏସିସ ସ୍କୁଲ ଲିଙ୍କ ଖୋଜି ବାହାର କରିଥିଲା । ଏହାକୁ ନେଇ ସିବିଆଇ ତନାଘନା ଜୋରଦାର କରିଛି । ଗତକାଲି ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ସିବିଆଇ । ଏହା ପୂର୍ବରୁ ବିହାର ପୋଲିସଠାରୁ ମିଳିଥିଲା ଦସ୍ତାବିଜକୁ ନେଇ ଏକାଧିକ ସ୍ଥାନରେ ରେଡ୍ କରିଥିଲା ସିବିଆଇ । ଜୁନ ୨୭ରେ ନିଟ-ୟୁଜି ପେପର ଲିକ୍ ମାମଲାରେ ପାଟନାରୁ ପ୍ରଥମେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ସିବିଆଇ । ଜୁନ ୨୮ରେ ସିବିଆଇ ଝାଡଖଣ୍ଡ ହଜାରୀବାଗର ଓଏସିସ ସ୍କୁଲର ପ୍ରିନ୍ସିପାଲ ଓ ଭାଇସପ୍ରିନ୍ସିପାଲଙ୍କୁ ଗିରଫ କରିଥିଲା । ଏହି ପରୀକ୍ଷାକୁ ନେଇ ଅନେକ ଅନିୟମିତତା ଅଭିଯୋଗ ଆସିବା ପରେ ତଦନ୍ତ ଭାର ସିବିଆଇକୁ ଦିଆଯାଇଛି ।

ମହାବୀର ପେପର ମିଲ୍ସରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ

ଟିଟିଲାଗଡ଼: ଟିଟିଲାଗଡ଼ ଚୋରମରା ଠାରେ ଥିବା ମହାବୀର ପେପର ମିଲ୍ସରେ ଅଗ୍ନିକାଣ୍ଡ। ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଆଜି ସକାଳୁ ଫ୍ୟାକ୍ଟ୍ରି କାର୍ଯ୍ୟ ଆରମ୍ଭ କରିବା ସମୟରେ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା। ପରେ ନିଆଁ ପାଖରେ ଥିବା ବ୍ଲିଚିଙ୍ଗ ପାଉଡର ଉପରେ ପଡିବାରୁ ନିଆଁ ବ୍ୟାପକ ରୂପ ନେଇଥିଲା। ନିଆଁ ଭୟଙ୍କର ରୂପ ନେବାରୁ ଫ୍ୟାକ୍ଟ୍ରିରେ ଥିବା କେମିକାଲ ଓ ଅନ୍ୟାନ୍ୟ ସମାଗ୍ରୀ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଟିଟିଲାଗଡ଼ରୁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ପ୍ରାୟ ୧୫ ଲକ୍ଷରୁ ଅଧିକ ମୂଲ୍ୟର ସମାଗ୍ରୀ ପୋଡି ନଷ୍ଟ ହୋଇଯାଇଛି।

ଖୋର୍ଦ୍ଧା ଜୟମଙ୍ଗଳ ଗାଁରେ ବଜ୍ରାଘାତରେ ୨ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ପୁବୁସାହି ପଞ୍ଚାୟତର ଜୟମଙ୍ଗଳ ଗାଁରେ ଅଭାବନୀୟ ଘଟଣା। ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନାରଣ ପ୍ରଧାନ ଓ ସରୋଜ ଜେନା। ଦୁଇ ଜଣ ଚାଷ କାମ ସାରି ବିଲରୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ପୋଲିସ୍ ଘଟଣାର ତଦନ୍ତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।


                

ଉବୁଟୁବୁ ଜାତୀୟ ରାଜଧାନୀ ଦିଲ୍ଲୀ, ବର୍ଷା ନେଲାଣି ୧୧ ଜୀବନ

ନୂଆଦିଲ୍ଲୀ: ଉବୁଟୁବୁ ଜାତୀୟ ରାଜଧାନୀ ଦିଲ୍ଲୀ।  ବର୍ଷା ନେଲାଣି ୧୧ ଜୀବନ। ଆଜି ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଶୁକ୍ରବାର ଦିନ ଦିଲ୍ଲୀରେ ରେକର୍ଡ ବର୍ଷା ହୋଇଥିଲା। ୨୨୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ୧୯୩୬ ପରଠାରୁ ଗୋଟିଏ ଦିନରେ ଦିଲ୍ଲୀରେ ଜୁନ ମାସରେ ଏହା ରେକର୍ଡ ବର୍ଷା। ଦିଲ୍ଲୀରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଜି ଏବଂ ଆସନ୍ତାକାଲି ଦିଲ୍ଲୀରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବର୍ଷାରୁ ତଳିଆ ଅଂଚଳରେ ପାଣି ପଶି ଲୋକେ ହନ୍ତସନ୍ତ ହେଉଛନ୍ତି। ଏହାସହ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି ।

କେବଳ ଦିଲ୍ଲୀ ନୁହଁ ଦେଶର ଉତ୍ତରାଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ହରିୟାଣାରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ଦିଲ୍ଲୀର ବସନ୍ତ ବିହାରରେ କାନ୍ଥ ପଡ଼ି ୩ ଜଣଙ୍କ ମୃତ୍ଯୁ ହୋଇଥିବା ଖବର ଆସିଛି। ଦିଲ୍ଲୀରେ ବିଭିନ୍ନ ଅଂଚଳରେ ଜମିଥିବା ପାଣିକୁ ବାହାର କରିବାକୁ ୭୨ ସ୍ଥାୟୀ ୱାଟର ପମ୍ପ ପ୍ରସ୍ତୁତ ରଖାଯାଇଛି। ଏହାସହ ୪୬୫ ଅସ୍ଥାୟୀ ୱାଟର ପମ୍ପ ମଧ୍ୟ ପାଣି ନିଷ୍କାସନ କାର୍ଯ୍ୟରେ ଲାଗିଛି। ମେସିନ ସହ ପର୍ଯ୍ୟାପ୍ତ ପରିମାଣର ଲୋକଙ୍କୁ ପାଣି ନିଷ୍କାସନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଦିଲ୍ଲୀରେ ଚଳିତ ମୌସୁମୀରେ ପାଖାପାଖି ୬୫୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

କେମିତି ବୁଡ଼ିଲା ଟି-୭୨ ଟ୍ୟାଙ୍କ୍ ?

ଲଦାଖ: ଲଦାଖରେ ସେନା T-27 ଟ୍ୟାଙ୍କ ବୁଡି ୫ ଯବାନ ସହିଦ ଘଟଣା। ଏହି ଘଟଣା ଶୁକ୍ରବାର ବିଳମ୍ୱିତ ରାତିରେ ଘଟିଛି । ଏହି ଘଟଣା ପରେ ଏବେ ପ୍ରଶ୍ନ ଉଠୁଛି ଶତ୍ରୁମାନଙ୍କ ଉପରେ ଗର୍ଜନ କରୁଥିବା  T-27 ଟ୍ୟାଙ୍କଟି କିପରି ପାଣି ଭିତରକୁ ବୁଡିଯାଇଥିଲା ?

ପ୍ରତିଦିନ ସେନା ପକ୍ଷରୁ ଏକ ରୁଟିନ୍‌ ସେନାଭ୍ୟାସ କରାଯାଇଥାଏ । ଲେହଠାରୁ ୧୪୭ କିମି ଦୂରରେ ଥିବା ମୋଡ଼ ମନ୍ଦିର ନିକଟସ୍ତ ବୋଧି ନଦୀ ଦେଇ ଭାରତୀୟ ସେନା T-72 ଟ୍ୟାଙ୍କରେ ପାର ହେଉଥିଲେ । ଏହି ସମୟରେ ଅଚାନକ ଜଳସ୍ତର ବୃଦ୍ଧି ପାଇଥିଲା, ଫଳରେ ଏହି ଉଛୁଳା ପାଣିର ସ୍ରୋତରେ ଟ୍ୟାଙ୍କ ସହ ୫ ଜଣ ସେନା ଯବାନ ବୁଡି ଯାଇଥିଲେ। ଯବାନମାନେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ।

ରିପୋର୍ଟ ଅନୁଯାୟୀ, ବର୍ଷା ଯୋଗୁଁ ନଦୀରେ ହଠାତ୍ ଜଳସ୍ତର ବୃଦ୍ଧି ପାଇଥିଲା । ରାତି ହୋଇଥିବାରୁ ସେନା ଯବାନମାନେ ଅନ୍ଧାରରେ ଏହା ଜାଣିପାରିନଥିଲେ । T-72 ଟ୍ୟାଙ୍କରରେ ୫ ମିଟର ପର୍ଯ୍ୟନ୍ତ ନଦୀ ପାର ହେବାର କ୍ଷମତା ଅଛି ଅର୍ଥାତ୍ ୧୬. ୪ ଫୁଟ ଗଭୀରତାକୁ ପାର୍ ହେବାର କ୍ଷମତା ଟ୍ୟାଙ୍କରେ ରହିଛି । ଏହା ଏକ ଛୋଟ ବ୍ୟାସ SNORKEL ସାହାଯ୍ୟରେ ନଦୀ ପାର ହୋଇଥାଏ । ଯେତେବେଳେ ଟ୍ୟାଙ୍କରର ଇଞ୍ଜିନ ତଳେ ପାଣି ପଶିଯାଇ ଅଟକିଯାଏ, ସେତେବେଳେ ୬ ସେକେଣ୍ଡ ମଧ୍ୟରେ ଏହାକୁ କ୍ଲିୟର କରିବାକୁ ପଡିଥାଏ ।  ଯଦି ଏହା କରା ନଯାଏ, ତେବେ ଇଞ୍ଜିନରେ ଚାପ ପଡିଥାଏ । ଏହାପରେ ଇଞ୍ଜିନରେ ପାଣି ପ୍ରବେଶ କରିଥାଏ । ଏହାଦ୍ୱାର ଟ୍ୟାଙ୍କରଟି ବୁଡିଯାଇଥିବା କୁହାଯାଉଛି ।

ଟ୍ୟାଙ୍କର ବୁଡିବା ଘଟଣାରେ କେହି କେହି ପାଣିପାଗକୁ ମଧ୍ୟ ଦାୟୀ କରିଛନ୍ତି । ଭାରତୀୟ ସେନମାନେ ପ୍ରତ୍ୟେକ ଦିନ ଏପରି ବିପଦକୁ ସାମ୍ନା କରିଥାନ୍ତି ।

ଭୁବନେଶ୍ୱରରେ ମନୋଜ ଆହୁଜା, ଆଜିଠୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ

ଭୁବନେଶ୍ୱର : ଆଜି ସରିବ ମୁଖ୍ଯ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ଯକାଳ। ଆଜିଠୁ ଦାୟିତ୍ବ ଗ୍ରହଣ କରିବେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମନୋଜ ଆହୁଜା। ମୁଖ୍ୟ ଶାସନ ସଚିବ ଭାବରେ ନାମ ଘୋଷଣା ପରେ ଓଡ଼ିଶା ଫେରିଛନ୍ତି ମନୋଜ। ଆଜି ଅପରାହ୍ନରେ ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରିବେ ମନୋଜ ଆହୁଜା।

୧୯୯୦ ବ୍ୟାଚ ବରିଷ୍ଠ ଆଇଏଏସ ଅଫିସର ହେଉଛନ୍ତି ମନୋଜ ଆହୁଜା । ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ଯାରିଅର ଆରମ୍ଭ କରିଥିଲେ ମନୋଜ ଆହୁଜା । ସେ କେନ୍ଦ୍ର କୃଷି ସଚିବ ଦାୟିତ୍ଵରେ ରହିଥିଲେ । ୨୦୧୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିଥିଲେ । ୨୦୨୦ରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟରେ ସେ ସିବିଏସଇ ଅଧ୍ୟକ୍ଷ ଭାବେ ଦାୟିତ୍ଵରେ ରହିଥଲେ । ଏହାପରେ ୨୦୦୯ରେ ଖାଦ୍ୟ ଯୋଗାଣ ସଚିବ, ୨୦୧୦ରେ ଖଣି ଇସ୍ପାତ ବିଭାଗ ସଚିବ ହୋଇଥିଲେ । ୨୦୧୨ରେ କ୍ରୀଡ଼ା ଯୁବ ବ୍ଯାପାର ଓ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ବାଣିଜ୍ୟ କର କମିଶନର ଥିଲେ । ୨୦୧୫ରେ ସମବାୟ ବିଭାଗର ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ମୃତ

କେନ୍ଦୁଝର: ଘଟଗାଁ ବାଲିଯୋଡ଼ି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଅପସରା ବାବୁ। ଗତକାଲି ବିଳମ୍ବିତ ରାତିରେ ଆଇରନ ବୋଝେଇ ଟ୍ରକକୁ ଅନ୍ୟ ଏକ ଟ୍ରକ ଦୃତ ଗତିରେ ଆସି ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଆମ୍ବୁୁଲାନ୍ସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସ୍ୱାମୀର ଗୁଳିରେ ସ୍ତ୍ରୀର ମୃତ୍ୟୁ

କଳାହାଣ୍ଡି: କଳାହାଣ୍ଡି ଥୁଆମୁଳ ରାମପୁର ବ୍ଲକ ରଣପୁର ଗାଁରେ ଅଭାବନୀୟ ଘଟଣା। ସ୍ୱାମୀର ଗୁଳିରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି।

ସୂଚନା ଅନୁଯାୟୀ, ରଣପୁର ଗାଁର ବନ ମାଝୀଙ୍କ ଚାଷ ଜମିରେ ଧାନ ଚାଷ ନଷ୍ଟ କରିଥିଲେ ଗାଈ। ଏଥିରେ ବନ ମାଝୀ ରାଗି ଯାଇ ଦେଶୀ ବନ୍ଧୁକରେ ଗାଈଙ୍କୁ ଗୁଳି କରିବା ବେଳେ ତାଙ୍କ ସ୍ତ୍ରୀ ଜେମାଦେଇ ଏବଂ ଝିଅ ବିଦ୍ୟା ତାଙ୍କୁ ଅଟକାଇଥିଲେ। ହେଲେ ଏହି ସମୟରେ ଦେଶୀ ବନ୍ଧୁକର ଗୁଳି ଫୁଟିବାରୁ ତାଙ୍କ ସ୍ତ୍ରୀ ଏବଂ ଝିଅ ଦେହରେ ବାଜିଥିଲା। ଉଭୟଙ୍କୁ ପ୍ରଥମେ ଭବାନୀପାଟଣା ସହିଦ ରେଣ୍ଡୋମାଝୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଜେମାଦେଇ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଵାମୀ ବନ ମାଝୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।