ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ହାଥରସରେ ଅଘଟଣ। ଦଳାଚକଟାରେ ୨୭ଜଣଙ୍କ ମୃତ୍ଯୁ। ମୃତକଙ୍କ ମଧ୍ଯରେ ୨୫ ମହିଳା ଓ ୨ ଜଣ ପୁରୁଷ ଥିବା ସୂଚନା ମିଳିଛି। ଭଗବାନ ଶିବଙ୍କ ଧାର୍ମିକ ଉତ୍ସବବେଳେ ଘଟିଥିଲା ଅଘଟଣ। ହାଥରସ ଅନ୍ତର୍ଗତ ରତିଭାନପୁରରେ ଏହି ଅଘଟଣ ଘଟିଛି। ଆହତଙ୍କ ମଧ୍ଯରେ କିଛି ଶିଶୁ ଓ ମହିଳା ଥିବା ସୂଚନା ମିଳିଛି। ୧୫ରୁ ଅଧିକ ଆହତଙ୍କୁ ସ୍ଥାନୀୟ ଇଟାହ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛଇ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାରୁ ସ୍ଥିତି ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିଲା। ସ୍ଥିତି ଉପରେ ସଜାଗ ଦୃଷ୍ଟି ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ ରାଜକୁମାର ଅଗ୍ରୱାଲ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଲାଗି ପଦସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ। ଆହତମାନଙ୍କ ଯେପରି ଉପଯୁକ୍ତ ଚିକିତ୍ସା ହୋଇପାରିବ ସେଥିଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।
ପଳାତକ ଶିଳ୍ପପତି ବିଜୟ ମାଲ୍ୟାଙ୍କ ନାଁରେ NBW
ମୁମ୍ୱାଇ : ବଢ଼ିଲା ବିଜୟ ମାଲ୍ୟାଙ୍କ ଅଡୁଆ। ପଳାତକ ଶିଳ୍ପପତି ବିଜୟ ମାଲ୍ୟାଙ୍କ ନାଁରେ NBW । ବ୍ୟାଙ୍କ ଋଣ ମାମଲାରେ ବିଜୟ ମାଲ୍ୟାଙ୍କ ବିରୋଧରେ NBW ଜାରି ହୋଇଛି। ମୁମ୍ବାଇ ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ପକ୍ଷରୁ ମାଲ୍ୟାଙ୍କ ବିରୋଧରେ ଜାମିନ ବିହିନୀ ଗିରଫ ପରଓ୍ବାନା ଜାରି କରାଯାଇଛି। ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୧୮୦ କୋଟି ଋଣ ମାମଲାରେ NBW ଜାରି କରିଛନ୍ତି ମୁମ୍ବାଇ ସ୍ବତନ୍ତ୍ର ସିବିଆଇ କୋର୍ଟ। ୨୦୦୭ରୁ ୨୦୧୨ ମଧ୍ୟରେ ଋଣ ନେଇଥିଲେ ମାଲ୍ୟା ଓ ତାଙ୍କ କମ୍ପାନୀ । ୨୦୧୬ ଅଗଷ୍ଟରେ ବିଜୟ ମାଲ୍ୟାଙ୍କ ସହ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲ ।
ବଢ଼ିଲା ଡୋନାଲଡ ଟ୍ରମ୍ପ ଓ ଜୋ ବାଇଡେନ ବିବାଦ
ନୂଆଦିଲ୍ଲୀ : ବଢ଼ିଲା ଡୋନାଲଡ ଟ୍ରମ୍ପ ଓ ଜୋ ବାଇଡେନ ବିବାଦ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେବା ପରେ ଚିନ୍ତାବ୍ଯକ୍ତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । କୋର୍ଟଙ୍କ ରାୟକୁ ସମାଲୋଚନା କରିଛନ୍ତି ବାଇଡେନ । ଆସନ୍ତା ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ସମ୍ଭାବନା ଉଜ୍ବଳ ଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ଟ୍ରମ୍ପଙ୍କ ଲାଗି ସହାୟକ ହୋଇଛି ।
ରାଷ୍ଟ୍ରପତି ଥିବାବେଳେ ଟ୍ରମ୍ପ ଯେଉଁସବୁ କାର୍ଯ୍ୟ କରିଥିଲେ ତାହା ତାଙ୍କ ସାମ୍ବିଧାନିକ କ୍ଷମତା ଥିବାରୁ ତାଙ୍କ ବିରୋଧରେ କୌଣସି ମାମଲା ଦାୟର କରାଯାଇପାରିବ ନାହିଁ । ତାଙ୍କର କେବଳ ବ୍ଯକ୍ତିଗତ ପ୍ରସଙ୍ଗକୁ ନେଇ ଅଲଗା ଚିନ୍ତା କରାଯାାଇପାରେ । ଏହି ରାୟକୁ ନେଇ ବାଇଡେନ କହିଛନ୍ତି- ନିର୍ଦ୍ଦିଷ୍ଟ ନୀତି ଉପରେ ଆମେରିକା ପ୍ରତିଷ୍ଠା ହୋଇଛି । ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ସମ୍ବିଧାନର ମୌଳିକ ନୀତିକୁ ଉଲ୍ଲଂଘନ କରୁଛି ।
ଗତ ୨୦୨୧ ଜାନୁଆରୀ ୬ରେ କାପିଟଲରେ ହୋଇଥିବା ହିଂସାକୁ ନେଇ ଟ୍ରମ୍ପଙ୍କ ବିରୋଧରେ ମାମଲା ଚାଲୁ ରହିଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ଟ୍ରମ୍ପଙ୍କୁ ଆଶ୍ବସ୍ତ କରିଛି । ଅନ୍ଯପଟେ ଗତ ମାସ ଶେଷାର୍ଦ୍ଧରେ ହୋଇଥିବା ପ୍ରଥମ ଡିବେଟରେ ବାଇଡେନଙ୍କ ଦୁର୍ବଳ ଉପସ୍ଥାପନା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ରିପ୍ଲବିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଡେମୋକ୍ରାଟ ପ୍ରାର୍ଥୀ ତଥା ରନିଙ୍ଗ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଭାରି ପଡିଥିଲେ । ୯୦ ମିନିଟର ବିତର୍କରେ ନିଜ ଶାସନକାଳର ଉପଲବ୍ଧି ବଖାଣିବାରେ ସେ ବିଫଳ ହୋଇଥିଲେ । ଯେଉଁଠିକି ଟ୍ରମ୍ପ ପୂରା ଦମରେ ତାଙ୍କୁ କାଉଣ୍ଟର କରି ଫସାଇଦେଇଥିଲେ । ତେଣୁ ବାଇଡେନଙ୍କ ବଦଳରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଚେଲ ଓବାମାଙ୍କୁ ଡେମୋକ୍ରାଟ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।
ଛତିଶଗଡ଼ର ଚାଲାଖି ପାଇଁ ଶୁଖିଲା ପଡ଼ିଛି ମହାନଦୀ
ସମ୍ୱଲପୁର : ଖୋଲିଛି କଲମା ହେଲେ ଭରୁନି ହୀରାକୁଦ । ଛତିଶଗଡ଼ ଚାଲାଖି ପାଇଁ ଶୁଖିଲା ପଡ଼ିଛି ମହାନଦୀ । କଲମାର ୧୭ ଗେଟ୍ ଖୋଲା ଥିଲେ ବି ମହାନଦୀରେ ପାଣି ନାହିଁ । ନାଁକୁ ମାତ୍ର ଗେଟର ଦେଢ ମିଟର ଲେଖାଏଁ ଖୋଲି ପାଣି ଛାଡ଼ୁଛି ଛତିଶଗଡ଼ । ଫଳରେ ମହାନଦୀରେ ଯେତିକି ପାଣି ଆସିବା କଥା ସେତିକି ଆସୁନାହିଁ । ଏଣୁ କଲମା ବ୍ୟାରେଜ୍ ଗେଟ୍ ଖୋଲିବା ପରେ ବି ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢୁନାହିଁ । ୬୦୦ ଫୁଟରୁ ଆଉ ଉପରକୁ ବଢ଼ୁନି ଜଳସ୍ତର
ଆମ ସରକାର ଆସିଲେ ହଟିବ ଇଭିଏମ୍ : ଅଖିଲେଶ ଯାଦବ
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମଙ୍ଗଳବାର ଲୋକସଭାରେ ଚର୍ଚ୍ଚାରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ବିୟାନ । ସେ ଇଭିଏମ୍ ଏବଂ ଅଗ୍ନିବୀର ଭଳି ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଏ ସରକାର ଚାଲିବନି ବରଂ ଭାଙ୍ଗିଯିବ। ସମ୍ବିଧାନ ହିଁ ସଞ୍ଜିବନୀ ଏବଂ ଏହି ନିର୍ବାଚନରେ ସମ୍ବିଧାନର ରକ୍ଷକଙ୍କର ବିଜୟ ହୋଇଛି । ଏ ଦେଶ କାହାର ବ୍ୟକ୍ତିଗତ ଆଂକାକ୍ଷାରେ ନୁହେଁ ବରଂ ଜନ ଆକାଂକ୍ଷାରେ ଚାଲିବ । ଏପରି ବିଭିନ୍ନ ପ୍ରସଙ୍ଗ ଉଠାଇ ଅଖିଳେଶ ଯାଦବ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ।
କେବଳ ଏତିକି ନୁହେଁ ଇଭିଏମକୁ ନେଇ ସଂସଦରେ ବଡ ବୟାନ ରଖିଛନ୍ତି ଅଖିଳେଶ ଯାଦବ । ଅଖିଳେଶ କହିଛନ୍ତି, ଯେତେବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ସେତେବେଳେ ନିର୍ବାଚନ ଆୟୋଗ କିଛି ଲୋକଙ୍କୁ ବହୁତ ସହଯୋଗ କଲେ । ନିର୍ବାଚନ କମିଶନ ଭଳି ସଂସ୍ଥା ନିରପେକ୍ଷ ହେଲେ ହିଁ ଭାରତର ଗଣତନ୍ତ୍ର ମଜବୁତ ହେବ । ଏପରିକି ଆଜି ବି ଇଭିଏମ ଉପରେ ମୋର ଭରସା ନାହିଁ । ଉତ୍ତରପ୍ରଦେଶର ୮୦ରୁ ୮୦ ଆସନ ଜିତିଗଲେ ମଧ୍ୟ ଇଭିଏମ ଉପରେ ଭରସା ଆସିବନି । ଆମେ ନିର୍ବାଚନରେ କହିଥିଲୁ ଇଭିଏମରେ ଜିତିବୁ ଏବଂ ଇଭିଏମକୁ ହଟାଇବୁ ।
ଅଗ୍ନିବୀର ଯୋଜନାକୁ ନେଇ ସରକାରଙ୍କୁ ଘେରିଛନ୍ତି ଅଖିଳେଶ ଯାଦବ । ସଂସଦରେ ଅଖିଳେଶ କହିଛନ୍ତି, ମୁଁ ନିଜେ ସୈନିକ ସ୍କୁଲରେ ପାଠ ପଢିଛି । ଅଗ୍ନିବୀର ଯୋଜନା ସାହାରାରେ ସୀମାର ସୁରକ୍ଷା କରାଯାଇ ପାରିବନି । ଇଣ୍ଡିଆ ମେଣ୍ଟର ସରକାର ଆସିଲେ, ଅଗ୍ନିବୀର ଯୋଜନାକୁ ବନ୍ଦ କରିବାକୁ କାମ କରିବ । ଏହି ସରକାର ଯୁବବର୍ଗଙ୍କ ଠାରୁ ଚାକିରି ଛଡାଇ ନେଇଛି । ତେଣୁ ଏ ସରକାରରେ ନା ନିଯୁକ୍ତିର ସୁଯୋଗ ଅଛି ନା ରୋଜଗାରର । ତେଣୁ ଆସନ୍ତା ଥର ରାଷ୍ଟ୍ରପତିଙ୍କ ଅଭିଭାଷଣ ହେଉ, ସରକାରୀ ଭାଷଣ ନହେଉ ।

